(ଶିକ୍ଷକମାନଙ୍କ ପ୍ରତି)
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୩
- ସ୍ଥିତି
- ସାର୍ବଜନୀନ (Public domain)
ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ କଣ ଏବଂ କି ନିମନ୍ତେ ବାଳକବାଳିକାମାନଙ୍କୁ ଶିକ୍ଷା ଦିଆଯାଏ ତାହା ପ୍ରତ୍ୟେକ ଶିକ୍ଷକଙ୍କର ଅବଶ୍ୟ ଜାଣିବା କର୍ତ୍ତବ୍ୟ । କେହି କେହି ମନେକରିପାରନ୍ତି ଯେ ଏଡ଼େ ସହଜ ବିଷୟଟା ଅବା କାହାକୁ ଜଣାନାହିଁ ଯେ ଏହା ପୁଣି ଆଜି ଆମ୍ଭମାନଙ୍କୁ ଶିକ୍ଷା କରିବାକୁ ହେବ ! ସତ୍ୟ, ଯଦି ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଥାଏ ତାହାହେଲେ ଆଉ ଏ ବିଷୟଟା ବଡ଼ ସାମାନ୍ୟ ନୁହେ ବରଂ ଅତି ଗୁରୁତର । ଆଉ ଗୋଟିଏ କଥା— ଅନେକେ ଯାହାକୁ ଶିକ୍ଷାକାର୍ଯ୍ୟର ଉଦ୍ଦେଶ୍ୟ ବୋଲନ୍ତି ତାହା ପ୍ରକୃତରେ ଉଦ୍ଦେଶ୍ୟ ନୁହେ, ପୁଣି କେତେକ ଲୋକ ପ୍ରକୃତ ଉଦ୍ଦେଶ୍ୟ ବୁଝି, କାର୍ଯ୍ୟର ଗୁରୁତ୍ୱ ଜାଣି, ସ୍ୱୀୟ ଦାୟୀତ୍ୱ ଅନୁଭବ କରି ସୁଦ୍ଧା କାର୍ଯ୍ୟ କରନ୍ତି ନାହିଁ । ଦୁଃଖର ବିଷୟ କେତେ ଲୋକ ଭାବନ୍ତି ଯେ ଛାତ୍ରମାନେ ପଢନ୍ତୁ ଅବା ନ ପଢନ୍ତୁ କୈାଣସି ପ୍ରକାରେ ‘ପାସ’ କରିଗଲେ ସେମାନଙ୍କ ପାଇଟି ସରିଲା । ତେଣିକି ପିଲାମାନେ ଯାହା ଇଚ୍ଛା ତାହା ହେଉନ୍ତୁ ପଛକେ, ସେମାନେ ତାହା ଲାଗି ଦାୟୀ ବୋଲି ବିବେଚନା କରନ୍ତି ନାହିଁ ; କିନ୍ତୁ ଏ ପ୍ରକାର ମନେକରିବା ନିତାନ୍ତ ଅଯୈାକ୍ତିକ, କିପାଁ କି ପିତାମାତା ଅଥବା ବାଳକର ଅପର କେହି ଅଭିଭାବକ କି କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବାପାଇଁ ପିଲାକୁ ତୁମ୍ଭ ହସ୍ତରେ ସମର୍ପଣ କରିଦେଇଥିଲେ; ନା ସେମାନଙ୍କର ଅନ୍ୟ କୈାଣସି ଉଦ୍ଦେଶ୍ୟ ଥିଲା ? ରାମକୁ ମୋହର ମନୁଷ୍ୟ କରିଦିଅ— ହରି କିପରି ମନୁଷ୍ୟ ହେବ ତାହା ଦେଖ, ଇତ୍ୟାକାରରେ କେହି କିଛି ତୁମ୍ଭଙ୍କୁ କହିନାହିଁ କି ? ‘‘ମନୁଷ୍ୟ କରିଦିଅ’’ , ‘‘କି ପ୍ରକାରେ ମନୁଷ୍ୟ ହେବ ତାହା ଦେଖ’’ ଏହା କହିଲେ କଣ ବୁଝିବାକୁ ହେବ ? ମନୁଷ୍ୟ ଶବ୍ଦର ଅର୍ଥ କଣ ? ରାମ ଅଥବା ହରି କଣ ମନୁଷ୍ୟ ନୁହନ୍ତି ଯେ ତୁମ୍ଭେ ମାନଙ୍କୁ ମନୁଷ୍ୟ କରିଦେବ ? ଅବୟବ ଏବଂ ଆକୃତିାରେ ତ ସେମାନେ ଅବିକଳ ମନୁଷ୍ୟ ସଦୃଶ୍ୟ— ତେବେ ଆଉ ସେମାନଙ୍କୁ କିପରି ମନୁଷ୍ୟ କରିବ ? ନା, — ଏଠାରେ ଆକୃତିର କଥା ପଡ଼ିନାହିଁ ; ହସ୍ତପଦାଦି ଅବୟବର କଥା ହେଉନାହିଁ, ଏଠାରେ ମନୁଷ୍ୟ ଶବ୍ଦେର ଅର୍ଥ ସାଧାରଣ ଅର୍ଥରୁ କିଞ୍ଚିତ୍ ବିଭିନ୍ନ । ହସ୍ତପଦାଦି ଅଙ୍ଗବିଶିଷ୍ଟ ମନୁଷ୍ୟର କଥା ଏଠାରେ ହେଉନାହିଁ; ବିବେକ ବୁଦ୍ଧି ଓ ଜ୍ଞାନସମ୍ପନ୍ନ ମନୁଷ୍ୟର କଥା ଏଠାରେ ପଡ଼ିଅଛି ।
ସମସ୍ତେ ଅବଶ୍ୟ ମନେରଖିବେ ଯେ ବିଦ୍ୟାଳୟରେ ଶିକ୍ଷିତବ୍ୟ କେତେକ ବିଷୟ ଶିକ୍ଷା କରି କିଞ୍ଚିତ ବ୍ୟୁତ୍ପତ୍ତି ଲାଭ କଲେ ଯେ ଶିକ୍ଷାର ଚରମ ଫଳ ଲାଭ ହେଲା ଏମନ୍ତ ନୁହେ । ସଂସାରଯାତ୍ରା ନିର୍ବାହ କରିବାର କ୍ଷମତାଲାଭ ଶିକ୍ଷାକାର୍ଯ୍ୟରେ ପ୍ରକୃତ ଉଦ୍ଦେଶ୍ୟ ଅଟେ । ନିଜେ ସ୍ୱାଧୀନ ଭାବରେ ରହି ସମାଜର ଉପକାର କରିବ ଏବଂ ସ୍ୱୟଂ ଆନ୍ତରିକ ସୁଖରେ ସୁଖୀ ହେବ ଏହି ଉଦ୍ଦେଶ୍ୟ ସଂସାଧନ ନିମନ୍ତେ ଶିକ୍ଷାର ଆବଶ୍ୟକ । ବାଳକମାନଙ୍କର ବୁଦ୍ଧିର ପରିଣତ ଏବଂ ବୃତ୍ତିନିଚୟର ସ୍ଫୁରଣ ହେବା ଏକାନ୍ତ ପ୍ରୟୋଜନ; କିନ୍ତୁ ଏହା ମଧ୍ୟ ମନେରଖିବାକୁ ହେବ ଯେ ଏହି ସମସ୍ତ ଉପାୟ କାର୍ଯ୍ୟର ପ୍ରବର୍ତ୍ତକ ହୋଇନପାରେ । ଯେହେତୁ କୈାଣଶି କାର୍ଯ୍ୟ କରିବାର ପ୍ରବୃତ୍ତି ଜନ୍ମାଇ ନ ଦେଇ କେବଳ ଉକ୍ତ କାର୍ଯ୍ୟର ସୁବିଧା କରିଦେଲେ କଣ ହେବ ? ଏଣୁକରି ନୀତି ଏବଂ ବୃଦ୍ଧିବୃତ୍ତର ଶିକ୍ଷାବିଷୟରେ ପ୍ରେମକୁ ପ୍ରବର୍ତ୍ତନ କରିବା ବିଧେୟ । ଜ୍ଞାନ ଥିବା ଯୋଗୁଁ ଲୋକେ ଅନେକ ସମୟରେ ଗର୍ହିତ ଓ ଅନ୍ୟାୟ କାର୍ଯ୍ୟ କରିବାରେ ବିରତ ହୁଅନ୍ତି ସତ୍ୟ; କିନ୍ତୁ ସ୍ୱାର୍ଥ ଏକପ୍ରକାର ପଦାର୍ଥ ଯେ, ଚରିତ୍ରବଳରେ ବଳୀ ନହେଳେ, ମନୁଷ୍ୟକୁ ଅନାୟାସରେ ନରକକୁଣ୍ଡ ମଧ୍ୟରେ ନିକ୍ଷେପ କରିପାରେ । ଅତଏବ ଛାତ୍ରମାନଙ୍କର ନୀତିଶିକ୍ଷା ପ୍ରତି ଦୃଷ୍ଟି ରଖିବା କର୍ତ୍ତବ୍ୟ । ସେମାନଙ୍କର ବୁଦ୍ଧି ପରିମାର୍ଜିତ ଏବଂ ଉଜ୍ଜଳ କରିନେବାକୁ ହେବ ଏବଂ ବିନମ, ପ୍ରେମ, ଭକ୍ତି ଓ ସାଧୁତାଦ୍ୱାରା ସେମାନଙ୍କ ଜୀବନକୁ ଅଳଙ୍କୃତ କରିବାକୁ ହେବ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ