ସମାଲୋଚନା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୧୬୨
- ସ୍ଥିତି
- ସାର୍ବଜନୀନ (Public domain)
ଏହି ଗ୍ରନ୍ଥଖଣ୍ଡି ପାଠକରି ଆମ୍ଭେ ଅତ୍ୟନ୍ତ ପ୍ରୀତି ହୋଇଅଛୁଁ । ସଂସ୍କୃତ ଅଳଙ୍କାରଗ୍ରନ୍ଥକ ଓଡ଼ିଆଭାଷାରେ ଅନୁବାଦ କରିବା ସହଜ କଥା ନୁହେଁ । ରାଧାନାଥବାବୁ ଏ ସମ୍ବନ୍ଧରେ ଯାହା କହିଅଛନ୍ତି, ସେଥିରେ ଆମ୍ଭ ମତର ସମ୍ପୂର୍ଣ୍ଣ ଐକ୍ୟ ଅଛି । ଆହୁରି ଆନନ୍ଦର ବିଷୟ ଯେ ଏହି ଦୁରୂହ କାର୍ଯ୍ୟଟି ଜଣେ ନାନା ରାଜକାର୍ଯ୍ୟବ୍ୟାପୃତ ରାଜାଙ୍କ କର୍ତ୍ତୃକ ସମ୍ପାଦିତ ହୋଇଅଛି । ରାଜନ୍ୟବର୍ଗରେ ବାସୁଦେବାଭିଧେୟ ନରପତିଙ୍କର ପାଣ୍ଡିତ୍ୟ, ସତ୍ ପରିଶ୍ରମ ଏବଂ ଅଧ୍ୟବସାୟର ଉଦାହରଣ ଅତି ବିରଳ ଲକ୍ଷିତ ହୁଏ ।
ପ୍ରାଚ୍ୟ ଅଳଙ୍କାରଶାସ୍ତ୍ର ଏବଂ ପାଶ୍ଚତ୍ୟ ଅଳଙ୍କାରଶାସ୍ତ୍ର, ଏ ଉଭୟ ବିସ୍ତର ପ୍ରଭେଦ ଦେଖାଯାଏ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ରର ଆଲୋଚ୍ୟ ବିଷୟ କବିତା ଏବଂ ବକ୍ତୃତା, ପ୍ରାଚ୍ୟ ଅଳଙ୍କାରଶାସ୍ତ୍ରର ଆଲୋଚ୍ୟ ବିଷୟ କେବଳ କବିତା ମାତ୍ର । ପାଶ୍ଚତ୍ୟ କବିତାର ଜନ୍ମଭୂମି ଗ୍ରୀସ୍ । ଏହି ଦେଶର ପ୍ରାକୃତିକ ଅବସ୍ଥା କବିତାର ଯେପରି ଅନୁକୂଳ ଥିଲା, ରାଜନୈତିକ ଅବସ୍ଥା ମଧ୍ର ବକ୍ତୃତାର ସେହିପରି ଅନୁକୂଳ ଥିଲା । ପ୍ରାଚୀନ ଗ୍ରୀସ୍ରେ ପ୍ରଜାତନ୍ତ୍ରଣପ୍ରଣାଳୀ ପ୍ରଚଳିତ ଥିବାରୁ ବକ୍ତୃତାରୁ ଯଥେଷ୍ଟ ଆଦର ହୋଇଥିଲା ଏବଂ ବାଗ୍ମିମାନେ ନିଜ ନିଜ ଦକ୍ଷତାନୁସାରେ ସାମାଜିକ ସମ୍ମାନ ଲାଭ କରିଥିଲେ । ଭାରତବର୍ଷରେ ରାଜତନ୍ତ୍ରପ୍ରଣାଳୀ ପ୍ରଚଳିତ ଥିବାରୁ ବାଗ୍ମିତା ତାଦୃଶ ଉତ୍କର୍ଷ ଲାଭ କରିପାରିନାହିଁ । ସଂପ୍ରତି ସଭ୍ୟତାର ଉନ୍ନତି ସଙ୍ଗେ ସଙ୍ଗେ ଏ ଦେଶରେ ମଧ୍ୟ ଅଳ୍ପ ବା ଅଧିକ ପରିମାଣରେ ବକ୍ତୃତାର ସ୍ଫୂର୍ତ୍ତି ଦେଖାଯାଉଅଛି । ପରନ୍ତୁ ଏହି ସ୍ଫୂର୍ତ୍ତି ରାଜନୈତିକ ଉନ୍ନତିର ଅବଶ୍ୟମ୍ଭାବୀ ସହଚର । ପ୍ରଚଳିତ ରାଜ୍ୟମାନଙ୍କରେ ଅଳଙ୍କାରଗ୍ରନ୍ଥ ପ୍ରଣୟନ କରିବାକୁ ହେଲେ, କେବଳ କବିତାକୁ ଗ୍ରନ୍ଥର ବିଷୟୀଭୂତ ନ କରି କବିତା ଏବଂ ବକ୍ତୃତା ଉଭୟର ଯଥାଯଥ ଆଲୋଚନା କରିବାର ଆବଶ୍ୟକ ।
ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ର ସଙ୍ଗେ ତୁଳନା କରି ଦେଖିଲେ, ପ୍ରାଚ୍ୟ ଅଳଙ୍କାରଶାସ୍ତ୍ରର ଆଉ ଗୋଟିଏ ଅଭାବ ପରିଲକ୍ଷିତ ହୁଏ । ସଂସ୍କୃତ ଅଳଙ୍କାରଗ୍ରନ୍ଥରେ କାବ୍ୟମାନଙ୍କୁ ଗୋଟିଏ ଗୋଟିଏ ଶ୍ଳୋକ ନେଇ ସେଥିରେ ଦୋଷଗୁଣ, ଉତ୍କର୍ଷାପକର୍ଷ ସମ୍ବନ୍ଧରେ ଅତି ସୂକ୍ଷ୍ମବିଚାର କରାଯାଇଅଛି । ମାତ୍ର ଖଣ୍ଡିଏ ସମଗ୍ର କାବ୍ୟ ବା ନାଟକର ବିଚାର ସେଥିରେ ଦୋଷ ଗୁଣ ପ୍ରଦର୍ଶିତ ହୋଇନାହିଁ । ସମଗ୍ର କାବ୍ୟ ବା ନାଟକର ଶରୀର-ଗଠନ କିପରି, ତାହାର ଆଦ୍ୟ, ମଧ୍ୟ, ପ୍ରାନ୍ତ ଏମାନଙ୍କ ମଧ୍ୟରେ ପରସ୍ପର ସାମଞ୍ଜସ୍ୟ ଅଛି କି ନାହିଁ; ପ୍ରତ୍ୟେକ ବର୍ଣ୍ଣିତ ବିଷୟ ମୂଳବିଷୟର ଉପଯୋଗୀ କି ନା, କାବ୍ୟର କେଉଁ ଅଂଶ ପ୍ରାସଙ୍ଗିକ, କେଉଁ ଅଂଶ ଅପ୍ରାସଙ୍ଗିକ; ନାୟକ ନାୟକମାନଙ୍କର ଚରିତ୍ରଗଠନ କିପରି; ସେମାନଙ୍କର ଉକ୍ତି-ପ୍ରତ୍ୟୁକ୍ତି ସେହି ଚରିତ୍ରର ଅନୁରୂପ ଏବଂ ପରିପୋଷକ କି ନା, ଏହି ରୀତିର ସମାଲୋଚନା ପ୍ରାୟ କୌଣସି ସଂସ୍କୃତ ଅଳଙ୍କାରଗ୍ରନ୍ଥରେ ଦେଖାଯାଏ ନାହିଁ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ରରେ ଏହି ରୀତିର ସମାଲୋଚନା ଅଥିକ ଥିବାରୁ, ରୁଚିର ସଂସ୍କରଣ ବିଷୟରେ ତାହା ଅଧିକତର ଉପଯୋଗୀ ବୋଧହୁଏ । ପାଶ୍ଚତ୍ୟ ଅଳଙ୍କାରଶାସ୍ତ୍ର ବ୍ୟଷ୍ଟି ଅପେକ୍ଷା ସମଷ୍ଟି ପ୍ରତି ଅଧିକତର ମନୋଯୋଗୀ, ପ୍ରାଚ୍ୟ ଅଳଙ୍କରଶାସ୍ତ୍ର ସମେ୍ଟି ଅପେକ୍ଷା ବ୍ୟଷ୍ଟି ପ୍ରତି ଅଧିକତର ମନୋଯୋଗୀ ।
ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଉଭୟବିଧ ଅଳଙ୍କାରଶାସ୍ତ୍ରର ଦୋଷଗୁଣ ତୁଳନା କରିବାର ସୁବିଧାସତ୍ତ୍ୱେ, ଆମ୍ଭମାନଙ୍କର ଉଚିତ ଯେ ଉଭୟଙ୍କର ତ୍ରୁଟି ପରିହାରପୂର୍ବକ ଭାରତୀୟ ଭାଷାଳଙ୍କାର ଗ୍ରନ୍ଥରେ ଯେପରି ଉଭୟଙ୍କର ଉତ୍କର୍ଷ ସମବେତ ହୋଇପାରିବ, ସେଥି ପକ୍ଷରେ ଯତ୍ନଶୀଳ ହେବୁଁ ।
ଅଳଙ୍କାର ବୋଧୋଦୟକୁ ଉଳ୍ଲିଖିତ ଲକ୍ଷଣାନୁସାରେ ବିଚାର କରିବାର ଅନୁଚିତ । ଏହା କେବଳ ଖଣ୍ଡିଏ ଉତ୍କୃଷ୍ଟ ଅଳଙ୍କାର ଗ୍ରନ୍ଥର (ସାହିତ୍ୟ ଦର୍ପଣର) ଅନୁବାଦ ମାତ୍ର । ଉପରେ ଆମ୍ଭେମାନେ ଯେଉଁ ଲକ୍ଷଣ ନିର୍ଦ୍ଦେଶ କଲୁଁ ସେହି ଲକ୍ଷଣାକ୍ରାନ୍ତ ପୁସ୍ତକ ରଚନା କରିବାର ସମୟ ବହୁଦୂରବର୍ତ୍ତୀ । ଓଡ଼ିଆ ଭାଷାର କଥା ଦୂରେ ଥାଉ, ସମଧିକ ଉନ୍ନତ ଓ ମାର୍ଜିତ ବଙ୍ଗଳା ଭାଷାରେ ସୁଦ୍ଧା ସେ ସମୟ ଉପସ୍ଥିତ ହୋଇଅଛି କି ନାହିଁ ସନ୍ଦେହର ବିଷୟ । ପ୍ରକୃତ ପକ୍ଷରେ ବଙ୍ଗଳାରେ ଏ ଶ୍ରେଣୀର ଗ୍ରନ୍ଥ ଅବଧି ରଚିତ ହୋଇନାହିଁ । ବରଂ ‘କାବ୍ୟନିର୍ଣ୍ଣୟ’ ପ୍ରଭୃତି ଯେଉଁ ଅଳଙ୍କାଗ୍ରନ୍ଥ ବଙ୍ଗଭାଷାରେ ରଚିତ ହୋଇଅଛି, ତାହା ଅଳଙ୍କାର ବୋଧୋଦୟ ଅପେକ୍ଷା କୌଣସି ଅଂଶରେ ଉତ୍କୃଷ୍ଟ ନୁହେଁ ।
ରାଧାନାଥବାବୁ ଅଳଙ୍କାର ବୋଧୋଦୟ ସମ୍ବନ୍ଧରେ ଯେଉଁ ତ୍ରୁଟିର ଉଲ୍ଲେଖ କରିଅଛନ୍ତି, ତାହା ସଂଶୋଧନ କରିବାର ଉଚିତ । ବାମଣ୍ଡାଧିପତି ମହାରାଜା ବାସୁଦେବ ଏହି ଗ୍ରନ୍ଥ ସଙ୍କଳନରେ ବିଶେଷ ଶ୍ରମ ଏବଂ ଅଧ୍ୟବସାୟର ପ୍ରମାଣ ଦେଇଅଛନ୍ତି ସତ୍ୟ, ମାତ୍ର କିଛି ଅଧିକ ସମୟ ବ୍ୟୟ କରି ଅଧିକତର ଶ୍ରମ ସ୍ୱୀକାର କରିଥିଲେ, ପୁସ୍ତକର ଭାଷା ଆହୁରି ସହଜ ହୋଇଥାନ୍ତା ଏବଂ ଉଦାହରଣଗୁଡ଼ିକ ଆହୁରି ଉପଯୋଗୀ ହୋଇଥାନ୍ତା । କେତେକ ସ୍ଥଳରେ ଉଦାହରଣଗୁଡ଼ିକ ସୁବିଚାର ସହିତ ସଙ୍କଳିତ ହୋଇନାହିଁ ଏବଂ କୌଣସି କୌଣସି କୌଣସି ସ୍ଥଳରେୁ ସଂସ୍କୃତ ଶ୍ଳୋକର ପଦ୍ୟାନୁବାଦ ମୂଳଶ୍ଳୋକର ଉପଯୁକ୍ତ ହୋଇନାହିଁ । ସେ ଯାହା ହେଉ ସ୍ଥୂଳରେ ପୁସ୍ତକଖଣ୍ଡିଗ ଆଶାତୀତ ବୋଲିବାକୁ ହେବ ।
ଅଳଙ୍କାରବୋଧୋଦୟ ଦ୍ୱାରା ଓଡ଼ିଆ ସାହିତ୍ୟ ଶିକ୍ଷାର ବିଶେଷ ସାହାଯ୍ୟହେବାର ସମ୍ଭାବନା । ରୁଚିର ସଂସ୍କାର ଓଡ଼ିଶାରେ ନିତାନ୍ତ ଆବଶ୍ୟକ ହୋଇଅଛି । ଏ ଦେଶରେ ପ୍ରାଚୀନ ସାହିତ୍ୟରେ ଯେ ଉତ୍କୃଷ୍ଟ କିଛି ନାହିଁ, ଏହା ଆମ୍ଭେ କହୁ ନାହିଁ । ମାତ୍ର ଓଡ଼ିଶାର ପ୍ରାଚୀନ ସାହିତ୍ୟ ବୋଲି ଯାହା ଜନସମାଜରେ ପ୍ରତିଷ୍ଠିତ, ସେଥିରେ ଅଧିକାଂଶ ଯେ ସୁରୁଚି-ସମ୍ଭୂତ ନୁହେଁ, ତାହା ବିନା ଅଳଙ୍କାରଶାସ୍ତ୍ରଚର୍ଚ୍ଚା ପାଠକମାନେ ସମୀଚୀନ ରୂପେ ଉପଲବ୍ଧ କରିପାରିବେ ନାହିଁ । ବ୍ୟାକରଣ ଏବଂ ଅଳଙ୍କାରଠାରେ ପ୍ରାଚୀନ ଉତ୍କଳ-ସାହିତ୍ୟ ଯେମନ୍ତ ଅପରାଧୀ, ଏମନ୍ତ ଭାରତବର୍ଷର ଅନ୍ୟ ପ୍ରଦେଶରେ ଅଛି କି ନାହିଁ, ସନ୍ଦେହର ସ୍ଥଳ ।
ମହାରାଜ ବାସୁଦେବେଙ୍କର ଗ୍ରନ୍ଥକାର ସଂସ୍କାରରେ ଏହି ପ୍ରଥମ ପ୍ରବେଶ । ଏହି ନବରାଜ୍ୟକୁ ଆମ୍ଭେମାନେ ତାହାଙ୍କୁ ହୃଦୟର ସହିତ ଅଭିନନ୍ଦନ କରୁଅଛୁ । ସଂସାରରେ ଯେତେ ପ୍ରକାର କୀର୍ତ୍ତି ଅଛି, ସେଥିମଧ୍ୟରେ ଲିପିକୀର୍ତ୍ତି ସର୍ବାପେକ୍ଷା ଅଧିକକାଳ ସ୍ଥାୟୀ । ଓଡ଼ିଶାରେ ସହସ୍ର ରାଜା ଆବିର୍ଭୂତ ହୋଇ କାଳଭର୍ଗରେ ତିରୋହିତ ହୋଇଅଛନ୍ତି, ମାତ୍ର ରାଜକବି ଉପେନ୍ଦ୍ର ଭଞ୍ଜଙ୍କର ନାମ ଅଦ୍ୟାପି ଦେଦୀପ୍ୟମାନ ଅଛି ଏବଂ ଯେତେଦିନ ଓଡ଼ିଆଭାଷାର ଅସ୍ତିତ୍ୱ ଥିବ ଉପେନ୍ଦ୍ର ଭଞ୍ଜଙ୍କର କୀର୍ତ୍ତି ଲୋପ ହେବନାହିଁ । ମହାରାଜ ବାସୁଦେବ ସ୍ୱୟଂ ବିଦ୍ୱାନ, ସୁତରାଂ ଲିପିକୀର୍ତ୍ତିର ସାରବର୍ତ୍ତା ହୃଦୟଙ୍ଗମ କରିବାକୁ ସମ୍ପୂର୍ଣ୍ଣ ସମର୍ଥ । ଏହି ହେତୁରୁ ଅଧିକାଂଶ ରାଜାଙ୍କ ପରି ସିଂହାସନସୁଲଭ ବିଳାସସୁଖକୁ ଜୀବନର ଲକ୍ଷ୍ୟ ନ କରି ଲିପିକୀର୍ତ୍ତି ସ୍ଥାପନ ବିଷୟରେ ଯତ୍ନଶୀଳ ହୋଇଅଛନ୍ତି ଏବଂ ସେହି ପ୍ରଥମ ଫଳସ୍ୱରୂପ ‘ଅଳଙ୍କାର ବୋଧଦୟ’କୁ ସାଧରଣଙ୍କଠାରେ ଉପହାର ଦେଇ ସାଧାରଣର ବିଚାରପ୍ରାର୍ଥୀ ହୋଇଅଛନ୍ତି । ଏପରି ଗୌରାବାନିତ୍ୱ ଦୃଶ୍ୟ ସହୃଦୟ ଲୋକର ମନ ଆନନ୍ଦରସରେ ଅଭିସିକ୍ତ ନ ହେବ ? ଆମ୍ଭମାନେ ସର୍ବାନ୍ତଃକରଣରେ ସର୍ବସିଦ୍ଧି-ଦାତାଙ୍କ ଠାରେ ପ୍ରାର୍ଥନା କରୁଅଛୁଁ ସେ ବାସୁଦେବଙ୍କର ଏହି ସାଧୁବାସନା ଉପରେ ତାହାଙ୍କର ଅମୋଘ ଆଶୀର୍ବାଦ ବର୍ଷଣ କରନ୍ତୁ ଏବଂ ମହାରାଜାଙ୍କର ନିର୍ମଳଯଶ୍ଚନ୍ଦ୍ରର ଜ୍ୟୋସ୍ନାରେ ସମଗ୍ର ଉତ୍କଳଭୂମି ଆଲୋକିତ ହେଉ ।
କବିତାବଳୀ ଦ୍ୱିତୀୟ ଭାଗ :
ଆକାଶପ୍ରତି
ପ୍ରଶ୍ନ –
୧ । ଏହି କବିତାର ଭାବରାଜି ବିଶ୍ଲେଷଣ କରି; ଯଥାକ୍ରମେ ତାହା ପ୍ରଦର୍ଶନ କର ।
୨ । ନିମ୍ନୋଦ୍ଧୃତ କବିତାଂଶମାନଙ୍କର ବ୍ୟାଖ୍ୟା ପ୍ରଦର୍ଶନ କର । ଯେଉଁ ଯେଉଁ ସ୍ଥଳରେ ଭାବର ବିଶେଷତ୍ୱ ଏବଂ ନିଗୂଢତ୍ୱ ଅଛି ତାହାକୁ ବ୍ୟାଖ୍ୟରେ ବିଶେଷରୂପେ ଦେଖାଇ ଦିଅ ।
(କ) ନିସ୍ତରଙ୍ଗ ଥିଲା ଯେବେ ଅନନ୍ତ ସମୟ
ଘଟନାବିହୀନ ଘୋର କାଳ-ପାରବାର
(ଖ) ପୁଷ୍ପର ପ୍ରଥମ ହାସ୍ୟ ତୋହରି ଗୋଚର
ପ୍ରଥମ ଜୀବର ସୃଷ୍ଟି ତୋର ସନ୍ନିଧାନେ,
ସୃଷ୍ଟ ଆଦି ନରନାରୀ ଅଗ୍ରତେ ତୋହର
ସର୍ବଦର୍ଶୀ ଅଟୁ ତୁହି ବିଧିର ବିଧାନେ ।
(ଗ) କେତେବେଳେ ଦିଗମ୍ବର ତୁହି ନୀଳାମ୍ବର
କେବେ ମେଘ ଆଡମ୍ବରେ ଦିଶୁ ଭୟଙ୍କର
(ଘ) ରଞ୍ଜଇ ଧରଣୀମୁଖ କିରଣେ
(ଙ) ଦର୍ଶନେ ପବିତ୍ର କରେ କଳୁଷିତ ମନ ।
(ଚ) ନାଚଇ ଅଗଣ୍ୟ ବିଶ୍ୱ ନିତ୍ୟ ଲୀଳାରଙ୍ଗେ
ତୋ ମହା ସୁନୀଳ ବକ୍ଷେ ଶାସନେ ବିଧିର ।
୩ । ନିମ୍ନଲିଖିତ ବାକ୍ୟାଶଂର ଉପଯୋଗିତା ଦେଖାଇ ତାହାକୁ ବ୍ୟାଖ୍ୟା କର ।
ସାକ୍ଷୀ ତୁହିରେଗଗନ ସୃଷ୍ଟି ପ୍ରକ୍ରିୟାର, ଅବଗାହି ଜ୍ୟୋତିଜଳେ, ଆଲୋକ-ନନ୍ଦିନୀ, କୌମୁଦୀ-ଚର୍ଚ୍ଚିତ, ନୀରବବେଦ ।
ଉତ୍ତର –
୧ । କବି ନିର୍ଜନ ସ୍ଥାନରେ ବସି ଥରେ ଆକାଶ ଆଡ଼କୁ ନେତ୍ରପାତ୍ର କରି ଦେଖିଲେ– ଆକାଶ ଅନନ୍ତ, ଅସୀମ, ସର୍ବବ୍ୟାପୀ । ପରମୁହୂର୍ତ୍ତରେ ତାହାଙ୍କର ମନ ଆପଣା ଆଡ଼କୁ ଆକୃଷ୍ଟ ହେଲା; ସେ ନିଜର କ୍ଷୁଦ୍ରତ୍ୱ ଅନୁଭବ କଲେ– ଅନନ୍ତ ଆକାଶର ଅନନ୍ତତ୍ୱ ଦିଗୁଣ ବର୍ଦ୍ଧିତ ହେଲା । ତେଣୁ ସେ ଆକାଶକୁ ସମ୍ବୋଧନ କରି କହିଲେ –‘‘ଅନନ୍ତ ଅପାର ତୁହି ରେ ମହା ଆକାଶ, ପୃଥିବୀର କୀଟ ମୁହିଁ କ୍ଷୁଦ୍ର ବୁଦ୍ଧି ନର ।’’ ପରିପୂର୍ଣ୍ଣ ହୋଇଗଲା । ସେ ଭାବର ବର୍ଣ୍ଣନା କରାଯାଇ ପାରେନାହିଁ । ହର୍ଷ, ଆଶ୍ଚର୍ଯ୍ୟ, ଗମ୍ଭୀରତା ଏକତ୍ର ମିଶ୍ରିତ ହେଲା । କବି ଏହି ଅନନ୍ତ ଆକାଶର ଆଦି ଖୋଜିଲେ । କଳ୍ପନାନେତ୍ରରେ ସେ ଯାହା ଦେଖିଲେ ତହିଁରେ ତାହାଙ୍କର ମନ ସ୍ତବ୍ଧ ହୋଇଗଲା । ସେ ଦେଖିଲେ ଯେ ଅନାଦିକାରଣ ଈଶ୍ୱରଙ୍କୁ ଅବଳମ୍ବନ କରି ଆକାଶ ବିଦ୍ରମାନ ରହିଅଛି– କିନ୍ତୁ ସେ ଆକାଶର ରୂପ ଅନ୍ୟରୂପ । ସେ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ନାହିଁ– ତେତେବେଳେ ଆଲୋକର ଜନ୍ମ ହୋଇ ନଥିଲା– ଆକାଶ ଅନ୍ଧକାରଚ୍ଛନ୍ନ ଥିଲା । ସୂଚୀଭେଦ୍ୟ ଅନ୍ଧକାର ବିପୁଳ ଆକାଶର ପ୍ରତ୍ୟେକ ଅଂଶ ଅଧିକାର କରି ରହିଥିଲା । ଆକାଶର ତତ୍କାଳୀନ ମହିମା ମନୁଷ୍ୟ ଧାରଣାର ଅତୀତ । କବି କହିଲେ –‘ସେ ମହିମା, ସ୍ତବ୍ଧ ଚିତ୍ତ ଯାହାର ଚିନ୍ତନେ ।’ କବି ଏହି ଗଭୀର ଅନ୍ଧକାର ମଧ୍ୟରେ ଅଧିକ କ୍ଷଣ ରହିପାରିଲେ ନାହିଁ – ଅବର୍ଣ୍ଣନୀୟ ଅନ୍ଦକାରମୟ ଆକାଶରେ ସେ ଆଲୋକର କଣା ଦେଖିଲେ । ଆକାଶ ଆଲୋକର ବିଭାସିତ ହେଲା । ତମୋରାଶି ଭେଦ କରି କୋଟି କୋଟି ସଂସାର ବିସ୍ତୀର୍ଣ୍ଣ ଆକାଶର ଦେହରେ ପ୍ରକାଶିତ ହେବାର ଦେଖି କବି ମୁଗ୍ଧ ହେଲେ ଏବଂ ଆକାଶକୁ ସମ୍ବୋଧନ କରି କହିଲେ – ହେ ଆକାଶ ! ତୁମ୍ଭେ ସୃଷ୍ଟିପ୍ରକ୍ରିୟାର ସାକ୍ଷୀ ଅଟ । ଜଗତ ବ୍ରହ୍ମାଣ୍ଡରେ ଯାହା କିଛି ଘଟିଅଛି ଏବଂ ଘଟୁଅଛ ତାହା ସବୁ ତୁମ୍ଭଙ୍କୁ ଗୋଚର । ଏହି ସୁଖଦୁଃଖମୟ ପୃଥିବୀର ତାବତୀୟ ଘଟନା ତୁମ୍ଭ ସମ୍ମୁଖରେ ସଂଘଟିତ ହୋଇଅଛି । ତୁମ୍ଭେ ଶହ ଶହ ବିପଦ ପ୍ରତ୍ୟେକ୍ଷ କରିଅଛ । ସଂଖ୍ୟାତୀତ ରାଜ୍ୟନାଶ ଓ ଅଭ୍ୟୁଦୟ ତୁମ୍ଭ ସମ୍ମୁଖରେ ଘଟିଅଛି-। ତୁମ୍ଭ ସଦୃଶ ପୁରାତତ୍ତ୍ୱଜ୍ଞ ଏ ସଂସାରରେ ଆଉ କେହି ନାହିଁ । ମନୁଷ୍ୟମାନଙ୍କର ଅତ୍ୟାଚାର, ଅନାଚାର, ପ୍ରବଞ୍ଚନା, ଶଠତା ଇତ୍ୟାଦି ସକଳପ୍ରକାର ଦୁଷ୍କ୍ରିୟା ତୁମ୍ଭର ଗୋଚର । ଏହି ପ୍ରକାରେ ଆକାଶର ମହିମା କୀର୍ତ୍ତନ କରୁ କରୁ କବିଙ୍କର ସୌନ୍ଦର୍ଯ୍ୟପିପାସା ବୃଦ୍ଧିପ୍ରାପ୍ତ ହେଲା । ସେ ଅନନ୍ତ ଆକାଶର ଅନନ୍ତ କ୍ରୋଡ଼ରେ ଅନନ୍ତ ଶୋଭା ଦର୍ଶନ କଲେ । ବ୍ୟୋମର ଅତୁଳନୀୟ ଶୋଭା ଦେଖି ସେ ବିମୋହିତ ହେଲେ । ଏଣୁ ଆକାଶର ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ଶୋଭା ବର୍ଣ୍ଣନା କଲେ । ଉଷାଲୋକ, ସୂର୍ଯ୍ୟାଦୟ ଓ ଜ୍ୟୋତ୍ସାମୟୀ ରଜନୀର କମନୀୟ ଶୋଭା କ୍ରମେ ବର୍ଣ୍ଣନ କରି ପରିଶେଷରେ ସେ କ୍ଲାନ୍ତ ହୋଇ କହିଲେ –
ଧନ୍ୟ ଧନ୍ୟ ରେ ଆକାଶ, ଧନ୍ୟ ତୋ ମହିମା,
ମହାଭାବ ଉପୁଜଇ ତୋର ଦରଶନେ,
ଉଦାର ପ୍ରଶାନ୍ତ ତୋର ଅନନ୍ତ ନୀଳିମା
ସଂସାରର କ୍ଷୁଦ୍ରଭାବ ବିନାଶର କ୍ଷଣେ ।
ମୁହୂର୍ତ୍ତକେ ଘେନୁ ମୋତେ ରେ ମହାଗଗନ
ପରମାତ୍ମା ପ୍ରାଣସଖା ମହେଶ ଶ୍ରୀପଦେ,
ମହା ପ୍ରେମାବଶେ ଅଶ୍ରୁ ବର୍ଷେ ମୋ ନୟନ
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ