ରାମାୟଣ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିଭାରତବର୍ଷର ପ୍ରକୃତିର କଳେବର ଯେପରି ବିରାଟ ଭାବାପନ୍ନ, ସାହିତ୍ୟ ମଧ୍ୟ ସେହିପରି ବିଶାଳକାୟ । ଏହିପରି ବିଶାଳ ପାର୍ବତ, ଏହିପରି ବିଶାଳ ନଦୀ ପୃଥିବୀର ଅନ୍ୟ ଅଞ୍ଚଳରେ ବିରଳ । ଅଭ୍ରଭେଦୀ ହିମାଳୟ ଯେଉଁ ଭାରତବର୍ଷର ଦୁର୍ଗ-ପ୍ରାଚୀରରୂପେ ଦଣ୍ଡାୟମାନ, ଅନନ୍ତ ମହାସାଗର ଏବଂ ସୁଦୂରବାହୀ ବିପୁଳ ସିନ୍ଧୁ ଏବଂ ବ୍ରହ୍ମପୁତ୍ର ଯେଉଁ ଦେଶର ପରିଖାରୂପେ ବିରାଜମାନ, ସଂସ୍କୃତ ସାହିତ୍ୟର ବିଶାଳକାୟ ମହାକାବ୍ୟଦ୍ୱୟ ସେହି ଦେଶର ଉପଯୁକ୍ତ ଅଟେ । ବାସ୍ତବରେ ବିଶାଳତା ବିଷୟରେ ରାମାୟଣ ଏବଂ ମହାଭାରତତୁଲ୍ୟ ମହାକାବ୍ୟ ଅନ୍ୟ କୌଣସି ସାହିତ୍ୟରେ ନାହିଁ । ମହାକବି ହୋମର୍ବିରଚିତ ଇଲିଅଡ୍ ଏବଂ ଓଡ଼ିଶୀ ନାମକ ପ୍ରାଚୀନ ଗ୍ରୀସ୍ର ମହାକାବ୍ୟଦ୍ୱୟ ଉତ୍କର୍ଷ ବିଷୟରେ ରାମାୟଣ ଏବଂ ମହାଭାରତ ସଙ୍ଗରେ ତୁଳନୀୟ ହେଲେହେଁ ବିଶାଳତା ବିଷୟରେ କଦାପି ତୁଳନୀୟ ହୋଇ ନ ପାରେ ।
ରାମାୟଣ ଏବଂ ମହାଭାରତ ଏହି ଦୁଇ କାବ୍ୟ ମଧ୍ୟରେ ରାମାୟଣ ବୟସରେ ଜ୍ୟେଷ୍ଠ ୟଟେ । ଏହି ଦୁଈଇ କାବ୍ୟକୁ ପରସ୍ପର ସହିତ ତୁଳନା କଲେ ପ୍ରତିପନ୍ନ ହେବ ଯେ ଦେବୋପନ ସାରଲ୍ୟ ଏବଂ ସୁମହାନ୍ ଭାବୋଚ୍ଛ୍ୱାସ ସମ୍ବନ୍ଧରେ ରାମାୟଣ ମହାଭାରତ ଅପେକ୍ଷା ଉତ୍କୃଷ୍ଟ ଅଟେ-। ପୁଣି ମହାଭାରତରେ ଯେପରି ନୀତିଜ୍ଞତା, ବୈଚିତ୍ର୍ୟ, ଦାର୍ଶନିକ, ପାଣ୍ଡିତ୍ୟ ଏବଂ ବିଷୟବାହୁଲ୍ୟ ଅଛି ରାମାୟଣରେ ସେପରି ନାହିଁ । ବାସ୍ତବରେ ମହାଭାରତରୂପେ ପ୍ରକାଣ୍ଡ ଗ୍ରନ୍ଥମଧ୍ୟରେ ଯେତେ ପ୍ରକାର ଚିତ୍ର ପ୍ରଦର୍ଶିତ ହୋଇଅଛି, ତାହା ନିର୍ଦ୍ଧାରଣ କରିବା ଅତି କଠିନ ବ୍ୟାପାର ଅଟେ । ଆମ୍ଭେମାନେ ନିମ୍ନରେ ରାମାୟଣର ଐତିହାସିକ ଏବଂ ନୈତିକ ପ୍ରସଙ୍ଗର ଆଲୋଚନା କରି ଉପସଂହାର ସ୍ଥଳରେ ତାହାକୁ ଉଲ୍ଲିଖିତ ଗ୍ରୀକ୍ ମହାକାବ୍ୟ ଇଲିଅଡ୍ ସହିତ ତୁଳନା କରିବୁଁ ।
ଅତି ପ୍ରାଚୀନ କାଳରେ ବିଦେଶାଗତ ଆର୍ଯ୍ୟମାନେ ପଞ୍ଚନଦ ପ୍ରଦେଶ ଏବଂ ଉତ୍ତର-ପଶ୍ଚିମାଞ୍ଚଳରେ ଉପନିବେଶ ସଂସ୍ଥାପନ କଲା ଉତ୍ତାରେ ବିନ୍ଧ୍ୟାଚଳର ଦକ୍ଷିଣ ଦେଶବାସୀ ଅସଭ୍ୟ ମନୁଷ୍ୟମନଙ୍କ ସଙ୍ଗରେ ଯେଉଁ ଯୁଦ୍ଧ କରିଥିଲେ, ତାହା ରାମାୟଣର ପ୍ରଧାନ ଉପାଦାନ । ଅଯୋଧ୍ୟାପତି ବୀରଚୂଡ଼ାମଣି ରାମଚନ୍ଦ୍ର ଆର୍ଯ୍ୟମାନଙ୍କର ଅଗ୍ରଣୀ ହୋଇ ଲଙ୍କା ନାମକ ଦକ୍ଷିଣ ଜନପଦର ଅଧିବାସୀମାନଙ୍କୁ ଜୟ କରିଥିଲେ । ଏହି ସାମରିକ ଘଟନାକୁ ଅବଲମ୍ବନ କରି ଆଦିକବି ମହର୍ଷି ବାଲ୍ମୀକି ନିଜ ଭୁବନମୋହିନୀ କଳ୍ପନାବଳରେ ରାମାୟଣରୂପ ଅମୃତମୟ ମହାକାବ୍ୟ ପ୍ରକାଶ କଲେ । ବାଳି ପ୍ରଭୃତି ଦକ୍ଷିଣାବର୍ତ୍ତସ୍ଥ ଯେଉଁ ବୀରମାନଙ୍କୁ ରାମଚନ୍ଦ୍ର ଜୟ କରିଥିଲେ; ସୁଗ୍ରୀବ, ଅଙ୍ଗଦ, ହନୁମାନ ପ୍ରଭୃତି ଯେଉଁ ବୀରମାନେ ଆର୍ଯ୍ୟ-ପରାକ୍ରମ ସନ୍ଦର୍ଶନ କରି ଭୟରେ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ; ସେହି ବୀରମାନଙ୍କର ଅନୁଚରମାନେ ରାମାୟଣରେ ବାନର ଅଥବା ଭଲ୍ଲୁକ ବୋଲି ବର୍ଣ୍ଣିତ ହୋଇଅଛନ୍ତି । ଏଥିରୁ ବୋଧ ହେଉଅଛି ଯେ ସେମାନେ ବନ୍ୟ ଏବଂ ଅସଭ୍ୟପ୍ରକୃତିର ଥିବାରୂ ଉନ୍ନତ ଆର୍ଯ୍ୟମାନେ ସେମାନଙ୍କୁ ପଶୁତୁଲ୍ୟ ଜ୍ଞାନ କରିଥିଲେ । ପୁଣି ରାମଚନ୍ଦ୍ର ଯେଉଁ ଜାତି ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ, ସେମାନେ ଭିନ୍ନ ଧର୍ମାବଲମ୍ବୀ, ସ୍ୱତନ୍ତ୍ରଚାର ଏବଂ ଆର୍ଯ୍ୟଦ୍ୱଷୀ ଥିବାରୁ ରାମାୟଣରେ ରାକ୍ଷସ ନାମରେ ଅଭିହିତ ହୋଇଅଛନ୍ତି । ବୋଧହୁଏ ଲଙ୍କାନିବାସୀମାନେ ବହୁ ପରିମାଣରେ ସଭ୍ୟ ଏବଂ ଉନ୍ନତ ଥିଲେ; କାରଣ ସେମାନଙ୍କ ଐଶ୍ୱର୍ଯ୍ୟ ଏବଂ ସଂଗ୍ରାମନୈପୁଣ୍ୟ ବିଷୟ ବିଶେଷରୂପେ ବର୍ଣ୍ଣିତ ହୋଇଅଛି । କେବଳ ସେମାନଙ୍କର ଭିନ୍ନ ଜାତିତ୍ୱ ଓ ବୈରଭାବ ଯୋଗୁଁ ରାମାୟଣକାର ସ୍ୱଜାତୀୟ ଘୃଣାର ବଶବର୍ତ୍ତୀ ହୋଇ ସେମାନଙ୍କୁ ଭୟଙ୍କର ରାକ୍ଷସ ବୋଲି ବର୍ଣ୍ଣନା କରିଅଛନ୍ତି । ରାମାୟଣରେ ଆର୍ଯ୍ୟ ଏବଂ ଅନାର୍ଯ୍ୟ ଏହି ପରସ୍ପର ପ୍ରତିକୂଳ ବିଭିନ୍ନ ପ୍ରାକୃତିକ ଜାତିଦ୍ୱୟର ଚିତ୍ର ଏକତ୍ର ସମାବିଷ୍ଟ ଥିବାରୁ, ଭାବବୈପରୀତ୍ୟ ହେତୁରୁ ମହତ୍ୱ ଏବଂ ଅଧମତା, ସୈନ୍ଦର୍ଯ୍ୟ ଏବଂ କୁତ୍ସିତତା ଅତି ପରିସ୍ପୁଟରୂପେ ପ୍ରତିଫଳିତ ହୋଇଅଛି ।
ରାମାୟଣରେ ଯେ ପ୍ରକାର ଉଚ୍ଚ ନୀତିମାନ ବିବୃତ ଏବଂ ବ୍ୟକ୍ତିଗତ ଚରିତ୍ରରେ ଚରିତ୍ର ହୋଇଅଛି, ତାହା ପାଠକଲେ ସ୍ପଷ୍ଟରୂପେ ଜଣାଯାଏ ଯେ ପ୍ରାଚୀନ ଆର୍ଯ୍ୟମାନେ ଧର୍ମନୀତିସମ୍ବନ୍ଧରେ ଅତି ଉନ୍ନତ ଜାତି ଥିଲେ । ବାଲ୍ମୀକି ହିନ୍ଦୁମାନଙ୍କୁ ରାମଚନ୍ଦ୍ରଙ୍କ ସର୍ବାଙ୍ଗସୁନ୍ଦର ଚରିତ୍ରର ଯେଉଁ ଆଲେଖ୍ୟ ପ୍ରଦାନ କରିଅଛନ୍ତି, ତାହା ପାଠକଲେ କାହାର ହୃଦୟ ମୋହିତ ନୋହିବ? ରାମଚନ୍ଦ୍ର ବୀର୍ଯ୍ୟ, ଧୈର୍ଯ୍ୟ, ଗମ୍ଭୀରତା, ଦୟା, ସରଳତା, ପବିତ୍ରତା ପ୍ରଭୃତି ଗୁଣର ଆଧାର ହୋଇ ଭୂମଣ୍ଡଳରେ ଅବତୀର୍ଣ୍ଣ ହୋଇଥିଲେ । ବିପଦ ଅଥବା ସମ୍ପଦରେ ସେ କଦାପି ଅଧୀର ଅବା ପ୍ରମତ୍ତ ହୋଇନଥିଲେ । ସତ୍ୟନିଷ୍ଠା ତାଙ୍କ ହୃଦୟରେ ଏପରି ବଳବତୀ ଥିଲା ଯେ ସେ ପିତୃସତ୍ୟରକ୍ଷାର୍ଥ ବିପୁଳ ସାମ୍ରାଜ୍ୟସୁଖ ପରିତ୍ୟାଗ କରି ଚତୁର୍ଦ୍ଦଶ ବର୍ଷକାଳ ଅରଣ୍ୟବାସୀ ହୋଇ ଦୁର୍ବିସହ କଷ୍ଟ ଏବଂ ଦୁର୍ଦ୍ଦଶା ଭୋଗକଲେ । ଯେଉଁ ବିମାତା ନିଜ ସ୍ୱାର୍ଥସିଦ୍ଧି ନିମିତ୍ତ ତାହାଙ୍କୁ ଏତାଦୃଶ କଷ୍ଟ ଦେଇଥିଲା, ତାହାକୁ ସେ କୌଣସି ପ୍ରକାରେ ଅବମାନିତ ନକରି ନିଜ ମହାନୁଭବତାରେ ଭକ୍ତିପୂର୍ଣ୍ଣ ଶୁଶ୍ରୂଷା କରିବାରେ ତ୍ରୁଟି କରିନଥିଲେ । ତାହାଙ୍କର ପ୍ରଜାବାତ୍ସଲ୍ୟ ଏପରି ପ୍ରବଳ ଥିଲା ଯେ ସେ ତାହାଙ୍କର ପ୍ରିୟତମା ପତ୍ନୀକୁ ସୁଦ୍ଧା ପ୍ରଜାରଞ୍ଚନ ନିମିତ୍ତ ପରିତ୍ୟାଗ କରିଥିଲେ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧିମଧୁସୂଦନ ରାଓ ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବମଧୁସୂଦନ ରାଓ ମଧୁସୂଦନ ରାଓ
ରାମାୟଣରେ ଜନକନନ୍ଦିନୀ ରାମହୃଦୟଜ୍ୟୋସ୍ନାରୂପିଣୀ ସୀତାଙ୍କର ହୃଦୟହାରୀ ପବିତ୍ର ଚିତ୍ର ଯେପରି ଚିତ୍ରିତ ହୋଇଅଛି, ଏପରି ସତୀ ନାରୀର ଚିତ୍ର ଯେପରି ଚିତ୍ରିତ ହୋଇଅଛି, ଯେପରି ସତୀ ନାରୀର ଚିତ୍ର ଅନ୍ୟ କୌଣସି ଦେଶର ସାହିତ୍ୟରେ ନାହିଁ । ସୀତା ଏକାନ୍ତ ପତିପ୍ରାଣା ଓ ସରଳହୃଦୟା ଥିଲେ । ଦୁର୍ବୃତ୍ତ ରାବଣ ତାହାଙ୍କୁ ହରଣ କରି ନେଇଥିଲା ସତ୍ୟ; କିନ୍ତୁ ତାହାଙ୍କ ସତୀତ୍ୱର ପବିତ୍ର ପ୍ରଭାବ ଦର୍ଶନ କରି ସେ ଏପରି ହତବୁଦ୍ଧି ହୋଇଥିଲା ଯେ କଦାପି ତାଙ୍କର ଅଙ୍ଗକୁ ନିଜ ଅପବିତ୍ର ହସ୍ତରେ ସ୍ପର୍ଶ କରିପାରି ନ ଥିଲା । ସୀତା ଏପରି ପ୍ରଗାଢଭାବରେ ପତିଙ୍କୁ ଭକ୍ତି କରୁଥିଲେ ଯେ ସେ ରାମଚନ୍ଦ୍ରଙ୍କକର୍ତ୍ତୁକ ଅକାରଣରେ ନିର୍ଦ୍ଦୟରୂପେ ନିର୍ବାସିତା ହୋଇ ସୁଦ୍ଧା ମୁହୂର୍ତ୍ତକ ପାଇଁ ପତିନିନ୍ଦା କରିନଥିଲେ । ସୀତା ରାଜନନ୍ଦିନୀ ଏବଂ ରାଜମହିଷୀ ଥିଲେ, ତଥାପି ସେ କଦାପି ଐଶ୍ୱର୍ଯ୍ୟ ପ୍ରାର୍ଥନା କରି ନ ଥିଲେ; ବରଂ ସ୍ୱାମୀଙ୍କ ସୁଖରେ ସୁଖୀ ଏବଂ ସ୍ୱାମୀଙ୍କ ଦୁଃଖରେ ଦୁଃଖୀ ହେବା ତାହାଙ୍କର ଏକମାତ୍ର କର୍ତ୍ତବ୍ୟ ଜାଣି, ସମସ୍ତେ କଷ୍ଟକୁ ତୁଚ୍ଛ ମଣି ରାମଚନ୍ଦ୍ରଙ୍କ ସଙ୍ଗରରେ ଘୋର ଅରଣ୍ୟ ମଧ୍ୟରେ ପରିଭ୍ରମଣ କରିଥିଲେ । ସୀତାଙ୍କର ପାତିବ୍ରତ୍ୟ, ତାଙ୍କର ଦୁଃଖ ଏବଂ ପବିତ୍ରତା ବିଷୟ ସ୍ମୃତିପଥାରୂଢ଼ ହେଲେ କାହାର ହୃଦୟ ବିଗଳିତ ନ ହୁଏ । କେଉଁ ହୃଦୟବାନ୍ ବ୍ୟକ୍ତି ତାଙ୍କ ଚରିତ୍ର ଶ୍ରବଣ କରି ଅଶ୍ରୁ ବିସର୍ଜନ ନ କରି ରହିପାରିବ !
ରାମାୟଣରେ ଅସାମାନ୍ୟ ସୌଭ୍ରାତ୍ର, ସୁହୃତ୍ପ୍ରେମ ଏବଂ ଅସାମାନ୍ୟ ପ୍ରଭୁଭକ୍ତିର ଛବି ଚିତ୍ରିତ ହୋଇଅଛି । ଭରତ ଏବଂ ଲକ୍ଷ୍ମଣ ଅସାଧାରଣ ଭକ୍ତିସହକାରେ ରାମଙ୍କ ସେବା କରିଥିଲେ । ସୁଶୀଳ ଭରତ ସାମ୍ରାଜର ଲୋଭ ବିସର୍ଜନ କରି ରାମଚନ୍ଦ୍ରଙ୍କର ପାଦୁକାକୁ ଚତୁର୍ଦ୍ଦଶ ବର୍ଷ ପର୍ଯ୍ୟନ୍ତ ରାଜ୍ୟରର ଅଧିଷ୍ଠାତ୍ରୀ ଦେବତାରୂପେ ପୂଜା କରିଥିଲେ । ଲକ୍ଷ୍ମଣ ମଧ୍ୟ ରାମଚନ୍ଦ୍ରଙ୍କ ଚରଣରେ ନିଜ ଜୀବନ ସଂପୂର୍ଣ୍ଣରୂପେ ସମର୍ପଣ କରିଥିଲେ । ସୁଗ୍ରୀବ ଏବଂ ବିଭୀଷଣ ଅସାମାନ୍ୟ ସୁହୃତ୍ପ୍ରଣୟ ପ୍ରଦର୍ଶନ କରିଥିଲେ । ହନୁମାନ ଅସାଧାରଣ ପ୍ରଭୁଭକ୍ତିର ଆଦର୍ଶ ସ୍ଥଳ ଅଟେ ।
ଯେଉଁ ସାମରିକ ଘଟନାକୁ ଅବଲମ୍ବନ କରି ଉଲ୍ଲେଖିତ ଇଲିଅଡ୍ ମହାକାବ୍ୟ ରଚିତ ହୋଇଥିଲା, ତାହାସହିତ ରାମାୟଣବର୍ଣ୍ଣିତ କଥାର ଅତ୍ୟନ୍ତ ସୌସାଦୃଶ୍ୟ ଲକ୍ଷିତ ହୁଏ । ଇଲିଅଡ୍ରେ ଯେଉଁ ବିଷୟ ଅବଲମ୍ବିତ ହୋଇଅଛି, ତାହା ଏହି : ପ୍ରାଚିନ ଗ୍ରୀସ୍ ଦେଶରେ ସ୍ପାର୍ଟାନାମ୍ନୀ ଗୋଟିଏ ଋଦ୍ଧିମତୀ ନଗରୀ ଥିଲା । ଏହି ନଗରୀର ଅଧିଶ୍ୱର ମେନେଲେଅସ୍ଙ୍କର ହେଲେନା ନାମ୍ନୀ ପରମ ରୁପବତୀ ପତ୍ନୀ ଥିଲେ । ଆସିୟାମାଇନର ପ୍ରଦେଶର ଅନ୍ତର୍ଗତ ପ୍ରାଚୀନ ଇଲିଅମ୍ ନାମକ ନଗରର ଜନୈକ ରାଜପୁତ୍ର ସ୍ପାର୍ଟାକୁ ଆଗମନ କରି ସେଠାରେ ମେନେଲେଅସ୍ଙ୍କର ଆତିଥ୍ୟ ଗ୍ରହଣ କରିଥିଲେ । ତାଙ୍କର ନାମ ପାରିସ୍ ଥିଲା ଏବଂ ସେ ପରମ ରୂପବାନ୍ ଥିଲେ । ହେଲେନାଙ୍କ ଅସାମାନ୍ୟ ରୂପବାନ୍ ଥିଲେ । ହେଲେନାଙ୍କ ଅସାମାନ୍ୟ ରୂପଲାବଣ୍ୟରେ ମୋହିତ ହୋଇ ସେ ତାଙ୍କୁ ହରଣ କରି ସ୍ୱଦେଶକୁ ଘେନିଗଲେ । ହେଲେନା ମଧ୍ୟ ପରମସୁନ୍ଦର ପାରିସ୍ଙ୍କୁ ନିଜ ହୃଦୟ ପ୍ରଦାନ କରିଥିଲେ । ମେନେଲେଅସ୍ ଏହି ଅଲୋକସାମାନ୍ୟ ପ୍ରବଞ୍ଚନା ଏବଂ ଅପମାନର ପ୍ରତିଶୋଧ ନେବାପାଇଁ ବ୍ୟାକୁଳ ହୋଇ ଗ୍ରୀକ୍ ନରପତିମାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସମସ୍ତ ଗ୍ରୀକ୍ ଜାତି ତାହାଙ୍କର ସହାୟତା କରିବାରୁ ସେ ଦ୍ୱାଦଶଶତ ରଣତରୀ ସଙ୍ଗରେ ଘେନି ଇଲିଅମ୍ ଆକ୍ରମଣ କଲେ । ଦଶବର୍ଷ ପର୍ଯ୍ୟନ୍ତ ଘୋର ଯୁଦ୍ଧ ହେଲା । ତଦନନ୍ତର ଇଲିଅମ୍ ବୀରଶୂନ୍ୟ ହୋଇ ଶତ୍ରୁକର୍ତ୍ତୃକ ସମ୍ପର୍ଣ୍ଣରୂପେ ବିଧ୍ୱସ୍ତ ହେଲା ।
ନୈତିକ ଭାବସମ୍ୱନ୍ଧରେ ରାମାୟଣ ଇଲିଅଡ୍ ଅପେକ୍ଷା ବହୁ ଗୁଣରେ ଉତ୍କୃଷ୍ଟ ଅଟେ । ସୀତାଙ୍କର ଅସାମାନ୍ୟ ପାତିବ୍ରତ୍ୟ, ଭରତ ଏବଂ ଲକ୍ଷ୍ମଣଙ୍କର ଅସାଧାରଣ ଭ୍ରାତୃପ୍ରେମ, ଦଶରଥ ଏବଂ କୌଶଲ୍ୟାଙ୍କର ଅପତ୍ୟବାତ୍ସଲ୍ୟ, ରାମଙ୍କର ପିତୃଭକ୍ତି, ଉଦାରତା ଏବଂ ସତ୍ୟନିଷ୍ଠ ଇଲି୍ଅଡର କୌଣସି ନାୟକନାୟିକାମାନଙ୍କ ଚରିତ୍ରରେ ଲକ୍ଷିତ ହୁଅଇ ନାହିଁ । ଇଲିଅଡ୍ର ବୀରମାନେ ଶୌର୍ଯ୍ୟ ବିଷୟରେ ରାମାୟଣର ବୀରମାନଙ୍କ ସମକକ୍ଷ; କିନ୍ତୁ ଉଦାରତା ବିଷୟରେ ସେମାନେ ନିଚଭାବାପନ୍ନ । ଇଲିଅମ୍ର ବୀରଶ୍ରେଷ୍ଠ ହେକ୍ଟରଙ୍କ ପ୍ରତି ଗ୍ରକ୍ ବୀର ଏକିଲିସ୍ ଯେ ପ୍ରକାର ବ୍ୟବହାର କରିଥିଲେ, ତାହା ସଙ୍କରେ ରାବଣ ପ୍ରତି ରାମଚନ୍ଦ୍ରଙ୍କ ବ୍ୟବହାର ତୁଳନା କଲେ ଏହି ବିଷୟ ବିଶଦରୂପେ ହୃଦୟଙ୍ଗମ ହେବ । ଏକିଲିସ୍ ନିହତ ଶତ୍ରୁପ୍ରତି ନିର୍ଦ୍ଦୟତା ଏବଂ ବର୍ବରୋଚିତ କ୍ରୋଧର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ରାମ ପତିତ ଶତ୍ରୁପତି ଦୟା ଏବଂ ଉଦାରତାର ପରାକାଷ୍ଠା ଦେଖାଇଥିଲେ । ଆଚାରବ୍ୟବହାର ଏବଂ ସୁଖସମୃଦ୍ଧି ବିଷୟରେ ରାମୟଣା ଅପେକ୍ଷା ଇଲିଅଡ୍ ଉଚ୍ଚ ସଭ୍ୟତାର ପରିଜୟ ସ୍ଥଳ ନୁହେଁ ।
ବୀରଚରିତ୍ର ଚିତ୍ରବିଷୟରେ ଇଲିଅଡ୍ ରାମାୟଣ ଅପେକ୍ଷା ଶେଷ୍ଠ ଅଟେ । ବାଲ୍ମୀକି ଭାରତୀୟ ବୀରମାନଙ୍କର ଯେଉଁ ଆଲେଖ ଅଙ୍କିତ କରିଅଛନ୍ତି ତାହା ଅତିରଂଜିତ, ଅତ୍ୟୁକ୍ତି ଏବଂ ଲୋକାତୀତ ଭାବରେ ପରିପୂର୍ଣ୍ଣ । ଇଲିଅଡ୍ର ଚିତ୍ରସମୂହ ସ୍ୱଭାବସଙ୍ଗତ । ହୋମର୍ଙ୍କ ବୀରମାନେ ମନୁଷ୍ୟଧର୍ମାକ୍ରାନ୍ତ ଏବଂ ସମସ୍ତ କାର୍ଯ୍ୟରେ ମନୁଷ୍ୟବତ୍ । ହୋମର୍ କାହାକୁ ବାନର, ରକ୍ଷ ଅବା ରାକ୍ଷସରୂପେ ଚିତ୍ରିତ କରିନାହାନ୍ତି । ଗ୍ରୀକ୍ କବିଙ୍କର କଳ୍ପନା ଦଶଶିର, ବଂଶବାହୁ ପ୍ରଭୃତି ଅମାନୁଷ ଏବଂ ଅସ୍ୱାଭାବିକ ବିଷୟଦ୍ୱାରା ମନୁଷ୍ୟ ଚିତ୍ରକୁ ବିକୃତ କରିନାହିଁ ।
ନାଟକୀୟ ଛଟା ବିଷୟରେ ରାମାୟଣ ଇଲିଅଡ୍ ଅପେକ୍ଷା ନିକୃଷ୍ଟ ଅଟେ । ରାମାୟଣରେ କବି ନିଜେ ଅଧିକାଂଶ ସ୍ଥଳରେ ନାୟକ ଓ ଉପନାୟକମାନଙ୍କର ଚରିତ୍ର ବର୍ଣ୍ଣନା କରିଅଛନ୍ତି । ଇଲିଅଡ୍ରେ କବି ବୀରମାନଙ୍କ ଚରିତ୍ର ସମ୍ବନ୍ଧରେ ନିଜେ ନିରବ ଥାଇ ସେହି ବୀରମାନଙ୍କ ତୁଣ୍ଡରେ ଯେଉଁ କଥାମାନ ଦେଇଅଛନ୍ତି, ତହିଁରୁ ସେମାନଙ୍କ ଚରିତ୍ର ସ୍ପଷ୍ଟରୂପେ ପ୍ରତିଭାତ ହେଉଅଛି । ଏହି ନାଟକୀୟ ଛଟା ଯେ ରାମାୟଣରେ ନାହିଁ, ଆମ୍ଭେମାନେ ଏମନ୍ତ କହୁନାହୁଁ । ହୋମର୍ରଚିତ ମହାକାବ୍ୟରେ ଏହା ଯେପରି ଲକ୍ଷିତ ହୁଅଇ ନାହି । ଆହୁରି ଇଲିଅଡ୍ବର୍ଣ୍ଣିତ ଘଟନା ଅଳ୍ପ ସ୍ଥାନ ଏବଂ ଅଳ୍ପ କାଳବ୍ୟାପିନୀ ଅଟେ । ରାମାୟଣରେ ସେପରି ହୋଇନାହିଁ । ରାମାୟଣର ଘଟନା ଚତୁର୍ଦ୍ଦଶ ବର୍ଷକାଳବ୍ୟାପୀ ସମୁଦାୟ ଭାରତ ମହାଦେଶରେ ବିସ୍ତୃତ ଥିଲା ।
ରାମାୟଣରେ ପୁରୁଷଚିତ୍ର ଅତିରଞ୍ଜିତ ହୋଇଥିଲେହେଁ ନାରୀଚିତ୍ର ସମ୍ପୂର୍ଣ୍ଣରୂପେ ପ୍ରାକୃତ ଏବଂ ସ୍ୱଭାବସଙ୍ଗତ ହୋଇଅଛି । ଗାର୍ହସ୍ଥ୍ୟଜୀବନର ବର୍ଣ୍ଣନ ବିଷୟରେ ଇଲିଅଡ୍ ରାମାୟଣ ଅପେକ୍ଷା ନିକୃଷ୍ଟ ଅଟେ । କୈକେୟୀ, ମନ୍ଥରା, କୌଶଲ୍ୟା, ସନ୍ଦୋଦରୀ, ସୀତା ଏହି ନାରୀମାନଙ୍କର ଚରିତ୍ର ଅସାମାନ୍ୟ ନୈପୁଣ୍ୟ ସହକାରେ ଚିତ୍ରିତ ହୋଇଅଛି । ଅଧୁନାତନ ସମୟରେ ଭାରତବର୍ଷରେ ନାରୀସ୍ୱାଧିନତା ସମ୍ବନ୍ଧରେ ଯେଉଁ ଭୟାନକ କୁସଂସ୍କାରମାନ ବର୍ତ୍ତମାନ ଅଛି, ରାମାୟଣ ରଚନା କାଳରେ ସେସବୁ ନ ଥିଲା । ରାଜମହିଷୀମାନେ ସଭାସ୍ଥଳରେ ଉପସ୍ଥିତ ହୋଇ ଅମାତ୍ୟମାନଙ୍କ ସହିତ କଥୋପକଥନ କରୁଥିଲେ ଏବଂ ପୁରନାରୀମାନେ ଅପରିଚିତ ଅତିଥିମାନଙ୍କୁ ସାଦର ସମ୍ଭାଷଣପୂର୍ବକ ଯଥାବିଧି ଅଭ୍ୟର୍ଥନା କରୁଥିଲେ ।
୧.
କ୍ଷୁଦ୍ର ପରିମିତ ପଦାର୍ଥ ମନୁଷ୍ୟର ଆତ୍ମାକୁ ପରିତୃପ୍ତି କରି ନ ପାରେ । କ୍ଷୁଦ୍ର ଅନିତ୍ୟ ବିଷୟ-ସମ୍ପଦରେ ଆତ୍ମା ତୃପ୍ତ ହୁଏ ନାହିଁ । ଅନନ୍ତପୂର୍ଣ୍ଣ ଭୂମା ମହାନ୍ ପରମେଶ୍ୱର ଆମ୍ଭମାନଙ୍କର ତୃପ୍ତିସ୍ଥଳ । ହେ ସନୁଷ୍ୟ, ତାହାଙ୍କ ଉପରେ ଏକାନ୍ତ ନିର୍ଭର କର ଏବଂ ଭକ୍ତିସହକାରେ ତାହାଙ୍କର ଆରାଧନା କର ।
୨.
ନିଖିଳ ବିଶ୍ୱର ଏକମାତ୍ର କାରଣ ମଙ୍ଗଳମୟ ପରମେଶ୍ୱରଙ୍କର ପବିତ୍ର ବିଧି ଏବଂ ଆଦେଶ ଜିବନରେ ଉପଲବ୍ଧି କରି ତାହା ଅନୁଷ୍ଠାନ କରିବା ଧର୍ମ । ହେ ମନୁଷ୍ୟ, ସର୍ବଦା ଧର୍ମାଚରଣ କର । ଧର୍ମ ସମସ୍ତଙ୍କ ପକ୍ଷରେ ସର୍ବଶ୍ରେଷ୍ଠ ଅବଲମ୍ବନ ଏବଂ ଅମୃତମୟ ମଧୁସ୍ୱରୂପ ।
୩.
କଦାପି ସତ୍ୟରୁ ବିଛିନ୍ନ ହେବନାହିଁ, ଧର୍ମରୁ ବିଛିନ୍ନ ହେବନାହି, ମଙ୍ଗଳରୁ ବିଛିନ୍ନ ହେବାନାହିଁ ।
୪.
ହିତକର ଶ୍ରମ ନିମିତ୍ତ ମନୁଷ୍ୟର ଯେପରି ଅବୟବ ଅଛି, ସେହିପରି ଧର୍ମ ଓ ସତ୍ୟଲାଭ କରିବା ନିମିତ୍ତ ତାହାର ମନୋବୃତ୍ତି ଅଛି । ହିତକର ଶ୍ରମ ଓ ଧର୍ମ ଘନିଷ୍ଠଭାବରେ ସମ୍ବନ୍ଧ । ଶାରୀରିକଶ୍ରମ ଶରୀରର ଏବଂ ମାନସିକଶ୍ରମ ମନର ସ୍ୱାସ୍ଥ ବିଧାନ ନିମିତ୍ତ ଏକାନ୍ତ ଆବଶ୍ୟକ । କୌଣସି ପ୍ରକାର ବୈଧ ଶ୍ରମକୁ ନୀଚ ବୋଲି ଗଣନା କରିବ ନାହିଁ ।
୫.
କୁଳପାବନ ସତ୍ପୁତ୍ର ହୋଇ ଯତ୍ନ ସହକାରେ ପିତାମାତାଙ୍କର ସେବା କରିବା । ନିଜର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣସାଧନ କରିବ ଏବଂ ଯଥାଶକ୍ତି ସଂସାରର ହିତ ଅନୁଷ୍ଠାନ କରିବ ।
୬.
ବିଷୟାସକ୍ତିରେ ସଗ୍ନ ହୋଇ ଧର୍ମକୁ ଉପେକ୍ଷା କରିବ ନାହିଁ । ବାକ୍, ମନଃ ଓ ଇନ୍ଦିୟମାନଙ୍କୁ ସର୍ବଦା ସଂଯତ ରଖି ନ୍ୟାୟ ଓ ମଙ୍ଗଳ ପଥରେ ବିଚରଣ କରିବ । ସାଧୁ ଉପାୟ ଅବଲମ୍ବନ କରି ସାଧୁତାର ପ୍ରତିବିଧାନ କରିବ । ଅସାଧୁତାକୁ ସାଧୁତାଦ୍ୱାରା ଜୟ କରିବ ।
୭.
ଯତ୍ନପୂର୍ବକ ସାଧୁସଙ୍ଗ କରିବ ଏବଂ ଅସାଧୁ ସଂସର୍ଗ ପରିତ୍ୟାଗ କରିବ ।
୮.
ଦ୍ୱେଷ ଓ କ୍ରୋଧ ସମ୍ବରଣ କରିବ । କ୍ଷମା ଓ ପ୍ରୀତି ସହିତ ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର କରିବ ।
୯.
ଉପକରୀ ବ୍ୟକ୍ତିପ୍ରତି କୃତଜ୍ଞ ହେବ । କେହି ସାମାନ୍ୟ ଉପକାର କଲେ ସୁଦ୍ଧା ତାହାଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରିବ । କୃତଘ୍ନତା ଅତି ଭୟଙ୍କର ପାପ ।
୧୦.
ପରଶ୍ରୀକାତରତା ଅତି କୁତ୍ସିତ ବ୍ୟାଧି, ସମସ୍ତଙ୍କ ମଙ୍ଗଳରେ ନିଜର ମଙ୍ଗଳ ସନ୍ନିବିଷ୍ଟ ଜାଣି କ୍ଷୁଦ୍ର, ନିଚ ଓ ଈର୍ଷାଭାବକୁ ହୃଦୟରେ ସ୍ଥାନ ଦେବ ନାହିଁ ।
୧୧.
ପରମେଶ୍ୱରଙ୍କୁ ଭକ୍ତି କରିବା ଏବଂ ମନୁଷ୍ୟକୁ ପ୍ରୀତି କରିବା ଶ୍ରେଷ୍ଠ ଧର୍ମ ଅଟେ । ଅତଏବ୍ ପରନିନ୍ଦା ଏବଂ ପରେପକାର ପ୍ରଭୃତି ପାପରୁ ବିରତ ହେବ ।
୧୨.
ନିଜର ସୌଭାଗ୍ୟ ଓ ସଦ୍ଗୁଣ ନିମିତ୍ତ ଅହଙ୍କାର କରିବା ନାହିଁ । ବିନୟଦ୍ୱାରା ଅହଂକାରକୁ ଜୟ କରିବ । ବିନୟ ସର୍ବପ୍ରକାର ମଙ୍ଗଳର ହେତୁ ।
୧୩.
ମାଦକଦ୍ରବ୍ୟ ସେବନ କରିବ ନାହିଁ । ଦେହ ଓ ମନକୁ ସର୍ବଦା ପବିତ୍ର ରଖିବ । ସାରଥି ଯେପରି ଅଶ୍ୱମାନଙ୍କୁ ସଂଯତ କରେ, ସାହିପରି ପ୍ରବୃତ୍ତିମାନଙ୍କୁ ସର୍ବଦା ସୁଶାସିତ କରି ପାପଚିନ୍ତା, ପାପାଳାପ ଏବଂ ପାପାନୁଷ୍ଠାନରୁ ବିରତ ହୋଇ ଧର୍ମରେ ମତି ନିବିଷ୍ଟ କରିବ-।
୧୪.
ସୁଶୀଳ, ପବିତ୍ର, ସାଧୁ, ସର୍ମପରାୟଣ ବ୍ୟକ୍ତିମାନେ ଧନ୍ୟ; କାରଣ ସେମାନେ ଜଗତର ମଙ୍ଗଳକାରୀ ଅଟନ୍ତି ।
୧୫.
ପବିତ୍ରତା ଶିକ୍ଷା କର, ସତ୍ ପ୍ରଶଂସାର ଉପଯୁକ୍ତ ହୁଅ, ମନ ସଚ୍ଚିନ୍ତା ଚିନ୍ତାକରୁ, ରସନା ଶୁଭକଥା କହୁ, କାର୍ଯ୍ୟ ଶୁଭାନୁଷ୍ଠାନ କରୁ । ସମସ୍ତ ଦୁଷ୍ଟି ଚିନ୍ତା ପାଳୟନ କରୁ, ସମସ୍ତ ଦୁଷ୍ଟବାକ୍ୟ ଲୁପ୍ତ ହେଉ, ସମସ୍ତ ଦୁଷ୍ଟକାର୍ଯ୍ୟ ବନିଷ୍ଟ ହେଉ ।
ତୃତୀୟ ପ୍ରସ୍ତାବମଧୁସୂଦନ ରାଓ ବର୍ତ୍ତମାନ ଶିକ୍ଷାପ୍ରଣାଳୀମଧୁସୂଦନ ରାଓ ମଧୁସୂଦନ ରାଓ