ପଠନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୮
- ସ୍ଥିତି
- ସାର୍ବଜନୀନ (Public domain)
ବର୍ତ୍ତମାନ ଚାଟଶାଳୀମାନଙ୍କରେ ଯେଉଁ ବାର୍ଷିକ ପରୀକ୍ଷା ହେଉଅଛି, ସେଥିରେ ଛାପା ପୁସ୍ତକ ଓ ହସ୍ତାକ୍ଷର ପାଠର ପରୀକ୍ଷା ନିଆଯାଏ । ଆମ୍ଭେମାନେ ଅବଗତ ହେଲୁଁ ଯେ ଏହି ପଠନ ବିଷୟରେ ପ୍ରାୟ ସମସ୍ତ ପଢୁଆମାନେ ଉତ୍ତୀର୍ଣ୍ଣ ହୁଅନ୍ତି; କିନ୍ତୁ ଆମ୍ଭେମାନେ ନିଜେ ପରୀକ୍ଷାସ୍ଥଳରେ ଉପସ୍ଥିତ ଥାଇ ଦେଖିଅଛୁଁ ଯେ ଶତକଡ଼ା ଦଶଜଣ ଛାତ୍ର ସୁଦ୍ଧା ଭଲରୂପେ ପଢିପାରନ୍ତି ନାହିଁ । ବାସ୍ତବରେ ପାଠଶାଳାର ଛାତ୍ରମାନଙ୍କ ପଠନପ୍ରତି ଶିକ୍ଷକ ଏବଂ ପରିଦର୍ଶକମାନେ ସମୁଚିତ ମନୋଯୋଗ ଦିଅନ୍ତି ନାହିଁ । ପଢୁଆମାନେ ଅକ୍ଷର ଚିହ୍ନିପାରି ଯଥାତଥା ଦୁଇଚାରିଟା ଶବ୍ଦ ଉଚ୍ଚାରଣ କରିପାରିଲେ, ଶିକ୍ଷକ ଏବଂ ପରିଦର୍ଶକମାନେ ସନ୍ତୁଷ୍ଟ ହୋଇଯାନ୍ତି । ଉତ୍ତମ ପଢା କାହାକୁ କହନ୍ତି, ଛାତ୍ରମାନେ କାହିଁକି ଉତ୍ତମରୂପେ ପଢିପାରୁନାହାନ୍ତି, କି ଉପାୟରେ ସେମାନେ ଉତ୍ତମରୂପେ ପଢିପାରିବେ, ଅଧିକାଂଶ ଲୋକ ଏହାର ଆଲୋଚନା କରନ୍ତି ନାହିଁ । ନିମ୍ନରେ ପଠନ ସମ୍ୱନ୍ଧରେ ଯାହା ଲେଖାଗଲା ଆଶାକରୁଁ ଶିକ୍ଷକ ଦର୍ଶକମାନେ ସେଥିପ୍ରତି ମନୋଯୋଗୀ ହେବେ ।
ଯେଉଁ ପଢାରେ ପ୍ରତ୍ୟେକ ଅକ୍ଷର ଓ ପ୍ରତ୍ୟେକ ଶବ୍ଦ ଶୁଦ୍ଧରୂପେ ସ୍ପଷ୍ଟରୂପେ ଉଚ୍ଚାରିତ ହୁଏ ଏବଂ ଯେଉଁ ପଢାରେ ଯଥୋଚିତ ସ୍ୱରଭଙ୍ଗୀ ଥିବାରୁ ବାକ୍ୟର ତାତ୍ପର୍ଯ୍ୟ ବା ଭାବ ସହଜରେ ଜଣାପଡ଼େ, ତାହାକୁ ସୁପଠନ ବା ଉତ୍ତମ ପଢା ବୋଲାଯାଇପାରେ । ପଢିବାର ଧାରା ଯେତିକି କଥା କହିବାପରି ହୁଏ, ତେତିକି ତାହାକୁ ଉତ୍କୃଷ୍ଟ ବୋଲାଯିବ । ଯେ କଥା କହିଲାପରି ପଢିପାରେ, ସେ ସୁପାଠକ ଅଟେ ।
ଅଧିକାଂଶ ଶିକ୍ଷକମାନେ ନିଜେ ସୁପାଠକ ନୁହନ୍ତି; ଏହି କାରଣରୁ ଛାତ୍ରମାନେ ଉତ୍ତମରୂପେ ପଢିପାରନ୍ତି ନାହିଁ । ଯେଉଁ ଶିକ୍ଷକ ଛାତ୍ରର ପଢାରେ କି କି ଦୋଷ ହେଲା ନିଜେ ଜାଣନ୍ତି ନାହିଁ; ସେ କାହୁଁ ଛାତ୍ରଙ୍କୁ ସୁପାଠକ କରିପାରିବେ !
ଆମ୍ଭେମାନେ ଆଶାକରୁଁ ପରିଦର୍ଶକ କର୍ମଚାରୀମାନେ ଚାଟଶାଳୀମାନଙ୍କରେ ପଠନର ଉତ୍କର୍ଷର ସାଧନ ପ୍ରତି ଯଥୋଚିତ ମନୋଯୋଗ ପ୍ରଦାନ କରିବେ । ଶିକ୍ଷକମାନଙ୍କ ଜାଣିବା ନିମିତ୍ତ ପଠନ ସମ୍ଭନ୍ଧରେ କେତେଗୁଡିଏ ନିୟମ ନିମ୍ନରେ ଲେଖାଗଲା ।
୧। ପଢାଇବା ପୂର୍ବରେ ଶିକ୍ଷକ ନିଜେ ପଢାଇବାର ସନ୍ଥକୁ ଉତ୍ତମରୂପେ ପଢି ରଖିଥିବେ-। କୈାଣସି ଛାତ୍ରର ପଢିବା ଆଗରୁ ଶିକ୍ଷକ ନିଜେ ପ୍ରଥମେ ଛାତ୍ରମାନଙ୍କ ଆଗରେ ସନ୍ଥଟିକୁ ପଢିଯିବେ ଏବଂ ସେଥିରେ ପ୍ରତ୍ୟେକ କଠିନଶବ୍ଦର ଅର୍ଥ, ପ୍ରତ୍ୟେକ ବାକ୍ୟର ଅର୍ଥ କହି ଦେଇ ସନ୍ଥଟିର ତାତ୍ପର୍ଯ୍ୟ ଛାତ୍ରମାନଙ୍କର ହୃଦୟଙ୍ଗମ କରାଇବେ ।
୨। ପଢିବାବେଳେ ପ୍ରତ୍ୟେକ ଛାତ୍ର ସିଧାହୋଇ ମୁଣ୍ଡକୁ ସିଧା ରଖି ଛିଡ଼ାହେବେ । ପୁସ୍ତକକୁ ମୁଖଠାରୁ ଏପରି ଦୂରରେ ରଖିବେ ଯେ କଣ୍ଠର ଶବ୍ଦ ଯେମନ୍ତ ପୁସ୍ତକଦ୍ୱାରା କୈାଣସି ବାଧାପ୍ରାପ୍ତ ନହୁଏ ।
୩। ଏମନ୍ତ ଉଚ୍ଚସ୍ୱରରେ ପଢିବା ଉଚିତ ଯେ, ଶ୍ରେଣୀର ପ୍ରତ୍ୟେକ ଛାତ୍ର ପଢିବା କଥା ଉତ୍ତମରୂପେ ଶୁଣିପାରିବେ । ଶିକ୍ଷକ ମଧ୍ୟ ଉଚ୍ଚସ୍ୱରରେ ପଢିବାର ପ୍ରତ୍ୟେକ ଦୋଷକୁ ସଂଶୋଧନ କରିଦେଉଥିବେ ।
୪। ଛାତ୍ରମାନେ ହ୍ରସ୍ୱ ଓ ଦୀର୍ଘ, ଶ ଷ ଓ ସ ପ୍ରଭୃତି ବର୍ଣ୍ଣମାନଙ୍କର ଅଶୁଦ୍ଧ ଉଚ୍ଚାରଣ କଲେ, କିମ୍ୱା କୈାଣସି ଶବ୍ଦକୁ ଅସ୍ପଷ୍ଟରୂପେ ଉଚ୍ଚାରଣ କଲେ, କିମ୍ୱା ଉଚିତ ଶବ୍ଦ ଉପରେ ଜୋର୍ ନ ଦେଇ ଅନ୍ୟ ଶବ୍ଦ ଉପରେ ଜୋର୍ ଦେଲେ, ଶିକ୍ଷକ ତତ୍କ୍ଷଣାତ୍ ତାହା ସଂଶୋଧନ କରିଦେଉଥିବେ
୫। କମା, ପୂର୍ଣ୍ଣଚ୍ଛେଦ ପ୍ରଭୃତି ଚିହ୍ନପ୍ରତି ଦୃଷ୍ଟି ରଖି, କେଉଁଠାରେ କିପରି ବିଶ୍ରାମ କରିବାକୁ ହେବ, ଶିକ୍ଷକ ତାହା ଶିଖାଇଦେବେ ।
୬। ଗଦ୍ୟକୁ ପଢିଲାବେଳେ ରାଗଧରି ପଢିବାର ଉଚିତ ନୁହେଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ