ନେପୋଲିଅନ୍ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିଯେ ଇତାଲୀ ଏକସମୟରେ ଅର୍ଦ୍ଧ-ଜଗତର ଅଧୀଶ୍ୱରୀ ଥିଲା; ଯେ ଇତାଲୀ ସିପିୟୋ, ସିଜର, ପମ୍ପି, ଗାରିବାଲ୍ଡ଼ି ବୀରକେଶରୀମାନଙ୍କର ଜନ୍ମଭୂମି ; ଯେ ଇତାଲୀ ଦେଶରେ ଭର୍ଚ୍ଚିଲ, ଦାନ୍ତେ, ତାସୋ, ପିତ୍ରାକ କବିଚୂଡ଼ାମଣିମାନେ ଜନ୍ମଗ୍ରହଣ କରିଥିଲେ; ଯେ ଇତାଲୀ ଗାଲିଲିୟୋ, କୋପର୍ନିକସ, କଲମ୍ବସ ପ୍ରଭୃତି ପ୍ରତିଭାଶାଳୀ ମହାତ୍ମାମାନଙ୍କା ଧାତ୍ରୀ ସ୍ୱରୂପ ; ଯେ ଇତାଲୀ ଖ୍ରୀଷ୍ଟିୟାନ କାଥଲିକ ସଂପ୍ରଦାୟର ପ୍ରଭାବ ବିସ୍ତାର କରି ପ୍ରାୟ ସମସ୍ତ ଇଉରୋପକୁ ସ୍ୱୀୟ ପଦତଳରେ ରଖିଅଛି; ଯହିଁରେ ସାଧାରଣତନ୍ତ୍ର ଶାସନ ସର୍ବପ୍ରଥମେ ପ୍ରତିଷ୍ଠିତ ହୋଇ ରୋମ, ଜେନୋଆ, ଫ୍ଲରେନ୍ସ ନଗରୀମାନଙ୍କୁ ଅତ୍ୟନ୍ତ ସମୃଦ୍ଧିଶାଳିନୀ କରିଥିଲା ; ସେହି ଇତାଲୀର ପଶ୍ଚିମ ଭାଗରେ ଭୂମଧ୍ୟସାଗର ପରିବେଷ୍ଟିତ ନିତ୍ୟବସନ୍ତଲୀଳାମୟ କର୍ସିକା ନାମକ ଗୋଟିଏ ରମଣୀୟ ଦ୍ୱୀପ ଅଛି ।
ଖ୍ରୀଷ୍ଟାବ୍ଦ ୧୭୬୯ ସାଲର ଅଗଷ୍ଟ ମାସ ୧୫ ତାରିଖରେ ନେପୋଲିଅନ ପ୍ରୋକ୍ତ କର୍ସିକା ଦ୍ୱୀପ ଅନ୍ତର୍ଗତ ଆଜେସିଓ ନଗରରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତା କାର୍ଲୋ ବୋନାପାର୍ଟ ଜଣେ ସମ୍ଭ୍ରାନ୍ତବଂଶୋଭବ ସୁବିଦ୍ୱାନ ସ୍ୱଦେଶପ୍ରେମିକ ସୈନିକ ଥିଲେ । ୧୭୬୮ ସାଲରେ କର୍ସିକା ଏବଂ ଫ୍ରାନ୍ସ ମଧ୍ୟରେ ସଂଗ୍ରାମ ଉପସ୍ଥିତ ହୁଅନ୍ତେ ସେ ସ୍ୱଦେଶର ସ୍ୱାଧୀନତା ନିମିତ୍ତ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ; କିନ୍ତୁ ଫରାସିମାନେ ଯୁଦ୍ଧରେ ଜୟୀ ହେବାରୁ ତାଙ୍କୁ ଅଗତ୍ୟା ଫ୍ରାନ୍ସର ଅଧୀନତା ସ୍ୱୀକାର କରିବାକୁ ହେଲା । ନେପୋଲିଅନ୍ଙ୍କର ଜନନୀ ପରମସୁନ୍ଦରୀ ଲେଟିଶିୟା ଅତ୍ୟନ୍ତ ବୁଦ୍ଧିମତୀ, ମନସ୍ୱିନୀ ଏବଂ ପବିତ୍ରଚରିତ୍ରା ଥିଲେ । ତାଙ୍କ ସ୍ୱାମୀ ଅଳ୍ପ ବୟସରେ ମାନବଲୀଳା ସମ୍ବରଣ କରିବାରୁ ଲେଟିଶିୟା ସନ୍ତାନମାନଙ୍କର ଶିକ୍ଷାଭାର ସ୍ୱହସ୍ତରେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ ସେ ଏ ପ୍ରକାର ନୈପୁଣ୍ୟ ଏବଂ ଅଧ୍ୟବସାୟସହକାରେ ସମ୍ପାଦନ କରିଥିଲେ ଯେ ନେପୋଲିଅନ୍ ଉକ୍ତ ବିଷୟରେ ନିମ୍ନଲିଖିତରୂପେ ଲେଖିଅଛନ୍ତି: ମୋହର ଜନନୀଙ୍କଠାରେ ନାରୀର ସ୍ନିଗ୍ଧ ପ୍ରୀତି ଏବଂ ପୁରୁଷର ଦୃଢ ବୁଦ୍ଧିମତ୍ତା ଏକାଧାରରେ ସମାବିଷ୍ଟ ଥିଲା । ତାଙ୍କର ଧୈର୍ଯ୍ୟ, ବୁଦ୍ଧିମତ୍ତା ଏବଂ କଠୋରତା ମିଶ୍ର ଦୟାର ପଟାନ୍ତର କାହିଁ ? ଶୋକ ଅବା ବିପଦରେ ତାହାଙ୍କୁ କଦାପି ଅଧୀର ଅବା କାତର ଦେଖି ନାହିଁ ।’’ ଶୈଶବ ଏବଂ ବାଲ୍ୟକାଳରେ ନେପୋଲିଅନ କୌଣସି ପ୍ରକାର ଅସାଧାରଣ ଶକ୍ତି ପ୍ରଦର୍ଶନ କରି ନଥିଲେ । ଅଭିମାନ, ଦୃଢପ୍ରତିଜ୍ଞତା ଏବଂ ଅବାଧ୍ୟତା ତାଙ୍କ ବାଲ୍ୟଚରିତ୍ରର ପ୍ରଧାନ ଲକ୍ଷଣ ଥିଲା । ଦର୍ଶବର୍ଷ ବୟଃକ୍ରମ କାଳରେ ସେ ଗୋଟିଏ ସୈନିକ ବିଦ୍ୟାଳୟକୁ ପ୍ରେରିତ ହୋଇଥିଲେ । ତାଙ୍କର ସହାଧ୍ୟାୟୀମାନେ ସମସ୍ତେ କୁଳୀନ ବଂଶଜ ଏବଂ ଧନୀ ସନ୍ତନ ଥିଲେ । ନେପୋଲିଅନ ଦରିଦ୍ର ଥିବାରୁ ସେମାନଙ୍କ ସଙ୍ଗରେ ସ୍ୱଚ୍ଛନ୍ଦ ଭାବରେ ମିଶିପାରୁ ନଥିଲେ ଏବଂ କାଳେ କେହି ତାଙ୍କ ପ୍ରତି ଘୃଣାଯୁକ୍ତ ବାକ୍ୟ ପ୍ରୟୋଗ କରିବ, ଏଥିପାଇଁ ସେ ନିଭୃତ ଅଧ୍ୟୟନଦ୍ୱାରା କାଳଯାପନ କରୁଥିଲେ । ଚାରିବର୍ଷ ଉତ୍ତାରେ ସେ ବିଶିଷ୍ଟ ପ୍ରଶଂସା ସହିତ ଉତ୍ତୀର୍ଣ୍ଣ ହୋଇ ଫ୍ରାନ୍ସ ରାଜଧାନୀ ପାରିସ୍ ନଗରୀସ୍ଥ ପ୍ରଧାନ ସୈନିକ ବିଦ୍ୟାଳୟକୁ ପ୍ରେରିତ ହେଲେ । ତତ୍ରତ୍ୟ କୁଳୀନ ବଂଶୀୟ ଛାତ୍ରବୃନ୍ଦଙ୍କର ବିଳାସପ୍ରିୟତା ଏବଂ ଦରିଦ୍ରାବଜ୍ଞା ସନ୍ଦର୍ଶନ କରି ସେ ଅତ୍ୟନ୍ତ ବ୍ୟଥିତ ହୋଇଥିଲେ ଏବଂ ବିଦ୍ୟାଳୟରେ କଠୋର ଶାସନ ପ୍ରବର୍ତ୍ତାଇବା ନିମନ୍ତେ ଅଧ୍ୟକ୍ଷଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ-। ଦିନକରେ ସେ କୁଳୀନ ସହପାଠିମାନଙ୍କର ବିଳାସ ପ୍ରତି ଲକ୍ଷ୍ୟକରି କହିଲେ, ‘‘ମୁଁ ଯଦି ଫ୍ରାନ୍ସର ଅଧିପତି ହୁଅନ୍ତି, ଏ ସମନ୍ତ ଶୀଘ୍ର ପରିବର୍ତ୍ତିତ ହୋଇଯାଆନ୍ତା ।’’ ନେପୋଲିଅନ୍ ତିନିବର୍ଷ ଏହି ବିଦ୍ୟାଳୟରେ ଅବସ୍ଥାନ କରିଥିଲେ । ଏହି ସମୟ ସଧ୍ୟରେ ତାହାଙ୍କର ଚରିତ୍ର ଦୃଢ଼ୀଭୂତ ହୋଇଥିଲା ଏବଂ ଭାବୀ ଜୀବନର ନୀତି ସମୁଦାୟ ହୃଦୟରେ ପରିପୁଷ୍ଟ ହୋଇଥିଲା । ପ୍ରାଗାଢ଼ ଅଧ୍ୟବସାୟ ସହିତ ସେ ଅଧୀତବ୍ୟ ବିଷୟମାନ ଶିକ୍ଷା କରିଥିଲେ । ଗଣିତଶାସ୍ତ୍ରରେ ତାଙ୍କର ଏ ପ୍ରକାର ବ୍ୟୁତ୍ପତ୍ତି ଜନ୍ମିଥିଲା ଯେ ସୁବିଖ୍ୟାତ ଗଣିତଜ୍ଞ ଲାପ୍ଳା ସାହେବ ମୁକ୍ତକଣ୍ଠରେ ତାହାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ନେପୋଲିଅନ୍ ଅତ୍ୟନ୍ତ ଆଗ୍ରହସହକାରେ ବୀରମାନଙ୍କର ଜୀବନଚରିତ ଏବଂ ସଭ୍ୟଜାତିମାଙ୍କର ଇତିହାସ ପାଠ କରିଥିଲେ । ଏହି ପ୍ରକାରେ ମାନସିକ ଏବଂ ରାଜନୈତିକ ଶିକ୍ଷାଲାଭ କରି ନେପୋଲିଅନ ବିଦ୍ୟାଳୟରୁ ବହିର୍ଗତ ହେଲେ ।
୧୭୮୫ ଖ୍ରୀଷ୍ଟାବ୍ଦରେ ଷୋଡ଼ଶ ବର୍ଷ ବୟଃକ୍ରମ କାଳରେ ନେପୋଲିଅନ୍ ଅଧସ୍ତନ କର୍ମଚାରୀରୂପେ ଗୋଲନ୍ଦାଜ ସେନାଶ୍ରେଣୀରେ ପ୍ରବିଷ୍ଟ ହେଲେ । ଏତେବେଳେ ଗୋଲନ୍ଦାଜ ସେନାର ନାୟକତ୍ୱ ଲହିବା ତେଙ୍କ ଆକାଙ୍କ୍ଷାର ଚରମସୀମା ଥିଲା; କିନ୍ତୁ ହାୟ, ସେ ଜାଣିନଥିଲେ ଯେ ତାଙ୍କର ଦୁର୍ବାର ଲାଳସା ସାଥିରେ ପରିତୃପ୍ତ ନ ହୋଇ ସମସ୍ତ ପୃଥିବୀକୁ କରକବଳିତ କରିବା ପାଇଁ ତାହାଙ୍କୁ ପ୍ରବର୍ତ୍ତାଇବ । ୧୭୮୯ ସାଲରେ ଭୁବନବିଦିତ ଫରାସିସ ରାଷ୍ଟ୍ରବିପ୍ଳବ ଆରବ୍ଧ ହେଲା । ଏବଂ ଏହି ବିପ୍ଳବରୂପ ଆବର୍ତ୍ତର ମଧ୍ୟକୁ ଆନୀତ ହେବାରୁ ତାହାଙ୍କର ମନ ଭୟଙ୍କରରୂପେ ଆନ୍ଦୋଳିତ ହେବାକୁ ଲାଗିଲା । ୧୭୯୨ ସାଲର ଅଗଷ୍ଟ ମାସ ୧୦ ତାରିଖରେ ବିଦ୍ରୋହୀ ପ୍ରଜାମାନଙ୍କର ରାଜପ୍ରାସାଦକୁ ଆକ୍ରମଣ କରିବା, ଶତ ଶତ ଶୋଣିତବିନ୍ଦୁବର୍ଷି ନରମୁଣ୍ଡ ତ୍ରିଶୂଳୋପରି ବହନ କରି ରକ୍ତାକ୍ତ ଦେହରେ ଭୈରବ ନିନାଦ ସହ ରାଜମାର୍ଗରେ ଭ୍ରମଣ କରିବା, ଫ୍ରାନ୍ସନୃପତି ଷୋଡ଼ଶ ଲୁଇଙ୍କୁ କାରାଗରରେ ନିକ୍ଷେପ କରିବା ଏବଂ ସାଧାରଣତନ୍ତ୍ର ଶାସନ ପ୍ରତିଷ୍ଠାର ଘୋଷଣା ଦେବା ପ୍ରଭୃତି ଯେଉଁ ଲୋମହର୍ଷଣକାରୀ ବ୍ୟାପାରମାନ ସଂଘଟିତ ହୋଇଥିଲେ, ତାହା ନେପୋଲିଅନି ସ୍ୱନେତ୍ରରେ ଦେଖିଥିଲେ । ୧୭୯୩ ଅବ୍ଦର ଆରମ୍ଭରେ ଲୁଇଙ୍କର ମସ୍ତକ ରାଜରକ୍ତଲୋଲୁପ ନରପିଶାଚମାନଙ୍କ କର୍ତ୍ତୃକ ଛିନ୍ନହେଲା ଏବଂ ଏହି ଘଟନାର ଏକମାସ ଉତ୍ତାରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସଧ୍ୟରେ ଯୁଦ୍ଧ ଉଦ୍ଘୋଷିତ ହେଲା । ରାଜପକ୍ଷୀୟ କେତେକ ବ୍ୟକ୍ତି ସମୁଦ୍ରତଟବର୍ତ୍ତୀ ଲିୟନ ନଗରକୁ ଇଂଲଣ୍ଡର ହସ୍ତରେ ସମର୍ପଣ କରିଥିଲେ । ନୂତନ ପ୍ରତିଷ୍ଠିତ ସାଧାରଣତନ୍ତ୍ର ଉକ୍ତ ନଗରକୁ ନିଜ କାରୟତ୍ତ କରିବା ଆଶୟରେ ସ୍ୱୀୟ ସୈନ୍ୟଦ୍ୱାରା ପରିବେଷ୍ଟନ କଲେ । ଚାରିମାସ ଅତୀତ ହେଲା; ଅଥଚ ଅବରୁଦ୍ଧ ନଗର ଅଧିକୃତ ହୋଇପାରିଲା ନାହିଁ । ଅବଶେଷରେ ନେପୋଲିଅନ୍ ସେଠାକୁ ପ୍ରେରିତ ହୋଇ ଗୋଟିଏ ସୁକୌଶଳୟୁକ୍ତ ଉପାୟ ଉଦ୍ଭାବନ କରି ଶଂସିତ ନଗରକୁ ଅଧିକାର କଲେ ଏବଂ ଇଂରେଜମାନଙ୍କୁ ସେଠାରୁ ବହିଷ୍କୃତ କରିଦେଲେ । ଏହି କାର୍ଯ୍ୟଦ୍ୱାରା ଫ୍ରାନ୍ସର ଗୌରବ ରକ୍ଷିତ ହେଲା ଏବଂ ସାଧାରଣତନ୍ତ୍ରର ପ୍ରଭାବ ପରିବର୍ଦ୍ଧିତ ହେଲା ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧିମଧୁସୂଦନ ରାଓ ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବମଧୁସୂଦନ ରାଓ ମଧୁସୂଦନ ରାଓ
ଏଥିଉତ୍ତାରେ ୧୭୯୪ ଅବ୍ଦର ପ୍ରାରମ୍ଭରେ ନେପୋଲିଅନ୍ ଇତାଲୀୟ ଚମ୍ୱର ଅନ୍ୟତର ସେନାପତି ପଦରେ ନିଯୁକ୍ତ ହେଲେ ଏବଂ ଅସାଧାରଣ ନୈପୁଣ୍ୟସହକାରେ ଫ୍ରାନ୍ସର ବିପକ୍ଷୀୟ ଇତାଲୀୟମାନଙ୍କୁ ପରାସ୍ତ କଲେ । ଏହି ଯୁଦ୍ଧର ଅବସାନ ହୁଅନ୍ତେ ତାଙ୍କର ଯଶଃସୌରଭ ବିସ୍ତାରିତ ହେବାକୁ ଲାଗିଲା ; କିନ୍ତୁ ସାଲିସେଟି ନାମକ ତଣେ ଉଚ୍ଚପଦସ୍ଥ ବ୍ୟକ୍ତି ଈର୍ଷାପରବେଶ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଭୟାନକ ଅଭିଯୋଗ ଆନୟନ କଲେ ଏବଂ କିଛିକାଳ ପାଇଁ ତାଙ୍କୁ ସେନାପତି ପଦରୁ ରହିତ କରାଇଲେ । ନେପୋଲିଅନ୍ ପୁନର୍ବିଚାର ପାର୍ଥନା କଲେ ଏବଂ ଅବଶେଷରେ ନିରପରାଧ ବୋଲି ପ୍ରମାଣିତ ହେଲେ । ଏହି ସମୟରେ ଅର୍ଥାଭାବଯୋଗୁଁ ତାଙ୍କୁ ଅତ୍ୟନ୍ତ କଷ୍ଟ ସହିବାକୁ ହୋଇଥିଲା । ଦିନକରେ ତାଙ୍କ ଦୈନ୍ୟଦଶା ବିଷୟ ଆଲୋଚନା କରି ସେ ଏପରି ବ୍ୟଥିତ ହୋଇଥିଲେ ଯେ ସ୍ୱୀୟ ପ୍ରାଣ ବିନାଶ କରିବା ନିମିତ୍ତ ତାଙ୍କର ମତି ବଳିଥିଲା ; କିନ୍ତୁ ଜୁନଟ ନାମକ ତାଙ୍କର ଜଣେ ମିତ୍ର ଏ ସମୟରେ ଅର୍ଥ-ସାହାଯ୍ୟଦ୍ୱାରା ତାହାଙ୍କୁ ଉକ୍ତ ପାପ-ସଂକଳ୍ପରୁ ନିବୃତ୍ତ କରାଇଥିଲେ ।
୧୭୯୫ ଅବ୍ଦର ଅକ୍ଟୋବର ମାସ ତିନି ତାରିଖରେ ସାଧାରଣତନ୍ତ୍ରବିରୋଧୀ ୪୦୦୦ ସୈନ୍ୟ ପାରିସ ନଗରିରେ ବିଦ୍ରୋହ-ପତାକା ଉଡ଼ାଇଲେ । ସେମାନେ ରଜପ୍ରାସାଦକୁ ଅଧିକାର କରି ନୂତନ ଶାସଦପଦ୍ଧତିକୁ ରହିତ କରି ସ୍ୱୀୟ ହସ୍ତରେ ରଜ୍ୟଭାର ଗ୍ରହଣ କରିବାର ସଂକଳ୍ପ କରିଥିଲେ ।
ଏହି ବିପତ୍ପାତ କାଳରେ ସାଧାରଣତନ୍ତ୍ର ସଭା ଗତ୍ୟନ୍ତର ନଦେଖି ନେପୋଲିଅନ୍ଙ୍କ ବିପ୍ଳବନିବାରିଣୀ ସଭାର ଅଧିନାୟକ ପଦରେ ନିଯୁକ୍ତ କଲେ । ବିଦ୍ରୋହୀ ସୈନ୍ୟବର୍ଗ ରାଜପ୍ରାସାଦ ଆକ୍ରମଣ ନିମିତ୍ତ ଅଗ୍ରସର ହୁଅନ୍ତେ ନେପୋଲିଅନ୍ଙ୍କର ସୈନ୍ୟମାନେ ତାଙ୍କ ଆଦେଶ ଅନୁସାରେ ଅବିରାମ ଗୋଳାବର୍ଷଣ କରିବାକୁ ଲାଗିଲେ । ଘଣ୍ଟାକ ମଧ୍ୟରେ ବିଦ୍ରୋହୀ ସୈନ୍ୟ ପରାସ୍ତ ହୋଇ ପଳାୟନ କଲେ ଏବଂ ଫ୍ରାନ୍ସର ରାଜଧାନୀ ପୁନର୍ବାର ପ୍ରଶାନ୍ତ ଭାବ ଧାରଣ କଲା । ଏହି ଯଶୋଲାଭ ଉତ୍ତାରେ ସମସ୍ତେ ନେପୋଲିଅନ୍ଙ୍କର ପ୍ରଶଂସାବାଦ କରିବାକୁ ଲାଗିଲେ ଏବଂ ସୌଭାଗ୍ୟଲକ୍ଷ୍ମୀ ସବୁଆଡ଼ରେ ତାଙ୍କର ଅନୁକୂଳ ହେଲା । ଦିନକରେ ଦ୍ୱାଦଶବର୍ଷୀୟ ଗୋଟିଏ କମନିୟ ବାଳକ ତାଙ୍କ ସମୀପକୁ ଆସି କହିଲା, ‘‘ମହାଶୟ, ମୋର ନାମ ବୋହାରନେସ୍ । ମୋର ପିତା ଜଣେ ସମ୍ଭ୍ରାନ୍ତ ସେନାପତି ଥିଲେ ; ତାଙ୍କ ପ୍ରାଣ ବିନିଷ୍ଟ ହୋଇଅଛି, ଏବେ ତାଙ୍କ ତରବାରିଖଣ୍ଡ ମୋତେ ପ୍ରଦାନ କରନ୍ତୁ ।’’ ନେପୋଲିଅନ୍ ତାହାର ର୍ପ୍ରାଥନାରେ ସମ୍ମତ ହେଲେ । ଉକ୍ତ ବାଳକ ତରବାରିକୁ ସାଶ୍ରୁ ନୟନରେ ଚୁମ୍ୱନ କରି ସ୍ୱଗୃହକୁ ଘେନିଗଲା । ପରଦିନ ତାହାର ଜନନୀ ନେପୋଲିଅନ୍ଙ୍କୁ ନିଜ କୃତଜ୍ଞତା ଜଣାଇବାପାଇଁ ତାଙ୍କ ସମୀପକୁ ଗଲେ । ସାକ୍ଷାତ ହେଲା । ନେପୋଲିଅନ୍ ଏହି ରମଣୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଥିଲେ ଏବଂ କତିପୟ ମାସ ଉତ୍ତାରେ ତାଙ୍କ ସଙ୍ଗରେ ପରିଣୟସୂତ୍ରରେ ବଦ୍ଧ ହେଲେ । ଏହି ଅସାମାନ୍ୟା ସୁନ୍ଦରୀର ନାମ ଜୋସେଫିନ୍ ।
ବିବାହର ଅବ୍ୟବହିତ ପରେ ନେପୋଲିଅନ୍ ଇତାଲୀୟ ସୌନ୍ୟର ଅଧିନାୟକ ପଦରେ ନିଯୁକ୍ତ ହୋଇ ଇତାଲୀକୁ ପ୍ରସ୍ଥାନ କଲେ । ତେତେବେଳେ ଇତାଲୀୟ ସୈନ୍ୟ ଅତ୍ୟନ୍ତ ଦୁରବସ୍ଥାରେ ଅବସ୍ଥିତ ଥିଲେ; କିନ୍ତୁ ନେପୋଲିଅନ୍ ସେମାନଙ୍କ ଦୁର୍ଦ୍ଦଶା ଅବଲୋକନ କରି କିଛିମାତ୍ର ହିତୋତ୍ସାହ ନହୋଇ ୭୫ ସମସ୍ର ସୁଶିକ୍ଷିତ ପରାକ୍ରାନ୍ତ ଅଷ୍ଟ୍ରୀୟମାନଙ୍କ ବିରୁଦ୍ଧରେ ସମର କରିବାକୁ ବାହାରିଲେ । ସେ ସ୍ୱୀୟ ସୈନ୍ୟମାନଙ୍କୁ ସମ୍ବୋଧନ କରି କହିଲେ, ‘‘ତୁମ୍ଭେମାନେ ଅନ୍ନବସ୍ତ୍ରହୀନ ହୋଇଅଛି । ଏହି ପାର୍ବତ୍ୟ ଦେଶରେ ତୁମ୍ଭମାନଙ୍କୁ ଅନାକ କଷ୍ଟ ସହିବାକୁ ହେଉଅଛି-; ଅଥଚ ତୁମ୍ଭେମାନେ କିଛି ଯଶ ଲଭିପାରୁନାହିଁ । ଭାସ୍କରବିମ୍ୱତଳରେ ଯେଉଁ ଦେଶ ଉର୍ବରତମ ବୋଲି ପ୍ରଖ୍ୟାତ, ସେଠାକୁ ମୁଁ ତୁମ୍ଭମାନଙ୍କୁ ଘେନିଯିବାକୁ ଆସିଅଛି । ସମୃଦ୍ଧିମନ୍ତ ନଗରମାନ ଶୀଘ୍ର ତୁମ୍ଭମାନଙ୍କର କରାୟତ୍ତ ହେବ ଏବଂ ପୁଷ୍କଳ ଧନ ଓ କୀର୍ତ୍ତି ତୁମ୍ଭେମାନେ ଅର୍ଜନ କରିବ । ସୈନିକବର୍ଗ ! ଏତେବେଳେ କି ତୁମ୍ଭେମାନେ ସାହସବର୍ଜିତ ହେବ ?’’ ଏହି ଉତ୍ସାହପୂର୍ଣ୍ଣ ବାକ୍ୟମାନ ଶୁଣନ୍ତେ ଇତାଲୀୟ ସୌନ୍ୟବର୍ଗଙ୍କର ସାହସ ପୁନରୁଦ୍ଦୀପତି ହେଲା ।
୧୭୯୬ ଅବ୍ଦର ଏପ୍ରିଲ ମାସ ଏଗାର ତାରିଖରେ ନେପୋଲିଅନ୍ ଅଷ୍ଟ୍ରୀୟାର ସୌନ୍ୟମାନଙ୍କୁ ମଣ୍ଟିନଣ୍ଟ ନାମକ ସ୍ଥାନରେ ପ୍ରଥମବାର ଭେଟି ସେମାନଙ୍କୁ ପରାସ୍ଥ କଲେ ଏବଂ ଏକ ମାସମଧ୍ୟରେ ସିଲେସିମୋ, ମଣ୍ଡୋଭୀ, ଲୋଡ଼ି ନାମକ ସ୍ଥାନତ୍ରୟରେ ତିନିଗୋଟି ତୁମୁଳ ସଂଗ୍ରାମରେ ଅଷ୍ଟ୍ରୀୟାର ସମସ୍ତ ବଳ ଏବଂ ଦର୍ପ ଏକାବେଳକେ ଚୂର୍ଣ୍ଣ କରିଦେଲେ । ସମସ୍ତ ଲମ୍ୱାର୍ଡ଼ୀ ବର୍ତ୍ତମାନ ତାହାଙ୍କର ପାଦାନତ ହେଲା । ଏହି ସମୟରେ ନେପୋଲିଅନ୍ ଫ୍ରାନ୍ସର ସାଧାରଣତନ୍ତ୍ରକର୍ତ୍ତୃକ ଆଦିଷ୍ଟ ହୋଇ ଅତ୍ୟନ୍ତ ଅନ୍ୟାୟରୂପେ ଇତାଲୀର ପ୍ରଧାନ ନଗରମାନଙ୍କର ଧନରାଶି ଏବଂ ଛବି ଓ ମୂର୍ତ୍ତି ପ୍ରଭୃତି ଉତ୍କୃଷ୍ଟ ଶିଳ୍ପମାନ ଲୁଣ୍ଠିତ କରାଇ ପାରୀନଗରୀକୁ ପ୍ରେରଣ କରିଥିଲେ । ବିଜିତ ଜାତି ଉପରେ ଏପରି ଦୌରାତ୍ମ୍ୟ ଏବଂ ଅତ୍ୟାଚାର କରିବା କେବଳ ବନ୍ୟ ଏବଂ ଅସଭ୍ୟ ଜାତିମାନଙ୍କୁ ଶୋଭା ପାଇପାରେ । ଅତଏବ ଫ୍ରାନ୍ସର ସାଧାରଣତନ୍ତ୍ର ଏପରି ବିଗର୍ହିତ ଏବଂ ଲଜ୍ଜାଜନକ କାର୍ଯ୍ୟଦ୍ୱାରା ସ୍ୱଦେଶ ଏବଂ ସ୍ୱଜାତିକୁ ସଭ୍ୟଜଗତରେ ନୟନରେ କଳଙ୍କିତ କରିଥିଲା ମାତ୍ର ।
ପୂର୍ବୋକ୍ତ ଲୋଡ଼ିଯୁଦ୍ଧ ଉତ୍ତାରେ ନେପୋଲିଅନ୍ ସ୍ୱୀୟ ସୌନ୍ୟବର୍ଗଙ୍କ ସମୀପରେ ନିମ୍ନଲିଖିତ ଭାବରେ ଘୋଷଣା ପ୍ରଚାର କରିଥିଲେ ।
‘‘ହେ ସୌନ୍ୟବର୍ଗ ! ତୁମ୍ଭେମାନେ ବେଗବତୀସ୍ରୋତସ୍ୱତୀତୁଲ୍ୟ ବହିର୍ଗତ ହୋଇ ପଥବର୍ତ୍ତୀ ସମସ୍ତ ପ୍ରତିବନ୍ଧକ ଲଙ୍ଘନ କରି ପୀମଣ୍ଡ ନଗରକୁ ଅଷ୍ଟ୍ରୀୟାର ଉତ୍ପଡ଼ନରୁ ରକ୍ଷାକରିଅଛି ଏବଂ ସମସ୍ତ ଲମ୍ୱାର୍ଡ଼ୀ ପ୍ରଦେଶରେ ଫ୍ରାନ୍ସର ଜୟବୈଜୟନ୍ତୀ ଉଡ଼ାଇଅଛି । ତୁମ୍ଭମାନଙ୍କର ବିଜୟବାର୍ତ୍ତା ଶ୍ରବଣ କରି ସମସ୍ତ ଫ୍ରାନ୍ସ ଦେଶର ହୃଦୟ ଆନନ୍ଦରେ ନୃତ୍ୟ କରୁଅଛି । ତୁମ୍ଭମାନଙ୍କର ପରିବାର ଏବଂ ବନ୍ଧୁବର୍ଗ ତୁମ୍ଭର ଯଶ ସ୍ମରଣ କରି ଗର୍ବିତ ଏବଂ ଉଲ୍ଲସିତ ହେଉଅଛନ୍ତି ।
‘‘ସୈନିକବର୍ଗ ! ତୁମ୍ଭେମାନେ ଅନେକ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିଅଛି ସତ୍ୟ ; କିନ୍ତୁ ଏତେବେଳେ ସୁଦ୍ଧା ଆହୁରି ଅନେକ କାର୍ଯ୍ୟ ପଡ଼ିଅଛି । ଏ ବିଶ୍ରାମର ସମୟ ନୁହେଁ । ଭାବୀ ବଂଶମାନେ କି ଆମ୍ଭମାନଙ୍କୁ ଅଳସପ୍ରକୃତିକୁ ଏବଂ ବିଶ୍ରାମଲୋଲୁପ ବୋଲି ତିରଷ୍କାର କରିବେ ? ନା, ଏହିକ୍ଷଣି ଅସ୍ତ୍ରଧାରଣ କରି ଶତ୍ରୁମାନଙ୍କୁ ଦମନ କରିବାକୁ ହେବ, କେତେ ଅହିତର ପ୍ରତିବିଧାନ କରିବାକୁ ହେବ ଏବଂ ସ୍ୱଦେଶର ଗୌରବ ପରିବର୍ଦ୍ଧନ କରିବାକୁ ହେବ । ଆମ୍ଭମାନଙ୍କର ଶତ୍ରୁମାନେ ଏବେ ତ୍ରସ୍ତ ଏବଂ କମ୍ପିତ ହୁଅନ୍ତୁ । ବୈରସାଧନର ଦୁନ୍ଦୂଭି ଏବେ ନିନାଦିତ କର ।
‘‘କିନ୍ତୁ ଇତାଲୀୟ ପ୍ରଜାମାନଙ୍କର ଆମ୍ଭେମାନେ ବୈରୀ ନୋହୁଁ । ବୀରଶ୍ରେଷ୍ଠ ସିପିୟୋ, ସିଜିର ପଭୃତିଙ୍କର ବଂଶଧରମାନଙ୍କ ଉପରେ ଆମ୍ଭେମାନେ ଉତ୍ପୀଡ଼ନ କରିବୁ ନାହିଁ । ରୋମ ନଗରିର ଅସ୍ତଗତ ସୌଭାଗ୍ୟଭାନୁର ପୁନରାନୟନ, ତହିଁର ଚିରସ୍କରଣୀୟ ଜଗଦ୍ବନ୍ଦ୍ୟ ବୀରେନ୍ଦ୍ରମାନଙ୍କର ମୂର୍ତ୍ତି ସଂସ୍ଥାପନ, ଦାସତ୍ୱଜର୍ଜରିତ ରୋମକମାନଙ୍କର ପୁନରୁଦ୍ଧାର ଏହି ସୁମହତ୍ କାର୍ଯ୍ୟମାନ ଆମ୍ଭମାନଙ୍କୁ ସାଧନ କରିବାକୁ ହେବ । ସୌନିକବର୍ଗ ! ପତିତ ଇତାଲୀର ଊଦ୍ଧାରବିଧାନ କଲେ ତୁମ୍ଭେମାନେ ନିଜେ ଅକ୍ଷୟ ଅମୃତ ଯଶ ଲାଭ କରିବ ଏବଂ ପ୍ରିୟତମ ଫ୍ରାନ୍ସକୁ ମଧ୍ୟ ଜାତୀୟ ଗୌରବ ମଞ୍ଚର ଉଚ୍ଚତମ ସୋପାନରେ ଅଧିରୂଢ଼ କରାଇବ ।’’
ପରାଜିତ ଅଷ୍ଟ୍ରୀୟା ପୁନର୍ବାର ସମରସଜ୍ଜା କରିବାକୁ ଲାଗିଲା । ଜୁଲାଇ ମାସର ଅବସାନ ସମୟକୁ ଉରମସର ନାମକ ଜଣେ ଅଷ୍ଟୀୟ ସେନାପତି ଷଷ୍ଟୀ ସହସ୍ର ସୈନ୍ୟ ଘେନି ପୁନର୍ବାର ଇତାଲୀ ଭୂମିରେ ଉପସ୍ଥିତ ହେଲେ । ନେପୋଲିଅନ୍ ସେତେବେଳେ ମାଞ୍ଜୁଆ ନଗରର ଅବରୋଧରେ ନିଯୁକ୍ତ ଥିଲେ । ଶତ୍ରୁକର୍ତ୍ତୃକ ଆକ୍ରାନ୍ତ ହେବାକୁ ତାଙ୍କୁ ଅବରୋଧ କାର୍ଯ୍ୟ ପରିତ୍ୟାଗ କରିବାକୁ ପଡ଼ିଲା । ଯାହା ହେଉ, ଫରାସିସ୍ ସୈନ୍ୟବର୍ଗ ଅଳ୍ପ ଦିବସ ମଧ୍ୟରେ ଦୁଇଗୋଟି ଯୁଦ୍ଧରେ ଅଷ୍ଟ୍ରୀୟମାନଙ୍କୁ ପରାଭୂତ କଲେ ଏବଂ ସେମାନଙ୍କର ଅଧିକାଂଶ ସୈନ୍ୟ ସଂହାର କଲେ । ଆଶ୍ଚର୍ଯ୍ୟର ବିଷୟ ଷହି ଯେ, ଅଷ୍ଟ୍ରୀୟା ଏତେବେଳଯାଏ ସୁଦ୍ଧା ହତୋତ୍ସାହ ହୋଇନଥିଲା । ତୃତୀୟବାର ପଞ୍ଚାଶତ୍ ସହସ୍ର ସୈନ୍ୟ ପୁନଃ ପ୍ରେରିତ ହୁଅନ୍ତେ ଭାଷଣ ସଂଗ୍ରାମ ଉପସ୍ଥିତ ହେଲା । ନେପୋଲିଅନ୍ଙ୍କର ସୈନ୍ୟମାନେ ଯତ୍ପରୋନାସ୍ତି ଶ୍ରାନ୍ତ ହୋଇଥିଲେ ଏବଂ ସେ ନିଜେ ଅଷ୍ଟ୍ରୀୟାର ପ୍ରଭୂତ ଶକ୍ତି ଏବଂ ବୀର୍ଯ୍ୟ ସନ୍ଦର୍ଶନ କରି ହତାଶପ୍ରାୟ ହୋଇଥିଲେ । ପ୍ରଥମେ ଅଷ୍ଟୀୟ ସୈନ୍ୟବର୍ଗ ଫରାସିସ୍ମାନଙ୍କୁ ପାରଭୂତ କରିଥିଲେ; କିନ୍ତୁ ଅବଶେଷରେ ନେପୋଲିଅନ୍ ସ୍ୱୀୟ ସୈନ୍ୟମାନଙ୍କୁ ନାନାପ୍ରକାରେ ଉତ୍ତେଜିତ କରି ତିନିଦିନ ପର୍ଯ୍ୟନ୍ତ ଘୋର ଯୁଦ୍ଧ ହେଲା ଉତ୍ତରେ ନଭେମ୍ବର ମାସ ୧୭ ତାରିଖରେ ଶତ୍ରୁକୁ ସମ୍ପୂର୍ଣ୍ଣରୂପେ ପରାସ୍ତକଲେ । ଏହି ଯୁଦ୍ଧରେ ଅଷ୍ଟ୍ରିୟାର ବହୁ ରଣବିଶାରଦ ଯୋଦ୍ଧାମନେ ନିହତ ହୋଇଥିଲେ । ଏହି ସଂଗ୍ରାମର ବୃତ୍ତାନ୍ତ ପ୍ରଚାରିତ ହୁଅନ୍ତେ ସମସ୍ତେ ଇଉରୋପ ଭୟରେ କମ୍ପୀତ ହେବାକୁ ଲାଗିଲା ଏବଂ ନେପୋଲିଅନ୍ଙ୍କର ଅଲୌକିକ କୀର୍ତ୍ତି ଏବଂ ସାହସର ଆଖ୍ୟାନ ପାଠକରି ସମୁଦାୟ ପୃଥିବୀ ଚକିତ ହେଲା ।
୧୭୯୭ ଅବ୍ଦର ଜାନୁୟାରୀ ମାସରେ ଅଷ୍ଟ୍ରୀୟା ଚତୁର୍ଥବାର ଯୁଦ୍ଧ ନିମିତ୍ତ ପଞ୍ଚାଶତ୍ ସହସ୍ର ସୈନ୍ୟ ପ୍ରେରଣ କଲା । ଏଥର ସୁଦ୍ଧା ତାହାକୁ ଦୁର୍ଭାଗ୍ୟବଶତଃ ପରାଜୟ ସ୍ୱିକାର କରିବାକୁ ହୋଇଥିଲା । ଅଷ୍ଟ୍ରୀୟା ଶେଷବାର ସ୍ୱୀୟ ଭାଗ୍ୟ ପରୀକ୍ଷା କରିବା ନିମନ୍ତେ ଆହୁରି ଥରେ ଯୁଦ୍ଧର ଆୟୋଜନ କରିବାକୁ ଲାଗିଲା ଏବଂ ଏହି ଉଦ୍ଦେଶ୍ୟରେ ସୁବିଖ୍ୟାତ ସେନାପତି ରାଜପୁତ୍ର ଚାର୍ଲସଙ୍କୁ ଅଧିନାୟକ ପଦରେ ବରଣ କରି ତାଙ୍କ ସଙ୍ଗରେ ବହୁସଂଖ୍ୟକ ସୈନ୍ୟ ପ୍ରରଣ କଲା । ଫ୍ରାନ୍ସ ମଧ୍ୟ ନେପୋଲିଅନ୍ଙ୍କ ସାହାଯ୍ୟାର୍ଥେ ବିଂଶତି ସହସ୍ର ସୈନ୍ୟ ପ୍ରେରଣ କରିଥିଲା । ୧୭୯୭ ସାଲର ମାର୍ଚ୍ଚ ମାସ ୧୨ ତାରିଖରେ ସଂଗ୍ରାମ ଆରବ୍ଧ ହେଲା । ବିଂଶତି ଦିନ ମଧ୍ୟରେ ଦଶଗୋଟି ଯୁଦ୍ଧ ହୋଇଥିଲା । ରାଜପୁତ୍ର ଚାର୍ଲସ ସ୍ୱଦେଶଗୌରବ ରକ୍ଷା ନିମିତ୍ତ ଅବିଶ୍ରାନ୍ତ ଯତ୍ନ କରିଥିଲେ; ମାତ୍ର ତାଙ୍କର ସମସ୍ତ ଶ୍ରମ ବିଫଳ ହେଲା । ତାଙ୍କର ଅଧିକାଂଶ ସୈନ୍ୟବର୍ଗ ନିହତ ହେବାରୁ ସେ ଇତାଲୀକୁ ପ୍ରତ୍ୟାବର୍ତ୍ତନ କଲେ । ଏଣେ ନେପୋଲିଅନ୍ ପର୍ବତରାଜ ଆଲପସ୍ ଗିରିକୁ ସସୈନ୍ୟରେ ଅତିକ୍ରମ କରି ଅଷ୍ଟ୍ରୀୟାର ରାଜଧାନୀ ଭିୟୋନା ନଗର ଅଭିମୁଖରେ ଧାବମାନ ହେଲେ । ଏହି ବାର୍ତ୍ତା ଶ୍ରବଣ କରି ଅଷ୍ଟ୍ରୀୟାର ରାଜପରିବାର ତ୍ରସ୍ତ ହୋଇ ରାଜଧାନୀ ପରିତ୍ୟାଗ କରି ହଙ୍ଗେରୀ ପ୍ରଦେଶକୁ ପଳାୟନ କଲେ । ଅବଶେଷରେ ସନ୍ଧି ପ୍ରସ୍ତାବିତ ହେଲା ଏବଂ ଉଭୟ ପକ୍ଷ ଯୁଦ୍ଧରୁ ନିବୃତ୍ତ ହେଲେ । ପୂର୍ବୋଲ୍ଲିଖିତ ଯୁଦ୍ଧମାନଙ୍କରେ ନେପୋଲିଅନ୍ କୌଶଳ, ଅଧ୍ୟବସାୟ ଏବଂ ବୀରପଣର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।
ଇତିମଧ୍ୟରେ ଭିନିସ୍ ନଗର ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧୋଦ୍ଘୋଷଣ କରି ନେପୋଲିଅନ୍ଙ୍କର ହସ୍ତଗତ କେତେକ ସ୍ଥାନକୁ ଅବରେଧ କଲା ଏବଂ ତାଙ୍କର କତିପୟ ରୋଗଶଯ୍ୟାଶାୟୀ ସୈନିକଙ୍କୁ ବଧାକଲା । ନେପୋଲିଅନ୍ ଏହି ବାର୍ତ୍ତା ଶ୍ରବଣ କରି ଭୀଷଣ ବେଗରେ ଭିନିସ୍ ଅଭିମୁଖରେ ପ୍ରଧାବିତ ହେଲେ ଏବଂ ଏକ ସପ୍ତାହ ମଧ୍ୟରେ ଉକ୍ତ ନଗରକୁ ଅଧିକାର କରି ତହିଁରେ ଅଭିନବ ଶାସନ ପ୍ରଣାଳୀ ପ୍ରତିଷ୍ଟିତ କଲେ । ନେପୋଲିଅନ୍ ବର୍ତ୍ତମାନ ଇତାଲୀକୁ ଅଷ୍ଟ୍ରେୟାର କବଳରୁ ମୁକ୍ତ କରି ଭିନିସ୍ର ଗର୍ବକୁ ଖର୍ବ କରି, ଯଥେଚ୍ଛାଚାରୀ ଇଉରୋପୀୟ ରାଜନ୍ୟବର୍ଗଙ୍କ ଚିତ୍ତରେ ଘୋର ତ୍ରାସକୁ ଉପୁଜାଇ, ଇତାଲୀୟମାନଙ୍କ ସୁଶିକ୍ଷା ଏବଂ ବାଣିଜ୍ୟୋନ୍ନତି ନିମିତ୍ତ ଅନେକଗୁଡିଏ ସଦୁପାୟ ଅବଧାରଣ କରି ଏବଂ ଫ୍ରାନ୍ସର ନାମକୁ ଅବିନଶ୍ୱର କୀର୍ତ୍ତିମାଳାରେ ବିଭୂଷିତ କରି ନିଜ ହୃଦୟ-ପ୍ରଣୟିନୀ ଜୋସେଫିନ୍ଙ୍କର ସଙ୍ଗରେ ପାରୀ ନଗରକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ସେଠାରେ ଅତ୍ୟନ୍ତ ସମାଦର ଓ ଆଗ୍ରହସହକାରେ ଗୃହୀତ ହେଲେ । ଫ୍ରାନ୍ସର ପ୍ରଧାନତମ ବ୍ୟକ୍ତିମାନେ ଇତାଲୀର ଉଦ୍ଧାରକର୍ତ୍ତାଙ୍କ ସହିତ ଆଳାପ କାରିବାପାଇଁ ତାଙ୍କର ଦ୍ୱାରସ୍ଥ ହୋଇଥିଲେ ।
ଏଥିଉତ୍ତାରେ ସାଧାରଣତନ୍ତ୍ରର ଶାସନୀସଭା ଇଂଲଣ୍ଡକୁ ଆକ୍ରମଣ କରିବାର କଳ୍ପନା କରି ନେପୋଲିଅନ୍ଙ୍କଠାରେ ଏହି କଠିନ କାର୍ଯ୍ୟର ଭାର ନ୍ୟସ୍ତ କଲେ । ନେପୋଲିଅନ୍ ଫ୍ରାନ୍ସର ଉପକୂଳରେ ରହି ସ୍ୱଦେଶ ଏବଂ ଇଂଲଣ୍ଡ ଉଭୟର ରଣତରୀ ବିଷୟକ ତତ୍ତ୍ୱମାନ ଅଭିନିବେଶ ସହକାରେ ଆଲୋଚନା କଲେ । ଅବଶେଷରେ ସେ ଏହି ସିଦ୍ଧାନ୍ତରେ ଉପନିତ ହେଲେ ଯେ ଇଂଲଣ୍ଡକୁ ଜୟ କରିବାର କଳ୍ପନା ନିତ୍ୟାନ୍ତ ଅସାର ଏବଂ ଅସଙ୍ଗତ ଅଟେ । ତେଣୁ ସେ ପ୍ରୋକ୍ତ ଶାସନୀସଭାକୁ ଇଂଲଣ୍ଡ ଆକ୍ରମଣ ବ୍ୟାପାରରୁ ନିବୃତ୍ତ କରାଇଲେ । ତଦନନ୍ତର ଶାସନୀସଭାର ଅଦେଶ ଅନୁସାରେ ନେପୋଲିଅନ୍ ତ୍ରିଂଶତ୍ ସହସ୍ର ସୈନ୍ୟ ଘେନି ଇଜିପ୍ତ ଜୟବାସନାର ବଶବର୍ତ୍ତୀ ହୋଇ ୧୭୯୮ ଅବ୍ଦର ମୋ ମାସରେ ସମୁଦ୍ରପଥରେ ଇଜିପ୍ତ ଅଭିମୁଖରେ ଯାତ୍ରା କଲେ । ଏହି ସମୟରେ ଇଜିପ୍ତ ଅଧିଶ୍ୱର ତୁରୁଷ୍କ ସୁଲତାନଙ୍କ ସଙ୍ଗରେ ଫ୍ରାନ୍ଦର ମିତ୍ରତା ଥିଲା । ସୁତାରାଂ ଏପରି ଅବସ୍ଥାରେ ତାଙ୍କର ଅଧିନ ପ୍ରଦେଶ ଆକ୍ରମଣ କରିବା ଫ୍ରାନ୍ସ ପକ୍ଷରେ ସଂପୂର୍ଣ୍ଣରୂପେ ନୀତିବିଗର୍ହିତ ହୋଇଥିଲା । ନେପୋଲିଅନ୍ ଆଲେକ୍ଜାନ୍ଦିୟା ନଗରରେ ଉପନୀତ ହୋଇ ଇଜିପ୍ତଦେଶୀୟ ପ୍ରଜାବର୍ଗର ଅବଗତି ନିମିତ୍ତ ନିମ୍ନଲିଖିତ ଘୋଷଣା ପ୍ରଚାର କଲେ :
‘‘ହେ ମିଶରବାସିବର୍ଗ ! ଆମ୍ଭେ ତୁମ୍ଭମାନଙ୍କର ଧର୍ମ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆସିନାହୁଁ । ତୁମ୍ଭର ସ୍ୱତ୍ୱାପହାରକମାନଙ୍କୁ ମମୁଚିତ ଶାସ୍ତି ପ୍ରଦାନ କରିବା ଆରମ୍ଭ ଆଗମନର ଉଦ୍ଦେଶ୍ୟ । ଈଶ୍ୱରଙ୍କର ପୟଗମ୍ବର ମହମ୍ମଦ ଏବଂ ଧର୍ମଶାସ୍ତ୍ର କୋରାନ୍ ଏତଦୁଭୟକୁ ଆମ୍ଭେ ସଂପୂର୍ଣ୍ଣରୂପେ ସମାଦର କରୁଁ । ତୁମ୍ଭେମାନେ ପ୍ରତାରକମାନଙ୍କ କଥାରେ ପଡ଼ି ଆମ୍ଭର ବିରୋଧୀ ନ ହୁଅ । ଯେଉଁମାନେ ଅପହାରକମାନଙ୍କର ଅନୁକୂଳ ହୋଇ ଆମ୍ଭ ବିରୁଦ୍ଧରେ ଶାସ୍ତ୍ର ଗ୍ରହଣ କରିବେ, ସେମାନଙ୍କର ତ୍ରାହିଁ ନାହିଁ ।’’
ନେପୋଲିଅନ୍ କେରୋ ନଗର ଆଡ଼କୁ ଅଗ୍ରସର ହୋଇ ଜୁଲାଇ ମାସ ୨୧ ତାରିଖରେ ପିରାମିଡ଼ ଯୁଦ୍ଧରେ ଶତ୍ରୁମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କଲେ । ତଦନ୍ତର ରାଜଧାନୀରେ ପ୍ରବେଶ କରି ମିଶର ଦେଶର ଶାସନ ପ୍ରଣାଳୀକୁ ସଂଶୋଧିତ ଏବଂ ପରିବର୍ତ୍ତିତ କଲେ । ଇତିମଧ୍ୟରେ ନେଲସନ୍ନାମା ଇଂଲଣ୍ଡର ସୁବିଖ୍ୟାତ ସାମୁଦ୍ରିକ ସେନାନୀ ଆବୁକର ଉପସାଗରରେ ଫରାସିସ୍ ରଣତରୀମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାଜିତ ଏବଂ ବିଧ୍ୱସ୍ତ କରିଥିଲେ । ମିଶରର ରାଜଧାନୀ କେରୋ ନଗରରେ ମଧ୍ୟ ନାନାପ୍ରକାର ଉପଦ୍ରବ ସଂଘଟିତ ହେବାକୁ ଲାଗିଲା । ନେପୋଲିଅନ୍ ଏହିପ୍ରକାରେ ଉଦ୍ବେଜିତ ହୋଇ ମିଶର ଦେଶରେ କେତେକ ସୈନ୍ୟ ରଖି ସୁବିସ୍ତୀର୍ଣ୍ଣ ମରୁପ୍ରାନ୍ତର ମଧ୍ୟଦେଇ ସିରିଆ ପ୍ରଦେଶକୁ ଗମନ କଲେ ଏବଂ ତତ୍ରତ୍ୟ ଜାଫା ଦୁର୍ଗକୁ ଅଧିକାର କରି ଏକର ନାମକ ପ୍ରସିଦ୍ଧ ଦୁର୍ଗର ଅବରେଧ କାର୍ଯ୍ୟରେ ବ୍ୟାପୃତ ହେଲେ । ଅନେକ ଦିବସ ପର୍ଯ୍ୟନ୍ତ ଅବରୁଦ୍ଧ ହୋଇ ସୁଦ୍ଧା ଏକର ନଗର ନେପୋଲିଅନ୍ଙ୍କର ହସ୍ତଗତ ହେଲାନାହିଁ । ସୁତରାଂ ବିଫଳପ୍ରଯତ୍ନ ହୋଇ ତାହାଙ୍କୁ ସିରିଆରୁ ବାହୁଡ଼ି ଆସିବାକୁ ହେଲା । ଜୁଲାଇ ମାସ ୨୫ ତାରିଖରେ ନେପୋଲିଅନ୍ ତୁରୁଷ୍କ ସୁଲତାନଙ୍କକର୍ତ୍ତୁକ ପ୍ରେରିତ ଅଷ୍ଟାଦଶ ସହସ୍ର ସୈନ୍ୟଙ୍କୁ ଆବୁକର ନାମକ ସ୍ଥାନରେ ପରାଭୂତ କଲେ । ଏହି ସମୟରେ ଫ୍ରାନ୍ସ ଏବଂ ଇତାଲୀର ନାନାବିଧ ଉପଦ୍ରବ ଘଟିବାର ସମ୍ବାଦ ତାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେ ସୈନ୍ୟବର୍ଗଙ୍କୁ ମିଶରରେ ରଖି କତିପୟ ଅନୁଚର ସମଭିବ୍ୟାହାରରେ ସମୁଦ୍ରମାର୍ଗରେ ଇଉରୋପ ଆଡ଼କୁ ଯାତ୍ରାକଲେ । ଏହି ସମୟରେ ଫ୍ରାନ୍ସବୈରୀ ଇଂଲଣ୍ଡର ରଣତରୀମାନ ଭୂମଧ୍ୟସାଗର ମଧ୍ୟରେ ଶତ୍ରୁ ଅନ୍ୱେଷଣରେ ଭ୍ରମଣ କରୁଥିଲେ । ଏଣୁ ନେପୋଲିଅନ୍ଙ୍କର ଶତ୍ରୁହସ୍ତରେ ପତିତ ହେବାର ବିଲକ୍ଷଣ ଆଶଙ୍କା ଥିଲା । ଯାହାହେଉ ନେପୋଲିଅନ୍ ଅପୂର୍ବ ଧୈର୍ଯ୍ୟ ଏବଂ କୌଶଳ ସହକରେ ସମସ୍ତ ବିଘ୍ନ ଅତିକ୍ରମ କରି ଅକ୍ଟୋବର ମାସରେ ପାରୀ ନଗରୀରେ ପ୍ରବିଷ୍ଟ ହେଲେ । ସେ ସମୟରେ ପୂର୍ବୋଲିଖିତ ଶାସନୀସଭାର ଦୁର୍ବୁଦ୍ଧିତା ଯୋଗୁଁ ଫ୍ରାନ୍ସରୁ ଶାନ୍ତି ପଳାୟନ କରିଥିଲା ଏବଂ ନୂତନ ରାଷ୍ଟ୍ରବିପ୍ଳବ ଆରବ୍ଧ ପ୍ରାୟ ହୋଇଥିଲା । ନେପୋଲିଅନ୍ ସମସ୍ତ ବିଷୟ ପର୍ଯ୍ୟୋଲଚନା କରି କତିପୟ ବନ୍ଧୁମାନଙ୍କ ସହାୟତାରେ ଶାସନୀସଭାକୁ ରହିତ କଲେ ଏବଂ ଅଭିନବ ଶାସନ ପ୍ରତିଷ୍ଠାପିତ କଲେ-। ନୂତନ ବନ୍ଦୋବସ୍ତ ଅନୁସାରେ ନେପୋଲିଅନ୍ ପ୍ରଧାନତମ ରାଜପୁରୁଷ ପଦରେ ନିଯୁକ୍ତ ହୋଇ କୌଶଳକ୍ରମେ ଧନାଗମର ନାନା ପନ୍ଥା ଉଦ୍ଘାଟନ କରି ରାଜକୋଷକୁ ପରିପୂର୍ଣ୍ଣ କଲେ; ଅନେକ ପ୍ରକାର ଉତ୍ପୀଡ଼କ ଆଇନମାନ ରହିତ କଲେ ଏବଂ ବିନାପରାଧରେ ନିର୍ବାସିତ ଦେଶହିତୈଷୀ ମହାତ୍ମାମାନଙ୍କୁ ଫ୍ରାନ୍ସକୁ ପୁନରାନୟନ କରି ସେମାନଙ୍କୁ ଉଚ୍ଚପଦରେ ପ୍ରତିଷ୍ଠିତ କଲେ ।
ପୂର୍ବୋକ୍ତ ପ୍ରକାର କାର୍ଯ୍ୟ କଳାପ ଦ୍ୱାରା ନେପୋଲିଅନ୍ଙ୍କର ଅସାମାନ୍ୟ ପ୍ରତିଭା ବିପ୍ଳବୋପଦ୍ରୁତ ଫ୍ରାନ୍ସ ଦେଶରେ ଶାନ୍ତି ସଂସ୍ଥାପନ କରି ତାହାର ଅରାତିବର୍ଗଙ୍କୁ ପୁନର୍ବାର ଦମନ କରିବା ନିମିତ୍ତ ନବୀନ ଉପାୟମାନ କଳ୍ପନା କରିବାକୁ ଲାଗିଲା । ନେପୋଲିଅନ୍ ଅତିଶୟ କ୍ଷିପ୍ର ଏବଂ ଗୁପ୍ତ ଭାବରେ ଜେନିଭା ହ୍ରଦତଟରେ ୩୬,୦୦୦ ସୈନ୍ୟ ସଂଗ୍ରହ କରି ଅଷ୍ଟ୍ରୀୟାର ଶତ୍ରୁତାର ପ୍ରତିଶୋଧ କରିବା ଆଶୟରେ ୧୮୦୦ ଅବ୍ଦର ମେ ମେସ ୧୩ ତାରିଖ ଦିନ ଆଲ୍ପସରୂପ ଦୁର୍ଗମ ଏବଂ ଦୁରତିକ୍ରମଣୀୟ ପ୍ରତିବନ୍ଧକ ଲଙ୍ଘନ କରିବାକୁ ଆରମ୍ଭ କଲେ ଏବଂ ଅଦ୍ଭୁତ କୌଶଳ ଓ ସାହସ ସହକାରେ ତାହାକୁ ପାର ହୋଇ ଜୁନ୍ ମାସର ପ୍ରାରମ୍ଭରେ ମିଲାନ ନଗରକୁ ଅଧିକାର କଲେ । ସେହି ମାସର ୧୪ ତାରିଖରେ ମାରେଙ୍ଗୋ ନାମକ ପ୍ରଖ୍ୟାତ ସମରରେ ଅଷ୍ଟ୍ରୀୟମାନଙ୍କୁ ସମୂର୍ଣ୍ଣରୂପେ ପରାସ୍ତ କରି ସେମାନଙ୍କଠାରୁ ସମସ୍ତ ଲମ୍ବାଡ଼ି ପ୍ରଦେଶ ଦ୍ୱିତୀୟବାର ଅଧିକାର କଲେ-। ଅବଶେଷରେ ଅଷ୍ଟ୍ରିୟମାନେ ସର୍ବତୋଭାବେ ପରାଭୂତ ହୋଇ ୧୮୦୧ ଅବ୍ଦର ଫେବୃୟାରୀ ମାସରେ ଫ୍ରାନ୍ସ ସଙ୍ଗରେ ସନ୍ଧି କଲେ । ଏହି ସମୟରେ ଇଂଲଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ସନ୍ଧି ସ୍ଥାପନ କରିବାର ଉଦ୍ୟମ ହୋଇଥିଲା ଏବଂ ୧୮୦୨ ଅବ୍ଦର ମାର୍ଚ୍ଚ ମାସରେ ଉଭୟ ଦେଶ ଚିର ବୈରଭାବର ପ୍ରଭୂତ ଅନିଷ୍ଟକାରିତା ହୃଦୟଙ୍ଗମ କରି ସନ୍ଧି ସ୍ୱାକ୍ଷର କଲେ ।
ପୂର୍ବୋଲିଖିତ କରାଳ ରାଷ୍ଟ୍ରବିପ୍ଳବ ସମୟରେ ଫରାସିସ୍ମାନେ ଏପରି ଉନ୍ମତ୍ତ ଏବଂ ବିବେକଶୂନ୍ୟ ହୋଇଥିଲେ ଯେ ସେମାନେ ଧର୍ମ ଓ ଇଶ୍ୱରବିଶ୍ୱାସିକୁ ପ୍ରକାରାନ୍ତରେ ସମାଜବକ୍ଷରୁ ଉତ୍ପାଟିତ କରିଥିଲେ । ନେପୋଲିଅନ୍ ନାସ୍ତିକାର ଏପରି ଭୟାନକ ପ୍ରଚାର ସନ୍ଦର୍ଶନ କରି ଈଶ୍ୱରୋପାସନା ପୂନର୍ବାର ପ୍ରତିଷ୍ଠିତ କରିବା ନିମିତ୍ତ ଐକାନ୍ତିକ ଯତ୍ନ କରିବାକୁ ଲାଗିଲେ ଏବଂ ସ୍ୱଳ୍ପକାଳ ମଧ୍ୟରେ ଫରାସିସ୍ମାନଙ୍କ ହୃଦୟରେ ମାନବାତ୍ମାର ଅବିନଶ୍ୱର ଧର୍ମଭାବ ପୁନର୍ବାର ଜାଗ୍ରତ ହେଲା । ଧର୍ମମନ୍ଦିରମାନ ପୁନର୍ବାର ଈଶ୍ୱରଙ୍କ ନାମଧ୍ୱନିରେ ନିନାଦିତ ହେବାକୁ ଲାଗିଲା । ଅନନ୍ତର ନେପୋଲିଅନ୍ କତିପୟ ବ୍ୟବସ୍ଥା-ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ସାହାଯ୍ୟରେ ଫ୍ରାନ୍ସର ସମସ୍ତ ଆଇନକୁ ସଂଶୋଧିତ ଏବଂ ସଂହିତାବଦ୍ଧ କଲୋ ଊହି ସଂହିତା ‘ନେପୋଲିଅନ୍ ସଂହିତା’ ନାମରେ ଆଜିଯାଏ ଅଭିହିତ ହେଉଅଛି । ସେ ଏହି ସମୟରେ ଜାତୀୟଶିକ୍ଷାର ଉନ୍ନତିବିଧାନାଶୟରେ ଫ୍ରାନ୍ସରେ ଅନେକ ବିଜ୍ଞାନ ବିଦ୍ୟାଳୟ ସଂସ୍ଥାପନ କଲେ । ନାଳ, ସେତୁ, ରାଜମାର୍ଗ, ଚିତ୍ରଶାଳା ପ୍ରଭୃତି ଅନେକ ହିତକର କାର୍ଯ୍ୟ ଏହି ସମୟରେ ଅନୁଷ୍ଠିତ ହୋଇଥିଲା ।
ଇଂଲଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଶାନ୍ତି ବହୁଦିନ ପର୍ଯ୍ୟନ୍ତ ରହିନଥିଲା । ୧୮୦୩ ଅବ୍ଦର ମେ ମାସରେ ପୁନର୍ବାର ଯୁଦ୍ଧ ଉଦ୍ଘୋଷିତ ହେଲା । ଇଂରାଜ ରଣତରୀଚୟ ଚତୁର୍ଦ୍ଦିଗରେ ଫ୍ରାନ୍ସର ବାଣିଜ୍ୟକୁ ବାଧାଦେବାକୁ ଲାଗିଲା । ଏଣେ ନେପୋଲିଅନ୍ ଇଂଲାଣ୍ଡକୁ ଆକ୍ରମଣ କରିବା ଅଭିପ୍ରାୟରେ ସଂଗ୍ରାମସଜ୍ଜା ବିଧାନ କରିବାରେ ବ୍ୟାପୃତ ହେଲେ ଏବଂ ଦେଶସହସ୍ରାଧିକ ଫ୍ରାନ୍ସନିବାସୀ ଇଂରେଜଙ୍କୁ କାରାରୁଦ୍ଧ କଲେ । ନେପୋଲିଅନ୍ ଇଂରେଜମାନଙ୍କର ଚରିତ୍ର ଏବଂ ଅବସ୍ଥା ବିଷୟରେ ଏପରି ଅନଭିଜ୍ଞ ଥିଲେ ଯେ, ସେ ପ୍ରକାଶ୍ୟରୂପେ କହିଲେ, ‘‘ଆମ୍ଭେ ଇଂଲଣ୍ଡଭୂମିରେ ପଦକ୍ଷେପ କଲାକ୍ଷଣି ଇଂରାଜମାନେ ଆମ୍ଭଙ୍କୁ ମୁକ୍ତିଦାତା ବୋଲି ସମ୍ମାନପୂର୍ବକ ଗ୍ରହଣ କରିବେ ।’’ ଯୁଦ୍ଧସଜ୍ଜାର ଅବସାନ ନୋହୁଣୁ କତିପୟ ବ୍ୟକ୍ତି ନେପୋଲିଅନ୍ଙ୍କର ପ୍ରାଣବିନାଶାର୍ଥ ଗୋଟିଏ ଭୟାନକ ଚକ୍ରାନ୍ତ କରିଥିଲେ । ଏହି ଚକ୍ରାନ୍ତ ଧରାପଡ଼ିଲା ଏବଂ ଅପରାଧୀମାନେ ଅତି ନିର୍ଦ୍ଦୟ ଭାବରେ ନିହିତ ହେଲେ । ଏହି ଘଟଣା ଉତ୍ତାରେ ନିଜ ଜୀବନକୁ ଅଧିକତର ନିରାପଦ କରିବା ଆଶୟରେ ନେପୋଲିଅନ୍ ସମ୍ରାଟ୍ ଉପାଧି ଧାରଣ କରିବାର ଅଭିଳାଷ ପ୍ରକାଶ କଲେ । ଫ୍ରାନ୍ସର ପ୍ରାୟ ଯାବତୀୟ ଲୋକ ସ୍ୱଦେଶୀୟ ଶାସନ ପ୍ରଣାଳୀର ଏହି ପ୍ରସ୍ତାବିତ ପରିବର୍ତନ ଅନୁମୋଦନ କରିବାରୁ ନେପୋଲଅନ୍ ୧୮୦୪ ଅବ୍ଦର ମେ ମାସରେ ଉକ୍ତ ଉପାଧି ଗ୍ରହଣ କଲେ ଏବଂ ସେହି ବର୍ଷର ଡିସେମ୍ୱର ମାସରେ ପୋପ୍କର୍ତ୍ତୃକ ଫ୍ରାନ୍ସର ସିଂହାସନରେ ଯଥାବିଧୀ ସସ୍ତ୍ରୀକ ଅଭିଷିକ୍ତ ହେଲେ । ଅନନ୍ତର ୧୮୦୫ ଅବ୍ଦର ମେ ମାସରେ ଉତାଲୀୟ ମନ୍ତ୍ରୀମାନଙ୍କର ପ୍ରାର୍ଥନାମତେ ସେ ରୋମ୍ର ଅଧିବେଶ୍ୱର ଏହି ଉପାଧି ଧାରଣ କଲେ ।
ରୋମର ଅଧିଶ୍ୱର ପଦରେ ଅଭିଷିକ୍ତ ହୋଇ ପାରୀ ନଗରିକୁ ଲେଉଟି ଆସିବା ମାତ୍ରକେ, ନେପୋଲିଅନ୍ ସମ୍ବାଦ ପାଇଲେ ଯେ ତାହାଙ୍କ ଅଧିକାର ବୃଦ୍ଧି ଦର୍ଶନରେ ଭୀତ ହୋଇ ଅଷ୍ଟୀୟା, ଇଂଲାଣ୍ଡ, ରୁଷିୟା ଏବଂ ସ୍ୱିଡ଼େନ ରାଜ୍ୟବୃନ୍ଦ ପୁନର୍ବାର ଯୁଦ୍ଧ କରିବା ପାଇଁ ଉଦ୍ଯୁକ୍ତ ଏବଂ ସମ୍ମିଳିତ ହୋଇଅଛନ୍ତି । ଏହି ସମ୍ବାଦ ଶୁଣିଲାକ୍ଷଣି ନେପୋଲିଅନ୍ ଇଉରୋପ ମହାଦେଶରେ ଶାନ୍ତିସଂରକ୍ଷଣ କରିବା ଇଉରୋପ ମହାଦେଶରେ ଶାନ୍ତିସଂରକ୍ଷଣ କରିବା ଅଭିପ୍ରାୟରେ ଇଂଲାଣ୍ଡ ଏବଂ ଅଷ୍ଟ୍ରୀୟାକୁ ଯୁଦ୍ଧରୁ ନିବୃତ୍ତ ହେବାପାଇଁ ପ୍ରାର୍ଥନା କଲେ; ମାତ୍ର ତାଙ୍କ କଥା ଶୁଣିଲେ ନାହିଁ । ୧୮୦୫ ଅବ୍ଦର ସେପ୍ଟେମ୍ବର ମାସରେ ଯୁଦ୍ଧ ଆରବ୍ଧ ହେଲା । ନେପୋଲିଅନ୍ ବିସ୍ମୟକର ବେଗରେ ତାଙ୍କର ଦୂରବିକ୍ଷିପ୍ତ ସୈନ୍ୟମାନଙ୍କୁ ସଂଗ୍ରହ କରି ବାଭେରିୟା ପ୍ରଦେଶ ମଧ୍ୟଦେଇ ଯାତ୍ରାକରି ଅଲ୍ମ ନାମକ ସ୍ଥାନରେ ବିପକ୍ଷ ସୌନ୍ୟମାନଙ୍କୁ ପରାସ୍ତ କରି ନଭେମ୍ବର ମାସର ତେର ତାରିଖରେ ଅଷ୍ଟ୍ରୀୟାର ରାଜଧାନୀରେ ପ୍ରବେଶ କଲେ । ଏହି ସମ୍ବାଦ ପ୍ରଚାରିତ ହୁଅନ୍ତେ ସମସ୍ତ ଇଉରୋପ ବିସ୍ମୟରେ ସ୍ତବ୍ଧ ହୋଇଗଲା । ଏହା ଅପେକ୍ଷା ଆହୁରି ମହତ୍ତର କୀର୍ତ୍ତି ନେପୋଲିଅନ୍ଙ୍କ କର୍ତ୍ତୁକ ସମ୍ପନ୍ନ ହୋଇଥିଲା । ଭିୟେନା ନଗର ଜୟ କରି ନେପୋଲିଅନ୍ ଉତ୍ତରାଭିମୁଖରେ ଯାତ୍ରାକଲେ ଏବଂ ଅଷ୍ଟରଲିଜ୍ର ବିଖ୍ୟାତ ଯୁଦ୍ଧରେ ରୁଷିୟା ଏବଂ ଅଷ୍ଟ୍ରୀୟାର ସମ୍ମିଳିତ ସୈନ୍ୟକୁ ସର୍ବତୋଭାବେ ପରାସ୍ତ କଲେ । ଏହି ଯୁଦ୍ଧର ପରଦିବସ ଅଷ୍ଟ୍ରୀୟାର ସମ୍ରାଟ୍ କାତର ଭାବରେ ନେପୋଲିଅନ୍ଙ୍କ ସମକ୍ଷରେ ଉପସ୍ଥିତ ହୋଇ ବିନୟସହକାରେ ସନ୍ଧି ପ୍ରାର୍ଥନା କଲେ । ଡିସେମ୍ବର ମାସର ୨୬ ତାରିଖରେ ପ୍ରେସ୍ବର୍ଗ ନାମକ ସ୍ଥାନରେ ସନ୍ଧି ସ୍ୱାକ୍ଷରିତ ହେଲା । ଏହି ସନ୍ଧିଦ୍ୱାରା ଅଷ୍ଟ୍ରୀୟା ଫ୍ରାନ୍ସକୁ ସ୍ୱୀୟ ସାମ୍ରାଜ୍ୟର ଅନେକଗୁଡ଼ିଏ ପ୍ରଦେଶ ପ୍ରଦାନ କରିଥିଲା ।
୧୮୦୬ ଅବ୍ଦର ପ୍ରାରମ୍ଭରେ ଫ୍ରାନ୍ସର ସୈନ୍ୟ ନେପଲ୍ସ ପ୍ରଦେଶ ଜୟ କଲେ । ନେପୋଲିୟନ୍ ନିଜ ଭ୍ରତାଙ୍କୁ ସେହି ପ୍ରଦେଶର ରାଜପଦ ପ୍ରଦାନ କଲେ । ଉକ୍ତ ଅବ୍ଦର ଜୁନ୍ ମାସାରେ ହଲାଣ୍ଡର ରାଜସିଂହାସନ ଶୂନ୍ୟ ହୁଅନ୍ତେ ସେ ଅନ୍ୟ ଏକ ଭ୍ରାତାଙ୍କୁ ତହିଁରେ ବସାଇଲେ । ପ୍ରୁସିୟା ଏତେକାଳଯାଏ ଶାନ୍ତଭାବ ଧାରଣ କରିଥିଲା । ଏବେ ନେପୋଲିଅନ୍ଙ୍କ ବିରୁଦ୍ଧରେ ଖଡ୍ଗ ଉତ୍ତୋଳନ କଲା ; କିନ୍ତୁ ଏତେବେଳଯାଏ ସୁଦ୍ଧା ନେପୋଲିଅନ୍ଙ୍କର ଭାଗ୍ୟସୂର୍ଯ୍ୟ ଅସ୍ତମିତ ହୋଇନଥିଲା । ଅକ୍ଟୋବର ମାସର ୧୬ ତାରିଖରେ ଜେନା ନାମକ ଯୁଦ୍ଧକ୍ଷେତ୍ରରେ ନେପୋଲିଅନ୍ ପ୍ରୁସିୟାର ସମସ୍ତ ବଳ ଚୂର୍ଣ୍ଣକଲେ । ତଦନନ୍ତର ପ୍ରୁସିୟାର ରାଜଧାନୀ ବର୍ଲିନ୍ ନଗରରେ ପ୍ରବେଶ କରି ସେଠାରେ ବାଣିଜ୍ୟସର୍ବସ୍ୱ ଇଂରେଜମାନଙ୍କ ବିରୁଦ୍ଧରେ ଏହି ଅନୁଜ୍ଞା ପ୍ରଚାର କଲେ ଯେ ଇଂରେଜମାନଙ୍କର ବାଣିଜ୍ୟତରୀ ଇଉରୋପୀୟ କୌଣସି ରାଜ୍ୟର ବନ୍ଦର ମଧ୍ୟରେ ପ୍ରବେଶ ଲାଭ କରିପାରିବ ନାହିଁ । କିନ୍ତୁ ଏହି ଉପାୟଦ୍ୱାରା ନେପୋଲିଅନ୍ ନିଜ ଉଦ୍ଦେଶ୍ୟ ସାଧନ କରିପାରିନଥିଲେ । ତଦ୍ଦ୍ୱାରା ଇଂଲାଣ୍ଡୀୟ ବାଣିଜ୍ୟର କ୍ଷତି ନହୋଇ ବରଂ ଶ୍ରୀବୃଦ୍ଧି ହୋଇଥିଲ; କାରଣ ଇଂରେଜ ରଣତରୀଚୟ ସାଗର ମଧ୍ୟରେ ପରିଭ୍ରମଣ କରି ଅନ୍ୟଜାତୀୟ ଜାହାଜମାନଙ୍କର ବିଦେଶଗମନ ପ୍ରତିରୋଧ କରିଥିଲେ । ସୁତରାଂ ବୈଦେଶିକ ସାମଗ୍ରୀ ଅଭାବରେ ଇଉରୋପୀୟ ଦେଶମାନଙ୍କୁ ଅତ୍ୟନ୍ତ କଷ୍ଟରେ ପଡିବାକୁ ହୋଇଥିଲା ।
ଇତିମଧ୍ୟରେ ରୁଷିୟାର ସୈନ୍ୟବର୍ଗ ପ୍ରୁସିୟାର ସାହାଯ୍ୟାର୍ଥ ଆଗମନ କରୁଥିବାର ସମ୍ବାଦ ପାଇ ନେପୋଲିଅନ୍ ଉତ୍ତରାଭିମୁଖରେ ଯାତ୍ରାକରି, ପଥମଧ୍ୟରେ ଅଷ୍ଟ୍ରୀୟାର ପଦାନତ ପୋଲାଣ୍ଡନିବାସୀଙ୍କୁ ସ୍ୱାଧୀନ ହେବାପାଇଁ ଉତ୍ତେଜନା ବାକ୍ୟଦ୍ୱାରା ସମୁତ୍ସାହିତ କରି ରୁଷିୟାର ସୈନ୍ୟକୁ ପଲଟସ୍କ ନାମକ ସ୍ଥାନରେ ଭେଟିଲେ । ଏଠାରେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଉଭୟ ପକ୍ଷ ଏପ୍ରକାର ବୀର୍ଯ୍ୟସହକାରେ ଯୁଦ୍ଧ କରିଥିଲେ ଯେ କେଉଁ ପକ୍ଷ ଜୟୀ ହେଲା, ତାହା ନିର୍ଦ୍ଧାରିତ ହୋଇପାରିଲା ନାହିଁ । ଇତିମଧ୍ୟରେ ସ୍ୱୀୟ ସୈନ୍ୟସଂଖ୍ୟା ବର୍ଦ୍ଧନ କରି ଅଢ଼େଇ ଲକ୍ଷ ସୈନ୍ୟସହକାରେ ନେପୋଲିଅନ୍ ରୁଷୀୟମାନଙ୍କୁ ଯୁଦ୍ଧାର୍ଥ ଆହ୍ୱାନ କଲେ । ଫ୍ରିଡ଼ଲାଣ୍ଡ ନାମକ ସ୍ଥାନରେ ଘୋର ସଂଗ୍ରାମ ହେଲା । ରୁଷିୟାର ସୈନ୍ୟନିବହ ଅତି ଭୟଙ୍କରରୂପେ ନେପୋଲିଅନ୍ଙ୍କ ସୈନ୍ୟବର୍ଗଙ୍କୁ ବିନାଶ କରିବାକୁ ଲାଗିଲେ । ନେପୋଲିଅନ୍ କିଛିମାତ୍ର କାତର ନହୋଇ ନିଜେ ସୈନ୍ୟମାନଙ୍କ ଅଗ୍ରରେ ଦଣ୍ଡାୟମାନ ହୋଇ ନିରାଶପ୍ରାୟ ସୈନ୍ୟମାନଙ୍କୁ ଉତ୍ସାହିତ କଲେ । ତହୁଁ ତାଙ୍କର ସୈନ୍ୟବର୍ଗ ଏପରି ଭୀଷଣ ବେଗରେ ବିପକ୍ଷ ଦଳକୁ ଆକ୍ରମଣ କଲେ ଯେ ଅଳ୍ପକାଳ ମଧ୍ୟରେ ରୁଷୀୟମାନେ ସର୍ବତୋଭାବେ ପାରଭୂତ ହେଲେ । ଏହି ଯୁଦ୍ଧର ଦୁଇଇଦିନ ଉତ୍ତାରେ ରୁଷିୟାର ସମ୍ରାଟ୍ ଟିଲସିଟ ନାମକ ସ୍ଥାନରେ ନେପୋଲିଅନ୍ଙ୍କ ସଙ୍ଗରେ ସାକ୍ଷାତ୍ କଲେ । ଫ୍ରାନ୍ସ ଏବଂ ରୁଷିୟା ମଧ୍ୟରେ ସନ୍ଧି ସଂସ୍ଥାପିତ ହେଲା ।
ପୂର୍ବୋକ୍ତ ସନ୍ଧି ସମାଧାନାନ୍ତର ନେପୋଲିଅନ୍ ପାରୀନଗରିକୁ ପ୍ରତ୍ୟାବର୍ତ୍ତନ କଲେ । ନଗରବାସୀମାନେ ଜୟୋଲ୍ଲାସର ପ୍ରମତ୍ତ ହୋଇ ନାନାବିଧ ଉତ୍ସବରେ କିୟତ୍କାଳ ଅତିବାହିତ କଲେ ।
ଇଉରୋପୀୟ ରାଜାମାନଙ୍କ ସଙ୍ଗରରେ ବାରମ୍ୱାର ଯୁଦ୍ଧ ଇପସ୍ଥିତ ହେବାରୁ ନେପୋଲିଅନ୍ ମନରେ ବିଚାରିଲେ ଯେ କୌଣସି ପ୍ରଧାନ ରାଜପରିବାର ସହିତ ପରିଣୟସୂତ୍ରରେ ସମ୍ୱନ୍ଧ ହେଲେ, ଭବିଷ୍ୟତ ସଂଗ୍ରାମର ସମ୍ଭାବନା ବିରଲ ହୋଇଯିବ । ଆହୁରି ନିଜେ ନିଃସନ୍ତାନ ଥିବାରୁ ଗୋଟିଏ ରାଜବଂଶ ସ୍ଥାପନ କରିବାର ଆକାଙ୍କ୍ଷା ପୂର୍ଣ୍ଣହେବାର ଉପାୟ ନଥିଲା । ଏହି କଥାମାନ ବିଚାର କରି ନେପୋଲିଅନ୍ ସୁନ୍ଦରି ଏବଂ ଗୁଣବତୀ ଜୋସେଫିନ୍ଙ୍କୁ ପରିତ୍ୟାଗ କରି ନୂତନ ବିବାହ କରିବାର ସଂକଳ୍ପ କଲେ । ଅଳ୍ପକାଳ ମଧ୍ୟରେ ଏହି ସଂକଳ୍ପ କାର୍ଯ୍ୟରେ ପରିଣତ ହୋଇଥିଲା । ନେପୋଲିଅନ୍ ଅଷ୍ଟ୍ରୀୟାର ରାଜକୁମାରୀଙ୍କୁ ସ୍ୱୀୟ ପତ୍ନୀରୂପେ ଗ୍ରହଣ କଲେ । ଏହି କାର୍ଯ୍ୟଦ୍ୱାରା ଏହା ସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ଯେ ତାଙ୍କ ହୃଦୟ ରାକ୍ଷସୋଚିତ ସ୍ୱାର୍ଥପରତା ଏବଂ ରିପୁପରତନ୍ତ୍ରତାର ନିକେତନ ଥିଲା । ନିଃସ୍ୱାର୍ଥ ସ୍ନେହ ତାଙ୍କପାଇଁ ହୃଦୟରେ କୌଣସି କାଳରେ ସ୍ଥାନ ପାଇ ନ ଥିଲା ।
ଏଥିଉତ୍ତାରେ ୧୮୧୨ ଅବ୍ଦର ଏପ୍ରିଲ ମାସରେ ରୁଷିଆ ଫ୍ରାନ୍ସ ବୀରୁଦ୍ଧରେ ଯୁଦ୍ଧଘୋଷଣା ପ୍ରଚାର କଲା; ସୁତରାଂ ନପୋଲିଅନ୍ଙ୍କୁ ପୁନର୍ବାର ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡ଼ିଲା । ତାଙ୍କର ଆଦେଶକ୍ରମେ କିୟତ୍ ସପ୍ତାହ ମଧ୍ୟରେ ପାଞ୍ଚଲକ୍ଷ ସୈନ୍ୟ ସଂଗୃହୀତ ହେଲେ । ଏପରି ପାଞ୍ଚଲକ୍ଷ ସୈନ୍ୟ ସଂଗୃହୀତ ହେଲେ । ଏପରି ଭୟଙ୍କର ସମରସଜ୍ଜା ଇଉରୋପ ମହାଦେଶରେ ପୂର୍ବେ କଦାପି ଦୃଷ୍ଟିଗୋଚର ହୋଇ ନ ଥିଲା । ନେପୋଲିଅନ୍ ଅକଥନୀୟ ଆଡ଼ମ୍ବରସହକାରେ ପାରୀ ନଗରୀରୁ ନିଷ୍କ୍ରନ୍ତ ହେଲେ । ଇଉରୋପର ମହାଦାଶରେ ଅଧିକାଂଶ ରାଜନ୍ୟବର୍ଗ ତାହାଙ୍କର ପ୍ରସାଦର୍ଥୀ ହୋଇ ପଥ ମଧ୍ୟରେ ତାଙ୍କ ସଙ୍ଗରେ ସାକ୍ଷାତ୍ କଲେ । ତାଙ୍କୁ ଦେଖିବା ନିମନ୍ତେ ଲକ୍ଷ ଲକ୍ଷ ନରନାରୀ ଗ୍ରାମନଗର ତ୍ୟାଗ କରି ମାର୍ଗ ମଧ୍ୟରେ ଆକୁଳ ଭାବରେ ପ୍ରତିକ୍ଷା କରି ରହିଥିଲେ ।
ରୁଷିଆ ଦେଶ ମଧ୍ୟରେ ନେପୋଲିଅନ୍ ସୈନ୍ୟବର୍ଗ ସହିତ ପ୍ରବେଶ କରି ଦେଖିଲେ ଯେ ସମସ୍ତ ଦେଶ ବିଧ୍ୱସ୍ତ ହୋଇଅଛି । ଚତୁର୍ଦ୍ଦିଗରେ ଦଗ୍ଧ ନଗର, ବିନଷ୍ଟ ଶସ୍ୟାଗର ଏବଂ ଶସ୍ୟହୀନ କ୍ଷେତ୍ର ତାହାଙ୍କର ଦୃଷ୍ଟିଗୋଚର ହେଲା । ରୁଷିଆର ସମ୍ରାଟ୍ ଜାଣିଥିଲେ ଯେ ସମରକ୍ଷେତ୍ରରେ ସେ କଦାପି ନେପୋଲିଅନ୍ଙ୍କ ସମକକ୍ଷ ହୋଇପାରିବେ ନାହିଁ । ତେଣୁ ସେ ବିଚାରିଲେ ଯେ ତତ୍କାଳୀନ ଶୀତର ଭୀଷଣ ପ୍ରାଦୁର୍ଭାବ ଏବଂ ଖାଦ୍ୟସାମଗ୍ରୀର ଅଭାବରେ ନେପୋଲିଅନ୍ଙ୍କ ସୈନ୍ୟ ନିଃଶେଷରୂପେ ଅର୍ଦ୍ଧିତ ହେଲେ ସେ ସେମାନଙ୍କୁ ନିଜ ସୈନ୍ୟଦ୍ୱାରା ପରିବେଷ୍ଟନ କରି ସହଜରେ ସମ୍ପୂର୍ଣ୍ଣରୂପେ ସଂହାର କରିବେ । ଏହି ବିଶ୍ୱାସରେ ରୁଷିୟାର ସୈନ୍ୟବର୍ଗ ଶତ୍ରୁ ଆଗରୁ ପଳାୟନ କରିଥିଲେ । ପଳାଇବାବେଳେ ସେମାନେ ନଗରମାନ ସମ୍ପୂର୍ଣ୍ଣରୂପେ ଦଗ୍ଧ କରିଦେଇ ଯାଇଥିଲେ । ସୁତରାଂ ଫରାସିସ୍ ସୈନ୍ୟବର୍ଗଙ୍କୁ ଅତି ଭୟଙ୍କର କଷ୍ଟ ଅନୁଭବ କରିବାକୁ ହୋଇଥିଲା । ଲକ୍ଷ ଲକ୍ଷ ଫରାସିସ୍ ସୈନିକ ସେହି ଭୀଷଣ ଦେଶ ମଧ୍ୟରେ ଯାତ୍ରା କଲାବେଳେ ପଞ୍ଚତ୍ୱପ୍ରାପ୍ତ ହୋଇଥିଲେ ।
୧୮୧୦ ଅବ୍ଦର ସେପ୍ଟେମ୍ବର ମାସ ସାତ ତାରିଖ ଦିନ ଉଭୟପକ୍ଷ ବିରୋଡ଼ିନା ନାମକ ସ୍ଥାନରେ ପରସ୍ପର ସମ୍ମୁଖୀନ ହେଲେ । ଏହି ଯୁଦ୍ଧରେ ପ୍ରୟ ଏକଲକ୍ଷ ଲୋକ ନିହିତ ହୋଇଥିଲେ । ଏଥିରେ ଫରାସିସ୍ମାନେ ବିଜୟୀ ହେଲେହେଁ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିଲେ । ରଣକ୍ଷେତ୍ର ଛଡ଼ା ଆଉ କିଛି ସେମାନଙ୍କର ହସ୍ତଗତ ହୋଇନଥିଲା । ଏଥିଉତ୍ତାରେ ନେପୋଲିଅନ୍ ନିଜ ସୈନ୍ୟବର୍ଗ ସହ ରୁଷିୟାର ପ୍ରାଚୀନ ରାଜଧାନୀ ମସ୍କୋ ନଗର ଅଭିମୁଖରେ ଯେତ୍ରାକଲେ । ଫରାସିସ୍ ସୈନ୍ୟବର୍ଗ ସହ ସେଠାରେ ପ୍ରବେଶ କରି ଦେଖିଲେ ଯେ ଗୀର୍ଜାମାନ ଉପାସକଶୂନ୍ୟ, ପଣଦ୍ରବ୍ୟପରିପୂରିତ ବିପଣିମାନ ଲୋକଶୂନ୍ୟ ଏବଂ ପଥ ଓ ଗୃହମାନ ନିର୍ଜନ ଏବଂ ନିଃଶବ୍ଦ ହୋଇ ପଡିଅଛି । ସେମାନେ ଏହି ନିର୍ମନୁଷ୍ୟ ନଗରମଧ୍ୟରେ ପ୍ରବେଶ କରି ବିସ୍ମୟବିହ୍ୱଳ ଏବଂ କିଂକର୍ତ୍ତବ୍ୟବିମୂଢ ହେଲେ । ଅନନ୍ତର ନେପୋଲିଅନ୍ ସନ୍ଧିପ୍ରସ୍ତାବ କରି ରୁଷିୟାର ସମ୍ରାଟ୍ଙ୍କ ନିକଟକୁ ପତ୍ର ଲେଖିଲେ; କିନ୍ତୁ କିଛି ଉତ୍ତର ଆସିଲା ନାହିଁ । ଏଥିଉତ୍ତାରେ ରୁଷିୟାର ଗୁପ୍ତଚରମାନେ ମସ୍କୋ ନଗରରେ ଅଗ୍ନି ଲଗାଇଦେଲେ । ଏହି ଭୟଙ୍କର ଅଗ୍ନିକାଣ୍ଡ ଚାରିଦିନ ମଧ୍ୟରେ ମସ୍କୋ ନଗରୀକୁ ଭସ୍ମସାତ୍ କଲା ।
ନେପୋଲିଅନ୍ ବହୁଦିନ ପର୍ଯ୍ୟନ୍ତ ସେଠାରେ ରୁଷିୟା ସମ୍ରାଟ୍ଙ୍କଠାରୁ ପ୍ରତୁ୍ୟତ୍ତର ଆସିବ ବୋଲି ପ୍ରତୀକ୍ଷା କରି ରହିଲେ ; କିନ୍ତୁ କୌଣସି ଉତ୍ତର ନ ଆସିବାରୁ ସେ ଅକ୍ଟୋବର ମାସ ୧୨ ତାରିଖରେ ନିଜ ସୈନ୍ୟବର୍ଗଙ୍କୁ ପ୍ରତ୍ୟାବର୍ତ୍ତନର କରିବାର ଆଦେଶ ଦେଲେ । ଏହି ପ୍ରତ୍ୟାବର୍ତ୍ତନର ଭୀଷଣତା କୌଣସି ଲେଖନୀ ବର୍ଣ୍ଣନା କରିପାରିବନାହିଁ । ରୁଷିୟା ଦେଶୀୟ ଭୟଙ୍କରର ଶୀତର ପ୍ରାଦୁର୍ଭାବ ଯୋଗଁ ପଥମଧ୍ୟରେ ନିତ୍ୟନିତ୍ୟ ଅୟୁତାୟୁତ ଫରାସିସ୍ ସୈନିକ ମୃତ୍ୟୁମୁଖରେ ପତିତ ହେଲେ । ଆମ୍ଭେମାନେ ଏଥିପୂର୍ବେ କହିଅଛୁଁ ଯେ ନେପୋଲିଅନ୍ ପାଞ୍ଚଲକ୍ଷ ସୈନ୍ୟ ଘେନି ରୁଷିୟା ଆକ୍ରମଣ ନିମିତ୍ତ ବହିର୍ଗତ ହୋଇଥିଲେ : କିନ୍ତୁ ଯେତେବେଳେ ଏହି ସୈନ୍ୟ ଫ୍ରାନ୍ସକୁ ବାହୁଡ଼ି ଆସିଥିଲେ, ତେତେବେଳେ ତାହାର ସଂଖ୍ୟା କେବଳ ବଂଶତି ସହସ୍ର ଥିଲା । କି ଭୟଙ୍କର କଥା ! ଜଣକର ଦୁରାକାଙ୍କ୍ଷା ହେତୁରୁ ଲକ୍ଷ ଲକ୍ଷ ଲୋକଙ୍କ ନିଦାରୁଣ ପ୍ରାଣନାଶ ଫଟିଥିଲା ଏବଂ ଲକ୍ଷ ଲକ୍ଷ ପରିବାର ଶୋକସାଗରରେ ନିମଗ୍ନ ହୋଇଥିଲେ ।
ନେପୋଲିଅନ୍ ଆପେ ଆପଣାର ପତନର କାରଣ ଅଟନ୍ତି । ରୁଷିୟା ସହିତ ସଂଗ୍ରାମରେ ପ୍ରବୃତ୍ତ ହୋଇନଥିଲେ ତାଙ୍କର ଅବା ଫ୍ରାନ୍ସ ଦେଶର କିଛିମାତ୍ର ଅମଙ୍ଗଳ ଘଟିନଥାନ୍ତା-। ଏଥିଉତ୍ତାରେ ଇଉରୋପ ମହାଦେଶର ରାଜନ୍ୟବର୍ଗ ନେପୋଲିଅନ୍ଙ୍କ ସର୍ବନାଶ ନିମିତ୍ତ ସଚେଷ୍ଟ ହେଲେ । ପ୍ରୁସିୟା ଏବଂ ରୁଷିୟା ଏକତ୍ରିତ ହୋଇ ଫ୍ରାନ୍ସ ବିରୁଦ୍ଧରେ ସମର ଘୋଷଣା କଲେ । ନେପୋଲିଅନ୍ ଦୁଇଲକ୍ଷ ସେନା ସଂଗ୍ରହ କରି ବିପକ୍ଷ ଦଳକୁ ଲଟଜେନ ନାମକ ସ୍ଥାନରେ ଭେଟିଲେ । ଘୋର ଯୁଦ୍ଧ ହେଲା । ଉଭୟ ପକ୍ଷରୁ ସହସ୍ର ସହସ୍ର ଲୋକ ବିନଷ୍ଟ ହେଲେ । ଉତିମଧ୍ୟରେ ନେପୋଲିଅନ୍ଙ୍କ ଶ୍ୱଶୁର ଅଷ୍ଟୀୟାର ସମ୍ରାଟ୍ ମଧ୍ୟସ୍ଥ ହୋଇ ଉଭୟ ପକ୍ଷଙ୍କ ସମୀପରେ ସନ୍ଧି ପ୍ରସ୍ତାବ କଲେ; କିନ୍ତୁ ନେପୋଲିଅନ୍ ନିଜ ଦୁର୍ବୁଦ୍ଧିତାର ବଶବର୍ତ୍ତୀ ହୋଇ ସନ୍ଧି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ । ଏଥିଉତ୍ତାରେ ଆଉ ଗୋଟିଏ ସଂଗ୍ରାମ ହୋଇଥିଲା । ସେଥିରେ ନେପୋଲିଅନ୍ ଜୟ କରିଥିଲେ ।
ପୂର୍ବକଥିତ ଯୁଦ୍ଧ ଉତ୍ତାରେ ଅଷ୍ଟ୍ରୀୟାର ସମ୍ରାଟ୍ ସନ୍ଧି ପ୍ରସ୍ତାବ କରି ପୁନର୍ବାର ସଧସ୍ଥତା କଲେ ; କିନ୍ତୁ ଅଷ୍ଟ୍ରୀୟାର ରାଜଦୁତ ନେପୋଲିଅନ୍ଙ୍କୁ ତାଙ୍କ କର୍ତ୍ତୃକ ବିଜିତ ହୋଇଥିବା ପ୍ରଦେଶମାନ ପ୍ରତ୍ୟାର୍ପଣ କରିବାପାଇଁ ଅନୁରୋଧ କରିବାରୁ ନେପୋଲିଅନ୍ ଘୃଣା ସହକାରେ ଅଷ୍ଟ୍ରୟାର ପ୍ରସ୍ତାବକୁ ପରିତ୍ୟାଗ କଲେ । ଅଷ୍ଟ୍ରୀୟା ଆପଣାକୁ ଅପମାନିତ ଜ୍ଞାନ କରି ଏବଂ ପୂର୍ବ ଦୁର୍ଦ୍ଦଶା ସ୍ମରଣ କରି ପ୍ରୁସିୟା ଏବଂ ରୁଷିଆ ସହିତ ମିଳିତ ହେଲା । ୧୮୦୩ ଅବ୍ଦର ଅଘଷ୍ଟ ମାସ ୨୬ ତାରିଖ ଦିନ ସମ୍ମିଳିତ ସମ୍ରାଟ୍ମାନଙ୍କ ସୈନ୍ୟ ନେପୋଲିଅନ୍ଙ୍କ ସୈନ୍ୟଙ୍କୁ ଡ୍ରେସଡ଼େନ ନଗର ସମୀପରେ ଭେଟିଲେ । ଏହି ସଂଗ୍ରାମରେ ନେପୋଲିଅନ୍ ଜୟଲାଭ କରିଥିଲେ ; ମାତ୍ର ତଦ୍ଦ୍ୱାରା ଶତ୍ରୁମାନଙ୍କର ବିଶେଷ କ୍ଷତି ହୋଇନଥିଲା । ତେଣୁ ସେମାନେ ନବୀନ ଉତ୍ସାହ ସହ ନେପୋଲିଅନ୍ଙ୍କୁ ସର୍ବତୋଭାବେ ପରାଜୟ କରିବାପାଇଁ ନିଜ ବଳ ପରିବର୍ଦ୍ଧନ କରିବାକୁ ଲାଗିଲେ-। ନେପୋଲିଅନ୍ଙ୍କ ସୈନ୍ୟସଂଖ୍ୟା ଦିନକୁ ଦିନ ଊଣା ହୋଇଆସୁଥିଲା । ଅକ୍ଟୋବର ମାସ ୬ ତାରିଖ ଦିନ ଉଭୟ ପକ୍ଷ ମଧ୍ୟରେ ଘୋର ଯୁଦ୍ଧ ହେଲା ଉତ୍ତାରେ ନେପୋଲିଅନ୍ ପରାସ୍ତ ହେଲେ । ସନ୍ଧିଦ୍ୱାରା ନିଜ ସମ୍ମାନ ଏବଂ ଗୌରବ ରକ୍ଷାକରିବାର ଆଶା ନଥିବାରୁ ନେପୋଲିଅନ୍ ଫ୍ରାନ୍ସକୁ ପ୍ରତ୍ୟାଗମନ କଲେ ।
ରାହିନ୍ ନଦୀ ଉତ୍ତୀର୍ଣ୍ଣ ହେବା ସମୟରେ ସେ ଦେଖିଲେ ଯେ ତିନିଲକ୍ଷ ପଞ୍ଚାଶ ସହସ୍ର ସୈନିକ ମଧ୍ୟରୁ କେବଳ ସୁତରୀ ହଜାର ମାତ୍ର ଅବଶିଷ୍ଟ ଅଛନ୍ତି । ତାଙ୍କର ପ୍ରତ୍ୟାବର୍ତ୍ତନ ଦେଖି ସନ୍ଧିବଦ୍ଧି ମିତ୍ର ରାଜବୃନ୍ଦ ତାଙ୍କୁ ବନ୍ଦୀ କରିନେବା ଅଭିପ୍ରାୟରେ ସସୈନ୍ୟରେ ତାଙ୍କର ଅନୁଧାବନ କଲେ ; କିନ୍ତୁ ନେପୋଲିଅନ୍ କୌଶଳ ସହକାରେ ଏବଂ ଦ୍ରୁତବେଗରେ ପାରୀ ନଗରରେ ପ୍ରବିଷ୍ଟ ହେଲେ । ଏହି ସମୟରେ ଶତ୍ରୁବୃନ୍ଦ ଚତୁର୍ଦ୍ଦିଗରୁ ଫ୍ରାନ୍ସକୁ ଆକ୍ରମଣ କରିବାକୁ ଲାଗିଲେ । ନେପୋଲିଅନ୍ ଏପରି ସଂକଟକାଳରେ ସୁଦ୍ଧା ଭୀତ ଅଥବା କାତର ହୋଇନଥିଲେ । ନିଜ ରାଣୀ ଏବଂ କୁମାରଙ୍କ ରକ୍ଷାଭାର ପାରୀ ନଗରବାସୀଙ୍କ ହସ୍ତରେ ସମର୍ପଣ କରି ନେପୋଲିଅନ୍ ପୁନର୍ବାର ଶତ୍ରୁ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ଏହି ସଂଗାମରେ ସେ ଯେପରି ଅଦ୍ଭୁତ କୌଶଳ, ସୁଦୃଢ଼ ସଂକଳ୍ପ, ଅକ୍ଷୟ ବୀର୍ଯ୍ୟ ଏବଂ ଅଜେୟ ସାହସ ପ୍ରଦର୍ଶନ କରିଥିଲେ, ତାହାକୁ ଅତିମାନୁଷ କହିଲେ ସୁଦ୍ଧା ଅତ୍ୟୁକ୍ତି ହେବ ନାହିଁ । ପୃଥିବୀର ଇତିହାସରେ ଏପରି ଶୌର୍ଯ୍ୟର ଉଦାହରଣ ଅତ୍ୟନ୍ତ ବିରଳ; କିନ୍ତୁ ଏବେ ନେପୋଲିଅନ୍ଙ୍କ ଭାଗ୍ୟରବି ଅସ୍ତମିତ ହୋଇଥିଲା । ସେ ଯେତେ ଯତ୍ନ କଲେହେଁ ନିଜ ପତନ ନିବାରଣ କରିପାରିଲେ ନାହିଁ ।
୧୮୧୪ ଅବ୍ଦ ଏପ୍ରିଲ୍ ମାସରେ ଶତ୍ରୁବୃନ୍ଦ ପାରୀ ନଗରୀ ଅଧିକାର କରି ତାଙ୍କୁ ବନ୍ଦୀକଲେ । ନେପୋଲିଅନ୍ ଏତେବେଳେ ଅସହାୟ ଏବଂ ସର୍ବପରିତ୍ୟକ୍ତ ହୋଇଥିଲେ । ଶତ୍ରୁମାନଙ୍କ ଆଜ୍ଞାକ୍ରମେ ତାହାଙ୍କୁ ଫ୍ରାନ୍ସ ଏବଂ ଇତାଲୀର ରାଜତ୍ୱ ପରିତ୍ୟାଗ କରିବାକୁ ହେଲା । ପାରୀ ନଗରୀରୁ ବାହାରିବାବେଳେ ତାଙ୍କର ପ୍ରାଚନୀ ସୈନିକମାନେ ତାଙ୍କଠାରୁ ବିଦାୟ ଗ୍ରହଣ କରିବାପାଇଁ ରାଜପ୍ରାସାଦ ସମ୍ମୁଖରେ ଉପସ୍ଥିତ ଥିଲେ । ନେପୋଲିଅନ୍ ସେମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ବନ୍ଧୁବର୍ଗ ! ସମସ୍ତ ଇଉରୋପ ମୋ ବିରୁଦ୍ଧରେ ଅସ୍ତ୍ରଧାରଣ କରିଅଛି । ଫ୍ରାନ୍ସ ମଧ୍ୟ ମୋତେ ପରିତ୍ୟାଗ କରି ଅନ୍ୟ ଜଣେ ସମ୍ରାଟ୍ଙ୍କୁ ମନୋନିତ କରିଅଛି । ମୋହର ଦୁଃଖ ନିମିତ୍ତ ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ । ନୂତନ ସମ୍ରାଟ୍ଙ୍କୁ ଯଥୋଚିତ ରାଜଭକ୍ତି ପ୍ରଦାନ କରି ସୁଖୀ ହୁଅ । ମୁଁ ତୁମ୍ଭ ସମସ୍ତଙ୍କୁ ଆଲିଙ୍ଗନ କରିପାରିବ ନାହିଁ ; ସୁତରାଂ ମୁଁ କେବଳ ତୁମ୍ଭର ସେନାପତିଙ୍କୁ ଆଲିଙ୍ଗନ କରୁଅଛି । ତୁମ୍ଭର ପ୍ରିୟ ପତାକା ମୋର ନିକଟକୁ ଆନୟନ କର । ମୁଁ ତାହାକୁ ଥଣେ ଚୁମ୍ବନ କରିଥାଏ । ତୁମ୍ଭେମାନ ଥରେ ମୋତେ ବେଷ୍ଟନ କରି ଦଣ୍ଡାୟମାନ ହୁଅ । ଆହା ! ଏ ଦୃଶ୍ୟ ମୁଁ କଦାପି ପାସୋରି ପାରିବି ନାହିଁ । ହେ ଶୂରବୃନ୍ଦ ! ମୁଁ ଏବେ ତୁମ୍ଭମାନଙ୍କଠାରୁ ବିଦାୟ ପ୍ରାର୍ଥନା କରୁଅଛୁ ।’’
ନେପୋଲିଅନ୍ ଫ୍ରାନ୍ସର ରାଜସିଂହାସନ ପରିତ୍ୟାଗ କରିବାରୁ ଏଲ୍ବା ଦ୍ୱୀପରର ରାଜପଣ ତାଙ୍କଠାରେ ଅର୍ପିତ ହେଲା ଏବଂ ସମ୍ରାଟ୍ପଦର ଉପଯୁକ୍ତ ବାର୍ଷିକ ବୃତ୍ତି ତାହାଙ୍କୁ ଦେବାର ଅବଧାରିତ ହେଲା । ଗୋଟିଏ ଇଂରାଜ ପୋତରେ ସେ ଏଲ୍ବା ଦ୍ୱୀପକୁ ନୀତ ହୋଇ ସେଠାରେ ସେ ମାସ ୪ ତାରିଖରେ ଉପସ୍ଥିତ ହେଲେ । ଉକ୍ତ କ୍ଷୁଦ୍ର ଦ୍ୱୀପର ଉନ୍ନତି ନିମିତ୍ତ ସେ ଅବିଶାନ୍ତ ଯତ୍ନ କରି ବାଣିଜ୍ୟର ଶୀବୃଦ୍ଧି ଏବଂ ପ୍ରଜାମାନଙ୍କ ସୁଖବର୍ଦ୍ଧନାର୍ଥ ନାନା ଉପାୟମାନ ଉଦ୍ଭାବନ କରିବାକୁ ଲାଗିଲେ । ଏହିଭାବରେ କତିପୟ ମାସ ଅତୀତ ହେଲା ଉତ୍ତାରେ ଫ୍ରାନ୍ସର ରାଜସିଂହାସନ ଲାଭ କରିବାର ଆକାଙ୍କ୍ଷା ତାଙ୍କ ହୃଦୟରେ ପୂନର୍ବାର ଜାଗ୍ରତ ହେଲା । ଫ୍ରାନ୍ସର ତତ୍କାଳୀନ ଅବସ୍ଥା ମଧ୍ୟ ତାଙ୍କ ଅଭିଳାଷର ଅନୁକୂଳ ଥିଲା । ନୂତନ ସମ୍ରାଟ୍ ଲୁଇ ବୃଦ୍ଧ, ନିର୍ବୋଧ ଏବଂ ଏକାନ୍ତ ଅସମର୍ଥ ଥିଲେ । ସୁତରାଂ ଫ୍ରାନ୍ସବାସୀମାନେ ତାଙ୍କ ପ୍ରତି ଅତ୍ୟନ୍ତ ବିରକ୍ତି ହୋଇଥିଲେ । ନେପୋଲିଅନ୍ ଏହି ସୁଯୋଗ ପାଇ ଏଲ୍ବା ଦ୍ୱୀପରୁ ନିଶୀଥକାଳରେ କତିପାୟ ବନ୍ଧୁ ସମଭିବ୍ୟାହାରରେ ପଳାୟନ କରି ଆସିଲେ ଏବଂ ୧୮୧୫ ଅବ୍ଦର ମାର୍ଚ୍ଚ ମାସ ପ୍ରଥମ ଦିନ ଫ୍ରାନ୍ସ ଭୂମିରେ ପୁନର୍ବାର ପଦାର୍ପଣ କଲେ । ତାଙ୍କ ପ୍ରବେଶ ମାତ୍ରକେ ସହସ୍ର ସହସ୍ର ଫରାସିସ୍ ତାଙ୍କୁ ଆନନ୍ଦସହକାରେ ଗ୍ରହଣ କଲେ । ପଥମଧ୍ୟରେ ଯାଉ ଯାଉ ତାଙ୍କ ସୈନ୍ୟସଂଖ୍ୟା ପରିବର୍ଦ୍ଧିତ ହେବାକୁ ଲାଗିଲା । ଲିଅନ୍ସ ନଗରରେ ଉପସ୍ଥିତ ହୋଇ ରାଜକାର୍ଯ୍ୟ ଭାର ଗ୍ରହଣ କରି ନେପୋଲିଅନ୍ ନିଜ ସୈନ୍ୟବର୍ଗଙ୍କୁ କହୀଲେ, ‘‘ସୈନିକବର୍ଗ !
ଯେଉଁ ପତାକା ଧାରଣ କରି ନେପୋଲିଅନ୍ ନିଜ ସୈନ୍ୟବର୍ଗଙ୍କୁ କହିଲେ, ‘‘ସୈନିକବର୍ଗ ! ଯେଉଁ ପତାକା ଧାରଣ କରି ତୁମ୍ଭେମାନେ ଅଷ୍ଟରଲିଜ୍ ଏବଂ ଜେନା ପ୍ରଭୃତି ସଂଗ୍ରାକ୍ଷେତ୍ରରେ ଶତ୍ରୁମାନଙ୍କୁ ଜୟ କରିଥିଲେ, ଏବେ ସେହି ପତାକା ଧାରଣ କର । ଯେଉଁ ସେନାପତି ସଙ୍ଗରେ ତୁମ୍ଭେମାନେ ଭିଏନା, ରୋମ, ବର୍ଲିନ, ମାଡ୍ରିଡ଼ ଏବଂ ମସ୍କୋ ପ୍ରଭୃତି ରାଜଧାନୀମାନ ଅଧିକାର କରିଥିଲେ, ଆଜି ସେହି ସେନାପତି ତୁମ୍ଭମାନଙ୍କୁ ସମ୍ମୁଖରେ ଦଣ୍ଡାୟମାନ-। ଏବେ ସେହି ସେନାପତି ସଙ୍ଗରେ ବିଜୟ-ପତାକା ହସ୍ତରେ ଘେନି ତୁମ୍ଭମାନଙ୍କୁ ରାଜଧାନୀ ପ୍ରତି ପ୍ରୟାଣ କରିବାକୁ ହେବ ।’’ ତାଙ୍କର ଅଗ୍ନିମୟ ବାଗ୍ମିତାପରିପୂରିତ ବାଣୀପରମ୍ପରା ଶ୍ରବଣ କରି ଫ୍ରାନ୍ସର ହୃଦୟ ପରିବର୍ତ୍ତିତ ହୋଇଗଲା । ନେପୋଲିଅନ୍ ମାର୍ଚ୍ଚ ମାସ ୨୦ ତାରିଖରେ ପାର ନଗରୀରେ ଅପୂର୍ବ ଉଲ୍ଲାସ ଏବଂ ଭକ୍ତି ସହକାରେ ଗୃହିତ ହୋଇ ପୁନର୍ବାର ରାଜପ୍ରାସାଦ ମଧ୍ୟରେ ଅବସ୍ଥାନ କରିବାକୁ ଲାଗିଲେ । ବୃଦ୍ଧ ସମ୍ରାଟ୍ ଲୁଟ ଏଥିପୂର୍ବରୁ ପାରୀ ନଗରୀରୁ ପଳାୟନ କରିଥିଲେ ।
ନେପୋଲିଅନ୍ଙ୍କ ପୁନଃପ୍ରବେଶ ବାର୍ତ୍ତା ଶ୍ରବଣ କରି ସମସ୍ତ ଇଉରୋପ ଚକିତ ହୋଇଗଲା । ଅଷ୍ଟ୍ରୀୟା, ରୁଷିୟା ଏବଂ ପ୍ରୁସିୟା ପୁନର୍ବାର ଯୁଦ୍ଧ ନିମିତ୍ତ ସୁସଜ୍ଜିତ ହେଲେ । ଇଂଲଣ୍ଡ ମଧ୍ୟ ଏମାନଙ୍କ ସଙ୍ଗେ ସମ୍ମିଳିତ ହେଲା । ନେପୋଲିଅନ୍ ତିନି ଲକ୍ଷ ସୈନ୍ୟ ସଂଗ୍ରହ କରି ସମରଭୂମିରେ ପୁନର୍ବାର ଅବତୀର୍ଣ୍ଣ ହେଲେ । ଉଏଲିଂଟନ ନାମକ ଇଂଲଣ୍ଡୀୟ ସେନାପତି ସମ୍ମିଳିତ ଶତ୍ରୁମାନଙ୍କର ସର୍ବଶ୍ରେଷ୍ଠ ସେନାନାୟକ ପଦରେ ନିଯୁକ୍ତ ହୋଇଥିଲେ । ପ୍ରଥମରେ ଦୁଇଗୋଟି ଯୁଦ୍ଧରେ ବିପକ୍ଷ ଦଳକୁ ପରାସ୍ତ କରିଥିଲେ; କିନ୍ତୁ ପରିଶେଷରେ ଚରମ ସଂଗ୍ରାମର ଦିବସ ଉପସ୍ଥିତ ହେଲା । ୧୮୧୫ ଅବ୍ଦର ଜୁନ୍ ମାସ ୧୮ ତାରିଖ ଦିନ ଉଭୟ ପକ୍ଷ ଉଆଟରଲୁ ନାମକ ବିଖ୍ୟାତ ରଣକ୍ଷେତ୍ରରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ନିମନ୍ତେ ଉପସ୍ଥିତ ହେଲେ । ଯୁଦ୍ଧର ପ୍ରାରମ୍ଭ ଏବଂ ମଧ୍ୟରେ ଉଭୟପକ୍ଷ ସମାନଭାବରେ ଯୁଦ୍ଧ କରିଥିଲେ; କିନ୍ତୁ ପରିଶେଷରେ ନେପୋଲିଅନ୍ଙ୍କର ଜଣେ ସେନାପତି ସ୍ୱୀୟ ସେନା ସହିତ ଯୁଦ୍ଧକ୍ଷେତ୍ରରେ ଅନୁପସ୍ଥିତ ହେବାରୁ ଏବଂ ବିପକ୍ଷ ଦଳର ସଂଖ୍ୟା ପରିବର୍ଦ୍ଧିତ ହେବାରୁ ନେପୋଲିଅନ୍ ପରାସ୍ତ ହେଲେ । ତାଙ୍କର ସୌଭାଗ୍ୟ-ସୂର୍ଯ୍ୟ ଚିରକାଳ ପାଇଁ ଅସ୍ତମିତ ହେଲା ।
ନେପୋଲିଅନ୍ ପରାଜୟ ଉତ୍ତାରେ ପାରୀ ନଗରୀକୁ ଲେଉଟି ଆସିଲେ । ତାଙ୍କର ସମସ୍ତ ଆଶାଭରସା ବର୍ତ୍ତମାନ ବିଲୁପ୍ତ ହେଲା । ପ୍ରତିନିଧି ସଭାକର୍ତ୍ତୃକ ଆଦିଷ୍ଟ ହୋଇ ସେ ସମ୍ରାଟ୍ପଦ ପରିତ୍ୟାଗ କଲେ । ପଦ ପରିତ୍ୟାଗ କାଳରେ ସେ ଏହିଭାବରେ ଗୋଟିଏ ଘୋଷଣା ପ୍ରଚାର କରିଥିଲେ ‘‘ ଆମ୍ଭେ ଫ୍ରାନ୍ସ ଦେଶର ସ୍ୱାଧିନତା ରକ୍ଷା ନିମିତ୍ତ ବିଗତ ଯୁଦ୍ଧରେ ପ୍ରବୃତ୍ତ ହୋଇଥିଲୁଁ । ଜୟଲାଭର ଆଶା ମଧ୍ୟ ଥିଲା । ଆମ୍ଭେ ଆଶା କରିଥିଲୁ ଯେ ସମସ୍ତ ଫ୍ରାନ୍ସ ଆମ୍ଭର ପୃଷ୍ଠପୂରକ ହେବ ; କିନ୍ତୁ ଏ ଆଶାରେ ଆମେ ନିରାଶ ହୋଇଅଛୁଁ । ସେ ଯାହା ହେଉ, ଆମ୍ଭେ ବର୍ତ୍ତମାନ ରାଜପଦ ପରିତ୍ୟାଗ କରି ଆଦେଶ କରୁଅଛୁଁ ଯେ ଆମ୍ଭର ପୁତ୍ର ଦ୍ୱିତୀୟ ନେପୋଲିଅନ୍ ଫ୍ରାନ୍ସର ରାଜସିଂହାସନରେ ଅଧିରୂଢ଼ ହେବେ ।’’
ଏଥିଉତ୍ତାରେ ଫ୍ରାନ୍ସ ଦେଶ ପରିତ୍ୟାଗ କରିବାପାଇଁ ଆଦିଷ୍ଟ ହେବାରୁ ନେପୋଲିଅନ୍ ଆମେରିକାକୁ ପ୍ରସ୍ଥାନ କରିବାର ସଂକଳ୍ପ କଲେ ; ମାତ୍ରଚତୁର୍ଦ୍ଦିଗରେ ଶତ୍ରୁକର୍ତ୍ତୃକ ବେଷ୍ଟିତ ହୋଇ ଏବଂ ପଳାୟନ କରିବାର ଉପାୟାନ୍ତର ନ ଦେଖି ଜୁଲାଇ ମାସ ୧୫ ତାରିଖରେ ଜଣେ ଇଂରାଜ ପୋତାଧ୍ୟକ୍ଷ ହସ୍ତରେ ଆପଣକୁ ସମର୍ପଣ କଲେ । ତାଙ୍କର ଆଶା ଥିଲା ଯେ ଇଂରାଜ ଗଭର୍ଣ୍ଣମେଣ୍ଟ ତାଙ୍କର ପତନ ଦେଖି ଶତ୍ରୁଭାବ ପରହାର କରି ତାଙ୍କପ୍ରତି ଉଦାର ବ୍ୟବହାର କରିବେ ; କିନ୍ତୁ ତାଙ୍କର ଏହି ମଧୁର ଭ୍ରାନ୍ତି ଶୀଘ୍ର ବିଦୂରିତ ହୋଇଥିଲା । ଇଂରାଜ ଗଭର୍ଣ୍ଣମେଣ୍ଟ ତାଙ୍କୁ ଯାବଜ୍ଜୀବନ କାରାରୁଦ୍ଧ କରିବା ଅଭିପ୍ରାୟରେ ଗୋଟିଏ ରଣତରୀରେ ବସାଇ ଆଟଲାଣ୍ଟିକ୍ ମହାସାଗରସ୍ଥିତ ସେଣ୍ଟ୍ହେଲେନା ନାମକ ଦ୍ୱୀପକୁ ପ୍ରେରଣ କଲେ । ଏହି ଦ୍ୱୀପରେ ଅବସ୍ଥାନ କାଳରେ ତାଙ୍କପ୍ରତି କଠୋର ବ୍ୟବହାର ପ୍ରଦର୍ଶିତ ହୋଇଥିଲା; ତେଣୁ ତାଙ୍କ ଜୀବନର ଚରମ ଭାଗ ଅତିଶୟ କଷ୍ଟରେ ଅତିବାହିତ ହୋଇଥିଲା । ନେପୋଲିଅନ୍ ୧୮୨୧ ଖ୍ରୀଷ୍ଟାବ୍ଦ ମେ ମାସର ପଞ୍ଚମ ଦିନରେ ମାନବଲୀଳା ସମ୍ୱରଣ କଲେ ।
ତୃତୀୟ ପ୍ରସ୍ତାବମଧୁସୂଦନ ରାଓ ବର୍ତ୍ତମାନ ଶିକ୍ଷାପ୍ରଣାଳୀମଧୁସୂଦନ ରାଓ ମଧୁସୂଦନ ରାଓ