ନଅତୁଣ୍ଡୀ
କୁନ୍ତଳା କୁମାରୀ ସାବତ · ଭାଗ ୨ / ୨ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
ମାତ୍ର ଲୋକା ଜାତିକି କୋଉ ଖାତର କରେ । ତା’ ଭାରିଯା ଚିଡ଼ିଚିଡ଼ି ହେଲାରୁ କହିଲା, ‘‘ମ, ଏଣ୍ଡୁରୁ ସାଇବ କଣା, ମୋ’ ଆଣ୍ଠୁ ଆଡ଼ୁ ବୁଝାମଣା;’’ ଏଇ ଅଲ୍ହୀଆ ଜାତିକି ମୁଁ ଡରିବି । ଲୋକେ ମଦ ଗଞ୍ଜେଇ ଖାଇଲେ ତାଙ୍କ ଜାତି ଯାଉନାହିଁ । ରାଣ୍ଡ ଅରଖିତଙ୍କ ଜମିବାଡ଼ି ବୁଡ଼େଇ ଦେଲେ ତାଙ୍କୁ ପାଞ୍ଚ ପଞ୍ଚୁରୁ ସଜା ନାହିଁ । ଲୋକ ଦି’ଟାକୁ ଆଶ୍ରା ଦେଲାରୁ ହେଲା ମୋର ମହାପାପ-। ଥାଉନ୍ତୁ ତାଙ୍କ ଜାତି ନେଇ ସେହିମାନେ । ମୁଁ ତାଙ୍କୁ ଡରେ ନାହିଁ । ତା’ ଭାରିଯା ଚୂପ । ଏଗାରତୁଣ୍ଡୀ, ନଅତୁଣ୍ଡୀ ସକାଶେ ଲୋକନାଥ ଜାତିରୁ ଅଟକ ହେଉଛି, ଏ କଥା ଜମିଦାର ବାବୁ ଶୁଣିପାରିଲେ । ଦିନେ ଲୋକନାଥକୁ କହିଲେ, ଚାଲ ଗୋଟାଏ ମଉଜ କରିବା ନଅତୁଣ୍ଡୀ ଯେମିତି ଖୋରଣୀ ତାକୁ ଠିକ ସେମିତି ଗୋଟିଏ ବର କରି ବାହା ଦେଇ ଦବା । ତମ ଉପରୁ ବୋଝ ଭାରଟା ଯିବ । ଲୋକନାଥବାବୁର ଆଗ କଥା ମନେ ପଡ଼ିଗଲା । କିନ୍ତୁ ସେ ହଉଛନ୍ତି ମୁନିବ ତାଙ୍କୁ କଣ କହି ହବ । କହିଲା, ‘‘ହଉ ଆଜ୍ଞା ସତକଥା, ରତନୀ ବାହା ହେଇ ଗଲେ ଜଞ୍ଜାଳ ଯାଏ ।’’ ହେଲେ ଏଡ଼େ ଖୋରଣୀକୁ ସତରେ କିଏ ବାହା ହବ ଭାବିଲା । ବାବୁ ତା’ ମନ କଥା ଜାଣିପାରି କହିଲେ, ‘‘ଲୋକନାଥ, ଆମ ରଇତ ଭିତରୁ ଗୋଟାଏ ଚଷା ଟୋକା ଦେଖି ବାହାକରି ଦବା । ମୁଁ ପଛେ ତାକୁ ଦି’ମାଣ ଜମି ଯଉତୁକ ଦେବି । ଗୋଟାଏ ପୂଣ୍ୟ କାର୍ଯ୍ୟତ ହବ । ଲୋକନାଥର ଏଥିରେ ନାହିଁ କରିବାର କଣ ଥିଲା ?
ବାବୁ କଥା ଠିକଣା ହେଲା । ଲୋକନାଥ ଘରକୁ ଆଇଲା । ତା’ ଭାର୍ଯ୍ୟା ଏ କଥା ଶୁଣି ରତନୀ କାନରେ ପକେଇଲା । ସେତ ରାଗରେ ଗୋଟାକୁ ଗୋଟା । ତାକୁ ପୁଣି ବାହା ହବ ଏଡ଼େ ଛାତି କାହାର ? ତା’କଥାରେ ସାରଦାର ଦେହ ଜଳି ଗଲା । ତା’ ସକାଶେ ଏମାନେ ଏକଘରକିଆ ଏ କଥା ସାରଦା ମୋଟେ ଭୁଲି ପାରୁ ନ ଥାଏ । ତା’ ଇଚ୍ଛା ହେଉଥାଏ ଏଇକ୍ଷଣି ରତନୀ କି ପୁଣି ଘରୁ ତଡ଼ିଦବ । ହେଲେ ସ୍ୱାମୀ ମୁହଁକୁ ଚାହିଁ ଆଉ କିଛି କହିପାରୁ ନ ଥାଏ । ମାତ୍ର ଲୋକା ଶାଶୁ ବା କାହିଁକି ସହିବ ? ସେ ଆଉ ସମ୍ଭାଳି ପାରିଲା ନାହିଁ । ଝିଅକୁ ଦେଖେଇ କହିଲା, ‘‘ଏ ସବୁ ଅର୍ଖିତ ଟାଣ, ଥୋଇ ଦଉ ତା’ ବୋପା ଭାଇ ଘରେ ଏଠି ମୋ’ ଝିଅ ଉପରେ କର୍ତ୍ତାପଣିଆ କରିବାକୁ କିଏ କହିଲା ମ ଅଇଁଠା ଖାଇକି ? ରତନୀ ବଡ଼ ଛୋଟ ମାନିବା ଜନ୍ତୁ ନୁହେଁ । ସେ ବି ବୁଢ଼ୀକି ଖୁବ୍ ବତେଇଲା । ଶେଷକୁ ରାଗରେ ରତନୀ ଘରୁ ବାହାରି ଗଲା । ଗେହ୍ଲୀ ଯାଇଥାଏ ଏ ଆର ଗାଁକୁ ଧାନ କୁଟି । ଲୋକା ସାହିରେ, କାହା ଘରକୁ ବୁଲି ଯାଇଥାଏ । ରାତି ନଅଟା ବେଳକୁ ଆସି ଶୁଣିଲା ରତନୀ ଘରୁ ବାହାରି ଗଲାଣି । ତାକୁ ଅନ୍ଧାର ଦୁଶିଲା । କାଲି ତା’ ବାହାଘର ଆଜି କନିଆ ପଳେଇଲାଣି, ବାବୁ କଣ ଭାବିବେ, ତାଙ୍କ ସାଙ୍ଗେ ଥଟା କରୁଛି । ବଡ଼ ବ୍ୟସ୍ତ ହୋଇ ଭାର୍ଯ୍ୟାକୁ ବକି ବକି ଲଣ୍ଠଣ ଧରି ଖୋଜି ବାହାରିଲା । ଗେଲ୍ହୀ ଆସି ଏ ଖବର ଶୁଣି କୋହକୁ ମାରିବ କି ତାରିବ-। ସେ ବି ଲୋକା ସାଙ୍ଗେ ବାହାରିଲା । ଘଡ଼ିଏ ଖଣ୍ଡେ ଏଣେ ତେଣେ ଖୋଜୁ ଖୋଜୁ ଆମ୍ୱ ତୋଟାରେ ତାକୁ ପାଇଲେ । କଇଁ ଫୁଲପରି ଜହ୍ନ ପଡ଼ିଛି । ସୋରିଷ ବୁଣି ଦେଲେ ଖୁଣ୍ଠି ହେଇଯିବ-। ଗୋଟାଏ ଆମ୍ୱଗଛ ମୂଳେ ଏକାଟିଆ ରତନୀ ବୁଲୁଥାଏ । ଏମିତି ଜାଗାକୁ ଯିବାକୁ ପୁରୁଷ ଡରିବେ । ରାଗରେ ତାର ଡରଭୟ ନ ଥାଏ । ଲୋକନାଥ କେତେ କୁହା ପୋଛା କରି ଶେଷକୁ ହାତ ଧରି ତାକୁ ଘରକୁ ନେଲା । ସେତେବେଳକୁ ରାତି ବାରଟା । ଦୁହେଁ ଘରକୁ ଗଲେ । ଏଣେ ସାରଦା ମୁହଁ ଫୁଲେଇ ବସିଥାଏ । ସଭିଙ୍କି ବୁଝାଉ ବୁଝାଉ ରାତି ତିନିଘଡ଼ି ହେଲା ।
ସେ ଦିନ ଉଠୁ ଉଠୁ ତାଙ୍କୁ ବେଳ ପ୍ରାୟ ଆଠଟା ହେଲା । ଏମିତି ସମୟରେ ଗୋଟିଏ ଲୋକ ଆସି ହାଜର । ଲୋକା ତ ତାକୁ ଘଡ଼ିଏ ଖଣ୍ଡେ ଏକା ଦୃଷ୍ଟିରେ ଅନେଇ ରହିଲା । ଚଷା ଚାଷେଣ୍ଡିୟା ଚେହେରା, ଭୂତ ମୁଣ୍ଡିଆ, ଖଣ୍ଡେ ଲେଙ୍ଗୁଟି ମାରିଛି, କଳା ମୁସୁମୁସୁ ଚେହେରା । ଆସି ହଠାତ୍ ଲୋକା ଗୋଡ଼ ତଳେ ଲମ୍ୱଦଣ୍ଡା ହୋଇ ପଡ଼ିଗଲା । ଲୋକା ଏକାବେଳେ ହତବୁଦ୍ଧି । ଲୋକଟା ହଠାତ୍ ଉଠି ବାୟାଙ୍କ ପରି ସ୍ୱରରେ କହିଲା, ମଣିମା, ସାଆନ୍ତେ ମେତେ ବଟେଇଛନ୍ତି ବା’ ହବାକୁ ମୋ’ ନାଁଟି ଫକିରା ମୋ’ ବାପା ନାଁଟି ଭିକାରିଆ, ମୋ’ ଜେଜେବାପା ନାଁଟି ଭରତିଆ ମୋ’ ଅଣ ଜେଜିବାପ ନାଁଟି ଆରତିଆ, ମୋ’ ପଣ ଜେଜିବାପ ନାଁଟି ସାରତିଆ- ‘‘ଲୋକା ତା’ ସ୍ୱରରେ ଚିଡ଼ି ଉଠି ଗୋଡ଼ରୁ ଖଡ଼ଉ କାଢ଼ିଲା । ମାରିବାକୁ ଗୋଡ଼ାଇଗଲା । ବର ଖଣ୍ଡେ ଦୂର ଦୌଡ଼ି ଯାଇ, ପୁଣି ନେଉଟି ଆଇଲା । ଲୋକନାଥ ସେତେବେଳକୁ ଭିତରକୁ ପଶି ଗଲାଣି । ଲୋକଟା ଆସି ଦୁଆରେ ଡାକିଲା । ଗେଲ୍ହୀ ବାହାରି ପଇଲା । ତା’ ବିଭୀଷଣ ମୂର୍ତ୍ତି ଦେଖି ଗେଲ୍ହୀ ଆଉ ସମ୍ଭାଳି ନ ପାରି କହିଲା, ‘‘ମାଁ ଲୋ କି ଅପରଛିନୀୟା ଅବରଜିୟାଟା ଏ କୋଉ ଗାଢ଼ରୁ ଉଠିଆଇଛି ।’’ ଲୋକଟା କଟମଟ ହେଇ ଗେଲ୍ହୀ ମୁହଁକୁ ଦଣ୍ଡେକାଳ ଚାହିଁ କହିଲା, ‘‘ମୁଁ ବା’ ହବାକୁ ଆଇଚି ।’’
ଗେଲ୍ହୀ ଘୃଣାରେ ମୁହଁ ବୁଲେଇ ଦେଇ କହିଲା ତୁ ଛତରାଟା କାହାକୁ ବାହା ହବୁକିରେ? ‘‘ତୋର ଯୋଉ ରୂପ ଲୋକେ ଖାଲି ଧାଇଁ ପଡ଼ିବେ ଝୁଅ ଦବାକୁ । ଗେଲ୍ହୀ ଆଉ କଣ କହିଥାନ୍ତା, ବରଟା ତ ଦୁମକିନା ତା ଗୋଡ଼ ତଳେ ପଡ଼ିଗଲା । ବଡ଼ ପାଟି କରି କହିଲା, ‘‘ମାଉସୀ ଲୋ ମୁଁ ବା’ ହବାକୁ ଆଇଚି, ଆଖି ଛୁଁ ଚି ମୁ ବା ହବାକୁ ଆଇଚି, ଦାନ୍ତରେ କୁଟା ହଉଚି ମୁଁ ବା’ହବାକୁ ଆଇଚି, ତୋ’ରାଣ ମୁଁ ବାହା ହବାକୁ, ତୋ’ ଗୁରସ୍ତରାଣ ମୁଁ ବା’ହବାକୁ ଆଇଚି, ତୋ’ଝିଅ ରାଣ ମୁଁ ବା’ ହବାକୁ ଆଇଚି; ତୋ’ ପୁଅ ରାଣ-’’ ଗେଲ୍ହୀ ଆଉ ସହି ପାରିଲାନାହିଁ, ଝାଡ଼ୁରେ ଦି’ ପାହାର ଦେଲା, ଗୋଡ଼ରେ ଗଡ଼େଇ ଦେଇ ପାଟି କରି କହିଲା ‘‘ମଲା ମୋର ଅଫଳାଟା ନିଆଁ ଲଗାଟା,’’ ତା’ ପାଟିରେ ଲୋକା ବି ଦଉଡ଼ି ଆଇଲା, ରତନୀ ବି ଦଉଡ଼ି ଆଇଲା । ସେତେବେଳକୁ ଲୋକଟା ‘‘ବାପ ଲୋ ମାଁ ଲୋ, ହାଡ଼ ଭାଙ୍ଗିଲା ଲୋ କହି ଏଡ଼େ ପାଟି କଲା ଯେ ସାଇଯାକ ଦଉଡ଼ି ଆଇଲେ-। ସେମାନେ ତ ୟାକୁ ଦେଖି ଅବାକ୍ । ଏମିତି ଅପରଛନ୍ନ ମୂର୍ତ୍ତି, ଯମଦୂତପରି ଚେହରା ଦେଖି ପିଲାଏ ବି ଡରିଗଲେ । ତାଙ୍କ ଡର ଦେଖି ସେ ତାଙ୍କ ପଛେ ପଛେ ଗୋଡ଼େଇଲା । ବଡ଼ ପାଟିରେ ହସିଲା, ତା’ ମୁହଁରୁ ନାଳ ବୋହି ପଡ଼ୁଥାଏ । ଏଠି କଚାଡ଼ି ହ, ସେଠି ବାଡ଼େଇ ହ, ଯା ଗୋଡ଼ ଧ’, ତା’ ଗୋଡ଼ ଧ’ ଲୋକ ଥାଟ ପଟାଳି ଜମିଗଲେ । ସେ ବାହୁନି ନାଗିଚି, ଆଉ କାନ୍ଦୁଚି;
ଆରେ ମାଇଲେ ଲୋ, ହାଡ଼ ଭାଙ୍ଗିଲେ ରକ୍ଷାକର ରକ୍ଷାକର ।
ପୋଡ଼ି ଯାଉ କିନାଁ ବାହାଘର ।
ଶାଶୁ ମୋ’ ବାଘୁଣୀ, ଭାରିଯା ନାଗୁଣୀ
ମଲାଣୀ ଶଶୁର ବିଦିଆଧର । ଆରେ ଗାଁ ବାଲା ରକ୍ଷାକର ।
ତା’ କାନ୍ଦ ତା’ ଢଙ୍ଗରେ ଲୋକେ କିଛି ବେଳ ଛିଡ଼ାହେଇଗଲେ । ଗେଲ୍ହୀ ତାକୁ, ତୁଚ୍ଛା ବାୟାଟାକୁ, ଝାଡ଼ୁରେ ପିଟିଛି, ଏକଥା କେହି ସହ୍ୟ କରିପାରିଲେ ନାହିଁ । ଲୋକା ଭାରି ରାଗିଯାଇ କହିଲା, ‘‘ତୋର ମାଉସୀ ଏ କି ଗୁଣ ! ଲୋକଟା ତୋ’ ଝିଅକୁ ବାହାହବ କହିଲା ମାତ୍ରେ କଣ ବା’ ହେଇଯାଉଛି ନାଁ ସତେ ଆମେ ଦେଇ ଦଉଚେ ।’’
ଲୋକା କଥାରେ ବାୟା ଭାରି ଖୁସି । ହାତ ହଲେଇ ମୁଣ୍ଡ ହଲେଇ କହିଲା, ‘‘ଯାଇଁଲ ! ମୋ’ ନାଁଟି ଫକିରା, ମୋ’ ବାପ ନାଁଟି ଭିକାରିଆ, ତା’ ବାପ ନାଁଟି ଭରତିଆ, ତା’ ବାପ ନାଁଆଟି ଆର୍ତ୍ତିଆ, ତା’ ବାପ ନାଁଟି ସାରତିଆ । ଆମେ ଜାତିରେ କରଣ ଖଣ୍ଡେଇତ, କରଣ ଖୁରାରେ ଦଣ୍ଡବତ । କିଅ ଲୋକି ମହାରଣା, ବାବୁ ମେତେ ବଟେଇଚନ୍ତି ବା’ ହବାକୁ, ଆମ ଖବର ବୁଝୁନା କିଆଁ ? ଆଲୋ ମାଉସୀ, ତୋ’ ଗୋଡ଼ ଧରୁସି, କନିଆ ଆଣି ଦେ, ବାହା ସା’ ହୁଏଁ, ଘରକୁ ଯାଏଁ, ବେଳ ଯେ ମାଡ଼ି ଆଉଚି ! ଆଲୋ ମାଉସୀ, ମାଇଲେ ପଛେ ମାର, ଦେ’ ଦିଟା ଝାଡ଼ୁ ପାହାର, ମୁଁ ସହିବି, ପାଟି ବୁଜିବି, ଆଖି ବୁଜିବି, କନିଆଟି ଆଣ ଦାଣ୍ଡରେ ଥୁଅ, ଭଲେ ଭଲେ ମେତେ ବିଦାକି ଦିଅ ।’’ ତା’ ଗୀତ, ତା’ ସ୍ୱରରେ ସଭିଏଁ ଖୁବ୍ ହସିଲେ । ସାଇ ମାଇପେ ରତନୀକି ଥଟ୍ଟା କରି କହିଲେ, ଆଲୋ ରତନୀ ତୋ’ ବର ଲୋ ।’’ ରତନୀଟି ରାଗରେ ଗୋଟା ଗୋଟା ! ଏଣେ ବର ତାକୁ ଦେଖି ତାଳି ମାରି ନାଚି ନାଚି କହିଲା :— ‘‘ଏଇ ମୋ’ କନିଆ, ଏଇ ମୋ’ କନିଆ ! ଆଲୋ ଚେପିଟୀ ନାକୀ, ଛାମୁ ଦାନ୍ତୁରୀ, ନାକ କାନ୍ଦୁରୀ, ମାଧିଆ ମାଁ ମୁଁ ତୋ’ ବର ଲୋ ବର ଲୋ ! ମୋତେ ଅନା ଲୋ !’’ ‘‘ଆରେ ନିଁଅସିଆ ତୋ’ ବରପଣିଆ ଚୁଲ୍ଲୀରେ ଯାଉକିନା’’ ରତନୀ ତାକୁ ଖଣ୍ଡିଆ ଝାଡ଼ୁମୁଠା ଧରି ମାରି ଗୋଡ଼େଇଲା ! ‘‘ଆଲୋ ମେତେ ମାର ନାଁ ଲୋ ! ମୁଁ ତୋ’ ବରଲୋ !’’ ବର ପାଟି କରୁଥାଏ ।
ସେତେବେଳକୁ ସେଠି ଆଉ ଦି’ଜଣ ହାଜିର ! ବାବୁର ଭଣ୍ଡାରୀ ଟୋକା ଦାମା ବାରିକ, ତା’ ସାଙ୍ଗରେ ଗୋଟାଏ ବୁଢ଼ା ନାହାକ । ବାଡ଼ି ଖଣ୍ଡେ ଧରିଚି, ଠୁକେଇ ଠୁକେଇ ଚାଲୁଚି । ତା’ ମୁଣ୍ଡର ବାଳ ଝୋଟପରି । ତା’ କାଖରେ ବିଡ଼ାଏ ତାଳପତ୍ର, ହାତରେ ଗୋଟାଏ ପୁରୁଣା ଫଟା, ଉଇକଟା ପାଞ୍ଜି, ତା’ ମଲାଟ କୁଆଡ଼େ ଗଲାଣି ! ବୁଢ଼ା ଥରେ ଥରେ କାଶୁଚି, ଥରେ ଥରେ ଛିଙ୍କୁଚି, ଥରେ ଥରେ ନାସ ଟିପେ ଟିପେ ଶୁଙ୍ଘୁଚି । ଆଉ ଅଡ଼ଂ ବଡ଼ଂ ବ୍ୟାଂ ତ୍ୟାଂ କରି ଶୋଳକ ବୋଲୁଛି । ତା’ ଦେହରେ ଗୋଟିଏ ସହସ୍ର ଗଣ୍ଠିୟା ଛିଣ୍ଡା କବଟା, ଏଡ଼େ ମସିଆ ଯେ କିଜାଣି ବରଷେ ହେଲା ଧୋବାଘର ମୁହଁ ଦେଖିନାହିଁ; କାନ୍ଧରେ ତେଲ ଚିକିଟା ଚିରା ଗାମୁଛା; ତାର ବି ସେଇ ଦଶା; ବୁଢ଼ା ଏତେ ପାନ ଖାଇଛି ଯେ ଓଠ ଏ ମୁଣ୍ଡ ସେ ମୁଣ୍ଡ ପାଚି କଳା ପଡ଼ି ଥୋଡ଼ି ଯାକେ ନାଲି ବୋହି ପଡ଼ିଛି ।
ଦାମା ବାରିକ, ଭଣ୍ଡାରୀ ଟୋକା ବଗୁଲିଆ, ସେ ବୁଢ଼ାକୁ ବକୁଚି, ଗାଳି ଦଉଚି, କହୁଚି, ଚଞ୍ଚଳ ଚାଲ ହେ ଅଜା ଉଛୁର ହେଲାଣି, ବର ଗଲାଣିଭାରି ଆଗ ।
ଦାମା ବାରିକ ସ୍ୱର ଶୁଣି, ଲୋକା ପଚାରିଲା ତୁ କୁଆଡ଼େ; ଦାମା ଅଣ୍ଟା ଖୋସଣୀରୁ ଖଣ୍ଡେ ମସିଆ କାଗଜ ବାହାର କଲା, କହିଲା, ଏଇ ଭାଷା ଜମିଦାର ବାବୁ ଦେଇଚିନି, ଭିକାରିଆ ପୁଅ ଫକିରାକୁ ପଠେଇଚିନି, ତମ ଅତନୀ ନାନିକି ବା’ ହବ । ଏଇ ନାହାକି, ଉଆ ବାହ୍ମଣହରିକା, ପାଲିଙ୍କିହରିକା ପଛରେ ଆଉଚି, ସଞ୍ଜଠେଇଁକି ଆସି ପହଞ୍ଚିବେ ଆଗ ଖଡ଼ି ପକେଇ ଜାତକ ସୁଜ !
ଲୋକା ତ କାବା ! ମାଗିଖିଆ ବୁଲା ଫକିରଟାକୁ ବାବୁ ବରକରି ପଠେଇଛନ୍ତି । ଭାଷା ବି ପଢ଼ିଲେ । ହାକିମତ ! ତାଙ୍କୁ ସୂରଯ ଚନ୍ଦର ଡରିବେ । ମଣିଷ କଥା କଣ ! ଗେଲ୍ହୀ ଏ କଥା ଶୁଣି ଭାରି ଖପା ! ସେ ପାଟି କରି ଜମିଦାରବାବୁକୁ ଖୁବ୍ ଶୋଧିଲା । ଲୋକା ଖାଲି ତା’ ଗୋଡ଼ ଧରୁଥାଏ ମାଉସୀ, ତୁନି ହ’ ! ମୋ’ ଚାକିରୀଟା ଛଡ଼ା ନାଁ । ଏ ଦାମା ସବୁ ଯାଇ ମୁନିବ କାନରେ କହିବ । ସଂସାର କରିଥିଲେ ଛାତିରେ ପଥର ପଇଲେ ସହି । କଥା କହନ୍ତି ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର । ବରଟା ଏବେ କଣ ଅସୁନ୍ଦର ହେଇଁଚି କି ଖଣ୍ଡିୟା ନାଁ, କଣା, କୁଜା । ଖାଲି ବର୍ଣ୍ଣଟା ମସିଆ ! ଆଉ ସଂସାରରେ ମର୍ଦପୁଅର ରଙ୍ଗ କିଏ ବାଛୁଥାଏ । ବାବୁ ଜମି ୧୦ ମାଣ ଦେବେ, ଘର କରିଦେବେ । ତୋ’ ନାଗି ମୁଁ ଜାତିପାଟକରୁ ଅନ୍ତର ହେଇଚି ସବୁ କଥା ଜାଣୁ; ପୁଣି ଏଡ଼େ ଅବୁଝା ଲୋକା ରତନୀ ମାଁକୁ ବୁଝଉଛି । ଏଣେ ଦୁଆରେ ତାଙ୍କର ତାମସା ଲାଗିଛି । ଯାତ୍ରା ଦେଖିବାକୁ ଯେମିତି ଲୋକେ ମାଡ଼ି ଆସନ୍ତି ସେମିତି ଲୋକ ଜମିଗଲେଣି । ନ ଜାଣିବା ଲୋକେ ନାହାକକୁ ପଚାରୁଛନ୍ତି, ‘‘ହଇକିଏ ମଉସା, ଏ ବାୟାଟା କିଏ !’’ ମଉସା ସେଥିରେ ନାକକୁଞ୍ଚି, କପାଳ କୁଞ୍ଚି ଥରେ ଛିଙ୍କି କହିଲେ, ‘‘ଭଲା ରାଇଜକୁ ଅଇଲି, ଏ ତମ ଘର ଜୁଆଁଇ ଚିହ୍ନିନାଁ ଆରେ ବୋଇଲା କଣନାଁ :- ସେଠୁ ସ୍ୱର ବାହାରିଲା :—
ପଦିଁଆ ନାତୁଁଣୀ ବିଦିଁଆ ଝିଅଁ ଖୋରଣୀ ନଁ ତୁଣ୍ଡୀ
ରଁତନୀ ବରଁ, ଧୋଁଇ କଁରି ଘଁରକୁ ନିଅଁ
ସିଧାଁ ଦେଇଁ ମେଁତେ ବିଦାଁୟ କରଁ ।
ଆଁ କଣ ବୋଇଲା :— ଆଁରେ ଆଣ ଆଣ ନଁଡ଼ିଆ, ଆଣ ଆଣ ସରୁଁ ଚୂଁଡ଼ା ଦୋଁପାଗିଁ ଉଖୁଁଡ଼ା— ଏଁ ଆଣ ଆଣ ଧୋଁତୀ ଚାଁଦର । ଆଜି ମୂଳା ନକ୍ଷେଁତ୍ରେ ବାହାଘର । ବର ନାଁଟି ଫକିଁରା ୟା କହୁ କହୁ ସେହିକ୍ଷଣି ଲୋକା ପିଣ୍ଡାରେ ଖଡ଼ି ପଇଲା ନାହାକ ଆଙ୍ଗୁଳି ଗଣି କହିଲା—‘‘ବୁର୍ଚ୍ଛିକ, କଁକଡ଼ା ମୀନଷ୍ୟ ବିପ୍ରା’’– ଆରେ ଫକିରା :— ନାଁରୁ ହଉଛି, କକଁଡ଼ାରାଶି, ପୂରୁଁବା ଆଷଁଢ଼ା ନଇଖତ୍ର—କନିଆଁ ନାଁଟା, ରତନୀଁ ଦେଇଁ— ହଉଛି, ବୃର୍ଚ୍ଛିକଁ, କରଁକଟ ମୀନସ୍ୟ ବିପ୍ରା :— ଏଁ ହଁଉଚି, ମଘାଁ ସିଂହ । ରାଶିଁକିଁ ସୁଜୁଁଚି, ଏ ବୋଲେ ବିନାଁ :— ‘‘ଆପଣାଁ ଉଦଁର ପୂରିଁଲେ ତୋଷ; କୋର୍ଧୀ ମାଁସ ଲୋଁଭୀ ଅଟେ ବିଶେଁଷ, ବନ୍ଧୁଁ ମେଳେଁ ତାରଁ ନ ଥାଇଁ ମନ, କଟା ଚଇଁଖୁ, ଇଚ୍ଛେଁ ବନଗମଁନ ! ଏଁ ତକ ଗୁଣ ସିଁହ ରାଶିଁର । କେତେ ଲୋକ ନାହାକ ଆଇଚି ଦେଖି ଆବୁଡ଼ି ପଇଲେ, କିଏ ହାତ ଦେଖେଇଲା, କିଏ ରାଶି ଗଣେଇଲା । ନାହାକ ସଭିଙ୍କି ପଚାରୁ ଥାଏ, ଗୋଁଟାଏ ଫଳଁ ନାଁ କହିଲଁ ? ଉତ୍ତରରେ ଜଣେ କହିଲା ଡାଳିମ୍ୱ । ନାହାକ ତାକୁ ଗଣି ଗାର କାଟି ବଡ଼ ବଡ଼ କରି ସଂସ୍କୃତ ପଢ଼ି ଉତ୍ତର କଲା ।
ସେଣେ ବର କଣ କରିଛି ନାଁ ସୁଅଙ୍ଗ କରୁଚି । ପରସ୍ତେ ନାଚି ଯାଉଚି, ପରସ୍ତେ ବୁଲି ପଡ଼ୁଚି, ହାତରେ ତାଳି ମାରୁଚି ଆଉ ଗାଉଚି :—
ବାଇଧରର ଅପାର ଗୁଣ:—
ପଖାଳ ଭାତରେ ନ ଖାଏ ନୁଣ—
ପଦିଆ ଉଦିଆ ଏକାମାଁଆର
ବାଇଧର ଭାଇ ବିଦିଆଧର
ବାଇଧରର ଅପାର ଗୁଣ ।
ଭାଇ ଭାଉଜକୁ ଦୂରୁ କାଢ଼ିଲା
ପଟା ପାଉତୀକି ଚିରି ପୋଡ଼ିଲା
ବାଇଧରର ଅପାର ଗୁଣ,—
ତପତି ସାଥିକି ନାହିଁ ତୁଲଣା—
ବାଇଧର ପୁଅ ବଟୁ ଶୁଣୁଥିଲା । ତା’ ବାପ ନାଁରେ ଗୀତ ଶୁଣି ସେ ଲୋକଟାକୁ ଧାଇଁ ଆସି ଚାପୁଡ଼ାଏ କଶି ଦେଲା । ଲୋକେ ସବୁ ମିଶି ଗଲେ । କିଏ ବାୟାପକ୍ଷ କିଏ ବଟୁ ପକ୍ଷ । ସେଠୁ ଲାଗିଲା କଳି କନ୍ଦଳ, ଗୋଳମାଳ । ବାୟାକୁ ନେଇ ସେମାନେ ଗଲେ ବାଇଧର କତିକି ।
ସେତେବେଳକୁ ଦିନ ଦି’ପହର । ବାଇଧର ଘରେ ବିଶ୍ରାମ କରୁଥାଏ । ସେବି ଆସି ଦୁଆରେ ପଚାରିଲା, କଣ କଥା, ବଟୁ ତାକୁ ସବୁ କହିଲା । ବାବୁ ଆଇଲେ, ଦେଈ ଝରକା ବାଟେ ଚାହିଁଲେ । ବାୟା ଗୀତ ଗାଉଛି ।
ବାଇଧରର ଅପାର ଗୁଣ, ବଡ଼ କୃପଣ
ପଖାଳ ଭାତକୁ ନ ଖାଏ ନୁଣ ।
ବାଇଧରର ଭାରି ରାଗ ହେଲା । ସେ ତାକୁ ଧରିଆଣିବାକୁ ହୁକୁମ ଦେଲା । ବାୟା ଆସି ନମ୍ୱ ଦଣ୍ଡା ତାଙ୍କ ଗୋଡ଼ ତଳେ ପଡ଼ିଗଲା । ବାଇଧର ପଚାରିଲା, ‘‘ତୁ କିଏ ?’’ ସେ ବଡ଼ ପାଟିରେ ହସି କହିଲା, ମୋତେ ଚିହ୍ନି ନାଁ— ମୁଁ ପରା ସରଦେଇପୁରୁ ଗାଁ ଫକିରା ଓଲୁ ! ମୋ’ ନାଁଟି ଫକିରା, ମୋ’ ବାପ ନାଁଟି ଭିକାରିଆ, ତା’ ବାପ ନାଁଟି ଭରତିଆ, ତା ବାପ ନାଁଟି ଆରତିଆ, ତା’ ବାପ ନାଁଟି ସାରତିଆ ବାଇଧର ଦେଖିଲା ତୁଚ୍ଛା ବାୟା ! ରାଗିକିନି ଘର ଭିତରକୁ ଗଲେ । ଦେଈ ଝରକା ବାଟେ ଅନେଇଛନ୍ତି । ବାୟା ତାଙ୍କୁ ଦେଖି ଆଉ ଗୋଟିଏ ସ୍ୱର ବାହାର କଲା :—
‘‘ଆଲୋ ଫଟା ସୁନ୍ଦରୀ ଲୋ, ଫଟା, ସୁଦୁରୀ; ଫଟା ସୁଦୁରୀ, ଆପଣାମାନେ ମୁଁ ଆପେ ସୁନ୍ଦରୀ ଲୋ, କଳି ଦୁନ୍ଦରୀ ଲୋ, ବୁଢ଼ୀ ବାନ୍ଦରୀ ଡୋଲିକ ଚାଉଳ ଓଳିଏ ଖାଉ ଶାଶୁ ପଚାରିଲେ ମୁହଁ ଶୁଖାଉ, ଗୁରସ୍ତ ଆଗରେ ଖଚ ମିଛ କହୁ, ମନ ଭଙ୍ଗାଉ, ଆଲୋ ଫଟା ସୁଦୂରୀ ଲୋ, କୋଦି ଗୋଦରୀ— ଫଟା ସୁଦୂରୀ ।
✽✽✽
ବ୍ରହ୍ମକୃପାହି କେବଳମ୍
ପାଞ୍ଚକଥା
ରତନୀର ବାହାଘର ହବ । କନିଆ ତ ରତନୀ ବରତ ଫକୀରା ବାୟା । ତାଙ୍କ ବାହାଘରେ ପୁଣି କି ରୋଷଣୀ କି ଜାକଜମକ । ଗହଣା ଭିତରେ ପିତଳ ଖଡ଼ୁ ମୁଠାଏ । ଲୁଗା ଭିତରେ ରଙ୍ଗ ସୁରୁବଲୀ ସାଡ଼ିଟା, ଜାନି ଜଉତୁକ କିଛିନାହିଁ । ନାକକୁ କାନକୁ କିଛିନାହିଁ ବେକକୁ ଗୋଡ଼କୁ କିଛିନାହିଁ । ଲୋକନାଥ ତ ଏକଘରକିଆ, ପୁଣି ସେ ଜାତିରେ ଦରଜି, ଏମାନେ ଚଷା । କୁଟୁମ ସଙ୍ଖୋଳା ନାହିଁ, କି ଖାନା ଭୋଜିନାହିଁ ।
ରାତି ଦଶଘଡ଼ି ହେଲା । ବର ଆଇଲା । କେହି ଜାଣିଲେ ନାହିଁ ଯେ ବର ଆଇଲା ବୋଲି-। ସୋର ଶବଦ କିଛି ନାହିଁ । ଗୋଟିଏ ଦଦରା ପାଲୀକୀରେ ଆସିଥାଏ ବର, ଆଉ ଆଇଥାନ୍ତି ପଞ୍ଝାଏ ଗଉଡ଼’ ଜଣେ ଥୁରୁଥୁରିଆ ବ୍ରାହ୍ମଣ, ସେଇ ପୁରୋହିତ । କନ୍ୟାକୁ ଘୋରି ପୋରି ଆଣି ପିଢ଼ାରେ ବସେଇଲେ । ଏଣେ ବର ବେଦିରେ ବସିଲା । ହାତଗଣ୍ଠି ପଇଲା । ସାଙ୍ଗେ ସାଙ୍ଗେ ପାଲିଙ୍କିରେ ବସି ବର କନିଆ ବିଦା ହେଲେ । ବିଧି ନାହିଁ କି ବରତ ନାହିଁ; ସବୁ ଅଦଭୂତ ଢଙ୍ଗର ।
ପାଲିଙ୍କିଟା ବଡ଼ ଦଦରା । ସେଥିରେ ପୁଣି ଦିଜଣ ବସିଲେଣି । ଗଉଡ଼ କାନ୍ଧେଇ ହୁମୁରା ଭାଇରେ ଭାଇରେ କହି ଦଉଡ଼ୁଛନ୍ତି ।
ସେତେବେଳକୁ ରାତି ଗୋଟାଏ । ହଟାତ୍ କିନା ପାଲିଙ୍କିର ପଟାଟା ଛାଡ଼ି ପଇଲା । ବଡ଼ ହଟହଟା କଥା; ଗଉଡ଼ ପାଲିଙ୍କି ତଳେ ଥୋଇଦେଲେ । ଏବେ ଯିବେ କେମିତି; ଆସି ପାଏ ବାଟରେ ହେଲେଣି । ଚାରିଆଡ଼େ ଘୋର ଜଙ୍ଗଲ । ଗାଁ ଗଣ୍ଡା କିଛି ଦୁଶୁନାହିଁ । ନିଶା ସାଇଁ ସାଇଁ ଗରଜୁଚି । ବରଟା ଡେଇଁ ପଡ଼ିଲା, କନିଆକୁ ଟାଣି ବାହାରେ ଛିଡ଼ା କରିଦେଲା । ରତନୀ ଏତେବେଳଯାଏ ଘୋରିପୋରି ହେଇ ବସିଥିଲା । ଏ ବିପଦରେ ପଡ଼ି ତା’ ଲାଜ କୁଆଡ଼େ ଗଲା । ସେ ମୁହଁରୁ ଓଢ଼ଣା କାଢ଼ି କହିଲା ‘‘ମଲା ମୋର ! ଏଇ ଦଦରା ପାଲିଙ୍କିଟା ତେତେ ମିଳିଥିଲା । ଏବେ କଣ କରିବୁ କର୍ । ମୁଁ ଯାଉଚି, ତୁ ଥା’ । ଫକୀରା ତ ବାୟା । କନିଆ କଥା ଶୁଣି କହିଲା, କିଲୋ କୁଆଡ଼େ ଯିବୁ, ମୁଁ ତେତେ ଏଇ ଛିଣିକା ବା, ହେଲି, ହାତଗଣ୍ଠି ପଇଲା, ତୁ ନୂଆ ଭୂଆଶୁଣିଟା ତୁ ମୋ’ ହାତ ମୁଠାରୁ ପଳେଇବୁ । ଦେଖରେ ମଉସା ! ଆରେ କଣ୍ଡୁରିମଉସା ଦେଖିଲୁ ଏ କନିଆର ଢଙ୍ଗଢ଼ାଙ୍ଗ ! ଗଉଡ଼ କଣ୍ଡୁରିଆ କହିଲା, ‘‘ହଁରେ ପୁଅ ଏବକାଳ ମାଇପଙ୍କୁ ପାରିବ କିଏ ! ଆଚ୍ଛା ଦି’ପାହାର ଥୋ ! ମାଡ଼କୁ ମହାଦେବ ଡରେ ! କିବା ଛାର ଟୋକିଟା !’’ ରତନୀ ତା’ କଥାଶୁଣି କହିଲା କୋଉଠି ଥିଲୁରେ ମୁଣ୍ଡ ପୋଡ଼ା ନିଆଁ ନଗାଟା ! ମେତେ କହୁଛି ଫେଣେ ମାର୍, ମୁଁ ତୋ’ ଖପୁରୀ ଉଡ଼େଇ ଦେବି ନାହିଁ । ଖଢ଼ୁମୂଷା ଦେଖିଚୁ !’’ କଣ୍ଡୁରିଆ କହିଲା, ‘‘ଆମେ କିଆଁ କହିବୁଲୋ ! ତମ ଭଲକୁ କହୁଥାଇ ! ରହ ବା ଯା’ ତେତେ ଯେ ବା, ହେଇଚି ସେ ଜାଣେ ଏବେ ଆମ ମୂଲ ଦେଇ ପଳାଅ । ଗିରସ୍ତ ଭାରିଯା ଯେଉଠି ଇଚ୍ଛା ସେଠିକି ଯାଅ ! ଦିଅ ଆମକୁ ଯା, ଚୁକୁତି କରିଥିଲ ।’’ ଆର ଗଉଡ଼ଟା କହିଲା, ‘‘ତମ ପାଲିଙ୍କି ଭାଙ୍ଗିଲା, ଆମର ସେଥିରେ ଯାଏ କେତେ ଆସେ କେତେ ? ଆମକୁ ଦି’ ଟଙ୍କା ଜବାବ କରିଚ ଦି’ ଟଙ୍କା ଦିଅ । ଆମେ ଭଲରେ ଘରକୁ ଯାଉ । ମଣିଷ କି ହଟହଟାରେ ପଇଲା ରେ । ମୁଁ ଏତେ ବାହାଘରେ ବରଯାତ୍ରୀରେ ଯାଇଚି ହେଲେ ଏମିତି ଦଦରା ପାଲିଙ୍କି କେବେ ମୋ’ ବୋପାକାଳେ ଦେଖିନାହିଁ । ଆଉ ଜଣେ କହିଲା, ହଁ ରେ ମଧୁଭାଇ ଯାହା କହିଲୁଟି ସତ, ଆମ ମୂଳ ଘିନି ଆମେ ଯିବା ।
ଫକିରା କହିଲା ତା’ ବେଶ୍ କଥାଟି । ତୋ’ କଥାଟି ତେତେ ସୁନ୍ଦର ମୋ ମଥାଟା ମେତେ ସୁନ୍ଦର । ଆରେ ଆମେ ଘରେ ପହଞ୍ଚି ମୂଲ ଦବୁଁ । ଟଙ୍କା କଣ ଗଛରେ ଫଳୁଛି ତମକୁ ଦମୁଁ । ଖଣ୍ଡେ ବାଟ ଯାଇଁ ନାଁ ପାଲିଙ୍କି ଭାଙ୍ଗିଲା । ସଉରିଆ କହିଲା ଆମେ ପାଲିଙ୍କି ଭାଙ୍ଗିଲୁ । ଗିରସ୍ତ ଭାରିଯା ଦି’ଟାଯାକ ଗୋଟାଏ ପାଲିକିରେ ପଶିଲ, ବେଶି ଖରଚ ହବ ବୋଲି । ଦଦରା ପାଲିଙ୍କିଟା କୋଉଠୁ ମାଗି ଆଣିଥିଲ ! ଏବେ ଆମ ଦୋଷ ହେଲା । ତେମେ ଚଢ଼ିଲ ଆମେ କାନ୍ଧେଇଲୁ ! ‘‘ମୋଟ ହେଇଚ ଯେ ମଲେ ବିଲୁଆ ଛମାସରେ ଖାଇବ ।’’ ଏଥର ରତନୀ କହିଲା—ମଲା, କି କଥା କହୁଚୁରେ, ଆମ ଗୋଡ଼ରେ କଣ ପଟି ବନ୍ଧା ହେଇଚି ନାଁ ବେଡ଼ି ପଡ଼ିଚି । ମୁଁ ତ ଏଇ ରାତିକା ରାତି ଦଶ କୋଶ ଚାଲି ଯିବି । ଆମକୁ ମାରିବୁ କିଆଁ କହୁଚି । ତୁ ମରନୁଁ । ଫକିରା କହିଲା, ‘‘ହଉ ତେବେ ଚାଲ୍, ଆଉ ବସିବା କିଆଁ । ରତନୀ କହିଲା ‘‘ଏମାନେ ଯେ ମୂଲ ମାଗୁଛନ୍ତି ?’’
ଫକିରା, କହିଲା ହଉ ହଉ ତମକୁ ଦିଆଯିବ । ସେହି ଭଙ୍ଗା ପାଲିଙ୍କିଟା ବହି ନିଅ । ଗଉଡ଼ତକ ପାଲିଙ୍କି ବହି ଆଗେ ଆଗେ ଗଲେ । ବର କନିଆ ଗଲେ ପଛେ ପଛେ ବାଟ ପାଏ ଖଣ୍ଡେ ଯାଇଛନ୍ତି, ‘‘ଫକିରା କହିଲା, ମେତେ ବଡ଼ ମଇଦାନି ମାଡ଼ିଲାଣି । ତୁ ଏକାଠଇ ଠିଆ ହ’କି ମୁଁ ଆଉଚି ।’’ ଆଉଚି ବୋଲି ଅଧ ଘଣ୍ଟା । ରତନୀ ରାଗରେ ଜଳି ପୋଡ଼ି ଅନ୍ଧାରରେ ଠିଆ ହେଇଥାଏ । ଆସିଲା ମାତ୍ରେ କହିଲା, ‘‘ଏତେବେଳଯାଏ କୁଆଡ଼େ ମରିବାକୁ ଗଲୁ ? ‘‘ଫକିରା କହିଲା, ‘‘ହଇଲୋ ଅରଖିତିଆଣି ଜାଣୁନୁଁ ପାଣି ଖୋଜୁଥିଲି ।’’ ରତନୀ କହିଲା, ‘‘ମଲା ତୋ’ ପେଇଁ ବଣପର କିଏ କୂଅ ଖୋଳିଚି କି ? ନିଆଁନଗାଟାକୁ ଏତିକି ବେଳେ ମଇଦାନ ମାଡ଼ିଲା । ନିଦରେ ମଣିଷର ଦିହ କଣ ହେଲାଣି । ଏ ମେତେ ରାତି ରାତି ଯାକ ଚଲେଇବ ଦେଖୁଚି’’ । ‘‘ଫକିରା କହିଲା, ଚିଡ଼ିଲୁ କିଲୋ ! ହଉ ନିଦ ମାଡ଼ୁଛି ତ ଏଇନେ କାନି ପାରି ଦେଲି ଶୋ’ ଘଣ୍ଟାକ ପରେ ଯିବା, ଆମ ଗାଁ ତ ହେଇ ଦୁଉଛି । ରତନୀ କହିଲା ‘‘ହଇରେ ହୁଣ୍ଡା ! ବଣରେ ବାଘ ଭାଲୁ ଏଠି କୋଉ ନୋକଟା ଶୋଇବ ।
ଫକିରା ବାଘ ଭାଲୁ ନାଁ ଶୁଣି ଅତର୍ଚ୍ଛ ହେଇ ଗୋଟାଏ ଆମ୍ୱ ଗଛରେ ଚଢ଼ିଗଲା । ରତନୀ ଦେଖି କାବା ! ଗଛ ଉପରୁ ଫକିରା ତାକୁ ଡାକୁଚି । ‘‘ଆଇଲା କିଲୋ । ଦେଖ୍ ଦେଖ୍ ମୋତେ ଯେମିତି ନ ଖାଏଟି ! ତୋ’ରାଣ୍ ମେତେ ଯେମିତି ନ ଖାଏଟି । ମୁଁ ମୋ’ ମାଁର ଏକଇର ବାଳା ବିଶି କେଶନ’’! ‘‘ରତନୀ ତାକୁ ଖୁବ୍ ଶୋଧି ଶୋଧି କହିଲା, ‘‘ଓଲା, ତତେ ଏକା ବାଘ ଭାଲୁ ଆଉଚି, ବଣରେ ରାତି ଅଧରେ ନାଟ କରୁଚି ମୁଣ୍ଡ ପୋଡ଼ାଟା ।’’ ‘‘ହଇଲୋ ଗାଳି ଦଉଚୁ’’ କହି ଫକିରା ତଳକୁ ଆସି ରତନୀ ପିଠି ଆଉଁସି ଦେଇ କହିଲା, ଚାଲ୍ଯିବା । ପୁଣି ଖଣ୍ଡେଦୂର ଚାଲିଲେ । ଫକିରା ଗୋଡ଼ରେ ଗୋଟାଏ କଣ୍ଟା ପଶିଲା । ଏବେ ଉପାୟ କଣ । ଛୋଟେଇ ଛୋଟେଇ ବସି ପଇଲା । ‘‘ଇଲୋ ମୋ’ ଗୋଡ଼ ଗଲା ଲୋ କହି ମାଟି ଉପରେ ଶୋଇ ପଇଲା, ।’’ ରତନୀକି କହିଲା ମତେ ଆଉଁସ୍ । ରତନୀ କହିଲା, ‘‘ତୋ ବେଲି, ତୋ ସୁଆଙ୍ଗ ରଖି ଦେଇଥା । ମୁଁ ତତେ ଆଉଁସି ପାରିବିନାହିଁ । ବାଟଯାକ ନାଟ କରୁଚି, ‘‘କହି ଖଡ଼ୁମୂଷାରେ ପାହାର ପିଟିଲା । ‘‘ଇଲୋ ମାରି ପକାଇଲା ଲୋ, ଇଲୋ ମାରି ପକାଇଲା ଲୋ କହି ବାୟାଟା ତ ଭୂତପରି ଠିଆ ହେଲା । ପୁଣି ଚାଲିଲେ । ବାୟା ଛୋଟଉଥାଏ, ବସୁଥାଏ, ଉଠୁଥାଏ, ଏଇମିତି ହଉହଉ ସକାଳ ପାଇଲା, ଗାଁ ଗଣ୍ଡା ଦୁଶିଲା । ବାୟା ରତନୀକି କହିଲା ‘‘ଦେଖ୍ ଗାଁ ଦୁଶିଲାଣି, ଶଶୁର, ମଳାଶୁର ବିଲରେ ଥିବେ, ମୁଣ୍ଡରେ ଓଢ଼ଣା ଟାଣ । ନଇଲେ କହିବେ ବଡ଼ ଅଲାଜୁକ ଘର ଝୁଅ ! ତାକୁ ନିଆଜ ସରମ ଅଛି, ନାଁ ତାର ଢଙ୍ଗ ଢପ ଅଛି । ଆଲୋ ମାଧିଆ ମା ମୁଣ୍ଡରେ ଓଢ଼ଣା ଟାଣ ।’’ ରତନୀ ଏ କଥାରେ ଭାରି ଚିଡ଼ି ଉଠିଲା । ରାତିଯାକ ତ ଯୋଉ ନାଟ ସୁଆଙ୍ଗ ହେଲାଣି । ସେ ବି କହିଲା ‘‘ମଲା ତୋ ନିଆଁନଗା ଶଶୁର ମଳାଶୁରକୁ ମୁଁ କିଆଁ ଡରିବି ।’’ ଫକିରା ପାଟିକରି କହିଲା, ‘‘ହଁ, ଅଲ୍ବତ୍ ଡରିବୁ, ମୋ’ ଶଶୁର ମଳାଶୁରକୁ ଡରିବୁଁନୁ !’’ ବାଟରେ ମାଇକିନାଁ ପଞ୍ଝାଏ ଗାଧୋଇ ଯାଉଥିଲେ, ଫକିରା ତାଙ୍କ କତିକି ଦଉଡ଼ିଗଲା । ଡାକି ଡାକି କହିଲା ଆଲୋ ମାଉସୀ, ଆଲୋ ଅପା ଶୁଣ ଲୋ ମୋ’ ବୋହୂଟା ନୂଆ ଭୁଆସୁଣୀଟା କହୁଚି ଶଶୁର ମଳାଶୁରଙ୍କୁ ଗୋଇଠା ମାରିବ, ତେମେ ନିଷାପ କର । ମାଇପେ ତ କାବା ! ଦଣ୍ଡେ ଫକିରାକୁ ଅନଉଥାନ୍ତି, ଦଣ୍ଡେ ରତନୀକି ଅନଉଥାନ୍ତି । ଶେଷକୁ ବୁଢ଼ୀଟିଏ କହିଲା ‘‘ହଇରେ ପୁଅ ଏ କିଏ ?’’ ଫକିରା କହିଲା, ‘‘ତେମେ ଚିହ୍ନିବ ? ଏ ପରା ମୋ’ ଶାଶୁ ଶଶୁର ଝିଅ ! ଏ ପରା ମୋ’ ବୋପାର ବୋହୂ ଏ ପରା ମୋ’ ଭାରିଯା ସାଆନ୍ତାଣୀ, ନଅତୁଣ୍ଡୀ ।’’ ବୁଢ଼ୀଟା ଖପା ହେଇଁ କହିଲା, ‘‘ତୁ ବାୟାଟା କିରେ ! ଯା’ ଯା’ ତୋ’ ବାଟରେ ଯା’ । ‘‘ସେମାନେ ଗଲେ ଗାଧୋଇ ୟାଙ୍କ କାଣ୍ଡ ଦେଖି ତାଙ୍କ ଭିତରୁ ଟୋକୀଗୁଡ଼ିକ ହସି ହସି ନୋତରା କୋତରୀ ହେଉଥାନ୍ତି ।
ରତନୀ ଚିଡ଼ିଭିଡ଼ି ହଉଥାଏ, ଫକିରା କିଆଁ ମାନିବ, ତାକୁ ନେଇ ସେ ଗାଁ ବଡ଼ ଦାଣ୍ଡର ଗୋଟାଏ କୋଠା କତିରେ ଆଣି ଛିଡ଼ାକଲା । କହିଲା ଏଇ ମୋ’ ଘର । ରତନୀ ଦେଖିଲା ସତକୁସତ ଭଙ୍ଗା ପାଲିଙ୍କିଟା ଆଣି ଗଉଡ଼ମାନେ ସେଇଠି ଛିଡ଼ା ହେଇଚନ୍ତି । କୋଠାର ଏଇଟା ପଛପଟ । ଗୋଟାଏ ସାନ ଦୁଆର ଥାଏ । ବାୟା ତାକୁ ସେଇଠି ଠିଆ କରି ଦେଇ କହିଲା ଈଶରା ମା ତତେ ଆସି ଘିନିଯିବ ତୁ ଏଇଠି ଠିଆ ହେଇଥା, ମୁଁ ବଜାରୁ ଆସେ । ଏଇକ୍ଷଣି ଆସିବି ନେଇ ଜଳଖିଆ, ୟା କହି ଚଲ୍। ଈଶରା ମା ଆସି ତୋତେ ଘେନିଯିବ ତୁ ଏଇଠି ଠିଆ ହେଇଥା, ମୁଁ ବଜାରରୁ ଆସେ । ଏଇକ୍ଷଣି ଆସିବି ନେଇ ଜଳଖିଆ, ୟା କହି ଚଲ୍ । ଇଶ୍ୱର ମା ଆସିବବୋଲି ରତନୀ ଠିଆ ହେଇଛି, ଈଶରା ମା ନା ଫିସରା ମା । କାହାରି ଦେଖା ଦରଶନ ନାହିଁ । ଫକିରା ବି ଫେରି ନାହିଁ । ତାକୁ ବଡ଼ ବିରକ୍ତ ଲାଗିଲା । ସେ ଗୋଟାଏ ଗଉଡ଼କୁ ପଚାରିଲା, ହଇ ହେ ମଉସା ଏ ଘର କାହାର ?’’
ଗଉଡ଼ କହିଲା, ‘‘ଏଇଟା ବାବୁ ସାଆନ୍ତଙ୍କ ଘର ।’’ ରତନୀ ବୁଝିପାରି ତୁନି ହେଲା । ତା’ ଇଚ୍ଛାଥିଲା କାହାକୁ ଡାକନ୍ତା । ବାବୁ ସାଆନ୍ତ ନାଁ ଶୁଣି ଟିକେ ଭୟ ହେଲା । ଆଉ ବା ଡାକିବ କାହାକୁ ? କେହି ତ କୁଆଡ଼େ ଦେଖାନାହିଁ । ଖାଲି ଗଉଡ଼ ଚାରିଟା ଆଉ ସେ ଏକାଟିଆ । ଗଉଡ଼ ଭିତରୁ ଜଣେ ଦୟାକରି ପଚାରିଲା, ‘‘ହଇଏ ! ତୁମକୁ ତ କେହି ଡାକୁନାହାନ୍ତି କେତେ ଆଉ ଖରାରେ ଠିଆହବ, ଏ ପାଲିଙ୍କିଟା ପଡ଼ିଚି ବସିଥାଅ ।’’ ରତନୀ ଭାବିଲା, ଗୋଡ଼ି ଭାଙ୍ଗି ଛିଡ଼ାହବା ଅପେକ୍ଷା କଣରେ ଆଉଜି ବସିଲେ ଭଲ । ରାତିଯାକ ଚେଇଁଚି, ବାଟ ଚାଲିଚି, ନିଦରେ ଆଖିପତା ବୁଜିହୋଇ ଆସୁଚି । ଯାଇ ପାଲିଙ୍କି ଭିତରେ ଆଉଜି ବସିଗଲା । ଚାହୁଁ ଚାହୁଁ ନିଦ ମାଡ଼ିଆଇଲା ।
ହଠାତ୍ ବଡ଼ ଗୋଳମାଳ ପାଟିରେ ତା’ ନିଦ ଭାଙ୍ଗିଗଲା । ଛାତିଟା ଦାଉଁକିନି ହୋଇଗଲା-। ରତନୀ ବାହାରକୁ ଅନେଇବ କଣ ଦେଖିଲା, ଗୋଟାଏ ପାଞ୍ଚହାତ ଡେଙ୍ଗା ଧୋବଧାଉଳିଆ ମଣିଷ, ବେତ ଖଣ୍ଡେ ଧରି ଗଉଡ଼ଙ୍କୁ ପିଟିନାଗିଚି । ଗଉଡ଼ ବିକଳ ହୋଇ ପାଟିକରି ତା’ ଗୋଡ଼ତଳେ ପଡ଼ୁଛନ୍ତି, ହାତତଳେ ପଡ଼ୁଛନ୍ତି । ‘‘ସାଆନ୍ତେ ଆଉ ମାରନାଁ, ଆଉ ପଇସା କଥା ମୁହଁରେ ଧରିବୁନୁଁ, ତମର ଶହେବରଷ ଗୋଲାମୀ ଖଟିବୁ । ତମ ଗୋଡ଼ ଧରୁଛୁ, ଦାନ୍ତରେ କୁଟା ହଉଚୁ ।’’ ସାଆନ୍ତେ କାହିଁକି ମାନିବେ । କହିଲେ ‘‘ପଇସା ମାଗୁଚି, ପଇସା ଧୋଇ ପାଣି ଦେବି, ମୋ’ ରାଇଜରେ ରହିଲ, ସୁଖରେ ଘରକଲ, ବୋଲବାଣୀଟା କରିଦେଲ ପୁଣି ପଇସା ମାଗୁଚ ।’’ ୟା କହି ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ । ତାଙ୍କ ମାଡ଼ ଦେଖି ରତନୀର ହଲକ ଶୁଖିଗଲା । ସେ ପାଲିକି କଣରେ ଯାକିଯୁକି ହେଇ ବସିଲା । କିନ୍ତୁ କଣହବ । ସାଆନ୍ତ ତାକୁ ଦେଖିସାଇଲେଣି । ଘଡ଼ିଏ ବେଳ କଟମଟେଇ ଅନେଇ କହିଲେ, ‘‘ତୁ କିଏ ?’’ ରତନୀ କହିଲା, ‘‘ମୁଁ- ମୁଁ- ରତନୀ ।’’ ‘‘ଏଠିକି କେମିତି ଆଇଲୁ ?’’ ରତନୀ କହିବ କଣ ଘଡ଼ିଏ ଭାବି କହିଲା ସାଆନ୍ତଙ୍କ ବେହେରା ଫକିରି ସ୍ୱାଇଁ ମୋତେ ଆଣିଛି ।’’ ସାଆନ୍ତ କାବା ହେଇ କହିଲେ, ‘‘ଏଠିତ ମୋ’ ବେହେରା ଫକିରି ସ୍ୱାଇଁ କେହି ନାହିଁ ।’’ ରତନୀ ବୁଦ୍ଧିକରି କହିଲା, ‘‘ଲୋକି ମହାରଣାଙ୍କୁ କହିଲେ ଜାଣିବେ, ସେ ମୋ’ ଧରମଭାଇ ।’’ ସାଆନ୍ତେ ପୁଣି କହିଲେ, ‘‘ଏଠି ତ ଲୋକି ମହାରଣା କେଇନାହିଁ ।’’ ଏଥର ରତନୀ ଆଉ କାହା ନାଁ କହିବ, କହିଲା, ଈଶରା ମା ଜାଣେ । ‘‘ସାଆନ୍ତେ କହିଲେ, ‘‘ଈଶରା ମା କିଏ ?’’ ଆଉ ଏ କଥାକୁ ରତନୀ ଜବାବ ନ ଦେଇ ତୁନି ହେଲା । ଫକୀରା ଉପରେ ତା’ ହାଡ଼ କଡ଼କଡ଼ ଡାକୁଥାଏ । ଆପୁ ଆସିଲେ ସିନା ତା’ ମଜା ବୁଝିବ ? ସାଆନ୍ତେ ତା’ଠୁ କଥାର ଉତ୍ତର ନପାଇ ଘର ଭିତରକୁ ଗଲେ । ଦଣ୍ଡେ ଛାଡ଼ି ଆଇଲା ଗୋଟାଏ ମାଇପି ଲୋକ । ରତନୀ ଭାରି ଖୁସି ହେଇଗଲା-। ଭାବିଲା ଈଶରା ମା ଆଇଛି, ଏଥର ତାକୁ ଘରକୁ ନବ । ମାଇପି ଲୋକଟି ସିଧା ପାଲିଙ୍କି କତିକି ଆଇଲା, କହିଲା, ‘‘ଝିଅଲୋ କାହୁଁ ଆଇଲୁ ? ରତନୀର ମହାରାଗ ହେଲା । କହିଲା କିଛି ଜାଣିନାହଁ ଯେମିତି, କହିଲା କାହୁଁ ଅଇଲୁ, ନଙ୍କାରୁ ଆଇଲି ।’’ ତା’ କଥା ଶୁଣି ସେତ ମାର ମୁଷ୍କିଲ୍। କହିଲା କଥାପଦକୁ କାମୁଡ଼ି ଗୋଡ଼ଉଚୁ ଘରେ ନପଶୁଣୁ ଚାଳ ବାଜିଲାଣି । ଏ ପୁଣି କି ଘର କରିବ, ତା ପାଟିରେ ଆଉ ଗୋଟାଏ ମାଇକିନାଁ ଭିତରୁ ବାହାରିପଡ଼ି କହିଲା, ହଇଲୋ ଧଡ଼ିଆବୋହୂ କାହାସାଙ୍ଗେ ନଢ଼ୁଚୁ ? ଧଡ଼ିଆବୋହୂ ସେତେବେଳକୁ ଅଗ୍ନିମୂର୍ତ୍ତି ! ସେ ତାକୁବି ଶୋଧିଦେଲା । ରତନୀ ପାଲିଙ୍କି ଭିତରୁ ବାହାରିପଡ଼ି କହିଲା, ଦେଖିଲୁ ମାଉସୀ, ତୁଚ୍ଛେଇଟାକୁ ମୋ’ ସାଙ୍ଗେ ନଗେଇଚି । ମୁଁ ଭଲା ତାକୁ କିଛି କହିଥାନ୍ତି । ମୁଁ ପଚାରିଲି ତୁ ଈଶରା ମାଁ କି ?’’ ଆରଜଣ ଥାଇ କହିଲା, ‘‘ମୁଁ ଈଶରା ମା । ତୁ ଫକୀରା ବୋହୂ କିଲୋ ! ଆ’ଆ’ ଘରଭିତରକୁ ଆ’, ମତେ ଫକୀରା କୋଉକାଳୁ କହିଲାଣିଟି । ଏ ନିଆଁନଗା ମନକୁ କଣ କହିବିଟି । ଟୋକାଟା ଏଇକ୍ଷଣି ବଜାରରୁ ଆସିବ । ଆଉ ତୁ ବାହାରେ ବଇଚୁ । ହଇଲୋ ତୋ’ପାଟିରେ କଣ ବେଙ୍ଗ ବନ୍ଧା ହେଇଥିଲା । ମତେ ଡାକଟାଏ ଦେଲୁନାହିଁ । ଆ’ ଆ’ ।’’
ରତନୀ ଆଶ୍ରାପାଇ ବଡ଼ ଖୁସିରେ ଘର ଭିତରକୁ ଗଲା । ଦେଖିଲା, ଖଟ ପଡ଼ିଛି, ମେଜ ଥୁଆ ହେଇଚି, ଚଉକି ସଜା ହେଇଚି, କାନ୍ଥରେ ମାଳ ଅଇନା ଆଉ ଚିତ୍ର । ଖଟରେ ଶୋଇଛନ୍ତି ସାଆନ୍ତେ । ଟୋକାଟିଏ ଗୋଡ଼ ଘସୁଚି । ଈଶରା ମା ଘରକୁ ପଶିଯିବ କଣ ତା’ମୁଣ୍ଡ ବାଜି କାଚର ଗୋଟାଏ ବଡ଼ ଅଇନା ଧୂମ୍କିନା ତଳେପଡ଼ି ଚୂନଭୂତ । ସାଆନ୍ତଙ୍କର ତ ନିଦ ଲାଗିଆସୁଥିଲା ଏ ଶବଦରେ ଉଠିପଡ଼ି ଆଗ ଦି’ଚାପୁଡ଼ା ଦେଲେ ଭଣ୍ଡାରୀ ଟୋକାକୁ, ସେଠୁ ଦି’ ଦି’ ବେତ ଦେଲେ ଏ ତିନିଜଣଙ୍କୁ । ହଠାତ୍ ଘରେ ପଶି ଅକାରଣେ ମାଡ଼ଖାଇ ରତନୀର ରାଗରେ ବୁଦ୍ଧି ହଜିଗଲା । ସେ ଆଉ ସମ୍ଭାଳି ନପାରି କହିଲା, ‘‘ଏଇଟା କାହିଁକି ମତେ ମାଇଲା ଲୋ ! ଈଶରା ମା ଆରଶୀ ଭାଙ୍ଗିଲା, ମୁଁ ଖାଇଲି ମାଡ଼ ।’’ ସାଆନ୍ତେ ଭାରି ରାଗିଯାଇ କହିଲେ ବେଶି ବକ୍ବକ୍ କରନା । ଏଠି ଚାକିରାଣୀ ଯେମିତି ସାଆନ୍ତାଣୀ ସେମିତି, ଦୋଷକଲେ ମାଡ଼, ସାଆନ୍ତାଣୀ ହେଇଚ ବୋଲି କଣ ମୁଣ୍ଡ କିଣିଚ ? ଉଠ ଯାଇ ଭଙ୍ଗା କାଚତକ ଗୋଟାଇ ଗଦା କର । ରତନୀ ଆଖିପୋଛି ଯାଇ କାଚତକ ଗୋଟେଇ ଗଦାକଲା । ବାବୁ ବାହାରକୁ ଚାଲିଗଲେ । ଭଣ୍ଡାରୀ ଟୋକାଟାବି ଆସି ସାଙ୍ଗରେ ମିଶିଗଲା । କାଚ ଗୋଟଉ ଗୋଟଉ କହିଲା, ଦେଖିଲ ମାଁ ସାଆନ୍ତାଣି, ସାଆନ୍ତେ ଆମର ଭାରି ଚିଡ଼ିଲା ମଣିଷ । ଯେମିତି ନଙ୍କାମରିଚଟି ତ ! ତାଙ୍କ ସଭାବ ବୁଝି ଚଳିବ । ତେମେ ନୂଆ ଲୋକ ବୋଲି କହି ରଖିଲି । ରତନୀ ସୁଯୋଗ ପାଇ ପଚାରିଲା, ହଇରେ ତୋ ନା କଣ ? ଟୋକା କହିଲା ମୋ’ନା ଦାମା । ମୁଁ ବାବୁଙ୍କର ଗୋଡ଼ ଘସେ, ପଙ୍ଖା ଟାଣେ, ବୋଲ ହାକ କରେ । ‘‘ରତନୀ କହିଲା, ଆଉ ଫକିରା କଣ କରେ ? ଦାମା କହିଲା, କିଏ ରତନୀ କହିଲା ଏଠି ପରା ସେ ଥାଏ ।’’ ଦାମା କହିଲା ଏଠି ତ ଫକିରା ବୋଲି କେହି ନାହିଁ । ରତନୀକି ତ ଭାରି ଆଶ୍ଚର୍ଯ୍ୟ ଲାଗିଲା । ସେତେବେଳକୁ ଈଶରା ମାଁ ଆସି ଡାକିଲା, ଆଲୋ ବୋହୂ ଗାଧେଇବୁ । ରତନୀ ଉଠିକରି ଗଲା ଈଶରା ମାଁ ତାକୁ ନେଇ ପୋଖରୀ ତୁଠରେ ବସିଲା । ମୁଣ୍ଡାଏ ସାବିନି, ଗିନାଏ ବାସନା ତେଲ ଧରି ବସିଥାଏ । ଅଇନା ପାନିଆ ସବୁ ଆଣିଥାଏ ।
ପୋଖରୀ ତୁଠରେ ଭାରି ନିର୍ଜନ, ଚାରିଆଡ଼େ ପାଚେରି ବନ୍ଧା । ପକ୍କା ବେଦୀ, ତୁଳସିଚଉରା, ବାଡ଼ିଟା ଭାରି ସୁନ୍ଦର, ଫୁଲଗଛ ମାଳମାଳ, ନଡ଼ିଆଗଛ, ଆମ୍ବଗଛ, କଦଳିଗଛ, ପଣସଗଛ ମାଳ ମାଳ । ରତନୀ ଏ ସବୁ ଦେଖି ତା’ ଆଖି ଖୋସି ହେଇଗଲା । ସେ ଘଡ଼ିଏ ସବୁଆଡ଼େ ଚାହିଁଲା ।
ଈଶରା ମା ଟିକେ କଡ଼ାସ୍ୱରରେ କହିଲା, କଣ କଲବଲ କରି ଅନଊଚୁ ଘର ବାରି କଣ କେବେ ଦେଖିନୁଁ । ତୋରି ସାଆନ୍ତର ତ । ଏଠି ରାଣୀ ହେଇ ରହିବୁ । ଭଲ ଗୁଣକଲେ କପୁର ଚୂରିବୁ । ଆମେ ତ ଚାକରବାକର ଲୋକ । ‘‘ରତନୀ ଟାଣିହେଇ କହିଲା, ‘‘ମୋର କଣ ମନ୍ଦଗୁଣ ଦେଖିଲୁ କି ? ଈଶରା ମା କହିଲା, ସାଆନ୍ତେ କହୁଥିଲେ, ତୁ କୁଆଡ଼େ ପକ୍କା କଜିଆଖୋରଣୀଟା ।’’ ଆପଣା ନିନ୍ଦା ଶୁଣି ରତନୀ ଖପା ହେଇ କହିଲା, ‘‘ମୁଁ ପକ୍କା କଜିୟାଖୋରଣୀ ଆଉ ତୋ’ ସାଆନ୍ତଟା ଭାରି ଭଲ । ସେଇଟା କିଆଁ ମୋ’ ସାଙ୍ଗେ ନାଗିଚି ମତେ ସଖାଳୁ ଦି’ ପାହାର ବାଡ଼େଇଲାଣି । ହଇଲୋ ତେମେସବୁ ଏଠି କେମିତି ଚଳ ? ଈଶରା ମା ବଡ଼ ଦୁଃଖରେ କହିଲା ‘‘ମାଡ଼ ଗାଳି ଖାଇ ଚଳୁ । ମାଡ଼ ଖାଇ ଖାଇ ହାଡ଼ ଭାଙ୍ଗିଲା । ସାଆନ୍ତେ ଭାରି ପ୍ରତାପୀ; ଏବେ ତମ ହାତରେ ଆମ ଚୁଟି । ମାଇଲେ ଧଇଲେ ଯିବୁଁ ଆଉ କୁଆଡ଼ିକି ? ଜମି ଧରିଚୁ ।’’ ୟା କହି ଟାଣିନେଇ ରତନୀକି ତଳେ ବସେଇଲା । ପିତ୍ତଳ ଖଡ଼ୁତକ ତାର ବଡ଼ ହୁଗୁଳା ତିଆରି ହେଇଥାଏ । ତାକଥା ଶୁଣି ରତନୀ ଆଖିରୁ ଟପ ଟପ ଲୁହ ଗଡ଼ିଗଲା । ଘଣ୍ଟାକ ଆଗର ଗହଣା ପିନ୍ଧି ଯୋଉ ସୁଖ, ଶୂନ୍ୟରେ ମିଶିଗଲା । ଆଉ ତାର ଭାବନାର ବେଳ ନଥିଲା । ବଡ଼ ବଡ଼ କଞ୍ଚନ ଥାଳିରେ କି ଜାଣି ୨୫ ଲୋକର ରାନ୍ଧିବା ଦରବ ଘିନି ଚାରିଟା ପୂଝାରୀ ଆସି ହାଜର । ରତନୀକି ହୁକୁମ ହେଇଛି ରାନ୍ଧିବବୋଲି । ତା’ ଛାତି ଥର ଥର । ସେ କି ରନ୍ଧା ଜାଣେ ? ଯା’ ହଉ ରନ୍ଧା ଘରକୁ ଗଲା-। ଜିନିଷପତ୍ର ଥୋଇଦେଇ ପୂଝାରୀ ବାହାରିଗଲେ । ରତନୀ ବୁଦ୍ଧିକରି ଚୁଲ୍ଲି ଜଳେଇଲା ଭାତ ଫୁଟେଇଲା । ଶାଗଟା ଖରଡ଼ିଲା, ଡାଲିଟା କଲା । ବଡ଼ ମାଛକୁ ବେସର କରିଦେଲା । ଆଉ ତ କିଛି ଜାଣିନାହିଁ । ପୁଣି ଭାବିଚିନ୍ତି ସନ୍ତୁଳାଟା କଲା । ଆଉ ସବୁ ଜିନିଷ ପଡ଼ିଥାଏ । ସେକି ଜାଣେ ଖିରିମୋହନଭୋଗ, ଆଉ କଲିଆ କୁରୁମା !
ରାତି ନଅଟାକୁ ବାବୁ ଆସି ପିଣ୍ଡାରେ ବସିଲେ । ରତନୀକି କହିଲେ; ଭାତ ବାଢ଼ । ତା’ ହଲକ ଶୁଖିଗଲା । ଏଡ଼େବଡ଼ ଲୋକକୁ କେମିତି ଭାତଦବ କଣ କରିବ । କେହି ସାହାଯ୍ୟ କଲେନାହିଁ । କଷ୍ଟେମଷ୍ଟେ ଥାଳିରେ ଥାଳିଆରେ ଭାତ ତିଅଣ ପରଶିଲା । ସାଆନ୍ତେ ଖାଇ ବସିଲେ-। କହିଲେ ଭାରି ସୁଆଦ ହେଇଚି । ରତନୀ ମନ କୁଣ୍ଢେ । ଡାକିଲେ, ‘‘ଆସ ଖାଇବ’’ । ରତନୀକି ଭାରି ଲାଜ ମାଡ଼ିଲା । ତୁନିହେଇ ରହିଲା । ସାଆନ୍ତେ ପୁଣି ଡାକିଲେ, ନଶୁଣିଲାରୁ ରାଗ ହେଇ ଉଠିଲେ । ଥାଳି, ଥାଳିଆ, ଗିଲାସ, ବାସନ, ଭାତ ତରକାରୀ ସବୁ ଫୋପାଡ଼ି ଦେଲେ । କହିଲେ, କଣ ମୋ’ କଥା ଅମାନିଆ ।’’ ସାଆନ୍ତର କାଣ୍ଡ ଦେଖି ରତନୀର ଛାତିରୁ ଅଧେ ରକ୍ତ ଶୁଖିଗଲା । ସେହିକ୍ଷଣି ଈଶରାମାଁକୁ ଡକରା ହେଲା । ସାଆନ୍ତ ରାଗରେ ତମତମ ହେଇ କହିଲେ, ଏ ମୋ’ କଥା ଅମାନିଆ କରିଛି, ୟାକୁ ପଖାଳଭାତ ପିତାଶାଗ ଏହିକ୍ଷଣି ଆଣିଦିଅ ।’’ ସେହିକ୍ଷଣି ପଖାଳଭାତ ପିତା ଶାଗ ଖରଡ଼ା ଆସିଲା । ସାଆନ୍ତ କହିଲେ, ‘‘ବସ୍ ଖାଇବାକୁ ।’’ ରତନୀ ଭୟରେ ଖାଇ ବସିଲା । ସାଆନ୍ତ କଣେଇ କଣେଇ ଭାତ ତାଟିଆକୁ ଅନେଇଁ ଥା’ନ୍ତି । ପୁଣି ରାଗରେ କହିଲେ–‘‘ହଇଲୋ ଈଶରା ମା ହାଣ୍ଡିଏ ଗୋରୁ ତୋରାଣୀ ବାଢ଼ି ଦେଇଛୁ । ଏତେ ଖାଇବ ସେ-! କାଢ଼୍ଫୋପାଡ଼୍, ସେହିକ୍ଷଣି ଈଶରା ମାଁ ସବୁ ଅଜାଡ଼ିଦେଲା, ରହିଲା ଖାଲି ଶାମୁକାଏ ତୋରାଣୀ-। ସାଆନ୍ତେ କହିଲେ, ଏଇ ତୋରାଣୀ, ଆଉ ପିତାଶାଗ, ମୋ’ କଥା ଅମାନିଆ କଲେ ଏଇ ଖାଇବାର ମିଳିବ । ରତନୀ ଲୁହ ପୋଛୁଥାଏ ଖାଉଥାଏ, ତା’ କଇଁକଇଁ ସ୍ୱର ଶୁଣି ସାଆନ୍ତେ ଝଟ ତା ପିଠିରେ ବେତଟିଏ ବଜେଇଲେ । କହିଲେ ‘‘କାନ୍ଦିଲେ ଏ ଶାସ୍ତି । ରତନୀ ତୁନିହୋଇ ସେତକ ଖାଇଲା ।
ଖାଇ ଉଠିଲାମାତ୍ରେ ସାଆନ୍ତେ ଗଲେ ଆର ପିଣ୍ଡାକୁ; ସେଠି ଚଟେଇ ସତରଞ୍ଜି ପଡ଼ିଲା । ହାରମୋନିଅମ୍ ସିତାର ଥୁଆଗଲା । ବାବୁ ବସିଲେ ବାଜା ବଜେଇ ଗୋଟିଏ ଗୀତ ଗାଇଲେ । ତାଙ୍କ କଣ୍ଠ ଭାରି ମଧୁର ରତନୀ ଶୁଣୁଥାଏ । ସାଆନ୍ତେ କହିଲେ, ‘‘ଆସ ବାଜା ବଜେଇବ ।’’ ଆଉ ସେ କିଛି ଉତ୍ତର ନ ଦେଇ କତିକି ଗଲା । ବାବୁ ତାକୁ ବାଜା ଶିଖେଇ ବସିଲେ । ସେ ବୁଝୁ ନ ବୁଝୁ ହୁଁ ହାଁ ମାରୁଥାଏ । ଘଣ୍ଟାଏ ଗଲା, ସାଆନ୍ତେ କହିଲେ ଚାଲ ଶୋଇବା । ଖରାଦିନ, ବଡ଼ ଗରମ, ପିଣ୍ଡାରେ ବିଛଣା ହେଲା । ଦିବ୍ୟସୁନ୍ଦର ବିଛଣା, ଗଦୀ, ତୋଷକ, ଲେପ, ତକିଆ, ପୁଣି ମଲ୍ଲିଫୁଲ ମାଳ । ସାଆନ୍ତେ ଶୋଇଲେ । ଦଣ୍ଡେ ଯାଇନାହିଁ ସାପ ମାଇଲା ପରି ଉଠିଲେ । ବିଛଣା ବଡ଼ କାଟିଲା । କଥା କଣ, ରାମା ବେହେରା, ଦାମା ବାରିକ ଦଉଡ଼ି ଆଇଲେ । ବାବୁ ସବୁ ବିଛଣା ଅଗଣାରେ ଫୋପାଡ଼ି ଦେଲେ । କଥା କଣ, ଖୋଜଖାଜ ସାତ ପରସ୍ତ ଗଦୀତଳେ ଗୋଟାଏ ଖଡ଼ିକା । ଏଇଟା କାଟୁଥିଲା । ବାବୁ ଖଡ଼ିକାଟି ପାଇ ସେହିକ୍ଷଣୀ ରାମା ବେହେରାକୁ ଦି’ବିଧା ଦାମା ବାରିକକୁ ଦି’ଚଟକଣା ବସେଇଲେ । କହିଲେ, ଆଣ ଖଜୁରାପଟି । ତାଙ୍କ କଥାମତେ ଗୋଟିଏ ସାତଛିଣ୍ଡା ଖଜୁରୀପଟ୍ଟି ଆସି ପଡ଼ିଲା । ପିଢ଼ା ଗୋଟିଏ ମୁଣ୍ଡତଳେ ଦେଇ ସାଆନ୍ତେ ଶୋଇଲେ । ରତନୀକି ଡାକିଲେ ଗୋଡ଼ ଘସି । ତାଙ୍କ କାଣ୍ଡଦେଖି ରତନୀର ପିଳେହୀ ପାଣି । କିଛି ଉତ୍ତର ନ ଦେଇ ଗଲା ଗୋଡ଼ ଟିପିଲା ।
ମୁଠାଏ ଦି’ମୁଠା ନ ଦଉଣୁ ସାଆନ୍ତେ ଏମିତି ଗୋଇଠାଟିଏ ଦେଲେ ଯେ ଛାଟିହେଇ ଖଣ୍ଡେ ଦୂରରେ ପଡ଼ିଲା ‘‘ଆଲୋ ବୋପାଲୋ’’ ହେଇ କାନ୍ଦି ଉଠିଲା । ସତେ ଯେମିତି କିଛି ଜାଣି ନାହାନ୍ତି, ସାଆନ୍ତେ ଧଡ଼ପଡ଼ ଉଠିଯାଇ କଅଁଳେଇ କହିଲେ, ‘‘ଆହା କାଟିଲା କିଅ ! ହଉ ଆସ ଘସା ଥାଉ, ଶୋଇପଡ଼ ରାତି ବାରଟା ହେଲାଣି । ଭୟରେ ଭୟରେ ରତନୀ ଗୋଟାଏ କୋଣରେ ଶୋଇଥାଏ । ତା’ ଆଖିକି ନିଦ ନାହିଁ । ସାତପାଞ୍ଚ ଭାବୁଥାଏ । ମାଁ କଥା ମନେ ପକେଇ ଆଖିରୁ ନୁହ ଗଡ଼ି ଯାଉଥାଏ । ଲୋକାଭାଈର ଛଳକଥା ଚିନ୍ତି ତା’ବୁକୁ ଫାଟିପଡ଼ୁଥାଏ । ଏ କଣ ହେଲା, କୁଆଡ଼େ ଥିଲା, କୁଆଡ଼ିକି ଆଇଲା । ଫକୀରା କିଏ, ଏ ସାଆନ୍ତେ କିଏ, ଏମାନେ ୟାକୁ ନେଇ ଏତେ ରଙ୍ଗ କିଆଁ କରୁଛନ୍ତି କିଛି ବୁଝିପାରିଲା ନାହିଁ । ଉଠିବସି ସୁଉଁ ସୁଉୁଁ ହେଇ ଅନେକବେଳ କାନ୍ଦିଲା । ତା’ସୁଉୁ ସୁଉୁଁରେ ସାଆନ୍ତର ନିଦଭାଙ୍ଗିଲା । ବିରକ୍ତ ହେଇ କହିଲେ କଣ ରାତି ଗୋଟାକ ଶୁଆଇ ଦବନାହିଁ କହ ! କାହିଁକି କାନ୍ଦୁଛ ?’’ ଏଥର ରତନୀ ସମାଳି ନପାରି ଆହୁରି ବଡ଼ ପାଟି କରି କାନ୍ଦି ଉଠିଲା । ସାଆନ୍ତ ତାର କତିକି ଯାଇ ଠିଆହୋଇ କହିଲେ, ‘‘କଅଣ କାହିଁକି କାନ୍ଦୁଛ ମତେ କୁହ । ଆପଣା ସ୍ୱାମୀକି ନ କହିବ ତ ଆଉ ଦୁଃଖ କଥା କହିବ କାହାକୁ ?’’ ସାଆନ୍ତ କଥାରେ ରତନୀର ଗୋଡ଼ଠୁ ମୁଣ୍ଡଯାକ ଜଳି ଉଠିଲା । ଭାବିଲା ମଲେ ମରିବି ପଦେ କହିବି । ଝଟ ଉଠିଯାଇ କହିଲା, ‘‘ମଲାମୋର ତେତେ କୋଉଦିନ ବାହା ହେଲି ? ଫକୀରା ମଲାନାହିଁ ମତେ ଆଣି ଏଠି ଏତେ ରଙ୍ଗ କରାଉଛି, ଲୋକା ମଲାନାହିଁ ମତେ ପୂରେଇ ଏଠି ନାଟ ଦେଖୁଛି ।’’ ଏହା କହି ଦୁମ୍କିନା ତଳେ କଚାଡ଼ି ହେଇପଡ଼ି ମୁଣ୍ଡ ବାଡ଼େଇଲା । ସାଆନ୍ତେ ମହା ବ୍ୟସ୍ତହେଇ ତାକୁ ଟାଣି ଓଟାରି ସେଠୁ ଉଠେଇଲେ ଅନେକ ବୁଝେଇ ସୁଝେଇ ତୁନିକଲେ । ହେଲେ ରତନୀ ମୋଟେ ତୁନି ହେଉ ନଥାଏ । ଖାଲି କାନ୍ଦୁଥାଏ କହୁଥାଏ ଏ ଜୀବନ ଆଉ ରଖିବି ନାହିଁ । କାଲି ସକାଳେ ପୋଖରୀକୁ ଡେଇଁ ପଡ଼ିବି । ଅର୍ଖିତ ଜୀବନ ଏଡ଼େ ହୀନସ୍ତା ହେଲା । ଜଣେ ବାହା ହେଲା, ଆଉଜଣେ କହିଲା ସ୍ୱାମୀ ! ମୁଁ ମୂଲିଆ ମୁଣ୍ଡର ଝୁଅବୋଲି କଣ ମୋର ଇଜତ ମହତ ନାହିଁ । ତମ ଘରେ ବାରପାଇଟି କରିବି ବୋଲି କଣ ମୋ ମାନ ମହତ ଗଲା । ମୁଁ ପଛେ ଗଳାରେ ଦଉଡ଼ି ଦେବି’’
ଆଉ ବେଶି ବଢ଼ିବାର ନୁହେଁ ଦେଖି ସାଆନ୍ତେ ଆପେ ଆସି କତିରେ ବସିଲେ । ପ୍ରବୋଧ ଦେଇ କହିଲେ, ‘‘ଆରେ ଶୁଣ, ମହାପୁରୁ ସାକ୍ଷୀ, ଦିଅଁ ଦେବତା ସାକ୍ଷୀ ମୁଁ ତୁମକୁ ବାହାହେଇଚି ଫକୀରା କେହି ନୁହେଁ । ମିଛରେ ମିଛରେ ସେତକ ଭେଳିକି ହୋଇଥିଲା । ତୁମେ କଜିଆଖୋରଣୀ ବୋଲି ତୁମକୁ ଏ ଦଣ୍ଡ ।’’
ରତନୀ ଟିକେ ଥଣ୍ଡା ହେଲାରୁ ସାଆନ୍ତେ କହିଲେ ଥିରହେଇଁ ଶୁଣ ! ମୁଁ ଆଗରୁ ଲୋକାକତିରୁ ଶୁଣିଥିଲି ତୁମେ ଭାରି ଖୋରଣୀ, ଭାରି ସାହାସୀ । ଦିନେ ମନେଥିବ ତୁମର, ମୁଁ ଯାଇଥିଲି ତମଗାଁକୁ ମାଛମାରି, ସେ ଆଜିକି ପାଞ୍ଚ ବରଷ କଥା । ସେଦିନ ତୁମର ଯୋଉ ସାହାସ ଦେଖିଲି, ମୋ’ମନ ମାନିଗଲା । ମୁଁ ସାହାସକୁ ଭାରି ସୁଖପାଏ । ହେଲେ ତମ ଖୋରଣୀପଣଟା ଛଡ଼େଇବା ସକାଶେ ଏତକ ଭିଆଣକରି ବାହାହେଲି । ଏଥର ମନ ମାନିଲା !’
‘‘ରତନୀ ଏତକ ଶୁଣି ଗୋଡ଼ତଳେ ପଡ଼ିଗଲା । ସାଆନ୍ତେ ଆଦରରେ ପାଖରେ ବସେଇ କହିଲେ ଏଥର ରତନୀ ନଅତୁଣ୍ଡୀ ହେଲ, ରତ୍ନାବତୀ ଦେଈ ମଙ୍ଗଳ ଚଣ୍ଡୀ ।’’ ରତନୀ ମୁହଁରେ ଆଉ କଥାନାହିଁ ।
✽✽✽
ଛ’ କଥା
ଆରଦିନ ଦିନ ୯ ଘଡ଼ି ହେଇଚି, ସାଆନ୍ତେ କଚିରୀଠାଇଁ ଅଛନ୍ତି, ରତନୀ ବଇଚି ମଝିଘରେ, ଈଶରା ମାଁ ଭଣ୍ଡାରୁଣୀ ତା’ ଗୋଡ଼ରେ ଅଳିତା ଦଉଚି, ଆଇଲା ଫକୀରା ବାୟା ! ତା’ ହାତରେ ପତର ଠୁଙ୍ଗାଟି ।
ଫକୀରାକୁ ଅନେଇଦେଇ ରତନୀର ଗୋଡ଼ଠୁଁ ମୁଣ୍ଡଯାକେ ଥରିଗଲା । ଏଇନାଁ ସାଆନ୍ତ କହିଥିଲେ ଫକୀରା ବୋଲି କେହି ନାହିଁ, ଏ ପୁଣି ଜୀଅନ୍ତା ଫକୀରା କାହୁଁ ଅଇଲା ? ତେବେ ସାଆନ୍ତବି ମିଛ କହିଲେ ? ଏ କଣ ମାୟାପୁରି ?’’ ଫକୀରା ଘଡ଼ିଏଖଣ୍ଡେ ରତନୀକି ଅନେଇ କହିଲା, ‘‘ମଲୁନୁ ପୋଡ଼ାମୁହିଁ, ମୁଁ ଏ ବଜାର ସେ ବଜାର, ଏ ଗାଁ ସେ ଗାଁ, ଏ ବିଲ ସେ ବିଲ ତେତେ ଖୋଜିଲିଣି, ଆସି ତୁ ସାଆନ୍ତଙ୍କ ଉଆସରେ ପଶିଲୁଣି ! କହନ୍ତିନେଇଁ କଥାରେ କାହା କପାଳରେ ଖିରିଖିରିଷା କାହା କପାଳରେ ନଡ଼ୁ, ଆରେ ଏ ପୋଡ଼ା ଫକୀରା କପାଳରେ ଖାରିଆ ଖଡ଼ା ଚୋବେଇ ଚୋବେଇ ମରୁ !’’ ତୁ ଏଠି ତୁଅଣ, ତେର ଭଜା, ପନ୍ଦର ପିଠା, ଦଶ ଗଇଁଠା ଖାଇ ମଉଜ କରୁଚୁ, ଆଉ ଫକୀରା ଓଲୁ ତେତେ ମାଜଣା ମଙ୍ଗଳପୁର ବୋଲି ଖୋଜି ଆଇଲାଣି । ଚାଲ ଘରକୁ ଯିବୁ । ଶାଶୁ ଅନେଇଥିବ, ଶଶୁର ଅନେଇଥିବ, ଅନେଇଥିବ ମାଧିଆ, ମାଧିଆ ବୋପା ତ ଘରେ ବଇଚି, ମାଧିଆ ମାଁକୁ ନେଲା କିଲୋ ଗଧିଆ ! ‘‘ଚାଲ୍ଚାଲ୍, ଆଲୋ ଉଠୁଚୁ ?’’ ଏହା କହି ତା’ ବାହାଧରି ଝିଙ୍କି ପକେଇଲା । ରତନୀ ଅକର୍ତ୍ତବ୍ୟ ହେଇଁ ଉଠି ଠିଆ ହେଇ ଆଗେ ତାକୁ ଗୋଡ଼ଠୁଁ ମୁଣ୍ଡଯାକେ ଅନେଇଲା । ଇଲୋ ସେଇ ବାୟା ତ । ସାଆନ୍ତ କଥା ମନେକରି ତାର କଲିଜା ଦୁହିଁ ହେଇଗଲା । ସେ କଣ କରିବ କିଛି ବୁଝି ନପାରି କାଠପରି ଛିଡ଼ା ହେଇ ରହିଲା । ଈଶରା ମା କହିଲା, ‘‘ଇଲୋ ଯାଆଲୋ, ଡାକୁଚି ! ଶାଶୁ ଶଶୁର ଅନେଇଥିବେ, ପାଞ୍ଚ ପାଇଟି ପଡ଼ିଥିବ । ଆପଣା ଘରକୁ ଯିବାକୁ ଏତେ ହାତଧରା ଗୋଡ଼ଧରା !’’ ଏଥର ରତନୀର ପାଟି ଫିଟିଲା । ଈଶରା ମାଁକୁ ବହେ ଶୋଧି ମୁଣ୍ଡ ବାଡ଼େଇ କାନ୍ଦି ବସିଲା । ସେତେବେଳକୁ ସାଆନ୍ତ ଆସି ହାଜର । ସାଆନ୍ତକୁ ଦେଖି ସରମରେ ରତନୀ ମାଟିରେ ମିଶିଗଲାଣି । ତାଙ୍କ କଜିଆ ଗୋଳ ଦେଖି ସାଆନ୍ତ କହିଲେ, ‘‘କିଅ ଫକୀରଚରଣ, ଆମ ଉଆସ ଭିତରେ ଏତେ ଗଣ୍ଡଗୋଳ କିଆଁ ଲଗେଇଚ ?’’ ସାଆନ୍ତ କଥା ଶୁଣି ଫକୀରା ଟିକେ କାନ୍ଦି ପକେଇଲା, ଟିକେ ନୁହ ପୋଛି ପକେଇଲା କହିଲା ସାଆନ୍ତେ ହଜୁର ନିଶାପ କର । ପଅରଦିନ ରାତିରେ ବାହା ହେଲି କାଲି ସଖାଳେ ଗାଁକୁ ଅଇଲି, କନିଆକୁ ଈଶରାମାଁ କତିରେ ଛାଡ଼ି ଗଲି ବଜାରକୁ, ଏଣେ କନିଆଟି ତମ ଘର ପିଠା ସୁଆଦ ପାଇ ଆମ ଗରିବଗୁରୁବା, ମୂଲିଆ ମୁଣ୍ଡର ପଖାଳ ଭାତ ପିତା ଶୁଖୁଆ ମଣୋହୀରେ ଆଉ ରାଜି ନୁହନ୍ତି । ଆଉ ଠା’ରୁ ଉଠୁନାହାନ୍ତି । ଏ ଈଶରା ମାଁ ଭଣ୍ଡାରୁଣୀ ତାକୁ ଭଲା ସୁଆଦ ଚଖେଇଲା ! କିଲୋ ତୋ ସାଆନ୍ତ ଘର ଖିରି ଖିରିଷା ତେତେ ବଡ଼, ଆମ ହଳିଆ ମୂଲିଆଙ୍କ ପେଜ ତୋରାଣୀ ଆମକୁ ବଡ଼ । କିଲୋ ଜାତି, ଭଣ୍ଡାରୁଣୀ ଗୁଣ ପ୍ରକାଶ କରୁଛୁକି ? ରଖି ଦେଇଥା ସୁଆଗ ତୋ’ ସାଆନ୍ତ ଘରେ । ‘‘ଈଶ୍ୱର ମାଁ ବି ଛାଡ଼ିଲାବାଲୀ ନୁହେଁ ।’’ ସେ କହିଲା, ‘‘ଆରେ ନିଆଁନଗା, ମୁଣ୍ଡପୋଡ଼ା ସାଆନ୍ତ ବୋହୂକୁ କୁଆଡ଼େ ନବାକୁ ବଇଚୁ ? ହାଣି ଦେବିଟି ତେତେ ?’’ ହଣା ନାଁରେ ବାୟା ଚପିଗଲା । କାନ୍ଦି ପକେଇ କହିଲା, ‘‘ଆଲୋ ଈଶରାମାଁ ଲୋ, ହାଣ୍ନାଁ ଲୋ, ଦାନ୍ତରେ କୁଟା ଦଉଚି, ଗୋଡ଼ ଧରୁଛି, ହାତ ଧରୁଛି, ହାଣ୍ନାଁ ଲୋ, ଖୁର ଘସନାଁ ଲୋ ! ମୁ ପରା ମୋ’ ବୋପା ମାଁର ଏକଇର ବଳା ବିଶିକେଶନ । ନେ ନେ ମିଠେଇ ମଧୁରା ଖା-।’’ ୟା କହି ମିଠେଇ ଠୁଙ୍ଗାଟା ଈଶରା ମା ଉପରକୁ ଅଜାଡ଼ି ଦେଲା । ଈଶରା ମା ତାକୁ ଦି’ଚଟକଣା ବସେଇ ଦେଲା ।’’ ବାୟା ପୁଣି କାନ୍ଦିପକେଇ ସାଆନ୍ତ ଗୋଡ଼ତଳେ ପଡ଼ିଗଲା କହିଲା ଦେଖିଲେ ସାଆନ୍ତ ଈଶରା ମାଁ ଗୁଣ ! କହନ୍ତି ନେଇଁ ଜାତି ଭଣ୍ଡାରୁଣୀ, ନହୁରୁଣୀରେ ଖୋବେ ଦବ-। ତାକୁ କି ବିଶ୍ୱାସ ! ଏବେ ନିଶାପ କର ! ଭଲରେ ଭଲରେ ଆମକୁ ବିଦା’ ଦିଅ ।
‘‘ବିଦା ନବୁକିରେ !’’ ଏହା କହି ଦାମା ବାରିକ ପଛାଡ଼ୁ ଆସି ଫକୀରା ପିଠିରେ ଦି’ ବିଧା କସିଦେଲା । ଯେମିତି ହାଡ଼ ଭାଙ୍ଗିଗଲେ ଲୋକେ ଛଟେଇ ହୁଅନ୍ତି, ଫକୀରା ଠିକ୍ ସେଇପରି ହେଇ ତଳେ ପଡ଼ିଯାଇ କହିଲା, ‘‘ଇଲୋ ମଲି ଲୋ, ମଲି ଲୋ, ମୋ’ ହାଡ଼ ଭାଙ୍ଗିଲା, ମୋ’ ଜୀବ ଛାଡ଼ିଗଲା’’ ୟା କହି ମୋହ ଗଲା ।
ରତନୀର ଆଉ ସହ୍ୟ ହେଲା ନାହିଁ । ଈଶରା ମାଁକୁ କହିଲା, ‘‘ମଲା ଲୋକଟାର ଚେତା ବୁଡ଼ିଗଲାଣି, ମୁହଁରେ ପାଣି ଛାଟି ଦେ ! ଇଲୋ ଏ କଣ ହଉଚମ ସବୁ ।’’ ସାଆନ୍ତେ ଦାମାକୁ କହିଲେ, ଆଣରେ ଦାମା ପାଣି ଢାଳେ । ଦାମା ଗରାଏ ପାଣି ଆଣି ରତନୀ ଗୋଡ଼ କତିରେ ଦୁମକିନା କଚି ଦେଲା । ଈଶରା ମାଁ ଥିଲା ଥିଲା ପାଣି ଗରାକ ଉଠେଇ ଫକୀରା ମୁଣ୍ଡରେ ଓଜାଡ଼ି ଦେଲା ।’’ ଆରେ ସାଇଲେ ସାଇଲେ କହି ଫକୀରା ଉଠି ପଡ଼ି ମୁଣ୍ଡଟା ଏଡ଼େ ଯୋରେ ଝାଡ଼ି ଦେଲା ଯେ ପରଚୂଳଟା ତା’ ମୁଣ୍ଡରୁ ଖସି ହାତେ ଦୂରରେ ପଇଲା । ସାଆନ୍ତେ ହୋ’ ହୋ’ ହୋଇ ହସି କହିଲେ, ‘‘ଏଥର ଧରା ପଇଲୁ ଗୁରୁଚରଣ !’’ ଗୁରୁଚରଣ ଟିକେ ଅପ୍ରସ୍ତୁତ ହେଇ କହିଲା, ଆଉ ଏ ଈଶରା ମାଁଟା ମୋ’ ଚୁଟି ଝିଙ୍କି ଦେଲା ।
ରତନୀ ତା’ କାଣ୍ଡ ଦେଖି ହସିବ କି କାନ୍ଦିବ କିଛି ବୁଝି ପାରିଲା ନାହିଁ ।
ସେଠୁ ସାଆନ୍ତେ, ଗୁରୁଚରଣ, ଦାମା ବାରିକହରିକା ଗଲେ ପୋଖରୀକି ଗାଧୋଇ !
ଜେଁ ରାଧାଁ କୁଷ୍ଟଁ କିଁ ଜେଁ— ଏଁ —ଏଁ ବଡ଼ ପାଟିରେ ଡାକି ଡାକି ଦୁଆରକୁ ଆଇଲା ଗୋଟିଏ ନାହାକ । ଈଶରା ମାଁ ଯାଇ ତାକୁ ଭିତର ଅଗଣାକୁ ଘେନିଆସିଲା । କହିଲା, ‘‘ନାହକେ ଖଡ଼ି ପକେଇଲ ? ନାହାକ କାଶି କାଶି ଘଣ୍ଟାଏ କଲା । ରତନୀ ଅନେଇଲା, ଦେଖିଲା ଅଗଣାରେ ବଇଚି ଗୋଟାଏ ସତୁରି ବରଷର ବୁଢ଼ା ମଣିଷଟି, ତା’ ବାଳ ଝୋଟପରି, ତା’ ନାକ ଅଗକୁ ଗୋଟାଏ ବଡ଼ ପ୍ରଚକ୍ଷୁ । କାଖରେ ବିଡ଼ାଏ ତାଳପତ୍ର, ଫଟା ପାଞ୍ଜି ଗଣ୍ଡାଏ । ତା’ ରୂପ ଭେକ ଠିକ ଯେମିତି ଗୋଟିଏ ପାତିମାଙ୍କଡ଼ ପରି । ବୁଢ଼ା ଖାଲି ଥରୁଛି, କାଶୁଚି, ଛିଙ୍କୁଚି, ଥରେ ଥରେ ଗଳା ଖଙ୍କାରୁଚି । ତା’ ଢଙ୍ଗ ଦେଖି ରତନୀକି ଭାରି ଚିଡ଼ି ମାଡ଼ିଲା । ସେ କହିଲା, ‘‘ଈଶର ମାଁ ଏଇ ଥୁରୁଥୁରୁଆ ନାହାକଟାକୁ କିଆଁ ଡାକି ଆଇଁଲୁ ?’’ ଚାଉଳ ଦେ ସେ ଯାଉ ।’’ ରତନୀ କଥା ନାହାକ କାନରେ ପଇଲା କ୍ଷଣି ସେ ଉଠି ପଡ଼ି କହିଲା, ‘‘କିଁଲୋ ପଦିଆଁ ନାତୁଣୀ, ବିଦିଆଁ ଝୁଅଁ ! ତୋରିଁ ଏଡ଼େଁ ଚାତଁର । ବାହାଁ ସାହାଁ ହେଲୁଁ । ଜାତକ ସୁଜେଁଇଥିଲିଁ, ଖଁଡ଼ି ପକେଁଇଥିଲିଁ, ଆମଁ ସିଦ୍ଧା ଗଣ୍ଡାଁକ ମାଁରିବୁକିଲୋ ? ଆଣେ ଆଣେ ସରୁଁଚୂଡ଼ା, ଦୋପାଁଖି ଉଖୁଁଡ଼ା, ନଡ଼ିଆଁ ପାଞ୍ଚପୁଞ୍ଜା, ମନକୁଁ ବୁଝାଁ, ଆଁରେ ବୋଇଁଲା କିନାକନିଆଁ ରତନୀ ନଅତୁଣ୍ଡୀ, କଳିଁହୁଡ଼ିଁ ଉଗୁରଁଚଣ୍ଡୀ- ବରଁନା କୁଷ୍ଟଁଚନ୍ଦ୍ର ରାଉଁତୁରା, ଛାତିଁ ଥୁରୁଁ ଥୁରୁଁ ହେସଁ ହଗୁଁରା ।’’ ବିଲେଇଁ ଦେଖିଲେ ବେଲଁଇ ବାଘ, ଖାଏଁ କୁଣ୍ଡାଁପିଠାଁ କଳଁମସାଗଁ, ଡାଳୁଅଁ ଚାଉଁଳ କୋଳଁଥ ଡାଲିଁ, ପିନ୍ଧେଁ ଛିଣ୍ଡାଁକନ୍ଥାଁ ସହସ୍ରେଁତାଁଳି ।’’
ଗୀତ ଗାଇସାରି ନାହାକ ବସି ପାଞ୍ଜି ଫିଟେଇଲେ । ଆଙ୍ଗୁଠି ଗଣିଲେ । ‘‘ମେଷ, ବୁରୁଷଁ ମିଥୁନଁ, କଁରକଁଟ, ସିଂହ, କନିଆଁ, ତୁଳାଁ, ବୁରୁଁଛିକ, ଧନୁଁ, ମକର, କୁମ୍ଭଁ, ମୀନଁ । ଆରେଁ ବୋଇଲାଁ କିନଁ ବୁର୍ଚ୍ଛିଁକ କକଁଟ ମୀନସ୍ୟ ବିପ୍ରଃ, କନିଆଁ-କନ୍ୟାଁ ରତନୀ ଏଁ— ମେଷଁ, ବୁରୁଁଷ, ମିଥୁନଁ, କକଁଡ଼ା, ସିଂହ, କନିଆଁ- କନ୍ୟାଁ ରାଶିନଇକ୍ଷତର ଏଁ ଅଶ୍ୱିଁନୀ ଦୁଇଟାଁ, କୁରୁତିଁକା, ରୋହିଣୀଁ, ମୁରୁଗ ଶିଁରା, ଆରେଦ୍ରାଁ— ଏଁ ବୋଇଲାକିନାଁ କନ୍ୟାଁ ରାଶିଁ ଅଶ୍ୱିନୀଁ ନୈକ୍ଷେତ୍ର । ଫଳହେଲା— କନ୍ୟାଁ ସୁଲଇକ୍ଷଣାଁ ପୁତ୍ରକନ୍ୟାଁ, ଧନ ଧାନ୍ୟଁ, ପୁରୁନାଁ, ଡାହାଁଣଯାଏଁ ଲକ୍ଷ୍ମୀଁ ବାଁ ଯାଏଁ ହତଁଶିରୀଁ । ଗୁରୁସ୍ତଁ ମାରୀ, ପୁଅଁ କଚାଡ଼ିଁ ।
ନାହାକଙ୍କର ଗଣା ଶେଷ ନୋହୁଣୁ ସାଆନ୍ତେ ଗୁରୁଚରଣ ଗାଧେଇ ଆସିଲେ । ଗୁରୁଚରଣ ନାହାକ କତିରେ ବସିଗଲା, କହିଲା, ଅବଧାନେ ମୋ’ ରାଶି କହିବଟି । ନାହାକ ପ୍ରଚକ୍ଷୁ ଟେକି ତା’ ମୁହଁକୁ ଚାହିଁଲା କହିଲା, ‘‘ତମ ନାଁ କହଁ ।’’ ଗୁରୁଚରଣ କହିଲା ‘‘ମୋ ନାଁଟି ଫକୀରା, ମୋ’ ବୋପା ନାଁଟି ଭିକାରିଆଁ, ମୋ’ ଜେଜେ ବାପା ନାଁଟି ଭରତିଆ, ମୋ’ ଅଣଜେଜେ ବାପା ନାଁଟି ଆରତିଆ, ମୋ’ପଣ ଜେଜି ବାପ ନାଁଟି ସାରତିଆ । ୟା କହି ଦଉଡ଼ିଯାଇ ନାହାକର ଚୁଟି ଟାଣି ଦେଲା । ସେତ ପରଚୂଳା ଉପୁଡ଼ିପଇଲା । ନାହାକ ଭିତରୁ ହରି ବାହାରିପଡ଼ି ରତନୀ ଗୋଡ଼ତଳେ ପଡ଼ିଯାଇ କହିଲା, ବୋହୂ ସାଆନ୍ତାଣୀ କ୍ଷମା କର, ବାଳକ କଥାରେ ଦୋଷ ନଧର । ଆମେ ପିଲାଜାତି ଅତି ଅବୁଝା, ତୋଷ ଆମକୁ ଦେଇ ଉଖୁଡ଼ା ଚୂଡ଼ାଭୁଜା ।’’
ସେଦିନ ତାଙ୍କ ଘରେ ହେଲା ଭାରି ହସ । ହସି ହସି ସଭିଙ୍କର ପେଟ ପରାସ ହେଲା ।
ସଞ୍ଜବତୀ ଲାଗିଲା । ରତନୀ ବସି ପାନ ଭାଙ୍ଗୁଥିଲା । ଗୁରୁଚରଣ ଆସି କହିଲା, ଆସ ଘରକୁ ଯିବ, ‘‘ଅନାଇଁ ଥିବେ ଶାଶୁ ଶଶୁର ।’’ ରତନୀ ଉଠିପଡ଼ି ଧାଇଁଯାଇ ମଝି ପିଠିରେ ଦୁମକିନା ବିଧାଟିଏ ଦେଲା । ଗୁରୁଚରଣ ହସି ହସି ଦାଣ୍ଡକୁ ପଳାଇଗଲା । ସେହିଦିନୁ ଗୁରୁଚରଣ ଆଉ ହରି ତା’ ସାଙ୍ଗେ ବଢ଼ନ୍ତି ନାହିଁ । ସାଆନ୍ତଙ୍କ ଶିକ୍ଷାରେ ନଅତୁଣ୍ଡୀ ଭାରି ବଦଳି ଗଲା । ଆମ ମଣିଷ ଆଉ ସେ ନୁହେଁ । ଯେମିତି ସଭ୍ୟ, ସେମିତି ଭଲ । ତା’ ଖୋରଣୀପଣ କୁଆଡ଼େ ଗଲା । ସାଆନ୍ତେ ତା’ ପାଇଁ ଗୋଟାଏ ମାଷ୍ଟରାଣୀ ଆଇଁଲେ ଛମାସରେ ସେ ସବୁ ପଢ଼ି ପକେଇଲା । ତାର ଭାରି ବୁଦ୍ଧି, ଯାହା ଧରୁଥାଏ ତା’ ଶିଖୁଥାଏ । ସାଆନ୍ତେ ଘର ପାଖରୁ ଭଲ ସୁଆର ମଗେଇ ତାକୁ ଅନେକ ଅନେକ ପ୍ରକାର ରନ୍ଧାବଢ଼ା ପିଠାପଣା ଶିଖେଇଲେ । ନିଜେ ଗାଉଣା ବାଜଣା ଶିଖେଇଲେ । ଅରଟରେ ସେ ଏଁମିତି ସରୁସୂତା କାଟି ଶିଖିଲା ଯେ ସେ ଗାଁରେ ତା’ଠୁ ବଳି ଆଉ ଭଲ ସୂତା କେହି କାଟି ପାରୁ ନଥିଲେ । ସେ ଦୁଃଖୀ ଘର ଝୁଅ ଏଠି ସୁଖରେ ରହିଲା, ବାର ଚିଜ ପିନ୍ଧିଲା । ଆଉ ସ୍ୱାମୀଟିଏ ଦିଅଁ ଲେଖା । କି କଥାକୁ ତାକୁ ଦୁଃଖ ।
କଥା ଲୁଚି ରହିଲା ନାହଁ । ପୁତୁରା ଆଉ ଘରକୁ ବେଶି ଆସୁନାହିଁ । ଘରେ ତାରପରା ବୋହୂ । ନାରେଣୀ ଦେଈ ବଡ଼ ମନ ଦୁଃଖରେ କାଳ କାଟନ୍ତି । କୃଷ୍ଣକୁ ବୋହୂ କଥା କହିଲେ, କୃଷ୍ଣ ମୁହଁ ମୋଡ଼ନ୍ତି, କହନ୍ତି ତୋ ମନ ଇଚ୍ଛା ବୋହୂ କରିଛୁ । ତୋ’ ଘର ଆଲୁଅ କରି ବସିଥାଉ । ଯେ ସ୍ୱାମୀକୁ ମାନିଲା ନାହିଁ ସେ କି ସ୍ତିରୀ । ଘରେ ପାଟ ପତନୀ ପେଡ଼ିରେ ଖୁନ୍ଦା ହେଉଚି, ସିନ୍ଦୂକେ ଅଂଳକାର । ପୋଇଲୀ ପରିବାରୀ ଅଛନ୍ତି ଖଟିବାକୁ । କୋଉ ସୁଖରେ ଊଣା ଯେ ସ୍ୱାମୀ ନ ହେଲେ ଚିନ୍ତା କଣ ?
ଉମା ସୁନ୍ଦରୀ ଭାରି ଅଭିମାନୀ । ଅଭିମାନ ଆହୁରି ଗଉଁ ଧରି ବସନ୍ତି । ସେ ବଡ଼ଘର ଝିଅ; ଟିକେ କଥା ହେଲେ କହନ୍ତି ମୋତେ ଛାଡ଼ିଦିଅ ମୁଁ ବାପ ଘରକୁ ଯିବି । ଏଠି ବାର ଲୋକର ବାର ବୋଲଣା ସହି ପାରିବି ନାହିଁ । ମଲା ମୋର, ମୋ’ ବାପରେ କିସର ଅଭାବ ଯେ ଏଠି ପଡ଼ି ପୋଇଲୀଙ୍କ ହାଉଳି କଥା ଶୁଣିବି ?
ଥରେ କୃଷ୍ଣ ତା’ କଥାରେ ଭାରି ଖପା ହେଇ ବାପ ଘରକୁ ପଠେଇ ଦେଲେ । ସେହିଦିନୁ ଆସି ଦେଢ଼ ବରଷ ହେଲା ଉମା ବାପ ଘରେ । ଏହି ଭିତରେ ସାଆନ୍ତେ କାହାକୁ ନକହି ନ ବିଚାରି ରତନୀକି ବିଭା ହେଲେ । ହେଲେ କଥାଟା ଲୁଚିବ କୁଆଡ଼ୁ । ବିଭା ହବାର ଛ ମାସ ନ ଯାଉଣୁ ଉମା ବାପଘର ଖବର ପାଇଲେ । ଉମା ଏ କଥା ଶୁଣି ପହିଲି ତା’ ମନଟା କେମିତି ହେଇଗଲା, ପରେ କହିଲା, ହ ଯେତଟା ବାହା ହେଲେ ମୋ’ ଗୋଡ଼ ତଳକୁ ତ । ଉମା ମାଁ ସଂସାରି ମଣିଷ । ନାରେଣୀ ଦେଈ ଏ କଥା ଶୁଣି ତାଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଇଲା । ସେ ସେହିକ୍ଷଣି ସୁଆରୀରେ ବସି, ଆରଦିନ ସକାଳେ ସରଦେଇପୁରରେ ହାଜର ।
ଘରେ ଗୋଡ଼ ଦେଲାମାତ୍ରେ ରତନୀକି ଦେଖି ଆଗେ ବହେ ଗାଳିଦେଲେ । ରତନୀ ଆଗ ଶାଶୁର ଚର୍ଚ୍ଚା- ବୁଝିଲା । ସେ କିନ୍ତୁ କାହାରି ପାଣି ଛୁଇଁଲେ ନାହିଁ । କହିଲେ ତୁ କି ଘରବୋଲି କି ଘର ଝୁଅ ତୋ’ ହାତରୁ ପାଣି ଛୁଇଁବି ।’’ ଏ ଅନ୍ୟାୟ କଥା ବରଦାସ୍ତ କରିବା ଭଳି ପ୍ରକୃତି ରତନୀଠି ନଥିଲା ସେ କହିଲା, ‘‘ମୋତେ ମିଛକୁ ଗାଳି ଦିଅନାଁ ତମ ପୁତୁରାକୁ ପଚାର ।’’ ସାଆନ୍ତେ ଘରେ ନଥିଲେ । ଆସି ଶୁଣିଲେ ଅପା ଆସିଛି ପୁତୁରାକୁ ଦେଖିଲାମାତ୍ରେ ନାରେଣୀ ଦେଈ ଆହୁରି ପାଟିକଲେ । କହିଲେ ମୋତେ ନବିଚାରି, ନପଚାରି ଗୋଟାଏ ଅଇଁଠାଖାଇଘର ଝୁଅକୁ ଆଣି ଆମ ବଁଅଶରେ ପୂରେଇଲୁ । ଆମ ଇଜତ ମହତ ଗଲା; ଆଉ ତୋ’ ହାତରୁ କିଏ ପାଣି ଛୁଇଁବ । ତୁ ପୁଣି ମୋତେ ମୁହଁ ଦେଖାଉଛୁ ।’’ ପୁତୁରା ତା’ କଥାରେ ପାଟି ନ ଫିଟେଇ କହିଲେ, ହଉ ବଜାରକୁ ସରବା ଯିବ ଜଳଖିଆ ଆଣିଦେବ ଖା’ । ବୁଢ଼ି କହିଲା, ନାଁ ମୁଁ ତୋ’ ମୁହଁ ଚାହିଁବିନାହିଁ , ଆଗେ ବତା ଏ ଅଲକ୍ଷିଣୀକି କୋଉଠୁ ଆଣିଛୁ । ତାରପରା ବୋହୂ ତୋତେ ପସନ୍ଦ ହେଲାନାହିଁ, ଏଇ ଚେପଟିନାକି, ଉଚ୍ଚୁକପାଳି ଥନ୍ତଲ ପେଟୀ ତୋର ପସନ୍ଦ ହେଲା । ଆଜି-କାଲିକା ପିଲାଏ ପରା ଭାରି ଅବାଧ୍ୟ । ଆମ ବଶରେ ଅଛନ୍ତି ଯେ ଆମେ କହିମୁଁ ବୋଲିମୁଁ ।’’ ଏହା କହି ବଡ଼ ପାଟିରେ କାନ୍ଦିବାକୁ ଆରମ୍ଭ କଲେ । ତାଙ୍କ ବ୍ୟସ୍ତରେ କୃଷ୍ଣ ତାଙ୍କ ଗୋଡ଼ତଳେ ପଡ଼ିଗଲେ, କହିଲେ ମାଁ ତୁ ଅପା ତୁ, ମାଇଲେ ମାର୍ ଜିଆଇଲେ ଜିଆ । ହେଲେ କଥାଟା ବୁଝ ! ତୁ କହୁଛୁ ତାକୁ ସେ କି ଘର, ହଉ ଆଗକରି କହ ମୁଁ କି ଘର, ମୋ’ ପିଇସା ଦନାର୍ଦ୍ଦନ ଛୋଟରା’ ମାଜଣା ମଙ୍ଗଳପୁରୁ ବାଇଧର ଜେନାର ମାମୁ ପୁଅ ଭାଇଟି । ଆଉ ଏ ବୋହୂ ତାରି ନିଜ ଝିଆରୀ । ପଦନ ଜେନା ଉଦୟ ଜେନା ଏକା ମାଁର ଦି’ପୁଅଟି । ଏ ବୋହୂ ପଦନର ପୁଅ ବିଦିଆର ଝିଅ ।
ବୁଢ଼ି ଏତକ ଶୁଣି ଟିକେ ନରମ ହେଲା । ରତନୀ ଆସି ଗୋଡ଼ତଳେ ପଡ଼ି ହାତଧରି ଉଠେଇଲା । ବାରରକମ ଆଣି କତିରେ ବସି ଶାଶୁକୁ ଖୁଆଇଲା । ଶୋଇଲାରୁ ନିଜେ ଯାଇ ଗୋଡ଼ ଘସିଦେଲା । ତା ଶିଷ୍ଟାଚାରରେ ବୁଢ଼ି କ୍ରୋଧ ଭୁଲିଗଲା । ଟିକେ ପ୍ରେମ ହେଇଗଲାରୁ କହିଲା, ୟା ପିଇସାର ବାପ ଆଉ ତୋ’ କକେଇ ବାଇଧର ମାଁ ଏକା ମାଁ ପେଟର ଭାଇଭଉଣୀ । ସେଇ ଲେଖାରେ ତୋ’ ବାପ ମୋ’ ଦିଅର । କୁଷ୍ଟ ବାହାହେଲା ଭଲକଲା ହେଲେ ମୋତେ ଟିକେ ବିଚାରିଥାନ୍ତା କି ଲୋଡ଼ିଥାନ୍ତା ।
ଏତିକିବେଳକୁ ହରି ଘର ଭିତରକୁ ପଶି ଆସୁଥିଲା । ଅପା କଥା ତା’ କାନରେ ପଡ଼ିବାରୁ ସେ କହିଲା, ‘‘ତୋତେ ବିଚାରିଥିଲେ ଆମ ବାହାଘରଟା ଆଉ ଉଠିଥାନ୍ତା, ବୋହୂକୁ ସମାନ ବୁଝିଛୁ ପକ୍କା କଜିଆଖୋରଣୀ ନଅତୁଣ୍ଡୀ । ରତନୀ ଲାଜରେ ମୁହଁ ତଳକୁ ପୋତିଲା ।
ଚାରିଟାବେଳେ ରତନୀ ଗଲା ରୋଷେଇ ଶାଳକୁ ରାନ୍ଧି, ଆଉ ଗୁରୁଚରଣ ହରି ବସି ଅପା ଆଗରେ ବାହାଘରର ସବୁ କାରଖାନା ଗୋଟି ଗୋଟି ବୟାନ କଲେ । ବୁଢ଼ୀ ଶୁଣି ହସି ହସି ତା’ ପେଟ ପରାସ । ଝରକାବାଟେ ରତନୀ ଚାହିଁଲା ଶାଶୁ ଭାରି ହସୁଛନ୍ତି । ଦାମା ଆସି କହିଲା, ‘‘ଜାଇଁଲ ସାଆନ୍ତାଣୀ, ଅପା ସାଆନ୍ତାଣିଙ୍କ ଆଗରେ ସାନ ସାଆନ୍ତେ ଆଉ ଗୁରୁଚରଣ ନନା ବାହାଘରର ସବୁ କଥା ବୟାନ କଲେଣି । ରତନୀକି ଶୁଣି ଆହୁରି ଲାଜ ମାଡ଼ିଲା ।
ପୁତୁରା କତିରେ ବୁଢ଼ୀ ରହିଲେ, ଦି’ମାସ । ବୋହୂର ଗୁଣକ୍ରିୟାରେ ପହିଲି ପହିଲି ଚିଡ଼ୁଥିଲେ । ତାଙ୍କର ଚିଡ଼ିବାର କାରଣ ରତନୀ ବେଶି ଲାଜ କରୁ ନ ଥିଲା । ସମସ୍ତଙ୍କ ସାଙ୍ଗରେ ମିଳାମିଶା କରୁଥିଲା । କିନ୍ତୁ ଦେଖିଲେ ସେ କାମରେ ଭାରି ଫୁର୍ତ୍ତି, ସ୍ୱାମୀର କଥାରୁ ପାଦେ ଟଳେ ନାହିଁ । ନିଜ ହାତରେ ନ ତିଅଣ, ଦଶ ଭଜା କରି ସ୍ୱାମୀ ଶାଶୁଙ୍କୁ ପରଶୁଛି, ସମସ୍ତେ ଖାଇ ସାରିଲେ ଆପେ ଖାଇ ବସୁଛି । ଚାକରଙ୍କ ଖିଆପିଆ ପ୍ରତି ତାର ଭାରି ଆଖି । କେହି ତା’ କଥାରୁ ବାହାର ନୁହେ । ଘର ଗୋଟାକ ଚଳେଇ ଏଣେ ଦି’ପହରିଆ ବସି ପାଠ ପଢ଼ୁଛି । ନିତି ଘଣ୍ଟାଏ ଅରଟରେ ସୂତା କାଟୁଛି, କଳ ଘରଘର କରି ଜାମା ଜୋଡ଼ ସିଲେଇ କରି ପକଉଛି । କାଁଇଶି ଡାଲା ଶିଉଁଚି, ଚିତ୍ର ଆଙ୍କୁଚି । କୋଉ କଥାରେ ଊଣା ନୁହେ । ତା’ଠି ପୁଣି ଫେସନ କିଛି ନାହିଁ । ସ୍ୱାମୀର ଇଚ୍ଛା ଯାହା ତା’ ଇଚ୍ଛା ତା’ହି । ତାଠି ଦେଖିବ ନାହିଁ ସରୁଲୁଗା, ବାସନା ତେଲ ଅତର । ତାଠି ଦେଖିବ ନାହିଁ ଅଳସପଣ ।
ଦିନେ ସଞ୍ଜୁଆ ପିଇସି ପୁତୁରା ପିଣ୍ଡାରେ ବସି ଦୁଃଖ ସୁଖ ହେଉଛନ୍ତି, ରତନୀ କଥା ପକେଇ ବୁଢ଼ୀ କହିଲେ ‘‘ତୋ ବୋହୂ ନାଁ ରତନୀ, ତା’ ଗୁଣ ରତନ ।’’ ପରେ ଦୀର୍ଘଶ୍ୱାସ ପକେଇ କହିଲେ, ଉମା ଏଇଭଳି ତୋ କଥା ମାନିଥିଲେ ଆଜି କପୁର ଚୁରିଥାନ୍ତା । ହେଲେ ସେ କଣ ଶୁଣିଲା ? ଆଗ ପଛ ବିଚାରିଲା ?
କୃଷ୍ଣ ଦୁଃଖରେ କହିଲେ ବଣର ବାଘକୁ ଆଣି ବଶ କଲି । ସେ ବଡ଼ଘର ଝିଅ ହେଇ କୁବୁଦ୍ଧି ଧଇଲା ! ହେଲେ ତାକୁ ମୁଁ ଛାଡ଼ିଦେଇ ନାହିଁ ଟିକେ ଚେତୁ, ତେବେ ଆଣିବି । ନୋହିଲେ ପରଙ୍କୁ ଆମେ କିଆଁ ଉପଦେଶ ଦବୁଁ ? ଆମ ଘରସୁନା ତ ଭେଣ୍ଡୀ, ଆମେ ପରକୁ ତିଆରିବୁଁ, ତମେ ଭଲ ହୁଅ, ସଉକି ଛାଡ଼, ଆପଣା ଦେଶର ମହତ ରଖ । ସେଦିନୁ କହିଥିଲେ ଲୋ ଅପା ବଡ଼ ଘର ଝିଅ ଆଣିବ ନାହିଁ । ବଡ଼ ଘରେ ଝୁଅ ଦେବ । ବଡ଼ଘର ଝୁଅ ଆଣି ଏ ହଟହଟା, ସେ ନା ସ୍ୱାମୀ କି ମାନିଲା, ନାଁ ଶାଶୁକୁ ମାନିଲା । ତାକୁ କି ସ୍ତିରୀ କହିବ ? ସେ ନିତାନ୍ତ ଅଲକ୍ଷ୍ମୀ । ଅଲକ୍ଷ୍ମୀ ପୁରୁଷ ପୁଅକୁ ଆଶ୍ରୟ କଲେ, ପୁରୁଷ ପୁଅ ସଇଲା । ଆମ ଦେଶର ଆଉ ଏଡ଼େ ଦୁର୍ଗତି କାହିଁକି ? ଝିଅଯାକ ଗୃହ ଲକ୍ଷ୍ମୀ ହବା ଦୂରେ ଥାଉ ଅଲକ୍ଷ୍ମୀ ହେଲେଣି । ସ୍ୱାମୀ ଭକ୍ତି ଗଲାଣି । ତାଙ୍କର ଚୁଲ୍ଲିରେ, ଗହଣା ଲୁଗା ହେଲାଣି ସାର ପଦାର୍ଥ । ମୁଁ ଉମାକୁ ଏଇ ଶିକ୍ଷା ଦେବା ମାନସରେ ୟା କଲି-।-କହିଲି ତ ହେଲା ନାହିଁ । ବୋଲିଲିତ ନାହିଁ । ପଦେ କହିଲେ ଗଳାରେ ଦଉଡ଼ି ଦବାକୁ ଗଲା-। ଟିକେ ଅସନ୍ତୋଷ ହେଲେ ବାପ ଘରକୁ ଧାଇଁଲା । ମୁଁ ଏବେ ମର୍ଦ୍ଦପୁଅ କାହାଁତକ ଜଳାଞ୍ଜଳୀ ହେବି-। ସେହି ଯୋଗୁଁ ଗରିବ ଘର ଝୁଅଟିଏ ବାହା ହେଲି । ସେ ହେଲେ ଗରିବ ଘର । ଆମେ ହେଲୁ ଗାଁ ଜମିଦାର । ଆମ ଘରେ ଆମ ବୋହୂମାନେ ଆମକୁ ଅମାନ୍ୟ କରିବେ ଆଉ ପରଜାଏ ଆମଠୁ ଦେଖି ଶିଖିବେ ତି ! ପ୍ରଜାଙ୍କ ଲାଗି ବିନା ଦୋଷରେ ଜାନକୀ ପରା ସତୀଭାର୍ଯ୍ୟାକୁ ଶ୍ରୀରାମ ବଣକୁ ପଠେଇଲେ । ସ୍ତିରୀ ଆମଠୁ ହାତେ ବଢ଼ିଲେ ଆଉ ଧର୍ମ୍ମ ରହିବ ?
ନାରେଣୀ କହିଲେ, ‘‘ହଁରେ ପୁଅ ଏବେ ବୁଝିଚି, ମୁଁଇ ତାକୁ ମୁହଁ ଦେଇ ସର୍ବନାଶ ବାଟରେ ନେଇଚି, ସେତେବେଳେ ମୋଠୁ ମୁହଁ ପାଇ ନ ଥିଲେ କିଜାଣି ଅବା ତୋ’ କଥା ମାନିଥାନ୍ତା । ମୁଁ ତା’ ପକ୍ଷ ହେଲାରୁ ସେ ତ ସମସ୍ତଙ୍କୁ ଗୋଡ଼ରେ ଦଳିଲା । ଏଇଟା ମୋର ବଡ଼ ଭୁଲ ।
କୃଷ୍ଣ କହିଲେ— ଯା’ ହବାର ହେଇଚି, ନେଡ଼ିଗୁଡ଼ କହୁଣୀକି ବୋହି ଗଲାଣୀ । ହେଲେ ସେବି ବୋହୂ । ମୁଁ ତାକୁ ଫୋପାଡ଼ି ଦେବିନାହିଁ । ଯେତେ ଦିନ ରାଗରେ ବାପ ଘରେ ଅଛି ଥାଉ । ରାଗ ଭାଙ୍ଗିଲେ ଆସିବ । ନାରେଣୀ ଦେଈ ଦୁଃଖରେ ଦୀର୍ଘଶ୍ୱାଃସଟିଏ ପକେଇ କହିଲେ— ଆଉ ରାଗ କଣ ସଦାଦିନ ରହିବ । ମୁଁ ବୁଢ଼ୀ ହେଲିଣି, ଆଜି ଅଛି କାଲି ନ ଥିବି, ହେଲେ ମୋ’ ରାଣ ତାକୁ ମୋଟେ ଫୋପାଡ଼ିଦବୁ ନାହିଁ । ପାତର ଅନ୍ତର କରିବୁ ନାହିଁ । ତା’ ମାଫିକେ ତାକୁ ଚଳେଇବୁ-। କୃଷ୍ଣ ହଁ ଭରିଲେ । ବୁଢ଼ୀ ତୋଷ ହୋଇ ଜପ କରିବାକୁ ଉଠିଗଲେ । ରତନୀ ଶାଶୁର ଜପ କରିବା ଥାନଟି ଆପଣା ହାତରେ ପରିଷ୍କାର କରି କୋଥଳୀ ଥୋଇ ଫୁଲ ତୁଳସୀ ପତ୍ର ସଜାଡ଼ି ରଖିଥିଲା । ବୁଢ଼ୀ ତାର ଭକ୍ତି ଦେଖି କହିଲେ ମୁଁ କଲ୍ୟାଣ କରୁଚି ତୁ ଯେମିତି ସଭିଙ୍କ ମନ ନେଇଚୁ ପରମେଶ୍ୱର ସେମିତି ଏକା ତୋତେ ଉତ୍ତମ ସୁନ୍ଦର ବାଳକ ଦିଅନ୍ତୁ ।’’
ଏମିତି ୟାଙ୍କ ଦିନ କଟିଲା । ହେଲେ ଗେଲ୍ହୀ ଖବର କଣ ବୁଝିବା । ରତନୀ ବାହାଦିନୁ ଗେଲ୍ହୀ ମନ ସୁଖ ନଥାଏ । ଦିନ ରାତି ଲୋକାକୁ ଶୋଧୁଥାଏ । କଜିଆ କରୁଥାଏ, ଆଉ କାନ୍ଦୁଥାଏ । ଲୋକା ଭାବିଲା ଆଉ ନୁଚେଇବା ଭଲ ନୁହେ । ଗୋଟିଏ ସୁଆରୀ ବନ୍ଦୋବସ୍ତ କଲା । କହିଲା, ମାଉସି ଚାଲ୍ ତୋ’ ଝିଅକୁ ଦେଖି ଆସିବୁ । ଗେଲ୍ହୀ ପହିଲି ପହିଲି ନାହିଁ କଲା । ମୋ’ ଝିଅ ମଲାଣି । କହି ଗାଳି ଦେଲା । ହେଲେ ଲୋକା ବଳାଜୋରି କରି ନେଇଗଲା । ପାଲିଙ୍କି ପହଞ୍ଚିଲା ସିଧା ଜମିଦାର ଓଆସରେ । ଗେଲ୍ହୀ କୋଠାବାଡ଼ି ଦେଖି କହିଲା, ‘‘ହଇରେ ଏଠି କୋଉଠି ଆଇଲୁଁ ? ଏଠି ରତନୀ ଅଛି ? ଲୋକା କହିଲା ଏଇଠି ଅଛି,’’ ଏ ସବୁ କୋଠାବାଡ଼ି ତାର-। ଗେଲ୍ହୀ ତ ଅବାକ୍ । ମଝି ଅଗଣାକୁ ପଶିଗଲା ମାତ୍ରେ ଦେଖିଲା ରତନୀ ଖଣ୍ଡେ ମଠାଲୁଗା ପିନ୍ଧି ଚଉରାମୂଳେ ପୂଜା କରୁଛି । ତା’ ଦେହରେ ସୁନାରୂପା ଅଳଙ୍କାର ପୂରୀ ରହିଛି । ହାତରେ ମୁଠାଏ ସୁନା ଚୁଡ଼ି, ଖଡ଼ୁ, କାନରେ ସୁନାଫୁଲ, ବେକରେ ସୁନାମାଳ, ଗୋଡ଼ରେ ପାଉଁଜି, ଅଣ୍ଟାରେ ସରୁ ତାରାହାର । ସେତେ ଢଙ୍ଗର ଅଳଂକାର ବି କେବେ ଦେଖି ନ ଥିଲା । ତା’ ଆଖି ଖସି ପଇଲା-। ମାଁକୁ ଅନେଇ ଦେଇ ରତନୀର ଛାତି କୁଣ୍ଢେ ହେଲା । ଜମିଦାର ଜୁଆଁଇ ପାଇ ଗେଲ୍ହୀ ମହାଆନନ୍ଦ । ହେଲେ ବେଶି ଦିନ ଝିଅ କତିରେ ରହିଲାନାହିଁ । ସେହିଟା ଦାଣ୍ଡକୁ ଅଶୋଭା ଭାବି କୃଷ୍ଣଚନ୍ଦ୍ର ନିଜେ ତା’ ପାଇଁ ଲୋକା ଘର କତିରେ କୋଠା ଦି’ବଖରା କରିଦେଲେ । ପରମା ଆଉ ସତିଆ ମାକୁ ସାଙ୍ଗରେ ଦେଲେ । ବୁଢ଼ୀ ସୁଖରେ ବସି ଖାଇଲା । ତା’ ଖୋରଣୀପଣ ତୁଟିଗଲା । ବାଇଧର ଘର ଏ ଖବର ପାଇଲେ । ଏତେ ଦିନ ଗେଲ୍ହୀକି ପଚାରୁ ନ ଥିଲେ । ଏଥର ତା’ ଝିଅ ଜମିଦାରକୁ ବିଭା ହୋଇଛି ଶୁଣି ବଳେ ବଳେ ଯାଇ ତା’ ସଙ୍ଗେ ମିଶିଲେ । ଗେଲ୍ହୀ ମଧ୍ୟ ପୂର୍ବରାଗ ଭୁଲିଗଲା ।
ସେତେବେଳକୁ ବାଇଧରର ଉତ୍ତମା ବୋଲି ଷୋଳବରଷର ଭାରି ସୁନ୍ଦରୀ ଝିଅଟିଏ ଥାଏ-। ଗେଲ୍ହୀ ଠିକଣା କରି, ଝିଅକୁ ପଟେଇ ଶେଷକୁ ତାକୁ ହରିକି ହାତକୁ ଦି’ହାତ କଲେ । ଗୁରୁଚରଣକୁ ବି ଗୋଟାଏ ବାହା କରି ଦେଲେ । ତା’ ଭାରିଯା ନାଁଟି ମଞ୍ଜୁଳା । ଭାରିସୁନ୍ଦରୀ, ବାହାଘର ହେଲା । ଭାରି ଆନନ୍ଦ ହେଲା । ଏକା ଏଇଟା ପୁଣି ତାଙ୍କ ବଂଅଶର ଶେଷ ବାହାଘର । ବାହାଘରେ କଣ କରିବେ, ବଳେ ବଳେ ବଡ଼ ବୋହୂ ଉମାସୁନ୍ଦରୀକି ଆଣିଲେ । ଉମା ସାନ ସଉତୁଣୀକି ଦେଖି ପହିଲି ଭାରି ବିରସ ହେଲା । ପରେ ରତନୀ ତାକୁ ଆଦର କରି ବଡ଼ ଭଉଣୀପରି ମାନ୍ୟଯତ୍ନ କରି କତିରେ ରଖିଲା । ତାର ବି ମତି ଗତି ଫେରିଲା ।
କିଛିଦିନ ପରେ ରତନୀର ପୁଅଟିଏ ହେଲା । ବାପ ଆଦର କରି ନାଁ ଦେଲେ ହେମଚନ୍ଦ୍ର । ସୁଖର ସୀମା ରହିଲାନାହିଁ । ଦି’ ସଉତୁଣୀ ସ୍ୱାମୀର ମନ ଯହିଁରେ ସୁଖ ହବ ସେହି କଥା କରି ଚଳିଲେ । କୃଷ୍ଣ ବି ପାତର ଅନ୍ତର କଲେ ନାହିଁ । ଦୁହିଙ୍କର ପିଲାପିଲିରେ ଘର ପୂରିଲା ।
ସାତ କଥା
ଆଗରୁ ଶୁଣିଛ କୃଷ୍ଣବାବୁ ବାପ ଯଦୁମଣିଙ୍କର ଦୁଇ ସଂସାର ଥିଲା । ସେ ମଲାବେଳେ ବଡ଼ ଭାରିଯା ପୁଅଙ୍କୁ ଜ୍ୟେଷ୍ଠ ଭାଗ, ସାନ ଭାରିଯା ପୁଅକୁ ସାନ ଭାଗ ଦେଇ ଯାଇଥିଲେ । ବଡ଼ ପୁଅ ଶିବ ସବୁ ବୁଝୁଥିଲେ । ଶିବଙ୍କର କାଳ ହେଇଗଲା । ତାଙ୍କ ବୋହୂ ଯାଇ ବାପଘରେ ଉଠିଲେ । ତାଙ୍କର ପିଲାପିଲି ନଥିଲା । ସେହି ସକାଶୁ ଶାଶୁ ମୋଟେ ତାଙ୍କୁ ଦେଖିପାରୁ ନଥିଲେ । ନବୀନ ତ ସନ୍ନ୍ୟାସୀ ହେଇ କୁଆଡ଼େ ଗଲେ ତା’ ଠିକଣାନାହିଁ । ବଡ଼ ଭାଗତକ ଦି’ ବାଣ୍ଟ ହେଇ ଗୋବିନ୍ଦ ଆଉ ବୀର ପାଇଲେ । ସାନଭାଗ ବାଣ୍ଟ ବଖରା ହେଲାନାହିଁ । କୃଷ୍ଣ ହେଲେ ଜମିଦାର, ହରି ବଡ଼ ଭାଇଙ୍କି ମାନି ଚଳିଲେ । ତାଙ୍କ କଚେରୀ ହେଲା ସରଦେଈପୁର । ସେଠି, ଉମା ରତନୀ ଆଉ ଉମା ରହିଲେ, ସୁଖରେ ଘର କଲେ ।
କୃଷ୍ଣବାବୁ ଭାରି ଦେଶଭକ୍ତ । କେମିତି ଆମ ଦେଶର ଭଲ ହେବ ଏଇଟା ତାଙ୍କର ଭାରି ଭାଳେଣି ଥାଏ । ସେ ଆପଣା ରାଇଜର ଭାରି ଉନ୍ନତି କଲେ । ଠା’ଠା’ କୂଅ ଖୋଳେଇଲେ, ଠା’ଠା’ ପୋଖରୀ ଖୋଳେଇଲେ, ଠା’ଠା’ ବାଗ୍ବଗିଚା କଲେ, ନୂଆ ନୂଆ ନଡ଼ିଆମାଳ, ଗୁଆମାଳ, ଆମ୍ୱତୋଟା ସବୁହେଲା । ତାଙ୍କର ହୁକୁମଥିଲା, ତାଙ୍କ ଇଲାକାରେ ଧାନ ଚାଉଳ ଅନ୍ୟଆଡ଼େ ଯିବନାହିଁ । ତେବେ ଯଦି ଧାନ ମହଙ୍ଗା ହେଲା ଗରିବ ପ୍ରଜାଙ୍କ ଖଞ୍ଜଣା ମାଫି କଲେ, କୋଠରୁ ଧାନ ଦେଇ ତାଙ୍କ ପରିବାର ପୋଷିଲେ । ତାଙ୍କ ରାଇଜର ଛତିଶପାଟକ ଜାତି ଏକାଠି ମିଳିମିଶି ରହିଲେ-। ହେଲେ ଏକଥା ସବୁ ଏକା ଦିନକରେ ହେଇନଥିଲା । ଅନେକ ଟଙ୍କା ଖରଚ ଅନେକ ପରିଶ୍ରମ ପରେ ହେଲା । ପହିଲି କଣ ହେଲା ଶୁଣ । ସାଆନ୍ତେ ଦେଖିଲେ ପ୍ରଜାଏ ବଡ଼ ମୂର୍ଖ ! ୟାଙ୍କୁ ବିଦ୍ୟା ନ ଦେଲେ ତ ୟାଙ୍କୁ ଯେତେ ମାଠୁଥିବ ମାଠ୍ ସେହି ଦରପୋଡ଼ା କାଠ୍ ହେଇଁ ରହିବେ-। ୟା ଭାବି ଆପଣା ଇଲାକାରେ ଚାହାଳିଗୁଡ଼ିଏ ବସେଇ ଦେଲେ । ଅବଧାନ ସବୁ ରହିଲେ । ସେଠି ଓଡ଼ିଆ ପାଠ, ଅଙ୍କ, ପଟ୍ଟା ପାଉତୀ ପଢ଼ିବା ଏଇସବୁ ଶିକ୍ଷା ହୁଏ । ଆଉ ଗାଁଯାକ ହୁକୁମ ଦେଲେ ସଭିଏଁ ମାଗଣାରେ ଆପଣା ପିଲାଙ୍କୁ ସେଠି ପାଠ ପଢ଼ିବାକୁ ଛାଡ଼ିବେ । ନୋହିଲେ ଜୋରିମାନା । ଅବଧାନଙ୍କୁ କୋଠରୁ ଦରମା ମିଳିଲା । ଏହିପରି ପନ୍ଦରଟା ଷୋଳଟା ଚାହାଳି ବସିଲା । ପୁଅ ଝିଅ ସେଠି ସଭିଏଁ ଏକାଠି ପଢ଼ନ୍ତି । ପଢ଼ା ଖାଲି ଦୁଇ ଚାରି ବର୍ଷ ଯାକ । କିଲାସ ଉଠିଲେ କାଗଜ ନାହିଁକି ସାଟିଫିକେଟ ନାହିଁ । ବାବୁଙ୍କ ମତରେ ପାଠ ଘୋଷି ପରୀକ୍ଷାରେ ଲେଖି ଦେଇ ଗୋଟାଏ କାଗଜ ପାଇଲେ କିଛି ଦିଗ୍ଗଜ ପଣ୍ଡିତ ହବନାହିଁ । ପେଟରେ ପାଠଥିଲେ ଗଲା । ଓଡ଼ିଆଙ୍କୁ ଏ ପାଠ ବଡ଼ ଆରେଇଲା । କେତେଟା ବରଷ ପରେ ତାଙ୍କ ରାଇଜରେ ଆଉ କେହି ନିରକ୍ଷର ରହିଲେନାହିଁ-। ତାଡ଼ି ଖଟି ସବୁ ଉଠିଗଲା । ଗାଁ ଗାଁ ଭାଗବତ ଘର ବସିଲା । ସେଠି ନିତି ସନ୍ଧ୍ୟା ବ୍ରାହ୍ମଣ ପୋଥି ବୋଲିଲେ । ଗାଁବାଲା ଆସି ଶୁଣିଲେ । ଆଗ କାଳର ରାମଲକ୍ଷ୍ମଣ, ପଞ୍ଚୁପାଣ୍ଡବ ଆଦି କଥା ଶୁଣି ତାଙ୍କ ମନବି ଭଲ ହେଲା । ଭାଗବତ ଶୁଣିବାକୁ ବୁଢ଼ାମାନେ ବି ମେଳହେଲେ । ଭାଗବତ କୋଠରୁ ଖଞ୍ଜା ଆଉ ବରତନ ମିଳିଲା । ସେହିଠି ପାଞ୍ଚି ପଞ୍ଚୁ ନ୍ୟାୟ ନିଷାପକ କଲେ ।
ସେମିତି ପଠାଣସାହିମାନଙ୍କରେ ଗୋଟିଏ ଲେଖା ପଠାଣୀ ମୋଖତବ୍ ବସିଲା । ସେଠି ପଠାଣ ପିଲାଏ ମୌଲବି ପାଖରେ ଊର୍ଦ୍ଧୁ ଆରବୀ ପଢ଼ିଲେ । ସେହି ମୌଲବି ପୁଣି ତାଙ୍କୁ କୋରାଣ ପଢ଼ି ଶୁଣାଇଁଲେ ।
ପ୍ରତି ଗାଁରେ ଗୋଟିଏ ଖେଳ ଆଖଡ଼ା ହେଲା, ସେଠି ନିତିନାଁ ଶନିବାର ରବିବାର ଗାଁ ପିଲାଏ ଖେଳ ଦେଖେଇଲେ । କୁସ୍ତି ନଢ଼ିଲେ । ଜମିଦାର ପ୍ରଜାଙ୍କ ମନ ନବାରୁ ପ୍ରଜାବି ପାଞ୍ଚ କାମରେ ତାଙ୍କର ସାହାପକ୍ଷ ହେଲେ । ସାଆନ୍ତେ ଗାଁ ଗାଁରେ ଗୋଟିଏ ସାଧାରଣ ଚାନ୍ଦା ଖାତା ଖୋଲି ସେ ଗାଁର ପାଞ୍ଚ ଭଲଲୋକେ ହାତରେ ସମର୍ପି ଦେଲେ । ସେଥିରେ ସେ ଗାଁର ଉନ୍ନତି ସକାଶେ ଯେ ଯାହା ସମର୍ପି ଦେଲେ । ସେଥିରେ ସେ ଗାଁର ଉନ୍ନତି ସକାଶେ ଯେ ଯାହା ସ୍ୱଚ୍ଛମନରେ ଦେଲା ସେହି ପାଞ୍ଚ ପଇସା ରହିଲା ଗାଁରେ କୂଅ ଖୋଳା ହଉ, ଗରୀବ ଦୁଃଖୀ ସକାଶେ ହଉ, ରୋଗ ବଇରାଗ ସକାଶେ ହଉ ସେଇ ପାଣ୍ଠିରୁ ଖରଚ ହଉଥିଲା । କାହା ଘରେ ନିଆଁ ଲାଗିଗଲା । ତାର ସର୍ବସ୍ୱ ପୋଡ଼ି ଜଳିଗଲା । ସେ ସେହିଥିରୁ ଘର ବନେଇବାକୁ ଟଙ୍କା ସାହାଯ୍ୟ ପାଇଲା । ଗାଁ ଗାଁ ପୁଣି ଅରଟ ଘର ବସିଲା । ଲୋକେ ସେଠି ସୂତାକାଟି ଶିଖିଲେ । ଖାଲି ଏତିକି ନୁହଁ ମାଇପି ଲୋକେ କେମିତି ଭଲ ହେବେ ଏ କଥାରେ ସାଆନ୍ତଙ୍କର ଭାରି ଚିନ୍ତା ଥାଏ । ହିନ୍ଦୁଘରେ ପଠାଣ ଘରେ ତ ଭାରି ପରଦା ସେ ତ ପଦାକୁ ବାହାରି ପାରିବେନାହିଁ । ଦେଶ ଚିନ୍ତା ତାଙ୍କୁ ପୁଣି କିଆଁ ଲାଗିବ । ହେଲେ ସାଆନ୍ତେ ଗୋଟାଏ ଉପାୟ କଲେ । ଭାବିଲେ, ନାହିଁ ମାମୁରୁ କଣା ମାମୁ ଭଲ । ଦିନେ ରତନୀକି ପାଖରେ ବସେଇ ମନକଥା କହିଲେ । କହିଲେ ଦେଖ ମୁଁ ସିନା ମରଦ ପୁଅଙ୍କ ସକାଶେ ବାର କଥା କରିବି । ଝିଅଙ୍କ କଥା ତମ ଦିହିଙ୍କି ଲାଗିଲା । ତେମେ ସବୁ ଗାଁ ସ୍ତିରୀଙ୍କି ଆପଣା ଉଆସକୁ ପାଲିଙ୍କି ପଠେଇ ସମିଏ ସମିଏ ଆଣି ତାଙ୍କ ସଙ୍ଗେ କଥା ଭାଷା ହୁଅ । ଗ୍ରାମୋଫୋନ୍ ବଜେଇ ତାଙ୍କୁ ଶୁଣାଅ ପୂଣ୍ୟ ପର୍ବଦିନ ବଡ଼ ଘର ବୋହୂ ଝିଅଙ୍କୁ ନିମନ୍ତ୍ରଣ କର ତାଙ୍କ ସାଙ୍ଗେ ପାଞ୍ଚ କଥା ହୁଅ । ସେହିମାନେ ଭଲହେଲେ ଆମ ଦେଶଟା ଭଲ ହେବ ।’’
ବାବୁଙ୍କ କଥାରେ ରତନୀ ମହାଆନନ୍ଦ ହେଲା । ସେଠୁ ସେ, ଉମା ଆଉ ଉତ୍ତମା ମିଶି ନିତି ସନ୍ଧ୍ୟାରେ ଗାଁ ସ୍ତିରୀଙ୍କି ଆଣି ଗ୍ରାମୋଫୋନ୍ ଶୁଣେଇଲେ । ସେଠି ବସି ପାଞ୍ଚକଥା ପକେଇଲେ । କଥା ଭିତରେ ତାଙ୍କୁ ନାନାଶିକ୍ଷା ଦେଲେ । ଆପଣା ଦେଶ କେମିତି ଭଲ ହବ, ଲୋକେ ଆପଣା ଦେଶ ନିଜ ବେଭାର କଲେ କଣ ଫଳ ହବ ସେ ସବୁ କହିଲେ ।
ଦିନେ ମହାପାତ୍ର ଘର ବୋହୂ ଝିଅ ଆସିଥାନ୍ତି ଗ୍ରାମୋଫୋନ୍ ଶୁଣି । ସେମାନେ ଭାରି ବଡ଼ଲୋକ ଜାତିରେ ବ୍ରାହ୍ମଣ । ଆଉ ତାଙ୍କ ଘର ପୁଅମାନେ ବଡ଼ ଚାକିରିଆ । ସେମାନେ କୃଷ୍ଣବାବୁ ଘରକୁ ଚଷାବୋଲି ପଛାଡ଼େ ଟାପରା କରନ୍ତି । ସେଦିନ ତାଙ୍କ ବୋହୂମାନଙ୍କୁ ଦେଖି ଆଗ ଖୁବ ଗୁଡ଼ାଏ ହସିଲେ । ଏ ତାର ସେ ତାର ଆଖି ଠରାଠରୀ ହେଲେ । କଥା କଣ ନାଁ ଏମାନେ କେଡ଼େ ଭେସେଡ଼ା ମୋଟରା ଖଦି ଲୁଗା ସବୁ ପିନ୍ଧିଛନ୍ତି । ‘‘ତାଙ୍କ ହସ ତାଙ୍କ ଢ଼ଙ୍ଗରେ ରତନୀ ମନେ ମନେ ଦୁଃଖିହୋଇ କହିଲା, ‘‘ମାଉସୀ କି କଥା ଦେଖି ହସିଲ ? ‘‘ମାଉସୀ ହଉଛନ୍ତି ମାହପାତ୍ରଙ୍କ ଭାରିଯା-। ସେ କହିଲେ, ‘‘ତେମେ ସବୁ ଯୋଉ ଅଖା ପିନ୍ଧିଚ, ତାକୁ ଦେଖି ଆମେ ହସିଲୁ । ୟାକୁ କେମିତି ବୋହିବ, ଚମ ଛିଣ୍ଡି ଯାଉଥିବ, ଅଣ୍ଟା କାଟି ହୁଏ ନାହିଁ ?’’ ରତନୀ ସରଳ, ସେ କହିଲା, ଆମେ ଜାତି ଚଷା, ଆମ ଚଉଁଦ ପୁରୁଷ ମୋଟ ଖଦି ପିନ୍ଧି ଆସିଛନ୍ତି । ଏ ହେଲା ଆମ ବାରି କପାରୁ ତିଆରୀ । ମୁଁ ନିଜେ କାଟିଚି । ଆମେ ଲାଜ ଘୋଡ଼େଇବାପାଇଁ ପର ଦୁଆରକୁ ଯିମୁଁ କିଆଁ-?
ମାଉସୀ ବିଦ୍ରୁପରେ ହସି ଦେଇ କହିଲେ, ‘‘ଏବେ ବୁଝିଲି ତେମେ ସବୁ ନନାଙ୍କ ଅପରେସନ ହେଇଁଚ । ହେଲେ ମୁଣ୍ଡବାଡ଼େଇ ଦେଲେ ବି ଆମ ଦି’ହାତରେ ଏ ମୋଟ ଖଦି ଚଳିବ ନାହିଁ । ମାଁ ଲୋ ଦେହ ଲସେଇ ପଡ଼ିବ ।’’
ଉମା ଥିରଭାବରେ କହିଲା, ‘‘ମୁଁ ବି ଆଗରେ ସେହିକଥା କହୁଥିଲି, ମାଉସୀ ହେଲେ ଆଜିକାଲି ସୁଖରେ ମୋଟା ପିନ୍ଧୁଛି । ବିଲାତୀ ଲୁଗା ଖଣ୍ଡେ ମୋ, ପେଡ଼ିରେ ପାଇବ ନାହିଁ ।’’
ଉମା ଭାରି ଖାନଦାନ ଘର ଝୁଅ କଥା ଶୁଣି ମାଉସୀ ଆଉ କିଛି କହିଲେ ନାହିଁ ।
ସେମିତି ସେଦିନ ପଟ୍ଟନାୟକ ଘର ଆସିଥାନ୍ତି । ତାଙ୍କ ବଂଶର ସ୍ତ୍ରୀମାନେ ପରଚର୍ଚ୍ଚା ପରନିନ୍ଦାକୁ ସମ୍ୱଳ କରି ବୁଲନ୍ତି । ଯୋଉଠି ବସିଲେ ସେଠି ପରଚର୍ଚ୍ଚା ପରଘରର ପାଞ୍ଚକଥା । ଗଲା ଝିଅରୁ ବୋହୂରୁ, ଶାଶୁ ପର୍ଯ୍ୟନ୍ତେ; କେହି କାହାକୁ ଊଣା ନୁହନ୍ତି । ସେମାନେ ଭାବିଥିଲେ ୟାଙ୍କ ଘରବି ସେହିପରି ହେଇଥିବେ । କଥାପଡ଼ୁ ପଡ଼ୁ ପଟ୍ଟନାୟକ ଭାରିଯା ସୁଲକ୍ଷଣା କହିଲେ ହଇକିଏ ଶୁଣିଚ ତେମେ ସବୁ ଦୋପଟି ଜଗମୋହନ ଝିଅ କଥା ! ସେପରା ରାତିରାତି ଲୁଚି ଶାଶୁ ଘରୁ ପଳେଇ ଆଇଚି ।’’ ରତନୀ ଉତ୍ତର କଲା, ଆମଚିନ୍ତା ଆମକୁ ଗରୁ ପରଘର ଚିନ୍ତାରେ ଆମକୁ କିସ ମିଳିବ । ମୁଁ ଶୁଣିଯାଏ ନାଁ । ସେ ସବୁକଥା ସୁଲକ୍ଷଣା ଟିକେ ଅପ୍ରସ୍ତୁତ ହେଇ କହିଲେ, ‘‘ତମର ସବୁ କି ଚିନ୍ତା ବା ! ପୋଲାରେ ଖାଇ ମେଲାରେ ଶୋଉଚ । ଅଣ୍ଡିରାଙ୍କଦେରେ ବାହାରେ ବୁଲୁଚ, ବାଜଣା ବଜଉଚ, ନାଟ ତାମାସା କରୁଚ ।’’ ରତନୀ ଏକଥା ଶୁଣି ମନେ ମନେ ବିରକ୍ତ ହେଲା । ହେଲେ ଆପଣାକୁ ସମାଳି ନେଇ କହିଲା’’ ଯାନି ! ଆମେ ଅଣ୍ଡିରାଙ୍କ ଦେରେ ପଦାକୁ ବାହାରୁଚୁ ସତ, ସେଥିରେ ପାଞ୍ଚ ଭଲ କାମ ହଉଚି । ଗରିବଗୁରୁବା ଘରକୁ ଯାଇ ରୋଗୀ ଦୁଃଖିଙ୍କି ଦେଖୁ, ପ୍ରଜାଙ୍କ ହାନିଲାଭ ବୁଝୁ, ହେଲେ ଘରେ ବସି ପରଚର୍ଚ୍ଚା ଆମକୁ ପୋଷାଏ ନାହିଁ । ପତି ପରିମେଶ୍ୱର କହନ୍ତି ନେଇଁ ପରନିନ୍ଦା କଲେ ନର୍କେବାସ । କାହାରେ ଭଲ କହିଁବୁଁ ହଁ ଶୁଣିଲା ବାଲା ତୋଷ୍, କହିଲା ବାଲା ତୋଷ୍ ।’’ ପଟ୍ଟନାୟକ ଭଉଣୀ କଳାବତୀ ରତନୀ କଥାଶୁଣି ବାଆଁରେଇ ହେଇ କହିଲେ, ‘‘ହଁ ସେ କଥାରୁ କି ଖାଇବ । ଏ ବୋହୂଟା ବଡ଼ ସରଳିଆ, ତା’ ପେଟରେ କଥାରହେ । ତାର ଜାଗା ଅଜାଗା ନାହିଁ । ଛାଡ଼ ଛାଡ଼ ସେ କଥା । ହଇକିଏ ହେମବୋଉ, ତମଘରେ କୁଆଡ଼େ ଆପଣା ହାତରେ ସୂତା କାଟୁଚ ସବୁ । ଏତେ ସୂତା କଣକର ? ରତନୀ ହସି ହସି କହିଲା ସୁଖଲାଗେ କାଟୁ, ତନ୍ତିକି ଦେଇ ଲୁଗାବୁଣେଇ ପିନ୍ଧୁ; ଖଦି ଭଣ୍ଡାରମାନଙ୍କୁ ଆମର ସୂତାଚାନ୍ଦା ଯାଏ ।’’ ପଟ୍ଟନାୟକ ମାଁ ବୁଢ଼ୀ ଯଶୋଦାମଣି କହିଲେ, ‘‘ହ, ଏଇ ମୋଟ ନୁଗାରେ ଏକା ଗାନ୍ଧି ମହାତ୍ମା ଦେଶ ଉଦ୍ଧାର କରି ପକେଇବେ । ମୋର ବିଶ୍ୱାସ ନାହିଁ । ଯୋଉଁ ଅଖାଦେରେ ହେଇଁଚି, କେମିତି ସମାଳିବ ଆଗ ।’’
ଉତ୍ତମା କହିଲା, ଆମର ଅଭ୍ୟାସ ହେଲାଣି, ଅଖାହଉ କଥାହଉ ଆମ ଦେଶରେ ଯେତେବେଳେ ସରୁ ଲୁଗା ନାହିଁ । ଆମେ କୋଉଠୁ ଆଣିମୁଁ ‘‘ଯେ ଦେଶ ଯାଇ ସେ ଫଳ ଖାଇ ।’’ ପଟ୍ଟନାୟକ ସାନଝିଅ ଚନ୍ଦ୍ରାବତୀ ଆଶ୍ଚର୍ଯ୍ୟ ହେଇଁ କହିଁଲା, ‘‘କିଆଁ ଏଇ ମୁଁ ତ ସରୁନୁଗା ପିନ୍ଧିଚି, ଦୋକାନରେ ଯାହାକୁ ଯେତେ ।’’ ଉମା କହିଲା, ସେ କଣ ଆମଦେଶ ନୁଗା ? ସେତ ଅନ୍ୟ ଦେଶରୁ ଆଉଚି, ଆମ ପେଡ଼ି ପଇସାରେ ଆମେ କିଆଁ ପରଲୁଗା କିଣିମୁଁ ? ରମା କହିଲା- ସେଥିରେ ହେଲାକଣ, ନୁଗା ତ ପିନ୍ଧିବ, ଆମଦେଶ କଣ ତମ ଦେଶ କଣ ? ଆମ ଦେଶ ନୁଗାରେ କଣ ପଇସା ଖର୍ଚ୍ଚ ନୁହଁ ?
ରତନୀ କହିଲା ଖଦିରେ ତ ବେଶି ଖରଚ । ଖରଚ ସକାଶେ କିଛି କଥାନାହିଁ । ପଇସାଟା ଆମ ଦେଶରୁ ଯାଇ ବିଦେଶରେ ରହୁଛି ଆମେ ପରା ଦରିଦ୍ର ହଉଚେଁ, ଓଳିଏ ଖାଇବାକୁ ପାଇଲେ ଆଉ ଓଳିକି ଦାନା ନାହିଁ । ଖାଲିକଣ ନୁଗା, କାଚକୁହ, ସିନ୍ଦୂର କୁହ, ଚିନିକୁହ, ନୁଣକୁହ, ଛୁରୀକୁହ, କଇଁଚିକୁହ ନିଆଁକାଠି ଆଦିକରି ଆମକୁପରା ପର ଦୁଆରେ ହାତପତେଇ ଆଣିବାକୁ ହଉଚି । ହାତ ପତେଇଲାଠୁ ହୀନ ଅଛି ? ଆମ ବାବୁଙ୍କର ଏ ସବୁ ଶିକ୍ଷା ।
ବୁଢ଼ୀ ଯଶୋଦାମଣି କହିଲେ, ‘‘ତମପାଠ ତେମେ ବୁଝ, ହେଉ ଲୋ ମାଁ ତେମେ ଏକା ଦେଶ ଉଦ୍ଧାର କରି ସ୍ୱରଗ ଯିବ, ଆମେ ନର୍କରେ ପଡ଼ି ଘାଣ୍ଟି ହମୁଁ ।’’
ତାଙ୍କ ପଣ୍ଡିତ କଥାଶୁଣି ତାଙ୍କଝିଅ ଗୁଲବଦନୀ କହିଲା, ‘‘ବାବା ଗାନ୍ଧୀ ନୁହନ୍ତି, କି ଦିଅ ଦେବତା ନୁହନ୍ତି, ଆମେ କଥାଟା ଭଲ ବୋଲି ମାନିମୁଁ ସତ, ହେଲେ ଏଡ଼ିକି ମୋଟରା କନ୍ଥା ଦିହରେ ଦେଇ ସମାଳି ପାଇଲେ ତ ହବ । ମୁଁ ତ ଗରମରେ ମୂର୍ଚ୍ଛାଯିବି ମୋ ଦି’ ହାତିରେ ତା’ ଚଳିବ ନାହିଁ । ତା’ କଥା ଶୁଣି ଏମାନେ ତୁନି । ଆଉ କହିବେ କଣ ?
ଏମିତି କିଛିଦିନ ଗଲା । ପଠାଣଙ୍କ ଇଦ ପଇଲା । ସେଥର ପଠାଣ ସାହୀରେ ସଭିଏଁ ଗୋରୁ କୋରବାଣୀ କରିବାଲାଗି ଠିକଣା କରିଥାନ୍ତି । ହିନ୍ଦୁ ଟୋକାଙ୍କ କାନରେ ଏ କଥା ପଡ଼ିଗଲା-। ପଠାଣ ଯେତେବେଳେ ଗାଈ ବେକରେ ଫୁଲମାଳହାରିକା ପକେଇ ମହାମଉଛବ କରି କୋରବାଣୀ ଥାନକୁ ଯାଉଛନ୍ତି, ଭେଟିଲେ ତ ତାଙ୍କୁ ଏ ପଞ୍ଝାକ । ସେଠୁ ଲାଗିଲା ଦି’ପକ୍ଷର ଭାରି ପିଟାପିଟି । ମାଡ଼ଗୋଳ ତାଙ୍କ ହୋ ହା ଘୋଘାରେ ଦାଣ୍ଡ କମ୍ପି ଯାଉଥାଏ । ମାଇପେ ତରସ୍ତ ହେଇ ଘର କୋଣରେ ଲୁଚିଥାନ୍ତି । ସାଆନ୍ତେ ଗାଁଆରେ ନ ଥାନ୍ତି । ହରି ଆଉ ଗୁରୁଚରଣ ଘଟଣା ଯାଗାକୁ ଗଲେ । ସେତେବେଳକୁ ଲୋକେ ଥାଟପଟାଳ । ହୋ ହା ରେ କିଏ କାହା କଥା ଶୁଣୁଚି, କିଏ ଧରିଚି ଠେଙ୍ଗା, କିଏ ଧରିଚି ବାଡ଼ି, କାହା ହାତରେ ଅଛି ଟାଙ୍ଗିଆ । କିଏ ପୁଣି ବିଲର ନଙ୍ଗଳ ଫାଳ ଘିନି ଦଉଡ଼ିଛି । ପୁଲିସ ଆସି ଠିଆ ହେଲେଣି । ଧରା ଧରି ଲାଗିଲାଣି ।
ହରି ଆଉ ଗୁରୁଚରଣ ଜୀବନର ମାୟା ନ ରଖି ମଝିରେ ପଶିଲେ । ପାଟି କରି ଡାକିଲେ ‘‘ଥିର ହୁଅ, ଥିର ହୁଅ । ସାଆନ୍ତ ଘର ଲୋକ ଦେଖି ପ୍ରଜାମାନେ ଟିକେ ଚପି ଗଲେ । ଯାହାକୁ ଯେମିତି ବୋଧବାଧ ଦେଇ ବଡ଼ କଷ୍ଟରେ ଦଙ୍ଗା ହେଙ୍ଗାମା ଭାଙ୍ଗିଲେ । ସେ ଦିନଟା ଗଲା । ଆର ଦିନ ଆଖଡ଼ା ପଡ଼ିଆରେ ବସିଲା ସଭା । ସାଆନ୍ତ ବି ଏ ଖବର ପାଇ କଟକରୁ ସେହି ରାତି ରାତି ପଳେଇ ଆଇଲେ । ସଭାରେ ସାଆନ୍ତେ ଠିଆ ହୋଇ ହାତଯୋଡ଼ି କହିଲେ, ‘‘ଭାଇମାନେ କିବା କଥାକୁ ତମେ ସବୁ ଏଡ଼େ କାଣ୍ଡଟା କରି ବସିଲ । ଟିକେ ଥୟ ଧରି ଭାବ । ଗାଈ ଆମ ହିନ୍ଦୁ ଶାଆସ୍ତ୍ର ମତରେ ଗୋମାତା ସତ, କିନ୍ତୁ ମଣିଷ ଜୀବନ ସବୁଠୁ ବଡ଼ । ଗୋମାତାଙ୍କୁ ରକ୍ଷା କରିବାକୁ ଯାଇଁ ଯେ ତେମେ ଭଗବାନଙ୍କ ପିଲାଙ୍କୁ, ଦେଶମାତାଙ୍କ ପୁଅଙ୍କୁ ମରାମରି କଟାକଟି କଲ । ଯେଝା ଶାସ୍ତ୍ରମତେ ଯେ ଚଳିବେ । ତା ବୋଲି ଧର୍ମ ନାଁରେ କଳିଗୋଳ, ମାଡ଼ ପିଟାପିଟି ମୁଣ୍ଡ ଫଟାଫଟି, କଣ ଭାରି ବାହାଦୂରୀ ?’’ ତାଙ୍କର କଥା ପଦେ ନ ସରୁଣୁ ସଭା ଭିତରୁ ଜଣେ ଉଗ୍ରମୂର୍ତ୍ତି ହିନ୍ଦୁ ଲୋକ ବାହାରିପଡ଼ି କହିଲା, ‘‘କିଆଁ, ଗୋବଧଠୁ ବଳି ପାପ ନାହିଁ । ପଠାଣ ଗୋରୁ ମାରିବେ ଆମେ ଅନେଇ ଦେଖୁଥିବୁଁ । ତା କଥା ଶୁଣି ପଠାଣ ପଞ୍ଝାଏ ଉଠି ଠିଆ ହେଇଗଲେ । ସଭା ଥଳରେ ଯୁଦ୍ଧ ଲାଗିଯିବ ପରା । ୟା ଭାବି ପୁଣି ସାଆନ୍ତେ ବଡ଼ ପାଟିରେ କହିଲେ, ଭଗବାନ ନାମରେ ଥିରହୁଅ ଥିରହୁଅ । ଗୋବଧ ହିନ୍ଦୁଧର୍ମ ମତରେ ଭାରି କିନ୍ତୁ ହିଁସା ସାହସ ଗୋବଧଠୁ ବଳି-। ତେମେ ମଣିଷ ମଣିଷ ହିଁସାହିସିଁ ହେଇ ଭଗବାନଙ୍କ ରାଇଜକୁ ଲହୁ ରକତରେ ବୁଡ଼ାଅ ନାହିଁ, ମୁଁ ହାତଯୋଡ଼ି କହୁଚି, ଭଲରେ ଭାବି ଦେଖ, ହିନ୍ଦୁ କିଏ ମୁସଲମାନ କିଏ, ଏକା ମାଁଆଙ୍କର ଦୋଟି ପୁଅ । ଜଣକ କଷ୍ଟରେ ଆର ଜଣଙ୍କର କଷ୍ଟ । ଦିଗୋଡ଼ରୁ ଗୋଟାଏ ଛୋଟା ହେଲେ ଆଉ ଚାଲି ହବ ତ ? ଦି’ଆଖିରୁ ଗୋଟାଏ କଣା ହେଲେ କେତେ କଷ୍ଟ । ଆଗ ପଛ ଭାବି ଦେଖ ! ଆମ ଦେଶ ତମରି କଜିଆ ଦଙ୍ଗାରେ ଛାରଖାର ହେଲା । ରାଇଜରୁ ଧରମ ପଳେଇଲା । ଭାଇ ଭାଇ ଏକା ନାହି ଦି’ଖଣ୍ଡ ଏପରି କଳିକଜିଆ କରି ଗୋରାଙ୍କ ଆଗରେ ଆପଣା ଛୋଟପଣିଆ ଦେଖେଇଲଟି । ଦଉଡ଼ିଟା ଛିଣ୍ଡେଇବା ଶକତ କଥା, ସୂତା କେରାକ ଫୁଟୁକିନା ଛିଣ୍ଡିଯିବ । ଏ ସବୁ ଭାବିବ ଚିନ୍ତିବ, ତେବେ ଯାଇଁ ଦେଶର ମଙ୍ଗଳ ହବ । ହିନ୍ଦୁ କଣ ଛେଳି ମଇଁଷି ବଳୀ ଦଉନାହାନ୍ତି ? ଧରମ ସକାଶେ ଆପଣା ଭାଇର ତ୍ରୁଟି ସହିବ । କଣ ତମ ପକ୍ଷରେ ଭଲ ନୁହଁ କି ? ଖାଇବା ସକାଶେ ଗୋରୁ ହାଣିଲେ ମହାପାପ ! ମୁଁ ସେହିଟାରେ ହଁ ଭରିବି ନାହିଁ । କାହିଁକି ନା ଆମେ ତା ଦୁଧ ଖାଉଚୁ । ଦୁଧ ପରି ବଳିଷ୍ଠ ଚିଜ କଣ ଅଛି ? ଘିଅ ପରି ଶ୍ରେଷ୍ଠ ଜିନିସ ଆଉ କଣ ଅଛି ? ଆମ ପିଲାଏ ପିଲାଦିନୁ ଘିଅ ଦୁଧ ଖାଇ ତାଜା ହେବେ । ଗୋରୁ ମାରିଲେ ଘିଅ ଦୁଧ ପାଇବୁ କୋଉଠୁ ? ହେଲେ ଧରମ କଥାଟା ଦିନକ ସକାଶେ ତମକୁ ଭଗବାନଙ୍କ ମୁହଁ ଚାହିଁ ଦେଶର ହିତ ଚିନ୍ତି ସହ୍ୟ କରିବାକୁ ପଡ଼ିବ । ନୋହିଲେ ଗୋଟାଏ ଗୋରୁ ବଦଳି ଚାରିଟା ମଣିଷ ପ୍ରାଣ ଯିବ । ଜାତି ଜାତି ଭିତରେ, ଭାଇ ଭାଇ ଭିତରେ ହିଁସାହିଁସି ରେଷାରେଷି ଲାଗି ଦେଶ ଉଚ୍ଛନ୍ନ ଯିବ । ଏଇଟା କଣ ଭଲ ?
ସେ ଦିନ ସଭା ସରୁ ସରୁ ରାତି ୯ଟା ହେଲା । ସାଆନ୍ତ ବଡ଼ ଥକାସି ହେଇ ଘରକୁ ଗଲେ । ରାତିରେ ତାଙ୍କୁ ପଙ୍ଖା ବିଞ୍ଚୁ ବିଞ୍ଚୁ ଗୋଡ଼ ଟିପୁ ଟିପୁ ରତନୀ ଆଉ ଉମା ସବୁ ହାଲ ପଚାରିଲେ । ସାଆନ୍ତ ତାଙ୍କୁ ଗୋଟି ଗୋଟି କରି ସବୁ କହିଲେ । ଶୁଣି ସେମାନେ ଭାରି ଦୁଃଖ କଲେ ।
ଉମା କହିଲା ‘‘ମଲା, ଏମାନେ ମଣିଷ ମାରି ଧରମ ଅରଜୁଛନ୍ତି । ସାଆନ୍ତେ କହିଲେ ଦେଖୁଛ ତ ହାଲ । ବୁଝେଇ ବୁଝେଇ ଥକିଲିଣି । ବୁଝିଲେ କି ନାହିଁ କିଏ ଜାଣେ ?
ହେଲେ ସେହିଦିନୁ ଆଉ ସେ ଅଞ୍ଚଳରେ ହିନ୍ଦୁ ମୁସଲମାନ ଦଙ୍ଗା ହେଙ୍ଗମା କଥା ଶୁଣା ନାହିଁ । ବେଶ ମିଳିମିଶି ଚଳି ଲାଗିଲେ । ଆରବର୍ଷ ଇଦ ବେଳେ ଯେତେବେଳେ ମୁସଲମାନ ଛେଳି ଘେନି କୋରବାଣୀ କଲେ ହିନ୍ଦୁମାନେ ମିଶି ତାଙ୍କୁ ଧନ୍ୟ ଧନ୍ୟ କହିଲେ । ସାଆନ୍ତେ ଗୋଟିଏ ସଭା କରି ତାଙ୍କୁ ଭାରି ପ୍ରଶଂସା କଲେ ।
ସାଆନ୍ତଙ୍କ ସବୁ ହେଇ ତିନିପୁଅ ଚାରି ଝିଅ ହେଲେ । ରତନୀର ଦି’ପୁଅ ଦି’ଝିଅ । ବଡ଼ ନାଁ ହେମଚନ୍ଦ୍ର, ସାନ ନାଁ ପ୍ରେମଚନ୍ଦ୍ର । ଉମା ପୁଅ ନାଁ ସୁଧୀରଚନ୍ଦ୍ର । ଉତ୍ତମାର ଏକାକେ ଚାରିପୁଅ ଆଉ ଝିଅଟି । ତା’ପୁଅଙ୍କ ନାଁ ହେଲା ବସନ୍ତ, ଶରତ, ହେମନ୍ତ, ଶିଶିର, ଆଉ ଝିଅମାନଙ୍କ ନାଁ ଦେଲେ ଉତ୍ତମା, ଝିଅ ନାଁ ପ୍ରିୟତମା, ଉମା ଝିଅ ନାଁ ସୁଷମା, ରତନୀ ଝିଅ ନାଁ ଶ୍ୟାମା, ସରମା ! ଏତେଗୁଡ଼ିଏ ପିଲାଙ୍କୁ ମାଁମାନେ ଭାରି ଯାବତାରେ ରଖିଥିଲେ ।
ମାଁମାନେ ଦି’ଅକ୍ଷର ଜାଣନ୍ତି । ପିଲାଙ୍କୁ ଧରି ପିଲାଟିଦିନୁ ବିଦ୍ୟା ପଢ଼େଇଲେ, ଖେଳ ଶିଖେଇଲେ, ଧର୍ମ୍ମ କଥା କହିଲେ । ଗାଆଣା ବାଜଣା ଶିଖେଇଲେ । ଜମିଦାର ଘର ପିଲା ହେଲେ ମଧ୍ୟ ମୋଟ ଖିଆ ମୋଟ ପିନ୍ଧାରେ ତାଙ୍କୁ ପିଲାଟି ଦିନୁ ଚଳେଇଲେ ।
ଦିନେ ବ୍ରଜବନ୍ଧୁ ମାଁହରିକା ବୁଲି ଆସିଥିଲେ । ପିଲାଏ ଚାହାଳୀରୁ ଆସି ଖାଇ ବସିଲେ । ତାଙ୍କୁ ଦିଆଗଲା ପଖାଳଭାତ, ଆଳୁ ବାଇଗଣ ଭରତା । ତାଙ୍କ ଖିଆ ଦେଖି ବ୍ରଜମା ଚମକି ପଡ଼ି ଉମାକୁ କହିଲେ, ଏ ଦେଈ ତମ ପିଲାଏ ବେଶ ସୁଧୀରା । ୟା ଧରି ଯେ ଭାତ ଘିନୁଛନ୍ତି, ଆମ ପିଲାଙ୍କୁ ତ ଖଜା ରସଗୋଲା ଦେଲେ ବି ଅବୁଝା । ଉତ୍ତମା ଜିଭ କାମୁଡ଼ି କହିଲା, ‘‘ନାନି ତମେ ପିଲାଙ୍କୁ ବଜାର ଜଳଖିଆ ଖୁଆଅ !
ବ୍ରଜମାଁ ହସି ହସି କହିଲେ, ‘‘ମଲା କଣ ହେଲା, ରାଇଜ ଲୋକ ଖାଉଚନ୍ତି, ଆମର କିଏ ଏତେ ବାଟିବ ଘଷିବ ପିଠା ପଣା କରିବ ? ଉମା କହିଲା, ‘‘ଆଛା ତମର ବି କାମଟି ! ନିତିନାଁ ତାସ ପଶାପାଲି ଖେଳୁଚ, ଆଉ ପିଲାଙ୍କୁ ବଜାର ଜଳଖିଆ ଖୁଆଉଛ । ଏଥିରେ ଦେହ ଭଲ ରହେତି ? ବ୍ରଜ ମା ଗର୍ବରେ ଫୁଲି କହିଲା, ‘‘ଆମ ଘରେ ନିତି ବଇଦ, ନିତି ଡାକତର । ଆମ ବାବୁ ପିଲାଙ୍କ ଦିହ ଟିକେ ଇସ୍କିନା ହେଲେ ବଡ଼ ଡାକତରଙ୍କୁ ଘିନିଯିବେ । ଆମ ପିଲାଏ ବଡ଼ ସୁକୁମାରିଆ । ରତନୀ କହିଲା, ‘‘ପିଲାଟି ଦିନୁ ସୁକୁମାରିଆ କରୁଚ, ବଡ଼ ଦିନକୁ କୋଉ କାମର ଯୋଗ୍ୟ ହେବେ ନାହିଁ ।’’ ଢାଳେ ପାଣି ତ କାଢ଼ି ପାରିବେ ନାହିଁ ।
ବ୍ରଜ ମା ବାହାଦୂରୀ ଦେଖେଇ କହିଲା, ‘‘ମଲା, ବାବୁଘର ପିଲାଏ ପାଣି କିଆଁ କାଢ଼ିବେ, କାଠ କିଆଁ ହାଣିବେ । ସେ କଣ ଆଉ ହଳ କରିବେ ନାଁ ନଙ୍ଗଳ ଧରିବେ । ତାଙ୍କ ଗୋଡ଼ତଳକୁ କେତେ ଚାକର । ବାପ ଯେତେ ହେଲେ ଦିପୋଟି ! ନାଁ ଗାଁ ତ ପଡ଼ିଛି ।’’
ତାଙ୍କ କଥାରେ ଉମା ଉତ୍ତମା ଭରସି କିଛି ଉତ୍ତର ଦେଲେ ନାହିଁ । ହେଲେ ରତନୀ ଛାଡ଼ିଲାର ନୁହେ, ସେ କହିଲା, ‘‘ଅଳସୁଆ ହେଇ ମେଜ ଚଉକିରେ ହାତ ଗୋଡ଼ ଯୋଡ଼ି ବସିଲେ ମଣିଷ ମଣିଷ ହୁଏ ନାହିଁ ।’’ ଏଥର ବ୍ରଜ ମା ରାଗି କହିଲା, ‘‘ଆମେ ତ ବାହ୍ମୁଣ, ଚଷା ନୋହୁ ଯେ ପଖାଳ କଂସାଏ ଖାଇ ବିଲକୁ ଯିବୁଁ ।
ରତନୀ କହିଲା, ‘‘ସତ କଥା, ଯାହାର ନାହିଁ ଚାଷ, ତାହାର ନାହିଁ ବାସ । ହାତେ ଅରଜିବୁଁ ହାତେ ଖାଇବୁଁ । ଗୋଡ଼ହାତ ବାନ୍ଧି କାଠ ମୁଣ୍ଡିଆପରି ବସିବାଟା ମଣିଷଙ୍କୁ ଅଶୋଭା । ସେଥିରେ ମଣିଷପଣିଆ ନଷ୍ଟ ହୁଏ ।
ବ୍ରଜମା ଆଉ ପାଟି ଫିଟେଇଲେ ନାହିଁ । ରତନୀହେରିକା ତାଙ୍କୁ ବିରସ ଦେଖି କହିଲେ ଆସ ନାନି ଗ୍ରାମୋଫୋନ ଶୁଣିବା ତାଙ୍କସାଙ୍ଗେ ମୁଁ ବି ଟିକେ ଶୁଣି ଅଇଲି । ଗ୍ରାମୋଫୋନ ଗାଇଲା-।
ଉଠ ଉଠ ହେ ତିରିଶ କୋଟି
ଏକମନେ ଏକ ପରାଣେ,
ଏକା ମାଁଆର କୁମର ସଭିଏଁ
ରହିଥାଉ ସଦା ଧିଆନେ ।
ଲାଗୁ ହେ ତୁମକୁ ତୁମ ଦେଶଚିନ୍ତା,
ଛାଡ଼ କଳି ଗୋଳ ଅନିଷ୍ଟ ଅହନ୍ତା
ସ୍ୱରଗ ହୁଅନ୍ତା ଏ ଭାରତଭୂଇଁ
ମିଶିଲେ ତୋହରି ସନ୍ତାନେ । ୧ ।
ଏକା ଆମ ରକ୍ତ, ଏକା ଆମ ସ୍ୱାର୍ଥ
ମିଛ ହିଂସା ଦ୍ୱେଷ କରୁଛି ବିଅର୍ଥ,
ଛାଡ଼ ନିଜ ସ୍ୱାର୍ଥ ଲୋଡ଼ ହେ ପରାର୍ଥ
ମିଶ ହେ ଭାରତ ସନ୍ତାନେ ।
ହିମାଳୟଠାରୁ କୁମାରିକା ଯାଏ
ଉଡ଼ୁ ଦେଶେ ଦେଶେ ପତାକା ପରାଏ,
ଭାରତର ଜୟ ଜନନୀର ଜୟ
ଲୟରଖି ଶ୍ରୀ ଭଗବାନେ ।
ମୁଁ ଗୀତଶୁଣି ଘରକୁ ଅଇଲି । ମନରେ ହେଲା ଏଇ ନଅତୁଣ୍ଡୀ କଜିଆଖୋରଣୀ ରତନୀ-। ନାଁ ଓଡ଼ିଆ କୁଳରତନ ଗୁଣସାଗରୀ । ମୋ କଥାଟି ସଇଲା ଫୁଲ ଗଛଟି ମଲା । ହଇଲୋ ଫୁଲ ଗଛ ତୁ କିଆଁ ମଲୁଁ ? ତେତେ ଏତେ ଯତନ କରି ପାଣିଦେଇ ବଢ଼େଇଥିଲି । ଫୁଲଗଛ କହିଲା ମୋ ଦୋଷ କଣ, ମେତେପରା କାଳିଗାଈ ଖାଇଲା । ହଇଲୋ କାଳୀ ଗାଈ ତୋତେ ପାଳଗଦା ବି ଅଣ୍ଟିଲା ନାହିଁ, କୁଣ୍ଡା ତୋରାଣୀ ଅଣ୍ଟିଲା ନାହିଁ । ତୁ ଗଲୁ ମୋର ଏଡ଼େ ଶରଧାର ଫୁଲଗଛ ଖାଇଲୁ-। କାଳୀ ଗାଈ କହିଲା, ସାଆନ୍ତାଣୀ ମୋ ଦୋଷ କଣ । ମେତେ ପରା ମାଧିଆ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ ଟୋକାତୁ କିଆଁ ଜଗିଲୁ ନାହିଁ । ଗଉଡ଼ ଟୋକା କହିଲା, ମୋତେ ପରା ରତନୀ ସାଆନ୍ତାଣୀ ପଖାଳ ଭାତ କଁସାକ ଦେଲେ ନାହିଁ । ହଇ ଲୋ ରତନୀ ! ତୋର ଏଡ଼େ ଚାତର । ସାଆନ୍ତ ଘରକୁ ଆସି ସାଆନ୍ତାଣୀ ହେଲୁ ଖଟ ପଲଙ୍କରେ ବସିଲୁଁ-। ରତନୀ କହିଲା, ମୋ ଦୋଷ କଣ, ମୋ ପିଲା ପ୍ରେମା ପରା କାନ୍ଦିଲା । ହଇରେ ପ୍ରେମା ତୁ କିଆଁ କାନ୍ଦିଲୁ । ପ୍ରେମା କହିଲା, ମୋ ଦୋଷ କଣ ମୋତେ ପରା ଧୂଳିଆ ଜନ୍ଦା କାମୋଡ଼ିଲା । ହଇରେ ଧୂଳିଆ ଜନ୍ଦା ତୁ କିଆଁ ଆମ ପ୍ରେମାବାବୁଙ୍କୁ କାମୋଡ଼ିଲୁ । ଧୂଳିଆ ଜନ୍ଦା କହିଲା, ମୋତେ କି ସାମାନ୍ୟ ବୁଝିଛ । ମୁଁ ଧୂଳିରେ ଥାଏଁ, କଅଁଳ ମାଉଁଶ ଟିକିଏ ପାଇଲେ ରୁଟୁ କିନାଁ କାମୋଡ଼ି ଦିଏ-। ମେତେ କଣ ଊଣା ସମଜିଚ । ମୁଁ ପରା ସଂସାର ଠାକୁର ନାଁ ନେଇଚି । ବିଷ୍ଣୁ ଗୁପୁତ । ଧୂଳିରେ ମୋ ଦିହ ଘୋରିପୋରି ହେଇଁ କଅଁଳ ମାଉଁଶ ଟିକିଏ ପାଇଲେ ରୁଟୁକିନା କାମୋଡ଼ି ଦିଏଁ-। ହଇରେ ଧୂଳିଆ ଜନ୍ଦା ବିଷ୍ଣୁ ଗୁପୁତ ତେତେ ମୋର କୋଟି ଦଣ୍ଡବତ୍ ।