ମେଘଦୂତ — ରାଧାନାଥ ରାୟ · ସ୍ୱର୍ଣ୍ଣଲିପିପୂର୍ବମେଘ( ରାଗ- କଳହଂସକେଦାର )ଦକ୍ଷିଣଦେଶେ ରାମଗିରି ଶୋଭନ,ବିମଳ ଶୁଭ୍ର ଯହିଁ ନଦୀ ଜୀବନ ।ଜନକକନ୍ୟା ସ୍ନାନେ ପବିତ୍ର ଅତି,ପର୍ଣ୍ଣଗହଳ ଯହିଁ ତରୁ-ବ୍ରତତୀ। ୪ ।ତହିଁ କୁବେର ଶାପେ ହୋଇ ପ୍ରେରିତ,ରହିଲା ଯକ୍ଷ ଦୁଃଖେ ଆତୁର ଚିତ୍ତ ।ବତ୍ସର ଅନ୍ତେ ହେବ ଶାପ ମୋଚନ,ବତ୍ସର ଅନ୍ତେ ହେବ କାନ୍ତା ସଙ୍ଗେ ମିଳନ। ୮ ।ଗମିଲା କେତେ କାଳ ସେ ଧରାଧରେ,ବାଳାବିରହୀ କାମୀ ଯକ୍ଷ କାତରେ ।କ୍ରମେ ଶରୀର କାନ୍ତି ହେଲା ବିଲୟ,ଖସିଲା ଶୀର୍ଣ୍ଣ କରୁ ସ୍ୱର୍ଣ୍ଣ ବଳୟ। ୧୨ ।ଆଷାଢ଼ ଆଦ୍ୟ ଦିନେ ଶିଖରିଶିରଘୋଟିଲା ଆସି ଘନନୀଳମୁଦିର ।କ୍ରୀଡ଼ା ନିମନ୍ତେ ବପ୍ରେ କରୀ ଯେସନ,ତେସନେ ମନୋରମ ଦିଶଇ ଘନ। ୧୬ ।କେତକୀପ୍ରକାଶକ ଘନ ଦର୍ଶନେଅଧୀର ଯକ୍ଷ ପୂର୍ବସୁଖ ସ୍ମରଣେ ।ବେଗେ ବହିଲା ଶୋକଅଶ୍ରୁ ନୟନେ,କହି ନୁହଇ କେତେ ପାଞ୍ଚିଲା ମନେ। ୨୦ ।ଅଙ୍ଗନା ସଙ୍ଗେ ମଧ୍ୟ ଥିଲା ଲୋକରଘନାଗମେ ଆକୁଳ ହୋଏ ଅନ୍ତର ।ପ୍ରାଣସଙ୍ଗିନୀ ସଙ୍ଗମୁଖ ହଜାଇଆତୁର ଯକ୍ଷ, ତାର କଥା ତ ନାହିଁ। ୨୪ ।ନିଜ କୁଶଳ ବାର୍ତ୍ତା ମେଘ ହସ୍ତରେପ୍ରେରିବ ପ୍ରିୟା ପାଶେ ନିଜ ନଗରେ ।ପାଇ ବାରତା କାନ୍ତା ହୋଇବ ସ୍ଥିର,ଆଶାପ୍ରଭା ଶୋଷିବ ତା ନେତ୍ରନୀର। ୨୮ ।ଏ ଭାବେ ପ୍ରାଣକାନ୍ତାଦୁଃଖେ ବିକଳ,ଅର୍ଘ୍ୟସ୍ୱରୂପେ ଦେଲା ନିର୍ଝର ଜଳ ।ପୂଜିଣ ଜୀମୂତଙ୍କୁ କୁଟଜ ଆଣି,ତା ଅନ୍ତେ ପଚାରଇ ସ୍ୱାଗତ ବାଣୀ। ୩୨ ।ଧୂମଜ୍ୟୋତିସଲିଳବାୟୁରଚିତକାହିଁ ଜୀମୂତ?ସେହୁ ଜୀବବର୍ଜିତ!ମାନବବହନୀୟ କାହିଁ ସନ୍ଦେଶ?ଯକ୍ଷ ନ ବିଚାରିଲା ଏଥି ବିଶେଷ। ୩୬ ।ଉତ୍କଣ୍ଠାକୁଳ ହୋଇ ଘନକୁ ଭାଷେ,ସଜୀବ ମଣି ହୃଦକଥା ପ୍ରକାଶେ ।ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ,ଚେତନ ଅଚେତନ ତାର ସମାନ। ୪୦ ।ପୁଷ୍କର ଆବର୍ତ୍ତକ ବଂଶେ ସମ୍ଭୂତ,
ବିଖ୍ୟାତ ଧରାତଳେ ଅଟ ଜୀମୂତ!
କାମଚାରୀ ସଚିବ ତୁମ୍ଭେ ଇନ୍ଦ୍ରର,
ବିରହୀ ଜନଠାରେ କରୁଣା କର
। ୪୪ ।
ବିଫଳାହୋଏ ଯେବେ ମୋହୋ କାମନା,
ଜଳଦ! ତହିଁନକରଇ ଭାବନା ।
ଫଳବତୀ ପ୍ରାର୍ଥନା ଅଧମଠାରେ
ନିନ୍ଦନୀୟ ଅଟଇ ମୋର ବିଚାରେ
। ୪୮ ।
ତାପିତ ଜନଙ୍କର ଅଟ ଶରଣ,
ହେ ନୀରଦ! ରଖ ମୋ ପ୍ରିୟା ଜୀବନ ।
ଧନପତି ଶାପେ ମୁଁ କାତର ଅତି,
ମୋ ବିନା କାତର ସେ ବରଯୁବତୀ
। ୫୨ ।
ଯାଅ ମୋ ବାର୍ତ୍ତା ଘେନି ହେ ନୀରଧର!
ଅଳକା ନଗରୀକି, ଯହିଁ ସୁନ୍ଦର
ବହିରୁଦ୍ୟାନେ ଛନ୍ତି ଶଶିଶେଖର,
ସେ ଶଶି କରେ ଧଳା ସୌଧନିକର
। ୫୬ ।
ତୁମ୍ଭ ଦର୍ଶନେ ପାନ୍ଥବନିତାକୁଳ-
ହୃଦୟେ ବିକସିବ ଆଶାମୁକୁଳ ।
ଧରିଣ ବେଣୀ ବାମ କରକମଳେ
ଦେଖିବେ ଗତି ତୋର ଅମ୍ବର-ତଳେ
। ୬୦ ।
କେ କ୍ରୂର ଏକାଳରେ ବିଦେଶେ ଥାଇ
ବନିତାମନ ଖେଦହ୍ରଦେ ବୁଡ଼ାଇ
ନିଶ୍ଚିନ୍ତରେ ରହଇ କହ ମୋ ବିନା?
ପରାଧୀନର ଘନ! ଏ ଗତି ସିନା!
। ୬୪ ।
ଅନୁକୂଳ ସମୀର ଧୀରେ ବହଇ,
ବାମେ ଚାତକ ମନୋହର କୂଜଇ ।
ତୋହୋ ଉଦୟେ ତାର ଗର୍ବ ଉଦିତ,
ଆକାଶ ଝଙ୍କାରଇ ଏଣୁ ତା ଗୀତ
। ୬୮ ।
ତୋହ ଆଗମ କାଳେ ଯାହା ଉତ୍ପତ୍ତି,
ତୋତେ ସେବିବେ ସେହି ବକପଙ୍କତି ।
ଧବଳ ପୁଣ୍ଡରୀକମାଳ ପରାୟେ
ଦିଶିବେ ଅଭିରାମ ତୋ ଶ୍ୟାମକାୟେ
। ୭୨ ।
ନିଶ୍ଚେ ନାଗରୀ ମୋର ଥିବ ଜୀବନେ,
ବାସର ଗଣୁଥିବ ଉତ୍ସୁକ ମନେ ।
ଅବଳାମନଃପଦ୍ମଆଶାମୃଣାଳେ
କଷ୍ଟେ ରହଇ ଘୋର ବିରହକାଳେ
। ୭୬ ।
ଶ୍ରୁତିମଧୁର ତୋର ନାଦ ଗଭୀର
(ଭୂଷଇ ଯେହୁ ଧରାଦେବୀଶରୀର
ନବ କନ୍ଦଳୀଦଳ ଶ୍ୟାମଳ ବାସେ)
ମିଳାଇବ ତୋ ସଙ୍ଗୀ ଆଣି ଆକାଶେ
। ୮୦ ।
ଅଳକା – କୁବେରପୁରୀ ।
ରାଜହଂସେ ଶୁଣିଲେ ତୋର ଗର୍ଜ୍ଜନ,
ନୀଳାମ୍ବୁ ମାନସକୁ ଯିବେ ବହନ ।
ପାଥେୟରୂପେ ଘେନି ମୃଦୁ ମୃଣାଳ
କୈଳାସ ଯାଏ ସଙ୍ଗେ ଯିବେ ମରାଳ
। ୮୪ ।
ପ୍ରିୟସଖା ତୋହର ଏ ଧରାଧର,
ଦେହେ ଧରନ୍ତି ରାମଚନ୍ଦ୍ର-ପୟର ।
ତେଣୁ ଅଟନ୍ତି ଗିରି ଅତି ପବିତ୍ର,
ମିତ୍ର ତୁମ୍ଭର ଗିରି ନୁହେଁ ବିଚିତ୍ର
। ୮୮ ।
ଉଭୟେ ଯଥାକାଳେ ହେଲେ ମିଳିତ,
ପ୍ରେମଅଶ୍ରୁପ୍ରବାହ ବହେ ତ୍ୱରିତ ।
ଅମ୍ବୁଦ! ଗିରିଠାରୁ ମାଗ ମେଲାଣି,
କାତର ଅଟଇ ମୁଁ ରଖ ମୋ ବାଣୀ
। ୯୨ ।
ତୁମ୍ଭ ଗମନଯୋଗ୍ୟ ମାର୍ଗ ନିର୍ଦ୍ଦେଶ
କରଇ, ଅବଧାନ ହେଉ ବିଶେଷ ।
ଆତ୍ମ ସନ୍ଦେଶ ପୁଣି କହିବି ପରେ,
ଶୁଣି ହରଷ ଜାତ ହେବ ଅନ୍ତରେ
। ୯୬ ।
କ୍ଲାନ୍ତ ହୋଇଲେ ଗିରିଶୃଙ୍ଗେ ରହିବ,
କ୍ଷୀଣ ହୋଇଲେ ନଦୀବାରି ସେବିବ ।
ଏଣୁ ହୋଇବ ସୁଖେ ତୁମ୍ଭ ଗମନ,
କଷ୍ଟ ନୋହିବ ମୋହୋବାଞ୍ଛାପୂରଣ
। ୧୦୦ ।
ଘନ! ବେତସପୂର୍ଣ୍ଣ ଏ ସ୍ଥାନ ତ୍ୟଜି
ବେଗେ ଗଗନେ ଉଠ ଧୀରେ ଗରଜି ।
ଚକିତ ନୟନରେ ସିଦ୍ଧରମଣୀ
ଅନାଇବେ ତୁମ୍ଭଙ୍କୁ ବିସ୍ମୟ ମଣି
। ୧୦୪ ।
ପରସ୍ପରେ ଭାଷିବେ ‘‘ଦେଖ ଗୋ ସଈ!
କି ଅବା ବାୟୁ ଗିରିଶୃଙ୍ଗ ହରଇ!’’
ଅନମ୍ବରେ ଅମ୍ବୁଦ! ଦିଗବାରଣେ
ତ୍ୟଜିବେ କର-ଗର୍ବ ତୁମ୍ଭ ଦର୍ଶନେ
। ୧୦୮ ।
ବଲ୍ମୀକଶିଖାଗ୍ରରୁ ହୋଇ ବାହାର
ସୁରେନ୍ଦ୍ରଚାପ-ଲତା ଦିଶେ ବାହାର ।
ରତନକାନ୍ତି-ସ୍ରୋତ ଯେହ୍ନେ ଉଚ୍ଛଳେ,
କି ଶୋଭା ପାଉଅଛି ତୋ ଉରସ୍ତଳେ
। ୧୧୨ ।
ଏହି ରୂପେ ଜଳଦ, କୃଷ୍ଣ ଦେହରେ
ମୟୁର-ପୁଚ୍ଛ-ଶୋଭା ନୟନ ହରେ
ଯାହା ରୂପେ ମଜ୍ଜିଲା ଗୋପିକା ମନ
ତାହା ଉପମା ପାଇଁ ତୁମ୍ଭେ ଭାଜନ
। ୧୧୬ ।
କ୍ଷମତା ଅଛି ତୋର ଶସ୍ୟବର୍ଦ୍ଧନେ,
ଏଣୁ କୃଷକବାଳା ସ୍ଥିର-ଲୋଚନେ
ଦେଖିବେ ତୋ ମୋହନ ଛବି ଆକାଶେ
ଅନଭିଜ୍ଞ ସରଳା ନେତ୍ର ବିଳାସେ
। ୧୨୦ ।
ମାନକ୍ଷେତ୍ରକୁ ଘନ! କର ପ୍ରୟାଣ,
ହଳ-କର୍ଷଣ-ଜାତ ମୃତ୍ତିକା ଘ୍ରାଣ
ତୋଷିବ ନାସା ତୋର, ତହୁଁ ଉତ୍ତରେ
ଲଘୁଗତି ଗମିବୁ ଶୂନ୍ୟସାଗରେ
। ୧୨୪ ।
ଗିରିଙ୍କର ତୁ ଅଟୁ ମଙ୍ଗଳକାରୀ,
ନିଭାଉ ଦାବାନଳ ବିସର୍ଜିବାରି
ଶ୍ରାନ୍ତ ହୋଇଲେ ଆମ୍ରକୂଟ ସଦନେ
ଗଲେ, ସେବିବେ ଗିରି ଅତି ଯତନେ
। ୧୨୮ ।
କ୍ଷୁଦ୍ରେ ଭଦ୍ରଭବନେ ନେଲେ ଶରଣ,
ନିରାଶ ନ ହୁଅନ୍ତି ଯାଚକଗଣ
ଗିରି ମହତ, ପୁଣି ତୁ ହିତକର,
ମସ୍ତକେ ସ୍ଥାନ ତୋତେ ଦେବେ ଭୂଧର
। ୧୩୨ ।
ସେକାଳେ ଦାବାନଳ ଗିରି-କାନନେ
ଜଳୁଥିବ ହେ ଯେବେ ବାରିବର୍ଷଣେ
ନିଭାଇବ ଅନଳ, ସଂଶୟ ନାହିଁ,
ମହତ ଲୋକର ଏ ସୁରୀତି ଭାଇ
। ୧୩୬ ।
ମହତଜନଠାରେ କରୁଣା କଲେ,
ସେ କରୁଣା ନ ଯାଏ କେବେ ବିଫଳେ ।
ଆଶୁ ସୁଫଳ ଜାତ ନିଶ୍ଚେଁ ହୁଅଇ,
କରୁଣାପ୍ରଭା ପୁଣି ପ୍ରତିଫଳଇ
। ୧୪୦ ।
ରସାଳଦ୍ରୁମ ହେମକାନ୍ତି ଫଳରେ
ବିନତ ହୋଇଥିବ ଗିରି ପ୍ରାନ୍ତରେ
ତୁ ପୁଣି ଗିରିଶିରେ ବସିବୁ ଯାଇଁ,
ଦୂରୁଁ ସୁରମିଥୁନ ବିମାନେ ଥାଇ
। ୧୪୪ ।
ମନୋରଞ୍ଜନ ଗିରିଶୋଭା ଦେଖିବେ,
ନଗଙ୍କୁ ପୃଥ୍ୱୀସ୍ତନ ବୋଲି ମଣିବେ
ସୁମେରୁ ଶିରେ ନୀଳକାନ୍ତ ଶିଖର
ପରାୟେ ଦିଶୁଥିବ ତୋ କଳେବର
। ୧୪୮ ।
ବନେଚରଲଳନା କେଳି-ନିଳୟ
ରାଜଇ କୁଞ୍ଜ, ତହିଁ ଅଳ୍ପ-ସମୟ
ରହି, ଅସାର ଦାନେ ନବଜୀବନ
ତରୁ ଦଳକୁ ଦେଇ, କର ଗମନ
। ୧୫୨ ।
ଏଥୁଅନ୍ତେ ଅଗ୍ରତେ ରେବା ଦିଶଇ,
ଶିଳା-ବିଷମ ବିନ୍ଧ୍ୟପାଦେ ବହଇ ।
କରିଅଙ୍ଗେ ରଚିତ ଭୁତି ଯେସନ,
ତେସନେ ଏ ତଟିନୀ ରମ୍ୟଦର୍ଶନ
। ୧୫୬ ।
ଅବଗାହନ୍ତି ବନ୍ୟବାରଣେ ତହିଁ,
ଗଣ୍ଡରୁ ମଦ ସ୍ରବି ଜଳେ ମିଶଇ,
ତେଣୁ ନର୍ମଦାନୀର ନିତ୍ୟ ବାସିତ,
ଆଦରେ ସେ ସଲିଳ ନେବ ତ୍ୱରିତ
। ୧୬୦ ।
ସବଳକାୟା ତୋର ଦେଖି ପବନ
ତୁଚ୍ଛ ନ ମଣି ଦେବେ ପୃଷ୍ଠେ ଆସନ,
ସର୍ବତ୍ର ବଳହୀନ ହତ-ଆଦର,
ବଳୀ ଲଭଇ ମାନ ରୀତି ଭବର
। ୧୬୪ ।
ହରିତ ପୀତ ନୀପ କୁସୁମେ ବସି
ମଧୁ ପିଅଇ ଭୃଙ୍ଗ ସୁରସେ ରସି,
ଭ୍ରମନ୍ତି ମୃଗୀକୁଳ ସଦା ଆତୁର,
ଭୁଞ୍ଜନ୍ତି ନବଜାତ ତୃଣ ଅଙ୍କୁର
। ୧୬୮ ।
ପ୍ରମତ୍ତ ମତଙ୍ଗଜ ଶୁଣ୍ଡେ କାନନେ
ଘେନଇ ଭୂମି-ଗନ୍ଧ ଶ୍ୱାସ ପବନେ,
ଚାତକେ ଉର୍ଦ୍ଧ୍ୱମୁଖେ ତରୁ ଉପରେ
ଅମ୍ବୁକଣ ଯାଚନ୍ତି ଆରତ ସ୍ୱରେ
। ୧୭୨ ।
ତୋହୋ କୃପାରେ ଧରାଦେହ ଶୀତଳ
ନବପଲ୍ଲବମୟ ତରୁ ସଫଳ
ସାନନ୍ଦ ତୃଣଜୀବୀ ଏକାଳ ପାଇ
ଶୁଝିବେ ତୋହୋ ଋଣ ମାର୍ଗ ଦର୍ଶାଇ
। ୧୭୬ ।
ବାରିଶୀକର ଯେବେ ତୋ ଦେହୁଁ ଖସେ
ଉଡ଼ନ୍ତି ଚାତକାଳି ନଭେ ରଭସେ,
ଏକାଳେ ସିଦ୍ଧଗଣ ବନିତା ସଙ୍ଗେ
ଚାତକପଂକ୍ତି ଦେଖି ହସିବେ ରଙ୍ଗେ
। ୧୮୦ ।
ସରଳା ମନୋରମା ସିଦ୍ଧରମଣୀ
ଅଙ୍ଗୁଳିନିର୍ଦ୍ଦଶରେ ବଳାକା ଗଣି,
ଚାହୁଁଥିବେ କାନ୍ତାଙ୍କୁ ସ୍ନିଗ୍ଧ ଲୋଚନେ,
ଏକାଳେ ବଳାହକ ! ଭୀଷଣ ସ୍ୱନେ
। ୧୮୪ ।
ପୂରିବ ବନଭୂମି, କୌତୁକ ଭୟେ
ଭିଡ଼ିବେ କାନ୍ତତନୁ ବାଳା ନିଶ୍ଚୟେ,
ସିଦ୍ଧ ମାନସ ତହୁଁ ତୁଷ୍ଟ ହୋଇବ
ତୋ ଅଗମନକୁ ସେ ଶ୍ଳାଘ୍ୟ ମଣିବ
। ୧୮୮ ।
ହେ ନୀଳନୀରଧର! ତୁମ୍ଭ ଗମନେ
ବିଳମ୍ବ ଉପୁଜିବ ଭାଳଇ ମନେ,
ତୁଙ୍ଗ ପର୍ବତରାଜି ବର୍ତ୍ମେ ରାଜିତ
ଅର୍ଜ୍ଜୁନପୁଷ୍ପବାସେ ଦେହ ବାସିତ
। ୧୯୨ ।
ସେ ସୌରଭ କର୍ଷଣେ ଲୁବ୍ଧ ହୃଦୟ
ଗମିବ ଶୈଳେ ଘନ! ବହୁ ସମୟ,
କଳାପି-କୁଳ-କେକା ତା’ପରେ ଶୁଣି
ମନେପଡ଼ିବ ପୁଣି ମୋର ମାଗୁଣି
। ୧୯୬ ।
ଦଶାର୍ଣ୍ଣ ଦେଶ ଘନ! ଦିଶେ ତା ପରେ,
ଏଦେଶ ସମାକୁଳ ବଟଦ୍ରୁମରେ,
ଦ୍ରୁମେ ବାୟସ-ବାର ନୀଡ଼ ରଚନ୍ତି,
ଏକାରଣେ ପ୍ରାବୃଟେ ସୁଖେ ରହନ୍ତି
। ୨୦୦ ।
କେତେକ-ଜାଳବୃତି ତହିଁ କାନନ
କେତେକ ପରାଗରେ ପାଣ୍ଡୁ ବରଣ,
ଜମ୍ବୁପାଦପ ନତ ଶ୍ୟାମଳ ଫଳେ
ସରସେ କଳହଂସ ନାଦ ଉଚ୍ଛଳେ
। ୨୦୪ ।
ତହୁଁ ଉତ୍ତରେ ଯିବ ନଭ ସନ୍ତରି
ଅଗ୍ରେ ବିଦିଶା ନାମେ ରମ୍ୟ ନଗରୀ,
ରମିବ ତୋ ନୟନ ସେ ରାଜଧାନୀ
ଅଟଇ ଧରାତଳେ ସେ ନଗରୀରାଣୀ
। ୨୦୮ ।
ବେତ୍ରବତୀ ତଟିନୀ ତହିଁ ବହଇ
ନୀଳଊର୍ମିବିଳାସେ ନେତ୍ର ହରଇ,
ଭ୍ରୂଭଙ୍ଗୀ-ବିମୋହନ ବାମା-ବଦନ
ଚୁମ୍ବଇ କାନ୍ତ ଯେହ୍ନେ ରସେ ମଗନ
। ୨୧୨ ।
ବେତ୍ରବତୀବଦନ ଚୁମ୍ବି ହରଷେ
ତୁ ପୁଣି ନବଘନ! ମଜ୍ଜିବୁ ରସେ,
ଲାଜେ ଲଳନା ଯେହ୍ନେର ଅସ୍ଫୁଟ ସ୍ୱନେ
ନଦୀ ଭାଷିବ ତୋତେ କଳନିସ୍ୱନେ
। ୨୧୬ ।
ଶୋହେ ଅଦୂରେ ପୁଣି ନୀରଶିଖରୀ
ସୁଖେ ବିଶ୍ରାମ ଲାଭ ତହିଁ ଉତ୍ତରି,
ଗିରି ତୋ ସଙ୍ଗ ପାଇ ରାଜିବ ଭଲେ,
ରୋମାଞ୍ଚ ପ୍ରକଟିବ କଦମ୍ବଛଳେ
। ୨୨୦ ।
ଶିଳାସଦନେ ତହିଁ ନବନାଗରୀ
ବାନ୍ଧି ପ୍ରାଣନାଥଙ୍କୁ ଭୁଜବଲ୍ଲରୀ-
ପାଶରେ ସନ୍ତୋଷନ୍ତି ରମଣମନ
ଶରୀର ପରିମଳ ବହେ ପବନ
। ୨୨୪ ।
ନୀଚ ଗିରିରୁ ଚାରୁ ନିର୍ଝର ଝରେ
ପୁଷ୍ପବନ ବିରାଜେ ବେନି ପାର୍ଶ୍ୱରେ,
ଯୁଥିକଫୁଲଜାଳ ତହିଁ ଫୁଟଇ
ମନୋଜ୍ଞସୌରଭରେ ନାସା ତୋଷଇ
। ୨୨୮ ।
ଫୁଲ ତୋଳନ୍ତି ତହିଁ ମାଳିନୀଦଳ
ସ୍ୱେଦେ ମଳିନ ତାଙ୍କ କର୍ଣ୍ଣ-ଉତ୍ପଳ,
ତୋର ଶୀତଳ ଛାୟା ହେଲେ
ପତିତଉର୍ଦ୍ଧ୍ୱେ ଚାହିଁବେ ବାଳା ହୋଇଣ ପ୍ରୀତ
। ୨୩୨ ।
ଉତ୍ତରଦେଶ ପ୍ରତିଗମନେ ମନ
ଉଜ୍ଜୟିନୀକି ଗଲେ ମାର୍ଗବର୍ଦ୍ଧନ
ନିଶ୍ଚେ ହୋଇବ, ଜାଣୁଅଛି ବିଶେଷ,
ମାତ୍ର ସେଠାରେ ସୁଖଲାଭ ଅଶେଷ
। ୨୩୬ ।
ସୌଧଉତ୍ସଙ୍ଗେ ହିଁ ପୁର-ଅଙ୍ଗନା
ମନ୍ଦେ ବିହରୁଥିବେ ହଂସଗମନା,
ଦେଖି ତୋ ଗାତ୍ରେ କ୍ଷଣପ୍ରଭା ସ୍ଫୁରଣ
ଚକିତ ହେବ ବାମା ବାମନୟନ
। ୨୪୦ ।
ଚାରୁ ଚାହାଣି ଭୂରୁଶୋଭିନୀଙ୍କର
ବିଦ୍ୟୁଝଟକେ ପୁଣି ବଟୁଳତର,
ନ ଦେଖି ଯିବୁ ଯେବେ ତହିଁ ତୁ, ଘନ!
ବୃଥା ଜନମ ତୋର, ବୃଥା ଜୀବନ
। ୨୪୪ ।
ମାର୍ଗେ ନିର୍ବିନ୍ଧ୍ୟା ନଦୀ ତୋ ପ୍ରଣୟିନୀ
ଅଳି-ଶ୍ୟାମଳ-ଚାରୁ-ଊର୍ମିମାଳିନୀ,
ଊର୍ମିକ୍ଷୋଭେ ଆକୁଳ ମରାଳସ୍ୱନ
ଶୁଭିବ କାଞ୍ଚିଶବ୍ଦ ପ୍ରାୟେ ମୋହନ
। ୨୪୮ ।
ଆବର୍ତ୍ତରୂପେ ନାଭି ନେତ୍ର ମୋହିବ
ତୋଠାରେ ନାରୀ ସ୍ନେହ ସେହି ସୂଚିବ,
ରସିକ ତୁ ଜଳଦ! କହିବି କେତେ?
କାମିନୀ ପ୍ରକାଶନ୍ତି ଭାବସଙ୍କେତେ
। ୨୫୨ ।
କୃଶସଲିଳରେଖା ବେଣୀ ପରାୟେ
ଦିଶଇ, ପୁଣି ନଦୀପୁଳିନକାୟେ,
ସ୍ଖଳିତ ତୀର-ତରୁ-ପର୍ଣ୍ଣ-ନିବହ
ତେଣୁ ପାଣ୍ଡୁର କାନ୍ତି ନଦୀବିଗ୍ରହ
। ୨୫୬ ।
ଶୈବଳିନୀ ବିରହଦଶା ପ୍ରକାଶି
ସୂଚିବ ତୋଠାରେ ସେ କେଡ଼େ ପ୍ରୟାସୀ,
ଯେଉଁ ଉପାୟେ ପୂର୍ବରୂପ ଲଭିବ
ନିଦାନେ ସେ ବିଧାନ ଘନ କରିବ
। ୨୬୦ ।
ଅଗ୍ରେ ବିରାଜେ ତାର ଅବନ୍ତୀପୁରୀ
ଯେ ପୁରେ ଉଦୟନ କଥା ମାଧୁରୀ,
ଗଳ୍ପପ୍ରିୟ ସ୍ଥବିର ତୁଣ୍ଡୁ ଝରଇ,
ତା ପରେ ଉଜ୍ଜୟିନୀ ପୁରୀ ରାଜଇ
। ୨୬୪ ।
ବର୍ଣ୍ଣି ନୁହଇ ତାର ଚାରୁ ସୁଷମା;
ଭୂତଳେ ନାହିଁ ଘନ! ତାହା ଉପମା,
ସ୍ୱର୍ଗର କାନ୍ତିମାନ ଖଣ୍ଡ ସ୍ଖଳିତ
ପ୍ରାୟେ ଦିଶଇ ପୁରୀ ସୌଧରାଜିତ
। ୨୬୮ ।
ଯହିଁ ପ୍ରତ୍ୟୁଷେ ସିପ୍ରାନଦୀ ପବନ
ଦ୍ୱିଗୁଣିତ କରଇ ହଂସ କୂଜନ,
ପ୍ରଫୁଲ୍ଲ ସରସିଜ ସୌରଭ ହରି
ସେବଇ ଅଙ୍ଗନାଙ୍କୁ ମନ୍ଦେ ସଞ୍ଚରି
। ୨୭୨ ।
କ୍ଳାନ୍ତ କାମିନୀକୁଳ ନିଶି ଜାଗରେ
ଅନୂକୁଳ ସମୀର ସେ କ୍ଳାନ୍ତି ହରେ,
ନିତମ୍ବନୀଳାମ୍ବର ମ୍ବଦ ଧୂନାଇ
ଦୟିତ ପ୍ରାୟେ କେତେ ଚାଟୁ କରଇ
। ୨୭୬ ।
କେଶ ସଂସ୍କାର ଧୂପ ଗବାକ୍ଷଦ୍ୱାରେ
ବାହାରି ମିଶୁଥିବ ତୋହୋ କାୟାରେ,
ନାଚିବେ ତୋ ଦର୍ଶନେ ଗୃହ ମୟୂର
ଗଭୀର କେକାରବେ ପୂରିବ ପୁର
। ୨୮୦ ।
କୁସୁମ-ଶୋଭି-ସୌଧପୃଷ୍ଠ-ଆସନେ
ପଥଶ୍ରମ ଶମିବୁ ସୁଖ-ଶୟନେ,
ସୀମନ୍ତିନୀପଦାଙ୍କ ତହିଁ ଉପରେ
ଦେଖିବୁ, ହର୍ମ୍ୟେ ଯେହ୍ନେ ରକ୍ତିମା ଝରେ
। ୨୮୪ ।
ସିପ୍ରା – ଆଧୁନିକ ନାକ ପସରା ।
ଉଜ୍ଜୟିନୀ ସନ୍ନିଧେ ଶିବସଦନ
ଅତି ପବିତ୍ର ଧାମ ଲୋକପାବନ,
ଗନ୍ଧବତୀ ତଟିନୀ ବହଇ ପାଶେ
କୁବଳୟ ସୁରଭି ସମୀର ଶ୍ୱାସେ
। ୨୮୮ ।
ଜଳେ କ୍ରୀଡ଼ନ୍ତି ତହିଁ କେତେ ସୁନ୍ଦରୀ
ନୀଳ ତମାଳେ ଯେହ୍ନେ ସ୍ୱର୍ଣ୍ଣବଲ୍ଲରୀ,
ହରକଣ୍ଠ ବରଣ ରାଜେ ତୋ ଦେହେ
ଚାହିଁବେ ଶିବଗଣ ତୁମ୍ଭଙ୍କୁ ସ୍ନେହେ
। ୨୯୨ ।
ପୂର୍ବ କଥିତ ମହାକାଳ ନିଳୟେ (୧)
ହେବୁ ପ୍ରବେଶ ଯେବେ ଆନ ସମୟେ,
ନାଳିନୀସଖାଙ୍କର ଅସ୍ତଗମନ-
ଯାଏ ଅନାଇ ତହିଁ ରହିବୁ ଘନ !
। ୨୯୬।
ସନ୍ଧ୍ୟା ଆଗମେ ତୋର ଧ୍ୱନି ଗଭୀର
ପୂଜାପଟହ ପ୍ରାୟେ ମନ୍ଦ୍ରେ, ମନ୍ଦିର
ଝଙ୍କାରି ସନ୍ତୋଷିବ ଶିବଶ୍ରବଣ,
ଶ୍ଳାଘ୍ୟ ସଫଳ ତହୁଁ ହେବ ଗର୍ଜନ
। ୩୦୦ ।
ମନ୍ଦିର ପାର୍ଶ୍ୱେ ବାରବାଳାନିକର
ରତ୍ନ-ଛାୟା-ଖଚିତ ଗରୁ ଚାମର,
ଘେନିଣ ବିଞ୍ଚୁଥିବେ ଲୀଳାବ୍ୟଜନେ;
ସିଞ୍ଚିବୁ ତାଙ୍କୁ ନବ ସଲିଳ-କଣେ
। ୩୦୪ ।
ଭ୍ରମର-ରାଜି ରମ୍ୟ ନୟନେ ଚାହିଁ
ତୋ ମନ ନୀରଧର! ନେବେ ଭୁଲାଇ,
ତୋ ଶ୍ରବଣ ତୋଷିବ ରମ୍ୟ ଶିଞ୍ଜିତ
ବୀଣା-ଝଙ୍କାର-ଗଞ୍ଜି ମଧୁସଙ୍ଗୀତ
। ୩୦୮ ।
ମଣ୍ଡଳାକାରେ ଘେରି ତରୁ କାନନ
ଶୋଭିବ ଉଚ୍ଚେ ତହିଁ ଘୋଟି ଗଗନ,
ସନ୍ଧ୍ୟା ସିନ୍ଦୂରରାଗେ ହୋଇ ରଞ୍ଜିତ
ଦିଶିବ ନବ-ଜବା ପ୍ରାୟେ ଲୋହିତ
। ୩୧୨ ।
ନର୍ତ୍ତନ କାଳେ ଶିବ ତୋତେ ଚାହିଁବେ
ଆର୍ଦ୍ର-ଗଜ-ଅଜିନ ଲାଜେ ତ୍ୟଜିବେ,
ଭବସୁନ୍ଦରୀ ଦେଖି ତୋର ଭକତି
ସୁଆଶିଷ କରିବେ ହରଷେ ସତୀ
। ୩୧୬ ।
ରଜନୀକାଳେ ଦାଣ୍ଡେ କେତେ ଯୁବତୀ
ଉଦ୍ବେଗେ ଯାଉଥିବେ କାନ୍ତବସତି,
ଘୋର ଅନ୍ଧାରେ ମାର୍ଗ ଦିଶିବ ନାହିଁ
କମ୍ପିବେ ଭୟେ ଚଉଦିଗେ ଅନାଇ
। ୩୨୦ ।
ତୋ ସଙ୍ଗେ ଥିବ ପ୍ରଭାମୟୀ ତଡ଼ିତ
ଏକାଳେ ବାଳାଙ୍କର ସାଧିବେ ହିତ,
ଘନ! ମୁଞ୍ଚିବୁ ନାହିଁ ଭୀମ ନିନାଦ
ନାଦ ମଣିବେ ବାମା ଘୋର ପ୍ରମାଦ
। ୩୨୪ ।
କ୍ଳାନ୍ତ ହେଲେ ତଡ଼ିତ ଚିରନର୍ତ୍ତନେ
ଥୋଇବୁ ଅବଳାକୁ କ୍ରୋଡ଼ଶୟନେ,
ଚନ୍ଦ୍ରଶାଳାରେ ଯାପି ଶେଷ ରଜନୀ
ଶେଯ ତ୍ୟଜିବୁ ଶୁଣି କପୋତଧ୍ୱନି
। ୩୨୮ ।
ଫିଟାଇ ପୂର୍ବ ଆଶା ସ୍ୱର୍ଣ୍ଣତୋରଣ
ମୌକ୍ତିକବ୍ରଜେ ପଦ୍ମକରେ ବହନ,
ବୁଣିବ ରଙ୍ଗେ ଯେବେ ଉଷାରଙ୍ଗଣୀ
ସେ ସମୟ ଛାଡ଼ିବୁ ତୁ ଉଜ୍ଜୟିନୀ
। ୩୩୨ ।
(୧) ଉଜ୍ଜୟିନୀରେ ମହାକାଳ ମହାଦେବଙ୍କ ମନ୍ଦିର ଅବସ୍ଥିତ ।
ପ୍ରାତେ ଖଣ୍ଡିତା ପାଶେ ନାୟକ ଆସି
ସ୍ନେହେ ପୋଛନ୍ତି ନେତ୍ରସଲିଳ ରାଶି,
ଏଣୁ ନଳିନୀ-ପଦ୍ମ-ନୟନ ନୀର
ପୋଛିବେ ନିଜ କରେ କାନ୍ତ ମିହିର
। ୩୩୬ ।
ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ
ଗତି କରିବୁ ବହୁ ଦୂରରୁ ଥାଇ,
ମାର୍ଗ ରୋଧିଲେ ନିଶ୍ଚେ ରୋଷିବେ ହରି
ଏଣୁ କରିବୁ କାର୍ଯ୍ୟ ମୋ ବାଣୀ ସ୍ମରି
। ୩୪୦ ।
ସୁଗଭୀର ଗମ୍ଭୀରା ନଦୀ ଜୀବନ
ନିତ୍ୟ ପ୍ରସନ୍ନ ଯେହ୍ନେ ମହତ ମନ,
ଦେଖିବୁ ଘନ! ନଦୀ-ଦର୍ପଣ-ତଳେ
ନିଜ ମୂରତି ବହୁ ଯୋଜନ ତଳେ
। ୩୪୪ ।
ମାର୍ଜିତ ହୀରା-ଖଣ୍ଡ ପ୍ରାୟେ ସଫରୀ
ଚଞ୍ଚଳେ ଖେଳୁଥିବ ନୀରେ ସଞ୍ଚରି,
ତଟିନୀ ନେତ୍ରମାଳ ପ୍ରାୟେ ଦିଶିବେ
ଉନ୍ମେଷ କଲା ପ୍ରାୟେ ବୁଡ଼ି ଭାସିବେ
। ୩୪୮ ।
ତୀରଜଘନୁଁ ନୀଳ ସଲିଳବାସ
ସ୍ରସ୍ତ ଦେଖି ଅନ୍ତରେ ହେବ ଉଲ୍ଲାସ,
ଲମ୍ବମାନ ହୋଇଣ ନଦୀ ଉପରେ
ଧରିବ ନୀଳବାସ ବେତସକରେ
। ୩୫୨ ।
ବନ୍ଧୁ ମାଗୁଣି ପୁଣି ହେଲେ ସ୍ମରଣ
ହୋଇବ ଅତି କଷ୍ଟେ ତହୁଁ ଗମନ,
ଯେହୁ ଲଭିଛି ଘନ! ସେ ରସ ସ୍ୱାଦ,
ପ୍ରସ୍ତୁତ ରସେ ବିଘ୍ନ ଗଣେ ପ୍ରମାଦ
। ୩୫୬ ।
ସମ୍ପ୍ରତି ଦେବଗିରି ଦିଶେ ଅଗ୍ରତେ
ବେଗେ ଯାଅ ଜଳଦ! ସେ ପରବତେ,
ନବ-ଆସାର-ସିକ୍ତ ମୃତ୍ତିକା-ବାସେ
ସୁରଭି ଶୀତ ବାୟୁ ସନ୍ତାପ ନାଶେ
। ୩୬୦ ।
ଶୁଣ୍ଢେ ପିଅନ୍ତି ଦନ୍ତୀ ସେ ସମୀରଣ
ତହୁଁ ଉପୁଜି ସ୍ୱନ ତୋଷେ ଶ୍ରବଣ,
ଉଡୁମ୍ବର ଫଳ ଏ ବାୟୁ ପରଶେ
ପରିପୂର୍ଣ୍ଣ ହୁଅଇ ମଧୁର ରସେ
। ୩୬୪ ।
ସେ ନଗେ ନିବସନ୍ତି କାନ୍ତ କୁମାର, (୧)
ପୁଷ୍ପମିଶ୍ରିତ-ବ୍ୟୋମ-ଗଙ୍ଗା ଆସାର,
ବରଷି ଧୋଇବୁ ତୁ ସେ କଳେବର,
ସୁଲଳିତ ଚମ୍ପକ ପ୍ରାୟେ ସୁନ୍ଦର
। ୩୬୮ ।
ବାସବୀସୈନ୍ୟଦଳ ରକ୍ଷା କାରଣେ
ଶଙ୍କର ବିସର୍ଜିଲେ ତେଜ ଦହନେ,
ତହୁଁ ସମ୍ଭବି ଶୂର ଶିଖିବାହନ
କୋଦଣ୍ଡ ଧରି କଲେ ଦୈତ୍ୟ ନିଧନ
। ୩୭୨।
ବାହନ-ଶିଖି ବସିଥିବ ଶିଖରେ
ଧଳା ଅପାଙ୍ଗ ହର-ଚନ୍ଦ୍ରମାକରେ,
ପୁତ୍ରବତ୍ସଳା ଯାର ଚନ୍ଦ୍ରକ ଘେନି
ଭୂଷନ୍ତି ହୈମବତୀ ଶ୍ରବଣ ବେନି
। ୩୭୬ ।
କାନ୍ତି-ବଳୟ ଚାରୁ ଚନ୍ଦ୍ରକ ଧରି
ଦିଶନ୍ତି ରମ୍ୟତର ହର-ସୁନ୍ଦରୀ,
ନୀଳ କୁମୁଦ ପ୍ରାୟେ ବର୍ହ ଲମ୍ବଇ
ଇନ୍ଦ୍ରନୀଳ ଭୂଷଣ ଶୋଭା କଳଇ
। ୩୮୦ ।
ନୀରଦ! ମନ୍ଦ୍ର-ନାଦ ଶୁଣି ତୋହର
ନାଚିବ ପୁଚ୍ଛ ଟେକି ସେ ଶିଖିବର;
ଶୈଳକନ୍ଦରେ ପଶି ସେ ନାଦ ପୁଣ
ଗମ୍ଭୀର ପ୍ରତିନାଦେ ହେବ ଦ୍ୱିଗୁଣ
। ୩୮୪।
(୧) କୁମାର - କାର୍ତ୍ତକେୟ ।
କୁମାର ପୂଜା ଅନ୍ତେ ନଭପ୍ରାଙ୍ଗଣେ
ଉଠ ଜୀମୂତ-ଇନ୍ଦ୍ର! ମନ୍ଦ୍ରନିଃସ୍ୱନ;
ହେମବିମାନଚାରୀ ସିଦ୍ଧଯୁଗଳ
ପଥ ଛାଡ଼ିବେ ଜଳ ଭୟେ ବିହ୍ୱଳ
। ୩୮୮ ।
ସିଦ୍ଧରଙ୍ଗିଣୀ-ବୀଣା-ତନ୍ତ୍ରୀ-ଝଙ୍କାର
ଶୁଣି ଲଭିବ ନଭେ ମୁଦ ଅପାର;
ରନ୍ତି-ଭୂପତି କୀର୍ତ୍ତି ଗୋମତୀ ନଈ
ସଲିଳରେଖା ଏବେ ନେତ୍ର ହରଇ
। ୩୯୨ ।
କଜ୍ଜଳନିଭ ଅଟେ ତୋହୋ ଶରୀର
ବିମଳ ଶୁଭ୍ର କାନ୍ତି ଗୋମତୀ ନୀର,
ଅବତରିବୁ ଯେବେ ସେ ନଦୀଜଳେ,
ସୁରେ ଦେଖିବେ ଥାଇ ଗଗନ ତଳେ
। ୩୯୬ ।
ବିଦ୍ୟାଧରୀ ନିକର ଦୂରୁଁ ଚାହିଁବେ
ବାମନୟନା ନିଶ୍ଚେ ଏହା ମଣିବେ,
ଧରା ଉପରେ ମୋତିହାର ରାଜିତ
ସେ ହାର ମଧ୍ୟେ ଇନ୍ଦ୍ରମଣି ଗୁମ୍ଫିତ
। ୪୦୦ ।
ଯାଅ ଉତ୍ତରେ ରମ୍ୟ ଗୋମତୀ ତରି
ବରବର୍ଣ୍ଣିନୀ ଦଶପୁର ନାଗରୀ,
କୁତୂହଳେ ଚାହିଁବେ ତୋତେ ଆକାଶେ
ମୋହିବେ ଚିତ୍ତ ତୋର ମଧୁର ହାସେ
। ୪୦୪ ।
ପକ୍ଷ୍ମବିକ୍ଷେପ-ଜାତ ସ୍ନିଗ୍ଧ ନୀଳିମା
କଳିବ କୃଷ୍ଣସାର ପ୍ରଭା ଗରିମା,
କଳା ଡୋଳା ଲଳିତ ବାଳା ଲୋଚନେ
ଦିଶିବ କୁନ୍ଦଦଳେ ଭୃଙ୍ଗ ଯେସନେ
। ୪୦୮ ।
ବ୍ରହ୍ମାବରତେ (୨) ନଭେ ହୋଇ ଉଡ୍ଡୀନ
କୃଷୀ-ବଳଙ୍କୁ ଛାୟାଦାନେ ତୋଷିଣ,
ତହୁଁ କୌରବକ୍ଷେତ୍ରେ ଯିବୁ ତ୍ୱରିତେ
ଧରା ଲୋହିତ ଯହିଁ କ୍ଷତ୍ରଶୋଣିତେ
। ୪୧୨ ।
ଗର୍ଜି ପ୍ରଚଣ୍ଡେ ସିଞ୍ଚି ଘନ ଅସାର
ଯେହ୍ନେ କମଳବଂଶ କରୁ ସଂହାର,
ଗାଣ୍ଡୀବୀ ସେହି ରୂପେ କୁରୁ ସମରେ
ସିଞ୍ଚିଲେ ନୃପକୁଳ ଆନନ ଶରେ
। ୪୧୬ ।
ସରସ୍ୱତୀ ସରିତ ସୁସ୍ୱାଦୁ ଜଳ
ସେବି ହୋଇବ ତୋର ହୃଦ ନିର୍ମଳ,
ସରସ୍ୱତୀ ମହିମା ଲୋକେ ବିଦିତ
ସରସ୍ୱତୀ ମୋହିଲା ମୂଷଳି-ଚିତ୍ତ
। ୪୨୦ ।
ରେବତୀ ସଙ୍ଗେ ସେହୁ ମଦିରାରସ-
ପାନେ ନିରତେ ହେଉଥିଲେ ହରଷ,
ବିମୁଖ ହୋଇଣ ସେ ଭାରତ ରଣେ
ବସିଲେ ଏ ତଟିନୀ ତୀର କାନନେ
। ୪୨୪ ।
କନଖଳ ପ୍ରଦେଶ (୩) ଛାଡ଼ି ଉତ୍ତରେ
କର ନୀରଦ! ଗତି ଖର ଅମ୍ବରେ,
ପର୍ବତରାଜ ହିମ-ପର୍ବତୁଁ ଯହିଁ
ଧବଳଗଙ୍ଗା ସ୍ରୋତ ଅବତରଇ
। ୪୨୮ ।
ସଗରବଂଶ-ସ୍ୱର୍ଗ-ସୋପାନ-ରାଜି
ପ୍ରାୟେ ଦିଶଇ ଗଙ୍ଗା ନଗେ ବିରାଜି,
ଧୂର୍ଜଟୀ ଜଟାକୂଟେ ବହି ଝର୍ଝରେ
ଧରଇ ବାଳଚନ୍ଦ୍ର ତରଙ୍ଗ କରେ
। ୪୩୨ ।
୧ । ରନ୍ତିଦେବଙ୍କ ଅନୁଷ୍ଠିତ ଗୋମେଧଯଜ୍ଞରୁ ଗୋମତୀ ଜାତ ହୋଇଥିବା କଥା ପୁରାଣରେ-ପ୍ରସିଦ୍ଧ ,୨ । ବ୍ରହ୍ମାବର୍ତ୍ତ – ସରସ୍ୱତୀ ଓ ଦୃଷଦ୍ବତୀ ନଦୀର ଅନ୍ତର୍ବର୍ତ୍ତୀ ପ୍ରଦେଶ ୩ । କନଖଳ – ହରିଦ୍ୱାରର ଚତୁଷ୍ପାର୍ଶ୍ୱବର୍ତ୍ତୀ ପ୍ରଦେଶ
ତହୁଁ ଭ୍ରୂକୁଟି ବହେ ଉମା ଆନନରୁଷ୍ଟ ସପତ୍ନୀ-ସୁଖେ ସପତ୍ନୀ ମନ;ଧବଳ ଫେନ ଛଳେ ଜାହ୍ନବୀ ହସେ,ଈର୍ଷା ଅନଳେ ଜଳେ ଉମା ମାନସେ। ୪୩୬ ।ସ୍ୱଚ୍ଛ ସ୍ଫଟିକ ପ୍ରାୟେ ଜାହ୍ନବୀ ବାରିଆକାଶୁ ପିଇବୁ ତୁ କାୟା ପ୍ରସାରି,ପିଅଇ ନୀର ସୁରକରୀ ଯେସନେବକ୍ରଭାବରେ ଝୁଲୁଥିବ ଗଗନେ। ୪୪୦ ।ଲହରୀ ଖେଳୁଥିବ ମନ୍ଦ ଅନିଳେପଡ଼ିବ ତୋର ଶ୍ୟାମ ଛବି ସଲିଳେ,ଅସ୍ଥାନେ ଭାନୁସୁତା ଲହରୀ-ହାରମିଶିଲା ପ୍ରାୟେ ଶୋଭା ହେବ ଉଦାର। ୪୪୪ ।ତୁଷାର-ଗୌର ହିମଗିରି ମସ୍ତକେବସି ଶମିବୁ ମାର୍ଗ-ଶ୍ରମ ପୁଲକେ,କସ୍ତୂରିକା-କୁରଙ୍ଗ ଆଙ୍ଗ ପରଶେସୁରଭିତ ଶିଳା ସେ ଶୈଳ ଉରସେ। ୪୪୮ ।ଶଶିଶେଖର-ଶ୍ୱେତ-ବୃକ୍ଷ ବିଷାଣଦେହେ ଉତ୍କଖାତ ଯେହ୍ନେ ପଙ୍କପିଧାନ,ମୂରତି ତୋର ନୀଳ କଜ୍ଜ୍ୱଳନିଭଶିଖରେ ବିରାଜି ସେ ଶୋଭା ବଳିବ। ୪୫୨ ।ସରଳ ଦ୍ରୁମେ ଯେବେ ଶାଖା ଘର୍ଷଣେଜ୍ୱଳିବ ବହ୍ନି, ବାୟୁ ବହି ଭୀଷଣେ,କନକକାନ୍ତି ଅଗ୍ନି ଶିଖା ଦୀପିବେ,ଗହ୍ୱରୁଁ ଚମରୀଙ୍କୁ (୧) ବେଗେ ତଡ଼ିବେ। ୪୫୬ ।ଅନଳ ଯୋଗେ ଚାରୁ-ପୁଚ୍ଛ ଚାମରଜ୍ୱଳି କରିବା ତାଙ୍କୁ ତ୍ରାସେ କାତର,ଡେଇଁ ପଡ଼ିଲା ପ୍ରାୟେ ଦାବ-ଦହନଦ୍ରୁମୁଁ ଦ୍ରୁମେ ଲଗନ ହେବେ ବହନ। ୪୬୦ ।ବହ୍ନି ଉପରେ ସିଞ୍ଚି ନବ-ଆସାରଗିରି-ପ୍ରାଣୀ-ଜୀବନ କର ଉଦ୍ଧାର;ଦୋଷହୀନ ଜନର ହେଲେ ବିପଦବିପଦୁଁ ନିସ୍ତାରଇ ସାଧୁ ସମ୍ପଦ। ୪୬୪ ।ଗାତ୍ରଭଙ୍ଗ ସକାଶେ ତହିଁ ଶରଭେଶିଖରିଶୃଙ୍ଗେ ଡେଉଁଥିବେ ଗରବେ,ଧରିବାପାଇଁ ତୋତେ ହେବେ ଉତ୍ସୁକତ୍ୱରିତେ କରିବୁ ତୁ ତାଙ୍କୁ ବିମୁଖ। ୪୬୮ ।ଅବହେଳେ ଧବଳ କରକା-ହାସେପଳାଇବେ ଶରଭେ ଦୂରୁଁ ତରାସେ,ନିଷ୍ଫଳ କର୍ମେ ଯାର ମନ ଦୀକ୍ଷିତ,ପରଠାରେ ନିଶ୍ଚେ ସେ ହୁଏ ଲଜ୍ଜିତ। ୪୭୨ ।ତ୍ରିଶୂଳୀ-ପଦ-ଚିହ୍ନ ତହିଁ ପ୍ରସ୍ତରେବିମଣ୍ଡିତ କାନନଜାତ ପୁଷ୍ପରେ,ଦେଖି ବାରିଦପତି! କରିବୁ ନତିବିଫଳ ନୋହେ ଶିବପାଦେ ଭକତି। ୪୭୬ ।ଗିରି-ନିବାସି-ମୁନି ହର ଚରଣପୂଜନ୍ତି ନିତ୍ୟ ଶାନ୍ତିରସେ ମଗନଏ ପାଦେ ଭକ୍ତି ଥିଲେ କଳୁଷ ନାଶହୋଇ ସୁଖରେ ଅନ୍ତେ ସ୍ୱରଗେ ବାସ। ୪୮୦ ।ଘନ କୀଚକରାଜି, ବାୟ ପୂରିତବଂଶୀ ବାଜିଲା ପ୍ରାୟେ ହୁଏ ନାଦିତ,ତ୍ରିପୁରର-ଜୟ-ଗୀତ ମଧୁର ସ୍ୱରେକିନ୍ନରୀ-କୁଳ-କଳ-କଣ୍ଠୁଁ ନିଃସରେ। ୪୮୪ ।(୧) ଚମରୀ ଗୋ – ହିମାଳୟରେ ଏବଂ ତିବ୍ବତରେ ଅନେକ ଦେଖାଯାନ୍ତି ।ତୋ ନାଦେ ମୁଖରିତ କନ୍ଦରବ୍ରଜମୁଞ୍ଚିବ ମନ୍ଦ୍ରନାଦ ଯେହ୍ନେ ମୁରଜ;ସଂଗୀତ ଅଭିଳାଷ ବାମଦେବରଚରିତାର୍ଥ କରିଣ ଲଭିବୁ ବର। ୪୮୮ ।ହିମାଦ୍ରି ତଟେ ସବୁ କରି ଦର୍ଶନଶୀଘ୍ର କର ଉଦୀଚୀ ଅନୁସରଣ,କ୍ରୌଞ୍ଚ-ରନ୍ଧ୍ର ଭେଦିଣ ଶୈଳଶରୀରେଲଭିଲେ ରାମ ନିତ୍ୟ ଯଶଃ ମହୀରେ (୧)। ୪୯୨ ।ମାନସରକୁ ବେଗେ ବରଷାଗମେଏମାର୍ଗେ ହଂସେ ଯାନ୍ତି ଉଡ଼ି ସଂଭ୍ରମେ,ତିର୍ଯ୍ୟକେ ରନ୍ଧ୍ର ଦେଇ ଉତ୍ତରେ ଯିବ,ହଂସ ଅଗ୍ରତେ ଦେଖି ମାର୍ଗ କଳିବ। ୪୯୬ ।ବଳିଛଳନ ବେଳେ ପ୍ରଭୁ ବାମନଯେ ପାଦ ବିସ୍ତାରିଲେ ଘୋଟି ଗଗନ,ସେ ପାଦ ବରଶୋଭା ଲଭିବୁ ଭଲେସେ ରନ୍ଧ୍ର ମାର୍ଗେ ଯେବେ ଯିବୁଚଞ୍ଚଳେ। ୫୦୦ ।ତହୁଁ ଊର୍ଦ୍ଧ୍ୱେ ରାଜଇ କୈଳାସଗିରିନବ ପ୍ରଫୁଲ୍ଲ-ଶ୍ୱେତ-କୁମୁଦ-ଶିରୀ,କିଅବା ରାଶୀଭୂତ ତ୍ର୍ୟମ୍ବକ-ହାସ,ତାରାମାଳ ଚୁମ୍ବଇ ବ୍ୟାପି ଆକାଶ। ୫୦୪ ।ଦୁର୍ଦଣ୍ଡ ଦଶଗ୍ରୀବ ରୋଷେ ହୁଂକାରିଝିଙ୍କିଲା ଶୈଳ ଯେବେ ଭୁଜ ପ୍ରସାରି,ନାଗେ ନରେ, ଅମର କମ୍ପିଲେ ତ୍ରାସେମିଳିଲା ଅମ୍ବୁରାଶି ଊର୍ମି ଆକାଶେ। ୫୦୮ ।ଗମ୍ଭୀର ବଜ୍ରଘୋଷେ ଘୋଷି କନ୍ଦରପଳାଇଲେ ଜୀମୂତେ ଛାଡ଼ି ଭୁଧର,ଗର୍ଜିଲେ ପ୍ରଭଞ୍ଜନ, ହେଲା ଅନ୍ଧାରଉଡ଼ିଲା ସ୍ତୂପାକାର ସାନ୍ଦ୍ର ତୁଷାର। ୫୧୨ ।ଆତଙ୍କେ ଗିରିବାସୀ ଗଉରୀ-ସାଇଁ-ପାଦେ ଶରଣ ବେଗେ ପଶିଲେ ଯାଇଁ,ହସିଲେ ତହୁଁ ପ୍ରଭୁ ଭକ୍ତ-ବତ୍ସଳଅଚଳ ପୂର୍ବପରି ହେଲା ଅଚଳ। ୫୧୬ ।ସୁରବନିତାବ୍ରଜ ନଭୋମଣ୍ଡଳେଭ୍ରମନ୍ତି ଯେବେ, ଗିରିମୁକୁର-ତଳେ,ପଡ଼ଇ ପ୍ରତିବିମ୍ବ ନେତ୍ରରଞ୍ଜନ,ସେ ଦର୍ପଣେ ସ୍ୱମୁଖ ଦେଖିବୁ ଘନ। ୫୨୦ ।ଦଳାଞ୍ଜନପ୍ରଭା ବୋଳା ପରାୟେତୋ ଦେହ ନୀଳ-କାନ୍ତି ପ୍ରକାଶୁଥାଏ,ଧଳା କୈଳାସ ଦେହେ ହେଲେ ଲଗନଦିଶିବ ଧରାଧର ଶୋଭା ଯତନ। ୫୨୪ ।ଅମରେ ସ୍ଥିର ନେତ୍ରେ ଥିବା ଅନାଇଏଡ଼େ ବିଚିତ୍ର ଦୃଶ୍ୟ ଭୁତଳେ କାହିଁ?ନୀଳବସନେ ହଳିସ୍କନ୍ଧ ଯେସନ, (୨)ଦିଶିବ ହରଶୈଳ ରମ୍ୟ ତେସନ। ୫୨୮ ।ପାର୍ବତୀ କାନ୍ତ କର ଧରି ସ୍ୱକରେପଦବ୍ରଜରେ ଚଢ଼ୁଥିବେ ଭୁଧରେ,ସ୍ତମ୍ଭିତ କରି ନିଜ ସଲିଳରାଶିତଦ୍ଗତହୃଦୟରେ ଭକ୍ତି ପ୍ରକାଶି। ୫୩୨ ।(୧) କ୍ରୌଞ୍ଚ-ରନ୍ଧ୍ର – ପରଶୁରାମଙ୍କ କୀର୍ତ୍ତିବିଶେଷ । ଏହା ସମ୍ଭବତଃ ଗୋଟିଏ ଟନେଲ୍ ।(୨) ହଳୀ - ବଳରାମଅଗ୍ରତେ ଗାତ୍ରଭଙ୍ଗେ ହୋଇ ଶୟାନସେବିବୁ ଯେହ୍ନେ ଇନ୍ଦ୍ରନୀଳ ସୋପାନ;ନଗେନ୍ଦ୍ରବାଳା ପଦ୍ମପାଦଯୁଗଳଛୁଇଁ ଦେହ ଧାରଣ ହେବ ସଫଳ। ୫୩୬ ।ତହିଁ ସୁରଯୁବତୀ ନିତ୍ୟ ଚପଳାଘଷି ତୋ ଦେହେ ଚାରୁହୀରକବାଳା,ତୋ ଶରୀରୁଁ ନିଃସୃତ ନୀର ଲଭିବେଜଳଯନ୍ତ୍ର ପରାୟେ ତୋତେ ମଣିବେ। ୫୪୦ ।ଛାଡ଼ି ନଦେବେ ଯେବେ ବାଳାନିକରସଲିଳ ଦାନେ ଯେବେ ହେବ କାତର,ମୁଞ୍ଚିବ ହେ ନୀରଦ! ଗମ୍ଭୀର ନାଦ,ଅବଳା ପଳାଇବେ ଗଣି ପ୍ରମାଦ। ୫୪୪ ।ହେମକମଳଛନ୍ନ ମାନସନୀରଘେନି ହୋଇବେ ତୋର ଚାରୁ ଶରୀର,ସୁରେନ୍ଦ୍ର-କରି-କର ରଙ୍ଗେ ଘୋଡ଼ାଇନବସଲିଳେ ତାର ପ୍ରୀତି ବଢ଼ାଇ। ୫୪୮ ।ଶୀକରସୁଶୀତଳ ମନ୍ଦ ପବନେକମ୍ପାଇ କଳ୍ପତରୁ-ପଲ୍ଲବ ବନେ,ସ୍ଫଟିକ-ଗୌର ତନୁ ସେ ମହୀଧରେପ୍ରବେଶିବୁ ନୀରଦ! ପରମାଦରେ। ୫୫୨ ।ନାଗର ଉତ୍ସଙ୍ଗେ ଯେହ୍ନେ ନାଗରୀସେ ଗିରି ଉରସେ ରମ୍ୟ ନଗରୀ,ଜାହ୍ନବୀ-ଦୁକୂଳସ୍ରସ୍ତଜଘନେ,ଅଳକା ଅଗ୍ରତେ ଦିଶେ ନୟନେ। ୫୫୬ ।ଭବେ ଅତୁଳ ସେ ପୁରୀ ହେ,ନିଶ୍ଚେ ବିମୋହିତ, ହେବ ତୋ ଚିତ୍ତଦେଖି ତା ରୂପମାଧୁରୀ ହେ ।ଜଳଧରକାଳେ ଘନନିକରଆବରି ଅଳକା ସୌଧଶିଖର। ୫୬୦ ।କାମିନୀ-ଚିକୁର-ଶ୍ୟାମମୂରତି,ମୁଞ୍ଚି ନବନୀରବିନ୍ଦୁ ପଙ୍କତି,ଅଳକା ଶିର ଭୂଷଇ ହେ,ମୁକୁତାଖଚିତ, ରୁଚିର ରଚିତ,ବାମା ଅଳକ କଳଇ ହେ। ୫୬୪ ।ଉତ୍ତରମେଘ(ରାଗ- କଳହଂସକେଦାର)ଅଳକା ହର୍ମ୍ମ୍ୟେ ରାଜେ ନବ ଯୋଷିତତୋ ଅଙ୍ଗେ ନୀରଧରସ୍ୱର୍ଣ୍ଣ ତଡ଼ିତ;ଅଳକା ସୌଧେ ଚିତ୍ର ମୋହେ ନୟନଇନ୍ଦ୍ରକୋଦଣ୍ଡ ତୋର ଅଙ୍ଗେ ଯେସନ। ୪ ।ତୋ ସ୍ନିଗ୍ଧ ମନ୍ଦ୍ରନାଦ ପରାଏ ତହିଁମୁରଜ ମନ୍ଦ୍ରନାଦ ନିତ୍ୟ ସ୍ଫୁରଇ;ଉଜ୍ଜ୍ୱଳ ମଣି-ରଶ୍ମି ପ୍ରାଙ୍ଗଣେ ତାରଯେସନେ ଗର୍ଭେ ତୋର ଶୁକ୍ଳ ଆସାର। ୮ ।ପୁଷ୍ପଭୂଷଣପ୍ରିୟ ନାଗରୀ ଦଳ-କରେ ଶୋଭଇ ଯହିଁ ଲୀଳାକମଳ,ଅଳକେ କୁନ୍ଦକଳି ରାଜେ ମୋହନଲୋଧ୍ର ପରାଗେ ପାଣ୍ଡୁଚାରୁ ଆନନ। ୧୨ ।ରମ୍ୟ ଶିରୀଷେ ଶୋହେ ଶ୍ରବଣ-ମୂଳସୀମନ୍ତେ ଶୋହେ ନବ କଦମ୍ବ ଫୁଲ,ବକୁଳମାଳ-ଶୋଭି ଘନଜଘନମନ୍ଦାର-ଶୋଭି କେଶ ଚୁମ୍ବେ ଚରଣ। ୧୬ ।ନିତ୍ୟ କୁସୁମ ଯହିଁ ତରୁନିକରେନିତ୍ୟ ମୁଖର ମଧୁକର ଗୁଞ୍ଜରେ,ରାଜହଂସ-ରସନା ସରସୀକୁଳଫୁଲ୍ଲପଙ୍କଜ-ବ୍ରଜେ ନିତ୍ୟ ମଞ୍ଜୁଳ। ୨୦ ।ଉଦ୍ଗ୍ରୀବ ହୋଇ ନିତ୍ୟ ଗୃହମୟୂରଗମ୍ଭୀର କେକାରବେ ପୂରନ୍ତି ପୁର,ସୁଧାକର କିରଣେ ନିତ୍ୟ ତିମିରଦୂର ହୋଇ ପ୍ରଦୋଷ ଦିଶେ ରୁଚିର। ୨୪ ।ଅଳକାରେ ଲୋତକ ସୁଖରୁ ବହେ,ଆନ ପୀଡ଼ା ଅଭାବେ ଅନଙ୍ଗ ଦହେ,ଅନଙ୍ଗ ପୀଡ଼ା ପ୍ରତିକାର ପ୍ରଚୁରଅଛି ତହିଁ, ତେଣୁ ସେ ପୀଡ଼ା ମଧୁର। ୨୮ ।ମାନ ବିହୁନେ ନାହିଁ ଆନ କଳହ,ମାନଜ ବିନୁ ନାହିଁ ଆନ ବିରହ,ଆନ ବୟସ ନାହିଁ ବିନା ଯୌବନଏକତ୍ରେ ସର୍ବ ଋତୁ-ସୁଖ ମିଳନ। ୩୨ ।କୁସୁମତାରକିତ ମଣି-ପ୍ରାସାଦେମଧୁ ପିଅନ୍ତି ଯକ୍ଷେ ମନପ୍ରସାଦେ,ଅବସର ଲଭିଣ ମୀନକେତନପୁଷ୍ପ-ବିଶିଖେ ଅଙ୍ଗ ବିନ୍ଧେ ବହନ। ୩୬ ।ବରଯୁବତୀବ୍ରଜ ବସନ୍ତି ପାଶେବାସଇ ସମୀରଣ ସୁରହି ଶ୍ୱାସେ,ମୁରୁଜ ମନ୍ଦ୍ରନାଦ ପୂରଇ ପୁରକାମିନୀ କଳକଣ୍ଠ ଶୁଭେ ମଧୁର। ୪୦ ।ମନ୍ଦାକିନୀ ପୁଳିନେ ମନ୍ଦାର ତଳେଖେଳନ୍ତି ବାଳବ୍ରଜ ବସି କୁଶଳେ,ନିର୍ମଳ ବାରିବିନ୍ଦୁ ବହି ପବନସେବନ ଛଳେ ବକ୍ତ୍ର ପରଶେ ଘନ। ୪୪ ।କନକ ସିକତାରେ ଲୁଚାଇ ମଣିଲୋଡ଼ନ୍ତି କଉତୁକେ ବରବରନୀ,ରଙ୍ଗ ଅମ୍ବରେ ବପୁ ଶୋହେ ସୁନ୍ଦରରଙ୍ଗ ଅମ୍ବୁଜେ ଯେହ୍ନେପୀତ କେଶର। ୪୮ ।କାମେ ଉନ୍ମତ୍ତ କାନ୍ତ ଦୁକୂଳ ହରେସୁନ୍ଦରୀ ଦିଗମ୍ବରୀ ଥରେ ଲାଜରେ,ସମ୍ମୁଖେ ରତ୍ନଦୀପ ଉଜ୍ଜ୍ୱଳ ଜଳେନିର୍ବାଣ ଆଶେ ହିମରଜ ବିଫଳେ। ୫୨ ।ଫିଙ୍ଗଇ ବରାଙ୍ଗନା ପ୍ରଦୀପ ପ୍ରତିବ୍ୟର୍ଥ ଯତନ ଦେଖି କୌତୁକୀ ପତି;ଭାସନ୍ତି ପ୍ରେମନୀରେ ତହୁଁ ଉଭୟେଭିଡ଼ନ୍ତି ପରସ୍ପର ଅଙ୍ଗ ନିର୍ଦ୍ଦୟେ। ୫୬ ।ସରମେ ରସବତୀ ରମଣ ଚିତ୍ତରସାଇ ଅନୁରାଗ କରେ ଦୀପିତ;ସରମେ ଶଶି-ମୁଖୀ ମୁଖମାଧୁରୀଧୈର୍ଯ୍ୟ ଅଙ୍କୁରକୁ ସେ କାମ କତୁରୀ। ୬୦ ।ପଦ୍ମୋଦରସୋଦର ବର ବଦନେଲାଜରାଗ ଉଜଳେ ରାଗ ରମଣେ,ସୁନ୍ଦର ଦରସ୍ମିତ ତା ସଙ୍ଗେ ମିଶେକମଳେ ରବିବିଭା ତା ସରି କି ସେ?। ୬୪ ।ଜଳଦମାଳ ତହିଁ ପବନ ବଳେତୁଙ୍ଗ ସୌଧ ଗବାକ୍ଷେ ପଶି ଚଞ୍ଚଳେ,ତିନ୍ତାଇ ଭିତ୍ତି ଚିତ୍ର ପଳାନ୍ତି ତ୍ରାସେ,ଧୂମରାଶି ପରାୟେ ଦିଶି ଆକାଶେ (୧)। ୬୮ ।ସୂତ୍ରଲମ୍ବିତ ଚନ୍ଦ୍ରକାନ୍ତି ନିକରଯହିଁ ନିଶିରେ ଲଭି ଚନ୍ଦ୍ରମା କର,କରଇ, ମୁଞ୍ଚି ଜଳବିନ୍ଦୁ ବିମଳଅଙ୍ଗନା ରତିଖିନ୍ନ ଅଙ୍ଗ ଶୀତଳ। ୭୨ ।କୁବେର ଯଶଗୀତ ଗାଇ କୌତୁକେକଳକଣ୍ଠ କିନ୍ନର ଭ୍ରମନ୍ତି ସୁଖେ,ଯକ୍ଷବିଳାସିଦଳ ବୈଭ୍ରାଜବନେସୁରକାମିନୀ ସଙ୍ଗେ ଅନଙ୍ଗରଣେ। ୭୬ ।ମାତନ୍ତି – ନାଦେପିକ, ନାଦେ ଭ୍ରମରଅଳଙ୍କାର ଝଙ୍କାର ମିଶେ ସୁନ୍ଦର,ଲାଜେ ନିକୁଞ୍ଜେ ଥରେ କୁଞ୍ଜବଲ୍ଲରୀଦୋଳେ ମଞ୍ଜୁଳେ ପୁଲ୍ଲ, ଫୁଲମଞ୍ଜରୀ। ୮୦ ।ଅଭିସାରିକାକୁଳ କାନ୍ତ ସଦନେନିଶି ଅନ୍ଧାରେ ଯହିଁ ଯାନ୍ତି ବିଜନେ,କମ୍ପଇ ଅଙ୍ଗଲତା ବେଗେ ସାଧ୍ୱସେକୁଟିଳ କୁନ୍ତଳରୁ ମନ୍ଦାରଖସେ। ୮୪ ।ଚାହାଁନ୍ତି ଚଉଦିଗେ ଭୟେ ବିକଳଖସଇ କର୍ଣ୍ଣ-ଶୋଭି ସ୍ୱର୍ଣ୍ଣକମଳ,ଘନ ଉରଜୁଁ ଛିଣ୍ଡି ମୁକୁତାହାରସୂଚଇ ପ୍ରାତେ ବାଳା-ନିଶି-ବେଭାର। ୮୮ ।ଅଳକାପୁରେ ଛନ୍ତି ଶଶିଶେଖରଅଳି-ଶିଞ୍ଜିନୀ ଧନୁ କୁସୁମଶର,ନ ଧରେ ତ୍ରାସେ, ତହୁଁ ଲାବଣ୍ୟମୟୀ-ବାଳା-କଟାକ୍ଷ ତାର କାର୍ଯ୍ୟ କରଇ। ୯୨ ।କାମିନୀ ଭୂରୁ କାମକୋଦଣ୍ଡପରିକାମିନୀ ବାମନେତ୍ର ବିଶିଖ ସରି,ଅନଙ୍ଗର ପ୍ରୟାସ ତେଣୁ ସଫଳଅସ୍ତ୍ରେ କି କାର୍ଯ୍ୟ ଯାର ଅବଳା ବଳ। ୯୬ ।ନବ ଦୁକୂଳ ନାନା ରାଗେ ରଞ୍ଜିତ,ନେତ୍ର-ବିଳାସକର ମଧୁବାସିତ,ସପଲ୍ଲବକୁସୁମ, ରମ୍ୟ ଭୂଷଣଅଳତା ଲଳିତାଙ୍ଗୀ ପାଦମଣ୍ଡନ। ୧୦୦ ।କଳ୍ପତରୁ ଦେହରୁ ସବୁ ପ୍ରସୂତଇଚ୍ଛାମାତ୍ରକେ ସବୁ ହୁଏ ପ୍ରସ୍ତୁତ,ସେ ତରୁକୁଞ୍ଜେ ବସି କୁଞ୍ଜରଗତିଲେଖନ୍ତି ପ୍ରେମଲିପି ପ୍ରେମିକ ପ୍ରତି। ୧୦୪ ।ଧନପତି (୨) ବସତି ଛାଡ଼ି ଉତ୍ତରେଇନ୍ଦ୍ରଧନୁ-ତୋରଣ ନୟନ ହରେ,ସେ ଅଟେ ନିରଧର! ମୋର ନିଳୟ,ଦୂରୁଁ ଦିଶଇ ଚାରୁ ସୁଷମାମୟ। ୧୦୮ ।ତହିଁ ଉଦ୍ୟାନେ ରାଜେ ଶିଶୁମନ୍ଦାର,ତା’ଠାରେ ପୁତ୍ରପ୍ରାୟେ ସ୍ନେହ ପ୍ରିୟାର,କନକ-ପୁଷ୍ପ-ରାଜି ଶୋହେ ସ୍ତବକେତରୁଣ ରବିକରେ ଚାରୁ ଝଟକେ। ୧୧୨ ।ମରକତ ସୋପାନ ତହିଁ ସରସୀନୀଳଘନବେଷ୍ଟିତ ଯେସନ ଶଶୀ,ହେମକମଳକଳି ବହୁ ବିକସେ,ନୀଳକାନ୍ତ ବୃନ୍ତରେ ଉଜ୍ଜ୍ୱଳ ହସେ। ୧୧୬ ।ସୁଖେ ବସନ୍ତି ତହିଁ ହଂସସାରସବର୍ଷାଗମେ ମାନସେ ନାହିଁ ମାନସ,ବାରିବିହଙ୍ଗେ ନୀଳ ଲହରୀ ପରେଦୋଳନ୍ତି, ସରୋବର ପରି ରାବରେ। ୧୨୦ ।(୧) ଦାର୍ଜିଲିଂରେ ଏହି ଦୃଶ୍ୟ ପ୍ରତ୍ୟକ୍ଷ ଦେଖାଯାଏ ।(୨) ଧନପତି – କୁବେର ।ସରସୀ-ତୀରେ ଇନ୍ଦ୍ରନୀଳ-ଶିଖରକ୍ରୀଡ଼ା ପର୍ବତେ ରାଜେ କେଡ଼େ ସୁନ୍ଦର,ସ୍ୱର୍ଣ୍ଣ-କଦଳୀ-ଦଳ ଚଉଦିଗରେଶୋହେ ବିଜୁଳି ଯେହ୍ନେ ତୋ କଳେବରେ। ୧୨୪ ।ପ୍ରିୟା ବିହାର ସ୍ଥଳ ସେହୁ ଅଟଇତୋ ଦରଶନେ ଘନ! ମନେପଡ଼ଇ,ନୟନୁ ନୀର ଝରେ ତାର ସ୍ମରଣେଝୁରୁଥିବ ପ୍ରେୟସୀ ନିକି ବିଜନେ। ୧୨୮ ।ରକ୍ତ ଅଶୋକ ତରୁ ସେ ଉପବନେନବ ପଲ୍ଲବ ନିତ୍ୟ କମ୍ପେ ପବନେ,ମାଧବୀ-ବିମଣ୍ଡିତ ମଣ୍ଡପ ତହିଁରମ୍ୟ ପୁଷ୍ପେ ମଧୁପ ମଧୁ ପିଅଇ। ୧୩୨ ।କୁରୁବକ ବେଷ୍ଟନ ସେ ମଣ୍ଡପରରାଜେ ପାଶେ ପୁଷ୍ପିତ କାନ୍ତ କେଶର,ଦ୍ୱନ୍ଦୀ ଅଟଇ ମୋର ତରୁଯୁଗଳନିତ୍ୟ କରଇ ମନ ଈର୍ଷାଚଞ୍ଚଳ। ୧୩୬ ।ବାଞ୍ଛେ ଅଶୋକ ପ୍ରିୟା ପଦପରଶବାଞ୍ଛେ ବକୁଳ ମୁଖମଦିରା ରସ,ଏକାନ୍ତେ କାନ୍ତା ତହିଁ ପ୍ରଦୋଷେ ବସେବାୟୁ ବାରିଜ ସଙ୍ଗେ ବକ୍ର ପରଶେ। ୧୪୦ ।କନକଯଷ୍ଟି ତହିଁ ରାଜେ ଉଜ୍ଜ୍ୱଳଶିରେ ସୁନ୍ଦର ଶୋହେ ସ୍ଫୁଟିକଫଳ,ମୂଳ ମଣ୍ଡଣୀ ତାର ଇନ୍ଦ୍ରନୀଳରେତୋ ମିତ୍ର ନୀଳକଣ୍ଠ ତହିଁ ବିହରେ। ୧୪୪ ।ସରୋଜବନ୍ଧୁ ଚଢ଼ି ଚରମାଚଳେସ୍ୱର୍ଣ୍ଣକିରଣେ ତରୁଶିର ଉଜଳେ,ସରୋଜନେତ୍ରୀ ବାଳା ତହିଁ ବିଳାସେକରତାଳି ଦିଅଇ ମୟୂର ପାଶେ। ୧୪୮ ।ବାଜଇ ରଣରଣ ବାଜେଣୀ ବଳାନାଚଇ ଘନଘନ କେକୀ ଉତ୍ତଳା,ତାଳେ ବାଜଇ କରେ ଶିଞ୍ଜା ଭୂଷଣତାଳେ ମୟୂର ରାବେ ରଞ୍ଜି ଶ୍ରବଣ। ୧୫୨ ।ନୀଳକମଳ-ଗଞ୍ଜି କଳାପ ଟେକିକୌତୁକେ ଉପବନେ ନାଚଇ କେକୀ,ଉରେ ଏ ଛବି ଘେନି ନାଚେ ତରଙ୍ଗଝୁରେ ନୟନ ଘନ! ସ୍ମରି ସେ ରଙ୍ଗ। ୧୫୬ ।ଏ ଲକ୍ଷଣୁ ଜାଣିବୁ ମୋହୋ ଆଗାରଖୋଦିତ ଶଙ୍ଖପଦ୍ମେ ଶୋଭେ ତା ଦ୍ୱାର,ନାହିଁ ସେ ପୂର୍ବ ଭାବ ପୂର୍ବ ମାଧୁରୀରବି ବିହୁନେ ପଦ୍ମ ପରାଏ ଝୁରି। ୧୬୦ ।କରଭ ପ୍ରାୟେ କରି ଶରୀର କ୍ଷୀଣକ୍ରୀଡ଼ାଶଇଳେ ସୁଖେ ହୋଇ ଆସୀନ,ଭେଟିବ ନାଗରୀକୁ ଆଗାରେ ତହିଁଖଦ୍ୟୋତ ପ୍ରାୟେ କାନ୍ତି ନିଭି ଜଳଇ। ୧୬୪ ।ମଳିନ ସୁଷମା ଦେଖି ହେ ଘନ!କରୁଣା ଉପୁଜିବ, ଦ୍ରବିବ ମନ,ସ୍ଫୁରିବ ସୌଦାମିନୀ ନଭେ ଉଜ୍ଜ୍ୱଳେଚମକି ଚାରୁନେତ୍ରୀ ଚାହିଁବ ଭଲେ। ୧୬୮ ।କୃଶାଙ୍ଗୀ କୃଶୋଦରୀ କୁନ୍ଦଦଶନାଗୁରୁ ଜଘନଭାରେ ମନ୍ଦଗମନା,ଚକିତ-ମୃଗନେତ୍ରୀ, ଜବାଅଧରୀ,ଉଚ୍ଚ ଉରଜେ ନତ ଗାତ୍ରବଲ୍ଲରୀ। ୧୭୨ ।ତପ୍ତ-କନକ-କାନ୍ତି କାନ୍ତ ଶରୀରମୃଣାଳଗଞ୍ଜିଭୁଜ, ନାଭି ଗଭୀର,ଯୁବତୀକୁଳେ ଶ୍ରେଷ୍ଠ ସେହି ରଙ୍ଗିନୀକୁସୁମକୁଳେ ଶ୍ରେଷ୍ଠ ଯେହ୍ନେ ନଳିନୀ। ୧୭୬ ।ବିଳାସ-ପଦ୍ମାକର-ହଂସୀ ନବୀନାରସାଳସୀ, ସୁକେଳି-କଳାପ୍ରବୀଣା,ମଞ୍ଜୁବାହିନୀ ମଞ୍ଜୁକଞ୍ଜବଦନୀରୂପଖଣିରେ ନାହିଁ ତା ତୁଲେ ମଣି। ୧୮୦ ।ସେ ଅଟେ ନୀରଧର! ମୋହୋ ନାଗରୀପ୍ରେମପ୍ରତିମା ମୋର ପରାଣ ସରି,ଚକ୍ରବାକୀ ପରାଏ ମୋହୋ ବିଚ୍ଛେଦେମଉନେ ଥିବ ଝୁରି ହୃଦୟଖେଦେ। ୧୮୪ ।ନୀହାରପାତେ ପଦ୍ମ ପ୍ରାୟେ ପ୍ରେୟସୀନିରାଶେ ଝୁରୁଥିବ ନିଭୃତେ ବସି,ରବି ପ୍ରଖରକର ପ୍ରାୟେ କମଳେନ ଥିବ ପୂର୍ବ ଜ୍ୟୋତି ନେତ୍ର ଯୁଗଳେ। ୧୮୮ ।ନୀଳ-ନଳିନ-ନେତ୍ର ରୋଦନେ ସ୍ଫୀତଲୋତକେ ହୋଇଥିବ ନିଶ୍ଚେ ଲୋହିତ,ବିମ୍ବାଧରୀ ଅଧର ଉଷ୍ମ ନିଶ୍ୱାସେବିବର୍ଣ୍ଣ ହୋଇଥିବ ଘନ! ନିରାଶେ। ୧୯୨ ।କରେ ବଦନ ଥୋଇଥିବା ବସିଣଶ୍ଳଥ କୁନ୍ତଳ ପଡ଼ିଥିବ ଲମ୍ବିଣ,ତୋ ଗ୍ରାସେ ଶଶଧର ପରାଏ, ଘନ!ଦୀନ ଦିଶିବ କାନ୍ତା କାନ୍ତ-ବଦନ। ୧୯୬ ।ମିଳନ କାମନାରେ କାନ୍ତା ମୋହରମାଗୁଣ ଥିବ ଇଷ୍ଟଦେବଙ୍କୁ ବରଳ,ନବ ବିରହେ କୃଶ ମୋର ମୂରତିଯତନେ ନିକି ଚିତ୍ରୁଥିବ ଯୁବତୀ। ୨୦୦ ।ପିଞ୍ଜରେ ଅବା ସାରୀ ମୁହଁକୁ ଚାହିଁଭାଷୁଥିବ ତା ଶୋକେ ଶୋକ ମିଶାଇ,‘କାନ୍ତକୁ ସ୍ମରି କିଲୋ ହେଉ ବିକଳ?ତୋଠାରେ ସ୍ନେହ ତାର ଥିଲା ଅଟଳ’। ୨୦୪ ।ବାମନୟନା ମନ୍ଦ ମଳିନ ବାସଉଡ଼ାଉଥିବ ଉଷ୍ମ ଶୋକ-ଉଚ୍ଛ୍ୱାସ,ଗାଉଣଥିବ ବୀଣା ଉତ୍ସଙ୍ଗେ ଘେନି,ଚୁମ୍ବି ଅବନୀ ଲମ୍ବିଥିବ ତା ବେଣୀ। ୨୦୮ ।ତାରସ୍ୱରେ ମୋ ନାମ ସଙ୍ଗୀତ ଗାଇନୟନ ନୀରେ ବୀଣା-ତାର ତିନ୍ତାଇ,ପୋଛି ପଣନ୍ତେ ବୀଣା ଗାଆନ୍ତେ ପୁଣିମୂର୍ଚ୍ଛନା ପାସୋରିବ ବେଗେ ତରୁଣୀ। ୨୧୨ ।ବିରହ-ବହ୍ନି ଶୋଷୁଥିବ ଜୀବନଭୂତଳେ ଗୋଟି ଗୋଟି ଥୋଇ ସୁମନ,ଶେଷ ବିରହ ମାସ ଦୁଆରେ ବସିବିମନା ହୋଇ ଗଣୁଥିବ ପ୍ରେୟସୀ। ୨୧୬ ।କାନ୍ତ ସଙ୍ଗେ ସଙ୍ଗମ କଳ୍ପନାବଳେହୃଦୟେ ଲଭୁଥିବ ବସି ବିରଳେ;କାମିନୀଏ ଏରୂପେ ବିରହ କ୍ଳେଶବାହନ୍ତି, ବାରିଦ! ତୁ ଜାଣୁ ବିଶେଷ। ୨୨୦ ।ଦିବସେ ଗୃହକର୍ମେ ଥିବ ସେ ରତଦିବସେ ଶୋକ ତାର ଥିବ ଗୁପତ,ବାସର ଅନ୍ତେ ଅବସର ଲଭିଣବାରିଜମୂଖୀ ମନ କରିଣ କ୍ଷୀଣ। ୨୨୪ ।କାତରେ ଥିବ ଶୋଇ ଭୂମିଶୟନେବିରହ ଦିନୁ ନାହିଁ ନିଦ୍ରା ନୟନେ,ନିଶିରେ ବାତାୟନ ସନ୍ନିଧେ ରହିପ୍ରବୋଧିବୁ ବାଳାକୁ ବାରତା କହି। ୨୨୮ ।ବିରହଶଯ୍ୟାପରେ ଅନଙ୍ଗଶରଅଙ୍ଗନାକ୍ଷୀଣ ଅଙ୍ଗ କରେ ଜର୍ଜ୍ଜର;ବିକଳେ ପଡ଼ିଥିବ ଏକା ସେ ତହିଁଚରମା ଚନ୍ଦ୍ରକଳା କୃଶତା ବହି।୨୩୨।ଯେ ରଜନୀ ସଜନୀ ମୋହ ସଙ୍ଗତେବିଳାସେ ବଞ୍ଚୁଥିଲା ଇଚ୍ଛା ସୁରତେ,ଏକାଳେ ସେ ରଜନୀ ହୋଇବ କାଳବୁଡ଼ାଇବ ଲୋତକେ ନେତ୍ର ବିଶାଳ। ୨୩୬ ।କପୋଳଲମ୍ବୀ ନୀଳଚୂର୍ଣ୍ଣକୁନ୍ତଳ(କରୁଥିଲା ପୂର୍ବେ ଯା ସ୍ନେହେ ଉଜ୍ଜ୍ୱଳ)ରୁକ୍ଷ ସ୍ନାନରେ ହୋଇଥିବ କର୍କଶଉଷ୍ମ ନିଃଶ୍ୱାସେ ଉଡ଼ୁଥିବ ଅବଶ। ୨୪୦ ।ସେ ଶ୍ୱାସେ ବିମ୍ବାଧରୀବିମ୍ବ ଅଧରବିବର୍ଣ୍ଣ ଦେଖି ହେବ ହୃଦ କାତର,ସ୍ୱପନେ ସୀମନ୍ତିନୀ ମୋ ଆଲିଙ୍ଗନଲଭିବା ଆଶେ ଲୋଡ଼ୁଥିବ ବହନ। ୨୪୪ ।ନିଦ୍ରାକୁ ନିଦ୍ରାପଥ ନୟନ ନୀରରୋଧିଣ କରୁଥିବେ ମନ ଅସ୍ଥିର,ସୁଖ ସମୟେ ଯେହୁ ନ ଲୋଡ଼ି ମିଳେନ ମିଳଇ ଯତନେ ଦୁଃଖେ ଲୋଡ଼ିଲେ। ୨୪୮ ।ମେଲାଣି କାଳେ ଫୁଲମାଳ ଖସାଇବାନ୍ଧିଲି ଯେ ବେଣୀ ମୁଁ ଆବାସେ ଥାଇ,ଶାପଅନ୍ତେ ଯେ ବେଣୀ ବାନ୍ଧିବି ପୁଣିଅରଞ୍ଜିତ-ନଖର-କରେ ତରୁଣୀ। ୨୫୨ ।କ୍ଷଣେ-କ୍ଷଣେ କପୋଳୁଁ ଘୁଞ୍ଚାଉଥିବଛାର ଅଦୃଷ୍ଟେ ଏହା କଲା ଦଇବ!ନାହିଁ ସେ ପୂର୍ବ ଶୋଭା ପୂର୍ବ ଯତନକଳିନ୍ଦ-କନ୍ୟା-କାନ୍ତି ପୂର୍ବ ବରଣ। ୨୫୬ ।ଗବାକ୍ଷ ମାର୍ଗେ ସୌମ୍ୟ ସୁଧାଂଶୁ କରପଡ଼ି ଉଜଳୁଥିବ ସୌଧ ଅନ୍ତର,ପୂର୍ବ ପ୍ରୀତିରୁ ଭୀରୁ ଅନାଇ ଥରେଶଶିକୁ, ବୁଲାଇବ ନେତ୍ର ସତ୍ୱରେ। ୨୬୦ ।ପୀୟୂଷକର ତାହା ପକ୍ଷେ ଗରଳତେଣୁ ଝରିବ ନେତ୍ରୁ ଲୋତକ ଜଳ,ଆବରିବ ଅବଳା ପକ୍ଷ୍ମେ ବହନଦୁର୍ଦିନ ପଦ୍ମପ୍ରାୟେ ଆର୍ଦ୍ରନୟନ। ୨୬୪ ।ଭୂଷଣହୀନ ମୃଦୁ ଅଙ୍ଗ ଅଙ୍ଗନାଥୋଉଥିବ ଶୟନେ ଶୋକେ ଉନ୍ମନା,ତା ଦେଖି ନୀର-ଅଶ୍ରୁ ମୁଞ୍ଚିବୁ ଘନପରଦୁଃଖେ କାତର ମହତ ମନ। ୨୬୮ ।ସ୍ନେହମୟ ମୋ ପ୍ରତି ପ୍ରେୟସୀ ଚିତ୍ତତେଣୁ ଏ ଦଶା ତାର ହୁଏ ପ୍ରତୀତ,ଆପଣାଠାରେ ପକ୍ଷପାତରୁ ଏତେକହିଲି ଘନ! ପୁଣି ନ ଘେନ ଚେତେ। ୨୭୨ ।ଯା କହିଲି ଝଟକେ ନେତ୍ରଗୋଚରହେବ ଭବନେ ମୋର ହେ କାମଚର!ଅନୁମାନ ଚିତ୍ରଇ ଏବେ ଯେ ଛବିନୋହିବ ତହୁଁ ଆନ ପ୍ରାଣବାନ୍ଧବୀ। ୨୭୬ ।ସୁସନ୍ଦେଶ ବହି ତୁ ହେଲେ ପ୍ରବେଶଉପୁଜିବ ହରଷ ହୃଦେ ଅଶେଷ,ମୀନଚହଳେ ଚଳ କମଳ ପରିସ୍ଫୁରିବ ବାମନେତ୍ର ବେଗେ ସଞ୍ଚରି। ୨୮୦ ।କଜ୍ଜଳକେଶୀ ନେତ୍ରେ ନାହିଁ କଜ୍ଜ୍ୱଳଅପାଙ୍ଗେ ଲମ୍ବିଥିବ ଶ୍ଳଥ କୁନ୍ତଳ,ମଧୁ ତିଆଗୁଁ ଆଗ ଭୂରୁବିଳାସନ ଥିବ ସେ ପୂରୁବ ବକ୍ତ୍ର ବିକାଶ। ୨୮୪ ।ଅନଖକ୍ଷତ ବାମଊରୁ ବର୍ତ୍ତୁଳକନକରମ୍ଭାତରୁଗଞ୍ଜି ମଞ୍ଜୁଳ,ନ ଶୋହେ ଯହିଁ ଏବେ ମୁକୁତାହାରବିରହେ ହାରେ ଲୋଡ଼ା କାହିଁବାଳାର?। ୨୮୮ ।ସଂବାହନେ ଯାହାର ସୁରତ ପରେକୃତାର୍ଥ ହେଉଥିଲି ଶେଯ ଉପରେ,ତୋ ମିଳନେ ସେ ଊରୁ ସ୍ଫୁରିବ ଘନ!ଭାଳିବ ‘‘ଦୁଃଖ ପରା ହେଲା ଖଣ୍ଡନ’’। ୨୯୨ ।ସେକାଳେ ବାଳା ଯେବେ ଥିବ ନିଦ୍ରିତଅନାଇ ଅବସର ଥିବ ସ୍ତମ୍ଭିତ,ଦୁଃଖୀ ପକ୍ଷେ ନିରଦ! ନିଦ୍ରା ଶରଣନିଦ୍ରା ଦିଅଇ ସ୍ୱପ୍ନ, ସ୍ୱପ୍ନ ରମଣ। ୨୯୬ ।ସ୍ୱପ୍ନବଳେ ଅବଳା ମୋହୋ ଉତ୍ସଙ୍ଗେବିହରୁଥିବ ସୁଖ-ସୁରତ-ରଙ୍ଗେ,ନିଦ୍ରାଭଙ୍ଗେ ଅଙ୍ଗନା ହେବ ଆକୁଳତିନ୍ତାଇବ ଲୋତକେ ମଳି ଦୁକୂଳ। ୩୦୦ ।କାଳେ ଅବଳା ନେତ୍ର ମୁଦିବ ଡରିରଖିବୁ ଚପଳାକୁ କୋଳେ ଆବରି,ପେଷି ଶୀକର-ସ୍ନିଗ୍ଧ ମୃଦୁ ସମୀରନବମାଳତୀ ସଙ୍ଗେ ସୁସ୍ଥଶରୀର। ୩୦୪ ।କରି କାନ୍ତାକୁ, ସୌଧ-ଗବାକ୍ଷେ ବସିତୋଷିବୁ ତହୁଁ ବାକ୍ୟସୁଧା ବରଷି,ହେବ ହରଷ ମୋହ ସନ୍ଦେଶ ଲଭିକରେ ଶଶୀ ଲଭିଲା ପ୍ରାୟେ ବଲ୍ଲଭୀ। ୩୦୮ ।କହିବୁ କାମିନୀକୁ ଘନ! ଏସନ,‘‘ଜୀବନେ ଅଛି ବାଳା ତୋ ଜୀବ-ଧନ,ମୁଁ ଅଟେ ନୀରଧର ଚାର ତାହାରଆଣିଅଛି ତୋ ପ୍ରତି ସୁସମାଚାର। ୩୧୨ ।ସୀମନ୍ତିନୀ କୁନ୍ତଳ ବନ୍ଧନ ଆଶେପ୍ରବାସୁଁ କାନ୍ତ ଯେବେ ଆସଇ ବାସେ,ମାର୍ଗେ ନିନାଦ ମନ୍ଦ୍ର, ଶୁଣି ମୋହରଭବନ ଲଭିବାକୁ ହୁଏ ସତ୍ୱର’’। ୩୧୬ ।ଏ ବାଣୀ ଶୁଣି ବାଳା ଉତ୍କଣ୍ଠାଭରେବେଗେ ଚାହିଁବ ତୋତେ ଘନ! ଅମ୍ବରେ,ଅଶୋକ ଉପବନେ ଅଶୋକ ମୂଳେରାମରମଣୀ ଯେହ୍ନେ ଉତ୍କଣ୍ଠାକୁଳେ। ୩୨୦ ।ସମ୍ଭାଷିଲେ ହନୁକୁ ତରୁ ଉପରେତେସନେ ତୋତେ ସମ୍ଭାଷିବ ଆଦରେ,କାନ୍ତବାରତା କାନ୍ତମିତ୍ର ମୁଖରୁଊଣା ନୁହଇ କାନ୍ତସଙ୍ଗସୁଖରୁ। ୩୨୪ ।ପର ଦୁଃଖ ଫେଡ଼ିଲେ ମହତ ମନପରମ ପ୍ରିତୀରସେ ହୁଏ ମଗନ;ପ୍ରିୟା ହରଷେ ସୁଖ ହେବ ଅଶେଷକହି ଏ ସୁବାରତା ବାର ତା କ୍ଳେଶ। ୩୨୮ ।‘‘ରାମଗିରିରେ ଥାଇ ଶୋକେ ବିହ୍ୱଳତୋ ନାଥ ପଚାରଇ ତୋହ କୁଶଳ ।’’କ୍ଷଣଭଙ୍ଗୁର ଭବେ ପ୍ରାଣୀ-ପରାଣ,ତେଣୁ ଏ ପ୍ରଶ୍ନ ଆଦ୍ୟ ସମ୍ଭାଷ ଜାଣ। ୩୩୨ ।‘‘ତୋ ପ୍ରାୟେ କ୍ଷୀଣ ବାଳା । ତୋ ନାଥତନୁନିତ୍ୟ ବିନ୍ଧଇ ପୁଷ୍ପଶରେ ଅତନୁ ।’’ନୟନୁ ଅଶ୍ରୁନୀର ବହେ ନିୟତଉଷ୍ମ ନିଶ୍ୱାସେ ଦେହ ଦହେ ସନ୍ତତ।୩୩୬।ଉତ୍କଳିକା-ଆକୁଳ ନିତ୍ୟ ହୃଦୟରୋଧିଲା ମାର୍ଗ ବାମ ବିଧି ନିର୍ଦ୍ଦୟ,ସଂକଳ୍ପେ ଅଳ୍ପୋଦରି! ଦୂରେ ସେ ଥାଇଲଭେ ସଙ୍ଗ ତୋ ଅଙ୍ଗେ ଅଙ୍ଗେ ମିଶାଇ। ୩୪୦ ।ବଦନ-ଅରବିନ୍ଦ ପରଶ ଆଶେକୌତୁକେ କାନ୍ତ ତୋର ସଖୀ ସକାଶେ,ନିଗୂଢ଼ କଥା ବୋଲି ଡାକି ବିଜନେହସଇ ଆନ କଥା ଭାଷି ଶ୍ରବଣେ। ୩୪୪ ।ଏବେ ସେ କାନ୍ତ ତୋର ଘୋର ପ୍ରବାସେଦିନ ଗମଇ ଦହି ଖେଦ-ହୁତାଶେ;ଆକୁଳ ହୋଇ ମୋତେ ଦେଲା ମେଲାଣିପେଷିଲା ତୋ ସକାଶେ ଶୁଣ ଯେ ବାଣୀ‘‘ବିରହେ କ୍ଷିପ୍ତ ପ୍ରାୟେ ଭ୍ରମଇ ଗିରିଶ୍ୟାମା ଅଙ୍ଗେ ଦେଖଇ ତୋ ଅଙ୍ଗଶିରୀ,ଚକିତମୃଗୀନେତ୍ରେ ଚାରୁ ନୟନଚନ୍ଦ୍ରେ-ଚନ୍ଦ୍ରମାମୁହୀଁ ବରବଦନ। ୩୫୨ ।ନୀଳକଣ୍ଠପୁଚ୍ଛେ ତୋ ନୀଳକୁନ୍ତଳନୀଳତରଙ୍ଗେ ଭୂରୁଭଙ୍ଗୀ ଚଞ୍ଚଳ,ଏକତ୍ରେ ଦେଖିବାର ଏ ଶୋଭାମାନନାହିଁ, ନୋହିବ ଅନ୍ୟେ ତୋ ବିନୁ ପ୍ରାଣ। ୩୫୬ ।ମାନବତୀ ମୂରତି ତୋର ଏ ବନେଧାତୁରାଗେ ଶିଳାରେ ଚିତ୍ରି ଯତନେ,ପାଦେ ପଡ଼ିଲାବେଳେ ନୟନଜଳଦୃଷ୍ଟି ରୋଧି କରଇ ମନ ବିହ୍ୱଳ।୩୬୦।କ୍ରୂର ଦଇବ ବାଳା କଲା ଏସନନ ସହିଲା ଚିତ୍ରେ ତୋ ସଙ୍ଗେ ମିଳନ ।ଏଥୁଁ ବଳି କଷଣ କାହିଁ ମହୀରେ?ନାହିଁ କରୁଣା ଲେଶ ବିହି ଶରୀରେ। ୩୬୪ ।ତୋ ବିରହେ ଏ ଦେହ ନିତ୍ୟ ଜର୍ଜରପୁଣି ବିନ୍ଧଇ ମୁହୁ ଅନଙ୍ଗ ଶର,ଜଳଦ କାଳ ଆସି ହେଲା ପ୍ରବେଶନୀଳଘନ ଘୋଟିଲା ଅମ୍ଭର ଦେଶ। ୩୬୮ ।ଗଗନେ ସୌଦାମିନୀ ଘନ ଝଟକେଦମ୍ଭୋଳି ଭୀମନାଦେ ମନ ଚମକେ,କିରୂପେ ଗମିବି ମୁଁ ଏ ଘୋରକାଳ!ଭାବ ଭାବିନି! କଷ୍ଟ କେଡ଼େ କରାଳ।୩୭୨।ସ୍ୱପନେ ବାଳା ତୋତେ ଲଭି ସକାଶେପ୍ରସାରି ବେନି ବାହୁ ଆଶ୍ଳେଷ ଆଶେ,ଶୂନ୍ୟକୁ ଭିଡ଼ଇ ମୁଁ, ତା ଦେଖି ଧନ!ବର୍ଷଇ ଅଶ୍ରୁ ବନଦେବୀ ନୟନ। ୩୭୬ ।ଅଶ୍ରୁ ବିନ୍ଦୁ ମୁକୁତାପନ୍ତି ସୁନ୍ଦରପ୍ରାତେ ପାଦପ ପର୍ଣ୍ଣେ ଝରେ ବିସ୍ତର,ମୋ ଦୁଃଖେ ବିଳପନ୍ତି ଗିରି କାତରେଅଶ୍ରୁ ଛଳେ ଦେହରୁ ନିର୍ଝର ଝରେ। ୩୮୦ ।ହିମଗିରିରୁ ବହେ ଶୀତ ସମୀରଦେବଦାରୁ ପାଦପ ସୁରଭି କ୍ଷୀର-ସୌରଭ ହରି, ତରୁପତ୍ରେ ମର୍ମରି,ଦକ୍ଷିଣେ ହିମପକ୍ଷେ (୧) ବେଗେ ପ୍ରସରି। ୩୮୪ ।ବହଇ ବାଳା! ସେ ତୋ ଦେହ ସୌରଭଯେ ସୌରଭ ମନ୍ଦାରେ ନୋହେ ସୁଲଭ,ସେ ସୌରଭ ଆଶେ ମୁଁ ସେ ଗନ୍ଧବହେସେବଇ ସୀମନ୍ତିନି! ସଦା ଆଗ୍ରହେ। ୩୮୮ ।ତୋ ବିରହ ସନ୍ତାପେ ସଦା ତପତକିରୂପେ କ୍ଷଣପ୍ରାୟେ କ୍ଷଣଦା ଗତହୋଇବ, ମନ୍ଦ ହେବ ମିହିର କର,କରଇ ଏ କାମନା ନିତ୍ୟ ମନର। ୩୯୨ ।ଶାପ ମୋଚନେ ପୂର୍ବ ସୁଖ ପ୍ରାପତିନିଶ୍ଚେ ହୋଇବ, ଏହି ଆଶେ ଯୁବତି!ସମ୍ଭାଳିଛି ହୃଦୟ; ତେଣୁ କାତରନ ହୁଅ, ଭବିଷ୍ୟତେ କର ନିର୍ଭର। ୩୯୬ ।ସୁଖ ଦୁଃଖ ଜଗତେ ନୁହଇ ଚିରଚକ୍ରଗତି ପରାଏ ଚିର ଅସ୍ଥିର,ସୁଖ ଅନ୍ତେ ଆସିଲା ଏ ଦୁଃଖ ଦିନପୁଣି ଲଭିବା କାଳେ ସୁଖ ନବୀନ। ୪୦୦।ଭୁଜଗ-ଶେଯୁଁ ଯେବେ ଉଠିବେ ହରି, (୨)ଲଭିବ ବାସେ ତୋତେ ପୁଣିସୁନ୍ଦରୀ!ଗମ ଏ ଚାରିମାସ ମୁଦି ଲୋଚନ,ଏ ଅନ୍ତେ ନିଶ୍ଚେ ମୋର ଶାପମୋଚନ। ୪୦୪ ।ବିରହେ ବାଞ୍ଛା ଯେବେ ଉପୁଜେ ମନେଶରତ-ପୂର୍ଣ୍ଣ-କଳାକାର-କିରଣେ,ସାଧ୍ୱି! ତୋ ସଙ୍ଗେ ସବୁ ସାଧିବି ବାସେନିହିବି ହୃଦ-ଶଶୀ ହୃଦ ଆକାଶେ। ୪୦୮ ।ଫୁଟିବେ ତାରାବଳୀ ନୀଳଗଗନେଫୁଟିବ ଫୁଲ-କଳି ଫୁଲ କାନନେ,କୌମୁଦୀ ହସୁଥିବ କୁମୁଦ ସଙ୍ଗେପ୍ରମୋଦେ ଭାସୁଥିବ ସରସୀ ଅଙ୍ଗେ। ୪୧୨ ।ସୌଧେ, ଭୂଧରେ, ସରେ, ସ୍ୱର୍ଣ୍ଣଦୀ-ନୀରେବିରାଜିବ ରଜତ ଜ୍ୟୋତ୍ସ୍ନା ରୁଚିରେ;ନିର୍ଭର ବିକସିତ ରଙ୍ଗବଧୂଲୀ-ବନୁ ପରାଗ ପଡ଼ୁଥିବ ଉଛୁଳି। ୪୧୬ ।ଦିଗବିଦିଗ ଦିଶୁଥିବ ଲଳିତକରୁଣେ ଗାଉଥିବେ ଟିଟ୍ଟିଭେ ଗୀତ,ଦୂରେ ମାନସନୀରେ ଶଶିନର୍ତ୍ତନସୌଧ ଶିଖରୁ ଦିଶୁଥିବ ଯତନ। ୪୨୦ ।ଶଶିଙ୍କୁ ଚାହିଁ ଧୀରବାତେ ଅଥୟଶିଶିର ପିଉଥିବେ ମୁକୁଳଚୟ;ଲଳିତା! ତୋ ସଙ୍ଗତେ ରଙ୍ଗେ ଭ୍ରମିବିଲଳିତ ତୋ ସଙ୍ଗୀତେ ଚିତ୍ତ ରମିବି। ୪୨୪ ।ପଡ଼ଇ କିରେ ମନେ ପରାଣମିତ!ଭିଡ଼ି ଭୁଜ ମୋ କଣ୍ଠେ ଥିଲୁ ନିଦ୍ରିତ,ଜାଗି କାନ୍ଦିଲୁ ଦିନେ କାତର ସ୍ୱରେପଚାରନ୍ତେ କହିଲୁ ହସି ଉତ୍ତରେ। ୪୨୮ ।ଦେଖିଲି ଅପରୂପ, ଶଠ! ସ୍ୱପନେଆନ ରଙ୍ଗିନୀ ତୁମ୍ଭ ସଙ୍ଗେ ଶୟନେ,ସ୍ମିତ-ଲଳିତ ଚାରୁ-ଚନ୍ଦ୍ରବଦନସ୍ମରଣ ଚନ୍ଦ୍ରାନନି! ମନ ବହନ। ୪୩୨ ।(୧) ହିମପକ୍ଷେ – ହିମରୂପ ଡେଣାରେ ।(୨) ହରିଶୟନ ପରେ ଶରତ୍ କାଳ ।ଏ ଅଭିଜ୍ଞାନ ଲଭି ଏ ଚାରିମାସଗମିବୁ, ନ ହୋଇବୁ ଖେଦେ ହତାଶ ।ଅଳୀକ ପ୍ରବାଦକୁ ନ ଯିବୁ ପ୍ରତେ,ଜୀବନେ ଅଛି ଧନ! ଜାଣିବୁ ସତେ। ୪୩୬ ।ଦୀର୍ଘ ବିରହ ଅଟେ ସ୍ନେହନାଶକଭୋଗ ଅଭାବେ ସେହୁ ସ୍ନେହପୋଷକ,ଭୋଗ ଅଭାବେ ପ୍ରିୟା ପ୍ରେମସରିତପ୍ଳାବନେ ପ୍ରିୟା ପାଶେ ହୁଏ ଧାବିତ। ୪୪୦ ।ମଉନେ ଅଛ ଘନ! ନାହିଁ ମୋ ଭୟ,ଫଳିବ ମୋ ଅଭୀଷ୍ଟ ନାହିଁ ସଂଶୟ;ଚାତକ ଜଳ ମାଗେ, ପ୍ରତିଉତ୍ତରନ ଦେଇ ନୀର ତାକୁ ଦିଅ ସତ୍ୱର। ୪୪୪ ।ମହତ ଜନର ଏ ରୀତି ଅଟଳ,ଅଭୀଷ୍ଟ-ଦାନ ପ୍ରତିବାଣୀ କେବଳ,ବଚନେ ଲୋଡ଼ା ନାହିଁ ମୋର ଜଳଦ!ମଉନେ ଇଷ୍ଟଲାଭ ପରମପଦ। ୪୪୮ ।ବିରହିଣୀ କାନ୍ତାକୁ ଦେଇ ଆଶ୍ୱାସ,ଶଙ୍କର-ବୃଷ-ଖୁର-କ୍ଷତ କୈଳାସଛାଡ଼ି, ନେଉଟି ଏଥି ପ୍ରିୟା ସନ୍ଦେଶେଅଭିଜ୍ଞାନେ ତୋଷିବ ମୋତେ ବିଦେଶେ। ୪୫୨ ।ପ୍ରାତେ ଶିଥିଳ ଯେହ୍ନେ କୁନ୍ଦ ସୁମନଶିଥିଳ ତହୁଁ ଘନ! ମୋହ ଜୀବନ;ଜୀବଧାରଣ ହେବ ବାରତା ଲାଭେବାରତା ଲଭିବି ମୁଁ ତୋହୋ ପ୍ରଭାବେ। ୪୫୬ ।ଦୀନ ଅଟଇ ମୁଁ ତୁମ୍ଭେ ମହତ,ଏଣୁ ଏ ମାଗୁଣି ନୋହେ ସଙ୍ଗତ ।ମାତ୍ର ଅଟ ଘନ! ଦୟା-ଆକରଦୟା ନ ଜାଣଇ ଶ୍ରେଷ୍ଠ ଇତର। ୪୬୦ ।ତେଣୁ କହିଲି ଏସନ ହେ,ଦାରୁ ଦୂବଙ୍କର ସମ ହିତକରଅଟ, ତେଣୁ ଏ ଯାଚନ ହେ ।କାତର ଜନର ହୋଇ ବାନ୍ଧବଜଗତେ ପ୍ରକଟି ନିଜ ଗୌରବ। ୪୬୪ ।ଅଳକା ପ୍ରବେଶି ପ୍ରୟା ସଦନେଦେଇ ମୋ ବାରତା ହରଷ ମନେ,ଘନ! ଯାଅ ଇଷ୍ଟ ଦେଶ ହେ,ତଡ଼ିତ ସଙ୍ଗତେ ବିହର ନିରତେମୋ ପ୍ରାୟେ ନୋହୁ ବିଶ୍ଳେଷ ହେ। ୪୬୮ ।