କୌରବ ଓ ପାଣ୍ଡବ ମିଶି ଶହେ ପାଞ୍ଚ ଭାଇ
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୩
- ସ୍ଥିତି
- ସାର୍ବଜନୀନ (Public domain)
ଭୀଷ୍ମ ତ କୁଳକୁ ମୁରବି । ସେ ଏ ପିଲା ତିନୋଟିଙ୍କି ବାପ ପରି ଆଦରରେ ପାଳିଲେ, ଗୁରୁ ରଖି ପାଠ ପଢ଼ାଇଲେ; ତା’ପରେ ବଡ଼ ହେବାରୁ ବିଭା ଚୂଡ଼ା କରାଇ ଦେଲେ । ବଡ଼ ଭାଇ ଧୃତରାଷ୍ଟ୍ରତ ଜନ୍ମରୁ ଅନ୍ଧ ! ଅନ୍ଧ ଜଣେ ଆଉ ରାଜ୍ୟ ବୁଝା ସୁଝା କରି ପାରନ୍ତା କି ? ଭୀଷ୍ମ ସାନ ଭାଇ ପାଣ୍ଡୁଙ୍କୁ ଗାଦିରେ ବସାଇ ରଜା କରାଇଲେ ।
ଧୃତରାଷ୍ଟ୍ର ଗାନ୍ଧାର ଦେଶ ରଜାଙ୍କ ଝିଅଙ୍କୁ ବିଭା ହେଲେ । ତାଙ୍କ ଭାର୍ଯ୍ୟାଙ୍କ ନାଁ ଗାନ୍ଧାରୀ-। ଶ୍ରୀକୃଷ୍ଣଙ୍କ ପିଉସୀ-ନାନୀ କୁନ୍ତୀ, ଆଉ ମଦ୍ରଦେଶ ରଜାଙ୍କ ଝିଅ ମାଦ୍ରୀଙ୍କି ପାଣ୍ଡୁ ବିଭା ହେଲେ ।
ଗାନ୍ଧାରୀଙ୍କର ଶହେ ପୁଅ, ଗୋଟିଏ ଝିଅ ହେଲେ । ବଡ଼ ପୁଅ ନାଁ ଦୁର୍ଯ୍ୟାଧନ, ତାଙ୍କ ତଳକୁ ଦୁଃଶାସନ । ଦୁଃଶାସନ ତଳକୁ ଆଉରି ଅଠାନବେ ଭାଇ ଥିଲେ । କୁନ୍ତୀଙ୍କ ଠାରୁ ଯୁଧିଷ୍ଠିର, ଭୀମ, ଅର୍ଜୁନ ଆଉ ମାଦ୍ରୀଙ୍କ ଠାରୁ ନକୁଳ, ସହଦେବ–ଏପରି ପାଞ୍ଚ ପୁଅ ଜନ୍ମ ହୋଇଥିଲେ । କୁରୁବଂଶ ନାଁ ଅନୁସାରେ ଧୃତରାଷ୍ଟ୍ରଙ୍କ ପୁଅମାନଙ୍କ ନାଁ କୌରବ ହେଲା । ପାଣ୍ଡୁଙ୍କ ନାଁରୁ ତାଙ୍କ ପୁଅମାନେ ପାଣ୍ଡବ ବୋଲାଇଲେ ।
ପାଣ୍ଡବମାନଙ୍କର ମା’ ସିନା କୁନ୍ତୀ ଆଉ ମାଦ୍ରୀ ଅଟନ୍ତି, ମାତ୍ର ସେମାନଙ୍କ ବାପ ଜଣେ ଜଣେ ଦେବତା । ଧର୍ମଦେବତାଙ୍କ ଠାରୁ ଯୁଧିଷ୍ଠିର, ପବନ ଦେବତାଙ୍କ ଠାରୁ ଭୀମ, ଇନ୍ଦ୍ରଙ୍କ ଠାରୁ ଅର୍ଜୁନ ଓ ଅଶ୍ୱିନୀକୁମାରଙ୍କ ଠାରୁ ନକୁଳ ଓ ସହଦେବ ଜନ୍ମ ହୋଇଥିଲେ । ଏଇ ପାଞ୍ଚ ଭାଇଯାକ ଦେବତାଙ୍କ ଅନୁଗ୍ରହରୁ ଗୋଟିଏ ଗୋଟିଏ ବିଷୟରେ ବଡ଼ ଥିଲେ ।
ପଞ୍ଚପାଣ୍ଡବ ଜନ୍ମ ହେଲା ଉତ୍ତାରୁ ପାଣ୍ଡୁ ମରିଗଲେ । ତାଙ୍କ ସାନ ରାଣୀ ମାଦ୍ରୀ ମଧ୍ୟ ନିଆଁରେ ପଶି ମଲେ । ଭୀଷ୍ମ ପାଣ୍ଡୁଙ୍କ ପିଲାମାନଙ୍କୁ ଆଣି ପାଳିଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର