ଭାଇ ଭଗାରି ହେଲେ
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୮୨
- ସ୍ଥିତି
- ସାର୍ବଜନୀନ (Public domain)
କୁରୁପାଣ୍ଡବ ଶହେ ପାଞ୍ଚ ଭାଇଙ୍କ ଭିତରେ ଯୁଧିଷ୍ଠିର ବଡ଼ । ତାଙ୍କର ଭଲ ଗୁଣ ଦେଖି ଲୋକେ ତାଙ୍କୁ ଭଲ ପାଉଥାନ୍ତି, ‘ସାବାସ୍’ କହୁଥାନ୍ତି । ହେଲେ, ଦୁର୍ଯ୍ୟୋଧନ ତ ବଡ଼ ଭାଇଙ୍କ ପୁଅ, ସେ ଏ ସବୁ ଦେଖି ସହି ପାରନ୍ତି ନାହିଁ । ତାଙ୍କ ମନ ‘ମତେ କାହିଁକି କିଏ ଭଲ କହୁ ନାହାନ୍ତି ?’ ଯେ ଭଲ, ସେ ଭଲ, ଦୁଷ୍ଟ ଖଣ୍ଟକୁ ଲୋକେ କିଆଁ ଭଲ ବୋଲିବେ ? ଦୁର୍ଯ୍ୟୋଧନ ପରର ସୁଖ ଦେଖିପାରନ୍ତି ନାହିଁ । ପାଣ୍ଡବମାନଙ୍କୁ ଲୋକେ ଭଲ କହିବାରୁ ସେ ସବୁବେଳେ ତାଙ୍କୁ ହିଂସା କରୁଥାନ୍ତି ।
ଦୁର୍ଯ୍ୟୋଧନ ହେରିକା ପାଣ୍ଡବମାନଙ୍କୁ ଭଲ ନ ପାଇବାର ଆଉ ଗୋଟିଏ କଥା ଥିଲା । ଭାଇମାନଙ୍କ ଭିତରେ ଭୀମ ସବୁଠୁ ବଳୁଆ । ଖେଳରେ ତାଙ୍କୁ କିଏ ହେଲେ ପାରନ୍ତି ନାହିଁ । ତାଙ୍କପରି ହେଞ୍ଜେଡ଼ା ପିଲା ଭାଇଙ୍କ ଭିତରେ ଆଉ କିଏ ନଥାନ୍ତି । ଖେଳିଲାବେଳେ ସେ ଦୁର୍ଯ୍ୟୋଧନଙ୍କ ଭାଇମାନଙ୍କୁ ନିର୍ଧୁମ୍ ମାରନ୍ତି । ପୁଞ୍ଜା ପୁଞ୍ଜା କରି ଘୋଷାରି ନେଇଯାନ୍ତି; ସେମାନେ ‘ଭେଁ’ ‘ଭେଁ’ କାନ୍ଦୁଥା’ନ୍ତି । ଗାଧୋଇଲାବେଳେ ପଞ୍ଝାଙ୍କ ଚୁଟି ଏକାଠି ଧରି ପାଣିରେ ବୁଡ଼ି ପଡ଼ନ୍ତି । ସେମାନେ ଆକତିଆ ହେଲାପରେ ଛାଡ଼ନ୍ତି । ପଞ୍ଝାଙ୍କୁ କୋଳି ଗଛରେ ଚଢ଼ାଇ ଗଛଟାକୁ ଏପରି ଭିଡ଼ରେ ଝାଙ୍କି ଦିଅନ୍ତି ଯେ, କୋଳି ସଙ୍ଗେ ସମସ୍ତେ ତଳେ କୁଢ଼େଇ ହୋଇ ପଡ଼ନ୍ତି । ସେମାନେ ପଡ଼ି କାନ୍ଦୁଥାନ୍ତି, ଏ ସୁଖରେ ସବୁ କୋଳି ଗୋଟେଇ ଖାନ୍ତି । ଏଇଥି ପାଇଁ ଭୀମକୁ ମାରିଦେବାକୁ ଦୁର୍ଯ୍ୟୋଧନ ସବୁବେଳେ ବାଟ ଖୋଜୁଥାନ୍ତି ।
ଥରେ ସେ ସବୁ ଭାଇଯାକୁ ଡାକି ଗଙ୍ଗାକୁ ଖେଳିବାକୁ ନେଲେ । ସେଠି ସଭିଏଁ ଖେଳିବା ଆଗରୁ ଖିଆପିଆ କଲେ । ଦୁର୍ଯ୍ୟୋଧନ ଆଗରୁ ବିଚାରି ଭୀମଙ୍କୁ ଦେବେ ବୋଲି ଗୋଟିଏ ବିଷ ଲଡ଼ୁ ନେଇ ଥାନ୍ତି । ସମସ୍ତେ ଯେତେବେଳେ ଖୁସିରେ ଖାଉଥିଲେ ଦୁର୍ଯ୍ୟୋଧନ ଆଦରରେ ସେ ଲଡ଼ୁଟିକି ଭୀମଙ୍କୁ ଖୋଇ ଦେଲେ । ଭୀମ ତ ଭାରି ପେଟୁ, ଏତେ ଛନ୍ଦ କପଟ ଜଣନ୍ତି ନାହିଁ, ଟାକୁକିନି ଗିଳିଦେଲେ ।
ଗିଳିଦେଲେ ସିନା, ସାଙ୍ଗେ ସାଙ୍ଗେ ଦେହରେ ବିଷ ଜରିଗଲା । ଦୁର୍ଯ୍ୟୋଧନ ତାଙ୍କ ଉପରେ ଖାଲି ନଜର ରଖିଥାନ୍ତି । ଯେତେବେଳେ ସେ ବିଷ ଜ୍ୱାଳାରେ ଅଚେତା ହୋଇ ପଡ଼ିଗଲେ, ଦୁର୍ଯ୍ୟୋଧନ ଧାଇଁ ଯାଇ ତାଙ୍କ ହାତ ଗୋଡ଼ ବାନ୍ଧି ନଈ ଗଣ୍ଡକୁ ଗଡ଼େଇ ଦେଲେ । ମନେ ମନେ ଭାବିଲେ, ‘‘ଯାଆରେ ପୁଅ ଯାଆ, ଆଉ କଳି କରିବୁ ଯେ !’’
ଏଣେ ଖେଳ ସରିଲାରୁ ସମସ୍ତେ ଶୁଖିଲା ଲୁଗାପଟା ପିନ୍ଧି ଘରକୁ ଆସିଲେ । ଯୁଧିଷ୍ଠିର ହେରିକା ଭୀମକୁ ନ ଦେଖି କାନ୍ଦ କାନ୍ଦ ହୋଇ ଆସି ମାଆଙ୍କ ପାଖେ କହିଲେ । ପୁଅ ମଲା କି ହଜିଲା ବିଚାରି କୁନ୍ତୀ ଭୋ ଭୋ କାନ୍ଦିଲେ । କଥା ଶୁଣି ବିଦୁର ଆସି ପହଞ୍ଚିଲେ । ସେ ଭାରି ଭଲ ଲୋକ । କାହା ଅହିତରେ ନ ଥାନ୍ତି । ଆସି କୁନ୍ତୀଙ୍କି ତୁନି କରାଇ କହିଲେ, ‘‘ଋଷି ମତେ କହିଚନ୍ତି, ତୁମ ପୁଅମାନଙ୍କର କିଏ କିଛି ହେଲେ କରିପାରିବେ ନାହିଁ । ତୁମେ କାନ୍ଦୁଚ କାହିଁକି ?’’ ତାଙ୍କ କଥା ଶୁଣି କୁନ୍ତୀ ତୁନି ହେଲେ ।
ତେଣେ ଭୀମ ପାଣିରେ ପଡ଼ି ପାତାଳରେ ଯାଇ ପଡ଼ିଲେ । ପାତାଳରେ ତ ନାଗ ରଜା; ମନୁଷ୍ୟ ପିଲାଟିକୁ ଦେଖି ସାପମାନେ ଆସି କାମୁଡ଼ିଲେ । ସାପ କାମୁଡ଼ିଲେ ମନୁଷ୍ୟ ମରିଯିବା କଥା । ମାତ୍ର ଅରକ୍ଷିତକୁ ଦଇବ ସାହା । ଭୀମ ଯେଉଁ ବିଷ ଖାଇଥିଲେ ସାପବିଷ ବାଜିବାରୁ ସେହି ବିଷ କୁଆଡ଼େ ଉଡ଼ିଗଲା । ଭୀମ ଆଖି ଫିଟାଇ ଦେଖନ୍ତି ତ ସେ ଆସି ପାତାଳରେ ପହଞ୍ଚିଛନ୍ତି । ସାପମାନେ ତାଙ୍କୁ କାମୁଡ଼ିବାରୁ ସେ ରାଗରେ ସେମାନଙ୍କୁ ଗୋଡ଼ାଇ କରି ମାରିଲେ । ସେମାନେ ଭୟରେ ପଳାଇଯାଇ ସାପରଜା-ବାସୁକୀ ଆଗେ ଜଣା କଲେ, ‘‘ଗୋଟିଏ ମନୁଷ୍ୟ ପିଲା ଆସି ଆମକୁ ମାରୁଚି ।’’ ବାସୁକୀ ରାଗରେ ଆସିଲେ ।
ଦୈବକୁ କ’ଣ ହୋଇଚି ନା, ଲେଖାରେ ଭୀମ ବାସୁକୀଙ୍କ ପଣନାତି । ସେ ଆଉ ରାଗ କରିବେ କ’ଣ? ଦେଖିଲା କ୍ଷଣି ଆଦରରେ ଭୀମକୁ କୋଡ଼କୁ ନେଇଗଲେ । ଆଉ ସାପମାନେ ଭାରି ଖୁସି ହେଲେ । ପାତାଳରେ ଅମୃତ ଥାଏ । ନାତିର ବଳ ବଢ଼ିବ ବୋଲି ବାସୁକୀ ଭୀମଙ୍କୁ କହିଲେ, ‘‘ପିଅ ବାବୁ, ଯେତେ ପିଉବୁ ପିଇ ତୋହର ବଳ ହେବ ।’’
ଭୀମ ତ ବିଷ ଜ୍ୱାଳାରେ ଶୋଷେଇ ଥିଲେ; ଲଗାଇଲେ ମୁହଁ ଯେ କୁଣ୍ଡ କୁଣ୍ଡ କରି ଆଠ କୁଣ୍ଡ ଅମୃତ ପିଇଦେଲେ । ସେଠୁ ଯାଇ ଅଜାଙ୍କ ଉଆାସରେ ନିଘୋଡ଼ ନିଦରେ ଶୋଇଲେ । ଆଠଦିନ ଉତ୍ତାରୁ ତାଙ୍କ ନିଦ ଭାଜିଲା । ଉଠି ଆଉଥରେ ଅଜା ଘରେ ପିଠାପଣା ଗ୍ରାସେ ଖାଇଲେ-। ନାଗମାନେ ତାଙ୍କୁ ବାଟ ଦେଖାଇ ଗଙ୍ଗାକୂଳରେ ଆସି ଛାଡ଼ି ଦେଇ ଗଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର