କବିର କୌଶଳ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୧
- ସ୍ଥିତି
- ସାର୍ବଜନୀନ (Public domain)
ଏହିପରି ଦୃଶ୍ୟମାନଜଗତ୍ ଗୋଟିଏ ମହାଚିତ୍ର ଏବଂ ଅନନ୍ତ ଜ୍ଞାନମୟ ପରମେଶ୍ୱର ସେହି ମହାଚିତ୍ରର ଅଲୌକିକ ଚିତ୍ରକର । ଏହି ମନୋହାରିଣୀ ବୈଚିତ୍ର୍ୟମୟୀ ସୃଷ୍ଟି ଗୋଟିଏ ମହାକାବ୍ୟ ଏବଂ ଅନାଦି ଭୂମା ମହାନ୍ ପରମେଶ୍ୱର ତାହାର ଆଦି ମହାକବି । ଏହି ମହାଚିତ୍ରରେ– ଏହି ଅତୁଲ୍ୟ କାବ୍ୟରେ କେମନ୍ତ କଳ୍ପନାବିନୋଦନ ବୈଚିତ୍ର୍ୟ, କେମନ୍ତ ଦିଗନ୍ତପ୍ରସାରୀ ମହିମାଛଟା, କେମନ୍ତ ଅମୃତମୟ ଅନିର୍ବଚନୀୟ ଶୋଭା ପରିସ୍ଫୁଟିତ ହୋଇଅଛି । ଆକାଶ, ସାଗର, କାନନ, ପର୍ବତ, ଗ୍ରହ, ନକ୍ଷତ୍ର, ପ୍ରାଣିମଣ୍ଡଳ, ନରନାରୀସମାଜ ସମୁଦାୟ ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ଚିତ୍ତବିମୋହନ ପ୍ରେମାଲୋକଦ୍ୱାରା ବିଭୂଷିତ ଅଟେ । କି ଅଚିନ୍ତ୍ୟ କୌଶଳରେ ଆଲୋକ ଏବଂ ଛାୟାର ଯଥାଯୋଗ୍ୟ ବିନାସ ସହକାରେ ସେହି ଆଦିଚିତ୍ରକର ଏବଂ ଆଦିକବି ଏହି ଜଗତ୍ ଚିତ୍ରକୁ ରଞ୍ଜିତ କରିଅଛନ୍ତି । ଛାୟା ସଙ୍ଗରେ ଆଲୋକର ମିଳନ ଆହା କି ନୟନବିନୋଦନ ମନୋହର ଏବଂ କୌଶଳପୂର୍ଣ୍ଣ କାର୍ଯ୍ୟ ! ସଂସାରରେ ଏପରି କିଏ ଅଛି ଯେ ଜଗତ୍ଚିତ୍ରରେ ଏହି ଅଲୌକିକ କୌଶଳ ଅବଲୋକନ କରି ଅଳ୍ପାଧିକ ପରିମାଣରେ ମୋହିତ ହୋଇନାହିଁ ? ଆଲୋକପୂର୍ଣ୍ଣ ଦିବସ ଅନ୍ଧକାରମୟୀ ଶର୍ବରୀର ଉଷାକାଳୀନ ଏବଂ ଗୋଧୂଳିକାଳୀନ ସମାଗମ, ଛାୟାବୟ ମେଘପଟଳରେ ଜ୍ୟୋତିର୍ମୟୀ ଚପଳାର ହାସ୍ୟ, ସ୍ନିଗ୍ଧ ନିର୍ମଳ ଜ୍ୟୋତ୍ସ୍ନା ସହିତ କାନନଚ୍ଛାୟାର ସମ୍ମିଶ୍ରଣ ଏହି ଦୃଶ୍ୟମାନ କେଉଁ ହୃଦୟବନ୍ତ ଲୋକର ମନକୁ ମୁଗ୍ଧ କରେନାହିଁ ? ଜୀବଜଗତରେ ମଧ୍ୟ ଏହି ଛାୟା ଲୋକସମାଗମର ମାଧୁରୀ ପରିଲକ୍ଷିତ ହୁଏ । ଜିବନର ସୁଖ-ଦୁଖ, ଆନନ୍ଦ-ବିଷାଦ, ପ୍ରେମ-ବିରହ, ସାତ୍ତ୍ୱିକ ଓ ତାମସିକ ଭାବ, ବିଷୟ ମୋହ ଏବଂ ବୈରାଗ୍ୟ, ଆଶା ଏବଂ ନୈରାଶ୍ୟ ପ୍ରଭୃତିର ସମ୍ମିଳନରେ ମାନବସଂସାର କିପରି ବିଚିତ୍ର ଏବଂ କମନୀୟ ଛବି ଆରଣ କରିଅଛି ! ବାସ୍ତବରେ ସୃଷ୍ଟିକର୍ତ୍ତା ଆଦିକବି ଏବଂ ପୂର୍ଣ୍ଣକବି, ଆଦି ଚିତ୍ରକର ଏବଂ ପୂର୍ଣ୍ଣ ଚିତ୍ରକର । ବିଧାତା ମନୁଷ୍ୟ ହୃଦୟରେ ଶୋଭାନୁଭାବିକା କଳ୍ପନାବୃତ୍ତି ନିହିତ କରି ତାହାକୁ କବି ଏବଂ ଚିତ୍ରକର ହେବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତ । ଯେଉଁ ମନୁଷ୍ୟ ଯେଉଁ ପରିମାଣରେ ସୃଷ୍ଟିନିହିତ ଶୋଭାର ନିଗୂଢ ତତ୍ତ୍ୱ ଏବଂ କୌଶଳ ଆୟତ୍ତ କରିଅଛି, ସେ ସେହି ପରିମାଣରେ କବି ଏବଂ ଚିତ୍ରକର ଅଟେ ।
ବାଲ୍ମୀକି, ହୋମର, ବ୍ୟାସ, ଭର୍ଜିଲ, କାଳିଦାସ, ଶେଷପିୟର, ଭବଭୂତି, ମିଲ୍ଟନ ପ୍ରଭୃତି ଜଗତ୍ପୂଜ୍ୟ କବିମାନଙ୍କର ଗ୍ରନ୍ଥ ପାଠକରି ଆମ୍ଭେମାନେ କାହିଁକି ଏତେ ନିର୍ମଳ ଆନନ୍ଦ ସମ୍ଭୋଗ କରୁଁ । ସେହି କବିମାନେ ଆଦକବି ସୃଷ୍ଟିକର୍ତ୍ତାଙ୍କର ପ୍ରକୃତ ଅନୁକାରୀ । ସେମାନଙ୍କ କାବ୍ୟରେ ନିସର୍ଗାନୁସରଣ, ଛାୟାଲୋକର କୌଶଳପୂର୍ଣ୍ଣ ସନ୍ନିବେଶ, କମନୀୟ ବୈଚିତ୍ର୍ୟର ସମାବେଶ ଆମ୍ଭମାନଙ୍କ ହୃଦୟକୁ ମୋହିତ କରେ । ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଏବଂ ବନବାସ, ସୀତାଙ୍କର ଉଦ୍ଧାର ଏବଂ ନିର୍ବାସନ, ଶକୁନ୍ତଳାଙ୍କର ବିବାହ ଏବଂ ପରିତ୍ୟାଗ, ଓଥେଲୋଙ୍କ ସଙ୍ଗେ ଡେଶ୍ଡିମୋନଙ୍କର ପ୍ରଣୟାନନ୍ଦ ଏବଂ ଶଠ ଇୟାଗୋ ପ୍ରଣୋଦିତ ଓଥେଲୋଙ୍କ ଅବିଶ୍ୱାସ ଏହିସବୁ ଜୀବନଚିତ୍ର ଅତି ବିଚିତ୍ର କୌଶଳ ସହକାରେ ଚିତ୍ରିତ, ସୁତରାଂ ସେମାନଙ୍କର ମାଧୁରୀ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଏବଂ ମନୋହାରୀ । ଧନ୍ୟ ସେହି କବି – ଯେ ଏହିପ୍ରକାର ନିପୁଣଚିତ୍ର ଅଙ୍କିତ କରି ନରନାରୀର ହୃଦୟକୁ ଉଦାର ସୌନ୍ଦର୍ଯ୍ୟରସରେ ଅଭିଷିକ୍ତ କରନ୍ତି । ଧନ୍ୟ ତାଙ୍କର ଜୀବନ, ଧନ୍ୟ ତାଙ୍କର ଅମୃତମୟୀ ଲେଖନୀ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ