ଯୁଗଳ ମଠ
ଚିନ୍ତାମଣି ମହାନ୍ତି · ଭାଗ ୫ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ପରିଚ୍ଛେଦ
ଭୁବନୀ ମହାନ୍ତି
ଭୁବନୀ ମହାନ୍ତି ଜଣେ ପୁରୁଣା କାଳିଆ ମୋକ୍ତାର । ମାଲ ମୋକଦ୍ଦମାର ପୋକସ୍ୱରୂପ-। ଦେହରେ ରୋମ ଯେତେ, ସେ ଜୀବନରେ ତେତେ ମୋକଦ୍ଦମା କରିଅଛନ୍ତି । ତାଙ୍କର ଉଦର ଜାଲ, ଜୁଆଚୋରି, ଫିସାଦର ଗୋଟିଏ ଅସରନ୍ତି ଭଣ୍ଡାର । ଏମନ୍ତ କି ସେ ବିନା ସୂତାରେ ଗଣ୍ଠି ପକାଇ ପାରନ୍ତି । ମୋକ୍ତାରିସୁଲଭ ଜଟିଳ କୁଟିଳ ବୁଦ୍ଧିରେ ମଧ୍ୟ ସେ ପ୍ରଥମ ପୁରସ୍କାର ପାଇବାର ଯୋଗ୍ୟ । ବାର୍ଦ୍ଧକ୍ୟର ପ୍ରବଳ ଆକ୍ରମଣ ହେତୁ ଏଣିକି ସହର ଛାଡ଼ି ସ୍ୱଗ୍ରାମରେ ବାସ କରୁଅଛନ୍ତି । ତାଙ୍କର ବିଷୟ ବୃତ୍ତି ଯଥେଷ୍ଟ । ଘରେ ରହି ସେଥିର ରକ୍ଷଣାବେକ୍ଷଣ କରନ୍ତି । ଜାଣିତ ଲୋକ ବୋଲି ଅନେକେ ତାଙ୍କଠାରୁ ମାଲିମୋକଦ୍ଦମାର ପରାମର୍ଶ ନେବା ସକାଶେ ଆସନ୍ତି-। କେହି କେହି ଅଧିକ ପାରିଶ୍ରମିକ ଦେଲେ କ୍ଷମତାପତ୍ର ନେଇ କାମ ଚଳାଇ ଦିଅନ୍ତି । ଭୁବନୀ ବାବୁ ବିଲ ବାହୁଡ଼ାଣି ଦାଣ୍ଡିପିଣ୍ଡାରେ ବସି ମୂଲିଆମାନଙ୍କୁ ବେଳ ଓଳିର କାମ ବରାତ କରୁଅଛନ୍ତି, ଏହି ସମୟରେ ପଞ୍ଚାୟତଙ୍କ ପ୍ରେରିତ ଲୋକ ଉପସ୍ଥିତ ହୋଇ ତାଳପତ୍ର ମୋଡ଼ା ଚିଟଉ ଖଣ୍ଡିଏ ହାତକୁ ବଢ଼ାଇ ଦେଲା । ମୋକ୍ତାର ତାହା ପାଠକରି ମନେ ମନେ ବଡ଼ ଆନନ୍ଦିତ ହେଲେ; ମାତ୍ର ସେ ନୀରବ ଆନନ୍ଦ କେବଳ ମନରେ ନ ରହି ବାହାରକୁ ମଧ୍ୟ ବାହାରି ପଡ଼ିଲା । ବଦନ କ୍ରମେ ସ୍ମିତହାସ୍ୟ ମଣ୍ଡିତ ହେଲା, ନୟନରୁ ଉତ୍ସାହର ଭାବ ବିକଶି ଉଠିଲା । ସେ ପତ୍ର ପଢ଼ି ଆନନ୍ଦିତ ହେଲେ ବୋଲି ସମସ୍ତେ ଜାଣିପାରିଲେ; ମାତ୍ର ସେହି ଆକସ୍ମିକ ଅଜ୍ଞାତ ଆନନ୍ଦର କାରଣ କେହି ବୁଝି ପାରିଲେ ନାହିଁ । ତିନି ଦିନ ହେଲା ଉପରି ରୋଜଗାର କଡ଼ାଏ ନାହିଁ । ଦୈବାତ୍ ଆଜି ଭଙ୍ଗା ପୋହଳରେ ଶେଉଳ ପଶିଛି, ଆଉ କି ସେ ଛାଡ଼ନ୍ତି । ଉଚ୍ଚରେ ଡାକଟାଏ ମାରି କହିଲେ, ରେ ଅନନ୍ତା, ମଝିଘର ଗାଙ୍ଗ ଉପରୁ ଗୋଟାଏ ତାଳପତ୍ର ଆଉ ଲେଖନଟା ଚଞ୍ଚଳ ଆଣିବୁଟି । ପ୍ରାୟ ଲହମାକ ପରେ ଗୋଟିଏ ୮ ।୧୦ ବର୍ଷର ବାଳକ ଆସି ଲେଖନ ପତ୍ର ଦେଇଗଲା । ତହୁଁ ଭୁବନୀ ତାଳପତ୍ର ଅଗରୁ ଟିକିଏ କାଟିନେଇ ସେଥିରେ କଅଣ ଚାରି ଅକ୍ଷର ଲେଖିଦେଇ ପତ୍ରବାହକ ହସ୍ତରେ ଦେଲେ ଏବଂ କହିଲେ, କହି ଦେବୁ, ମୁଁ ତୋ ପଛେ ପଛେ ପୁଞ୍ଜାଏ ଖାଇ ଦେଇ ଯାଉଛି ।’’ ଏହା କହି ଶୀଘ୍ର ଉଠି ଯାଇ ତୈଳର ଅପେକ୍ଷା ନ କରି ବାଡ଼ି ଗଡ଼ିଆରେ ଡୁବେ ମାରି ଆସିଲେ । ଉଦ୍ବେଗରେ ଆଉ ଖାଇବେ କଅଣ, ଚାରିଗୁଣ୍ଡ । ଆଖିରେ କାନରେ ଗୁଞ୍ଜଦେଇ ପିନ୍ଧା ଚୌମୀ (ଚୌମୁହୀ ଶବ୍ଦଜ) ପିନ୍ଧି ଛତା ଖଣ୍ଡେ କାଖରେ ଯାକି ଘରୁ ବାହାରି ପଡ଼ିଲେ । ଏଣେ ପଞ୍ଚାୟତମାନଙ୍କର ବ୍ୟାକୁଳ ଉତ୍କଣ୍ଠା କହିଲେ ନ ସରେ । ଆତୁର ରୋଗୀ ବୈଦ୍ୟକୁ ଚାହିଁଲା ପ୍ରାୟ ସେମାନେ ମୋକ୍ତାରଙ୍କୁ ଚାହିଁ ବସିଅଛନ୍ତି । ଭାରତୀଭୂଷଣେ ଥରେ ଥରେ ତାହାଙ୍କର ଆଗମନ ପଥ ଚାହିଁ ଆସୁଅଛନ୍ତି । ମୋକ୍ତାରଙ୍କୁ କଅଣ ଦିଆଯିବ ବୋଲି କାହାରି କାହାରି ତର୍କ ଲାଗିଅଛି । ଜଣେ କହିଲା, ଏ ଦେବତାଙ୍କର କଥା, ଆମ୍ଭେମାନେ କଅଣ ଦେଇପାରିବା, ମଠ ଇଲାକାରୁ ଗୋଟାଏ ବଡ଼ ଗଛ ଦେଇ ବାପୁଡ଼ାକୁ କୌଣସି ମତେ ସନ୍ତୁଷ୍ଟ କରିଦେବା । ଅପର କହିଲା, ଦୁଗ୍ଧ ପିପାସୁ କି ଜଳରେ ତୃପ୍ତହେବ ? ଏହିପରି କଥା କଟାକଟି ହୋଇ ଶେଷରେ ପାଞ୍ଚ ଟଙ୍କା ଭେଟି ଦେବାର ସାର ମୀମାଂସା ହେଲା ।
ଠିକ୍ ଦୁଇ ପ୍ରହର ସମୟରେ ଭୁବନୀ ମୋକ୍ତାର ଆସି ଉପସ୍ଥିତ ହେଲେ । ପଞ୍ଚାୟତମାନଙ୍କ ପିଣ୍ଡରେ ପ୍ରାଣ ପଶିଲା । କେଡ଼େ ଗୋଟାଏ ସଙ୍କଟର ଭାର ସେମାନଙ୍କର ମସ୍ତକରୁ ଓହ୍ଲାଇଗଲା ପରି ବୋଧହେଲା । ବାସ୍ତବରେ ଏ ବିପଦ ଶନିସପ୍ତାରୁ ଉଦ୍ଧାର କରିବାକୁ ଗ୍ରହବିପ୍ର ଭୁବନୀ ବ୍ୟତୀତ ଆଉ କିଏ ଅଛି ? ଗୁରୁଙ୍କୁ ଶିଷ୍ୟବର୍ଗ ଅଥବା ବନସ୍ପତି ରାଜଜେମା କୁସୁମସୁନ୍ଦରୀକୁ ଅଳିପାଳି ଘେରିଲା ପ୍ରାୟ ସେମାନେ ଭୁବନୀ ବାବୁଙ୍କ ଚାରିପାଖରେ ବେଢ଼ି ବସିଲେ । ଭୁବନୀ ସମସ୍ତ ବୃତ୍ତାନ୍ତ ଶୁଣି ଥରେ ଥରେ ମୁରକିହସାଦେଇ କହିଲେ, ‘‘ଏହି କଥା ନା, ଆଉ କିଛି ? ଗୋଟାଏ ଫୁଟୁକିରେ ଏହିପରି ପଣେ ମାମଲା ଉଡ଼ିଯିବ । ମାତ୍ର ଚଷାଟୋକାକୁ ଯଦି ପାଞ୍ଚ ବର୍ଷ କଇଦୀ ନ ଖଟାଏଁ, ତେବେ ମୋ ନାମ ଧରିବ ନାହିଁ । ଏକା ମୋର ଗୋଟିଏ କଥା ଜାଣିଥିବ, ମୁଁ ଯାହା କହିବି ତାହା କରିବି । ବଚନ ଦେଇ କର୍ମ ନ ତୁଲାଇ ପଛଘୁଞ୍ଚା ଦେବା ମୋ ଜାତକରେ ନାହିଁ, କି ବିଧାତା ମୋତେ ସେ ମାଟିରେ ଗଢ଼ି ନାହିଁ । ଏହା କହି ନିଜର ଅସାଧାରଣ କୃତିତ୍ୱର ପ୍ରୌଢ଼ ବାଢ଼ି ବସିଲେ । ସେ ତଲାଟରେ ତାଙ୍କ ପରି ପରିପକ୍ୱ ଜ୍ଞାନୀ ମାମଲାଖୋର କେହି ନାହାନ୍ତି, ମୋକଦ୍ଦମାରେ ତାଙ୍କର ଜୀବନବ୍ୟାପୀ ଜୟ ବ୍ୟତୀତ ପରାଜୟ ଆଦୌ ନାହିଁ, ନିଜର ଅସୃଷ୍ଟ-ସୁଲଭ ପ୍ରତିଭାବଳରେ ସେ କେତେ ଓକିଲ ବାରିଷ୍ଟରଙ୍କୁ ପାଠ ପଢ଼ାଇ ଦେଇଅଛନ୍ତି, ଖାଲି ମସୁଧା ନେବା ସକାଶେ ପ୍ରତ୍ୟହ ଶତ ଶତ ଲୋକ ତାଙ୍କର ଦ୍ୱାରସ୍ଥ ହୁଅନ୍ତି, ଏହିପରି ଆତ୍ମସ୍ତବ ବ୍ୟାଖ୍ୟାନଦ୍ୱାରା ସଙ୍କେତରେ ପଞ୍ଚାୟତମାନଙ୍କୁ ନିଜର ମୂଲ୍ୟ ଜଣାଇ ଦେଉଥିଲେ । ଏହି ସମୟରେ ମାମଲାର ଅଧିବାସ ଦର୍ଶନୀସ୍ୱରୂପ ଆଗରେ ପଞ୍ଚ ମୁଦ୍ରା ରକ୍ଷିତ ହୁଅନ୍ତେ ସେ ମୁହଁଟାକୁ ଅନଭ୍ୟାସୀ କାଞ୍ଜି ଖାଇଲା ପରି କରିଉଠିଲେ । ସିନ୍ଧୁଶୋଷୀ ଅଗସ୍ତ୍ୟ କି ଗଣ୍ଡୁଷେ ଜଳରେ ତୃପ୍ତ ହେବ ? ଯେ ପୂଜାରୀ ସଙ୍ଗେ ଖଟୁଲି ଗିଳି ଦେଉପାରନ୍ତି, ସେ ଠାକୁରଙ୍କୁ କି ଏହି ଭୋଗ ? ମୁଖମଣ୍ଡଳରେ ଅସନ୍ତୋଷର ଛାୟାପାତ ଦେଖି ମକଦମେ କହିଲେ, ‘‘ରଖିବା ହେଉନ୍ତୁ, ମୋକଦ୍ଦମା ଜୟ ହେଲେ ଆଉ ପନ୍ଦର ଟଙ୍କା ପାଇବେ ।’’ ଏ ବାଣୀ ମହାନ୍ତିଙ୍କ ହତାଶାତୁର କର୍ଣ୍ଣରେ ଅମୃତ ବର୍ଷଣ କଲା । ସେ କହି ଉଠିଲେ, ମୋକଦ୍ଦମାକୁ ମୁଁ ଏହି ଲୁଗାକାନିରେ ବାନ୍ଧି ନେଇଯାଉଛି, ଏହାକୁ ତେଣେ ମହାନଦୀରେ ଭସାଇ ଦେଇ ଆସିବି । ତୁମ୍ଭମାନଙ୍କ ଦେହକୁ ଆଞ୍ଚ ଲାଗିବ ନାହିଁ । ଏଣିକି ମୋକଦ୍ଦମା ଜାଣେ, ମୁଁ ଜାଣେ । ମାତ୍ର ଅନେକ ଲୋକଙ୍କୁ ତୋଷାମଦ, ଅନେକ ଲୋକଙ୍କୁ ବଶୀଭୂତ ଏବଂ ଅନେକ ପରିଶ୍ରମ କରିବାକୁ ପଡ଼ିବ । ଏହାର ନାମ ମା-ମଲା ପରା ? ମା ମଲେ ଯେପରି ବ୍ୟତିବ୍ୟସ୍ତରେ ପଡ଼ିବାକୁ ହୁଏ, ଏଥିରେ ଠିକ୍ ସେହିପରି । କେବଳ ମୁଁ ବୋଲି ସେ ସବୁ ଭାର ମୁଣ୍ଡକୁ ନେଉଛି, ନଚେତ୍ ଆଉ କିଏ ପାରିବ ? ଏହି କଥାଗୁଡ଼ିକ ଅଖଣ୍ଡ ଆତ୍ମପ୍ରାଧାନ୍ୟର ଉତ୍କଟ ଦୃଷ୍ଟାନ୍ତ ହେଲେହେଁ ମୌକିଲଙ୍କ ମନରେ କୌଣସି ଭାବାନ୍ତର ବା ଅବାନ୍ତର ଆନୟନ କରି ପାରି ନ ଥିଲା । ଅନ୍ଧକୁ ହାତୀ ଘୋଡ଼ା ପରି କହିଲେ ସୁଦ୍ଧା ସତ୍ୟ ମଣେ । ଅନନ୍ତର ମୋକ୍ତାରେ ପୋଲିଶରେ କିପରି ଭାବରେ ଏତଲା ଦିଆଯିବ, ସେଥିର ମସୁଧା ବାନ୍ଧିବାକୁ ଲାଗିଲେ । କିଛିକ୍ଷଣ ନୀରବ ରହି, ଥରେ ଦୁଇଥର ହାଇମାରି, ଫୁଟୁକି ଫୁଟାଇ କହିଲେ, ‘‘ଏ ଚୋରିରେ ନିଶ୍ଚୟ ନୂଆମହନ୍ତଙ୍କ ସଲା ଅଛି; ମାତ୍ର ତାଙ୍କୁ ଏଥିରେ ମିଶାଇବାକୁ ହେବ ନାହିଁ । ପୁଣି ପୂର୍ବ ପୂର୍ବ ଚୋରିର କଥା ମଧ୍ୟ ପ୍ରକାଶ କରାଯିବ ନାହିଁ । ଯାହା ଯଥାସମୟରେ ଏତଲା ଦିଆଯାଇ ନାହିଁ, ତାହା ଏବେ ପ୍ରକାଶ କଲେ ଦଣ୍ଡନୀୟ ହେବାକୁ ହେବ । ବର୍ତ୍ତମାନ ଏହିପରି ଜମାନବନ୍ଦି କରିବାକୁ ହେବ ଯେ, ଭିକା ଚଷା ଗତ ରାତିରେ ମନ୍ଦିରରେ ପଶି ରଘୁନାଥଙ୍କ ସୁବର୍ଣ୍ଣ ପଇତା ଚୋରି କରି ନେଇଥିଲା । ଆଜି ତାହା ବଣିଆଶାଳରେ ଆଉଟାଇବା ସମୟରେ ଚୌକିଦାର ତାହାକୁ ମାଲ ସହିତ ଗିରପ୍ତାର କରିଅଛି । ଚାଲ, ମୁଁ ସବୁ କରିବି, ତୁମ୍ଭେମାନେ ମୋ ସଙ୍ଗରେ ଥିଲେ ହେଲା । ଏହା କହି ମହାନ୍ତିଏ ଆସାମୀ, ଚୌକିଦାର ଓ ପଞ୍ଚୟାତମାନଙ୍କୁ ଘେନି ଥାନା ଅଭିମୁଖରେ ଗମନ କଲେ । ସେମାନେ ଚାଲିଗଲା ପରେ ଉପସ୍ଥିତ ଜନସଙ୍ଘ ମଧ୍ୟରେ ବହୁବେଳ ଯାଏଁ ଉପସ୍ଥିତ ଘଟଣାର ସମାଲୋଚନା ଲାଗିଲା । ସୂର୍ଯ୍ୟାସ୍ତ ପରେ ଆକାଶଦୁହିତାଗୋଧୂଳିର ସୁବର୍ଣ୍ଣ ଛଟା ଅନେକ କ୍ଷଣ ଯାଏଁ ସାନ୍ଧ୍ୟାକାଶ ଆଲୋକିତ କରେ । ଯଥେଷ୍ଟ ସମାଲୋଚନା ହେଲା; ମାତ୍ର ତାହା ଶୁଷ୍କ ଏବଂ ନୀରସ । ପାଠକପାଠିକାମାନଙ୍କର ଧୈର୍ଯ୍ୟଚ୍ୟୁତି ଆଶଙ୍କାରେ ତାହା ଉପେକ୍ଷିତ ହେଲା ।