ଜାତୀୟ ସାହିତ୍ୟ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧମାଳା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୨
- ସ୍ଥିତି
- ସାର୍ବଜନୀନ (Public domain)
ସାହିତ୍ୟ ଅବସ୍ଥା ଜାତିବିଶେଷର ସଭ୍ୟତାର ପରିମାପ ଅଟେ । ଯେଉଁ ଜାତି ଯେ ପରିମାଣରେ ଉନ୍ନତ, ସେହି ଜାତିର ସାହିତ୍ୟ ସେହି ପରିମାଣରେ ମାର୍ଜିତ ଏବଂ ଶ୍ରୀସମ୍ପନ୍ନ । କୌଣସି ଦେଶର ସାହିତ୍ୟ ସଙ୍ଗରେ ସେହି ଦେଶର ସର୍ବବିଧ ଉନ୍ନତିର କିପରି ଘନିଷ୍ଠ ସମ୍ବନ୍ଧ, ତାହା ଇତିହାସରେ ସତ୍ୟ ପ୍ରତି ଦୃଷ୍ଟିପାତ କଲେ ସହଜରେ ଉପଲବ୍ଧ ହେବ । ପ୍ରାଚୀନ ଆର୍ଯ୍ୟଜାତି, ପ୍ରାଚୀନ ଗ୍ରୀକ୍ ଓ ରୋମକ ଜାତି, ଆଧୁନିକ ଇଂଲଣ୍ଡୀୟ, ଫରାସିସ୍ ଏବଂ ଜର୍ମାନ୍ ଜାତିମାନଙ୍କର ସାହିତ୍ୟ ଉଲ୍ଲିଖିତ ମତର ଅନୁକୂଳ ପ୍ରମାଣସ୍ୱରୂପ । ଯେଉଁ ଜାତିମାନେ ଅର୍ଦ୍ଧସଭ୍ୟ, ସେମାନଙ୍କର ସାହିତ୍ୟ ଅତ୍ୟନ୍ତ ଅପରିପକ୍ୱ ଏବଂ ନିକୃଷ୍ଟ ; ପୁଣି ଯେଉଁ ଜାତିମାନେ ଘୋର ଅସଭ୍ୟ ଅବସ୍ଥାରେ ଅଛନ୍ତି, ସେମାନେ ସଂପୂର୍ଣ୍ଣରୂପେ ସାହିତ୍ୟବିବର୍ଜିତ ।
ପୃଥିବୀର ଆଦିସଭ୍ୟ ଭାରତବର୍ଷସ୍ଥ ଆର୍ଯ୍ୟଜାତିର ଗୈାରବ-ରବି ବହୁକାଳ ହେଲା ଅସ୍ତମିତ ହୋଇଅଛି;ସେମାନଙ୍କର କୀର୍ତ୍ତି, ଗୈାରବ, ଶୈାର୍ଯ୍ୟ, ବୀର୍ଯ୍ୟ ସମସ୍ତେ କାଳର ଦାରୁଣ ଶାସନରେ ବିଲୁପ୍ତ ହୋଇଅଛି;କିନ୍ତୁ ସେମାନଙ୍କର ସାହିତ୍ୟ କୋଷରରେ ଯେଉଁ ସବୁ ଅମୂଲ୍ୟ ରତ୍ନ ସଞ୍ଚିତ ଥିଲା, ତାହାର ସୁବିମଳ ଜ୍ୟୋତି ଦୀନହୀନ ଭାରତୀୟମାନଙ୍କର ନୈରାଶ୍ୟ-ଜର୍ଜରିତ ଏବଂ ନିବିଡ଼ ଅନ୍ଧକାରମୟ ହୃଦୟରେ ସୁଦ୍ଧା ମୃତସଂଜୀବନୀ ଆଶାର ପ୍ରଭାବକୁ ଜାଗ୍ରତ ଓ ସନ୍ଦୀପ୍ତ କରୁଅଛି । କେବଳ ତାହା ନୁହେଁ, ଆର୍ଯ୍ୟମାନଙ୍କର ଭାଷା ନିଜ ପୁରାଣ ମହିମାରେ ଅବସ୍ଥାନ କରି ଶତ ଶତ ନୂତନ ଭାଷାର ଉତ୍ପାଦନଦ୍ୱାରା ଏବଂ ବହୁ ଭିନ୍ନ ଦେଶୀୟ ଭାଷା ସହିତ ନିଜ ସଂପର୍କ ପ୍ରକାଶଦ୍ୱାରା ଭାରତଭୂମିର ଅଶେଷ କଲ୍ୟାଣ ସାଧନ କରୁଅଛି ଏବଂ ସ୍ମୃତିର ଅତୀତ ପୂରାକାଳର ଇତିବୃତ୍ତ ବିଷୟକ ପ୍ରକୃତ ତତ୍ତ୍ୱର ସଂକଳନ ପକ୍ଷରେ ପ୍ରଭୂତ ସହାୟତା କରୁଅଛି । ଗ୍ରୀସ୍ ଓ ରୋମ୍ ରାଜ୍ୟର ପୁରାତନ ଐଶ୍ୱର୍ଯ୍ୟ, ପୁରାତନ ବୀର୍ଯ୍ୟ ଏବଂ କୀର୍ତ୍ତି ସର୍ବ ବିଲୋପୀ କାଳସ୍ରୋତଦ୍ୱାରା ଧୈାତ ହୋଇଯାଇଅଛି ; କିନ୍ତୁ ଗ୍ରୀକ୍ ଓ ଲାଟିନ୍ ଭାଷାର ରତ୍ନଚୟ ସଂଗ୍ରହ କରି ଆଧୁନିକ ଇଉରୋପ ଏତେଦୂର ଉନ୍ନତ ଏବଂ ମାର୍ଜିତ ହୋଇଅଛି । ଅର୍ଜ୍ଜୁନ, ସିକନ୍ଦର ଏବଂ ସିଜର୍ ପ୍ରଭୃତି ଭୁବନବିଜୟୀ ବୀରମାନଙ୍କର କୀର୍ତ୍ତିସମୂହ ଭସ୍ମାବଶେଷ ହୋଇଅଛି ; କିନ୍ତୁ କବିଗୁରୁ ବାଲ୍ମୀକି, ବ୍ୟାସ, ହୋମର୍ ଓ ବର୍ଜିଲ୍ ; ଦାର୍ଶନିକୁଳତିଳକ ପ୍ଳେଟୋ ଏବଂ ବାଗ୍ମୀଶ୍ରେଷ୍ଠ ଡ଼ିମସ୍ଥିନିସ୍ ଏବଂ ସିସିରୋ ଏବଂ ବୁଦ୍ଧ, ଈଶ, ମହମ୍ମଦ ପ୍ରଭୃତି ମହାପୁରୁଷମାନଙ୍କର ବାକ୍ୟାବଳୀ ସମସ୍ତ ପୃଥିବୀ ପରିଭ୍ରମଣ କରୁଅଛି ଏବଂ ମନୁଷ୍ୟ ହୃଦୟକୁ ଉଦାର ଏବଂ ମଧୁର ଭାବରେ ପରିପୂର୍ଣ୍ଣ କରୁଅଛି । ଆଧୁନିକ ଇଂରାଜୀ, ଜର୍ମାନୀ ଓ ପଂରାସିସ୍ ଜାତିମାନଙ୍କର ଯେ ଏତେ ଶ୍ରୀବୃଦ୍ଧି ଲକ୍ଷିତ ହେଉଅଛି, ଅଭିଜ୍ଞ ବ୍ୟକ୍ତିମାନଙ୍କ ମତରେ ଇଂରାଜୀ, ଜର୍ମାନ୍ ଓ ଫରାସି ସାହିତ୍ୟର ଉନ୍ନତି ତାହାର ଗୋଟିଏ ପ୍ରଧାନ କାରଣ ଅଟେ-। ଜାତିଗତ ଉନ୍ନତି ଯେଉଁ ପରିମାଣରେ ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରେ, ସାହିତ୍ୟର ଉନ୍ନତି ସେହି ପରିମାଣରେ ଜାତୀୟ ଶ୍ରୀବୃଦ୍ଧି ସାଧନ କରେ ।
ସାହିତ୍ୟରୂପ ଦର୍ପଣରେ ଜାତିବିଶେଷର ଉନ୍ନତି ଏବଂ ମହାଭାବ ମନୁଷ୍ୟମାନଙ୍କର ଉଦାର ମନ ପ୍ରତିବିମ୍ବିତ ହୁଏ । ପ୍ରାଚୀନକାଳର ଜଣେ ବିଜ୍ଞ ପଣ୍ଡିତ କହିଅଛନ୍ତି ଯେ ସଂସାରର ସାରପଦାର୍ଥ ମନୁଷ୍ୟ ଏବଂ ମନୁଷ୍ୟର ଦାରପଦାର୍ଥ ମନ । ଯେଉଁ ସାହିତ୍ୟ ଏହି ସାରଭୂତ ମନର ଉଚ୍ଚଚିନ୍ତାମାନଙ୍କର ବିମଳ ଜ୍ୟୋତିକୁ ଅମ୍ଳାନଭାବରେ ସଂରକ୍ଷଣ କରିଅଛି, ତାହା କିପରି ଉପାଦେୟ ଏହା ବୁଦ୍ଧିମାନ୍ ବ୍ୟକ୍ତିମାତ୍ରକେ ଅନୁଭବ କରିପାରିବେ । ଦେଶମଧ୍ୟରେ ଉନ୍ନତ ଏବଂ ପ୍ରତିଭାନ୍ୱିତ ବ୍ୟକ୍ତିମାନେ ଜନ୍ମଗ୍ରହଣ କଲେ, ଦେଶୀୟ ଭାଷା, କାବ୍ୟ, ଉପନ୍ୟାସ, ଦର୍ଶନ, ବିଜ୍ଞାନ, ଇତିହାସ, ଲୋକଚରିତ, ଧର୍ମଶାସ୍ତ୍ର ଏବଂ ବ୍ୟବସ୍ଥାଶାସ୍ତ୍ର ପ୍ରଭୃତି ନାନା ସାହିତ୍ୟ ରତ୍ନଦ୍ୱାରା ଅଳଂକୃତ ହୁଏ ଏବଂ ଭାଷା ଏହି ପ୍ରକାରେ ପରିପୁଷ୍ଟ ଏବଂ ଶ୍ରୀସମ୍ପନ୍ନ ହୋଇ ଉନ୍ନତ ଓ ଉଦାର ଭାବନିଚୟକୁ ଜନସମାଜରେ ପ୍ରଚାର କରିବାକୁ ପ୍ରବୃତ୍ତ ହେଲେ, ଦେଶର ଲୋକବର୍ଗ ସହଜରେ ଜ୍ଞାନ ଏବଂ ସଭ୍ୟତାରେ ଉନ୍ନତ ହୁଅନ୍ତି । ଅତଏବ ଜାତୀୟ ସାହିତ୍ୟ ଏବଂ ଜାତୀୟ ଉନ୍ନତି ଏହି ଉଭୟର ପରସ୍ପର ସମ୍ୱନ୍ଧ ନିତ୍ୟ ଏବଂ ଅପରିବର୍ତ୍ତନୀୟ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ