ଯାଆ ଲୋ ଭଗିନୀ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୪
- ସ୍ଥିତି
- ସାର୍ବଜନୀନ (Public domain)
ନିତି ନିତି ସେହିକଥା ପଚାରୁଛୁ ପୁଣି,କି କହିବି, ଭଗିନି ଲୋ, ନ ପାରଇ ଜାଣି ?ଅବିରଳ ଧାରେ ନେତୃ ଢାଳୁଅଛି ବାରି;ମଉନେ ରହୁଛୁ ବସି ହୃଦୟେ କି ଭାଳି ।ଯତନେ ବସାଇ କୋଳେ ପାଳନ୍ତି ନିରତେ,ସେନେହ ଆଦର ସଦା କରନ୍ତି ଯେ କେତେ,ଚାଲି ସେ ଜନନୀ ଆଜି ଯାଇଛନ୍ତି କାହିଁ;ସେ ସୁଖ ସେନେହ ଏବେ ତିଳେ ଆଉ ନାହିଁ ।ବୟସେ ବାଳୁତ ତୁ ଯେ ପାରିବୁ କି ବୁଝି,କେବଣ ରାଇଜେ ଗଲେ ଏସବୁ ବରଜି ?ଏତେ ସୁଖ ସମ୍ପଦ ଯେ ଏ ଦୀନ କୁଟୀରେ,କେମନ୍ତେ ମୁରୁଛି ଦେଇ ଚାଲିଗଲେ ଧୀରେ ?ଚାରିଦିନ ଆଗୁ ଭବ ଲୀଳାଖେଳା ସାରି,କେଉଁ ଦୂରଦେଶେ ନନା ଯାଇଥିଲେ ଚାଲି ।ତୋର ମୋର ନାଆଁ ଧରି ଅଧେ ବାଟୁ ରାଇ,ସଞ୍ଜବେଳେ ଘରେ ଆଉ ଫେରିବେଟି ନାହିଁ ।କିଏ ଆଣି କୋରା ଫେଣା ଶାକର କଦଳୀ,ଆଉ ଦିନେ ଆଦରେ ଲୋ ହାତେ ଦେବ ଭରି ?ନନା ବୋଲି କାହା ପାଶେ ଛିଡ଼ାହେବା ଯାଇ,କାହା କଥା ପଦିକକୁ ରହିଥିବା ଚାହିଁ ?ସବୁ ଆହା ନିମିଷକେ ହୃଦୟୁ ବିସୋରି,କେଉଁଦୂରେ କାହିଁ ଆଜି ଯାଇଛନ୍ତି ଚାଲି ?ଦିନେ ଦୁଇଦିନ ମନା ନ ଆସିଲେ ଯହୁଁ,ବିଚାରିଲି ବାହୁଡ଼ି ସେ ନ ଆସିବେ ଆଉ ।ବୋଉ କୋଳେ ଯାଇ ତହୁଁ ବସି ନିରଜନେ,ଦିନ ଦୁଇ କଟାଇଲୁ ଏ କୁଟୀର କୋଣେ ।ସେହୁ ପୁଣି ପଛେ ପଛେ ତେଜି ଏ ସକଳ,କେଉଁ ଦେଶେ ଚାଲି ଆହା ଗଲା ତର ତର ।ଯେବଣ ରାଇଜେ ବେନି ଯାଇଛନ୍ତି ଚାଲି,ସେଥୁ ଏ ମରତେ କେହି ଆସଇ କି ଫେରି ?ବସି କିପା ଦିନରାତି ଭାଳୁଛୁ ଲୋ ତୁହି,ଢାଳୁଛୁ ନୟନୁ ବାରି ସେହି କଥା କହି ?ଯେତେ ଯେତେ ଗଲାକଥା ଦିଅତୁ ବିସୋରି,ବିଅର୍ଥେ ବାହୁନି ଆଉ ହୁଅନାହିଁ ଭାଳି ।ପାତାଳେ ଏକ୍ଷଣି ରବି ବୁଡ଼ିଯିବ ଖରେ,ଅନ୍ଧକାର ଘୋଟିଯିବ ବାଟେ ଘାଟେ ଘରେ ।ତା ପାଇଁ ତୁ ଯାଅ ଏବେ, ରଖ ଦୀପ ଜାଳି,କାଠ ହାଣ୍ଡି ଯାଇ ମୁହିଁ ଆଣିବି ସଜାଡ଼ି ।ତୁହି ମୁହିଁ ମିଶି ଦୁହେଁ ରାନ୍ଧି ବାଢ଼ି ଆପେ,ସଞ୍ଜବେଳୁ ଖାଇଦେଇ ଶୋଇବା ମେଳାପେ ।ବେଶି ହୋଇଗଲେ ରାତି, ମାଡ଼ବଟି ଡର,ବାଡ଼ିଦ୍ୱାରେ ରାବଦେବେ ବିଲୁଆ କୁକୁର ।ଗଛଡାଳେ ବସି ପେଚା ରାବି କ୍ଷଣୁ କ୍ଷଣେ,କେତେ ଡରକଥା ଆଣି ପକାଇବ ମନେ ।ନିଶା ଗରଜନେ ଧରି କରାଳ ମୂରତି,ଭୂତ ପ୍ରେତ ଆସି କେତେ ବିଚରିବେ ଏଥି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର