ଗୋସିଂହର ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୧୯୬
- ସ୍ଥିତି
- ସାର୍ବଜନୀନ (Public domain)
[ଜୟ ପ୍ରତାପ ମତ୍ସ୍ୟ- ନରେଶ ବୃତ୍ତେ]
ସାଜି ସାଜି ମନ୍ତ୍ରି ମୋ ସୈନ୍ୟ ସାଜ ରେ । ବେଗେ ମହିଷ ଶକଟ ବାଜୀ ଗଜ ରେ ।ପଦ । ଚଳାଅ ଦନୁଜ ଥାଏ ରୈବତେ ଗଉଡ଼ଙ୍କ ଯାଗ ଦେଖି ବାହୁଡ଼ିବା ପଥେ । ଡକାଇଛି ସେ ଜେନାବତୀରାଜ ରେ ।୧। ଗୋପାଳଙ୍କ ଆଡ଼ମ୍ୱର ନୟନେ ଦେଖିବା । ଗୋଳ ହେଲେ ଜାଣ ତାକୁ ଗୋଡ଼ାଇ ଭକ୍ଷିବା-। ବୁଝିବେ ସେ ଦଇତଙ୍କ ତେଜ ରେ ।୨। ବଜାଇ ବାଜଣା ଜଣା ପରଜାଗଣକୁ । ଘେନି ଚଳିବେ ମୋ ସଙ୍ଗେ ତୀର କମାନକୁ । ନାନା ଆଭରଣେ ହେବେ ସଜ ରେ ।୩। ଚିତ୍ତ କିପେଁ ହୁଏ ବ୍ୟସ୍ତ ନ କର ରେ ଡେରି । ଶୁଭକର୍ମରେ ବିଳମ୍ୱ କେବେହେଁ ନ କରି । ପଦ ରଚେ ବଇଷ୍ଣବ ଦ୍ୱିଜ ରେ ।୪।
(ସମସ୍ତଙ୍କର ପ୍ରସ୍ଥାନ)(ସାତ୍ୟକି କୃଷ୍ଣଙ୍କ ପାଶେ ପ୍ରବେଶ)[ଗୀତ ହେ ଅନନୀପତି ତୋର - ବୃତ୍ତେ]
ସାତ୍ୟକି – ଆସଇ ଗୋସିଂହ ଦୈତ୍ୟ ଶୁଣ ଯଦୁନାଥ ! ଦୂରେ ଦେଖ ଚଢ଼ିଅଛି ଅଶ୍ୱ ଗଜ ରଥ । ସୈନ୍ୟ-ସେନା ତୁଲେ ହେ । ବେଗେ ଦେଖ ଗିରିରେ ପୂରିଲେ ହେ ।୧। ପଥବଣା ହୋଇ ପ୍ରବେଶିଲି ରାଜ୍ୟେ ତାର । ବାନ୍ଧି ଘେନିଗଲେ ତା ନିକଟେ ଅନୁଚର । ଦେଖି ଦୈତ୍ୟନାଥ ହେ । କୋପ ବହୁ ପୁଚ୍ଛିଲା ସମସ୍ତ ହେ ।୨। ନିମନ୍ତ୍ରଣ ଆଣିଅଛି କହିବାରୁ ଜୀବ । ରହିଲା ନିଶ୍ଚୟ ମୋତେ ଗିଳିଥାନ୍ତେ ଦେବ-! ଆସିଅଛି ସଙ୍ଗେ ହେ । ରଣ କରି ନାଶ ତାକୁ ବେଗେ ହେ ।୩।
କୃଷ୍ଣ – ଚାଲ ରେ ସାତ୍ୟକି ବେଗେ ସଜା ଯଦୁସୈନ୍ୟ । ଆଜି ଯୁଦ୍ଧେ ଯମପୁରେ ଯିବ ଯାତୁଧାନ । ବଇଷ୍ଣବ କହି ରେ । ତୋତେ ବାନ୍ଧି ରଖିଥିଲା ନେଇ ରେ ।୪।
ସ୍ଥିର ହୁଅରେ ଭ୍ରାତ ସାତ୍ୟକି,ଭୟ କରନାହିଁ ଦାନବକୁ ।କରିଛୁ ଉତ୍ତମ କାର୍ଯ୍ୟ ତୁହି ।ନିମନ୍ତ୍ରି ଆଣିଛୁ ସେହି ଦୁଷ୍ଟ ନିଶାଚରେ ।ପତଙ୍ଗ ପରାୟେ ପାପୀ ମମ କୋପାନଳେଦଗ୍ଧୀଭୂତ ହେବ ଏହିଠାବେ ।ଏହି କର୍ମେ ଦୁଇକର୍ମ ହୋଇବ ସାଧିତ;ରଣଯଜ୍ଞ ଦେବଯଜ୍ଞ ଉଭୟ ଉଦ୍ଦେଶ୍ୟସାଧିବି ଏ ସ୍ଥଳେ ଘେନି ଯାଦବବାହିନୀ ।ଅଗ୍ରେ ପଥ ଦେଖା ମୋତେ ଦୈତ୍ୟ ନିକଟକୁ ।(ଯଦୁବଳ ସହ କୃଷ୍ଣ ଗୋସିଂହ ପାଶେ ପ୍ରବେଶ)[ଗୀତ ଏହୁ କାହା ରମଣୀମଣି ରତନ - ବୃତ୍ତେ]
ରହ ରହ ରେ ପାମର ଏଥି ଆସନା । ଆଜି ପୂରିବ ନିଶ୍ଚେ ତୋ ମନୋବାସନା ।୧। ମୁଁ ନୁହେଁ ସାତ୍ୟକି ଦୁଷ୍ଟ କରିବୁ ବନ୍ଦୀ । ଉଡ଼ାଇବି ଏହି ଚକ୍ରେ ତୋ ଶିର ଛେଦି । ବଳେ ଅନେକ ପତଙ୍ଗ ସମ ଝାସନା ।୨। ମଢ଼ଗିଳା ଦଇତ ତୋ ଯମ ରେ ମୁହିଁ । ପାଞ୍ଚିଛୁ କି ଯିବୁ ଘେନି ପକାଇ । ଅଦି ପରାୟେ ବାକ୍ୟବାଣେ ଦଂଶନା । କର ରଣ ପ୍ରାଣେ ଆଶା ଥିଲେ ତୋହର । ତୋ ରକ୍ତ କରିବ ଏହି ଓରା ଆହାର । ବୃଥା ଦମ୍ଭ ଅମ୍ୱୁଧି ଜଳେ ଭାସନା ।୩। ବସା ଧନୁରେ ନାରାଚ ଗରଜୁ କେତେ । ପଥେ ଚାହଁଛନ୍ତି ତେଣେ ଶମନ ଦୂତେ । ବଇଷ୍ଣବ ବୋଲେ ହିଂସାକୁ ପୋଷନା ।୪।
(ଗୋସିଂହର ଶର ଯୋଡ଼ି ଗୀତ)[ଆସି ପାହିଗଲା ରାତି - ବୃତ୍ତେ]
ଗୋପାଳ ଅଇଁଠାଚଟା ହେବୁ ହଟହଟା ରଣେ ମାତ ରେ ।ପଦ । ଫଟା କପାଳ ତୋର, ଘଣ୍ଟାକରେ ଚାତର । ନ ଥିବ ଦେବି ତୁଟାଇ କେଣେ ଯିବ ଏହି ଟାହି ବାଣଘାତରେ ।୧। ତୋଟାବୁଲା ବଗଡ଼, ମନମୋଟାକୁ ଛାଡ଼ । କୁଟା ପରା ଯିବୁ ଉଡ଼ି ବୁଲ ଯା ଖେଣ୍ଟାଲଉଡ଼ି ଧରି ହାତରେ ।୨। ପିଟାଖିଆ, କୁଜାତି, ଅଲାଜୁକ ଦୁର୍ମତି । ଲଟାରେ ଚରାଇ ଗାଈ ପେଣ୍ଠା ଦୁଧ ଦହି ପିଇ ହୋଇଛୁ ତ ରେ ।୩। ଅଟାଚକଟା ସମ, ତୋ ମାଂସ ବଳରାମ । ବଳି ଚୋବାଇବି ଦେଖି ଭାଷେ ବଇଆ ମୂରୁଖ ଏହି ଦାନ୍ତରେ ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର