ଗୀତ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୩
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଧନ୍ୟ ମହାପ୍ରଭୁ ତୁମ୍ଭରି କୃପାରେ
ଆନନ୍ଦେ ରହିଲୁ ଆଜି ତୁମ୍ଭରି ସଂସାରେ ।
ତୁମ୍ଭରି କୃପାରେ ପାଇଅଛୁଁ ପିତା ମାତା
ପାଇଛୁଁ କୃପାରେ ତବ ଗୁରୁ ଜ୍ଞାନଦାତା ।
ଭାଇ ଭଗ୍ନୀ ଦେଇଅଛ ହେ ପରମେଶ୍ୱର
ଗଢ଼ିଅଛ ଏ ଆକାଶ ପୃଥିବୀ ସାଗର ।
ସୂର୍ଯ୍ୟ ଚନ୍ଦ୍ର ତାରା ମେଘ ଅନଳ ପବନ
ପଶୁ ପକ୍ଷୀ ମୀନ ଆଦି ଯେତେ ଜୀବଗଣ ।
ତରୁ ଲତା ପୁଷ୍ପ ଫଳ ଗିରି ନଦୀ ବନ
ସବୁ କରିଅଛ ତୁମ୍ଭେ ହେ ଆଦିକାରଣ ।
ତୁମ୍ଭର କରୁଣା ପ୍ରଭୁ ଅଟଇ ଅପାର
କରଯୋଡ଼ି କରୁଅଛୁଁ କୋଟି ନମସ୍କାର ।
ଦିଅ ଜ୍ଞାନ ଦିଅ ପୁଣ୍ୟ ଦିଅ ହେ ସୁମତି
ଜୟ ଜୟ ଜୟ ପ୍ରଭୁ ହେ ଜଗତପତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ