ଏହି କଥାଟିକ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୯
- ସ୍ଥିତି
- ସାର୍ବଜନୀନ (Public domain)
ଚାଳେ ବସି ରାବୁଥିଲା ଏକାକୀ କୁଆଟି,ଘନ ଘନ ଡାକେ କଣ୍ଠ ଯିବ କି ତା ଫାଟି !ବାଳୁତ ହୃଦୟ ଶିରୀ ବାଢ଼ି ଅପଘନେ,ଅଧର ଅମୃତ ହାସ ସଜାଡ଼ି ବଦନେ,ଏକେ ଆନେ ଲୋଡ଼ି ଟିକି ଉଦାସ ପୟରେ,ଚାଲିଗଲେ କେତେ ପିଲା ସେହି ଚାଳ ତଳେ ।ହଜାଇ ନାହାନ୍ତି କିଛି କନକ ପ୍ରତିମା,ଛୁଇଁ ନାହିଁ ଦିନେ ହୃଦ ବିଚ୍ଛେଦ-ଯାତନା,ସକଳ ସମ୍ପଦ ପ୍ରାଣେ ରଖିଛନ୍ତି ଭରି,କିବା ଏ ଜଗତେ ଭ୍ରମେ ଲୋଡ଼ିବେ ଆହୁରି ?ମୁହଁ, ଏ ବୟସେ ମୋର ବାଳୁତ ସରାଗେ,ଚାଉଳ ମୁଠିଏ ନେଇ ଥୋଇଲି ତା ଆଗେ ।ବାରେ ହେଲେ ମୁଖେ ସେତ ନଗଲା ପରିଶି,ଯେତେ ମୁଁ ଆଦରେ ତାକୁ ଲୋଡ଼ିଲଇଁ ବସି-‘‘ଆ ଆ ଆ ଆ, କୁଆଟିରେ, ଖାଇଯାଅ ବାରେ,ମନ ତୋଷେ ବସି ପୁଣି ରାବୁଥିବୁ ଚାଳେ ।କିଏ କେତେ ଦୂରେ ମୋର ବାଟ ଚାଲି କାହିଁଆସୁଛନ୍ତି, କହୁଥିବୁ ତୁହାଇ ତୁହାଇ ।’’ଆହା, କିମ୍ପା ସେହି କଥା ମନେ ମୋର ପୁଣି,ତୋ ପାଶେ ଆବର କିପା ସେହି ମୋ ମାଗୁଣି ?ନିତି ନିତି ସେହି କଥା ହେଉଅଛି ଭାଳି,ମନର ବେଦନା ମନେ ରହୁଅଛି ମାରି ?ଲୋଡ଼ି ମୁଁ ଯାହାକୁ ଦିନେ ଦେଇଛି ମେଲାଣି,ଯାଚି କି ଜୀବନେ କେହି ଦେଇଯିବ ଆଣି ?ନିଜ ହାତେ ଚିତାନଳ ସଜାଇ ଯତନେ,ଗୋଟି ଗୋଟି ଜାଳି ଆହା ଦେଲି ଏ ଜୀବନେ ।ଜୀବନୁ ଅଧିକ କରି ଜୀବନ୍ତ ସେନେହେ;କେତେମନ୍ତେ କେ ମୋତେଟି ଧରିଲେ ହୃଦୟେ ।ଗଲାବେଳେ ନିମିଷକ ରଖିଲି ମୁଁ ନାହିଁ,ଏବେ ଆଉ ଦିବାନିଶି ଝରିବି କିପାଇଁ ?ଯିବାର ଯେତେକ ନିଧି ଗଲାଣିତ ଚାଲି,ଜୀବନ୍ତେ ତା ଲାଗି ଆଉ ହେବି କିପା ଭାଳି ?ଅନନ୍ତ ଅୟନ ପାରେ ସୁଦୂରୁ ସୁଦୂରେ,ମରଣେ ହେବ ମୋ ଯେବେ ଭେଟ ଆଉଥରେ ?‘‘କହ କୁଆ କହିଯାଆ ମିନତି ମୋ ଘେନି,ଏକ ବୃନ୍ତେ ଥିଲ ଫୁଟି ସୂର୍ଯ୍ୟମୁଖୀ ବେନି;ଗୋଟିଏ ସେ ଅବିରତ ରହିଅଛି ଚାହିଁ,ପରାଚୀ ଦିଗନ୍ତେ ରବି ଉଇଁବାର ପାଇଁ ।ଆରଟି ଯେ ପଳାଇଛି ବରଜି ତା ପାଶ,ଦେଖୁଛି ପ୍ରତୀଚୀ ଶୂନ୍ୟ ବିରସ ଆକାଶ;ସେହୁ ପୁଣି ଫେରି ଦିନେ ଆସିବ କି ନାହିଁ,ଯୁଗଳ ବଦନେ ରବି ଅନାଇବା ପାଇଁ ?କହ କହ, କହି ଯାଅ ଏହି କଥାଟିକ,ଖାଇ ଯାଅ, କୁଆ, ସୁଖେ ଚାଉଳମୃଠିକ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର