ଧାନକ୍ଷେତ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୬
- ସ୍ଥିତି
- ସାର୍ବଜନୀନ (Public domain)
କହ୍ନେଇ – ଆସ, ଧାନକ୍ଷେତ ଆଡ଼କୁ ଯିବା । ଧାନ ପାଚିଲାଣି । ଆଜିକାଲି ଧାନକ୍ଷେତ ଦେଖିବାକୁ କି ସୁନ୍ଦର ! ଧାନ କଟା ସରିଲେ କ୍ଷେତ ଆଉ ସୁନ୍ଦର ଦିଶିବ ନାହିଁ ।
ଦନେଇ – କ୍ଷେତରେ ଧାନ କିପରି ଫଳିଲା ?
କହ୍ନେଇ – ଆଗେ ଚଷାମାନେ ଜମିକୁ ଚାଷ କରନ୍ତି । ଲଙ୍ଗଳ ଧରି ବିଲକୁ କିପରି ଚଷନ୍ତି, ତୁ କ’ଣ ଦେଖିନାହୁଁ ?
ଦନେଇ – ହଁ ଦେଖିଛି, ଦୁଇଟା ବଳଦର କାନ୍ଧ ଉପରେ ଜୁଆଳି କାଠଖଣ୍ଡ ପଡ଼ିଥାଏ । ଜୁଆଳି ଦେହରେ ଲଙ୍ଗଳ କାଠ ବନ୍ଧା ହୋଇଥାଏ । ଜଣେ ମଣିଷ ଖଣ୍ଡେ ପାଞ୍ଚଣ ବାଡ଼ିରେ ବିଲ ଭିତରେ ବଳଦଙ୍କୁ ଅଡ଼ାଉଥାଏ ।
କହ୍ନେଇ – ଗୋଟିଏ କଥା କହିପାରିଲୁ ନାହିଁ । ଚଷାମାନେ ଲଙ୍ଗଳ କାଠ ଦେହରେ ଖଣ୍ଡ ଲୁହାଫାଳ ଲଗାଇଥାନ୍ତି । ବଳଦ ଚାଲିଲାବେଳକୁ ସେହି ଳୁହା ଭୂଇଁକୁ ଖୋଳିପକାଏ । ଏହିପରି ବିଲକୁ ଅନେକ ଥର ଚଷି ମାଟି ଉପରେ ମଇ ବୁଲାଇଲେ ମାଟି ସମାନ ହୋଇଯାଏ । ତହିଁ ଉତ୍ତାରେ ସେମାନେ ଲଙ୍ଗଳଦ୍ୱାରା ମାଟିରେ ସିଆର କାଟି ଦିଅନ୍ତି । ବର୍ଷା ଆରମ୍ଭରେ ଚଷା ଗଉଣୀରେ ଧାନ ପୂରାଇ ସେ ଗଉଣୀକୁ ଅଣ୍ଟାରେ ଥୋଇ ସିଆରମାନଙ୍କରେ ବିହନ ବୁଣିଯାନ୍ତି ।
ଦନେଇ – ବିହନ କଅଣ ?
କହ୍ନେଇ – କ୍ଷେତରେ ଯେଉଁ ବୁଣାଯାଏ ତାକୁ ବିହନ କହନ୍ତି । ବର୍ଷାପାଣି ପାଇ ବିହନ ଗଜା ହୋଇ ବଢ଼ିଯାଏ । ହାତେ ହାତେ ବଢ଼ିଗଲେ ବିଲରୁ ଅନାବନା ଘାସସବୁ ଉପାଡ଼ିଦିଅନ୍ତି । ତହିଁ ଉତ୍ତାରେ ହଳ କରି ମଇ ଦେଇ ଘାସ ବାଛିଦେଲେ ଧାନର ବେଉଷଣ ହେଲା । ବେଉଷଣ ହୋଇଗଲେ ଧାନଗଛରୁ ଧାନ ବାହାରେ । ଦେଖ, ଗୋଟିଏ ଗଛରୁ କେତେ ଧାନକେଣ୍ଡା ପାହାରିଛି । ଧାନ ପାଚିଗଲେ, ଚଷାମାନେ ଦାଆରେ ଧାନ କାଟି ବିଡ଼ା ବିଡ଼ା ବାନ୍ଧି ଗୋଟିଏ ନିର୍ମଳ ସ୍ଥାନକୁ ନେଇଯାନ୍ତି । ସେ ସ୍ଥାନକୁ ଖଳା କହନ୍ତି । ଖଳାରେ ଚାରି-ପାଞ୍ଚଟା ବଳଦକୁ ଦାଉଣିରେ ଏକତ୍ର ବାନ୍ଧି ଧାନହଳା ଫିଟାଇ ଦେଇ ତା ଉପରେ ବେଙ୍ଗଳା ବୁଲାଇ ଧାନ ଅମଳ କରନ୍ତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ