ଚିଲିକା ଭ୍ରମଣ
ଚିନ୍ତାମଣି ମହାନ୍ତି · ଭାଗ ୨ / ୨ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
୧୫।୧୧।୧୧- ଆଜି ଘଣ୍ଟଶିଳା ପର୍ବତ ଉପରକୁ ଯିବାକୁ ହେବ । ସକାଳୁ ଉଠି ନିତ୍ୟକର୍ମ ସାରି ପ୍ରସ୍ତୁତ ହେଲି । ଦିନମଣି ପ୍ରାଚୀଗର୍ଭରୁ ଜାତ ହେଲେ । ତାଙ୍କ ଅନ୍ତୁଡ଼ିଶାଳ ଧୂମରାଶି ଚକ୍ରତାଳ ମୂଳରେ ବିସ୍ତୀର୍ଣ୍ଣ ହୋଇଗଲା । ପକ୍ଷିଗଣ ମଙ୍ଗଳ ହୁଳିହୁଳି ଶବ୍ଦ କଲେ । ଢଳ ଢଳ ତାଳରବି ଚିଲିକା ଜଳରେ ଜନ୍ମସ୍ନାନ କଲେ । ତାଙ୍କର କନକ ପ୍ରଭାରେ ଚିଲିକାର ଜଳ କନକିତ ହେଲା । ସୂର୍ଯ୍ୟଦେହ ପ୍ରତ୍ୟେହ ସକାଳେ ଜନ୍ମଲାଭ କରି ସନ୍ଧ୍ୟାରେ ମୃତ୍ୟୁମୁଖରେ ପ୍ରତିତ ହୁଏ । ଜନ୍ମ ମୃତ୍ୟୁ ତାଙ୍କର ଲୁଚକାଳି ଖେଳ । ବାସ୍ତବରେ ଜନ୍ମ ଯେପରି ମୃତ୍ୟୁର ମହାନିମନ୍ତ୍ରଣ, ମୃତ୍ୟୁ ସେହିପରି ଜନ୍ମର ଅପ୍ରତ୍ୟାଖାତ ନିମନ୍ତ୍ରଣ । ଜନ୍ମ ମୃତ୍ୟୁର ସଦ୍ଭାବ ଓ ବନ୍ଧୁତା ଅଖଣ୍ଡ । ଜନ୍ମମୃତ୍ୟୁର ପ୍ରାଣ ଏବଂ ମୃତ୍ୟୁ ଜନ୍ମର ଜୀବନ । ସୃଷ୍ଟି ଓ ଧ୍ୱଂସ ଏକ ବୃନ୍ତରେ ଦୁଇଟି ଫଳ ।
ସୂର୍ଯ୍ୟୋଦୟ ପରେ ମୁଁ ଓ ଜୟକୃଷ୍ଣ ବାବୁ ଜାଲି ବୋଟରେ ଚଢ଼ି ଘଣ୍ଟଶିଳା ଅଭିମୁଖରେ ଅଗ୍ରସର ହେଲୁ । ବର୍ତ୍ତମାନ ଚିଲିକା ଶାନ୍ତ ଓ ଉଦାସ । ସେ କେତେବେଳେ କି ଭାବ ଧାରଣ କରେ-କେବେ ଉଗ୍ର, କେବେ ଉଦାର, କେବେ ଉଲ୍ଲାସ ଓ କେବେ ବା ବିଷାଦ । ବୋଟ ଧୀର ଗତିରେ, କେବେ ଶୀଘ୍ର ଗତିରେ ଚାଲିବାକୁ ଲାଗିଲା । ଚିଲିକାର ଜଳ ଖୁବ୍ସ୍ୱଚ୍ଛ । ଏକ ହାତ ଜଳ ତଳେ ଏକପ୍ରକାର ଶୈବାଳ ବୁଡି ଭାସି ଚାଲିଥିବାର ଦେଖାଗଲା । ଏଥିରୁ ବୋଧ ହେଲା, ଚିଲିକାର ଅଭ୍ୟନ୍ତରରେ ସୁଦ୍ଧ ଗୋଟାଏ ସ୍ରୋତ ଅନବରତ ପ୍ରବାହିତ ହୁଏ । ଦୁଇଟି ଚକ୍ରବାକ ପକ୍ଷୀ ମଧ୍ୟାକାଶରେ ଉଡି ଯାଉଁ ଯାଉଁ ନୌକାରେ ଛାୟାଦାନ କରିଗଲେ । ଆମ୍ଭମାନଙ୍କ ଚୋଟର ଅଳ୍ପ ଛଡ଼ାରେ ଖଣ୍ଡେ ମତ୍ସ୍ୟବାହୀ ନୌକା ଚାଲିଗଲା । ଚାଳକ ଏଗାର ବର୍ଷର ଗୋଟିଏ ବାଳକ । ବାଳକଟି ଗାଇଲା - ‘‘ବସନ୍ତ କାଳ, ସହଜେ କାଳ, ଆସିଲାଣି; ଜୀବନ ନେବ ରେ ମାର ସଙ୍ଗରେ ବାଳକଟିର ସାକ୍ଷାତ ନାହିଁ କି ପରିଚୟ ନାହିଁ କି ପରିଚୟ ନାହିଁ - ମାର ବାଘ, ଭାଲୁ, କି ରାକ୍ଷସ ପିଶାଚ ତାହା ସୁଦ୍ଧା ଜାଣେ ନାହିଁ, ତଥାପି ମାର ମାରିବାକୁ ଆସିବା ପୂର୍ବରୁ ସେ ଭୟରେ କାତର ହୋଇ ମାର - ମଙ୍ଗଳ ଆବୃତ୍ତ କରୁଅଛି । ଧନ୍ୟ ବାତ୍ସୟନ ମୁନିଙ୍କ ଓ ତପୋବଳ ! ମାରନାମକ କି ମାରାତ୍ମକ ଜୀବ ସେ ସୃଜନ କରିଗଲେ ! ଘଣ୍ଟିକାର ଅଳ୍ପ ଦୂରରେ ଗୋଟିଏ ପୃଥଳ ପ୍ରସ୍ତରସ୍ତମ୍ଭ ଅଛି-। ସେଥିରେ ବିଶ୍ରାମ କରିତା ସକାଶେ ଖଣ୍ଡେ ଛୋଟ ଚାନ୍ଦିନୀ ଅଛି । ଆମ୍ଭେମାନେ ବୋଟରୁ ଓହ୍ଲାଇ ସେହି ମଣ୍ଡପରେ ବସିଲୁଁ । ମଣ୍ଡପଟି ବଡ଼ ବଡ଼ କଙ୍କଡ଼ା ଖୋଳ - ସମ୍ପଦରେ ଅଳଙ୍କୃତ । ସମ୍ଭବତଃ ଏହା ପୂର୍ବୋକ୍ତ କୁରୁବଳ ପକ୍ଷୀର କୀର୍ତ୍ତି । ମଣ୍ଡପ - ଗାତ୍ରରେ ଅସଂଖ୍ୟ ଲୋକଙ୍କର ନାମ ଅଙ୍ଗାରରେ ଲିଖିତ ହୋଇଅଛି । ମଣ୍ଡପ-ଦେହରେ ଆଉ ସ୍ଥାନ ନାହିଁ । ନାମ ଉପରେ ନାମ ଘୋଡ଼ା ଚଢ଼ିଅଛି । ନାମର ଅଧିକାରମାନଙ୍କ ମଧ୍ୟରୁ ଅନେକ ଇହଲୋକରୁ କେଉଁକାଳରୁ ବିଦାୟ ନେଇସାରି ଯାଇଥିବେ; ମାତ୍ର ସେମାନଙ୍କର ଅଙ୍ଗାରକଳଙ୍କିତ ନାମ ମାର୍କଣ୍ଡେୟ - ପରମାୟୁ ଘେନି ସ୍ତମ୍ଭଗାତ୍ରରେ ରହିଅଛି । ଶୁଣିଲି, ସେଠାକୁ ଯେ ଯାଏ, ସେ ନିଜର ନାମ ଲେଖିଦେଇ ଆସେ । ମୁଁ ମଧ୍ୟ ମହାଜନ ପନ୍ଥା ଅନୁସରଣପୂର୍ବକ ଖଣ୍ଡେ ଅଙ୍ଗାରରେ ମୋର ନାମ ଅଙ୍କିତ କଲି । ଆହୁରି ଶୁଣିଲି - ସ୍ତମ୍ଭ ତଳେ ଖଣ୍ଡେ ବିଶାଳ ପ୍ରସ୍ତର ଅଛି । ତଦ୍ଦ୍ୱାରା ନାବିକମାନଙ୍କର ବିପଦର ସମ୍ଭାବନା ଜାଣି ସ୍ୱର୍ଗତ ଖଲ୍ଲି କୋଟ ନରପତି ସ୍ୱନାମଧନ୍ୟ ହରିହର ମର୍ଦ୍ଦରାଜ ଦେବ ସେହି ପ୍ରସ୍ତର ଚିହ୍ନିତ କରିବା ସକାଶେ ତାହା ଉପରେ ଏହି ସ୍ତମ୍ଭ ନିର୍ମାଣ କରାଯାଇଥିଲେ । ଆମ୍ଭେମାନେ ସେଠାରେ କିଛିକ୍ଷଣ ବିଶ୍ରାମ କରି ପୁନଶ୍ଚ ବୋଟ୍ରେ ବସିଲୁଁ ଏବଂ ବେଳ ପ୍ରହରକ ସମୟରେ ଗିରିପାଦ ତଳେ ଅବତରଣ କଲୁଁ । ପୂର୍ବୋକ୍ତ ବାଳକର ଗେୟ ଗୀତପଦକ ଖଲାସିମାନେ ଚାଟପିଲା ପରି ଅବଧି ଆବୃତ୍ତି କରୁଥିଲେ । ନୌକା ଘେନି ବାଳକଟି ଚାଲିଗଲା; ମାତ୍ର ଗୀତପଦକ ଖଲାସିମାନଙ୍କ ମୁଖରେ ରଖିଯାଇଥିଲା । ପର୍ବତରେ ବ୍ୟାଘ୍ର ଭୟ ଅଛି ବୋଲି କହି ଖଲାସିମାନେ ପର୍ବତ ଉପରକୁ ଉଠିବାକୁ ମଙ୍ଗିଲେ ନାହିଁ । ଜଣେ କହିଲା - ‘‘କାଲି ରାତି ବାରା ଗଣ୍ଟକୁ ଆମେ ଶୁଣିଲା, ଏ ପର୍ବତ ଉପରେ ଭାଗ ରଡି ଛାଡିଥିଲା ।’’ ତୈଲଙ୍ଗୀୟମାନେ ଗୁରୁପ୍ରାଣ ବର୍ଣ୍ଣକୁ ଲଘୁପ୍ରାଣ ଏବଂ ଲଘୁପ୍ରାଣ ବର୍ଣ୍ଣକୁ ଗୁରୁପ୍ରାଣ ପରି ଉଚ୍ଚାରଣ କରନ୍ତି । ବାଘକୁ ଭାଗ, କାନ୍ଧକୁ ଖାନ୍ଦ ଏବଂ ବିଭାକୁ ଭିବା କହନ୍ତି-। ସେମାନଙ୍କ ଭୀତି ପ୍ରଦର୍ଶନରେ ମୁଁ ଆଶାଭଙ୍ଗର ଯନ୍ତ୍ରଣା ଭୋଗ କଲି । ଜୟକୃଷ୍ଣ ବାବୁ ତାହା ବୁଝିପାରେ ସେମାନଙ୍କ କର୍ଣ୍ଣରେ ତୈଲଙ୍ଗୀୟ ଭାଷାରେ କି ଗୁରୁମନ୍ତ୍ର ପ୍ରଦାନ କଲେ । ତହୁଁ ସେମାନେ ଗିରି - ଆହୋରଣରେ ଉତ୍ସାହିତ ହୋଇ ଉଠିଲେ । ଜୟକୃଷ୍ଣ ବାବୁ ଉଠ ବୋଲି କହିବାରୁ ସମସ୍ତେ ଉଠ ଉଠ କହି ପର୍ବତକୁ ଉଠିଲେ । ଗ୍ରାମ୍ଫୋନ ଯନ୍ତ୍ରର ତ ନିଜର ଭାଷା ନାହିଁ, ସେ ଅନ୍ୟର ଭାଷାରେ କଥା କହେ । ଯାହାହେଉ ମୋର ଆଉ ଆନନ୍ଦର ସୀମା ରହିଲା ନାହିଁ, ଆଶାଭଙ୍ଗ ପରେ ଅକସ୍ମାତ୍ସାଫଲ୍ୟର ମୂର୍ତ୍ତି ଦେଖିଲେ ପ୍ରାଣରେ ଯେ ଆନନ୍ଦ ଜାତ ହୁଏ, ସେ ଆନନ୍ଦ ବଡ଼ ମଧୁର । ଶୁଣିଲି, ଚିଲିକା ମଧ୍ୟସ୍ଥ ପର୍ବତମାନଙ୍କରେ ବାଘ ଓ ମୃଗ ଅଛନ୍ତି । ଏକ ପର୍ବତରେ ଖାଦ୍ୟର ଅଭାବ ହେଲେ ସେମାନେ ଚିଲିକାରେ ପହଁରି ଅନ୍ୟ ପର୍ବତକୁ ଯାଆନ୍ତି । ଏ ଉକ୍ତିର ସତ୍ୟତାରେ ସନ୍ଦହାନ ହୋଇ ମୁଁ ରମ୍ଭାର ପ୍ରାଚୀନ ଲୋକମାନଙ୍କୁ ପଚାରିଥିଲି । ଅବଶ୍ୟ ସେମାନେ ହଲ୍ପ କରି ସତ୍ୟତା ପ୍ରମାଣିତ କରି ନାହାନ୍ତି, ତେବେ ସମୟ ସମୟରେ ଚିଲିକାସ୍ଥ ପର୍ବବରେ ବାଘର ବାଘର ଶବ୍ଦ ଶୁଣାଯାଏ ବୋଲି କେହି କେହି କହୁଥିଲେ; ମାତ୍ର ବାଘ କେହି ଦେଖିଥିବାର କିମ୍ବା କେବେ କେହି ବ୍ୟାଘ୍ରଦ୍ୱାରା ଆକ୍ରାନ୍ତ ହୋଇଥିବାର ଶୁଣାଯାଇ ନାହିଁ । ସ୍ଥାନେ ସ୍ଥାନେ ଚିଲିକାର ଜଳ ଅଗାଧ; ମାତ୍ର କେହି ଚିଲିକାରେ ବୁଡି ମରିଥିବାର ଶୁଣାଯାଇ ନାହିଁ ।
ପର୍ବତର ଆକୃତି ଘଣ୍ଟା ପରି ଦିଶିବାରୁ ଘଣ୍ଟଶିଳା ନାମ ହୋଇଅଛି । ସମସ୍ତେ ଗିରି ଆରୋହଣ କଲୁଁ । ଉଠିବାକୁ ବାଟ ନାହିଁ । ଅବାଟ ବାଟ ହେଲା, ତାହା ପୁଣି ଉଠାଣିଆ ଓ କଙ୍କରାମୟ । ଉଠିବାବେଳେ ଗୋଡ଼ ତଳୁ କଙ୍କରା ଖସି ଆସିଲେ ଗୋଡ଼ ଚର ପରି ଖସିଯାଏ । ପାର୍ଶ୍ୱସ୍ଥ ତରୁବୃନ୍ଦ ଆମ୍ଭମାନଙ୍କୁ ଉଠାଇ ନେଇ ପଥିକ - ବନ୍ଧୁ ଉପାଧି ଅର୍ଜନ କଲେ । ପର୍ବତର କଟିଦେଶ ଅରଣ୍ୟସଙ୍କୁଳ । ସେଥିରେ ଅରଣ୍ୟସୁଲଭ ସବୁପ୍ରକାର ବୃକ୍ଷଲତା ଅଛି; ମାତ୍ର ଅତି ବଡ଼ ଗଛ ନାହିଁ । ବଂଶକୁଞ୍ଜଗୁଡିକ ପର୍ଣ୍ଣାଶ୍ରମ ପରି ଦେଖାଯାଏ । କ୍ଷୁଦ୍ରକ୍ଷୁଦ୍ର ଗୁଳ୍ମରେ କୁସୁମଶ୍ରୀ ବିକଶିତ-। କେହି କୋରକ ସକାଶେ ପୂର୍ଣ୍ଣକୋଷ ବାନ୍ଧୁଅଛି । କାହାର ବା ପୁଲକାଳ ଯାଇ ଫଳକାଳ ହେଲାଣି । କୁଞ୍ଜ ମଧ୍ୟରେ ଚୂର୍ଣ୍ଣ ସୂର୍ଯ୍ୟକିରଣ ବିକ୍ଷିପ୍ତ ହୋଇ ପଡିଅଛି । ଆଲୋକ ଅନ୍ଧାରର ଅପୂର୍ବ କ୍ରୀଡ଼ା ଲାଗିଅଛି । ଏ ପର୍ବତର ବିସ୍ତର ପକ୍ଷୀ ବାସ କରନ୍ତି । ସେମାନଙ୍କ ସଂଖ୍ୟା ଏତେ ଅଧିକ ଯେ, ଘଣ୍ଟ ଶିଳାକୁ ପକ୍ଷିରାଜ୍ୟ ବୋଲାଇପାରେ । ସବୁବେଳେ ପକ୍ଷୀମାନଙ୍କର ବିର୍ପୁଳ କୋଳାହଳର ହାଟ ବସିଅଛି । ସେ କୋଳାହଳରେ କର୍ଣ୍ଣଜ୍ୱାଳା ଅନୁଭୁତ ହୁଏ । ଆମ୍ଭେମାନେ କ୍ରମଶଃ ଉପରକୁ ଉଠିଲୁଁ । ବଂଶପତ୍ର କରତ ପ୍ରସାଦରୁ ଶରୀରର ସ୍ଥାନେ ସ୍ଥାନେ ଗିରସ୍ମୃତି ଅଙ୍କିତ ହୋଇଗଲା । ଗତିପଥରେ ଆମ୍ଭମାନଙ୍କ ପ୍ରତି ପକ୍ଷୀମାନଙ୍କର ନିଷେଧାଜ୍ଞା ବାରମ୍ବାର ପ୍ରଚାରିବ ହେଉଥାଏ । ଆମ୍ଭମାନଙ୍କୁ ଆଜ୍ଞା ଲଘଂନ କରିବାର ଦେଖି ସେମାନେ ଉତ୍ତେଜନାମୟୀ ବକ୍ତୁତାର ଆଶ୍ରୟ ଗ୍ରହଣ କଲେ । ବୋଧହୁଏ ଏପରି କହିଲେ କି - ‘‘ହେ ଦୃପ୍ତ ପାନ୍ଥ ଅନଧିକାର ପ୍ରବେଶ କର ନାହିଁ, ଏ ପକ୍ଷୀ ସହର, ଏଠାରେ ତୁମ୍ଭର ସ୍ୱତ୍ୱ ନାହିଁ । ବଳପୂର୍ବକ ଅନ୍ୟର ରାଜ୍ୟରେ ପ୍ରବେଶ କରିବା ଆଇନବିରୁଦ୍ଧ । ତୁମ୍ଭେ ମନୁଷ୍ୟଜାତି ବଡ଼ କୁଟିଳ, କ୍ରୋଧକୁ ପୋଷିରଖ । ପ୍ରତିଶୋଧ ନ ହେଲେ ତୁମ୍ଭମାନଙ୍କର ଚଳେ ନାହିଁ । ଦୁର୍ବଳ ପ୍ରତି ବଳପ୍ରକାଶ ତୁମ୍ଭର ଆଉ ଗୋଟାଏ ମହତ୍ଦୋଷ-। ସେଥିଲାଗି ତୁମ୍ଭର ଆଦେଶକୁ ଆମ୍ଭେମାନେ ବିଷବତ୍ମଣି ତୁମ୍ଭ ସଂସର୍ଗର ବହୁଦୂରରେ ଆସି ଅଛୁଁ-। ଖଚ, ମିଛ, ପ୍ରତାରଣା ଆମ୍ଭର ନାହିଁ । ତୁମ୍ଭ ପରି କଥା କଥାକେ ଆମ୍ଭେ ମୋକବ୍ଦମା କରୁ ନାହିଁ । ସବୁ କଥା ଆମ୍ଭେ ଆପଣା ଆପଣା ମଧ୍ୟରେ ମେଣ୍ଟାଇନେଉଁ । ଆମ୍ଭେମାନେ ଖୁମ୍ପା ଖୁମ୍ପି ଲାଗୁ - କଳିଗୋଳ କରୁଁ; ମାତ୍ର ଲହମାକେ ସବୁ ପାଶୋରିଯାଉଁ । ଆମ୍ଭମାନଙ୍କ ମଧ୍ୟରେ ମତାନ୍ତର ହୁଏ ନାହିଁ କି କଥାବାର୍ତ୍ତା ବନ୍ଦ ହୁଏ ନାହିଁ । ଏ ସ୍ଥାନର ବାୟୁ ହିଂସାଦ୍ୱେଷରେ କଳୁଷିତ ନୁହେଁ, ଚିର ନିର୍ମଳ ଓ ଚିର ପବିତ୍ର । ତୁମ୍ଭେମାନେ ଏ ବାୟୁକୁ ଦୂଷିତ, ଦୁର୍ଗନ୍ଧମୟ ଆଉ ଅପବିତ୍ର କର ନାହିଁ । ଆମ୍ଭେମାନେ ଶସ୍ୟକ୍ଷେତ୍ରରୁ କୀଟପତଙ୍ଗଙ୍କର ନିପାତସାଧନ କରୁଁ ବୋଲି ତୁମ୍ଭେ ଫସଲ ଅମଳ କର । ତୁମ୍ଭେ କି ଆମ୍ଭର ଏ ମହୋପକାର କେତେ ମାନ ? ବରଂ ଗୋଟାଏ ଧାନ କି ମୃଗ ଥଣ୍ଟରେ ଧରିଲେ ହୋହା କରି ବଡିଦିଅ । ସେଥିରେ ଆମ୍ଭେ ଦୁଃଖ ନ କରି ଆନନ୍ଦରେ ତୁମ୍ଭଙ୍କୁ କ୍ଷମା କରୁଁ । ଆମ୍ଭେମାନେ ଆନନ୍ଦମୟ ଜୀବ, ପରୋପକାରରେ ଆମ୍ଭର ଆନନ୍ଦ; ମାତ୍ର ତୁମ୍ଭେ କେଡ଼େ ଅକୃତଜ୍ଞ !’’ ପକ୍ଷୀମାନଙ୍କର ବକ୍ତୁତା ଶୁଣି କୋଳି ଗଛଗୁଡିକ ବୋଧହୁଏ ନୀରବ ଭାଷାରେ କହିଲେ, ‘‘ପକ୍ଷୀମାନେ ଭଦ୍ରଲୋକ ନୁହନ୍ତି ଭଦ୍ରଲୋକ ସିନା ଭଦ୍ରଲୋକକୁ ଚିହ୍ନେ ! ହେ ଅଭ୍ୟାଗତ ନାରାୟଣମାନେ, ଆସି ଆମ୍ଭ ମୂଳରେ ବସ, ଆମ୍ଭେ ସୁଶୀତଳ ଛାୟା ଦାନ କରିବୁଁ, ପଲ୍ଲବବ୍ୟଜନୀରେ ବିଞ୍ଚିଦେବୁଁ ଏବଂ ମଧୁର ରସାତ, ପକ୍ୱ ଫଳ ଖାଇବାକୁ ଦେଇ ଅତିଥିସେବାରେ ଧର୍ମ ଉପାର୍ଜନ କରିବୁଁ । ତୁମ୍ଭମାନଙ୍କ ଶୁଭଗମନକୁ ଆମ୍ଭେମାନେ ସୌଭାଗ୍ୟର ଅନୁଗ୍ରହ ମଣୁଅଛୁଁ ।’’ କରୁଣାର ଏ ମଙ୍ଗଳ ଆହ୍ୱାନ ଆମ୍ଭେମାନେ ଉପେକ୍ଷା କରିପାରିଲୁ ନାହିଁ । ଏଣେ ସମୟାଭାବ, କଅଣ କରିବୁ ? ଯାହାହେଉ ତାହାର କୋଳିମାତ୍ର ଗ୍ରହଣ କରି ତାକୁ କୃତାର୍ଥ କଲୁଁ ଏବଂ ତାହାର ଅଭିନନ୍ଦନ ଗ୍ରହଣ କରି ଅଗ୍ରସର ହେଲୁ-। ଉନ୍ନତି କଠିନ; ମାତ୍ର ଅଧୋଗତି ଖୁବ୍ସହଜ । ଉପରୁ ଓହ୍ଲାଇବା ସହଜ ହେଲେହେଁ ଉପରକୁ ଉଠିବା ବଡ଼ କଠିନ । ଆମ୍ଭେମାନେ ଗଳଦ୍ଘର୍ମ ହେଲୁ । ପ୍ରଚଣ୍ଡ ଖରାରେ ଦେହ ଜଳିଗଲା । ମୁଁ ଆଉ ସହିପାରିଲି ନାହିଁ, ପଥ ମଧ୍ୟରେ ଛାୟା ଗହଳରେ ତସିପଡିଲି । ଓଃ, କି ଉତ୍ତାପ, ଗୁଳୁଗୁଳି ! ଭାବିଲି, ଆଉ କିଛିକ୍ଷଣ ଏହିପରି ଅତସ୍ଥାରେ ରହିଲେ ମୁଁ ବାଷ୍ପ ହୋଇ ଉଡିଯିବି । ସଙ୍ଗୀମାନେ ସୁଦ୍ଧା ଅବସନ୍ନ, ସମସ୍ତେ କ୍ଷୁତ୍ପିପାସାରେ ବ୍ୟାକୁଳ । ପର୍ବତକୁ ଉଠିବା ବେଳେ ରାକ୍ଷସୀ କ୍ଷୁଧା ଆକ୍ରମଣ କରେ । ସଙ୍ଗରେ ଚୁଡ଼ାଭଜା, ନବାଜ ଓ ପାଣି ଯାଇଥିଲା, ସମସ୍ତେ ସେଥିର ସଦ୍ବ୍ୟବହାର କଲୁଁ । ପର୍ବତ ତଳେ ଜଣେ ଲୋକକୁ ବଇଞ୍ଚି ପକାଉଥିବାର ଦେଖିଯାଇଥିଲୁ । ଜୟକୃଷ୍ଣ ବାବୁ ଖଲାସି ପଠାଇ ତାହା ପାଖରୁ ଦୁଇଟା ବଡ଼ ଖଙ୍ଗା ଓ ଭେକଟା ମାଛ ଅଣାଇଲେ । ପର୍ବତରୁ କାଠ ଭାଙ୍ଗି ତାହା ପୋଡ଼ାଗଲା । ସମସ୍ତେ ଖାଇଲୁ । ଦଗ୍ଧ ମତ୍ସ୍ୟ ପାଇ ଦଗ୍ଧୋଦର ସନ୍ତୁଷ୍ଟ ହେଲା । ମସଲା ନାହିଁ, ଲବଣ ନାହିଁ ତଥାପି, ମାଛପୋଡ଼ା ଉପାଦେୟ ହୋଇଥିଲା । ଏହା ହାତର ଗୁଣ ନା ସର୍ବଗ୍ରାସୀ କ୍ଷୁଧାର ଗୁଣ ?
‘‘ଯାବତ ନ ପୁରେ ଉଦର, ଚାବତ ଜ୍ଞାନ କାହିଁ ମୋର ?’’ ପେଟ ପୁରିଲା, ଏଣିକି ନାନା ଗୁଣ ବାହାରିଲା । ଖଲାସିମାନେ ଗୀତ ଗାଇ ଗାଇ ଗିରି ଲୁଣ୍ଠନରେ ନିଯୁକ୍ତି ହେଲେ । ମନରେ ଆନନ୍ଦ, ଶରୀରରେ ସ୍ଫୂର୍ତ୍ତ ଧରୁ ନାହିଁ । କିଏ ମେରଶିଙ୍ଗା ପତ୍ର ସଂଗ୍ରହରେ ଲାଗିଲା, କିଏ ହାଡଭଙ୍ଗା ଲତାର ହାଡ଼ ଭାଙ୍ଗି ତସିଲା । ଏ ଦୁଇଟି ପଦାର୍ଥର ତୈଲଙ୍ଗୀୟ ସମାଜରେ ଖୁବ୍ଆଦର । ସେଥିରେ ଚଟଣି ପ୍ରସ୍ତୁତ ହୁଏ । ମେରଶିଙ୍ଗା ପତ୍ରରେ ତରକାରୀ ବଘରା ହୁଏ । ତେଲୁଗୁ ଭାଷାରେ ଏହାର ନାମ ‘‘କରେପାକା’’, ସଂସ୍କୃତରେ ‘‘ମରୁଶୃଙ୍ଗା’’ । ମେରୁଶୃଙ୍ଗରେ ଜାତ ହେବାରୁ ଏରୂପ ନାମ ହୋଇଅଛି । ଅମ୍ଳପ୍ରିୟ ତୈଲଙ୍ଗୀୟମାନେ ଅମ୍ଳ ଶାକଫଳ ଅନ୍ୱେଷଣରେ ଲାଗିଲେ । କେହି ବାଉଁଶ ତାଡି ଖୋଜି ବୁଲିଲା । ଏହିପରି ସମସ୍ତେ ଗୋଟାଏ ଗୋଟାଏ ଉଦ୍ଦେଶ୍ୟ ସାଧନରେ ଲାଗିଲେ - କେହି ନିଷ୍କର୍ମ ହୋଇ ବସି ରହିଲା ନାହିଁ । ମୁଁ ଦୂରବୀକ୍ଷଣରେ ଦୂର ଦୃଶ୍ୟ ଦେଖିବାକୁ ଲାଗିଲି; ମାତ୍ର ପ୍ରଚଣ୍ଡ ରୌଦ୍ର ତେଜରେ ଚାରିଆଡ଼ ଧୂଆଁଟିଆ ହେତୁ କିଛି ସ୍ପଷ୍ଟରୂପେ ଦିଶିଲା ନାହିଁ । କେବଳ ପାରିକୁଦ ଉପକୂଳର ଶିପସ୍ତୁପମାନ ଶୁଭ୍ର ଦେଉଳ - ମାଳା ତୁଲ୍ୟ ଦୃଷ୍ଟିଗୋଚର ହେଲା । ତାହା ଚିଲିକା ସୁନ୍ଦରୀର ହୀରକ ପଦକହାର । ଖଲସିମାନେ ନିଜ ନିଜର ବାଞ୍ଛିତ ପଦାର୍ଥ ଘେନି ଆସିଲେ-। ମୋର କଅଣ ନେବାକୁ ଇଚ୍ଛା ବୋଲି ଜଣେ ମୋତେ ପଚାରିଲା । ଏ କି ଅଦ୍ଭୁତ ପ୍ରଶ୍ନ ! ଇଚ୍ଛା କି ସୀମାବଦ୍ଧ ? କୁବେର ଭଣ୍ଡାରରେ ପଶିଲେ କି କିଛି ଛାଡିଯିବାକୁ ଇଚ୍ଛା ହୁଏ ? ମୋର ତ ପର୍ବତଟାଯାକ ନେବାକୁ ଇଚ୍ଛା, କିନ୍ତୁ ନେଇପାରିବି କିପରି ? ମୁଁ କିଛି ନେବି ନାହିଁ । ତେବେ ପର୍ବତକୁ ଆସିଲେ କିଛି ହେଲେ ଗୋଟାଏ ନେବାକୁ ହେବ ବୋଲି ଯଦି ବାଧ୍ୟତାମୂଳକ ଆଇନ ଥାଏ, ତେବେ ଗୋଟାଏ କିଛି, ନେବାକୁ ମୋର ଆପତ୍ତି ନାହିଁ । ପର୍ବତ ଗାତ୍ରରେ କାଣ୍ଡଶର ବଣ ଯଥାତଥା ଅଛି, ତାହା କାଶତଣ୍ଡୀଜାତୀୟ ତୃଣବିଶେଷ । ଅକ୍ଷର ତସିବା ପାଇଁ ପିଲାମାନେ ପ୍ରଥମତଃ କାଣ୍ଡଶର କଲମରେ ଲେଖିବାକୁ ଅଭ୍ୟାସ କରନ୍ତି । ତାହାର ଆଦରସୌଭାଗ୍ୟ ସମ୍ପ୍ରତି ଲୌହ ଲେଖନୀ ଛଡ଼ାଇନେଇଅଛି । ପର୍ବତର କାଣ୍ଡଶର ବୁଦାମାନ ପୃଷ୍ପ ଧାରଣ କରି ପର୍ବତକୁ ଶୁକ୍ଳ ଚାମରରେ ବ୍ୟଜନ କରୁଅଛି । ମୁଁ ସେହିଥିରୁ ପେଣ୍ଡାଏ ଆଣିଥିଲି । ଖରା କ୍ରମଶଃ ପ୍ରଖର ହେବାରୁ ଆଉ ଉପରକୁ ନ ଯାଇ ପର୍ବତରୁ ଅବତରଣ କରିବାକୁ ହେଲା । ସମସ୍ତେ ଆସି ବୋଟ୍ରେ ବସିଲୁଁ । ବୋଟା ରମ୍ଭା ଅଭିମୁଖରେ ଯାତ୍ରା କଲା । ଆସିବାବେଳେ ଚିଲିକା କିଞ୍ଚିତ୍ନିଜ ରୂପ ଦେଖାଇଥିଲା । ପବନ ଟିକିଏ ଅଧିକ ହେବାରୁ ବଡ଼ ଲହରୀ ଉଠିଲା - ବୋଟଖଣ୍ଡି ଉଠପଡ୍ହେଲା; ଆମ୍ଭେମାନେ ସୁଖ - ଦୋଳାରେ ଦୋଳିତ ହେଲୁ । ଖଲାସିମାନେ ଖଲାସ ପାଇଲେ । ଅନୁକୂଳ ପବନରେ ବୋଟ୍ଚାଲିଲା । ଜଣେ ଗୀତ ଗାଇଲା, ଆଉ ସମସ୍ତେ ପାଳି ଧରିଲେ । ଗୀତ ବୁଝିହେଲା ନାହିଁ; କିନ୍ତୁ ସ୍ୱରଟି ବଡ଼ ମଧୁର । ଦକ୍ଷିଣଦେଶର ସୁର ବେଶ ବାସ୍ତବରେ ମଧୁର । ଶ୍ରମଜୀବୀମାନେ ଶ୍ରାନ୍ତ ହେଲେ ସଙ୍ଗୀତର ଆଶ୍ରୟ ଗ୍ରହଣ କରନ୍ତି । ସଙ୍ଗୀତର ମୋହରେ ସେମାନଙ୍କର ଶ୍ରାନ୍ତି ହରିଯାଏ । ଯଥାସମୟରେ ବୋଟ୍ଆସି ତୀରରେ ଲାଗିଲା, ମୁଁ ଓ ଜୟକୃଷ୍ଣ ବାବୁ ଉଭୟେ ବଙ୍ଗଳାକୁ ଆସିଲୁଁ ।
ଏଥର ମୁଁ ରମ୍ଭାରେ ଅନେକ ଦିନ ରହି ଅନେକ ଥର ଚିଲିକାରେ ଭ୍ରମଣ କରିଅଛି । ଚିଲିକା-ଭ୍ରମଣ ପ୍ରାୟଶଃ ମୋର ପ୍ରାତ୍ୟହିକ କାର୍ଯ୍ୟ ହୋଇଥିଲା । ପ୍ରତିଥର ମୁଁ ଚିଲିକାର ନୂତନ ବେଶ ଦେଖି ମୁଗ୍ଧ ହୋଇଅଛି । ଚିଲିକା ନିତ୍ୟ ନୂତନ ନୁହେଁ - କ୍ଷଣ ନୂତନ । ତାହାର ମହାଶୋଭାର ଦୃଶ୍ୟ ଅଙ୍କନ କରିବାକୁ ଅକ୍ଷମ । ଚିଲିକା - ଭ୍ରମଣରେ ମୋର ଯଥେଷ୍ଟ ଉପକାର ହେଲା; ଶରୀରର ଦୁର୍ବଳତା ଘୁଞ୍ଚିଗଲା - ମୁଁ ବହୁତ ଶକ୍ତି ଫେରି ପାଇଲି । ଚିଲିକାର ବାୟୁ ସ୍ୱାସ୍ଥ୍ୟକର, ଜଳ ଈଷତ୍ଳବଣାକ୍ତ; ମାତ୍ର ହିବଜନକ । ଚିଲିକା ଉତ୍କଳ - ଲକ୍ଷ୍ମୀଙ୍କର ଶୋଭାର ମାୟାପୁର ଏବଂ ସୌନ୍ଦର୍ଯ୍ୟର ଗନ୍ତାଘର । ଚିଲିକା ବାଣିଜ୍ୟର ପ୍ରଧାନ ସହାୟ - ଚିଲିକା ରତ୍ନାକର-। ଚିଲିକାରୁ ଶିପ ଶାମୁକା, ଶଙ୍ଖ, ମାଛ, ଶୁଖୁଆ, ପକ୍ଷିପର ଓ ପକ୍ଷୀ ବଷା ପ୍ରଭୃତି ବିଦେଶକୁ ଯାଏ । ପକ୍ଷିପର ମଧ୍ୟରେ ଏରା ପକ୍ଷୀର ପର ପ୍ରଧାନ । ସେଥିରେ ପାଶ୍ଚାତ୍ୟ ମହିଳାମାଙ୍କର ମୂଲ୍ୟବାନ୍ରମଣୀୟ ପରିଚ୍ଛଦ ପ୍ରସ୍ତୁତ ହୁଏ । ଦୁଇଜଣ ବଙ୍ଗାଳୀ ରମ୍ଭା ନିକଟସ୍ଥ ସାବେଳିଆ ଗ୍ରାମରେ ରହି ଚିଙ୍ଗୁଡି ଶୁଖୁଆର ବ୍ୟବସାୟ କରୁଅଛନ୍ତି; ଚିଙ୍ଗୁଡି ମାଛକୁ ଶୁଖାଇ ଖୋଳ ବାହାର କରି ବିଦେଶକୁ ପଠ ଉଅଛନ୍ତି । ଚିଙ୍ଗୁଡିର ସେହି ଶୁଷ୍କମାଂସରେ ବିଲାତରେ ଉପାଦେୟ ତରକାରୀ ପ୍ରସ୍ତୁତ ହୁଏ । ଚୋପା ଶସ୍ୟକ୍ଷେତ୍ରର ଉତ୍କୃଷ୍ଟ ସାର । ଚିଲିକା ମଧ୍ୟସ୍ଥ ପାହାଡମାନ ତହାର ଗୁପ୍ତ ରତ୍ନର ଗନ୍ତାଘର । ଗିରିଗର୍ଭରେ କଉଁଠାରେ ବି ରତ୍ନ ଲୁକ୍ବାୟିତ ଅଛି, ତାହା ବର୍ତ୍ତମାନ ଜଣାଯାଉ ନାହିଁ ମାତ୍ର ଭବିଷ୍ୟତ୍ଦିନେ ତାହା ନିଶ୍ଚୟ ଦେଖାଇଦେବ । ଲବଣ ଦ୍ୱାରା ଚିଲିକାରୁ କୁବେର ଭଣ୍ଡାର ମିଳୁଅଛି । ଚିଲିକା ଉତ୍କଳର ଗର୍ବଗୌରବ, ଉତ୍କଳର ସୁଷମା - ସମ୍ପଦର ମାନଦଣ୍ଡ ଏବଂ ଉତ୍କଳର ଅନ୍ୟତମ ପାବନ ତୀର୍ଥ । ତାହାର ମହିମା ତାହାରି ଜନକ ମହୋଦଧି ପରି ବିରାଟ-। ଚିଲିକା ଉତ୍କଳ ମସ୍ତକର ସୌଭାଗ୍ୟର ରାଜଟିକା । ଉତ୍କଳ ଭାରତମାତାର ଆଦରିଣୀ ରାଜଜେମା, ଚିଲିକା ସେ ମହିମିତା ରାଜକନ୍ୟା-ମସ୍ତକର ଉପଯୁକ୍ତ ଜ୍ୟୋତିର୍ମୟ ଦୋଦୁଲ୍ୟ ହୀରକ କିରୀଟ ।
ଚିଲିକା ଭିତରକୁ ମୁଁ ୨୪ ମାଇଲ ପର୍ଯ୍ୟନ୍ତ ଯାଇ ଅଛି । କେଉଁ ଦିନ ମାଇଲ, କେବେ ୭ ମାଇଲ, କେବେ ଦଶମାଇଲ ପର୍ଯ୍ୟନ୍ତ ଯାଇ ଫେରି ଆସିଅଛି, ଆଉ କେବେ ବା ଦୀର୍ଘ ଭ୍ରମଣ କରିଅଛି । ଦୁଇଥର ବରକୁଦା ଯାଇଅଛି । ଶେଷ ଥର ଚିଲିକା ଆଶ୍ରମରେ ରାତ୍ରି ଯାପନ କରିଥିଲି-। କାନକୁଟୁରୀ ଉପଦ୍ରବରେ ବଙ୍ଗଳା ମଧ୍ୟରେ ରହିହେଲା ନାହିଁ - ବାରନ୍ଦାରେ ଶୋଇଲି । ଏଥର ମୃଗ ଦେଖିଥିଲି, ମଧ୍ୟାହ୍ନ ସମୟରେ ଦଳ ଦଳ ହୋଇ ବଙ୍ଗଳା ପାଖରେ ଚରୁଥିଲେ । କେତୋଟି ବଙ୍ଗଳା ବାରନ୍ଦାରେ ଶୋଇ ରୋମନ୍ଥରେ ନିଯୁକ୍ତ ଥିଲେ; ମାତ୍ର ସନ୍ଧ୍ୟା ପୂର୍ବରୁ ସମସ୍ତେ ବନ ଭିତରକୁ ଚାଲିଗଲେ ।
ଚିଲିକାରେ ଅନେକ ସମୁଦ୍ର ଚିଲ ଅଛନ୍ତି । ଇଂରାଜିରେ ଏମାନଙ୍କୁ ଇଗଲ କହନ୍ତି । ଏହି ଚିଲର ବହୁଳତା ହେତୁ ଚିଲିକା, କି ହ୍ରଦର ଆକାର ଚିଲ୍ଲୀ (ଭ୍ରୁଲତା) ପରି ବକ୍ର ହେତୁ ଚିଲିକା ନାମ ହୋଇଅଛି ତାହା କିଏ କହିପାରିବ ? ଅଥବା ଉତ୍କଳର ଏହା ଶୋଭା - ତିଳିକା; ସେହି ତିଳିକାରୁ ଚିଲିକା ହୋଇଅଛି । ଏସବୁ ଅନୁମାନସିଦ୍ଧ, ପ୍ରକୃତ କାରଣ ପତ୍ନତତ୍ତ୍ୱବିଶାରଦ ପାଠକମାନେ ନିର୍ଣ୍ଣୟ କରନ୍ତୁ ।
ଚିଲିକା - ଭ୍ରମଣ ସମୟରେ ଖଲ୍ଲିକୋଟର ସ୍ୱର୍ଗତା ମହାମନସ୍ୱିନୀ ମହାରାଣୀ କନକମଞ୍ଜରୀ ଦେବୀ ମୋତେ ଆଶାତୀତ ସାହାଯ୍ୟ ପ୍ରଦାନ କରିଥିଲେ । ତାଙ୍କର ସାହାଯ୍ୟ ସହାନୁଭୁତି ଲାଭ କରି ନ ଥିଲେ ଚିଲିକାର ମହାଦୃଶ୍ୟ ମୁଁ ଦେଖିପାରି ନ ଥାନ୍ତି ଏବଂ ମୋର ଗୋଟାଏ ଆବାଲ୍ୟପୋଷିତ ଅଧୀର ଆକାଙ୍କ୍ଷା ଅପୂର୍ଣ୍ଣ ରହିଯାଇଥାନ୍ତା । ସୁନାମଧନ୍ୟା, ପୁଣ୍ୟପ୍ରାଣା ମହାରାଣୀ ମହୋଦୟା ଚିଲିକା ଭ୍ରମଣର ଉପଯୁକ୍ତ ସୁବିଧା କରିଦେଇ ମୋତେ ଅନୁଗୃହୀତ କରିଥିବାରୁ ମୁଁ ତାଙ୍କ ନିକଟରେ ଆଜୀବନ କୃତଜ୍ଞ ।
କେତେକ ବର୍ଷ ପୂର୍ବରେ ମୁଁ ଚିଲିକା - ଭ୍ରମଣ ଲେଖିଥିଲି । କାଳୀଜୟୀ ଗିରିର ବିବରଣ ଲେଖି ପ୍ରବନ୍ଧଟି ସମାପ୍ତ କରିବାର ବାସନା ଥିଲା, କିନ୍ତୁ ସେ ସମୟରେ କାଳୀଜୟୀ ଯିବାକୁ ସୁବିଧା ଘଟିଲା ନାହିଁ । ତହିଁ ପରେ ଦୁଇ ଥର ଚେଷ୍ଟା କରିଥିଲି; ମାତ୍ର ପ୍ରକୃତିର ଭୀଷଣତା ପ୍ରତିଥର ଚେଷ୍ଟାରେ ଅନ୍ତରାୟ ଘଟାଇଥିଲା । ଦୁଇଥର ଯାକ ବୃଷ୍ଟିବାତ୍ୟାର ନିଷେଧାଜ୍ଞା ମୋ ପ୍ରତି ପଦତ୍ତ ହୋଇଥିଲା । ଥରେ ରମ୍ଭାରେ ଏକ ସପ୍ତାହ କାଳ ଅପେକ୍ଷା କରି ଫେରି ଆସିଲି । ଚିଲିକା ଶାନ୍ତ ନ ହେବା ପର୍ଯ୍ୟନ୍ତ ନାବିକମାନେ ନାବ ନେବାକୁ ମନାକଲେ । କେହି କେହି ଭୟ ଦେଖାଇ କହିଲେ, କାଳଜୟୀ ଗଣ୍ଡରେ ତରଙ୍ଗର ଏରୂପ ଉତ୍କ୍ଷିପ୍ତ ଗତି ଯେ, ସେ ସ୍ଥାନରେ ପ୍ରବେଶମାତ୍ରେ ନୌକା ମଗ୍ନ ହୋଇଯିବ । ହାୟ, ଯେଉଁ ଉତ୍କଳୀୟ ନାବିକମାନେ କରାଳତରଙ୍ଗାକୁଳିତ ଅଗାଧ ବାରିଧିବକ୍ଷ ଭେଦ କରି ସୁଦୂର ବିଦେଶରେ ବାଣିଜ୍ୟ କରୁଥିଲେ, ତାଙ୍କର ବଂଶଧରମାନେ ଚିଲିକାର ଖଣ୍ଡିଏ ଦ୍ୱୀପକୁ ଯିବାକୁ ଭୀତ ! କାପୁରୁଷୋଚିତ ଏହି ଭୀରୁତା, ଏହି କ୍ଳୀବତା କାହୁଁ ଆସିଲା ? କେବଳ ବିଷାଦ - ବ୍ୟଞ୍ଜୀ ଦୀର୍ଘଶ୍ୱାସ ଭିନ୍ନ ଏ ପ୍ରଶ୍ନର ଉତ୍ତର ଆଉ କଅଣ ଅଛି ? ଯାହାହେଉ ସେମାନଙ୍କ ଭୟପ୍ରଦର୍ଶନରେ ମୋର ଦିଦୃକ୍ଷା ବିରାମ ନ ଭଜି ପ୍ରତ୍ୟୁତ ବହୁଗୁଣିତ ହେଲା; କିନ୍ତୁ ଉପାୟ ନାହିଁ । ଏଣେ ଉଦ୍ବେତ ଆକାଙ୍କ୍ଷା ସମ୍ଭାଳିହେଲା ନାହିଁ । ତହୁଁ ଭାବିଲି, ବିଧାବା ମନୁଷ୍ୟକୁ ଅନେକ ସ୍ୱାଧୀନତା ଦେଇ ଅଛି; ମାତ୍ର ସ୍ୱାଧୀନତା ଦେଇ ନାହିଁ । ଗତ ବିଷୟରେ ପକ୍ଷୀମାନଙ୍କର ସ୍ୱାଧୀନତା ଅପେକ୍ଷାକୃତ ପୂର୍ଣ୍ଣାଙ୍ଗ । ମାନବକୁ ଯୋଡ଼ାଏ ପକ୍ଷ ଦେଇଥିଲେ ବିଧାତାର କଅଣ ବା କ୍ଷତି ହୋଇଯାଇଥାଆନ୍ତା ? ଅଭାବ ରଖିବାଟା ଯେପରିକି ଯେତେ ତାହାର ଚିରନ୍ତନ ସ୍ୱଭାବ । ମନ୍ଦାର ଫୁଲରେ ଗନ୍ଧ ନାହିଁ, ସୁବର୍ଣ୍ଣରେ ରସ ନାହିଁ, ସଙ୍ଗୀତର ରୂପ ନାହିଁ, ଏହିପରି ତାହାର ପ୍ରତ୍ୟେକ ସୃଷ୍ଟି ପଦାର୍ଥରେ ଅଭାବ ବିଦ୍ୟମାନ । ଏହି ସମୟରେ କିଏ କେଉଁ ଅଜ୍ଞାତ ସ୍ଥାନରୁ ରୁଷ୍ଟ ସ୍ୱରରେ କହିଲା, କିଏ ରେ ତୁ ମାନବ - ଦୁର୍ବଳ ଦୁର୍ବୁଦ୍ଧି ହୀନସତ୍ତ୍ୱ ମାନବ ! ବିଧାତାଙ୍କ କାର୍ଯ୍ୟର ସମାଲୋଚନା - ସାହସ ଆସ୍ପର୍ଦ୍ଧା ତ ଊଣା ନୁହେଁ । ଏହି ନୀରବ ଗର୍ଜ୍ଜନ ଶୁଣି ମୋର କଳ୍ପନା ତୁଟିଗଲା, ଚେତନା ଆସିଲା; ଭାବିଲି - ଏହା ତ ଯଥାର୍ଥ କଥା । ଯାହାକୁ ଧ୍ରୁବ, ଶିବ, ସତ୍ୟ କହନ୍ତି, ତାହାହିଁ କ୍ଷୁଦ୍ର ପ୍ରାଣ ମାନବ ହୋଇ ଅନନ୍ତଭୂମା ବିଶ୍ୱବିଧାତା ବିଧାତୃ - ବିଧାନର ସମାଲୋଚନାରେ ପ୍ରବୃତ୍ତ ହେବା । ହାସ୍ୟାସ୍ପଦ ସିନା ! କାହିଁକି କେଜାଣି କାଳୀଜୟୀର ପ୍ରକୃତଲକ୍ଷ୍ମୀ ସେ ସମୟରେ ନିଜର ଶୋଭା ଦେଖାଇବାକୁ ଏକାନ୍ତ ପରାଙ୍ମୁଖ, ତାହା ସେହି ଜାଣନ୍ତି । ଶେଷରେ ଅପୂର୍ଣ୍ଣ ଆକାଙ୍କ୍ଷାର ଦୁର୍ବହ ଗୁରୁଭାର ମସ୍ତକରେ ବହନ କରି ହତାଶ ପ୍ରାଣରେ ରମ୍ଭାରୁ ଫେରି ଆସିବାକୁ ବାଧ୍ୟ ହେଲି ।
ଅନନ୍ତର କେତେକ ବର୍ଷ ଅତୀତ ହେଲା, କେତେ ପରିବର୍ତ୍ତନ ଘଟିଲା; ମାତ୍ର ମୋର ସେହି ବ୍ୟଗ୍ର ଦୁର୍ବାର ଲାଳସାର କୌଣସି ପରିବର୍ତ୍ତନ ଘଟିଲା ନାହିଁ । ସ୍ଥୈର୍ଯ୍ୟ ଅପେକ୍ଷା ସ୍ପନ୍ଦନ ଶ୍ରେୟ, ଏହା ଭାବି ତୃତୀୟ ଥର ଚେଷ୍ଟାରେ ପ୍ରବୃତ୍ତି ହେଲି । ଖଲ୍ଲିକୋଟ ଓ ଆଠଗଡ଼ର ଉଚ୍ଚ ଶିକ୍ଷାଧୀନ ରାଜା ଶ୍ରୀଯୁକ୍ତ ରାମଚନ୍ଦ୍ର ମର୍ଦ୍ଦରାଜଦେବ ମହୋଦୟଙ୍କୁ କାଳୀଜୟୀ ଯାତ୍ରାର ସୁବିଧା କରାଇଦେବା ସକାଶେ ଖଣ୍ଡିଏ ଅନୁରୋଧ - ପତ୍ର ଲେଖିଲି । ହୃଦୟବାନ୍ରାଜା ମହୋଦୟ ପତ୍ରଦ୍ୱାରା ମୋତେ ଆହ୍ୱାନ କରିବାରୁ ମୁଁ ୩୦। ୪ । ୧୯ ତାରିଖରେ ରମ୍ଭା ଅଭିମୁଖରେ ଯାତ୍ରା କଲି । ସଙ୍ଗରେ ମୋର ଚିରଜୀବନର ସଙ୍ଗୀ, ଦୁଃଖଦାରିଦ୍ର୍ୟର ସଙ୍ଗୀ, ସ୍ନେହର ଅନୁଜ କେବଳ ଥିଲା ବ୍ରହ୍ମପୁର ଷ୍ଟେଶନଠାରୁ ରେଳଗାଡିରେ ଏପରି ଭିଡ଼ ହେଲା ଯେ, ଅନେକଙ୍କୁ ଅଗତ୍ୟା ଠିଆହୋଇ ରହିବାକୁ ହୋଇଥିଲା । ଘମୁଷରବାସୀ ଦୁର୍ଭିକ୍ଷପୀଡିତ ଲୋକମାନେ ସପରିବାର ଆସାମ ଯାଉଅଛନ୍ତି; ସେହିମାନଙ୍କ ଦ୍ୱାରା ରେଲଗାଡି ପୂର୍ଣ୍ଣ । ସେମାନଙ୍କ ସଙ୍ଗରେ ଦୁଇ ତିନି ମାସର ଶିଶୁ ସୁଦ୍ଧା ଥିବାର ଦେଖାଗଲା । ଲୋକଗୁଡିକ କି ଶୀର୍ଣ୍ଣ । ଶରୀରର ଅସ୍ଥିଶିରା ଗଣି ହେଉଅଛି । ଯେମନ୍ତ କି ସେମାନେ ଚିରରୋଗୀ ରାଜ୍ୟର ଆଜନ୍ମରୋଗୀ ପ୍ରଜା ଅଥବା ବିଧାତା ମନୁଷ୍ୟ ଗଢିବା ସକାଶେ ଛାଞ୍ଚ ବାନ୍ଧିଅଛି । ହାୟ, ମାନବର ସେଗୁଡିକ କି ବିକୃତ ସଂସ୍କରଣ ! ସେ ମୂର୍ତ୍ତି ଦେଖିଲେ ନିତାନ୍ତ ପାଷାଣ ହୃଦୟରେ ସୁଦ୍ଧା ସ୍ୱତଃ ଦୟା ଜାତ ହେବ ଏବଂ ନୀରସ ନେତ୍ର ଅଶ୍ରୁପୂର୍ଣ୍ଣ ହେବ । ସ୍ଥାନାଭାବରୁ ଶିଶୁଗୁଡିଙ୍କୁ କଷ୍ଟଭୋଗ କରୁଥିବାର ଦେଖି ମୋର ଅନୁଜ ଲୋକମାନଙ୍କୁ ଘୁଞ୍ଚାଇ ସେମାନଙ୍କର ଟିକିଏ ସୁବିଧା କରିଦେଲା । ତହୁଁ ସେମାନଙ୍କ ପିତାମାତାଙ୍କର କୃତଜ୍ଞତା କହିଲେ ସରିବ ନାହିଁ । ଦୁଃଖିପ୍ରାଣ ବିନ୍ଦୁଏ ସହାନୁଭୁତି ପାଇଲେ ସିନ୍ଧୁଏ କୃତଜ୍ଞତା - ସୁଧା ଢାଳିଦିଏକ । ଦୁଃଖ କେବଳ ତେତିକି ଖୋଜେ, ତେତିକି ପାଇଲେ ସ୍ୱର୍ଗପ୍ରାପ୍ତି ମଣେ । ସେମାନେ ପ୍ରାଣ ଖୋଲି ଆମ୍ଭମାନଙ୍କ ସଙ୍ଗେ କଥାବାର୍ତ୍ତା କଲେ । ଅନ୍ୟ କିଛି କଥା ନୁହେଁକେବଳ ସେମାନଙ୍କର ଦାରୁଣ ଦୁଦ୍ଦୈର୍ବର କଥା । ସେ ବିଷାଦ - କାହାଣୀ ଲେଖିହେବ ନାହିଁ - ଲେଖିଲେ ମଧ୍ୟ ରକ୍ତମାଂସଦେହୀ ମନୁଷ୍ୟ ତାହା ପଢି ଧୈର୍ଯ୍ୟ ଧରିପାରିବ ନାହିଁ । ଗୋଟିଏ କଥା କହିଲେ ଯଥେଷ୍ଟ ହେବ, କେଉଁଠିକି ଯିବ ବୋଲି ପଚାରିବାରୁ ଜଣେ କହିଲା, ‘‘ବାବୁ, ଆମ୍ଭେମାନେ ମରିବାକୁ ଯାଉଅଛୁଁ; ଏଠି ଥିଲେ ବି ମରନ୍ତୁ, ମରଣକୁ ଖୋଜି ଖୋଜି ସେଠିକି ଯାଉଅଛୁ ।’’ ଆଉ ଜଣେ କହିଲା, ‘‘ମୋର ଶତାଧିକ ଭରଣର ଭୂମି ଅଛି । ଛଅ ହଳ ବଳଦର ଚାଷ କରେ, ତାହା ସବୁ ଛାଡି ଏ ଜନ୍ମ ସକାଶେ ଯାଉଅଛି ବାବୁ ! ଉପବାସ କଷ୍ଟ ଅପେକ୍ଷା ମୃତ୍ୟୁ କି ସହସ୍ର ଗୁଣେ ଶ୍ରେୟ ନୁହେ ! ମାତ୍ର ତାହା ହେଉଛି ବା କାହିଁ ?’’ ଏଥି ଉତ୍ତାରୁ ବୋଧହୁଏ ଆଉ କେହି ଅଧିକ ଶୁଣିବାକୁ କରିବେ ନାହିଁ କ୍ଳାନ୍ତ ପଥିକ ପରି ରେଲଗାଡି ସ୍ଥାନେ ସ୍ଥାନେ ବିଶ୍ରାମ କରି ଅଗ୍ରସର ହେଉଥାଏ; ମାତ୍ର ମୋର ସେ ଆଡ଼କୁ ଲକ୍ଷ୍ୟ ନ ଥିଲା । ମୁଁ ସେହି ହତଭାଗ୍ୟ ସ୍ୱତଃଦେଶାନ୍ତରିତ ଦୁର୍ଭିକ୍ଷପୀଡିତ ଲୋକମାନଙ୍କ କଥାରେ ଏକାନ୍ତ ତନ୍ମୟ ଥିଲି ।
ରାତ୍ରି ୭ଘଣ୍ଟା ସମୟରେ ରମ୍ଭାରେ ରେଲଗାଡି ପହଞ୍ଚିଲା । ପୂର୍ବରୁ ଶ୍ରୀଯୁକ୍ତ ଜୟକୃଷ୍ଣ ଚ୍ୟାଉପଟନାୟକ ଖଣ୍ଡିଏ ଯାନ ଘେନି ରମ୍ଭା ଷ୍ଟେଶନରେ ଉପସ୍ଥିତ ଥିଲେ । ତାଙ୍କଠାରୁ ଶୁଣିଲି, ମୋତେ କାଳୀଜୟୀ ଦେଖାଇ ଆଣିବାର ଏବଂ ପରିଚର୍ଯ୍ୟା କରିବାର ଭାର ମାନନୀୟ ରାଜା ମହୋଦୟ ତାଙ୍କରି ଉପରେ ନ୍ୟସ୍ତ କରିଅଛନ୍ତି । ଉପଯୁକ୍ତ ଅନ୍ତରଙ୍ଗ ବନ୍ଧୁଙ୍କର ସାହଚର୍ଯ୍ୟ ଲାଭ କରି ଅନବଦ୍ୟ ଆନନ୍ଦ ଉପଭୋଗ କରି । ଶିଷ୍ଟାଚାର, ମିଷ୍ଟମମ୍ଭାଷଣ ପରେ ସମସ୍ତେ ରମ୍ଭା - ବଙ୍ଗଳା ଅଭିମୁଖରେ ଯାତ୍ରାକଲୁ । ଅନ୍ଧକାର ରାତ୍ରି ପ୍ରକୃତିର ଶିଶୁକନ୍ୟା ଚିଲିକା ମାତୃକୋଳରେ କୃଷ୍ଣ ପଣତ ଘୋଡ଼େଇହୋଇ ଶୋଇ ପଡିଅଛି । ସୁତରାଂ ତାହାର ଚିର ଅପାଶୋରା ମଧୁର ମାଧୁରୀର ପୁଣ୍ୟାମୃତ ରସଭୋଗ ଭାଗ୍ୟରେ ଘଟିଲା ନାହିଁ । ସମସ୍ତେ ଯଥାସ୍ଥାନରେ ଉପସ୍ଥିତ ହେଲୁଁ । ଜୟକୃଷ୍ଣ ବାବୁଙ୍କ ଆଦେଶରେ ପୂର୍ବରୁ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ ହୋଇ ରହିଥିଲା । କିଛିକ୍ଷଣ ବିଶ୍ରାମ ପରେ ସେଥିରେ ସଦ୍ବ୍ୟବହାର କରି ଶଯ୍ୟାର ଆଗ୍ରହ ଆମନ୍ତ୍ରଣ ଗ୍ରହଣ କରିବାକୁ ହେଲା-।
୧୫ । ୧୯ - ପ୍ରାତଃକୃତ୍ୟ ଶେଷ କରି ଜୟକୃଷ୍ଣ ବାବୁଙ୍କ ଅଫିସ୍ଗୃହରେ ବସି ଚିଲିକାର ଶୋଭା ଦେଖିବାକୁ ଲାଗିଲି । ଆଜି ଚିଲିକାର ଜଳ ବହୁଦୂର ପର୍ଯ୍ୟନ୍ତ ମାଡି ଆସିଅଛି ଏବଂ ମେଘାବରଣ ହେତୁ ସ୍ୱଭାବସୁନ୍ଦରୀ ଚିଲିକା ନୂତନ ବେଶରେ ସଜ୍ଜିତ ହେଉଅଛି । ପବନ ଧୀରେ ଧୀରେ ପ୍ରବାହିତ ହେଉଅଛି । ଚିଲିକା ଅଙ୍ଗପ୍ରସାଧନ ବେଣୀବିନ୍ୟାସ ପ୍ରଭୃତି ନୀତିରେ ନିଯୁକ୍ତ । ବସନ୍ତ ଯାଇଅଛି; ମାତ୍ର ତାହାର ବିଭବ ରଖିଯାଇଅଛି । ସେହି ମହାର୍ହ ବିଭବରାଶିରେ ଦିଗ ଆଲୋକିତ ଓ ମହିମିତ । ପର୍ବତମାନେ ପକ୍ଷଦୂତ ପେଷି ପରସ୍ପରକୁ ପ୍ରୀତି ସଙ୍ଖୋଳା ଜଣାଉଅଛନ୍ତି । କୋକିଳ ‘କୁ‘ ‘କୁ’ କହି କାହାକୁ ଭର୍ତ୍ସନା କରୁଅଛି । ହଳଦୀବସନ୍ତ ‘କୁ - କେ - ଗୋ’, ‘କୁ - କେ - ଗୋ’ କହି ତାହାକୁ ବାରମ୍ବାର ପଚାରୁଅଛି । କୋକିଳ ସେ କଥାରେ କର୍ଣ୍ଣଦାନ ନ କରି ଏକମନରେ ତିରସ୍କାର ବୃଷ୍ଟି କରୁଅଛି । ସେ ଅମୃତବୋଳା ତିରସ୍କାର ବୃଷ୍ଟି କରୁଅଛି । ସେ ଅମୃତବୋଳା ତିରସ୍କାର କେଉଁ ଭାଗ୍ୟଧରର ପ୍ରାପ୍ୟ, ତାହା କିଏ କହିବ ? ଘଣ୍ଟଶିଳାଚୂଳରେ ପକ୍ଷୀ ନବହତ ବସିଅଛି । ଚିଲିକା - ବକ୍ଷ - ବିହାରୀ ପବନ ସେହି ମଙ୍ଗଳ ମଧୁର ପୁଣ୍ୟସ୍ୱର ବହିଆଣି ରମ୍ଭାରେ ବିତରଣ କରୁଅଛି । ନଭ - ଯତି ଘନ - ବିଭୁତି ବୋଳିହୋଇ ଗମ୍ଭୀର ଯୋଗସାଧନାରେ ନିମଗ୍ନ । ରବି କ୍ରୋଧ - ଲୋହିତ ମୂର୍ତ୍ତି ଧରି ଭବିତ ହେଲେ ଘନଯୁଥ ତାଙ୍କର ଗତିପଥ ଆକ୍ରମଣ କରିଅଛନ୍ତି; ସୁତରାଂ କ୍ରୁଦ୍ଧ ହେବା ସ୍ୱାଭାବିକ । ସେ କିରଣ - ବାଣରେ ଘନକଳେବର ତୁଳା ଭଣିଲା ପରି ହନ୍ନିବିଚ୍ଛିନ୍ନ କରିଦେଲେ । ବହୁ ଘନସୈନ୍ୟ ନିପାତ ହେଲେ । ଅବଶିଷ୍ଟ ପୁଷ୍ଠ ପ୍ରଦର୍ଶନପୂର୍ବକ ପଳାଇଗଲେ । ପ୍ରକୃତି - ଦେବୀ ଆକାଶରେ କୁହୁକ ବିସ୍ତାର କଲେ । ଆକାଶ ବିବିଧ ବର୍ଣ୍ଣରେ ରଞ୍ଜିତ ହେଲା । କେଉଁ ଅଂଶ ରୌପ୍ୟବର୍ଣ୍ଣ, କେଉଁ ଅଂଶ ସ୍ୱର୍ଣ୍ଣତର୍ଣ୍ଣ, କେଉଁ ଅଂଶ ପ୍ରବାଳବର୍ଣ୍ଣ, କେଉଁ ଅଂଶ ମରକତ ବର୍ଣ୍ଣ; ଆଉ କେତେ ଅଂଶ କେତେ ଅପୂର୍ବ ନବୀନ ବର୍ଣ୍ଣ ଧାରଣ କଲା, ସେ ବର୍ଣ୍ଣର ସଂଜ୍ଞା ବର୍ଣ୍ଣକୋଷରେ ନାହିଁ । ସେ ବର୍ଣ୍ଣମାନଙ୍କର ନାମକରଣ କୋଷ - କର୍ତ୍ତାର ଅସାଧ୍ୟ । କ୍ଷଣକ ମଧ୍ୟରେ ସବୁ ରଙ୍ଗ କେଉଁ ଆଡ଼େ ଉଭେଇଗଲା । ଅନମ୍ବର ଦିଗମ୍ବର ମୁର୍ତ୍ତି ଧାରଣ କଲା । ଚିଲିକା ଅତୀତ ଇତିହାସର ବିଶାଳ ପୃଷ୍ଠା ପ୍ରାୟ ବିସ୍ତୃତ ଦିଶିଲା । ସୂର୍ଯ୍ୟକିରଣରେ ତାହାର ଜଳରାଶି ଢଳ ଢଳ ଲାବଣ୍ୟ ବିସ୍ତାର କଲା । ସେ ଦ୍ୟୁଲୋକଦୁର୍ଲ୍ଲଭ ଅମରଲୋଡିତ ସୌନ୍ଦର୍ଯ୍ୟ ମହିମାରେ ଚିଲିକା ନିଜେ ମୁଗ୍ଧ ହୋଇ ହସି ଉଠିଲା । ସେ ହାସ୍ୟ ସୁଖସ୍ମୃତି ପ୍ରାୟ ବଡ଼ ମଧୁର ଓ ମୋହକର । ସେହି ସୁଷମା ଓ ହାସ୍ୟ ଦେଖି ସୁଷମା - ସେବକମାନେ ଚିଲିକାକୁ ନିଶ୍ଚୟ ନିଖିଳ ସୁଷମାବତୀ ଅମରାବତୀର ନୀର - ସଂସ୍କରଣ ମଣିବେ । ଚିଲିକା ଉପରେ ଦଳେ ପକ୍ଷୀ ଉଡିଗଲେ । ସାଧୁ ହୃଦୟରେ ଲାଳସାର ଛାୟାପାତ ପ୍ରାୟ ସାମାନଙ୍କର ଛାୟା ଚିଲିକା ବକ୍ଷରେ ପଡି ମୁହୁର୍ତ୍ତକରେ ଅନ୍ତର୍ହିତ ହୋଇଗଲା । ଚିଲିକା । ମଧ୍ୟରେ ଅନେକ ଦ୍ୱୀପ ଅଛି । ସେଗୁଡିକ ଚିଲିକାର ହୈମସିଂହାସନ । ପ୍ରତିଭାଧନ୍ୟ ମହାଜନ ପ୍ରାୟ ସେ ନିଜ ଶକ୍ତିରେ ନିଜର ସିଂହାସନ ପ୍ରତିଷ୍ଠା କରିଅଛି ।
ବର୍ତ୍ତମାନ ବୈଶାଖ ମାସ; ସର୍ବତ୍ର ପ୍ରଚଣ୍ଡ ଖରା; ମାତ୍ର ଚିଲିକା ପ୍ରସାଦରୁ ରମ୍ଭା ଚିରଶୀତଳ । ରମ୍ଭାରେ ସବୁଦିନେ ଫାଲ୍ଗୁନ ମାସ । ପତ୍ର ଲେଖା ଓ ସମ୍ବାଦପତ୍ର ପାଠ ପ୍ରଭୃତିରେ ମଧ୍ୟାହ୍ନ ଅତିବାହିତ ହେଲା । ରମ୍ଭାନିବାସୀ ଚାରିଜଣ ଛାତ୍ର ଆସି ଉପସ୍ଥିତ ହେଲେ । ସେମାନେ ଖଲ୍ଲିକୋଟ ସେକେଣ୍ଡରୀ ସ୍କୃଲରେ ପଢନ୍ତି । ସେମାନଙ୍କୁ ସଙ୍ଗରେ ଘେନି ଚିଲିକାକୂଳକୁ ବୁଲିବାକୁ ଗଲି । ମୁଁ କର୍ମସୂତ୍ରରେ ଅଠରବର୍ଷ କାଳ ଛାତ୍ରମାନଙ୍କ ସଙ୍ଗରେ କଟାଇଅଛି, ସୁତରାଂ ଛାତ୍ରମାନଙ୍କର ସରଳ ପବିତ୍ର ବ୍ୟବହାର ମୋତେ ବଡ଼ ମଧୁର ଓ ପ୍ରୀତିପ୍ରଦ ବୋଧହୁଏ । ଛାତ୍ରଜୀବନର ଉଲ୍ଲାସ, ସାହସ, ପ୍ରଫୁଲ୍ଲତା କେବେ କି କେହି ଭୁଲିପାରେ ? ଯାଉଁ ଯାଉଁ କଥାଛଳରେ ସେମାନଙ୍କୁ ମାତୃ - ସାହିତ୍ୟ, ଇତିହାସ ଓ ସ୍ଥାନୀୟ ଭୁଗୋଳସମ୍ବନ୍ଧୀୟ ଅନେକ ପ୍ରଶ୍ନ କରିଥିଲି । ଆଶ୍ଚର୍ଯ୍ୟର ବିଷୟ, ସେମାନେ ଗୋଟାଏ ପ୍ରଶ୍ନର ସଦୁତ୍ତର ଦାନରେ ସୁଦ୍ଧା ଅକ୍ଷମ ହୋଇ ନାହାନ୍ତି । ବିଶେଷତଃ ଜୟକୃଷ୍ଣ ବାବୁଙ୍କ ଦ୍ୱାଦଶବର୍ଷବୟସ୍କ ପୁତ୍ର ଶ୍ରୀମାନ୍ଜଗନ୍ନାଥ ଓ ଶ୍ୟାମସୁନ୍ଦର ନାମକ ଗୋଟିଏ କରଣ ପିଲା ସାହିତ୍ୟରେ ଯଥାଯୋଗ୍ୟ ଉପଯୁକ୍ତ ବୋଧ ହେଲେ । ଖଲ୍ଲିକୋଟ ସ୍କୁଲରେ ମାତୃଭାଷା ଶିକ୍ଷା ପ୍ରକୃତଭାବରେ ଦିଆଯାଉଥିବାର ପ୍ରମାଣ ପାଇ ମୁଁ ପରମାନନ୍ଦିତ ହେଲି । ସ୍କୁଲର ଓଡିଆ ପଣ୍ଡିତ ମୋର ପରିଚିତ ନୁହନ୍ତି । ସେ ହେଉନ୍ତୁ; ମାତ୍ର ତାଙ୍କର ଶିକ୍ଷାଦାନ - ପ୍ରଣାଳୀ ଉତ୍କୃଷ୍ଟ, ଏହା ଅବଶ୍ୟ ସ୍ୱୀକାର୍ଯ୍ୟ । ଜୟକୃଷ୍ଣ ବାବୁଙ୍କ ଭ୍ରାତୃପୁତ୍ର ଶ୍ରୀମାନ୍ଶ୍ରୀନିବାସ ମଧ୍ୟ ସଙ୍ଗରେ ଯାଇଥିଲେ । କାହିଁକି କେଜାଣି, ଶ୍ରୀନିବାସ ମୋ ପ୍ରତି ଅତିରିକ୍ତ ଭକ୍ତି ପ୍ରଦର୍ଶନ କରି ମୋତେ ଲଜ୍ଜିତ କରାଇଲେ । ରମ୍ଭାରେ ସେହି କେବଳ ଜଣେ ସାଧାରଣ ହିତୋତ୍ସାହୀ; ତାଙ୍କ ଯତ୍ନରେ ଗାଟିଏ ସମିତି ସ୍ଥାପିତ ହୋଇଅଛି । ସଥିରେ ସାଧାରଣଙ୍କର ଅଭାବ ଅସୁବିଧା ଆଲୋଚିତ ହୁଏ । ଶ୍ରୀନିବାସ ଅନେକ ଔଷଧ ଅଣାଇ ବିନାମୂଲ୍ୟରେ ବିତରଣ କରନ୍ତି । ଏହା ଅବଶ୍ୟ ତାଙ୍କ ବଂଶଗୌରବର ପରିପୋଷକ ।
ଚିଲିକା - କୂଳରେ ସନ୍ଧ୍ୟା ହୋଇଗଲା । ସେ ଦିନ ଶୁକ୍ଳପକ୍ଷ ଦ୍ୱିତୀୟା । ସାନ୍ଧ୍ୟସମୀର - ହିଲ୍ଲୋଳରେ ଚିଲିକା ବକ୍ଷରେ ଖଲ୍ଲିକୋଟ ରାଜାଙ୍କର ବିହାର - ତରଣୀ - ଖଣ୍ଡି ଦୋଦୁଲ୍ୟମାନ ହେଉଅଛି । ତେଣେ ଉର୍ଦ୍ଧ୍ୱରେ ନଭ - ସାଗର ବକ୍ଷରେ ବିଶ୍ୱରାଜଙ୍କର ଜ୍ୟୋତିର୍ମୟ ହୀରକ - ତରଣୀ ଝଟକୁଅଛି । ଚିଲିକାଗର୍ଭସ୍ଥ ପର୍ବତମାଳା ପ୍ରାୟ ମେଘମାଳା ଆକାଶର ଠାବେ ଠାବେ ବିଶ୍ରାମନିରତ । ତାରାକୁଳ ଚିଲିକା - ଦର୍ପଣରେ ମୁଖ ଦେଖି ହସିଉଠିଲେ । ଚିଲିକା ମଧ୍ୟ ଚନ୍ଦ୍ରକାଧାରାରେ ସ୍ନାନକରି ଟହ ଟହ ହୋଇ ହସିଉଠିଲା; ମାତ୍ର ସେ ହାସ୍ୟ ବହୁକ୍ଷଣ ସ୍ଥାୟୀ ହେଲା ନାହିଁ । ଚନ୍ଦ୍ରାସ୍ତ ସଙ୍ଗେ ସଙ୍ଗେ ଚିଲିକାର ସେହି ଚଞ୍ଚଳ ହାସ୍ୟ ତାହାରି ଅଧରରେ ମୂର୍ଚ୍ଛିତ ହୋଇପଡିଲା । ଆମ୍ଭେମାନେ ବଙ୍ଗଳାକୁ ଫେରିଆସିଲୁଁ ।
ପୂର୍ବେ ରମ୍ଭାନଗରୀ ବାଣିଜ୍ୟର ଗୋଟିଏ ପ୍ରଧାନ କେନ୍ଦ୍ର ସ୍ଥଳୀ ଥିଲା । ଉପକୂଳବର୍ତ୍ତୀ ସ୍ଥାନମାନଙ୍କରୁ ଚିଲିକା ପଥରେ ନୌକାରେ ବାଣିଜ୍ୟ ଦ୍ରବ୍ୟ ରମ୍ଭାକୁ ଆସୁଥିଲା । ରେଲ ଯୋଗୁଁ ସମ୍ପ୍ରତି ତାହାର ସେ ସୌଭାଗ୍ୟ କିଞ୍ଚିତ୍ମଳିନତା ଭଜିଅଛି; ମାତ୍ର ଏକାବେଳକେ ନିଷ୍ପ୍ରଭ ହୋଇ ନାହିଁ-। ପୁରୀ ଜିଲ୍ଲାରୁ ବର୍ତ୍ତମାନ ବିସ୍ତର ଧାନ ଆସୁଅଛି । ପ୍ରତ୍ୟହ ହଜାର ହଜାର ଟଙ୍କାର ଧାନ - ବିକ୍ରୟ ଲାଗିଅଛି । ସେଥିରୁ ଅଧିକାଂଶ ଖଲ୍ଲିକୋଟ ଆଠଗଡ଼ ଓ ଘୁମୁଷର ପ୍ରଭୃତି ଦୁର୍ଭିକ୍ଷପୀଡିତ ଅଞ୍ଚଳକୁ ଯାଉଅଛି । ଏତଦ୍ଦ୍ୱାରା ଦୁର୍ଭିକ୍ଷକ୍ଳିଷ୍ଟ ଜନସାଧାରଣଙ୍କର ମହୋପକାର ସାଧିତ ହେଉଅଛି । ଦୁଇଜଣ ବଙ୍ଗାଳୀ ରମ୍ଭାରେ ରହି ମତ୍ସ୍ୟ ବ୍ୟବସାୟ କରୁଅଛନ୍ତି । ଚିଲିକାରେ କାଉନ୍ଦା ନାମକ ଏକଜାତୀୟ ମତ୍ସ୍ୟ ଅଛନ୍ତି । ତାହା ଠିକ୍ମାଗୁର ତୁଲ୍ୟ ଦେଖାଯାଏ; ମାତ୍ର ମାଗୁର ନୁହେ । ଇତରଶ୍ରେଣୀୟ ଲୋକମାନେ ତାହା ଭକ୍ଷଣ କରନ୍ତି । ଭଦ୍ରଲୋକଙ୍କର ଅବ୍ୟବହାର୍ଯ୍ୟ ହେତୁ ମୂଲ୍ୟ ମଧ୍ୟ ଖୁବ୍ସୁଲଭ-। ସେହି ମାଛ କଲିକତା ପଠାଯାଉଅଛି । ସେଠାରେ ମାଗୁର ମାଛ ଜ୍ଞାନରେ ତାହା ସମଧିକ ଉଚ ମୂଲ୍ୟରେ ବିକ୍ରୀତ ହେଉଅଛି ।
୨।୫।୧୯ - ଆଜି ଶରୀର କିଞ୍ଚିତ୍ଅସୁସ୍ଥ ବୋଧ ହେବାରୁ ବୁଲିବାଟା ଭାଗ୍ୟରେ ଘଟିଲା ନାହିଁ । ଈଶ୍ୱର ତ ମୋତେ ସ୍ୱାସ୍ଥ୍ୟସୁଖରୁ ଚିରବଞ୍ଚିତ କରିଅଛନ୍ତି । ତହିଁ ଉପରେ ନୂତନ ପୀଡ଼ା ଏକାନ୍ତ ମୋର ଅସହ୍ୟ ହୁଏ । ପ୍ରତ୍ୟେକ କଥାରେ ମୁଁ ଈଶ୍ୱରଙ୍କ ଉପରେ ଦୋଷାରୋପ କରେ । କେବଳ ମୋର ସନ୍ତୋଷବିଧାନ ଯେପରି ଭଗବାନଙ୍କର ଏକମାତ୍ର କର୍ତ୍ତବ୍ୟ, ତଦ୍ରୂପ ମଣେ-। ମୋର ପୀଡ଼ାର କାରଣ ମୋର ଭାଗ୍ୟଦୋଷ କିମ୍ବା ଆତ୍ମଦୋଷ, ଏହା ମୁଁ ପ୍ରାୟ ବିସ୍ମୃତା ଆଉ ବିସ୍ମୃତ ହେବାର ମଧ୍ୟ କଥା । ଭାଗ୍ୟଦୋଷ ବା ଆତ୍ମଦୋଷ ମୋର ତ୍ରୀତ, ଉପାର୍ଜିତ ବା ସୃଷ୍ଟ ନୁହେ-। ମୋର ଯାହା କିଛି, ତାହା ତାଙ୍କର ଦୟାର ଦାନ । ଭାଗ୍ୟ ଓ କର୍ମ ମଧ୍ୟରେ ପାର୍ଥକ୍ୟ ଜ୍ଞାନ ମୋର ନାହିଁ ଏବଂ ତାହାକୁ ନିଜର ବୋଲି କହି ଦାୟିତ୍ୱ ବହନ କରିବାର ଇଚ୍ଛା ମଧ୍ୟ ମୋର ନାହିଁ । ଯାଉ, କାହିଁକି ସେ କଥା ?
ଆଜି ଅକ୍ଷୟତୃତୀୟା - ସତ୍ୟଯୁଗର ଆରମ୍ଭ ଦିନ । ଯେଉଁ ଦିନରେ ସତ୍ୟ ଯୁଗ ଆରମ୍ଭ ହୋଇଥିଲା, ଆଜି ଦିନଟି ଠିକ୍ସେହି ଦିନ ନୁହେଁ - ସେହି ପବିତ୍ର ଦିନର ସ୍ମୃତିମାତ୍ର । ହିନ୍ଦୁର ପ୍ରତ୍ୟେକ ବାରବ୍ରତ ଗୋଟିଏ ମହାସ୍ମୃତିର ପୂଜା । କେବଳ ପ୍ରତିମୂର୍ତ୍ତିସ୍ଥାପନ ସ୍ମୃତିରକ୍ଷାର ପ୍ରକୃଷ୍ଟ ଉପାୟ ନୁହେ । ହିନ୍ଦୁ ପୁଣ୍ୟପର୍ବରୂପେ ସ୍ମୃତିଦିବସ ପାଳନ କରି ସେହି ସ୍ମୃତି ମଧ୍ୟରେ ଆପଣା ପ୍ରାଣ ମଧ୍ୟରେ ସ୍ମୃତିରୂପେ ପ୍ରତିଭାର ପୂଜା କରେ । ଏହି ସ୍ମୃତି ପୂଜା - ଏହି ପ୍ରତିଭା ପୂଜା ହିନ୍ଦୁର ମହତ୍ତ୍ୱ ଓ ଗୌରବ । ଏହିହେତୁ ହିନ୍ଦୁଧର୍ମ ଜଗତର ପୁଜ୍ୟ ଓ ନମସ୍ୟ । ହିନ୍ଦୁ ନିକଟରେ ଅତୀତ ବ୍ୟର୍ଥ ବା ଉପେକ୍ଷିତ ନୁହେଁ - ପ୍ରତ୍ୟୁତ ମଙ୍ଗଳ ଜ୍ଞାନରେ ସମାଦୃତ, ସୁପୁଜିତ । ହିନ୍ଦୁ ସର୍ବଦା ଅତୀତକୁ ବର୍ତ୍ତମାନ ନେତ୍ରରେ ଦେଖେ । ଆଜି ଧାନ୍ୟ ବୀଜବପନର ଅନୁକୁଳ ଦିନ । ଅକ୍ଷୟତୃତୀୟାରେ ବୁଣିଲେ ବୀଜ କ୍ଷୟ ହୁଏ ନାହିଁ ବୋଲି ପ୍ରବାଦ ଅଛି । ଆଜି ବୃକ୍ଷାଣ - ମନ୍ଦାର ଉତ୍ସବମୟ । ଆଜି ହଳିଆ ଆମଲିତ ହୁଏ । ତାହାକୁ କଳମ ଶାଗ ଓ ବୀରିଡାଲି ଖାଇବାକୁ ଦିଆଯାଏ । ଗୃହସ୍ଥ ଘରେ ମଧ୍ୟ ସେହି ବ୍ୟଞ୍ଜନ । ଏହା ଭାବୀ କୃଷି ପକ୍ଷରେ ମଙ୍ଗଳପ୍ରଦ । ଏତଦ୍ଦ୍ୱାରା ଧାନଗଛ କଳମ ପରି ଶାଖାଯୁକ୍ତ ହୁଏ ଏବଂ ବୀର ପରି ଅଧିକ ଫଳ ଧାରଣ କରେ ବୋଲି ଜନଶ୍ରୁତି ପ୍ରଚଳିତ ଅଛି; କିନ୍ତୁ ଏ ରୀତି ରମ୍ଭାରେ ଦେଖିଲେ ନାହିଁ । ସମ୍ଭବତଃ ଏ ଅଞ୍ଚଳରେ ଅକ୍ଷୟତୃତୀୟା ଏରୂପ ଭାବରେ ପାଳିତ ନ ହୋଇ ପ୍ରକାରାନ୍ତରରେ ହେଉଥିବା । ଅଦ୍ୟ ଜଗନ୍ନାଥ ମହାପଭୁଙ୍କ ରଥ ଚକ୍ରରେ ଅଖ ସଂଯୋଗ କରାଯାଏ ଏବଂ ଚନ୍ଦନଯାତ୍ରା ଆରମ୍ଭ ହୁଏ । ଆଜି ଦିନ ଉଦ୍ଦେଶ୍ୟରେ ନମସ୍କାର କରି କହିଲି, ‘‘ହେ ପୁଣ୍ୟଦିବସ, ତୁମ୍ଭେ ସତ୍ୟର ପ୍ରତିଭୁ, ଜଗତରେ ସତ୍ୟ, ପୁଣ୍ୟ ଓ ଶୁଭ ପ୍ରତିଷ୍ଠା । କରିଯାଅ । ତୁମ୍ଭେ ଯାହାର ପ୍ରତିନିଧି, ସେ ଅତୀତ ସିନ୍ଧୁର ଅତଳ ଗର୍ଭରେ ନିମଜ୍ଜିତ । ତୁମ୍ଭର ପରମାୟୁ ସୁଦ୍ଧା ଚତୁର୍ଯାମରୁ ଅଧିକ ନୁହେଁ । ଅତଃପର ତୁମ୍ଭେ ଚାଲିଯିବ, କଥା ରଖିଯାଅ ।’’
୩।୫।୧୯ - ଆଜି ଖଲ୍ଲିକୋଟ ଯିବାକୁ ହେବ । ସେହିଠାରୁ କାଳୀଜୟୀ ଯିବାର ବନ୍ଦୋବସ୍ତ ହୋଇଅଛି । ସ୍ନାନଶୌଚ ପରେ ଭୋଜନ କରିବାକୁ ହେଲା । ଭୋଜନରେ ବଡ଼ ତୃପ୍ତି ବୋଧ ହେଲା । ଗତ ରାତ୍ରିର ଅର୍ଦ୍ଧାହାର ସେଥିର କାରଣ ଏବଂ ଅନ୍ୟ କାରଣ ମୋର ଚିରପ୍ରିୟ ବ୍ୟଞ୍ଜନ ଶାଗ ବର୍ଷକ ପରେ ମଧୁର ସ୍ୱାଦୁ ଘେନି ପତ୍ରର ଏକାଂଶରେ ଆସନ ଲାଭ କରିଥିଲା । ବେଳ ପ୍ରହରକ ସମୟରେ ଆମ୍ଭେମାନେ ଖଣ୍ଡିଏ ଶଗଡ଼ରେ ବସି ଖଲ୍ଲିକୋଟ ଯାତ୍ରା କଲୁଁ । ରମ୍ଭାର ଉପକଣ୍ଠବର୍ତ୍ତୀ ଗୋଟିଏ ସ୍ଥାନର ଦୃଶ୍ୟ ବଡ଼ ରମଣୀୟ, ବଡ଼ ଲୋଭନୀୟ, ବଡ଼ ଉପାଦେୟ ବୋଧ ହେଲା ରାଜମାର୍ଗର ଉଭୟ ପାର୍ଶ୍ୱରେ ବିଶାଳ ବଟ ଓ ଜରୀ ବୃକ୍ଷ ଘନସନ୍ନିବିଷ୍ଟ ହୋଇ ଶ୍ରେଣୀବଦ୍ଧ ଭାବରେ ପ୍ରାୟ ଏକତ୍ରୋଶ ପର୍ଯ୍ୟନ୍ତ ବ୍ୟାପି ରହିଅଛି । ତାହା କୁଞ୍ଜ ପ୍ରାୟ ସୁନ୍ଦର ଦିଶେ । ସେହି ଶୀତଳ, ନିକାଞ୍ଚନ ଛାୟାଚ୍ଛନ୍ନ ସ୍ଥଳୀ ବାନରମାନଙ୍କର କେଳିକୁଞ୍ଜ ହୋଇଅଛି । ସେ ସ୍ଥାନରେ ଉପସ୍ଥିତ ହେଲେ ମନରେ ଏକ ଅନନୁଭୁତପୂର୍ବ ଶାନ୍ତିମୟ ପବିତ୍ର ସାତ୍ତ୍ୱିକ ଭାବ ସ୍ୱତଃ ସଂଜାତ ହୁଏ-। ପଥିକ ସେଥିରେ ମୁଗ୍ଧ ହେବା ତ ସହଜ କଥା; ମାତ୍ର ଆତ୍ମବିସ୍ମୃତ ହୁଏ । ସେଠାରେ ଉପସ୍ଥିତ ହେଲେ ଭିନ୍ନ ସଂସାରରୁ ଏକ ନୂତନ ସୁଖମୟ ସଂସାରକୁ ଆସିବା ପରି ବୋଧହୁଏ । ଏହି ସଦାନନ୍ଦ ଧାମରେ ଗୋଟିଏ ବିଷାଦ ଦୃଶ୍ୟ ହୃଦୟରେ ଗଭୀର ରେଖାପାତ କଲା । କେତେକ କଙ୍କାଳସାର ବାଳକବାଳିକାଙ୍କୁ ପକ୍ୱ ବଟଫଳ ସାଉଣ୍ଟି ଖାଉଥିବାର ଦେଖି ଲୋତକ ସମ୍ବରଣ କରିହେଲା ନାହିଁ । ପ୍ରାପ୍ତବୟସ୍କ ନରନାରୀଏ ଶତଚ୍ଛିନ୍ନ ମିଳନ ବସନରେ କୌଣସି ପ୍ରକାରରେ ଲଜ୍ଜା ନିବାରଣ କରି କଞ୍ଚା ବରଫଳ ତୋଳୁଅଛନ୍ତି । ଶୁଣିଲି, ତାହାକୁ ସିଝାଇ ଖାଇ ସେମାନେ ଜୀବନ ଧାରଣ କରିଅଛନ୍ତି । ଏ ଅଞ୍ଚଳରେ ଦୁର୍ଭିକ୍ଷ କିପରି ତୀବ୍ରଭାବରେ ଆକ୍ରମଣ କରିଅଛି, ତାହା ଉପଯୁକ୍ତ ମର୍ମନ୍ତୁଦ ଘଟଣାରୁ ଅତି ସହଜରେ ଅନୁମେୟ । ନଅଙ୍କ ଦୁର୍ଭିକ୍ଷ କଥା ଶୁଣିଥିଲି । ସେଥିରେ ମନୁଷ୍ୟ - ମାଂସ ମନୁଷ୍ୟ ଖାଇଥିବାର ଦେଖାଯାଇଥିଲା । ତାହା ଆଶ୍ଚର୍ଯ୍ୟ କଅଣ ? ଉଦରରାକ୍ଷସର ତୃପ୍ତି ସକାଶେ କେଉଁ କାର୍ଯ୍ୟ ବା ମାନବ ପକ୍ଷରେ ଅସମ୍ଭବ ? ନ’ଅଙ୍କରେ ୩,୪ ଦିନମାତ୍ର ଚାଉଳ ଟଙ୍କାକୁ ଚାରିସେର ହୋଇଥିଲା; ମାତ୍ର ବର୍ତ୍ତମାନ କୌଣସି କୌଣସି ସ୍ଥାନରେ ବର୍ଷବ୍ୟାପୀ ସାର୍ଦ୍ଧ ତିନି ସେର ଦର ରହିଅଛି । ନ’ଅଙ୍କରେ କେବଳ ଧାନ ଚାଉଳ ମହାର୍ଘ ହୋଇଥିଲା; ଅନ୍ୟ ସମସ୍ତ ବ୍ୟବହାରୀୟ ପଦାର୍ଥ ଖୁବ୍ସୁଲଭ ଥିଲା । ବର୍ତ୍ତମାନ ପ୍ରତ୍ୟେକ ପଦାର୍ଥର ମୂଲ୍ୟ ଅନଳ ପ୍ରଖର ଗତିରେ ବୃଦ୍ଧିଲାଭ କରିଅଛି । କେହି ବା ଏକାନ୍ତ ଦୁଷ୍ପ୍ରାପ୍ୟ ହୋଇଅଛି । ଅତଏବ ନଅଙ୍କ ଦୁର୍ଭିକ୍ଷଠାରୁ ଉପସ୍ଥିତ ଦୁର୍ଭିକ୍ଷ କେତେ ଗୁଣ ଭୀଷଣତମ, ତାହା ଭାବିଲେ ମସ୍ତିଷ୍କ ବ୍ୟଥାରେ ଅବସନ୍ନ ହୁଏ ଏବଂ ଆତ୍ମା ମୂର୍ଚ୍ଛିତ ହୋଇପଡ଼େ । ‘‘ଈଶ୍ୱର ଯାହା କରନ୍ତି ତାହା ମଙ୍ଗଳ ସକାଶେ’’ ବୋଲି ଜନଶ୍ରୁତି ଅଛି; ମାତ୍ର ଉପସ୍ଥିତ ଦୁର୍ଘଟନାରେ କି ମଙ୍ଗଳ ନିହିତ ଅଛି, ତାହା ସେହି ମଙ୍ଗଳମୟଙ୍କୁ ଗୋଚର । ସେ ରହସ୍ୟ ଭେଦ କରିବାର ଶକ୍ତି ମନୁଷ୍ୟର ତ ନାହିଁ, ଅଧିକନ୍ତୁ ମନୁଷ୍ୟାରାଧ୍ୟ ଅମରଳ୍ପଳର ସୁଦ୍ଧା ସାଧ୍ୟାତୀତ ।
କ୍ରମେ ରୌଦ୍ର ତେଜ ପ୍ରଖର ହୋଇ ଉଠିଲା, ଆଉ ଚାହିଁ ହେଲା ନାହିଁ । ରୌଦ୍ର ବହଳ ହୋଇ ଦୃଷ୍ଟିରେଖା ଅବରୋଧ କଲା ପ୍ରାୟ ପ୍ରତୀୟମାନ ହେଲା । ଆମ୍ଭେମାନେ ସାନଘାଟୀ ପାର ହୋଇ ବଡ଼ଘାଟୀ ନିକଟରେ ପହଞ୍ଚିଲୁଁ । ଏହା ସ୍ୱନାମପ୍ରସିଦ୍ଧ ‘‘ହରିଡ଼ାମୂଳ ଘାଟୀ’’ । ପର୍ବତ ଉପରକୁ ଅର୍ଦ୍ଧମାଇଲ ଉଠିବାକୁ ହେବ । ପଥ ଏପରି ତିର୍ଯ୍ୟକ ଯେ, ଘାଟୀ ମସ୍ତକରୁ ଗୋଟାଏ ବର୍ତ୍ତୁଳ ପଦାର୍ଥ ଗଡାଇଦେଲେ ତାହା ନିର୍ବାଧରେ ଆସି ଗିରିପାଦ ସ୍ପର୍ଶ କରିବ । ଶଗଡ଼ରେ ବସି ଘାଟୀ ଉପରକୁ ଉଠିଲାବେଳେ ସ୍ୱର୍ଗକୁ ଉଠିଲା ପ୍ରାୟ ସୁଖକର ବୋଧ ହେଉଥାଏ, ମାତ୍ର ଦୈବାତ୍ଶଗଡ଼ ଖସିଗଲେ ଏକାବେଳକେ ଯମଦ୍ୱାରରେ ପହଞ୍ଚାଇ ଦେଇଥାନ୍ତା । ପଥର ଏକ ପାର୍ଶ୍ୱରେ ବିରାଟ ଗିରିଚୂଡ଼ା, ଅପର ପାର୍ଶ୍ୱରେ ଅତଳ ପାତାଳ । ତାହା କେତେ ଗଭୀର, ଉପରୁ କଳିହେବ ନାହିଁ । ତାହା ପୁଣି ନିବିଡ଼ ଅରଣ୍ୟସଙ୍କୁଳ । ତହି ମଧ୍ୟରେ ନିସ୍ତବ୍ଧତାର ସାଁ ସାଁ ଶବ୍ଦ ବ୍ୟତୀତ ଅନ୍ୟ ଶବ୍ଦ ନାହିଁ । ବୋଧହୁଏ ତାହା ବିଭୀଷିକାର ଆବାସ-ଗହ୍ୱର । ସୌଭାଗ୍ୟବଶତଃ ରଥ ଖସିଲା ନାହିଁ । ସତର୍କ ସାରଥିର ଅଦ୍ଭୁତ କୌଶଳ ସେ ଭୟରୁ ନିସ୍ତାର କଲା । ଏରୁପ ପଥରେ ଶାକଟିକମାନେ ଶଗଡ଼ ପଛରେ ଖଣ୍ଡେ ବାଉଁଶ ବିଶେଷ କୌଶଳରେ ବାନ୍ଧିଦିଅନ୍ତି । ତାହାର ନାମ ‘‘ଘାଟୀକିଳା ।’’ ତାହା ଯୋଗୁଁ ଶଗଡ଼ ତଳକୁ ଗଡି ଆସିବାର ଆଶଙ୍କା ନ ଥାଏ । କ୍ରମେ ଶଗଡ ଘାଟୀ ମୁଣ୍ଡରେ ଯାଇ ଉଠିଲା । ସେହିଠାରୁ ପୁଣି ଅର୍ଦ୍ଧ ମାଇଲରୁ ଅଧିକ ପଥ ତଳକୁ ଗଡିବାକୁ ହେବ । ଘଟୀମୁଣ୍ଡରୁ ଚାହିଁଲେ ପଥ କ୍ରମେ ଅଦୃଶ୍ୟ ପାତାଳକୁ ପଶିଲା ପ୍ରାୟ ଜଣାଯାଏ । ଦୁଇ ଆଡ଼େ ଦୁଇ ଗୋଟି ଅଭ୍ରଲେହା ରୁଦ୍ରକାନ୍ତ ଗିରିଚୂଡ଼ା ସଗର୍ବ ଦଣ୍ଡାୟମାନ । ମଧ୍ୟରେ ସଂକୀର୍ଣ୍ଣ ଭୀଷଣ ପଥ, ପ୍ରତିପହଣ୍ଡରେ ମୃତ୍ୟୁର ଅସୀମ ଅନୁଗ୍ରହ ପ୍ରାଣରେ ଅନୁଭୁତ ହୁଏ । ନଈବାହାଡ଼ା ଫୁଲରେ ପର୍ବତଚଡ଼ା ଶୃକ୍ଳିମାମୟ । ବୋଧହୁ,, ଗିରିରାଜ ଗ୍ରୀଷ୍ମସନ୍ତାପରୁ ତ୍ରାହି ପାଇବା ସକାଶେ ଆପାଦମସ୍ତକ ଚନ୍ଦନଚର୍ଚ୍ଚିତ ହୋଇଅଛି । ବଂଶଧାନ୍ୟସମୂହ ଥୋପା ଥୋପା ହୋଇ ଝୁଲିପଡି ଗିରିପ୍ରକୃତିର ହୈମ ଅଳଙ୍କାର ପ୍ରାୟ ସୁନ୍ଦର ଦିଶୁଅଛି । ତାହାକୁ ରାନ୍ଧିଲେ ଭାତ ହୁଏ; ଚୂନା କରି ପିଠା ମଧ୍ୟ କରାଯାଏ । ସ୍ୱାଦୁ ସୁଗନ୍ଧ ଠିକ୍ଗହମ ତୁଲ୍ୟ । ବର୍ତ୍ତମାନ ଦୁର୍ଭିକ୍ଷା ସମୟରେ ଅନେକେ ଏହା ଖାଇ ପ୍ରାଣଧାରଣ କରିଅଛନ୍ତି ।
ଘାଟୀ ପାର ହୋଇ ଆସିଲୁଁ । ଗିରିପାଦ ମୂଳରେ ଚିଲିକା ଧରଣା ଦେଲା ପ୍ରାୟ ଅଷ୍ଟାଙ୍ଗ ଲୋଟାଇ ପଡିଅଛି । ମହାପ୍ରକୃତି ମହାପ୍ରକୃତିକୁ ପୂଜା କରୁଅଛି, ଏହା ବଡ଼ ବାଞ୍ଛନୀୟ, ଶିକ୍ଷଣୀୟ ଓ ପ୍ରୀତିପ୍ରଦ ଦୃଶ୍ୟ । ଜଗତରେ ଯେ ଯେଡ଼େ ବଡ଼, ସେ ତେଡ଼େ ସାନ । ମାନବ ସିନା ଅଭିମାନୀ, ଅଭିମାନୀ ଶରୀର ହୃଦୟନାମକ ମହାର୍ହ ଦେବଦୁର୍ଲ୍ଲଭ ପବିତ୍ର ଅଳଙ୍କାରର ଅଧିକାରୀ ହୋଇପାରେ ନାହିଁ । ବାରଘଣ୍ଟା ସମୟରେ ଖଲ୍ଲିକୋଟରେ ପହଞ୍ଚିଲୁଁ ।
କେତେଗୁଡିଏ ଶାଳ ବା ଶିଆଳୀ ପତ୍ରରେ ଖଲି ପ୍ରସ୍ତୃତ ହୁଏ । ସେହିପରି ଅନେକ ରାଜ୍ୟ ମିଶି ଖଲି ପରି ବିସ୍ତୃତ ହୋଇଥିବାରୁ ରାଜ୍ୟର ନାମ ଖଲ୍ଲିକୋଟ ହୋଇଅଛି । ଛତ୍ରଗଡ଼, ଶ୍ୟାମସୁନ୍ଦରପୁର, କେଶପୁର, କଳସ, ପଙ୍କାଳ, ଷଣ୍ଢମୂଳ, ଦାନପୁର ଓ ସମ୍ବଲଗଡ଼- ଏଗୁଡ଼ିକ ମିଶି ଖଲ୍ଲିକୋଟ ହୋଇଅଛି । ଖଲ୍ଲିକୋଟ ସହିତ ଆଠଗଡ ନାମକ ଅନ୍ୟ ଏକ ରାଜ୍ୟ ସଂଯୁକ୍ତ । ବର୍ତ୍ତମାନ ଖଲ୍ଲିକୋଟ ନରପତିଙ୍କ ପିତାମହ ରାଜର୍ଷିକଳ୍ପ ନାରୟଣ ମର୍ଦ୍ଦରାଜଦେବଙ୍କ ବାଲ୍ୟବସ୍ଥାରେ ଖଲ୍ଲିକୋଟ ଓ ଆଠଗଡ଼ ମଧ୍ୟରେ ଯୁଦ୍ଧ ହୋଇଥିଲା । ଗୋଟିଏଏ ଆମ୍ବଗଛ ପାଇଁ ଏହି ଯୁଦ୍ଧର ସୂତ୍ରପାକ । ଦୁଇ ରାଜ୍ୟର ସୀମାରେ ଗୋଟିଏ ଆମ୍ବଗଛ ଥିଲା । ଗଛଟି ଖଲ୍ଲିକୋଟର, ମାତ୍ର ଆଠଗଡ଼ ଆଡ଼କୁ ତାହାର କେତେଟା ଶାଖା ଥିଲା । ବର୍ଷେ ସେହି ଗଛର ଆମ୍ବ ଆଠଗଡ଼ର ଲୋକମାନେ କୋଳିନେବାରୁ ଉଭୟ ରାଜ୍ୟ ମଧ୍ୟରେ ସଙ୍ଘର୍ଷଣ ଉପସ୍ଥିତ ହେଲା । ଶେଷରେ ସେହି ସଙ୍ଘର୍ଷଣ ପ୍ରଖର ସମରାନଳ ଉଦ୍ଗିରଣ କଲା । ତହୁଁ ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଲାଗିଲା । ଉଭୟ ପକ୍ଷରୁ ସୈନ୍ୟ ହତାହତ ହେଲେ । ଖଲ୍ଲିକୋଟର ଜଣେ ବୀର ଆଠଗଡ଼ର ପ୍ରଧାନ ସେନାପତିଙ୍କୁ ନିହତ କଲା; ମାତ୍ର ହତ୍ୟାକାରୀ ସେନାପତିର ମୁଣ୍ଡ ଆଣିପାରିଲା ନାହିଁ । ଏହି ସମୟରେ ସେ ବିପକ୍ଷ ପକ୍ଷଦ୍ୱାରା ସବଳ ଭାବରେ, ଆକ୍ରାନ୍ତ ହୋଇ ଏରୂପ ଭୀମ ବିକ୍ରମରେ ଦୁଇହସ୍ତରେ ତରବାରୀ ବୁଲାଇଲା ଯେ, କେହି ତାହା ପାଖରୁ ଶବ ଛଡ଼ାଇ ଆଣିପାରିଲେ ନାହିଁ । ଖଲ୍ଲିକୋଟ ପକ୍ଷର ଜଣେ ପାଇକ ହାଣ୍ଡିଆ ମଦ ପିଇ ଘରେ ଶୋଇଥିଲା । ଯୁଦ୍ଧ ବାଦ୍ୟ ଓ ଯୁଦ୍ଧାସ୍ତ୍ର ଗର୍ଜ୍ଜନ ଶୁଣି ତାହାର ସ୍ତ୍ରୀ ତାକୁ ଉଠାଇ ଭର୍ତ୍ସନା କରି କହିଲା, ‘‘ରାଜାଘର ଯୁଦ୍ଧ ଲାଗିଛି, ଖଇ ଫୁଟିଲା ପରି ବାଣ ଫୁଟୁଛି, ତୁ ରାଜାର ଖାଇ କାମବେଳକୁ ନିଶ୍ଚିନ୍ତ ହୋଇ ଘରେ ଶୋଇଛୁ । ତେବେ ତୋ ଖଣ୍ଡା ମୋତେ ଦେ, ମୁଁ ଯୁଦ୍ଧକୁ ଯିବି । ତୁ ମୋର ଖଡ଼ୁ ଆଉ ଶାଢୀ ପିନ୍ଧି ଘରକୋଣରେ ଲୁଚିଥା ।’’ ଏହା ଶୁଣି ବୀରପୁରୁଷ ମର୍ଦ୍ଦିତ ପୁଚ୍ଛ କାକୋଦର ପ୍ରାୟ ଗର୍ଜ୍ଜି ଉଠିଲା । ସେ ସ୍ତ୍ରୀବେଶ ଧରି ଲୁଚି, ରହିବ, ଏପରି ଅଗ୍ନିମୟ ତିରସ୍କାର କି ତାହା ପ୍ରାଣରେ ସହ୍ୟ ହେବ ? ବୀର-ହୃଦୟ ସବୁ ସହିପାରେ; ମାତ୍ର ଅନ୍ୟର ତାଚ୍ଛଲ୍ୟ ସହିପାରେ ନାହିଁ । ରମଣୀର ଏହି ବାଣୀ-ବାଣ ତାହା ପ୍ରାଣରେ ଖରଶାଣ ରଣାସ୍ତ୍ର ଅପେକ୍ଷା କୋଟି ଗୁଣ ବ୍ୟଥା ଜାତ କଲା । ସିଂହାର ଧର୍ଷଣରେ ସିଂହ କି ସ୍ଥିର ହୋଇ ରହିପାରେ ? ସେ ବଜ୍ରବିକ୍ରମରେ ଧାଇଁଯାଇ ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲା ଏବଂ ‘‘ମା ବାହୁତି ରଖ’’ ବୋଲି ଗର୍ଜିଉଠି ଦୁଇ ହାତରେ ଦୁଇଟା ତୀକ୍ଷ୍ଣ ଧାର ଖଣ୍ଡା ବୁଲାଇ ବୁଲାଇ ବିପକ୍ଷର ଶତ ଅସ୍ତ୍ରାଘାତକୁ ଭ୍ରୂକ୍ଷେପ ନ କରି ତୀର-ଗତିରେ ଧାଇଁ ଯାଇ ଉପର୍ଯ୍ୟୁକ୍ତ ମୃତ ବିପକ୍ଷ ସେନାପତିର ମୁଣ୍ଡ କାଟିଆଣିଲା । ବିଜୟଲକ୍ଷ୍ମୀ ଖଲ୍ଲିକୋଟକୁ ଆଲିଙ୍ଗନ କଲେ । ଆଠଗଡର ଖଣ୍ଡେ ସ୍ଥାନ ଖଲ୍ଲିକୋଟର ଅଧିକୃତ ହେଲା । ପରେ ନାରାୟଣ ମର୍ଦ୍ଦରାଜ ଆଠଗଡ଼କୁ ନିଲାମରେ କ୍ରୟ କରି ସ୍ୱୀୟ ଅଧିକାରଭୁକ୍ତ କରେ ।
ଉପର୍ଯ୍ୟୁକ୍ତ ଘଟଣାରୁ ଓଡିଆପ୍ରାଣର ରାଜଭକ୍ତି ସହଜରେ ଅନୁମେୟ । ପାଇକ ରମଣୀ ରାଜା ସକାଶେ ନିଜର ପ୍ରାଣପ୍ରିୟ ସ୍ୱାମୀକୁ ମୃତ୍ୟୁମୁଖକୁ ପ୍ରେରଣ କଲା, ଏହାଠାରୁ ବଳି ରାଜଭକ୍ତିର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ଆଉ କଅଣ ହୋଇପାରେ ? ଦୁଃଖର ବିଷୟ, ଅନେକ ଅନୁସନ୍ଧାନ କରି ସୁଦ୍ଧା ସେହି ରାଜଭକ୍ତିମତୀ ବୀର ରମଣୀର ପବିତ୍ର ନାମ ଉଦ୍ଧାର କରିପାରିଲି ନାହିଁ । ଖଲ୍ଲିକୋଟ ଆଠଗଡ଼ ଓ ବିରୁଳିର ବୀରତ୍ୱ ସମ୍ବନ୍ଧରେ ଅବଧି ନିମ୍ନଲିଖିତ ଜନବାଦ ପ୍ରଚଳିତ ଅଛି -
‘‘ଆଠଗଡିଆର ଆଠ ବାଉଁଶ ଖଲ୍ଲିକୋଟିଆର ଲାଭ, (ଲଙ୍କିଆ କାଣ୍ଡ) ’’
ବିରୁଳି ଘରର ଚିଆର କାଣ୍ଡ ଦିଶୁଥିବ ଦାଉ ଦାଉ ।’’
କେବଳ ବିରୁଳି କାଣ୍ଡର ଉତ୍କର୍ଷ ସମ୍ବନ୍ଧରେ ଆହୁରି ଗୋଟିଏ ପ୍ରବାଦ ଅଛି- ‘‘ବିରୁଳି କାଣ୍ଡ, ରାତି ଦ୍ୱିପ୍ରହରେ ମାଇପ ରାଣ୍ଡ ।’’ ପୂର୍ବେ ରାଜାମାନେ ସାମାନ୍ୟ କାରଣରେ ପରସ୍ପର ମଧ୍ୟରେ ଯୁଦ୍ଧ-ଘୋଷଣା କରୁଥିଲେ । ଗୋଟାଏ ଆମ୍ବଗଛ ସକାଶେ ଲଙ୍କାକାଣ୍ଡର ସୃଷ୍ଟି । କେତେ ମହାପ୍ରାଣୀ ଅକାଳରେ ରଣ ଯାଗରେ ଜୀବନାହୃତି ପ୍ରଦାନ କଲେ, କେତେ ନାରୀ ଅନାଥ ହେଲେ- କେଳେ ଲୋତକ, କେତେ ରକ୍ତ ବୃଥା ଅପବ୍ୟୟିତ ହେଲା ! ସେଥିପାଇଁ କିଏ ଦାୟୀ ? ସୁଖର ବିଷୟ, ଶୁଭକ୍ଷଣରେ ଇଂରାଜଶାସନ ଏ ଦେଶକୁ ଆସି ବୃଥା ଶକ୍ତିକ୍ଷୟ, ବୃଥା ଆୟୁକ୍ଷୟରୁ ନିସ୍ତାର ପ୍ରଦାନ କରିଅଛି ।
ନଅର ସୀମାସ୍ଥ ‘ପର୍ବଘର’ ମୋ ବସା ସକାଶେ ନିର୍ଦ୍ଦିଷ୍ଟ ହୋଇଥିଲା । ସ୍ଥାନଟି ନିର୍ଜ୍ଜନ ଓ ମାରୁଆ ମହାଧରର ପାଦଦେଶରେ ଅବସ୍ଥିତ ହେତୁ ପ୍ରାକୃତିକ ବିଭବରେ ଦୃଷ୍ଟିରସାୟନ । ଖଲ୍ଲିକୋଟ ରାଜପୁରୀ ମାରୁଆ ପର୍ବତର କଟିଦେଶରେ ଅବସ୍ଥିତ । ସେହି ସୁନ୍ଦରୀ ସୁରୀ ଦୂରରୁ ଗିରିରାଜ ହିମାଳୟ-କୋଳରେ ଗିରିରାଜଜେମା ଉମା ପ୍ରାୟ ସୁନ୍ଦର ଦିଶେ । ନିସର୍ଗ-କୁତ୍ରିମର ମୋହନ ମିଳନ ଶୋଭାର ଚରମୋତ୍କର୍ଷ । ବନଫୁଲ ସଙ୍ଗେ ଉଦ୍ୟାନ ଫୁଲ ଗୁନ୍ଥିଲେ ସୁଷମାର ସୁବର୍ଣ୍ଣଧାରା ବହିଯାଏ । ଅପରାହ୍ନ ଚାରିଘଣ୍ଟା ସମୟରେ ରାଜାମହୋଦୟଙ୍କ ପର୍ଶନାଲ କ୍ଳର୍କ ଶ୍ରୀଯୁକ୍ତ ଶ୍ରୀବତ୍ସ ଛାମୁପଟ୍ଟନାୟକ ମହାଶୟ ଆସି ମୋର ନାନା ସୁବିଧା କରାଇବାକୁ ଲାଗିଲେ । ପ୍ରକୃତରେ ମୋର ଏତେ ସୁବିଧାର ଆବଶ୍ୟକତା ନ ଥିଲା । କେବଳ ରାଜସମ୍ମାନ ହେତୁ ଅତିରିକ୍ତ ଗ୍ରହଣ କରିବାକୁ ହେଲା । ଏଥିପରେ ଆଉ କେତେ ଜଣ ପୁରୁଣା ବନ୍ଧୁ ଓ ପରିଚିତ ବ୍ୟକ୍ତି ଆସି ଉପସ୍ଥିତ ହେଲେ । ସେମାନଙ୍କ ସହ ବିବିଧ ବାକ୍ୟାଳାପରେ ବହୁକ୍ଷଣ ଅତିବାହିତ ହେଲା । ରାତ୍ରି ଆଠଘଣ୍ଟା ପରେ ସମସ୍ତେ ବିଦାୟ ହୋଇ ଗଲେ । ଆମ୍ଭେମାନେ ଆହାରାନ୍ତେ ଶ୍ରାନ୍ତିହାରିଣୀ ଶାନ୍ତିଦାୟିନୀ ନିଦ୍ରାଦେବୀଙ୍କ ଶୀତଳ ଚରଣ ତଳେ ଆଶ୍ରୟ ଗ୍ରହଣପୂର୍ବକ ତାଙ୍କରି ଧ୍ୟାନାର୍ଚ୍ଚନାରେ ଐକାନ୍ତିକତା ପ୍ରଦର୍ଶନ କଲୁଁ ।
୪।୫।୧୯- ‘ସ୍ଥାନ ଗୁଣେ ମନ ପ୍ରସନ୍ନ’, ଏହା ଅମୂଳକ ନୁହେଁ । ଆଜି ପ୍ରତ୍ୟୁଷରୁ ମନ କି ଏକ ଅଜ୍ଞାନ ଆନନ୍ଦ-ତୀର୍ଥରେ ପରିସ୍ପାତ । ସବୁବେଳେ ସମ୍ମୁଖରେ ମହାପ୍ରକୃତି ମାରୁଆ । ସେ ନୀରବରେ, ଇଙ୍ଗିତରେ କେତେ କଥା କହୁଅଛି- କେତେ ଉପଦେଶ ଦେଉଅଛି, କେତେ ଗୀତ ଗାଉଅଛି, କେତେ ହସୁଅଛି, କେତେ କାନ୍ଦୁଅଛି, ତାହା ମାନବ ମୁଁ କେମନ୍ତେ ବୁଝିବି । କିଛି ବୁଝୁ ନାହିଁ, ବୁଝିବାର ଶକ୍ତି ନାହିଁ- ବୁଝିବାକୁ ବିଫଳ ଚେଷ୍ଟା କରୁ ନାହିଁ । ଖାଲି ଦେଖୁଛି, ଶୁଣୁଛି, ଆଉ ମୁଗ୍ଧ ହେଉଛି; କେବେ ବା ଚମତ୍କୃତ ହେଉଛି । ଆନନ୍ଦ ଓ ଆଶ୍ଚର୍ଯ୍ୟ ମୋ ପ୍ରାଣରେ ବିଦ୍ୟୁତ୍ସଞ୍ଚାଳନ କରୁଛି । ଚକ୍ରବାକ ଉତ୍ପକ୍ଷ୍ମ ନେତ୍ରରେ ଚନ୍ଦ୍ରର ଶୋଭା ଦେଖେ, ସର୍ପ ଉତ୍କର୍ଣ୍ଣ ହୋଇ ସଙ୍ଗୀତ ଶୁଣେ; ମାତ୍ର କେହି କିଛି ବୁଝେ ନାହିଁ । କେବଳ ଦେଖିବା ଶୁଣିବା ସେମାନଙ୍କର କାର୍ଯ୍ୟ । ଆଉ ବୁଝାଇଦେବ ଅବା କିଏ ? ସଦ୍ଗରୁ ଉପଦେଶ ବୋଲି ଉତ୍ତର ହୋଇପାରେ; ମାତ୍ର ତାହା ଠିକ୍ନୁହେ । ବୈଦ୍ୟର ଔଷଧଦାନର କ୍ଷମତା ନାହିଁ । ପୁଣି ସଦ୍ଗୁରୁ ଅବା କିଏ ? ମନ ? ସେ ଚଞ୍ଚଳପ୍ରକୃତ ବାନର, ତାହାର ବାଞ୍ଛିନ ପ୍ରିୟସ୍ଥାନ ଗିରିକାନନ ପାଇ ସେ ଡିଆଁ ମାରି ଖେଳୁଅଛି । ମୃହୂର୍ତ୍ତେ ଧରାଦେବାକୁ ନାହିଁ । ଏରୁପ ଅବସ୍ଥାରେ କର୍ତ୍ତବ୍ୟ କଅଣ । ମୋ ସ୍ଥୂଳ ବିତେଚନାରେ ଦେଖିବା ଶୁଣିବା ଏବଂ ମୁଗ୍ଧ ହେବା ହିଁ ଶ୍ରେୟ ଏବଂ ପ୍ରେୟ କର୍ତ୍ତବ୍ୟ । ସେଥିରୁ ଆଉ କିଛି ନ ମିଳୁ, ଆନନ୍ଦ ମିଳିବ, ସେହି ଆନନ୍ଦରେ ଚିତ୍ତ ପ୍ରସନ୍ନ ହେବ ।
ରାତ୍ରିରେ ରାଜାଙ୍କ ସାକ୍ଷାତ୍କାର ଲାଭ କରିବାର ସ୍ଥିର ହୋଇଥିଲା । ପ୍ରାୟ ୨ ଘଣ୍ଟା ସମୟରେ ଜୟକୃଷ୍ଣ ବାବୁ ଆସି ମୋତେ ଡାକି ନେଇଗଲେ । ଦ୍ୱିତଳ ଅଫିସ ପ୍ରାସାଦ ଦେଇଯିବାକୁ ହେଲା । ଅଫିସ ଗୃହର ପ୍ରତ୍ୟେକ ପ୍ରକୋଷ୍ଠରେ ବୈତ୍ୟୁତିକ ଆଲୋକ ଓ ପଙ୍ଖାର ବ୍ୟବସ୍ଥା ଅଛି । ମୁଁ ଯାଇ ଶ୍ରୀବତ୍ସ ବାବୁଙ୍କ ଅଫିସ ଗୃହରେ ବସିଲି । ସଙ୍ଗରେ ମୋର ଅନୁଜ ଥିଲା । ଶ୍ରୀବତ୍ସ ବାବୁ ସାଦର ସମ୍ଭାଷଣରେ ଆପ୍ୟାୟିତ କଲେ । ସେ ଜଣେ ବ୍ୟବହାର-ନିପୁଣ ଚତୁର ବ୍ୟକ୍ତି । ଅଧିବନ୍ତୁ ବହୁ ଅତିଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ୍ଭମାନଙ୍କ ସଙ୍ଗରେ କଥାବାର୍ତ୍ତା ଚଳୁଥାଏ; ନିଜର କର୍ତ୍ତବ୍ୟ ସମ୍ପାଦନ ସଙ୍ଗେ ସଙ୍ଗେ ବହୁ ଲୋକଙ୍କୁ ବିଭିନ୍ନ ବିଷୟକ ବହୁ ଉତ୍ତର ଦେବାକୁ ପଡ଼ୁଥାଏ; ମାତ୍ର କାହିଁରେ ବ୍ୟାଘାତ ନାହିଁ; ଉଚ କର୍ମଚାରୀ ବୋଲି ଅଭିମାନ ନାହିଁ । ଆଉ ଗୋଟିଏ ପ୍ରଶଂସନୀୟ ଗୁଣ ଏହି ଯେ, ଯେ ଯେଉଁପରି ବୋଧ ହେବ, ତାହାକୁ ସେହିପରି ବୋଧ ହେବ, ତାହାକୁ ସେହିପରି ବୋଧ କରନ୍ତି । ସ୍ୱୀୟ ପ୍ରଭୁଙ୍କ ଗୌରବକୁ ଚାହିଁ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବାକୁ ସେ ଚିର ଅଭ୍ୟସ୍ତ ।
କିଛିକ୍ଷଣ ପରେ ମାନନୀୟ ରାଜା ମହୋଦୟଙ୍କ ସ୍ୱତନ୍ତ୍ର ଅଫିସ ଗୃହରେ ତାହାଙ୍କର ସାକ୍ଷାତ୍କଲି । ସେ ଗତବର୍ଷ ଏଫ୍. ଏ. ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଅଛନ୍ତି । ଗ୍ରୀଷ୍ମାବକାଣ ପରେ ବି.ଏ. ଅଧ୍ୟୟନ ସକାଶେ ମାନ୍ଦ୍ରାଜ ଯାତ୍ରା କରିବେ । ଆଡ଼ମ୍ବର ବା ରାଜ-ଅଭିମାନ ଦେଖିଲି ନାହିଁ । ଏକଘଣ୍ଟା ପର୍ଯ୍ୟନ୍ତ ଶିକ୍ଷା, ସାହିତ୍ୟ ଓ ପାର୍ହସ୍ଥ୍ୟ-ବିଷୟକ କଥାବାର୍ତ୍ତାରୁ ବୁଝିଲି, ମାତୁଳ ସଦ୍ଗୁଣାବଳୀ ବିଧାତା ବାଳକ ରାଜାଙ୍କ ହୃଦୟମୁକୁରରେ ପ୍ରତିବିମ୍ବିତ କରିଅଛନ୍ତି । ତାଙ୍କର ବିନୟ ସୌଜନ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଅଛି । ‘‘ଯଥା କୁଳେ ଜନ୍ମ, ତଥା ଗରିଷ୍ଠ’’ ଏବଂ ‘‘ନମ୍ରନ୍ତି ଫଳିନୋ ବୃକ୍ଷଃ’’ ଏ ଉଭୟ ନୀତିଶ୍ଳୋକ ତାହାଙ୍କ ନିକଟରେ ସତ୍ୟ ଓ ସାର୍ଥକ ହୋଇଅଛି । ତାଙ୍କର ବେଶ ଯେଉଁ ପରି ସରଳ, ବ୍ୟବହାର ମଧ୍ୟ ସେହିପରି ସରଳ । ବହୁତ କାଳରୁ ଏରୁପ ଉଦାର ମଧୁରଭାବ ରାଜପୁରୁଷମାନଙ୍କ ପ୍ରାଣରେ ବିରଳ ପରିଲକ୍ଷିତ ହୁଏ । ରାଜାମହୋଦୟଙ୍କ ଭାବୀ ପ୍ରଜା-ପାଳନର ମଙ୍ଗଳମୟ ଅମୃତ ଆଭସ ତାଙ୍କ ପ୍ରତିଷ୍ଠିତ ଅନ୍ନଚ୍ଛତ୍ରରୁ ଅନୁମେୟ । ବାଳକ ରାଜାଙ୍କ କୋମଳ ହୃଦୟରେ ଏ ବିଶ୍ୱପ୍ରଶଂସ୍ୟ ନିଷ୍କାମ-ବ୍ରତ ବୀଜ କିଲ ରୋପଣ କଲା ? ଏ ପ୍ରଶ୍ନର ସ୍ୱତଃ ଉତ୍ତର- ତାଙ୍କରି ବହୁମଖୀ ପ୍ରଜ୍ଞା ଓ ଓଜସ୍ୱିନୀ ପ୍ରତିଭା । ସାର୍ଦ୍ଦ ଆଠଘଟିକା ସମୟରେ ରାଜାମହୋଦୟଙ୍କ ନିକଟରୁ ବିଦାୟ ଘେନି ଆମ୍ଭେମାନେ ବସାକୁ ଆସିଲୁଁ । ଆଜି ରାତି ତିନିଟା ସମୟରେ କାଳୀଜୟୀ ଯିବାକୁ ହେବ । ସୁତରାଂ ଯଥାଶୀଘ୍ର ଆହାର କରି ଶୟନ କରିବାକୁ ହେଲା; କିନ୍ତୁ ସହଜରେ ନିଦ୍ରା ହେଲା ନାହିଁ । ମନ ମନ କଲେ କଅଣ କରି ନ ପାରେ ? ସେ କଳ୍ପନାରେ ତାର ମନୋମତ କାଳୀଜୟୀ ପର୍ବତଟିଏ ଗଢିନେଇ ସେଥିରେ ଖେଳି ବୁଲି କେତେ କଅଣ କରିବାକୁ ଲାଗିଲା । ଦୁଷ୍ଟା ଉତ୍କଣ୍ଠା ତାକୁ ମୁହୁର୍ମୁହୁ ଉତ୍ତେଜିତ କଲା । ଏହିରୂପେ କେତେ କ୍ଷଣ ଅତୀତ ହେଲା । ମନକୁ ସେ ଚିନ୍ତାରୁ ଯେତେ ଛଡ଼ାଇବାକୁ ଚେଷ୍ଟା କଲେହେଁ ସେ ଛାଡିଲା ନାହିଁ । ସ୍ୱଭାବତଃ ସେ ଜୋକ ପରି ଦ୍ୱିମୂହାଁ । ଗୋଟାଏ ମୁହଁ ଛଡ଼ାଇଦେଲେ ଆର ମୁହଁରେ ଲାଗିଯାଉଥାଏ-। ପରିଶେଷରେ ମୋର ବ୍ୟସ୍ତତା ଦେଖି ଦୟାମୟୀ ନିଦ୍ରାଦେବୀ ଦୟା ବହି ଉପସ୍ଥିତ ହୋଇ ତାଙ୍କର ସମ୍ମୋହନ ସୁବର୍ଣ୍ଣ ଶଳାକା ଛୁଆଇଁଦେଲେ । ତହିଁପରେ ଆଉ କଅଣ ହେଲା, ତାହା ମୋର ଅଜ୍ଞାତ । ମନ, କଳ୍ପନା ଓ ଉତ୍କଣ୍ଠ ଏହି ତିନିଙ୍କ ଭାଗ୍ୟରେ ନିଦ୍ରାଦେବୀଙ୍କ ହସ୍ତରେ କି ଦଶା ଘଟିଲା, ନିଦ୍ରା ଭଙ୍ଗ ପରେ ତାହା ମୁଁ ଆଉ ଭାବି ନାହିଁ ।
ରାତ୍ରି ଦୁଇଟା ସମୟରେ ଉଠି ସମସ୍ତଙ୍କୁ ଉଠାଇଲି । ଜୟକୃଷ୍ଣ ବାବୁ ଆଦୌ ଶୋଇ ନାହାନ୍ତି । ସେ ଯାତ୍ରା ଆୟୋଜନରେ ବ୍ୟସ୍ତ । ରନ୍ଧନସାମଗ୍ରୀ, ଜଳଖିଆ, ବଡ ବଡ଼ ପିତ୍ତଳ ହାଣ୍ଡିରେ ପାଣି, ହାଣ୍ଡି, କାଠ ପ୍ରଭୃତି ତାବତୀୟ ପଦାର୍ଥ ପଠାଇ ନୌକାରେ ଗୋଟିଏ କ୍ଷୁଦ୍ର ଦୋକାନ ସଜାଇବାର ବ୍ୟବସ୍ଥା କରାଗଲା । ମୂର୍ତ୍ତିମାନ ବିଘ୍ନସ୍ୱରୂପ ଅଧିକ ପଦାର୍ଥ ସଙ୍ଗରେ ନେଇ ନିଜକୁ ନିଜେ ବିପନ୍ନ କରିବାକୁ ମୁଁ ଏକାନ୍ତ ବୀତସ୍ପୃହ । ସୃତରାଂ ଖୁବ୍ସଂକ୍ଷେପରେ ଯାଏ । ଉପସ୍ଥିତ କ୍ଷେତ୍ରରେ ତାହାହିଁ କଲି । ସମସ୍ତେ ଶଗଡ଼ରେ ବସି ଏକ କ୍ରୋଶ ଦୂରବର୍ତ୍ତୀ ତେନ୍ତୁଳିଆପଡ଼ା ଅଭିମୁଖରେ ଯାତ୍ରା କଲୁଁ । ଗ୍ରାମଟି ଚିଲିକା କୂଳରେ ଅବସ୍ଥିତ । ସେହିଠାରୁ ନୌକାରେ କାଳୀଜୟୀ ଯିବାକୁ ହେବ । ଅନ୍ଧକାର ରାତ୍ରି, କେଉଁଆଡ଼େ କିଛି ଦିଶିବାକୁ ନାହିଁ । ଆକାଶ ପୃଥିବୀ ମଧ୍ୟରୁ ସୃଷ୍ଟି ବିଲୋପ ଭଜିଅଛି । ଚୌଦିଗ ନୀରବ, ନିସ୍ତବ୍ଧ । କେବଳ ଥରେ ଥରେ କି ଏକ ଅଜ୍ଞାତନାମା ଦୂରଗଗନବିହାରୀ ପକ୍ଷୀଙ୍କର କଠୋର ସ୍ୱର ସେହି ନିସ୍ତବ୍ଧତାକୁ କମ୍ପିତ କରୁଅଛି । ପର୍ବତ ପାଖେ ପାଖେ ଶଗଡ଼ ଚାଲିଲା । ହିଂସ୍ରଜନ୍ତୁଙ୍କ ସ୍ୱାଧୀନ କ୍ରୀଡ଼ା ଦେଖିବାକୁ ବଡ଼ ଇଚ୍ଛା ଥିଲା; ମାତ୍ର ପାର୍ବତୀ ପ୍ରକୃତି ମୋର ସେ ଆଶା ଶୂନ୍ୟ ରଖିଲେ । ଗୋଟାଏ ବିରାଟ ଭୀଷଣ ଦୃଶ୍ୟ ନ ହେଲେ ବୈଚିତ୍ୟ କାହୁଁ ମିଳିବ ? ସେଭଳି ଦୃଶ୍ୟର ସ୍ମୃତି ସିନା ବହୁଦିନ ସ୍ଥାୟିତ୍ୱ ଲାଭକରେ ! ତିନିଟା ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେଲୁ । ନାବ ସହ ନାବିକମାନେ ଆମ୍ଭମାନଙ୍କ ପ୍ରତୀକ୍ଷାରେ ଥିଲେ । ମୁଁ ଗାଡିରୁ ଓହ୍ଲାଇ ନିତ୍ୟକର୍ମରେ ପ୍ରବୃତ୍ତ ହେଲି । ପ୍ରତ୍ୟହ ତିନିଟା ବେଳୁ ଉଠି ନିତ୍ୟକର୍ମ ଶେଷ କରିବା ମୋର ଚିରଦିନର ଅଭ୍ୟାସ । ସେଥିର ବ୍ୟତିକ୍ରମ ଘଟିଲେ ଶରୀର ଅସୃସ୍ଥ ହୁଏ ।
ଠିକ୍ତିନିଟା ସମୟରେ ଆମ୍ଭେମାନେ ନୌକାରୋହଣ କଲୁଁ । ନାବିକମାନଙ୍କୁ ମିଶାଇ ଆମ୍ଭମାନଙ୍କ ଦଳର ସମଷ୍ଟି ଦଶଜଣମାତ୍ର । ନାବିକମାନେ କାଳୀଜୟୀ ଦେବୀଙ୍କୁ ଗଙ୍ଗାଙ୍କ ପ୍ରତିମୂର୍ତ୍ତି ଜ୍ଞାନ କରନ୍ତି ଓ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ହେତୁ ତାହାଙ୍କୁ ପୂଜା କରନ୍ତି । ନାବିକମାନେ ‘‘ଜୟ ମା ଗଙ୍ଗା ’’ ଉଚ୍ଚାରଣପୂର୍ବକ କାଳୀଜୟୀଙ୍କ ଉଦ୍ଦେଶ୍ୟରେ ମିଷ୍ଟାନ୍ନ ଭୋଗ ଦେଇ ନୌକା ଛାଡିଦେଲେ । ଆମ୍ଭେମାନେ ମଧ୍ୟ ଗଙ୍ଗା ନାମ ଉଚ୍ଚାରଣ କରି ଯୋଡ଼ ହସ୍ତରେ ନମସ୍କାର କଲୁଁ । ନୌକା ଛାଡିବାର ଅବ୍ୟବହିତ ପରେ ନାବିକମାନେ ସମସ୍ୱରରେ ଗଙ୍ଗାଦେବୀଙ୍କର ଗୋଟିଏ ଜଣାଣ ସଙ୍ଗୀତ ଗାନ କଲେ । ସଙ୍ଗୀତଟି ସଂଶୋଧନ ନ କରି ସେମାନେ ଯେଉଁ ପରି ଗାଇଥିଲେ, ଅବିକଳ ସେହିପରି ଲେଖିଲି ।
‘‘ମାତ ଲୋ ଭାଗ୍ୟରଥୀ ଗଙ୍ଗା,
ଭାସୁଛି ଅକାତ କଳେ କୂଳେ ନେଇ ଲଗା ।ପଦ ।
ସିନ୍ଧୁ ମଧ୍ୟେ ମାତ ତୁହି ବାସ କଲୁ ଆସି,
ଦୁର୍ଘଟ ପଡ଼ଇ ଯାକୁ ତା ଭରା ଉଶ୍ୱାସି ।
ମାତା ଗର୍ଭେ ପୁତ୍ର ଯେବେ ପାଦ ପ୍ରହରଇ,
ସେ ଦୋଷ କି ମାତା ତାର ତା ପକ୍ଷେ ଘେନଇ ?
ତୁ ଯେବେ ନିରାଷ ମାତ କରିବୁ ଏଠାରେ,
ନିନ୍ଦା ଅପକୀର୍ତ୍ତି ହେବ ଏ ମାୟା ସଂସାର ।
ସେହି ଦୟା ମୋହଠାରେ ବାରେମାତ୍ର ହେଉ,
ବିଖ୍ୟାତ ବାନା ତୋହର ଅବିଖ୍ୟାତ ନୋହୁ ।
ଭଣେ ଦୀନକୃଷ୍ଣ ଦାସ ତୋ ପାଦେ ଶରଣ,
ତୁମ୍ଭ ଶ୍ରୀଚରଣ ତଳେ ରହୁ ମୋର ମନ ।’’
ଏ ଦୀନକୃଷ୍ଣ ଦାସ କିଏ, ଜଣାଯାଉ ନାହିଁ । ସମ୍ଭବତଃ ରସକଲ୍ଲୋଳ-ପ୍ରଣେତା ନୁହନ୍ତି । ସଙ୍ଗୀତଟି ବଡ଼ ଭାବପ୍ରାଣ । ତାଳ ଲୟ ଧରି ଗାଉଥିବା ବେଳେ ବଡ ମଧୁର ବୋଧହେଲା । ତାହା ଅଶିକ୍ଷିତର ମୁଖବାଣୀ ହେଉ ପଛେ; ମାତ୍ର ତହିଁରେ ବିଶେଷତ୍ୱ ଅଛି । ସେଥିରେ ପ୍ରାଣର ପ୍ରାର୍ଥନା, ମାତୃତ୍ୱର ଦାବୀ, ଭକ୍ତର ଅଭିମାନ ଓ ଆତ୍ମସମର୍ପଣ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ । ମୁକ୍ତପ୍ରାଣରେ ଏଭଳି ହୃଦୟର ଭାବ ବ୍ୟକ୍ତ କରିବା କେବଳ ସରଳବିଶ୍ୱାସୀ ଭକ୍ତ ପକ୍ଷରେ ସମ୍ଭବ । ନୌକା ଖଣ୍ଡେଦୂର ଗଲାପରେ ନାବିକମାନେ ପାଇ ଟାଣିଦେଲେ । ଅନୁକୂଳ ପବନ ପାଇ ନୌକା ତୀଲଗତିରେ ଅଗ୍ରସର ହେଲା । ତରଙ୍ଗରେ ନୌକା ଦୋଦୁଲ୍ୟମାନ ହେଲାବେଳେ ମାତୃକୋଳରେ ବସି ଝୁଲିଲା ପ୍ରାୟ ସୁଖକର ବୋଧ ହେଲା । ଲହରୀଗୁଡ଼ିକ ନୌକାରେ ପ୍ରତିହତ ହୋଇ ନୌକା ଦେହରେ ଘଷିହୋଇ କୁଳୁ କୁଳୁ ଶବ୍ଦ କରି ଚାଲିଯାଉଥାଏ । ଆହା, ସେହି କୋମଳ କୁଳୁ କୁଳୁ ଧ୍ୱନି ମାତୃକଳ୍ପା ଚିଲିକାଦେବୀଙ୍କ ମଧୁର ମଙ୍ଗଳ ପୃଣ୍ୟାଶୀର୍ବାଣୀ ପ୍ରାଣରେ ଅପୂର୍ବ ଆନନ୍ଦଧାରା ଢାଳି ଦେଉଥାଏ । ସଙ୍ଗୀମାନେ ସମସ୍ତେ ଦେବୀଙ୍କ ଅଙ୍କରେ ସନ୍ତାନର ପ୍ରାପ୍ୟ ଲାଭକଲେ । ମାତୃଯତ୍ନ, ମାତୃସ୍ନେହ ପାଇ ସେମାନେ ଚିଲିକାମାତାଙ୍କୁ ଭୁଲିଗଲେ । ମୁଁ ଏକା ଉଜାଗର ରହିଲି । ଅନ୍ଧକାରରେ ଚିଲିକା ଆକାଶ ମିଶିଯାଇଅଛି । ଯେମନ୍ତ କି ସେମାନେ ମୁହଁକୁ ମୁହଁ ଲଗାଇ କି ଗୁପ୍ତ ଯନ୍ତ୍ରଣାରେ ନିଯୁକ୍ତ । ସେ ମନ୍ତ୍ରଣା ଜାଣିବାର କୌଣସି ଆବଶ୍ୟକତା ମୋର ନାହିଁ । ତାହା ବଡ଼ଙ୍କର ବଡ଼ କଥା, ମୋ ଭଳି କ୍ଷୁଦ୍ରର ତହିଁରେ କି ଲାଭ ? ମୁଁ ଖାଲି ଅନାଇ ରହିଲି । ଦେଖିଲି, ଚିଲିକାର ବିରାଟ ମହିମା-ମଣ୍ଡିତ ବିରାଟ ଶରୀର । ଦେଖିଲି, ମହା ପ୍ରକୃତିର ମହାଶକ୍ତି ମୂର୍ତ୍ତି ଧରି ବିସ୍ତୃତ ଏବଂ ଦେଖିଲି, ତାହାର ରୁଦ୍ର ଫେନ-ହାସ । ଅନ୍ୟଶବ୍ଦ କିଛି ନାହିଁ । କେବଳ ମଧ୍ୟରେ ଝପ୍ଝପ୍ଶୁଭୁଅଛି । ତାହା ମତ୍ସ୍ୟମୃଗୟୁ ପକ୍ଷୀମାନଙ୍କର ଜଳରେ ବୁଡିବାର ଶବ୍ଦ । ମାଝିମାନେ ସୁଦ୍ଧା ଶୋଇଲେ । ନୌକା ତ ପବନ ବଳରେ ଚାଲିଅଛି; ସୃତରାଂ ତାଙ୍କର ଭାବନା କଅଣ ? ସେମାନେ ନିଶ୍ଚିନ୍ତ ହୋଇ ନାସିକାଶଙ୍ଖଧ୍ୱନି କରିବାକୁ ଲାଗିଲେ । ଡ଼ାକିଲେ ସୁଦ୍ଧା ଶୁଣିଲେ ନାହିଁ । ତହୁଁ ମନରେ ପଡିଗଲା-
‘‘ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ
ଡାକ ନ ଶୁଣନ୍ତେ ରଘୁନାଥ କଥିତ ।
ବିଷଧର ପ୍ରାୟେ କି ତୁହି,
ବାରେ ନେତ୍ର ଢାଳି ଚାହିଁ । ଉଦାର ନୋହି ।’’
ଭଞ୍ଜକବି ଜାଣି ନ ଥିଲେ କଅଣ ? ନାଉରିମାନେ ଯେ ସ୍ୱଭାବତଃ ବଦମଗଜା, ଏହା ସୁଦ୍ଧା ତାଙ୍କର ସୌଭାଗ୍ୟ-ବିଳାସ-ବର୍ଦ୍ଧିତ ରାଜଜୀବନରେ ଅନନୁଭୂତ ନ ଥିଲା । କ୍ରମେ ପ୍ରଭାତ ହୋଇ ଆସିଲା, ସମସ୍ତେ ଉଠିଲେ । ମେଘାବରଣ ହେତୁ ସୂର୍ଯ୍ୟେଦୟ ଦେଖାଗଲା ନାହିଁ । ତରଣୀ କାଳୀଜୟୀ ଗଣ୍ଡରେ ପଡିଲା । କାଳୀଜୟୀ ଗିରି ଦେଖାଗଲା । ତାହା ମସ୍ତକରେ ହୀରକମୁକୁଟ ପ୍ରାୟ ଦେବୀଙ୍କ ଦେଉଳ ମଧ୍ୟ ଦେଖାଗଲା । ଆମ୍ଭେମାନେ ଦୂରରୁ ସମସ୍ତେ ନମସ୍କାର କଲୁ । ଆଶା ସାଫଲ୍ୟ ସମୀପବର୍ତ୍ତିନୀ ହେଲା । କେତେ କାଳର ଆକାଙ୍କ୍ଷା, କେତେ କାଳର ଅବରୁଦ୍ଧ ଉତ୍କଣ୍ଠା, ଯାହା ଲଗି ମୋ ପ୍ରାଣରେ ଦୌରାସ୍ତ୍ୟ କରୁଥିଲା, ଆଜି ତାହାର ସମୀପବର୍ତ୍ତୀ ହୋଇ ମଙ୍ଗଳମୟଙ୍କ ମଙ୍ଗଳ ଆଶୀର୍ବାଦରୁ ସେହି ଆକାଙ୍କ୍ଷା ଉତ୍କଣ୍ଠାର ଗୁଣ ପରିଶୋଧରେ କ୍ଷମ ହେଲି । ବାସନାର ବୋଝ ଲଘୁ ହେଲା । କାଳୀଜୟୀ ଗିରି ଉଚ୍ଚ ପର୍ବତ ନୁହେଁ-ତାହା ଖଣ୍ଡିଏ ଦ୍ୱୀପ ପରି । ଜଳର ସମତଳରୁ ପ୍ରାୟ ୫୦ ହାତ ଉଚ୍ଚ । ନୌକା ଯେତେ ନିକଟବର୍ତ୍ତୀ ହେଉଥାଏ, ଦ୍ୱୀପର ଆକର୍ଷଣୀ ଶକ୍ତି ତେତିକି ବୃଦ୍ଧି ଲାଭ କରୁଥାଏ । ପ୍ରାତଃ ଛଅଘଣ୍ଟା ସମୟରେ ନାବ ଦ୍ୱୀପରେ ଲାଗିଲା । ଛାଚ, ମେଷ ଓ କୁକ୍କୁଟଯୁଥ ଆମ୍ଭମାନଙ୍କ ଅଭ୍ୟର୍ଥନା ସକାଶେ ଆଗରୁ ନୌକା ଲାଗିବା ସ୍ଥାନରେ ଆସି ଠିଆହୋଇଥିଲେ । ଅବତରଣମାତ୍ରେ ଆନନ୍ଦ କୋଳାହଳ ସହ ଆମ୍ଭମାନଙ୍କୁ ଘେନିଗଲେ । କେହି ବା ଆନନ୍ଦମିଶ୍ରିତ କାତର ଦୃଷ୍ଟିରେ ଚାହିଁରହିଲା । ଦ୍ୱୀପଖଣ୍ଡିକ ସେମାନଙ୍କ ପକ୍ଷରେ ଆନ୍ଦାମାନ । ବିନା ଅପରାଧରେ ସେମାନେ ଏହି ନିର୍ଜନ ଦ୍ୱୀପରେ ନିର୍ବାସନ ଶାସ୍ତି ଭୋଗ କରୁଅଛନ୍ତି । ଆମ୍ଭେମାନେ ପୂର୍ବରୁ ସେମାନଙ୍କ କଥା ଶୁଣି ସେମାନଙ୍କ ପାଇଁ ଖଇ, ଉଖୁଡା ପ୍ରଭୃତି ନେଇ ଯାଇଥିଲୁଁ । ତାହା ସେମାନଙ୍କୁ ଖାଇବାକୁ ଦିଆଗଲା । ଆମ୍ଭେମାନେ ଦେଉଳ ଆଡ଼କୁ ଅଗ୍ରସର ହେଲୁଁ । ସେମାନେ ଆମ୍ଭମାନଙ୍କୁ ଘେରି ଚାଲିଲେ ।
ମନ୍ଦିର ପାଖରେ ପହଞ୍ଚିଲାକ୍ଷଣି ହଠାତ୍ବୃଷ୍ଟି ଢାଳି ପକାଇଲା । ତହିଁ ସଙ୍ଗେ ସଙ୍ଗେ ପ୍ରବଳ ପବନ ବହିଲା । ମୁହୂର୍ତ୍ତକ ମଧ୍ୟରେ ବୈଶାଖ ବାତ୍ୟାଗର୍ଭଧାରା-ଶ୍ରାବଣରେ ପରିଣତ ହେଲା-। କାହାର ଏ ପୁପ୍ତ ଶକ୍ତି ହଠାତ୍ଜାଗ୍ରତ ହୋଇ ଭୀଷଣ ଉତ୍ପାତ ଆରମ୍ଭ କଲା । ଚିଲିକା ନିବିଡ଼ ତରଙ୍ଗମୟ ହୋଇ ଉଠିଲା । ଚାରି ପାଖରୁ ଉତ୍ତୁଙ୍ଗ ତରଙ୍ଗମାଳା ଦ୍ୱୀପକୁ ଆକ୍ରମଣ କଲେ । ଯେମନ୍ତ କି ସେମାନେ ଦ୍ୱୀପଖଣ୍ଡ ଲେଉଟାଇଦେବେ । ଚିଲିକାର ଗଭୀର ବିକଟ ହୁଙ୍କାର ପ୍ରଭଞ୍ଜନର ରୁଦ୍ର ଝଙ୍କାର ଏବଂ ଛାଗ କୁକ୍କୁଟକୁଲର ଆର୍ତ୍ତ ଚିତ୍କାରରେ କର୍ଣ୍ଣ ବିଦୀର୍ଣ୍ଣ ହେଲା ପ୍ରାୟ ବୋଧ ହେଲା । ହଠାତ୍ଏ ବିପଦର ଅଗ୍ନି ଭୁଣ୍ଡ ସୃଷ୍ଟି ଦେଖି ଆମ୍ଭେମାନେ ଅସ୍ଥିର ହୋଇପଡିଲୁଁ । ଭୀଷଣ ଶୀତରେ ହାତ ଗୋଡ଼ ଖିଲି ମାରିଗଲା । ମୁଁ ବଡ଼ ଅବସନ୍ନ ହୋଇ ପଡିଲି । ଆଶ୍ରୟ ନେବାକୁ ସ୍ଥାନ ନାହିଁ । ଦ୍ୱୀପରେ ବଡ଼ ଗଛ ସୃଦ୍ଧା ନାହିଁ । ଭୋଗ ମନ୍ଦିରରେ ପ୍ରସ୍ତୁତ ହେଉଅଛି । ତାହା ଏତେ ଅସମ୍ପୂର୍ଣ୍ଣ ଯେ ମଧ୍ୟରେ ଆଶ୍ରୟ ନେବାର ଉପାୟ ନାହିଁ । ନିକଟରେ ଖଣ୍ଡିଏ ତାଳବରଡ଼ା ନିର୍ମିତ ପଲା ଦେଖିଲୁଁ । ତାହା ମାନଧାତାଙ୍କ ଅମଳର । ବୋଧହୁଏ ରୋଷଘରର ଭିତ୍ତପାତ ସମୟରେ କୁଲିମାନେ ରହିବା ସକାଶେ ତାହା ପ୍ରସ୍ତୁତ କରିଥିଲେ । ପବନ ଦେବଙ୍କ ପ୍ରସାଦରୁ ପଲାଖଣ୍ଡିକ ତିନିପାଖ ମୁକୁଳା । ସଙ୍ଗୀମାନେ ମୋତେ ସେହି ପଲାରେ ରଖି ଉଡିଯାଇଥିବା ଅଂଶ ଡାଳପତ୍ର ଭାଙ୍ଗିଆଣି ଆଚ୍ଛାଦନ କରିଦେଲେ । ମୁଁ ସମସ୍ତଙ୍କ ଲୁଗା ଘୋଡା ହୋଇ ପଲା ଭିତରେ ବସିଲି । ପବନଦେବ ଅନୁଗ୍ରହପୂର୍ବକ ମହୁର୍ମୁହୁ ମୋର ଉଟଜଖଣ୍ଡି ସ୍ଥାନାନ୍ତର କରିବାକୁ ଯତ୍ନ କଲେ; ମାତ୍ର ମୁଁ ମଥାନରେ ଓହଳି ପ୍ରାଣପଣରେ ସେ ଦାଉ ସମ୍ଭାଳିନେଲି । ଦୁର୍ବଳ ହେଲେ କଅଣ ହେବ, ପ୍ରବଳ ପବନକୁ ଜୟ କରିବାକୁ ସମର୍ଥ ହେଲି । ଯଥେଷ୍ଟ ଆତ୍ମପ୍ରସାଦ ମଧ୍ୟ ଉପଭୋଗ କଲି । ଭାବିଲି ଏ ଆକାଳ ବୃଷ୍ଟିର କାରଣ ଅନ୍ୟ କିଛି ନୁହେଁ, ବୋଧହୁଏ ଇନ୍ଦ୍ରଦେବ ଏହି ନିର୍ବାସିତ ପଶୁପକ୍ଷୀଙ୍କ ପ୍ରତି କୃପାପରବଶ ହୋଇ ଲବଣ ଜଳପାତର ଅରୁଚି ଛଡ଼ାଇବା ପାଇଁ ଆକାଶରୁ ଅମୃତ-ଧାରା ଢାଳି ଦେଉଅଛନ୍ତି । ଅନର୍ଗଳ ବୃଷ୍ଟି ଓ ତୋଫାନ ! ଏକୁଟିଆ ନିଷ୍କର୍ମ ହୋଇ ବସିବାକୁ ମନ ବଜିଲା ନାହିଁ । ତହୁଁ ବୈଦେହାଶ ବିଳାସ ଆରମ୍ଭ କଲି; ମାତ୍ର ଏ ନିର୍ଜନ ସ୍ଥାନରେ, ପ୍ରକୃତିର ଏ ଭୀଷଣତା ମଧ୍ୟରେ ମୋର ଏ ଗୀତ କିଏ ଶୁଣିବ ? କେତେଗୋଟି ଛାରା କୁକ୍କୁଟ ମୋ ପାଖରେ ଆଶ୍ରୟ ନେଇଥିଲେ, ସେହିମାନେ ଶୁଣିଲେ । ସମସ୍ତେ ଯେ ଶୁଣିଲେ ତାହା ନୁହେ, କେହି କେହି ଶାନ୍ତି-ପ୍ରୟାସୀ କୋଳାହଳଦ୍ୱେଷୀ କବି ପ୍ରାୟ ଗୋଳମାଳ ଶୁଣି ତୀବ୍ର ପ୍ରତିବାଦ କରି ଉଠୁଥାନ୍ତି । ମୁଁ ସୁଖରେ ବସି ମନଫୁଇଣା ଗୀବ ଗାଇଲି; ମାତ୍ର ଯେଉଁମାନେ ମୋର ସୁବିଧା କରାଇଦେଲେ ସେମାନେ କେଉ ଆଡ଼େ ଗଲେ ବା କଅଣ ହେଲେ ସେ ଆଡ଼କୁ ମୋର ଦୃଷ୍ଟୀ ଦେବାର ଅବସର ମୁଁ ପାଇଲି ନାହିଁ । ଏହାହିତ ଯୁଗୋଚିତ କୃତଜ୍ଞତା । ସମସ୍ତେ ତିନ୍ତି ଶୀତରେ ଥରିଲେ । ମନ୍ଦିର ଭିତରକୁ ଯାଇଥିଲେ ନିରାପଦ ହୋଇପାରିଥାଆନ୍ତେ; ମାତ୍ର ସ୍ନାନ କରି ନ ଥିବା ହେତୁ ନିଜକୁ ଅପବିତ୍ର ମଣି କେହି ଗଲେ ନାହିଁ । ଭାବିଲି ଏମାନେ କି ଭ୍ରାନ୍ତା ! ମନ୍ଦିରରେ ଯଦି ଦେବତା ଥାଆନ୍ତେ, ତେବେ ସେଠାକୁ ଅପବିତ୍ର ହୋଇ ଗଲେ ପବିତ୍ର ହୋଇ ଆସିବାକୁ ହେବ । ପବିତ୍ର ସ୍ପର୍ଶରେ ଅପବିତ୍ର ସୁଦ୍ଧା ଯେ ପବିତ୍ର ହୋଇଯାଏ, ଏହା ଏମାନେ ଜାଣନ୍ତି ନାହିଁ ।
ଆଉ ଏକ ବିପଦ । ପବନ ଓ ତରଙ୍ଗ ଆଘାତରେ ନୌକାଖର୍ତି ପ୍ରବଳ ଭାବରେ ଉତ୍କ୍ଷିପ୍ତ ଏବଂ ନିକ୍ଷିପ୍ତ ହୋଇ ପଥର ବାଜି ଫାଟିଯିବାର ଆଶଙ୍କା ଜାତ କଲା । ତାହାହେଲେ ଏହି ନିରୀହ ପଶୁପକ୍ଷୀ ତୁଲ୍ୟ ଆମ୍ଭମାନଙ୍କୁ ସୃଦ୍ଧ କିଛିକାଳ ଏହି ଦ୍ୱୀପରେ ନିର୍ବାସିତ ହୋଇ ରହିବାକୁ ପଡିବ । ନାବିକମାନେ ନାନାବିଧ ଚେଷ୍ଟା କରି ସୁଦ୍ଧା ନୌକାକୁ ସ୍ଥିର କରି ରଖିପାରିଲେ ନାହିଁ । ତହୁଁ ଜୟକୃଷ୍ଣ ବାବୁ ଏକ କୌଶଳ ଉଭାବନ କଲେ । ଦୁଇଟା ବଡ଼ ପଥରକୁ ଦଉଡ଼ାରେ ବାନ୍ଧି ନୌକାରେ ରଖିବାକୁ ହେଲା । ପରେ ନୌକାକୁ ଗଭୀର ଜଳକୁ ଘେନିଯାଇ ସେହି ପ୍ରସ୍ତରଦ୍ୱାରା ନଙ୍ଗର କରି ରଖାଗଲା । ସେଥିରେ ନୌକା ଉତ୍କ୍ଷିପ୍ତ ନିକ୍ଷିପ୍ତ ହେଲା; ମାତ୍ର ଫାଟିଯିବାର ଆଶଙ୍କା ରହିଲା ନାହିଁ । ଆଠଘଣ୍ଟା ସମୟରେ ବୃଷ୍ଟି ତୋଫାନ ଛାଡିଗଲା, ଆକାଶ ନିର୍ମଳ ଦିଶିଲା, ଚିଲିକା ମଧ୍ୟ ଶାନ୍ତଭାବ ଧାରଣ କଲା । ସୂର୍ଯ୍ୟକିରଣରେ ବିଷର୍ଣ୍ଣ ଦ୍ୱୀପଟି ହସିଉଠିଲା । ସମସ୍ତେ ଚିଲିକାରେ ସ୍ନାନ କରି ମନ୍ଦିର ଭିତରକୁ ଗଲୁଁ । ଦେବୀଙ୍କ ଦର୍ଶନ ପରେ ରନ୍ଧନର ବ୍ୟବସ୍ଥା କରିବା ସକାଶେ ସମସ୍ତେ ବାହାରି ଆସିଲେ । ମୁଁ କେବଳ ମନ୍ଦିର ଭିତରେ ରହିଲି ।
ମନ୍ଦିରଟି ଉଚ୍ଚ ନୁହେଁ କି ଖର୍ବକାୟ ନୁହେଁ । ପୂର୍ବଦିଗକୁ ଦ୍ୱାରା, ନିତାନ୍ତ ଆଧୂନିକ ହେତୁ ଶିଳ୍ପକଳା ବର୍ଜିତ । କେବଳ ଦେହଳୀ ଊର୍ଦ୍ଧ୍ୱରେ ବିଷ୍ଣୁଙ୍କର ଚତୁର୍ଭୁତ ମୂର୍ତ୍ତି ସନ୍ନିବିଷ୍ଟ ହୋଇଅଛି । ମନ୍ଦିର ଭିତର ପରିଷ୍ଟୃତ ନୁହେଁ, କଷ୍ଟରେ ୫।୬ ଜଣ ବସିପାରିବେ । ପଶ୍ଚିମ ପାର୍ଶ୍ୱର ଭିତ୍ତସଂଯୁକ୍ତ ମଣ୍ଡପ ଉପରେ କାଳୀଜୟୀ ଦେବୀଙ୍କର ପ୍ରସ୍ତରମୂର୍ତ୍ତି ବିଦ୍ୟମାନ । ଳାଙ୍କର ଦକ୍ଷିଣ ଭାଗରେ ଗୋଟିଏ ସିଂହର ମୂର୍ତ୍ତି । ସିନ୍ଦୁରରେ ପ୍ଳାବିତ ହୋଇ ମୂର୍ତ୍ତିଦ୍ୱୟ ଏରୂପ ଅସ୍ପଷ୍ଟ ହୋଇଅଛି ଯେ, ଚିହ୍ନିବାର ଉପାୟ ନାହିଁ । ସିନ୍ଦୁର ସ୍ତର ଉପରେ ରୂପାର ଆଖି ବସାଇ ଦିଆଯାଇଅଛି । ସିଂହାସନ ଭିତ୍ତିରେ ସ୍ତ୍ରୀମାନଙ୍କ ହାତରେ ପିନ୍ଧିବାର କାଚ, କଉଡି ଲଗାଯାଇଅଛି । ଦେବୀଙ୍କ ଶରୀରରେ ସୁଦ୍ଧା ପଇସା ଲଗାଯାଇଅଛି । ମସ୍ତକ ଉପରେ ଦୁଇଖଣ୍ଡ ଜୀର୍ଣ୍ଣ ଚନ୍ଦ୍ରାତପ ଏବଂ ଗୋଟିଏ କ୍ଷୁଦ୍ର କଉଡିର ଝାମ୍ପ ଟଙ୍ଗା ହୋଇଅଛି । ତାହା ତଳେ ଖଣ୍ଡେ ଜୀର୍ଣ୍ଣ କାଇଁଚ ପଙ୍ଖା ଓ ଗୋଟାଏ ଜୀର୍ଣ୍ଣ ବଟୁଆ ଓହଳିଅଛି । ବଟୁଆରେ କେତେ କଡ଼ା କଉଡି ବ୍ୟତୀତ ଅନ୍ୟ କିଛି ନାହିଁ । ଅଲଗୃଣିରେ କେତେ ଖଣ୍ଡ ଜୀର୍ଣ୍ଣ କଳା ଶାଢୀ ଅଛି । ପ୍ରତ୍ୟେକର ଲମ୍ବ ଏକ ହାତ ଏବଂ ଓସାର ଚାଖଣ୍ଡେମାତ୍ର । ସେହିପରି ଖଣ୍ଡିଏ ଶାଢୀ ଦେବାଙ୍କର ପରିଧେୟ ହୋଇଅଛି । ମନ୍ଦିରର ଏକ କୋଶରେ ଗୋଟିଏ ଧାନପେଣ୍ଡା ଏବଂ ତାହା ସଙ୍ଗରେ ବଙ୍ଗବାସୀ ପ୍ରେସର ଛିନ୍ନ ଗଦ୍ୟ ଅଯୋଧ୍ୟାକାଣ୍ଡ ରାମାୟଣ ଖଣ୍ଡେ ଟଙ୍ଗା ହୋଇଅଛି । ସିଂହାସନ୍ନ ତଳେ ଚନ୍ଦନକାଠ, ଚନ୍ଦନପେଡି, ଦୀପ, ଧୂପଦାନୀ, ହାତଘଣ୍ଟା ପ୍ରଭୃତି ପୂଜାର ଉପକରଣ ଥୁଆ ହୋଇଅଛି । ଅନ୍ୟ ଏକ କୋଣରେ ହନୁମାନ ମୂର୍ତ୍ତି । ତାହା ସୁଦ୍ଧା ସିନ୍ଦୁରରେ ଅସ୍ପଷ୍ଟ । ହନୁମାନ ଗୋଟାଏ ସ୍ତ୍ରୀମୂର୍ତ୍ତିର ମୁଖରେ ଗୋଟାଏ ଶାବଳ ପ୍ରବେଶ କରାଉଅଛି-। ହନୁମାନ ପାଖରେ କେତେ ଖଣ୍ଡ ସରୁ ବେତ ରକ୍ଷିତ ହୋଇଅଛି । ମନ୍ଦିରର ଭିତ୍ତି ଖଣ୍ଡିଏ ଖଣ୍ଡିଏ ନାମାବଳି । ଦର୍ଶକର ଅଙ୍ଗାରଅଙ୍କିତ ନାମରେ ତାହା ପୂର୍ଣ୍ଣ । ଦେବୀଙ୍କ ପ୍ରତି ନାବିକମାନଙ୍କର ଅଟଳ ଭକ୍ତି ଓ ବିଶ୍ୱାସ । ପ୍ରତ୍ୟେକ ଚିଲିକାବାହୀ ନାବିକ ଦେବୀଙ୍କୁ ପୂଜା କରି ସୁଉଜି, ଦୋଅଣୀ, ପଇସା ପ୍ରଭୃତି ତାଙ୍କ ଦେହରେ ଲଗାଇଦେଇ ଯାଆନତି । ଆମ୍ଭେମାନେ ମଧ୍ୟ ପଇସା ଲଗାଇଲୁ । ଏହି ସୁତ୍ରରେ ମନ୍ଦିରରେ ଯେଉଁ ଅର୍ଥ ସଞ୍ଚିତ ହୁଏ, ତାହା କିଏ ନେଇ କିପରି ବ୍ୟୟ କରେ କିଛି ବୁଝାଗଲା ନାହିଁ । ମୋ ବିବେଚନାରେ ଏହି ଅର୍ଥରାଶି ଦେବୀଙ୍କ ଆଶ୍ରିତ ହତଭାଗ୍ୟ ନିର୍ବାସିତ ପଶୁପକ୍ଷୀଙ୍କ ପାଳନରେ ବ୍ୟୟିତ ହେଲେ ତାହାର ପ୍ରକୃତ ସଦ୍ବ୍ୟବହାର ହୁଅନ୍ତା । ସେଗୁଡିକ ସୁଦ୍ଧା ଅକାଳ ମୃତ୍ୟୁମୁଖରୁ ଉଦ୍ଧାର ଲାଭ କରନ୍ତେ ।
ମୁଁ ମନ୍ଦିର ମଧ୍ୟରେ ବସି ଦେବଦେବୀଙ୍କର କେତେକ ସ୍ତୋତ୍ର ଆବୃତ୍ତ କଲି । ମନ ବଡ଼ ପବିତ୍ର, ପ୍ରସନ୍ନ ବୋଧହେଲା । ବାସ୍ତବରେ ଏହା ଦେବଯୋଗ୍ୟ ସ୍ଥଳ ଏବଂ ସାଧନାର ଉପଯୁକ୍ତ ସ୍ୱର୍ଗ । କେବଳ ପାନୀୟ ଜଳ ଅଭାବରୁ ଏ ପାବନତୀର୍ଥ ନିର୍ଜନ ବନରେ ପରିଣତ ହୋଇଅଛି । ଏ ସ୍ଥାନ ଛୁଇଁଲେ ମନରେ ଏକ ଅପୂର୍ବ ଆନନ୍ଦ ଏବଂ ତୃପ୍ତି ଅନୁଭୁତ ହୁଏ; ସଂସାରକୁ ଆଉ ଫେରିବାକୁ ଇଚ୍ଛା ହୁଏ ନାହିଁ । ସବୁବେଳେ ଏ ଦ୍ୱୀପରେ ପୃଣ୍ୟର ବିରାଟ ମହିମା ଦେହ ଧରି ଭ୍ରମଣ କରୁଅଛି । ତାହା ନ ହେବ ବା କାହିଁକି ? ଏ ଯେ ବ୍ରହ୍ମଦର୍ଶିନୀ ମହାଯୋଗିନୀ ଚିଲିକାର ପରମ ଯୋଗଦେବୀ । ସ୍ୱୟଂ ଚିଲିକାଦେବୀ କାଳିଜୟୀ ରୂପରେ ଏଠାରେ ମହାଯୋଗରେ ସମାଧିସ୍ଥ । ଦୁଃଖର ବିଷୟ, ଏରୂପ ସ୍ଥାନ ଅତକ ଜଳଧି ଗର୍ଭରେ ରହି ଲୋକର ଅଗମ୍ୟ ହୋଇଅଛି ।
ଖଲ୍ଲିକୋଟରୁ ପୂଜାର ଉପକରଣ ସଙ୍ଗରେ ଆଣିଥିଲୁଁ । ଜୟକୃଷ୍ଣ ବାବୁ ସେ ସମସ୍ତ ଘେନି ମନ୍ଦିରରେ ପ୍ରବେଶ କଲେ । ସେ ଦେବୀଙ୍କ ପୂଜାରେ ନିଯୁକ୍ତ ହେଲେ, ମୁଁ ତାଙ୍କର ଉତ୍ତର ସାଧକ ହେଲି । ଉଭୟେ ମନ୍ତ୍ରବିଦ୍ୟାରେ ମହା ଧୁରନ୍ଧର; ସୁତରାଂ ନିର୍ମନ୍ତ୍ର ପୂଜାର ଆଶ୍ରୟ ନେବାକୁ ହେଲା । ମନ୍ତ୍ରହୀନ ପୂଜାହିଁ ପ୍ରକୃତ ପୂଜା, ତହିଁରେ ଆତ୍ମା ସଂତୃପ୍ତ ହୁଏ । ଭକ୍ତିର ଆବେଗ ଆତ୍ମଦାନର ଉତ୍କଣ୍ଠାରୁ ମନ୍ତ୍ରର ଶକ୍ତି ଅଧିକ ନୁହେ । ଦେବତା ଭକ୍ତିରେ ତୁଷ୍ଟ ହୁଅନ୍ତି- ମନ୍ତ୍ରରେ ନୁହେ-। ବାଳକ ଧ୍ରୁବ କି ମନ୍ତ୍ର ବା ଜାଣିଥିଲା ? ସହସ୍ର ଧ୍ୟାନ ମନ୍ତ୍ରରେ ମୁନିଋଷିମାନେ ଯାହାଙ୍କୁ ଲାଭ କରିବାକୁ ଅକ୍ଷମ ଖାଲି ଭକ୍ତିପୁତ ପ୍ରାଣର ଆହ୍ୱାନରେ ଶିଶୁ ଧ୍ରୁବ ସେହି ପ୍ରାଣାରାମଙ୍କୁ ଲାଭ କରିଥିଲା । ଭକ୍ତର ଆତୁର ଆହ୍ୱାନହିଁ ମହାମନ୍ତ୍ର । ପ୍ରକୃତ ପୂଜା ପ୍ରାଣ ଭିତରେ ହୁଏ, ପ୍ରାଣ ଏକା ପୂଜାର ଉପଯୁକ୍ତ ସିଦ୍ଧିମଣ୍ଡପ । ମାନସ-ପୂଜା ହୃଦୟରେ ଅମୃତ ମହୋତ୍ସବ ସୃଷ୍ଟି କରେ । ଧୂପ, ଦୀପ, ପୁଷ୍ପ, ଚନ୍ଦନ, ନୈବେଦ୍ୟ ପ୍ରଭୃତି ଦେବୀଙ୍କୁ ସମର୍ପଣ କରାଗଲା ।
ତେଣେ ଅନ୍ତ୍ରବ୍ୟଞ୍ଜନ ପ୍ରସ୍ତୁତ । ତାହା ମନ୍ଦିର ମଧ୍ୟକୁ ଅନୀତ ହେଲା । ପୂଜକ ଜୟକୃଷ୍ଣ ବାବୁ ଚଳୁ ଛଡାଇ ଭୋଗ ଦେଲେ । ତହିଁ ପରେ ଆମ୍ଭେମାନେ ଚାରିଜଣ ଉଦରଦେବଙ୍କୁ ପ୍ରସାଦ ଅର୍ପଣ କଲୁଁ । ନାବିକମାନେ ନୌକାରେ ରାନ୍ଧି ଖାଇଲେ । ବ୍ୟଞ୍ଜନର ଆଡମ୍ବର ବା ଉପାଦେୟତା ନ ଥିଲେ ସୁଦ୍ଧା ଭୋଜନରେ ବିଶେଷ ତୃପ୍ତି ବୋଧ ହେଲା । କ୍ଷୁଧାଦେବୀ ପୂର୍ବରୁ ଅଭ୍ୟାଗତ ହୋଇଥିଲେ, ସୁତରାଂ ଭୋଜନର ମାତ୍ରା ଅଧିକ ହେଲା । ନିଜର ଭୋଜନରେ ନିଜକୁ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡିଲା । ଅନ୍ନବ୍ୟଞ୍ଜନରେ କି ଲୋଭନୀୟ ବସ୍ତୁ ମିଶିଥିବା ପରି ବୋଧ ହେଲା । ଅତିରିକ୍ତ ଖାଦ୍ୟ ଉଦରସ୍ଥ କରି ଭାବିଲି, ଏହା ମୁଁ ଖାଇ ନାହିଁ, ମୋର ପରିଶ୍ରମ ଖାଇଅଛି । ଯେଉଁମାନେ ପରିଶ୍ରମ କରନ୍ତି, ସେମାନେ ଖାଦ୍ୟ ଖାଇ ଜୀର୍ଣ୍ଣ କରନ୍ତି । ଆଉ ଯେଉଁମାନେ ଶ୍ରମବିମୁଖ, ଖାଦ୍ୟ ସେମାନଙ୍କୁ ଖାଇ ଜୀର୍ଣ୍ଣ କରେ, ଏହା ସ୍ୱଜଃସିନ୍ଧ । ଖାଇସାରି ଦ୍ୱୀପାନ୍ତିରତ ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କଲୁଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ହାଣ୍ଡିଏ ଅନ୍ନ ପାକ ହୋଇଥିଲା । ବହୁଦିନ ଏକାଦଶୀ ପରେ ସେମାନେ ଅନ୍ନବ୍ୟଞ୍ଜନ ଓ ମିଷ୍ଟାନ୍ନ ପାରଣା ପାଇ ଯେଉଁ ପରି ଆନନ୍ଦିତ, ସେହିପରି କଳହମତ୍ତ ହେଲେ । ସେମାନଙ୍କର ସ୍ୱଭାବ ଠିକ୍ବାଳକମାନଙ୍କ ପରି । ସବୁବେଳେ ସଦ୍ଭାବ, କେବଳ ଖାଇବା ବେଳେ କଳି । ଖାଦ୍ୟ ଓ ପାନୀୟ ଅଭାବରେ ପ୍ରାଣୀଗୁଡିକ ନିତାନ୍ତ ଶୀର୍ଣ୍ଣକାୟ । କେତେକ ମୃତ ଅବସ୍ଥାରେ ପଡିଥିବାର ଦେଖାଗଲା । ଯେଉଁ ମାନେ ଜୀବିତ ଅଛନ୍ତି, ସେମାନେ ଅର୍ଦ୍ଧମୃତ ବା ଆସନ୍ନମୃକ । କେହି ବା ନିର୍ବାସନକାରୀ ଉଦ୍ଦେଶ୍ୟରେ ନୀରବ ଅଭିଶାପ ବର୍ଷଣ କରି ମହାକାଶରେ ଶେଷ ନିଃଶ୍ୱାସ ମିଶାଉଅଛି । ହାୟ, ନିଜର ଜୀବନ ପାଇଁ ଯେ ନିର୍ବାକ ନିରୀହ ପ୍ରାଣୀଙ୍କର ଜୀବନ ଏପରି ଭୀଷଣ ଭାବରେ ବିପନ୍ନ କରେ, ତାହାର ହୃଦୟ କେଡେ କଠିନ ଅଥବା ତାହା ପିଣ୍ଡରେ ହୃଦୟର ଅସ୍ତିତ୍ୱ ନାହିଁ । ତାହାକୁ ବିନା ଅନ୍ନକଳରେ ଏହିପରି ନିର୍ବାସିତ କଲେ ତାହାର ଆତ୍ମା କଅଣ ହେବ, ତାହା କଅଣ ସେ ବୁଝେ ନାହିଁ ? ହା ବିଧାତଃ, ମାନବକୁ କି ଏଥିଲାଗି ଶକ୍ତି, ବଳ, ଜ୍ଞାନ ଦେଇଅଛି । ତୁମ୍ଭ ଦତ୍ତ ଶକ୍ତି, ବଳ ଓ ଜ୍ଞାନର ଯେ ସଦ୍ବ୍ୟବହାର ହୁଏ ନାହିଁ, ଏହା କି ତୁମ୍ଭେ ଅଜ୍ଞାତ ? ତୁମ୍ଭ ରାଜ୍ୟରେ ରକ୍ତମାଂସଧାରୀ ନର ଏଭଳି ପୈଶାଚିକ କାର୍ଯ୍ୟ କରିପାରେ ତ ? ଦୁର୍ବଳ ପ୍ରତି ଏହି ଅମାନୁଷୀ ଅତ୍ୟାଚାର ଦେଖି ଏ ସୃଷ୍ଟି ତୁମ୍ଭର ବୋଲି ଯେ ପ୍ରତୀତ ହୁଏ ନାହିଁ, ପ୍ରଭୋ । ନାବିକମାନେ କହନ୍ତି, ‘‘ଏହି ଜୀବଗୁଡ଼ିଙ୍କୁ ଦେବୀଙ୍କ ନିକଟରେ ବଳି ନ ଦେଇ ଦୟାବହି ଛାଡିଦିଆଯାଇଅଛି । ଧନ୍ୟ ସଂସାର ! ଏଠାରେ ନୃଶଂସତା ସୁଦ୍ଧା ଦୟା ନାମରେ ଅଭିହିତ ହୁଏ । ଏହା ଯଦି ଦୟା ତେବେ ଜୀବନ୍ତ ସମାଧି କିଏ ?ଏରୁପ ଭୟଙ୍କର ଦୟା ପ୍ରକାଶ ଅପେକ୍ଷା ସଦ୍ୟ ବଧ କରିବା ବରଂ ଦୟାର କାର୍ଯ୍ୟ । ପବିତ୍ର ତୀର୍ଥସ୍ଥାନରେ ନିରୀହ ପ୍ରାଣୀଗୁଡିକଙ୍କର ତପ୍ତ ନିଃଶ୍ୱାସ କାନ୍ଦି ବୁଲି ସ୍ଥାନର ପବିତ୍ରତା ନଷ୍ଟ କରୁଅଛି । ଏହା କି ଦୟାର କାର୍ଯ୍ୟ ? ଏହିପରି ଦୟା ଦୟାକାରୀ ପ୍ରତି ଅର୍ପିତ ହେଲେ, ସେ ତାହା ଗ୍ରହଣ କରିବାକୁ ସ୍ୱୀକାର ହେବ ତ ? ଏଥିରେ ଦୟାର ନାମ ବିକୃତ ଏବଂ କଳଙ୍କିତ ହେଉଅଛିମାତ୍ର । ପ୍ରକୃତ ଦୟା ପ୍ରତି ଏହା ତୀବ୍ର ବ୍ୟଙ୍ଗଶ୍ଳେଷ ପ୍ରଦର୍ଶିତ ହେଉଅଛି ଏବଂ ଦୟାର ଅସମ୍ମାନ କରାଯାଉଅଛି । ଜଳ ଓ ଖାଦ୍ୟର ବ୍ୟବସ୍ଥା କରି ସେମାନଙ୍କୁ ଛାଡିଥିଲେ ପ୍ରକୃତ ଦୟା ଧର୍ମର କାର୍ଯ୍ୟ ହୋଇଥାଆନ୍ତା । ଦୁର୍ବଳର ସ୍ୱାଧୀନତା ହରଣ ଏବଂ ତାହାର ଜୀବନୀକୁ ଯଦୁଚ୍ଛାଭାବରେ ବ୍ୟବହାର କଦାପି ଦୟା ନୁହେଁ । ଦ୍ୱୀପରେ ଘାସ ଆଦୌ ନାହିଁ । ଆଙ୍କୁଲ, ବରୁଣ, ଯଯାଙ୍ଗ ଓ ହାଡ଼ଭଙ୍ଗାରେ ଦ୍ୱୀପଟି ପୂର୍ଣ୍ଣ । କେବଳ ଆଙ୍ଗୁଲ ବା ଯଯାଙ୍ଗ ପତ୍ର ଖାଇ ଛାଗ ମେଷ କେତେ ଦିନ ବଞ୍ଚିପାରିବେ ? ତାହା ସୁଦ୍ଧା ପର୍ଯ୍ୟାପ୍ତ ନୁହେଁ, କି ସେମାନଙ୍କର ପ୍ରିୟ ଖାଦ୍ୟ ନୁହେଁ । କେବଳ ଲୁଣୀ ପାଣି ପିଇ ସେମାନେ ପରମାୟୁ କ୍ଷୟ କରୁଅଛନ୍ତି । ଆମ୍ଭେମାନେ ମଧୁର ଜଳ ପାନ କରିବାକୁ ଦେଇଥିଲୁ, ସେମାନେ ରଙ୍କନିଧି ପାଇଲା ଭଳି ପରମ ଆଗ୍ରହ ସହ ତାହା ନିଃଶେଷ କରି ପାନ କରିଥିଲେ । ସେମାନଙ୍କ କଷ୍ଟ ମୋଚନ ସକାଶେ ଭଜବାନଙ୍କ ନିକଟରେ ପ୍ରାର୍ଥନା କରି ଗୋଟିଏ ଦୂରବୀକ୍ଷଣ ଧରି ଦ୍ୱୀପ ପର୍ଯ୍ୟଟନରେ ଆମ୍ଭେମାନେ ବହିର୍ଗତ ହେଲୁ । ଅନେକ ସ୍ଥାନରେ ଅସ୍ଥି କୁଢ କୁଢ ହୋଇ ପଡିଥିବାର ଦେଖାଗଲା । ତାହା ଅନଶନ ଅପାନମୃତ ଛାଗ କୁକ୍କୁଟକୁଳର ଅସ୍ଥି । ଗୋଟିଏ ଛାରାଶିଶୁ ମୃତକଳ୍ପ ହୋଇ ପଥର ଚାପା ତଳେ ପଡିଥିଲା । ତାହାକୁ ଉଠାଇଦେବା ସକାଶେ ଯିବାରୁ ନାବିକମାନେ ନିଷେଧ କଲେ ଏବଂ କହିଲେ, ‘‘ସେ ମାଆଙ୍କ ଦୂତ, ତାକୁ ଛୁଇଁବା ନିଷେଧ ।’’ କି ଜଘନ୍ୟ ଧାରଣା, ଅନ୍ନଜଳ ତ ନିଷିଦ୍ଧ, ଅଧିକନ୍ତୁ ମାଆଙ୍କୁ ସନ୍ତାନ ପ୍ରତି ଦୟା ସୁଦ୍ଧା ନିଷିଦ୍ଧ । ଏହା କି ମାତୃତ୍ୱର ଅପବାଦ ନୁହେଁ ? ଯାହା ହେଉ ଆମ୍ଭେମାନେ ସେଅ ନିଷେଧ ନ ମାନି ତାହା ଉପରୁ ପଥର ଚାପା ବାହାର କରିଦେଇ ତାକୁ ଉଠାଇଦେଲୁଁ; ଖାଦ୍ୟ ଜଳ ମଧ୍ୟ ଦେଲୁଁ । ସେ ଟିକିଏ ସ୍ୱସ୍ଥ ସବଳ ହେବାକୁ କେତେକ କଞ୍ଚା ପତ୍ର ଏବଂ ହାଣ୍ଡିରେ ଜଳ ତାହା ପାଖରେ ରଖି ଅନ୍ୟତ୍ର ଗମନ କଲୁଁ ।
ଦ୍ୱୀପଟି ପୂର୍ବପଶ୍ଚିମ ବିସ୍ତୃତ, ନିବିଡ଼ ଅରଣ୍ୟସଙ୍କୁଳ ନୁହେଁ; କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତାରେ ପୂର୍ଣ୍ଣ-। ପଶ୍ଚିମାଂଶ ଅପେକ୍ଷାକୃତ ପାଦପ-ବହୁଳ । ଏହ ଅଂଶରେ ଅନେକ କୋଚିଳାଖାଇ ପକ୍ଷୀ ବାସ କରନ୍ତି । ସ୍ଥାନେ ସ୍ଥାନେ ପ୍ରକାଣ୍ଡ ଖଣ୍ଡୋପଳ ତରୁକୁଞ୍ଜ ମଧ୍ୟରେ ଅବସ୍ଥିତ । ଦ୍ୱୀପର ପୃଷ୍ଠଭାଗ ପକ୍ଷି-ବିଷ୍ଠାରେ ଆବୃତ । ସ୍ଥାନେ ସ୍ଥାନେ ଚାଖଣ୍ଡେ ବହଳରେ ବସିଅଛି । ବୋଧହୁଏ ଚତୁର୍ଦ୍ଦିଗରୁ ଲକ୍ଷ ଲକ୍ଷ ପକ୍ଷୀ ଆସି ଦ୍ୱୀପରେ ରାତ୍ରିଯାପନ କରନ୍ତି । ଦ୍ୱୀପର ଚାରିପାଖରେ ବାଲୁକା ନାହିଁ, ତାହା ଉପଳ-ଦନ୍ତୁର । ଚିଲିକା ଜଳ ଲାଗି ପ୍ରସ୍ତରଖଣ୍ଡମାନ ଲୌହ ପ୍ରାୟ ପାଣ୍ଡୁର କୃଷ୍ଣାଭ ଦିଶୁଅଛି । ପକ୍ଷୀ ବିଷ୍ଟା ଗୋଟାଏ ଉତ୍କୃଷ୍ଟ ସାର । କୌଣସି ଉନ୍ନତ ଦେଶରେ ଏଭଳି ଖଣ୍ଡିଏ ଦ୍ୱୀପ ଥିଲେ କେବଳ ପକ୍ଷୀ ବିଷ୍ଠାରୁ ଶତ ଶତ ଟଙ୍କା ଆଦାୟ ହୁଅନ୍ତା; ମାତ୍ର ଏଠାରେ କେହି ପଚାରିବାକୁ ନାହିଁ । ବରୁଣ ଛାୟାରେ କୁକ୍କୁଟମାନେ ସଭା କବି ବସିଅଛନ୍ତି । କି ନୀରବ ପ୍ରସ୍ତାବର ଆଲୋଚନା ହେଉଅଛି, ତାହା କିଏ କହିବ ? ଯଦି ଉଦ୍ଧାରର ପ୍ରସ୍ତାବ ଲାଗିଥାଏ, ତେବେ ସେ ଆଶା ବୃଥା । ଦ୍ୱୀପ ଭ୍ରମଣ ସମୟରେ ଗୋଟିଏ ଛାରାଶିଶୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ବୁଲୁଥାଏ । ସମ୍ଭବତଃ ସେ ନବନିର୍ବାସିତ ।
ଦ୍ୱୀପର ପାଦଦେଶରେ ଆମ୍ଭେମାନେ ବସି ବିଶ୍ରାମ କଲୁଁ । ଚାରିପାଖରେ ଚିଲିକା ଓ ମଧ୍ୟରେ ଆମ୍ଭେମାନେ । ମହାଶକ୍ତି ମଧ୍ୟରେ ନଗଣ୍ୟ କ୍ଷୁଦ୍ର ଶକ୍ତିର ଅବସ୍ଥାନ ଦେଖି ହସ ମାଡିଲା । ନିଜକୁ ଚାହିଁ ଚିଲିକାକୁ ଚାହିଁ ଦେଲି, ମୋର ଯେଉଁ ନିଜସ୍ୱ ରେଣୁକଣାଟିକ ଥିଲା, ତାହା ଚିଲିକାରେ ବୁଡିଗଲା । ମଧ୍ୟାହ୍ନ ସମୟ, ଚିଲିକା ବେଶ ପରିବର୍ତ୍ତନରେ ନିଯୁକ୍ତ । ବର୍ତ୍ତମାନ ତରଙ୍ଗ ନାହିଁ । କେବଳ ଧୀର ପବନରେ ଜଳ ଈଷତ୍ଝିମି ଝିମି ହେଉଅଛି, ମାତ୍ର ତାହା ଉପରେ ସୂର୍ଯ୍ୟକିରଣ ପଡି ବିଚିତ୍ର ଶୋଭା ଧାରଣ କରିଅଛି । ଯେମନ୍ତ କି ଚିଲିକାସୁନ୍ଦରୀ ନୀଳକୁନ୍ତଳରେ କିରଣ ରୂପ ସ୍ୱବର୍ଣ୍ଣ ଚଉଁରା ମିଶାଇ ବେଣୀ ବନ୍ଧନରେ ଲାଗିଅଛି । ସନ୍ତରଣଶୀଳ ପକ୍ଷୀଗୁଡିକ ସେହି ବେଶୀରେ ଖୋସା ହୋଇଥିବା ଫୁଲର ଉପମା ଧାରଣ କରିଅଛି । ରୌଦ୍ରର ହାସ୍ୟ ଚିଲିକା ହାସ୍ୟରେ ମିଶି ଅନିର୍ବଚନୀୟ ଜ୍ୟୋତିର ମହୋତ୍ସବ ସୃଷ୍ଟି କରିଅଛି । କି ସୁନ୍ଦର ଝିଲିମିଲି ଜ୍ୟୋତି ! ସେ ଜ୍ୟୋତିରେ ଦର୍ଶକର ବାସନା ଅନ୍ଧକାରପୂର୍ଣ୍ଣ ହୃଦୟ ଆଲୋକିତ ହୋଇଯାଏ । ଦୂରବୀକ୍ଷଣ ସାହାଯ୍ୟରେ ଦେଖିଲି ଉତ୍ତରପୂର୍ବ କୋଣରେ କିଛି ଦିଶୁ ନାହିଁ । ଜଳରେଖା ଦୂର ଚକ୍ରବାଳରେ ମିଶିଯାଇଅଛି । ତାହାହି ଚିଲିକା ଓ ସମୁଦ୍ରର ସଙ୍ଗମସ୍ଥଳ । ସୁତରାଂ ମୁକ୍ତ ଜଳାରଣ୍ୟ । ସଙ୍ଗମସ୍ଥଳରେ ଅବସ୍ଥିତ ‘‘ମାଣିକ୍ୟପଟ୍ଟନ’’ ଗ୍ରାମର ଚିହ୍ନିବର୍ଣ୍ଣ ସୁଦ୍ଧା ସେଠାକୁ ଦିଶିଲା ନାହିଁ ।ଏହି ପଥରେ ପୁରୀକୁ ନୌକା ଯାଏ । ମୁହାଣର ଉଭୟ ପାର୍ଶ୍ୱସ୍ଥ ଅର୍କକୁଦୀ ଓ କଳାମାଟି ଗ୍ରାମଦ୍ୱୟ କୁହୁଡ଼ିବେଷ୍ଟିତ ଅରଣ୍ୟ ପ୍ରାୟ ଦେଖାଗଲା । ପୂର୍ବଦିଗରେ ପାରିକୁଦ । କୃଷ୍ଣପ୍ରସାଦ ଦୁର୍ଗ ଚିଲିକାର ଶିରୋମଣି ପ୍ରାୟ ସ୍ପଷ୍ଟରୂପେ ଦେଖାଗଲା । ତହିଁ ପରେ ଖଟିଆକୁଦୀ, ବଡ଼ଅଳ ଗ୍ରାମ ରସକୁଦୀ, ଖୋଲାମୁହଁ ଇତ୍ୟାଦି ଗ୍ରାମ । ଦକ୍ଷିଣରେ ମାଦୁଲଗଡ଼, ଖତପୁର, ଖୋଲଗାଁ, ଚଢେଇଗୁହା ପର୍ବତ, ଘଣ୍ଟଶିଳା ପର୍ବତ, ରମ୍ମାଗ୍ରାମ, ହରିଡାମୂଳ ପର୍ବତ ଓ ଘାଟୀ, ପଥରନାସୀ ଓ ଆଲପୁରନାସୀ । ପଶ୍ଚିମରେ ଭାଲେରି ପର୍ବତ ଦ୍ୱିକୁବ୍ଜବିଶିଷ୍ଟ ଓଟ ପ୍ରାୟ ଦଣ୍ଡାୟମାନ । ପର୍ବତ ଉତ୍ତରପାଖ ବାଣପୁର ରାଜ୍ୟର ଓ ଦକ୍ଷିଣପାଖ ଖଲ୍ଲିକୋଟ ରାଜ୍ୟର ଅନ୍ତର୍ଗତ । ଏହି ପର୍ବତର ପ୍ରସିଦ୍ଧ ଛତ୍ରଗଡ଼ ଘାଟୀ ହସ୍ତିପୃଷ୍ଠଲମ୍ବୀ ପାଟଘଣ୍ଟି ଡୋର ପ୍ରାୟ ଦିଶେ । ଏହି ପର୍ବତ ରାଜନୀତିକ ଉତ୍କଳ ଓ ମାନ୍ଦ୍ରାଜର ସୀମାପ୍ତମ୍ଭସ୍ୱରୂପ ।
ଏହି ପର୍ବତରେ ‘ନାରାୟଣୀ ଖୋଲ’ ନାମରେ ଗୋଟିଏ ଉପତ୍ୟକା ଅଛି । ସେଠାରେ ନାରାୟଣୀ ଦେବୀଙ୍କର ମୂର୍ତ୍ତ ଓ ଦେଉଳ ଅଛି । ଦେବୀ ଖଲ୍ଲିକୋଟ ରାଜବାଂଶର ପୂଜିତା । ବିଶାଳ ଉପତ୍ୟକା ଅପର୍ଯ୍ୟାପ୍ତ ଧାନୁଅ ଲଙ୍କାମରିର ଅରଣ୍ୟରେ ପୂର୍ଣ୍ଣ । ସେଠାରେ ଅହରାଜ ସର୍ପ ଅଛନ୍ତି । ସମୟ ସମୟରେ ସେଠାରେ ୨୫ ହାତ ଲମ୍ବ ଓ ତଦୁପଯୋଗୀ ମୋଟ ଅହିରାଜ ଦେଖାଯାଏ । ପଶ୍ଚିମରେ ଜଟିଆନାସୀ ପର୍ବତ ଚିଲିକା ମଧ୍ୟରେ କୁମ୍ଭୀରାକୃତିରେ ବିସ୍ତୃତ । ଉତ୍ତରରେ ମାମୁଭଣଜା ପର୍ବତ ଓ ବାଙ୍କିଆପାଲି ପର୍ବତ । ମାମୁଭଣଜା ପର୍ବତ ମଧ୍ୟରେ ଗୋଟିଏ ବଡ଼ ଓ ଅପରଟି ସାନ । ଭଣଜା ମାମୁର ପାଦମୂଳରେ ଅବସ୍ଥିତ । ଜଟିଆ ଓ ମାମୁ ଭଣଜାର ମଧ୍ୟସ୍ଥଳରେ ଚନ୍ଦ୍ରପୁଟୁ, ଛେଡାପଦର, ବର ପଦର, ବଡ଼କୁଳବଙ୍ଗଳା ଓ ବାଲୁଗାଁ ଷ୍ଟେସନ ।
ଦ୍ୱୀପଭ୍ରମଣ ଶେଷ କରି କୂଳେ କୂଳେ ଆମ୍ଭେମାନେ ନୌକା ଆଡ଼କୁ ଅଗ୍ରସର ହେଲୁଁ । ହଠାତ୍ଗୋଟିଏ ବଡ଼ ମାଛ ଚହଟିଉଠି ଲେଉଟି ପଡିଲା । ତାହାର ଆକୃତ ଚାନ୍ଦିମାଛ ପରି ପ୍ରାୟ ଗୋଲ; ହାତେ ଲମ୍ବର ଗୋଟାଏ କଣ୍ଟକିତ ଲାଞ୍ଜ ଅଛି । ତାହା ସାଙ୍କୁଚଜାତୀୟ ମାଛ । ନାବିକମାନଙ୍କୁ ପଚାରି ବୁଝିଲି, ତାହାର ନାମ ଚିଲିମାଛ । ଏହି ମାଛ ଚିଲିକାରେ ଏତେ ଅଧିକ ଅଛନ୍ତି ଯେ, ସେମାନଙ୍କ ଭୟରେ ଚିଲିକାର ନାବିକମାନେ ସନ୍ତରଣ କରିବାକୁ ସାହସୀ ହୁଅନ୍ତି ନାହିଁ-। ଏତେ ଦିନେ ବୁଝିଲି, ଚିଲି-ନିବାସ ହେତୁ ଚିଲାକା ନାମ ହୋଇଅଛି । ନାବିକମାନେ ସୁଦ୍ଧା ମୋର ଏ ଅନୁମାନ ସମର୍ଥନ କଲେ । ଏଥିପୂର୍ବରୁ ଚିଲିକା ନାମର ସାର୍ଥକତା ସମ୍ବନ୍ଧରେ ଯେଉଁ ଯୁକ୍ତି ଦେଖାଇଅଛି, ତାହା କାଳ୍ପନିକ; କିନ୍ତୁ ଚିଲିମାଛ ଥିବାରୁ ଚିଲିକା, ଏହାହିଁ ପ୍ରକୃତ ଯୁକ୍ତି । ଏହି ମାଛ ଲାଞ୍ଜରେ ବିନ୍ଧିଦେଇ ବିନ୍ଧାସ୍ଥାନ ଅସ୍ୱାଭାବିକ ରୂପରେ ଫୁଲିଯାଏ ଏବଂ ତୀବ୍ର ଯନ୍ତ୍ରଣା ହୁଏ । କ୍ଷତସ୍ଥାନରେ ଚନ୍ଦନ, ଗନ୍ଧକ ଓ କେରୋସିନ ତେଲ ମିଶାଇ ପ୍ରଲେପ ଦେଲେ ଜ୍ୱାଳା ଓ ଫୁଲା ନିବାରିତ ହୁଏ । ଚିଲି, ଶିଙ୍ଗି ଓ ମାଗୁର ପ୍ରଭୃତି ମାଛ ବିନ୍ଧିଲେ ଏହି ଔଷଧ ମନ୍ତ୍ରଶକ୍ତି ତୁଲ୍ୟ ଆଶୁଫଳପ୍ରଦ ହୁଏ ବୋଲି ଭୁକ୍ତଭୋଗୀ ନାବିକମାନେ କହିଲେ । ସମ୍ପ୍ରତି ‘କୁଣ୍ଡଳ ମାଛ’ ଚିଲିକାରୁ ଅପର୍ଯ୍ୟାପ୍ତ ମରୁଅଛନ୍ତି । ଏହାର ଆକୃତି କାଳୀଚାନ୍ଦୀ ବା ମହିଷିଆଚାନ୍ଦୀ ପରି । କାଳ ପଡ଼ିଲେ ଏ ମାଛ ଅଧିକ ମରନ୍ତି । ଗତ ନ’ଅଙ୍କ କାଳରେ ଏହି ମାଛ ଅଧିକ ମରିଥିଲେ ବୋଲି ପ୍ରାଚୀନ ଲୋକମାନେ କହନ୍ତି ।
ବୈଶାଖ ମାସ ଅପରାହ୍ନରେ ବୃଷ୍ଟି ବାତ୍ୟାର ଉତ୍ପାତ ସ୍ୱାଭାବିକ । ଏହି ଆଶଙ୍କା କରି ବିଶେଷତଃ ଅନୁକୂଳ ପବନ ଦେଖି ନାବିକମାନେ ନୌକା ଛାଡ଼ିଦେବାକୁ କହିବାରୁ ଆମ୍ଭେମାନେ ନୌକାରୋହଣ ସକାଶେ ଯଥାସ୍ଥାନାଭିମୁଖରେ ଅଗ୍ରସର ହେଲୁ । ପଶୁପକ୍ଷୀ ବାଟୋଇଦେବା ସକାଶେ ପଛେ ପଛେ ଚାଲିଲେ । ପ୍ରଥମ ଦର୍ଶନରେ ସେମାନେ ଭାବିଥିବେ ଯେ, ଆମ୍ଭେମାନେ ସେମାନଙ୍କ ସହ ଚିରକାଳ ଏହି ନିର୍ଜନ ଦ୍ୱୀପରେ ବାସ କରିବୁ, ନଚେତ୍ ସେମାନଙ୍କୁ ଏ ଭୀଷଣ କାରାରୁ ଉଦ୍ଧାର କରିବୁ । ସେମାନଙ୍କର ସେ ଆଶା ପୂର୍ଣ୍ଣ ହେଲା ନାହିଁ । ଆମ୍ଭମାନଙ୍କୁ ନୌକାରୋହଣ କରିବାର ଦେଖି ସେମାନେ ବିଷାଦ କାତର ଦୃଷ୍ଟିରେ ଚାହିଁ ରହିଲେ । ହାୟ, ମାୟାବିନୀ ଆଶା ଆଜୀବନ ନିର୍ବାସିତ ପ୍ରାଣୀଗୁଡ଼ିଙ୍କୁ ଏରୂପ ଭାବରେ ନିର୍ଯ୍ୟାତିତ ଏବଂ ପ୍ରତାରିତ କରି ତୁ କି ଫଳ ପାଉଅଛୁ ? ସେମାନଙ୍କର ପ୍ରାଣ ବ୍ୟାକୁଳ । ଏ ସମୟରେ କି ଉପହାସ ସହ୍ୟ ହୁଏ-? ତୁ ପାପୀୟସୀ, ଅଭିଶପ୍ତା ହେବୁ ।
କି ନିର୍ବାକ୍ ବ୍ୟାକୁଳତା ! ଯେପରି କି ସେମାନେ ଆତ୍ମୋଦ୍ଧାର ସକାଶେ କରୁଣା ପ୍ରାର୍ଥନା କରୁଅଛନ୍ତି । ଦର୍ପଣରେ ପ୍ରତିବିମ୍ବ ପ୍ରାୟ ତାଙ୍କ ମ୍ଳାନ ମୁଖ ଓ ଦିନ ନେତ୍ରରେ ତାଙ୍କର ଏହି ମନୋଗତ ଭାବ ଆଭାସି ଉଠିଲା । ସେ ଦୃଶ୍ୟ ବଡ଼ କରୁଣ-ବଡ଼ ମର୍ମନ୍ତୁଦ । ସେମାନଙ୍କ ଶୋକମୂର୍ତ୍ତି ଦେଖି ଦୁଃଖରେ ମର୍ମ-ଗ୍ରନ୍ଥି ଶତଚ୍ଛିନ୍ନ ହୋଇଗଲା, ନେତ୍ରରୁ ଅଶ୍ରୁପାତ ହେଲା । ଅବଶିଷ୍ଟ ଖଇଉଖୁଡ଼ା ସେମାନଙ୍କୁ ଖାଇବାକୁ ଦିଆଗଲା । ଅବଶିଷ୍ଟ ଜଳ ମଧ୍ୟ ହାଣ୍ଡିରେ ରଖି ଆସିଲୁ । ନାବିକମାନେ ନୌକା ଛାଡ଼ିଦେଲେ, ଆମ୍ଭେମାନେ ଦୁଃଖରେ ସେମାନଙ୍କଠାରୁ ତଥା ଦ୍ୱୀପଠାରୁ ବିଦାୟ ଗ୍ରହଣ କଲୁ । ଖଦ୍ୟ ପାଇ କେହି ଖାଇଲେ, କେହି ବା ନ ଖାଇ ଆମ୍ଭମାନଙ୍କୁ ମିନତିପୁର୍ଣ୍ଣ ଦୃଷ୍ଟିରେ ଚାହିଁରହିଲା । ସାମାନ୍ୟ ଖଦ୍ୟରେ କି ହୃଦୟ-ବ୍ୟାକୁଳତାକୁ ଭୁଲାଇ ରଖିହୁଏ-?
କାଳୀଜୟୀ ଗଣ୍ଡରେ ବର୍ତ୍ତମାନ ୧୪ ହାତ ପାଣି । ବର୍ଷାକାଳରେ ୨୦ ହାତ ପର୍ଯ୍ୟନ୍ତ ବୃଦ୍ଧି ଲାଭ କରେ । ନୌକା ନିରାପଦରେ ଦୁଇ ମାଇଲ ପଥ ଅତିକ୍ରମ କଲା । ଅକସ୍ମାତ୍ ଗଣ୍ଡ ମଧ୍ୟରେ ସୁପ୍ତ ଝଟିକା ଓ ପ୍ରବଳ ବୃଷ୍ଟି ଜାଗ୍ରତ ହୋଇ କ୍ରମଶଃ ଭୀଷଣତର ହୋଇଉଠିଲା । ଚିଲିକା ସେ କରାଳ ଅଭିନୟରେ ଯୋଗଦେଲା । କି ଭୈରବୀ ରାଗିଣୀ ଗାଇ ତରୀ ଗ୍ରାସ କରିବାକୁ ତୁଙ୍ଗ ତରଙ୍ଗର କରମାଳ ବିସ୍ତାର କଲା । ସେ ରାଗିଣୀ ମଧ୍ୟରେ ପ୍ରାଣର ରାଗିଣୀ ମୂର୍ଚ୍ଛିତ ହୋଇ ପଡ଼ିଲା-। ବିଜୁଳିର ପ୍ରତିବିମ୍ବ ଚିଲିକାର ଆଗ୍ନେୟ ରସନା ପ୍ରାୟ ମୁହୁର୍ମୁହୁ ଲହ ଲହ ହୋଇଉଠିଲା । ଆଶା ଯାଇ ସୁଦୂରରେ ଅବସ୍ଥାନ କଲା । ଆମ୍ଭେମାନେ ହ୍ରଦ-ପ୍ରକୃତିର ବିରାଟ ଭୀଷଣତା ମଧ୍ୟରେ ବସି ନରଜୀବନର କ୍ଷଣଭଙ୍ଗୁରତା ଓ ଅସାରତା ପ୍ରାଣେ ପ୍ରାଣେ ଅନୁଭବ କରିବାକୁ ଲାଗିଲୁ । ଆମ୍ଭେମାନେ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ପର୍ଯ୍ୟାକୁଳ ନେତ୍ରରେ ଅନାଇ ରହିଲୁ । ଏ ଆକସ୍ମିକ ଦୈବୀ ସଙ୍କଟରୁ ତ୍ରାହି ଲଭିବାର ଆଶା ସୁଦ୍ଧା ରହିଲା ନାହିଁ; ମାତ୍ର ମୁଁ ଯାହା ଖୋଜୁଥିଲି ତାହା ପାଇଲି । ଅନ୍ତରତମ ପ୍ରଦେଶରୁ ଭୟ ଉଦ୍ବେଳିତ ହୋଇଉଠିଲା ପ୍ରାୟ ସମସ୍ତଙ୍କ ମୁଖଭଙ୍ଗୀରୁ ଜଣାଗଲା । ଧୈର୍ଯ୍ୟ ଆବରଣ କରି ରଖିଲେ ସୁଦ୍ଧା ଧୈର୍ଯ୍ୟ ସେ ଭୟରେ ବେଗ ପ୍ରତିହତ କରିପାରିଲା ନାହିଁ । କି ଭୀଷଣ ଦୃଶ୍ୟ ! ସେହି ଭୀଷଣତା ମଧ୍ୟରେ ମୃତ୍ୟୁର ରୂପ ଦିଶି ଆସିଲା । ମୁଁ ଭାବିଲି, ଏତେ ଭୟ, ଏତେ ଉଦ୍ବେଗ, ଏତ ବ୍ୟାକୁଳତା ପ୍ରାଣଟିକକ ସକାଶେ ସିନା ! ସେତିକିର ମାୟା ଛଡ଼ାଇଦେଲେ ସବୁ ପରିଷ୍କାର ହୋଇଯିବ । ଚିଲିକା ମହାଶକ୍ତି ଧାରଣ କରି ମୋର କ୍ଷୁଦ୍ର ଶକ୍ତିଟିକକୁ ଯଦି ଲୋଭ କରିବ, ତେବେ ତାହା ତ ଆନନ୍ଦର କଥା । ମହାଶକ୍ତିରେ ମିଶି ରହିବା ଅପେକ୍ଷା ସୌଭାଗ୍ୟର ବିଷୟ ଆଉ କଅଣ ଅଛି ? ତେବେ ଚିଲିକାର ଏତଦ୍ୱାରା ନିନ୍ଦା, ଅପକୀର୍ତ୍ତି ହୋଇପାରେ । ନାବିକମାନେ ତାହାହିଁ ପ୍ରଥମରେ ଗାଇଥିଲେ ।
‘‘ତୁ ଯେବେ ନିରାଶ ମାତ କରିବୁ ଏଠାରେ
ନିନ୍ଦା ଅପକୀର୍ତ୍ତି ହେବ ଏ ମାୟା ସଂସାରେ ।’’
କିପରି ଚଗଲା ମନ କଅଣ କହୁ କହୁ ଯାଇ କାହିଁ ଉଠିଲାଣି । ପଣ୍ଡିତ ସଭା ପ୍ରାୟ ମନ ସର୍ବଦା ମୂଳ ବିଷୟ ବିସ୍ମୃତ ହୁଏ । ପଣ୍ଡିତ ସଭାରେ ସାମାନ୍ୟ ବର୍ଣ୍ଣାଶୁଦ୍ଧିର ବିଚାର ନ୍ୟାୟ, ଦର୍ଶନ ବା ବେଦାନ୍ତ ଭାଷ୍ୟ ପର୍ଯ୍ୟନ୍ତ ଯାଏ; ତଥାପି ଛିଡ଼େ ନାହିଁ । ସବୁବେଳେ ସୁ-ସୁ ଶବ୍ଦ ଓ ଅନର୍ଗଳ ବୃଷ୍ଟିପାତ । ତରଙ୍ଗାଘାତରେ ପ୍ରତି ମୁହୂର୍ତ୍ତରେ ନାବମଗ୍ନାଶଙ୍କା ଜାତ ହେଲା । ଚିଲିକା କୁଳରୁ କାଳୀଜୟୀ ଗିରିର ଦୂରତା ପ୍ରାୟ ୧୨ ମାଇଲ । ଆମ୍ଭେମାନେ ଦୁଇ ମାଇଲମାତ୍ର ଆସିଅଛୁ । ନିକଟରେ ଆଶ୍ରୟ ନେବାର ସ୍ଥାନ ନାହିଁ । ନାବିକମାନେ ଉପାୟନ୍ତର ନ ଦେଖି କାତ ପୋତି ନୌକା ଖଟାଇ ରଖିଲେ । ସମସ୍ତେ ନୌକା ଭିତରେ ବସି ତିନ୍ତିଲୁ; ପ୍ରବଳ ବୃଷ୍ଟିପାତ ଓ ଲହରୀ ଜଳ ଛିଡ଼ିକାରେ ତିନ୍ତି ସଡ଼ ସଡ଼ ହୋଇଗଲୁ । ନୌକାରେ ଜଳ ଠିଆହୋଇଗଲା । ମୁଁ ବସି ସ୍ତବ ସ୍ତୁତି ପାଠକଲି ଏବଂ ପ୍ରକୃତିର ଭୀଷଣ ତାଣ୍ଡବ ଦେଖିବାକୁ ଲାଗିଲି । ଭୀଷଣତାବିହୀନ ଶୋଭା ମେରୁଦଣ୍ଡଶୂନ୍ୟ । ଦାହିକା ଶକ୍ତି ଥିବାରୁ ସିନା ସୌଦାମିନୀ ଏଡ଼େ ସୁନ୍ଦର ଦିଶେ । ପ୍ରକୃତିର କି ଚଞ୍ଚଳତା ! ଯେମନ୍ତ କି ସମଗ୍ର ଶକ୍ତି ପ୍ରୟୋଗ କରି ସେ କି ଏକ ଦୁଃସାଧ୍ୟ କର୍ମ ସାଧନରେ ନିଯୁକ୍ତ-। ସେହି କର୍ମ ମଧ୍ୟରେ ତାହାର କର୍ମପଟୁ ହସ୍ତର କ୍ଷିପ୍ରତା ପରିସ୍ଫୁଟ । ଶୋଭାରେ ଭୀଷଣତା ନ ଥିଲେ ପ୍ରାଣରେ ଦାଗ ପଡ଼େ ନାହିଁ । ଯେଉଁ ଶୋଭା ପ୍ରାଣରେ ଦାଗ ରଖିବାକୁ ଅସମର୍ଥ, ସେ ଶୋଭା ନୁହେଁ । ଯେ ଯେତିକି ଭୀଷଣ, ସେ ସେତିକି ସୁନ୍ଦର ଓ ମଧୁର । ଯାହାହେଉ ସେହି ଭୀଷଣତା ଆଉ ୨।୩ ମିନିଟ୍ ସ୍ଥାୟୀ ହୋଇ ଥିଲେ ନୌକା ବୁଡ଼ିଯିବା କିଛି ବିଚିତ୍ର ନୁହେଁ । କିଛିକ୍ଷଣ ପରେ ପ୍ରକୃତି ଶାନ୍ତଭାବ ଧାରଣା କଲା । ମେଘ ତୋଫାନ ଛାଡ଼ିଯାଇ ଖରା ହେଲା, ପ୍ରକୃତି ଆନନ୍ଦରେ ହସିଉଠିଲା । ଆମ୍ଭେମାନେ ମଧ୍ୟ ହସିଉଠିଲୁ । ସେ ହାସ୍ୟ ବଡ଼ ମଧୁର । ବିପଦୁଦ୍ଧାର ପରେ ଯେଉଁ ଆନନ୍ଦ ମିଳେ, ତାହାଠାରୁ ବଳି ମଧୁର କିଛି ନାହିଁ । ଝଟିକା ଅନ୍ତର୍ହିତ ହେଲା, ତହିଁ ସଙ୍ଗେ ସଙ୍ଗେ ଚିଲିକା ବକ୍ଷରୁ ଲହରୀ ଅନ୍ତର୍ହିତ ହେଲା । ଏଣେ ଆମ୍ଭମାନଙ୍କ ହୃଦୟ ଚିଲିକାରୁ ଭୀତର ଝଟିକା ଏବଂ ତଜ୍ଜନିତ ଉଦ୍ବେଗ ତରଙ୍ଗ ଅଦୃଶ୍ୟ ହୋଇଗଲା । ନାବିକମାନେ ନୌକା ଫିଟାଇ ତୀରାଭି ମୁଖରେ ଚଳାଇଲେ । ଜଣେ ନାବିକ କହିଲା, ‘‘ବାବୁମାନେ ଆସିବାରୁ ଆଜି ଦ୍ୱୀପରେ ବର୍ଷା ହେଲା ।’’ କି ସୌଭାଗ୍ୟ, ବିନା ତପସ୍ୟାରେ ବିନା ସାଧନାରେ ଏକାବେଳକେ ଋଷ୍ୟଶୃଙ୍ଗଙ୍କ ଆସନ ଲାଭ; କିନ୍ତୁ ଆମ୍ଭମାନଙ୍କ ମନ ମାନିଲା ନାହିଁ । ଋଷ୍ୟଶୃଙ୍ଗ ହୋଇ ଝଡ଼ିବୃଷ୍ଟିରୂପ ଆସନ୍ନ ମୃତ୍ୟୁକବଳରେ ପଡ଼ିବାକୁ କିଏ ବା ଇଚ୍ଛା କରିବ ? ଯାହାହେଉ ଚତୁର ଧୀବର ତାହାର ଏହି କଥାର ମୂଲ୍ୟ ଯଥାସମୟରେ ଆଦାୟ କରିନେଇଥିଲା ।
ଚିଲିକା ସ୍ୱଭାବ କବି ପରି ଘଣ୍ଟାକ ମଧ୍ୟରେ ଭୈରବ ରାଗିଣୀରେ କେତେ କବିତା ଗାଇଗଲା । ସେ କବିତାଗୁଡ଼ିକ କି ମଧୁର ! କଅଣ କହିଲୁ ? ଖାଲି କଳ କଳ ବଜ ବଜ ଅବୋଧ୍ୟ ଶବ୍ଦ, ତାହା କବିତା ନୁହେଁ । ଅବୋଧ୍ୟ ହେଲେ ତୁ ନ ଶୁଣ୍, ସେ ତ ଆଉ ତୋ ପାଇଁ ଗୀତ ଗାଉ ନାହିଁ କିମ୍ବା ତୋ ମନ, ତୋ କଳ୍ପନା ନେଇ କବିତା ରଚନା କରୁ ନାହିଁ ! ତାହାର ଚିତ୍ତ-ବିନୋଦନ ସକାଶେ ସେ ଗୀତ ଗାଉଅଛି । ତୁ ନ ଶୁଣିଲେ ବା ତୋତେ ଭଲ ନ ଲାଗିଲେ ତାହାର କ୍ଷତି କଅଣ-? ସେ ତ ଆଉ ତୋତେ ଗୁଆ ଦେଇ ଶ୍ରୋତା ହେବାକୁ ଆମନ୍ତ୍ରଣ କରୁ ନାହିଁ । ତେବେ ତୁ ତାକୁ ବାଛିବାକୁ କିଏ ? ତୁ କହୁଛୁ, ସେ ଗୀତର ଅର୍ଥ ନାହିଁ, ଭାବ ନାହିଁ କି ସୌନ୍ଦର୍ଯ୍ୟ ନାହିଁ । ଧନ୍ୟ ରେ ଅର୍ଥ-ଭାବ-ସୌନ୍ଦର୍ଯ୍ୟ-ରସିକ ! ତୁ ମାନବ, ସେ ଗୀତ କଅଣ ବୁଝିବୁ ? ସେ ଅସଙ୍ଗୀତର ସଙ୍ଗୀତ ବୁଝିବାକୁ ତୋର ଯୋଗ୍ୟତା କାହିଁ ? ତୁ ନ ବୁଝିପାରିଲୁ ବୋଲି ତାହା ହେୟ ନୁହେଁ । ମାର୍ଜାରକୁ ଶର୍କରା ନ ରୁଚିଲେ ତାହା ଅମ୍ଳ ହୋଇଯାଏ ନାହିଁ ।
ବିପଦ ଉପରେ ବିପଦ । ମୋତେ ସମୁଦ୍ର-ପୀଡ଼ା ଆକ୍ରମଣ କଲା, ସଙ୍ଗୀମାନଙ୍କର କିଛି ହେଲା ନାହିଁ । କେବଳ ମୋ ପ୍ରତି ଚିଲିକାର ଏହି ଅଯାଚିତ କରୁଣା । ମୁଣ୍ଡ ବୁଲାଇଲା, ଉପର୍ଯ୍ୟୁପରି ବାନ୍ତି ଉଠାଇଲା; ମାତ୍ର ବାନ୍ତି ହେଲା ନାହିଁ । ଓଃ ସେ କି ଯନ୍ତ୍ରଣା ! ଉପଯୁକ୍ତ କ୍ଷେତ୍ରରେ ହୃଦୟର ବ୍ୟଥା ବ୍ୟକ୍ତି କରିବାକୁ ଉନ୍ମୁଖ ହୋଇ କହି ନ ପାରିଲେ ଯେପରି ଯନ୍ତ୍ରଣା ହୁଏ, ଏହା ଠିକ୍ ସେହିପରି । ସଙ୍ଗରେ କର୍ପୂର ଥିଲା, କାଗଜିଲେମ୍ବୁ ମଧ୍ୟ ଥିଲା; ମାତ୍ର ତାହା କାହାରି ମନରେ ପଡ଼ିଲା ନାହିଁ । ବିପଦ ବେଳରେ ଜ୍ଞାତ ପ୍ରତିକାର ବିସ୍ମୃତ ହେବା ସୁଦ୍ଧା ସଂସାରର ଗୋଟାଏ ଧାରା । ସଂସାର ତ ମାୟର ଭ୍ରମ, ତାହା ଧାରାଗୁଡ଼ାକ ବା ଅଭ୍ରମ କାହିଁକି ହେବ ? କେହି କେହି ମୁହଁମାଡ଼ି ଶୋଇବାକୁ ଉପଦେଶ ଦେଲେ । ଶିଷ୍ଟ ଚାଟ ଅବଧାନର ଉପଦେଶ ଶିରୋଧାର୍ଯ୍ୟ କଲା ପ୍ରାୟ ମୁ୍ଁ ସେ ଉପଦେଶ ଆଶୁ ପ୍ରତିପାଳନ କଲି; ମାତ୍ର କିଛି ଫଳ ହେଲା ନାହିଁ । କୂଳରେ ପହଞ୍ଚିବା ପର୍ଯ୍ୟନ୍ତ ପୀଡ଼ା ସମଭାବରେ ରହିଲା । ମୁଁ ନୀରବ ହୋଇ ବସି ରହିଲି; ନାବିକ ଓ ସଙ୍ଗୀମାନଙ୍କର କଥାବାର୍ତ୍ତା ନୀରବରେ ଗିଳି ଜୀର୍ଣ୍ଣ କରିବାକୁ ଲାଗିଲି ।
ଚିଲିକା ମଧ୍ୟରେ କେତେ ଦ୍ୱୀପ-କେତେ ପର୍ବତ ଅଛି, ତାହା କିଏ କଳିପାରିବ ? ଯେଉଁ ଆଡ଼କୁ ଚାହିଁବ, କେବଳ ଦ୍ୱୀପ ଓ ପର୍ବତ । ନୌକା ଚାଲିଥାଏ, ନୌକାକୁ ନିକଟବର୍ତ୍ତୀ ଦେଖି ହଂସ, ପାଣିକୁଆ, ମାଣ୍ଡିଆଗେଣ୍ଡି ପ୍ରଭୃତି ସନ୍ତରଣରତ ପକ୍ଷୀମାନେ ଉଡ଼ିଯାଇ କିଛି ଦୂରରେ ଜଳରେ ବସିପଡ଼ୁଥାନ୍ତି । ଏହିପରି ନୌକାକୁ ପରିହାସ କରି ଆଗେ ଆଗେ ଚାଲିଥାଆନ୍ତି । ବାମ ଭାଗରେ ମାଳିଦେଇ କୁଦା ଦେଖାଗଲା । ସେଠାରେ ଝଡ଼ିପୋକ ପରି ପକ୍ଷୀ ଉଡ଼ି ବୁଲୁଥିଆନ୍ତି । ଆଲିପୁର ନାସୀ ନିକଟରେ ଚିଲିକା ଗର୍ଭରେ ଗୋଟାଏ ଶୁକ୍ଳ ସ୍ତମ୍ଭ ଦେଖାଗଲା । ତାହାର ନାମ ‘‘ଏକପଥର’’-। ଉକ୍ତ ପଥର ପକ୍ଷୀବିଷ୍ଠାରେ ଶୁକ୍ଳ ହୋଇଯାଇଅଛି । ଏହି ଅଂଶରେ ଚିଲିକା ଗର୍ଭରେ ଅନେକ ଗଣ୍ଡଶୋଳ ଅଛି । କେହି ଉପରକୁ ଦିଶୁଅଛି, କେହି ବା ଜଳ ମଧ୍ୟରେ ମଗ୍ନ । ଏହି ଗଣ୍ଡଶୈଳାକୀର୍ଣ୍ଣ ଅଂଶରେ ନାବିକମାନେ ଅତି ସାବଧାନ ହୋଇ ନୌକା ବାହିନିଅନ୍ତି । ପ୍ରାୟ ଚାରି ଘଟିକା ସମୟରେ ନାବିକମାନେ ‘‘ଓଡ଼ିଆ ଆଲପୁର’’ ନିକଟରେ ନାବ ଖଟାଇ ବିଶ୍ରାମ କଲେ । ଏ ଗ୍ରାମଖଣ୍ଡକ ବାଇଗଣ ଓ ଲଙ୍କାମରିଚ ସକାଶେ ବିଖ୍ୟାତ । ଚିଲିକାର ଏ ଅଂଶ ମତ୍ସ୍ୟବହୁଳ । ଆଣ୍ଠୁଏ ପାଣିରେ ଆମ୍ଭମାନଙ୍କର ନୌକା ଖଟାଯାଇଥିଲା । ଏତେ ଅଳ୍ପ ଜଳରେ ଖୁବ୍ ବଡ଼ ବଡ଼ ମାଛ ବିଚରଣ କରୁଥିବାର ଦେଖାଗଲା । ସେଠାରେ ଅଳ୍ପକ୍ଷଣ ବିଶ୍ରାମ ପରେ ନୌକା ଚାଲିଲା । ସନ୍ଧ୍ୟା ୭ ଘଣ୍ଟା ସମୟରେ ନୌକା କୂଳରେ ଲାଗିଲା । ‘‘ଭାସୁଚି ଅକାତ ଜଳେ କୂଳେ ନେଇ ଲଗା’’ ନାବିକମାନଙ୍କର ଏ ପ୍ରାର୍ଥନା ସଙ୍ଗୀତ ସାର୍ଥକ ହେଲା । ଆମ୍ଭେମାନେ ଯେଉଁ ଠାରୁ ଯାଇଥିଲୁ, ସେହିଠାରେ ଆସି ଉପସ୍ଥିତ ହୋଇ ନୌକାରୁ ଅବତରଣ କଲୁ ।
କାଳୀଜୟୀ ଦେଖିଆସିଲି, ବହୁଦିନର ଅବାଧ୍ୟ ଆଶା ଶାନ୍ତ ହେଲା । ମନରେ ସୁଖ ଜାତ ହେଲା । କିଏ କହିଲା ସୁଖ ଜାତ ହେଲା ? ସୁଖ, ସେ ତ ବହୁ ଦୂରରେ ରହିଲାଣି । ବରଂ ଦେଖିବାବେଳେ ସୁଖ ଥିଲା । ଦେଖିସାରିଲା ପରେ ଆଉ ସୁଖ କଅଣ ? ଲୋଭନୀୟ ସ୍ମୃତିର ଯନ୍ତ୍ରଣା । ଆକାଙ୍କ୍ଷା ସାଫଲ୍ୟ ଲାଭ କଲାମାତ୍ର; କିନ୍ତୁ ସୁଖ କାହିଁ ? ସାଫଲ୍ୟ କି ସୁଖ ? ସେ ତ ସୁଖକୁ ଶେଷ କରିଦିଏ । ତାହା ଗତିଶୂନ୍ୟ, ନିସ୍ପନ୍ଦ ସେଥିରେ କର୍ମର ପ୍ରେରଣା କାହିଁ, ପ୍ରାଣର ଅନନ୍ତ ବ୍ୟାକୁଳତା କାହିଁ, ହୃଦୟର ଉଚ୍ଚାଟତା ବା କାହିଁ ? ଏହାହିଁ ସିନା ସୁଖ ! ଅତଃ ବିଶ୍ରାମରେ ସୁଖ ନାହିଁ ସୁଖ ଗତିରେ ଅଛି । ଯାଉ ସେକଥା । ଆମ୍ଭେମାନେ ନୌକାରୁ ଓହ୍ଲାଇ ତେନ୍ତୁଳିଆପଡ଼ା ଗ୍ରାମକୁ ଆସିଲୁ । ଗ୍ରାମର ସ୍କୁଲଗୃହରେ ରାତ୍ରି-ବିଶ୍ରାମର ଆୟୋଜନ ଲାଗିଲା । ସଙ୍ଗେ ସଙ୍ଗେ ପ୍ରବଳ ବୃଷ୍ଟି । ବୃଷ୍ଟି ଗୁପ୍ତ ଶତ୍ରୁରୂପେ ସଙ୍ଗେ ସଙ୍ଗେ ଥାଇ ବେଳ କାଳ ଜାଣି ଆକ୍ରମଣ କରୁଥିଲା । ମୋର ଶରୀର ଭଲ ବୋଧନ ହେବାରୁ ମୁଁ ରାତ୍ରିରେ ଉପବାସ ରହିଲି । ଖଲ୍ଲିକୋଟ ରାଜାଙ୍କ ପ୍ରେରିତ ଗାଡ଼ି ପୂର୍ବରୁ ଆସି ଉକ୍ତ ଗ୍ରାମରେ ଆମ୍ଭମାନଙ୍କ ପ୍ରତୀକ୍ଷାରେ ଥିଲା । ପରଦିନ ସକାଳେ ଆମ୍ଭେମାନେ ସେହି ଗାଡ଼ିରେ ବସି ରମ୍ଭା ଆସିଲୁ । ଷ୍ଟେଶନରୁ ଜୟକୃଷ୍ଣ ବାବୁଙ୍କୁ ବିଦାୟ ଦେଇ ମୁଁ ଓ ମୋହର ଅନୁଜ ଡାକଗାଡ଼ିରେ ଉଚ୍ଛାପୁର ଆସିଲୁ ।
ରାଜକୀୟ ସାହାଯ୍ୟ ବ୍ୟତୀତ ମୋଭଳି ଦୈନ୍ୟ ଧନୀ ପକ୍ଷରେ କାଳୀଜୟୀ-ଦର୍ଶନ ଏକାନ୍ତ ଅସାଧ୍ୟ । ମୋ ପକ୍ଷରେ ତାହା ଦୂରାକାଙ୍କ୍ଷା ବୋଲି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ଦରିଦ୍ରର ଆଶା ହୃଦୟର ଏକ କୋଣରେ ମୂର୍ଚ୍ଛିତ ହୋଇ ପଡ଼ିରହିବାହିଁ ସ୍ୱାଭାବିକ । ଖଲ୍ଲିକୋଟର ହୃଦୟବାନ୍ ଶିକ୍ଷିତ ରାଜା ମହୋଦୟ କାଳୀଜୟୀ-ଦର୍ଶନର ସୁବିଧା କରିଦେଇ ମୋର ମହୋପକାର ସାଧନା କରିଅଛନ୍ତି । ମୁଁ ତାହାଙ୍କ ନିକଟରେ ଚିରକୃତଜ୍ଞତା ଓ ଚିରଋଣୀ ।
କାଳୀଜୟୀ ନାମକରଣର କାରଣ ଅନେକଙ୍କୁ ପଚାରିଥିଲି; ମାତ୍ର କାହାରିଠାରୁ ସନ୍ତୋଷଜନକ ଉତ୍ତର ପାଇଲି ନାହିଁ । ପରିଶେଷରେ ପାରିକୁଦର ଗୁଣ-ବିଚକ୍ଷଣ ଯୁବରାଜ (ବର୍ତ୍ତମାନ ରାଜା) ମହୋଦୟଙ୍କୁ ଖଣ୍ଡିଏ ପତ୍ର ଲେଖି କାଳୀଜୟୀ-ବିବରଣ ଜିଜ୍ଞାସୁ ହୋଇଥିଲି । ତାଙ୍କଠାରୁ ଯେଉଁ ଉତ୍ତର ପାଇଥିଲି, ସେଥିରେ ଅନେକ କଥା ନିହିତ ଅଛି । ତହିଁର ମର୍ମ ଏହି-
ଦେବୀଙ୍କର ପ୍ରକୃତ ନାମ କାଳୀଜୟୀ; ମାତ୍ର କେହି କେହି କାଳୀଜାୟୀ ମଧ୍ୟ କହନ୍ତି । ଏକଦା କୌଣସି କାରଣରୁ ଖୋର୍ଦ୍ଧା ରାଜା ପାରିକୁଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ସୈନ୍ୟ ପ୍ରେରଣ କଲେ । ଖୋର୍ଦ୍ଧାର ସୈନ୍ୟ ଆସି ପାରିକୁଦ କିଲ୍ଲା ସନ୍ନିକଟସ୍ଥ ସାତପଡ଼ା ନାମକ ସ୍ଥାନରେ ଶିବର ସଂସ୍ଥାପନ କଲେ । ପାରିକୁଦ ସାତପଡ଼ା ମଧ୍ୟରେ ଚିଲିକାର ବ୍ୟବଧାନ ଅଛି । ପରଦିନ ପ୍ରତ୍ୟୁଷରେ ଶତ୍ରୁ ସୈନ୍ୟବ୍ୟୁହ ପାରିକୁଦ ବିଜୟ ଆଶାରେ ଅଭିଯାନ କରି ଚିଲିକା କୂଳରେ ଉପସ୍ଥିତ ହୋଇ ଦେଖିଲେ ଯେ, ଦେବୀଙ୍କ ମହିମାରେ ଅସଂଖ୍ୟ ଏରାପକ୍ଷୀ ପାରିକୁଦ କିଲ୍ଲାର ଗୁରୁବାଇ ନାମକ ସ୍ଥାନରେ ଚିଲିକା କୂଳରେ ଠିଆହୋଇଛନ୍ତି । ସେମାନଙ୍କୁ ପାରିକୁଦର ସୈନ୍ୟ ବୋଲି ମନେ କରି ଏବଂ ନିଜ ସୈନ୍ୟ ଅପେକ୍ଷା ସେମାନଙ୍କର ସଂଖ୍ୟାଧିକ୍ୟ ଦେଖି ଖୋର୍ଦ୍ଧାର ସେନାପତି ଭୀତ ହୋଇ ଖୋର୍ଦ୍ଧାଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ । ପାରିକୁଦବାସୀମାନେ ଏହି ଘଟଣାକୁ କାଳୀଙ୍କର କୌଶଳ ମନେ କରି ‘‘କାଳୀଜୟୀ ହେଲେ, କାଳୀଜୟୀ ହେଲେ’’ ବୋଲି କହି ଆନନ୍ଦରେ କୋଳାହଳ କରିବାକୁ ଲାଗିଲେ । ସେହିଦିନଠାରୁ ଦେବୀଙ୍କର ନାମ ‘‘କାଳୀଜୟୀ ହେଲା ।
ଦୈନିକ ଭୋଗ ଓ ପୂଜା-ନିର୍ବାହ ନିମନ୍ତେ ପାରିକୁଦ ଷ୍ଟେଟରୁ ଦେବୀଙ୍କ ନାମରେ ଧାନଜମି ଖଞ୍ଜା ଅଛି; ମାତ୍ର ଚିଲିକା ମଧ୍ୟସ୍ଥ କାଳୀଜୟୀଙ୍କ ନିକଟକୁ ପ୍ରତିଦିନ ଯିବାର ସୁବିଧା ନ ଥିବାରୁ ବିଶେଷତଃ ବର୍ଷା ତୋଫାନ ସମୟରେ ଚିଲିକା-ବକ୍ଷ ନୌଯାନର ଅଗମ୍ୟ ହେବାରୁ ଦେବୀଙ୍କର ପ୍ରତିନିଧିସ୍ୱରୂପ ଗୋଟିଏ ମୂର୍ତ୍ତି ଚିଲିକା ତଟରେ ସ୍ଥାପନ କରି ସେଠାରେ ପ୍ରତ୍ୟହ ପୂଜା ଓ ଭୋଗର ବ୍ୟବସ୍ଥା କରାହୋଇଅଛି । ଦୁର୍ଗାପୂଜା ସମୟରେ ସମାରୋହରେ ଦେବୀଙ୍କର ପୂଜା ହୁଏ ଏବଂ ବଳି ପଡ଼େ ।
କାଳୀଜୟୀ ଚିଲିକାର ଅଧିଷ୍ଠାତ୍ରୀ ଦେବୀ । ଚିଲିକାଚାରୀ ନାବିକମାନେ ତାଙ୍କୁ ଅତିଶୟ ଭକ୍ତି କରନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ, ଦେବୀଙ୍କ ନାମ ସ୍ମରଣ କଲେ ଚିଲିକା ମଧ୍ୟରେ କୌଣସି ବିପଦ ଘଟିବାର ସମ୍ଭାବନା ନାହିଁ । ନୌକା-ନିମଗ୍ନ ସମୟରେ ଦେବୀଙ୍କ ନାମ ସ୍ମରଣ କରି ଅନେକଙ୍କୁ ଆସନ୍ନମୃତ୍ୟୁମୁଖରୁ ରକ୍ଷା ପାଇବାର ଦେଖାଯାଇଅଛି । ଦେବୀଙ୍କ ଅପାର କୃପାରୁ କେହି କେହି ଅଗାଧ ଚିଲିକା ସନ୍ତରଣ ଦ୍ୱାରା ପାରହୋଇ ଆସିଅଛନ୍ତି । ଦେବୀଙ୍କ ଉଦ୍ଦେଶ୍ୟରେ ପୂଜା ଓ ବଳି ମାନସ କରି ଅନେକେ ମହା ସଙ୍କଟରୁ ରକ୍ଷା ପାଇଅଛନ୍ତି । ସ୍ୱୟଂ ଯୁବରାଜ ସୁଦ୍ଧା ଏ ବିଷୟରେ ଭୁକ୍ତଭୋଗୀ ।
୧୧୨୪ ସାଇରେ ପାରିକୁଦର ଜନୈକ ରାଜା ଜଗନ୍ନାଥରାଜାଙ୍କ ରାଜତ୍ୱ ସମୟରେ ଗୋଟିଏ କ୍ଷୁଦ୍ର ଦେଉଳରେ ଦେବୀଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା । କାଳର ବିକଟ ଦଂଷ୍ଟ୍ର ଘାତରେ ଉକ୍ତ ଦେଉଳଟି ବିନଷ୍ଟ ହୋଇଯିବାରୁ ବର୍ତ୍ତମାନ ରାଜାସାହେବଙ୍କର ପିତା ସ୍ୱର୍ଗତ ଗୌରଚନ୍ଦ୍ର ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ ବାହାଦୂର ୧୮୮୨ ସାଲରେ ଦେବୀଙ୍କର ଦେଉଳ ତୋଳାଇଦେଇଅଛନ୍ତି । ବର୍ତ୍ତମାନ ରାଜା ମହୋଦୟ ଆଗନ୍ତୁକ ଦର୍ଶକମାନଙ୍କ ସକାଶେ ଗୋଟିଏ ବିଶ୍ରାମ-ସୌଧ ନିର୍ମାଣ କରାଉଅଛନ୍ତି ।
କାଳୀଜୟୀ ଦ୍ୱୀପର ପରିମାଣ ୨୯ ଏକର ୧୦ ଡେସିମେଲ ମଧ୍ୟରୁ ମନ୍ଦିର ଏକ ଡେସିମେଲ, ପାନ୍ଥାଗାର ୩ ଡେସିମେଲ, ପଡ଼ିଆ ଏକ ଏକର ୬ ଡେସିମେଲ ଏବଂ ପାହାଡ଼ ୨୭ ଏକର ୨୦୦ ଡେସିମେଲ । ଇଂରାଜମାନେ ଓଡ଼ିଶା ଅଧିକାର ଉଦ୍ଦେଶ୍ୟରେ ଏହି ବାଟେ ଯିବା ସମୟରେ ପାରିକୁଦର ତତ୍କାଳୀନ ରାଜା ବାଲୁକେଶ୍ୱର ହରିଚନ୍ଦନ ଭୀତ ହୋଇ କାଳୀଜୟୀ ଦ୍ୱୀପରେ ଆଶ୍ରୟ ଗ୍ରହଣ କରିଥିଲେ । ଏହି ଘଟଣା ୧୮୦୩ ଖ୍ରୀଷ୍ଟାବ୍ଦରେ ଘଟିଥିଲା ।