ବିଜ୍ଞାପନ — ରାଧାନାଥ ରାୟ · ସ୍ୱର୍ଣ୍ଣଲିପି‘‘ଆମ୍ଭର ଜ୍ୟୈଷ୍ଠପୁତ୍ରର ମୃତ୍ୟୁ ହେବାରୁ ଶୋକରେ ଅଧୀର ହୋଇଅଛୁଁ । ଏତେବେଳେ ଆମକୁ ସାନ୍ତ୍ୱନା ଦେବ, ଏପରି କେହି ନାହିଁ । କନିଷ୍ଠ ପୁତ୍ରର ଅନୁର୍ଦ୍ଦେଶ ହେତୁରୁ ଆମ୍ଭର ଦୁଃଖ ଦୁଇଗୁଣ ହୋଇଅଛି । ଯେବେ କୌଣସି ମହୋଦୟ ଆମ୍ଭ ପ୍ରତି ସଦୟ ହୋଇ ଆମ୍ଭର ସେହି କନିଷ୍ଠ ପୁତ୍ରର ତତ୍ତ୍ୱ କରନ୍ତି, ତେବେ ଆମ୍ଭ ତାଙ୍କଠାରେ ଚିରଜୀବନ କୃତଜ୍ଞ ରହିବୁଁ । ଯେବେ ଏହି ବିଜ୍ଞାପନ ସେହି ପୁତ୍ରର ନୟନରେ ପଡ଼େ ଏବଂ ତାହାଠାରେ ଯେବେ ପିତୃସ୍ନେହ ଥାଏ, ତେବେ ତାହାକୁ ଆମ୍ଭେ ଏହି ଆଦେଶ କରୁଅଛୁଁ ଯେ, ସେ ବିଜ୍ଞାପନ ପଢ଼ିଲାମାତ୍ରକେ ଗୃହକୁ ପ୍ରତ୍ୟାଗମନ କରିବା ନିମ୍ନେ ସଯତ୍ନ ହେବ ।’’
ଆମ୍ଭେ ଏହି ବିଜ୍ଞାପନ ପଢ଼ି ଭ୍ରାତୃଶୋକରେ ଆକୁଳ ହେଲୁଁ । ଆମ୍ଭ ପିତା ଆମ୍ଭ ପ୍ରତି ଅତ୍ୟନ୍ତ ନିଷ୍ଠୁର ଆଚରଣ କରିଥିଲେ, କିନ୍ତୁ ତାଙ୍କୁ ପୁତ୍ରଶୋକରେ ଅଭିଭୂତ ହେବାର ପାଠ କରି ଆମ୍ଭେ ତାହା ପାସୋରିଲୁଁ । ପିତୃସ୍ନେହର ବଶୀଭୂତ ହୋଇ ଘରକୁ ଯିବା ନିମନ୍ତେ ଉତ୍କଣ୍ଠିତ ହେଲୁଁ । ପୁଣି ଆମ୍ଭର ବିଷାଦରେ ହର୍ଷ ଉପସ୍ଥିତ ହେଲା ଯେତେବେଳେ ଭାଳିଲୁଁ ଯେ ଆମ୍ଭର ଦରିଦ୍ରାବସ୍ଥା ସମ୍ପୂର୍ଣ୍ଣ ଘୁଞ୍ଚିଯିବ, ସେତେବେଳେ ଆନନ୍ଦର ସୀମା ନ ରହିଲା । ଅର୍ଥ, ଖ୍ୟାତି, ପଦବୀର ପୁନଃପ୍ରାପ୍ତିର ଆଶା ସଙ୍ଗେ ଅନ୍ୟ ଆଶା ସଞ୍ଚରିଲା । ତେତେବେଳେ ଆଉ ଆପଣାକୁ ଲରାର ଅଯୋଗ୍ୟ ମଣିଲୁଁ ନାହିଁ । ସେହିକ୍ଷଣି ଲରା ନିକଟକୁ ଯାଇଁ କହିଲୁଁ, ‘‘ଲରା ! ପ୍ରଭୁଙ୍କ କୃପାରୁ ଏବେ ଆମ୍ଭ ମନୋରଥ ସିଦ୍ଧ ହୋଇ ପାରିବ । ଆମ୍ଭର ଆଉ ସେ ଅବସ୍ଥା ନାହିଁ; ଆଉ ଏବେ ଆମ୍ଭକୁ କେହି ଅନାଥ, ଅପରିଚିତ, ନିର୍ଦ୍ଧନ ବୋଲି ପାରିବେ ନାହିଁ । ଏହି ଦେଖ, ଏଥିରେ ଯାହା ଲେଖାହୋଇଅଛି, ତାହା ପଢ଼ିଲେ ବୁଝିପାରିବ ।’’
ଲରାର ତାତ୍କାଳିକ ମନୋଭାବ କିପରି ହୋଇଥିବ, ପାଠକ ବିବେଚନା କରନ୍ତୁ । ଆମ୍ଭର ଅବସ୍ଥା ପରିବର୍ତ୍ତନର କଥା ଶୁଣି ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ତାଙ୍କର ଏହି ଦୃଢ଼ ବିଶ୍ୱାସ ଥିଲା ଯେ କୌଣସି ଉପାୟରେ ହେଉ, ଆମ୍ଭେ ଅବଶ୍ୟ ଧନବାନ୍ ଏବଂ ବିଖ୍ୟାତ ହେବୁଁ, ସୁତରାଂ ଏହି ସମ୍ବାଦ ତାଙ୍କୁ ବିସ୍ମୟ ବୋଧ ହେଲା ନାହିଁ । ଏହି ଘଟନାରେ ଆମ୍ଭର ମନୋଦୁଃଖର ହ୍ରାସ ହେବ, ଏହା ଭାଳି ସେ ଆହ୍ଲାଦିତ ହେଲେ । ଉଲ୍ଲାସରେ ଆମ୍ଭ ଛାତି ଫୁଲିଗଲା-। ଆଉ ଅଧୋବଦନରେ ଚାଲିଲୁଁ ନାହିଁ । ସୌଭାଗ୍ୟଗର୍ବରେ ସର୍ବଦା ଉନ୍ନତମୁଖ ହୋଇ ଚାଲିଲୁଁ । ମୁଖ ହର୍ଷପ୍ରଫୁଲ୍ଲ ହେଲା । ପୂର୍ବ ଦୁ ।କଯାକ ମୁହୂର୍ତ୍ତ ମଧ୍ୟରେ ପାସୋରିଲୁଁ ।
ଉପସ୍ଥିତ ସୌଭାଗ୍ୟ କଥା ଆମ୍ଭ ପ୍ରଭୁଙ୍କୁ ଜଣାଇବା ନିମନ୍ତେ ଆମ୍ଭର ଏକାନ୍ତ ବାସନା ହେଲା । ନିଜ ପରିଚୟ ପ୍ରଦାନ କରି ଲରାର ପାଣିଗ୍ରହଣର ଅଭିଳାଷ ତାଙ୍କଠାରେ ପ୍ରକାଶ କରନ୍ତୁ; ମାତ୍ର ସେ ସେହି ସମୟରେ ସ୍ଥାନାନ୍ତରେ ଅବସ୍ଥାନ କରୁଥିଲେ । ତେଣୁ ଫିଲିପଙ୍କଠାରେ ସବୁକଥା ବ୍ୟକ୍ତ କଲୁଁ । ଯେରୂପରେ ପ୍ରଥମେ ଆମ୍ଭ ଅନ୍ତଃକରଣରେ ପ୍ରଣୟରସର ସଞ୍ଚାର ହୋଇଥିଲା, ଯେଉଁ ଯେଉଁ କାରଣରୁ ଆମ୍ଭେ ହତାଶ ହୋଇଥିଲୁଁ, ପୁଣି ଯେଉଁ ଆକସ୍ମିକ ସମ୍ବାଦଦ୍ୱାରା ଆମ୍ଭ ମନରେ ଭାବୀ ସୁଖ-ଆଶା ସଞ୍ଚରିଲା, ଆମ୍ଭେ ମୁକ୍ତକଣ୍ଠରେ ତାଙ୍କଠାରେ ସମସ୍ତ କହିଲୁଁ । ଫିଲିପ ଯତ୍ପରୋନାସ୍ତି ଆହ୍ଲାଦିତ ହେଲେ ଏବଂ ଯୋଗ୍ୟ ପାତ୍ରରେ ଆମ୍ଭ ପ୍ରଣୟ ନ୍ୟସ୍ତ ହୋଇଅଛି ବୋଲି ଥରକୁଥର ଆମ୍ଭର ପ୍ରଶଂସା କଲେ । ତାଙ୍କର ଭଦ୍ରତା ଦେଖି ଆମ୍ଭ ପ୍ରଣୟ ନ୍ୟସ୍ତ ହୋଇଅଛି ବୋଲି ଥରକୁଥର ଆମ୍ଭର ପ୍ରଶଂସା କଲେ । ତାଙ୍କର ଭଦ୍ରତା ଦେଖି ଆମ୍ଭେ ହର୍ଷପୂର୍ଣ୍ଣ ମନରେ ତାଙ୍କୁ ଆଲିଙ୍ଗନ କଲୁଁ । ତାଙ୍କଠାରେ ଆମ୍ଭର ଯେ ପୂର୍ବରେ ଅବିଶ୍ୱାସ ହୋଇଥିଲା, ତାହା ଦୂର ହେଲା ଏବଂ ତାଙ୍କର ବନ୍ଧୁତାକୁ ଯେ କୃତ୍ରିମ ବୋଲି ଜାଣିଥିଲୁଁ, ସେଥି ନିମନ୍ତେ ତାଙ୍କଠାରେ କ୍ଷମା ମାଗିଲୁଁ ।
ଯୁବାମାନଙ୍କ ମଧ୍ୟରେ ଅକୃତ୍ରିମ ପ୍ରଣୟ ହେଲେ ସେମାନେ ପରସ୍ପରର ଉପକାର ସାଧନ ନିମନ୍ତେ ଅତ୍ୟନ୍ତ ଯତ୍ନବାନ୍ ହୁଅନ୍ତି । ଫିଲିପ ଅତ୍ୟନ୍ତ ଆଗ୍ରହ ସହିତ ଆମ୍ଭ ବିଷୟରେ ପ୍ରବୃତ୍ତ ହେଲେ । ଆମ୍ଭେ ତାଙ୍କୁ ଅକପଟରେ ସବୁ କଥା ଜଣାଇଲୁଁ ଏବଂ ତାଙ୍କଠାରୁ ସତ୍ପରାମର୍ଶ ନେଲୁଁ । ଚଞ୍ଚଳ ନେପ୍ଲସ୍ ନଗରକୁ ନେଉଟି ଯାଇ ପିତାଙ୍କ ସ୍ନେହଭାଜନ ହେବା ନିମନ୍ତେ ଫିଲିପ ଉପଦେଶ ଦେଲେ । ତଦନ୍ତର ଜନକଙ୍କର ଅନୁମତି ନେଇ ଗୃହରୁ ପୁଣି ଲରାକୁ ବିବାହ କରିବୁଁ । ଫିଲିପ କହିଲେ ଯେ ତାଙ୍କ ପିତାଙ୍କଠାରୁ ଏହି ବିଷୟ ସମ୍ମତ କରାଇବା ନିମନ୍ତେ ସେ ସାଧ୍ୟମତେ ଯତ୍ନ କରିବେ ଏବଂ ଆମ୍ଭର ଯେରୂପେ ମଙ୍ଗଳ ହେବ ସେଥିରେ କଦାଚ ଅବହେଳା ନକରିବେ । ଆମ୍ଭେ ତାଙ୍କର ଏହି ଆଶ୍ୱାସ ବାକ୍ୟରେ ଆପ୍ୟାୟିତ ହେଲୁଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧିମଧୁସୂଦନ ରାଓ ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବମଧୁସୂଦନ ରାଓ ମଧୁସୂଦନ ରାଓ
ଅବଶେଷରେ ମେଲାଣି ନେବା ନିମନ୍ତେ ଲରା ନିକଟକୁ ଗଲୁଁ । ସେହି ମେଲାଣି ବେଳ ମନରେ ପଡ଼ିଲେ ଆମ୍ଭର ଦୁଃଖସାଗର ଉଦ୍ବେଳ ହୁଅଇ । ଉଦ୍ୟାନ ମଧ୍ୟରେ ଗୋଟିଏ ପଟଗୃହ ଥିଲା; ଲରା ସେଠାରେ ବସି ପୁସ୍ତକାଦି ପଢ଼ୁଥାନ୍ତି । ଆମ୍ଭର ଗୃହଗମନ ସମୟରେ ସେ ସେହି ପଟଗୃହରେ ଥିଲେ, ଆମ୍ଭେ ସେଠାକୁ ଯାଇ ମେଲାଣି ମାଗିଲୁଁ । ଲରା ଅଶ୍ରୁପୂର୍ଣ୍ଣନୟନା ହୋଇ ଆମ୍ଭକୁ ଗମନାନୁମତି ଦେଲେ । ଅକୃତ୍ରିମ ପ୍ରେମର କେମନ୍ତ ଅନିର୍ବଚନୀୟ ପ୍ରଭାବ ! କିଛି ଦୂର ଗମନ କରି ଆମ୍ଭେ ପୁଣି ଫେରି ଲରା ନିକଟକୁ ଗଲୁଁ । ତାହାକୁ ଚକ୍ଷୁଜଳରେ ଅଭିଷିକ୍ତ ଦେଖି ନୟନକୁ ପରିତୃପ୍ତ କଲୁଁ । ସେହି ପ୍ରବାଳଲୋହିତ ସୁକୋମଳ କରପଲ୍ଲବ ସ୍ପର୍ଶ ଏବଂ ଚୁମ୍ବନ କଲୁଁ । ଆହା ! ପ୍ରଣୀୟମାନଙ୍କର ମେଲାଣି ବେଳେ ଯେଉଁ ମନୋବେଦନା ହୁଏ, ସେହି ମେନାବେଦନାରେ ସୁଦ୍ଧା ଏକ ଅନିର୍ବଚନୀୟ ରସ ଅଛି, ସେ ରସର ତୁଳନାରେ ଅମୃତ ସୁଦ୍ଧା ତୁଚ୍ଛ ବୋଧ ହୁଅଇ । ଆଜିଯାଏ ସେହି ସ୍ଥାନ ଆମ୍ଭ ହୃଦୟପଟରେ ଅଙ୍କିତ ଅଛି । ସେହି ପୃଷ୍ଠତରୁ ବେଷ୍ଟିତ ସୁରମ୍ୟ ପଟଗୃହ, ସେହି ରମଣୀୟ ଉଜ୍ଜ୍ୱଳ ମୁଖଚନ୍ଦମା, ସେହି ଅଶ୍ରୁପୂର୍ଣ୍ଣ ନୟନଯୁଗଳ, ସେହି ସ୍ନିଗ୍ଧ ଅବଲୋକନ ଏପର୍ଯ୍ୟନ୍ତ ଆମ୍ଭମନରେ ଜାଗରୂକ ଅଛି ।
ଅନନ୍ତର ଆମ୍ଭେ ଅପରାହ୍ନ ଚାରି ଘଟିକା ସମୟରେ ଜାହାଜରେ ଚଢ଼ିଲୁଁ । କ୍ରମେ କ୍ରମେ ଦୂରବର୍ତ୍ତୀ ହେବାକୁ ଲାଗିଲୁ । ଗମନ ସମୟରେ ଆମ୍ଭର ନୟନଦ୍ୱୟ ସେହି ଉପବନସ୍ଥ ପଟଗୃହ ଆଡ଼କୁ ଧାଇଁଲା । ଥରକୁଥର ଆଗ୍ରହ ସହିତ ସ୍ଥିର ଦୃଷ୍ଟିରେ ତାହାକୁ ଦେଖିବାକୁ ଲାଗିଲୁଁ । ଦୂରତାବଶତଃ ସେହି ପଟଗୃହ କ୍ରମଶଃ କ୍ଷୁଦ୍ର ଦିଶିଲା ଏବଂ ଶେଷକୁ ଗୋଟାଏ ଶଙ୍ଖ ପ୍ରାୟ ବୋଧ ହେଲା । କିଛିକାଳ ପରେ ସୂର୍ଯ୍ୟ ଅସ୍ତୋନ୍ମୁଖ ହେବାରୁ ସାଗରର ଜଳ ରକ୍ତବର୍ଣ୍ଣ ହେଲା । ତରଙ୍ଗମାଳା ଦେଖି ବୋଧ ହେଲା, ଯେମନ୍ତ ପଦ୍ମରାଗମଣିଘଟିତ ଚଞ୍ଚଳ ଗିରିମାନେ ଏକତ୍ରିତ ହୋଇ କୋଳାହଳ କରୁଅଛନ୍ତି । ଅନନ୍ତର ରଜନୀ କଳାବସ୍ତ୍ର ପିନ୍ଧି ଆସିଲେ, ଗଗନରେ ତାରା ଫୁଟିଲା; ମାତ୍ର ଆମ୍ଭେ ପ୍ରାକୃତିକ ଶୋଭା ଦେଖିବାର ରତ ନ ହୋଇ ସେହି ଉପବନ ଦିଗକୁ ଥରକୁଥର ଅନାଇଲୁଁ । ଶେଷକୁ ତାହା ଆମ୍ଭର ଦୃଷ୍ଟି ପଥାତୀତ ହେଲା ।
ନେପ୍ଲସ୍ରେ ପହଞ୍ଚି ସତ୍ୱର ହୋଇ ପିତୃ-ଗୃହମୁଖରେ ଗମନ କଲୁଁ । ପିତାଙ୍କ ଅନୁଗ୍ରହରୁ ଏତେକାଳ ବଞ୍ଚିତ ହୋଇଥିଲୁଁ । ଏତେକାଳ ବଞ୍ଚିତ ହୋଇଥିଲୁଁ । ଏବେ ସେହି ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ଅତୀବ ବ୍ୟଗ୍ର ହୋଇ ଗୃହର ନିକଟବର୍ତ୍ତୀ ହେଲୁଁ । ଆମ୍ଭକୁ କେହି ଚିହ୍ନି ପାରିଲେ ନାହିଁ ଏବଂ ପିତାଙ୍କର ଭୃତ୍ୟମାନେ ବିସ୍ମୟପୂର୍ଣ୍ଣ ଲୋଚନରେ ଆମ୍ଭକୁ ଅନାଇ ରହିଲା । ମଠରୁ ପ୍ରସ୍ଥାନ କରିବା ସମୟରେ ଆମ୍ଭେ ଅଳ୍ପବୟସ୍କ ଥିଲୁଁ । ଏବେ ଆମ୍ଭର ଆକାର ପୁଣି ଶିକ୍ଷାଦି ବିଷୟରେ ଅନେକ ପରିବର୍ତ୍ତନ ହୋଇଥିଲା । ଆମ୍ଭେ ଯେ ସେହି ଗୃହର ଭାବୀ ପ୍ରଭୁ ହେବୁଁ, ଭୃତ୍ୟମାନେ ଏହା ଜାଣିନଥିଲେ, ଆମ୍ଭକୁ ଜଣେ ବିଦେଶୀ ବୋଲି ଜାଣିଥିଲେ । ଆମ୍ଭେ ସେଠାରେ ଉପସ୍ଥିତ ହୋଇ ଅଶ୍ରୁବେଗ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କାନ୍ଦିଲୁ । ସେମାନେ ଦେଖି ବିସ୍ମୟାପନ୍ନ ହେଲା, ମାତ୍ର ଯେତେବେଳେ ଆମ୍ଭେ ପରିଚୟ ଦେଲୁଁ, ସେମାନେ ଆଦର ସହିତ ଆମ୍ଭକୁ ଘର ଭିତରକୁ ଘେନିଗଲେ । ସେମାନଙ୍କ ମଧ୍ୟରୁ ଜଣେ ଆଗେ ଯାଇ ଆମ୍ଭର ଆଗମନବାର୍ତ୍ତା ପିତାଙ୍କଠାରେ ଜଣାଣ କଲା । ପିତା ଆମ୍ଭର ପ୍ରତ୍ୟୁଦ୍ଗମନ ନିମନ୍ତେ ସୁସଜ୍ଜ ହେଉଛନ୍ତି, ଏମନ୍ତ ସମୟରେ ଆମ୍ଭେ ତାହାଙ୍କ ନିକଟରେ ଉପସ୍ଥିତ ହେଲୁଁ । ଯାହାଙ୍କୁ ଆମ୍ଭେ ପୂର୍ବରେ ହୃଷ୍ଟପୁଷ୍ଟ ଦେଖିଥିଲୁଁ, ଯାହାଙ୍କ କୁପିତ ବଦନ ଦେଖି ଆମ୍ଭେ ଭୟରେ ମୃତ ପ୍ରାୟ ହେଉଥିଲୁଁ, ସେହି ପିତାଙ୍କୁ ଏତେବେଳେ ଜରାଯୁକ୍ତ, ଶୀର୍ଣ୍ଣଶରୀର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଦୁରନ୍ତ ପକ୍ଷାଘାତ ରୋଗ ଅଙ୍ଗମାନଙ୍କୁ ଅବଶ କରିଥିଲା, ଶରୀର ବିବର୍ଣ୍ଣ ହୋଇଥିଲା । ଯେତେବେଳେ ଆମ୍ଭେ ତାହାଙ୍କ ନିକଟସ୍ଥ ହେଲୁଁ, ସେ ଗୋଟାଏ କାଷ୍ଠାସନରେ ବସିଥିଲେ । ଶାରିରୀକ ସୌନ୍ଦର୍ଯ୍ୟଲୋପର ସହିତ ତାହାଙ୍କର ମାନସିକ ବୃତ୍ତିମାନଙ୍କର ସୁଦ୍ଧା ବହୁପରିମାଣରେ ବୈଲକ୍ଷଣ୍ୟ ହୋଇଥିଲା । ସେହି ଆଗେ ଆସିଥିବା ଭୃତ୍ୟ ଆମ୍ଭ ବୃତ୍ତାନ୍ତ ତାହାଙ୍କୁ ଅବଗତ କରାଉଥିଲା । ଏମନ୍ତ ସମୟରେ ଆମ୍ଭେ ତାହାଙ୍କ ପାଦତଳେ ପଡ଼ିଲୁଁ । ତାହାଙ୍କର ପୂର୍ବ ନିଷ୍ଠୁର ଅନୁଚିତ ବ୍ୟବହାର ଆମ୍ଭ ହୃଦୟରୁ ଅନ୍ତର୍ହିତ ହେଲା । ସେ ଆମ୍ଭର ପୂଜନୀୟ ପିତା, ମମ୍ଭେ ତାହାଙ୍କଠାରେ ଅପରାଧୀ ହୋଇଅଛୁଁ, ସେତେବେଳେ କେବଳ ଏହି ଭାବ ଆମ୍ଭ ମନରେ ଉଦିତ ହେଲା । ବ୍ୟଗ୍ରଭାବରେ ତାହାଙ୍କ ଗୋଡ଼ ଧରି କାନ୍ଦିଲୁଁ, ‘‘ପିତଃ ! କ୍ଷମା କରନ୍ତୁ, ଆମ୍ଭର ଦୋଷ ହୋଇଅଛି ।’’ ବାରମ୍ବାର ଏହି କାତରୋକ୍ତି କଲୁଁ । ପିତା ଆମ୍ଭକୁ ସତୃଷ୍ଣନୟନରେ ଚାହିଁଲେ, କମ୍ପାନ୍ୱିତ ବିସ୍ତାର କଲେ ଏବଂ ବାଳକ ପ୍ରାୟ କାନ୍ଦିବାକୁ ଲାଗିଲେ ।
ସେହି ସମୟାବଧି ସେ ଆମ୍ଭକୁ ମୁହୂର୍ତ୍ତକ ନିମନ୍ତେ ସୁଦ୍ଧା ଆଖିରୁ ଅନନ୍ତ କରିଦେଲେ ନାହିଁ । ତାହାଙ୍କ ଜାଣିବାରେ ମହୀରେ ଆମ୍ଭ ବ୍ୟତୀତ ଆଉ ତାଙ୍କର କିଛି ପ୍ରୀତିକର ନଥିଲା । ଆଉ ସବୁ ତାହାଙ୍କୁ ଶୂନ୍ୟବତ୍ ବୋଧହେଲା । ସେ ବାକ୍ଶକ୍ତିବର୍ଜିତ ହୋଇଥିଲେ, ପୁଣି ତାହାଙ୍କ ବୁଦ୍ଧି ଲୁପ୍ତ ପ୍ରାୟ ହୋଇଥିଲା । ସର୍ବଦା ମୌନୀ ହୋଇଥିଲେ ଏବଂ କେବେ କେବେ ବିନା କାରଣରେ ରୋଦନ କରୁଥିଲେ । ଆମ୍ଭେ ଯେବେ କୌଣସି ସମୟରେ ଗୃହରୁ ବହିର୍ଗତ ହେଉଥିଲୁଁ, ସେ ଦ୍ୱାର ଆଡ଼କୁ ସ୍ଥିର ଚାହିଁ ଆମ୍ଭର ଫେରିଆସିବାର ପ୍ରତୀକ୍ଷା କରୁଥିଲେ । ଆମ୍ଭେ ଯେତେବେଳେ ପୁନଃପ୍ରବିଷ୍ଟ ହେଉଥିଲୁଁ, ଆମ୍ଭକୁ ଦେଖି ନୟନଜଳରେ ନିଜ ମୁଖ ଅଭିଷିକ୍ତ କରୁଥିଲେ ।
ଏମନ୍ତ ଅବସ୍ଥାରେ ତାଙ୍କଠାରେ ଆମ୍ଭର ମନୋଗତ ପରିଣୟବୃତ୍ତାନ୍ତ କହିବା ଅଯୁକ୍ତ ବୋଧ ହେଲା । ତାହାଙ୍କଠାରୁ ମୁହୂର୍ତ୍ତ ନିମନ୍ତେ ଅନ୍ତର୍ହିତ ହେବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ମଣିଲୁଁ; ସୁତରାଂ ଆମ୍ଭେ କ’ଣ କରିବୁଁ, କିଛି ହିଁ ସ୍ଥିର କରି ପାରିଲୁଁ ନାହିଁ । ଲରାର ଚିନ୍ତା ଆମ୍ଭକୁ ଅଧୀର କଲା । ଆମ୍ଭର ନେପ୍ଲସ୍କୁ ପ୍ରତ୍ୟାଗମନ, ପିତାଙ୍କର ଶରୀରାବସ୍ଥା, ଲରାର ବିରହଜନିତ ବ୍ୟାକୁଳତା, ଏହି ସମସ୍ତ ବିଷୟରେ ଲରାକୁ ଖଣ୍ଡିଏ ସୁଦୀର୍ଘ ଲିପି ଲେଖିଲୁଁ । ସମସ୍ତେ ଏହା ମୁକ୍ତକଣ୍ଠରେ ସ୍ୱୀକାର କରିବେ ଯେ ମୁହୂର୍ତ୍ତକାଳ ପ୍ରିୟତମାବିଚ୍ଛେଦ ତରୁଣ ପ୍ରଣୟୀକୁ ଯୁଗସହସ୍ର ପ୍ରାୟ ବୋଧହୁଅଇ । ଫିଲିପଙ୍କୁ ଅନ୍ୟ ଏକ ପତ୍ର ଲେଖି ଲରାର ପତ୍ରକୁ ସେଥିରେ ଗର୍ଭସ୍ଥ କରି ପଠାଇଲୁଁ । ଫିଲିପ ଆମ୍ଭର ଅତି ପ୍ରୀତିଭାଜନ ଥିଲେ । ସୁତରାଂ ତାହାଙ୍କୁ ଜଣାଇ ସମସ୍ତ କାର୍ଯ୍ୟ କରୁଥିଲୁ । ଫିଲିପ ଆମ୍ଭ ପ୍ରତ୍ୟୁତ୍ତର ପଠାଇଲେ, ସେହି ପତ୍ରର ପ୍ରତ୍ୟୁତ୍ତର ପଠାଇଲେ, ସେହି ପତ୍ରରେ ବନ୍ଧୁତା ପୁଣି ବିଶ୍ୱସ୍ତତାର ଅନେକ ପ୍ରମାଣ ପାଇଲୁଁ । ଲରାଠାରୁ ସୁଦ୍ଧା ଖଣ୍ଡେ ଅଟଳ ପ୍ରଣୟସୂଚକ ପ୍ରତ୍ୟୁତ୍ତର ପ୍ରାପ୍ତ ହେଲୁଁ ।
ଏହି ପ୍ରକାର କେତେ ଦିନ, କେତେ ସପ୍ତାହ, କେତେ ମାସ ଗଲା । ଅନନ୍ତର ପିଲାଙ୍କ ପୀଡ଼ା ଉତ୍ତରୋତ୍ତର ବଢ଼ିଲା, କ୍ରମଶଃ ଶରୀର କ୍ଷୀଣ ହେଲା । ଆମ୍ଭେ ଭକ୍ତି ଏବଂ ଯତ୍ନ ସହିତ ତାହାଙ୍କ ଶୁଶ୍ରୁଷା କରିବାକୁ ଲାଗିଲୁଁ । ପିତୃଭକ୍ତି ଆମ୍ଭର ଅନ୍ୟାନ୍ୟ ମାନସିକ ଭାବମାନଙ୍କୁ ବଶୀଭୂତ କଲା । କିରୂପେ ପିତା ସୁସ୍ଥ ହେବେ, କିରୂପେ ରୋଗରୁ ମୁକ୍ତ ହେବେ, ଏହି ଚିନ୍ତାରେ ଆମ୍ଭେ ସର୍ବଦା ଚିନ୍ତାନ୍ୱିତ ଥିଲୁଁ । ପୂର୍ବରେ ଆମ୍ଭେ ଯେମନ୍ତ ଅବାଧ୍ୟ ଥିଲୁଁ, ଏବେ ତେମନ୍ତ ଆଜ୍ଞାକାରୀ ହେଲୁଁ । ବୃଦ୍ଧାବସ୍ଥାରେ ଆମ୍ଭେ ତାହାଙ୍କ କାର୍ଯ୍ୟରେ ଆସିଲୁଁ, ଏହି ବିବେଚନାରେ ଆମ୍ଭର ମନ ପୁଲକିତ ହେଉଥିଲା ।
ଏଣୁ ଲରାର ବିରହାନଳରେ ଆମ୍ଭର ଅନ୍ତର୍ଦାହ ହେଲା । ପୁଣି ସର୍ବଦା ତଦ୍ଗତମନରେ ଲରାର ଚିନ୍ତା କରି ଆମ୍ଭେ ସେହି ବିରହାଗ୍ନିରେ ଇନ୍ଧନ ପ୍ରଦାନ କଲୁଁ । ନେପ୍ଲସ୍ରେ କାହାରି ସହିତ ଆଳାପ ଅଥବା ପରିଚୟ କରି ନ ଥିଲୁଁ । ଆମ୍ଭର ଧନର ଅଭାବ ନଥିଲା; କିନ୍ତୁ ଧନ ଥିଲେହେଁ ଆମୋଦ ପ୍ରମୋଦରେ ତିତିକ୍ଷା ହେଲା । ଦୁଇ ବିଷୟରେ ଆମ୍ଭ ମନ ଦୃଢ଼ରୂପେ ଆବଦ୍ଧ ରହିଲା-ଜନକଙ୍କର ସେବା, ଲରାର ଭାବନ । ଆମ୍ଭେ ପିତାଙ୍କ ନିକଟରେ ସତତ ଉପବିଷ୍ଟ ହୋଇ ତାହାଙ୍କୁ ଔଷଧାଦି ଦେଉଥାଉଁ ଏବଂ ଲରାର ଚିନ୍ତା କରୁଥାଉଁ । କେବେ କେବେ ତୂଳିକା ଘେନି ସେହି ମନୋମୋହିନୀର ଚିତ୍ର ପ୍ରସ୍ତୁତ କରୁଥାଉଁ । ଆମ୍ଭଠାରେ ଆଦର୍ଶ ଚିତ୍ର ନ ଥିଲା; କିନ୍ତୁ ହୃଦୟପଟରେ ଲରା ଅଙ୍କିତ ହୋଇଥିଲେ; ସୁତରାଂ ଲରାର ଚିତ୍ରପଟ ଅନାୟାସରେ ପ୍ରସ୍ତୁତ କଲୁଁ । ଏହି ସମୟରେ ଆମ୍ଭେ ଲରାଠାରୁ ଦ୍ୱିତୀୟ ଲିପି ପ୍ରାପ୍ତ ହୋଇ ଅତିଶୟ ଆହ୍ଲାଦିତ ହେଲୁଁ । ସେହି ଅମୃତମୟ ପତ୍ରିକାକୁ ନିର୍ଜନରେ ଥରକୁଥର ପଢ଼ିଲୁଁ । ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ଅକ୍ଷର ଅବିଚଳିତ ପ୍ରେମ, ଅସାଧାରଣ ସହୃଦୟତା, ଅକଳଙ୍କିତ ରମଣୀୟତାର ପରିଚୟ ଦେଲା ଫିଲିପଙ୍କଠାରୁ ସୁଦ୍ଧା ଖଣ୍ଡିଏ ଅକୃତ୍ରିମ ପ୍ରଣୟଗର୍ଭ ପତ୍ର ପାଇଲୁଁ । ସେ ଉଭୟେ ଆମ୍ଭ ବିରହରେ ଅତି ବ୍ୟାକୁଳ ହୋଇଥିବାର ଲେଖିଥିଲେ ।
ଏହି ରୂପେ ସମ୍ବତ୍ସରଦ୍ୱୟ ଅତୀତ ହେଲା । ସେହି ଦୁଇ ବର୍ଷକାଳ ଆମ୍ଭକୁ ଦୁଇ ମନ୍ୱନ୍ତର ପ୍ରାୟ ବୋଧ ହେଲା । ଆମ୍ଭେ ଯେପରି ଗାଢ଼ ଅନୁରାଗୀ ଏବଂ ବ୍ୟଗ୍ରସ୍ୱଭାବ ଥିଲୁଁ, ଯେବେ ଆମ୍ଭଠାକୁ ଲରା ଏହିରୂପେ ପତ୍ର ନଲେଖିଥାନ୍ତେ, ତେବେ ଆମ୍ଭର ପ୍ରାଣଧାରଣ କରିବା ଦୁଃସାଧ୍ୟ ହୋଇଥାନ୍ତା । ସେହି ପତ୍ର ପୁନଃ ପୁନଃ ପଢ଼ି ହୃଦୟର ଉତ୍କଣ୍ଠା ବିନୋଦନ କରୁଥାଉଁ । ଅନନ୍ତର କାଳ-ପବନ ପିତାଙ୍କର ପ୍ରାଣ-ପ୍ରଦୀପକୁ ନିର୍ବାଣ କଲା । ଭବଦ୍ରାତା ଜଗଦୀଶ୍ୱରଙ୍କ ପବିତ୍ର ନାମ ସ୍ମରଣ କରି ପିତା ଜୀବନ ପରିତ୍ୟାଗ କଲେ । ତାହାଙ୍କୁ ଅଧିକ କାଳ ମୃତ୍ୟୁ-ଯାଚନା ଭୋଗ କରିବାକୁ ହେଲା ନାହିଁ । ସେ ମରିବା ସମୟରେ ଆମ୍ଭ ମସ୍ତକରେ ହସ୍ତ ବୁଲାଇ ଅସ୍ପଷ୍ଟ ସ୍ୱରରେ ଆମ୍ଭକୁ ଆଶୀର୍ବାଦ କଲେ ।
ଆମ୍ଭେ ଯଥାବିଧାନରେ ତାହାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କଲୁଁ । ପିତୃଦତ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଏପରି ସୁଶୃଙ୍ଖଳାବଦ୍ଧ କଲୁଁ ଯେ ଦୂର ଦେଶରେ ଥାଇ ସୁଦ୍ଧା ଅନାୟାସରେ ତତ୍ତ୍ୱାବଧାରଣ କରିବାକୁ ସମର୍ଥ ହେବୁଁ । ଅନନ୍ତର ହୃଷ୍ଟଚିତ୍ତ ହୋଇ ଅର୍ଣ୍ଣବପୋତାରୋହଣରେ ଜେନୋୟା ନଗରକୁ ଯାତ୍ରା କଲୁଁ ।
ଅନୁକୂଳ ବାୟୁ ହେବାରୁ ସୁଖରେ ଗମନ କଲୁଁ । ଦିନେ ପ୍ରଭାତକାଳରେ ଆମ୍ଭେ ପୋତର କୌଣସି ଉଚ୍ଚ ସ୍ଥାନରେ ବସି ଶୀତଳ ସାଗର ସମୀରଣ ସେବନ କରୁଅଛୁଁ, ଏମନ୍ତ ସମୟରେ ଆପିନାଇନ୍ ପର୍ବତର ସୁନୀଳ ଶିଖରାବଳୀ ଦିଗ୍ବଳୟ ଭେଦ କରି ଆମ୍ଭର ନୟନଗୋଚର ହେଲା । କ୍ରମେ କ୍ରମେ ଆମ୍ଭେ ଜେନୋୟାର ନିକଟବର୍ତ୍ତୀ ହେଲୁଁ । ସେ ସମୟରେ ଗ୍ରୀଷ୍ମଋତୁର ପ୍ରାଦୁର୍ଭାବ; ନଭୋମଣ୍ଡଳ ନିର୍ମଳ ହୋଇଥିଲା । ଯେତେବେଳ ସେହି ସମୁଦ୍ରତୀରସ୍ଥ ପଲ୍ଲୀଗ୍ରାମମାନ ଦୃଷ୍ଟିଗୋଚର ହେଲା, ସେହି ଉପବନ ନୟନପଥବର୍ତ୍ତୀ ହେଲା, ସେତେବେଳେ ଲୌହ ଯେମନ୍ତ ଅୟସ୍କାନ୍ତ ଅଭିମୁଖରେ ଧାବମାନ ହୁଏ, ଆମ୍ଭ ମନଃ ସେହିରୂପ ଲରାର ପଟଗୃହାଭିମୁଖରେ ଧାବମାନ ହେଲା । ଅନ୍ତଃକରଣ ଯେ କିପରି ବ୍ୟଗ୍ର ହେଉଥିଲା, ଯେବେ ପାଠକ, କେବେ ବିରହବେଦନା ଅନୁଭବ କରିଥିବେ, ତେବେ ଅବଶ୍ୟ ବୁଝିପାରିବ । ଦୂରବୀକ୍ଷଣଦ୍ୱାରା ଆମ୍ଭେ ସେହି ସ୍ଥାନର ପ୍ରତ୍ୟେକ ଅଂଶ ଦେଖିଲୁଁ । ସେହି ଉଦ୍ୟାନ, ସେହି ଗବାକ୍ଷମାଳା, ସେହି କୁସୁମତରୁ ଆମ୍ଭର ଦୃଷ୍ଟିଗୋଚର ହେଲା । ଯେତେ ନିକଟବର୍ତ୍ତୀ ହେଲୁଁ, ଆମ୍ଭର ଉତ୍କଣ୍ଠା ସେହି ପରିମାଣରେ ବଢ଼ିବାକୁ ଲାଗିଲା । ଅର୍ଣ୍ଣବପୋତ ମୃଦୁଗତିରେ ଯାଉଥିବାର ବୋଧ ହେଲା । କେବେ କେବେ ଇଚ୍ଛା ହେଲା, ପୋତଉପରୁ ଲମ୍ଫଦେଇ ସମୁଦ୍ର ଜଳରେ ପଡ଼ି ସନ୍ତରଣଦ୍ୱାରା ତୀର ଧରିବୁଁ ।
ସନ୍ଧ୍ୟା ସମୟ ଉପସ୍ଥିତ ହେଲା । ନିଶାନାଥ ତାରାମାନଙ୍କରେ ପରିବୃତ ହୋଇ ଗଗନରେ ଉଦିତ ହେଲେ । ଶ୍ୱେତ ସମୁଦ୍ର, ତିମିରବିହୀନା ରଜନୀ, ପ୍ରିୟତମାର ସମାଗମର ଆଶା, ଅନୁଭବୀ ପାଠକ! ଆମ୍ଭ ମାନସିକ ଭାବ ଯେ କିପରି ହୋଇଥିବ, ଭାଳି ଦେଖ । ଆମ୍ଭ ମନ କିପରି ବ୍ୟଗ୍ର ଥିବ, ଅନୁଭବ କର । ଆମ୍ଭେ ସେ ବିଷୟରେ ଅଧିକ କିଛି କହିବୁଁ ନାହିଁ । ଅଧିକ କହିଲେ କାଳେ ବାତୁଳ ବୋଲି ଉପହାସ କରିବ, ଏହି ଭୟ ହେତୁରୁ ନିବୃତ୍ତ ହେଲୁଁ ।
ଦୁଇପ୍ରହର ରାତ୍ରି ସମୟରେ ଆମ୍ଭେ ବନ୍ଦରରେ ପହଞ୍ଚିଲୁଁ । ପରଦିନ ପ୍ରାତଃକାଳରେ ପୋତରୁ ଓହ୍ଳାଇ ଅଶ୍ୱାରୋହଣରେ ସେହି ଗ୍ରାମ୍ୟ ଉପବନକୁ ଯାତ୍ରାକଲୁଁ । ଯେତେ ଅଗ୍ରସର ହେଲୁଁ, ଆମ୍ଭ ମନ ଚିନ୍ତା ଏବଂ ସନ୍ଦେହରେ ବ୍ୟାକୁଳ ହେବାକୁ ଲାଗିଲା । ହୃଦୟରେ ନାନା ପ୍ରକାର ଆଶଙ୍କା ଉପୁଜିଲା; ବସ୍ତୁତଃ ସ୍ନେହରୁ ଅନିଷ୍ଟ ଆଶଙ୍କା ହୁଏ । କେତେବେଳେ ମନରେ ହେଲା ଯେ ଲରା ଗତପ୍ରାଣା ହୋଇଅଛନ୍ତି, କେବେ ଭାବିଲୁଁ ଯେ କୌଣସି ପ୍ରବଳ ରୋଗରେ ଆକ୍ରାନ୍ତ ହୋଇଅଛନ୍ତି । ଆମ୍ଭ ଶରୀର ଭୟରେ କମ୍ପିତ ହେଲା । ବ୍ୟଗ୍ରତା ସହସ୍ରଗୁଣ ବଢ଼ିଲା । ବେଗରେ ଚାଲିଲୁଁ । ବହୁଶ୍ରମବଶତଃ ଅଶ୍ୱମୁଖରୁ ଫେଣ ନିର୍ଗତ ହେଲା । ଯେତେବେଳେ ଉପବନର ସମୀପବର୍ତ୍ତୀ ହେଲୁଁ, ଅଶ୍ୱକୁ ଏକ କୁଟୀରବାସିଠାରେ ରଖି ପଦବ୍ରଜରେ ଗମନ କଲୁଁ । ନାନାପ୍ରକାର ସନ୍ଦେହକୁ ହୃଦୟରେ ସ୍ଥାନ ଦାନ କରିଥିଲୁଁ ବୋଲି ଆପଣାକୁ ବହୁ ଧିକ୍କାର କଲୁଁ । କହିଲୁଁ, ‘‘ହୃଦୟ ! ସ୍ଥିର ହୁଅ, ମିଥ୍ୟା ଆଶଙ୍କାରେ କାହିଁକି ଭୀତ ହେଉଅଛ ?’’
ଉଦ୍ୟାନରେ ପ୍ରବେଶ କରି ଦେଖିଲୁଁ ଯେ ଆମ୍ଭ ଗମନ ସମୟରେ ଉପବନର ଯେପରି ଅବସ୍ଥା ଥିଲା, ବର୍ତ୍ତମାନ ସୁଦ୍ଧା ସେହିରୂପ ଅଛି । ଏହା ଦେଖି ଆମ୍ଭ ମନ କିୟତ୍ପରିମାଣରେ ଆଶ୍ୱସ୍ତ ହେଲା । ପୂର୍ବରେ ଯେଉଁଠାରେ ଆମ୍ଭେ ବସି ଲରା ସହିତ କଥୋପକଥନ କରୁଥିଲୁଁ, ସେ ସ୍ଥାନ ସେହି ଭାବରେ ଅଛି । ଯେଉଁ ଫୁଲବୃକ୍ଷମାନଙ୍କରୁ ଫୁଲ ତୋଳି ଲରାକୁ ଦେଉଥିଲୁଁ, ସେହି ତରୁମାନେ ସେହିରୂପେ ପୁଷ୍ପଭାରାବନତ ଅଛନ୍ତି । ମଧୁରାଳପୀ ବିହଙ୍ଗମାନେ ସେହିରୂପେ ଗାଉଅଛନ୍ତି । ଆଶା ଏବଂ ଆନନ୍ଦରେ ଆମ୍ଭ ମୁଖକାନ୍ତି ଉଜ୍ଜ୍ୱଳ ହେଲା । ଆମ୍ଭେ ପୂର୍ବରେ ଗୋଟିଏ ନିକୁଞ୍ଜ ମଧ୍ୟରେ ବସି ପୁସ୍ତକ ଅଧ୍ୟୟନ କରୁଥିଲୁଁ; ସେହି କୁଞ୍ଜ ଭିତରକୁ ଯାଇ ଦେଖିଲୁଁ ଯେ ଖଣ୍ଡେ ପୁସ୍ତକ ଏବଂ ତହିଁ ଉପରେ ଖଣ୍ଡିଏ ଦସ୍ତାନା ଅଛି । ସେ ଦସ୍ତାନା ଆମ୍ଭେ ପୂର୍ବରେ ଲରାକୁ ଦେଇଥିଲୁଁ-। ସେହି ଦସ୍ତାନା ଦେଖି ଆମ୍ଭ ଶରୀର ପୁଲକିତ ହେଲା । କହିଲୁଁ, ‘‘ନା, ଏବେ ଆଉ କିଚି ଭୟ ନାହିଁ । କାହିଁକି ବୃଥାରେ ଶଙ୍କିତ ହୋଇଥିଲୁଁ ?’’
ସେହି ନିକୁଞ୍ଜରୁ ବାହାରୁ ପଟଗୃହାଭିମୁଖରେ ଗମନ କଲୁଁ । ପଟଗୃହ ସୁଦ୍ଧା ସେହିପରି ଦେଖିଲୁଁ । ନେପ୍ଲସ୍ ଗମନ ସମୟରେ ଆମ୍ଭେ ଏହିଠାରେ ଲରାଠାରୁ ମେଲାଣି ନେଇଥିଲୁଁ । ଏହିଠାରେ ବିଷଣ୍ଣବଦନା ଲରା ଆମ୍ଭକୁ ଗମନାନୁମତି ଦେଇଥିଲେ । ଏହିଠାରେ ଶୋକାଶ୍ରୁ ବିସର୍ଜନ କରିଥିଲେ । ଆମ୍ଭକୁ ଦେଖିବାମାତ୍ରେ ଆନନ୍ଦାଶ୍ରୁରେ ଅଭିଷିକ୍ତ ହେବେ, ଏହି ବିବେଚନାରେ ଆମ୍ଭେ ହର୍ଷୋନ୍ମତ୍ତ ହେଲୁଁ । ଯେତେବେଳେ ପୂର୍ବୋକ୍ତ ପଟଗୃହରେ ନିକଟବର୍ତ୍ତୀ ହେଲୁଁ, ଏକ ମଧୁର ସ୍ତ୍ରୀକଣ୍ଠସମ୍ଭବ ସ୍ୱର ଆମ୍ଭ କର୍ଣ୍ଣରେ ପ୍ରବିଷ୍ଟ ହେଲା । ଏ କାହା ସ୍ୱର ? ଏପରି ମଧୁର ସ୍ୱର କାହାର ହେବ ? ଶବ୍ଦ ଶୁଣିବା ମାତ୍ରକେ ବୁଝିଲୁଁ ଯେ ଆମ୍ଭର ପ୍ରାଣସମା ପ୍ରିୟତମା ଲରା ଗୃହ ମଧ୍ୟରେ ଅଛନ୍ତି । ମନରେ କୌଣସି ଅନିର୍ବଚନୀୟ ଭାବର ଆବିର୍ଭାବ ହେବାରୁ କିଛି କ୍ଷଣ ସ୍ତମ୍ଭୀଭୂତ ହୋଇ ରହିଲୁଁ । ହଠାତ୍ ତାଙ୍କ ଅଗ୍ରରେ ଉପସ୍ଥିତ ହେବା ଉଚିତ ମଣିଲୁଁ ନାହିଁ । ମନ୍ଦ ମନ୍ଦ ପଦବିକ୍ଷେପରେ ଗୃହର ଦ୍ୱାରାଭିମୁଖରେ ଗମନ କଲୁଁ । କପାଟ ମୁକ୍ତ ଥିଲା, ଲରା ଆମ୍ଭ ଆଡ଼କୁ ପଛ କରି ବସି ମୃଦୁ ମନୋହର ସ୍ୱରରେ ଗୀତ ଗାଉଥିଲେ ଏବଂ ହସ୍ତରେ ତୂଳିକା ଘେନି ଖଣ୍ଡିଏ ଆଲେଖ୍ୟ ଲେଖୁଥିଲେ-। ଦୃଷ୍ଟିମାତ୍ର ଜାଣିଲୁଁ ଯେ ଆମ୍ଭ ଲିଖିତ ଖଣ୍ଡିଏ ଚିତ୍ରକୁ ଆଦର୍ଶରୂପେ ଥୋଇ ନିଜେ ଆଲେଖ୍ୟ ଲେଖୁଅଛନ୍ତି । ଆମ୍ଭେ କିଛିକାଳ ଏକ ଦୃଷ୍ଟିରେ ତାହାଙ୍କୁ ନିରୀକ୍ଷଣ କଲୁଁ । ଇତିମଧ୍ୟରେ ସେ ଏକ ଦୀର୍ଘନିଶ୍ୱାସ ପରିତ୍ୟାଗ କରି ଗାୟନରୁ ନିବୃତ୍ତ ହେଲେ । ଆମ୍ଭେ ଆଉ ଧୈର୍ଯ୍ୟ ନ ପାରିଲୁଁ, ‘‘ଲରା-!’’ ଆମ୍ଭ ଶବ୍ଦ ଶୁଣିବାମାତ୍ରକେ ସେ ଚମକିଉଠିଲେ, ଶ୍ରବଣାଲମ୍ବୀ ସୁବର୍ଣ୍ଣାଭରଣ କମ୍ପିତ ହେଲା । ଆମ୍ଭ ପ୍ରତି ଈଷଦୃଷ୍ଟି କରି ହୃଦୟଭେଦକ ଚିତ୍କାର କଲେ । ଆମ୍ଭେ ଯେବେ ଧରି ନ ଥାନ୍ତୁ, ତେବେ ସେ ନିଶ୍ଚୟ ଧରାତଳରେ ପଡ଼ିଯାଇଥାନ୍ତେ ।
ଆମ୍ଭେ ତାହାଙ୍କୁ ହୃଦୟରେ ଭିନି ଧରି କହିଲୁଁ, ‘‘ଲରା, ପ୍ରିୟତମା ଲରା !’’ ଏହି ଅର୍ଦ୍ଧୋକ୍ତି କରି ନିଃଶବ୍ଦ ହେଲୁଁ । ହର୍ଷାଧିକ୍ୟ ହେତୁରୁ ଆମ୍ଭର କର୍ଣ୍ଣରୋଧ ହେଲା । ଲରା ଅଚେତନ ଏବଂ ନିସ୍ପନ୍ଦ ହୋଇ ରହିଲେ । ଅକସ୍ମାତ୍ ତାହାଙ୍କ ଆତ୍ମପ୍ରଦର୍ଶନ କରିବାରୁ ତାହାଙ୍କର ଏହି ଅବସ୍ଥା ହୋଇଅଛି, ଏହା ଭାଳି ଆମ୍ଭେ ନିରତିଶୟ କାତର ହେଲୁଁ । ତାହାଙ୍କ ପ୍ରବୋଧ ନିମନ୍ତେ କେତେ ସାନ୍ତ୍ୱନା ବାକ୍ୟ କହିଲୁଁ । କିଛିକାଳ ପରେ ତାହାଙ୍କର ଚେତନା ହେଲା । ନେତ୍ରଦ୍ୱୟ ଉନ୍ମୀଳନ କଲେ-। ମୃଦୁସ୍ୱରରେ କହିଲେ, ‘‘ଏ କ’ଣ ? ଆମ୍ଭେ କେଉଁଠାରେ ଅଛୁଁ ?’’ ଆମ୍ଭ ହୃଦୟର ତୁମ୍ଭେ ଏକମାତ୍ର ଈଶ୍ୱରୀ, ସେହି ହୃଦୟରେ, ତୁମର ପ୍ରିୟତମ ହୃଦୟରେ ।’’ ଲରା ଭୟରେ ଥରିଲେ, କହିଲେ, ‘‘ନା ନା, ଛାଡ଼ିଦିଅ, ଆମ୍ଭକୁ ଛାଡ଼ିଦିଅ ।’’
ଏହା କହି ଆମ୍ଭ ବାହୁ-ବନ୍ଧନରୁ ଆପଣାକୁ ମୁକୁଳାଇଲେ । ଗୃହର ଏକ କୋଣକୁ ଯାଇ ହସ୍ତଦ୍ୱାରା ମୁଖାବୃତ କଲେ । ଆମ୍ଭେ ବଜ୍ରାହତ ପ୍ରାୟ ହେଲୁଁ । ଏ ସବୁ ଯଥାର୍ଥ ଘଟୁଅଛି କି ଆମ୍ଭର ମାନସିକ ଭ୍ରାନ୍ତି, କିଛି ସ୍ଥିର କରି ନ ପାରିଲୁଁ । ତ୍ରସ୍ତ ହୋଇ ଲରାଙ୍କର ଅନୁଗମନ କଲୁଁ । ତାହାଙ୍କର କର ଧାରଣ କରିବା ନିମନ୍ତେ କର ପ୍ରସାରଣ କଲୁଁ, ମାତ୍ର ସେ ଆମ୍ଭକୁ ସ୍ପର୍ଶ କରିବାକୁ ସୁଦ୍ଧା କୁଣ୍ଠିତ ହେଲେ ।
ଆମ୍ଭେ କହିଲୁଁ, ‘‘ଲରା ! ଏ କ’ଣ ? କାହିଁକି ଏମନ୍ତ କରୁଅଛ ? ଏତେଦିନ ଆମ୍ଭେ ଅଇଲୁଁ, ଏ କ’ଣ ତୁମ୍ଭର ଅକପଟ ସ୍ନେହ, ଏ କି ତୁମ୍ଭର ଅଟଳ ପ୍ରଣୟ ?’’ ‘‘ପ୍ରଣୟ’’ ଏହି ଶବ୍ଦ ଉଚ୍ଚାରଣ କରିବା ମାତ୍ରକେ ସେ ଥର ଥର ହୋଇ କମ୍ପିବାକୁ ଲାଗିଲେ । ବ୍ୟାକୁଳ ବଦନରେ ଆମ୍ଭ ପ୍ରତି ଚାହିଁ କହିଲେ, ‘‘ଆଉ ସେଥିର ପ୍ରସଙ୍ଗ ନ କର, ଏବେ ଆଉ ତାହା କହିଲେ କ’ଣ ହେବ ? ଆମ୍ଭେ ବିବାହିତା ହୋଇଅଛୁଁ ।’’
ଆମ୍ଭ ହୃଦୟରେ ଦୁଃଖଶେଳ ଫୁଟିଲା, ଜିହ୍ୱା ବନ୍ଦ ହେବା ପ୍ରାୟ ହେଲା । ଚିତ୍ରାର୍ପିତ ପ୍ରାୟ ନିସ୍ତବ୍ଧ ହୋଇ ରହିଲୁଁ; ଚାରିଦିଗ ଅନ୍ଧାର ଦିଶିଲା, ସଂଜ୍ଞାରହିତ ହେଲୁଁ । କିଛିକାଳ ପରେ ପୁନର୍ବାର ଚେତନା ଲଭି ଦେଖିଲୁଁ, ଲରା ସନ୍ନିହିତ ଶଯ୍ୟାରେ ଅଧୋବଦନରେ ଶୟନ ହୋଇଅଛନ୍ତି-। ତାଙ୍କ ବକ୍ଷସ୍ଥଳ କମ୍ପିତ ହେଉଅଛି । କ୍ରୋଧରେ ଆମ୍ଭ ମନ ଅସ୍ଥିର ହେଲା । କହିଲୁଁ, ‘‘ରେ ଦୁଷ୍ଟା ! ରେ ପାପୀୟସି !’’ ପୁଣି ଥରେ ସେହି ସୁନ୍ଦର ବଦନ ଦେଖିବା ମାତ୍ରକେ କ୍ରୋଧ ଆମ୍ଭ ଅନ୍ତଃକରଣରୁ ଛାଡ଼ି ପଳାଇଲା । ସେହି ମୋହିନୀ ମୂର୍ତ୍ତି ଏବଂ କ୍ରୋଧ ଏ ଉଭୟ ଏକାବେଳେ ଆମ୍ଭ ମନୋରାଜ୍ୟରେ ଆଧିପତ୍ୟ କରିବାକୁ ସମର୍ଥ ନହେଲେ । କାତର ବଚନରେ କହିଲୁଁ, ‘‘ଲରା, ଆମ୍ଭେ ସ୍ୱପ୍ନରେ ସୁଦ୍ଧା ଏମନ୍ତ ଭାବି ନଥିଲୁଁ ଯେ ତୁମ୍ଭେ ଆମ୍ଭଠାରେ ବିଶ୍ୱାସଘାତକତା କରିବ । ଆମ୍ଭେ ଏମନ୍ତ ଚିନ୍ତାକୁ କ୍ଷଣକାଳ ନିମନ୍ତେ ଆମ୍ଭ ହୃଦୟ ମଧ୍ୟରେ ସ୍ଥାନ ଦେଇନଥିଲୁଁ । ହା !’’
ଏହି କାତରୋକ୍ତି ଶ୍ରବଣ କରି ଲରା ଲୋତକପୂର୍ଣ୍ଣ ନୟନରେ ଆମ୍ଭ ପ୍ରତି ଦୃଷ୍ଟିପାତ କରି କହିଲେ, ‘‘ତୁମ୍ଭଠାରେ ବିଶ୍ୱାସଘାତକତା କଲୁଁ ! ସମସ୍ତେ ମୋତେ କହିଲେ ଯେ ତୁମ୍ଭର ପରଲୋକ ହୋଇଅଛି ।’’ ‘‘ତୁମ୍ଭେ କ’ଣ ଥରକୁଥର ଆମ୍ଭଠାରୁ ପତ୍ର ପାଇ ନାହଁ ?’’ ଲରା ବିସ୍ମୟପୂର୍ଣ୍ଣ ଲୋଚନରେ ଅନାଇ କହିଲେ, ‘‘ପତ୍ର! କି ପତ୍ର ? କାହାକୁ ଲେଖିଥିଲ’’ ‘‘କି ? ତୁମ୍ଭେ ପାଇ ନାହଁ ? ତୁମ୍ଭଠାରୁ ଆମ୍ଭେ ସେଥିର ଉତ୍ତର ସୁଦ୍ଧା ପାଇଅଛୁଁ ।’’ ଲରା ନିସ୍ପନ୍ଦଭାବରେ ଛିଡ଼ା ହୋଇ ରହିଲେ । କହିଲେ, ‘‘ପ୍ରଭୁ ସାକ୍ଷୀ, ଆମ୍ଭେ ଏହାର ଲବମାତ୍ର ଅବଗତ ନୋହୁଁ । ତୁମ୍ଭଙ୍କୁ ପ୍ରତ୍ୟୁତ୍ତର କେବେ ଲେଖିଥିଲୁଁ ?’’ ଆମ୍ଭ ହୃଦୟରେ ଘୋର ସଂଶୟ ଜାତହେଲା ।
‘‘ଆମ୍ଭେ ମରିଅଛୁଁ ବୋଲି ତୁମ୍ଭକୁ କିଏ କହିଲା ?’’
ଆମ୍ଭେ ଶୁଣିଲୁଁ, ଯେଉଁ ଜାହାଜରେ ତୁମ୍ଭେ ନେପ୍ଲସ୍କୁ ଯାଇଥିଲ, ସେହି ଜାହାଜ ବୁଡ଼ିଗଲାରୁ ତୁମ୍ଭର ପ୍ରାଣନାଶ ହୋଇଅଛି ।’’
‘‘ଏ କଥା ତୁମ୍ଭକୁ କିଏ କହିଲା ?’’
ଲରା ମୁହୂର୍ତ୍ତକାଳ ନୀରବ ହୋଇ ରହିଲେ, ଥରିବାକୁ ଲାଗିଲେ ।
ଆମ୍ଭ ନେତ୍ରଦ୍ୱୟ ରକ୍ତବର୍ଣ୍ଣ ହେଲା । କହିଲୁଁ- ‘‘ତାହା ମୁଣ୍ଡରେ ବଜ୍ର ପଡ଼ୁ ।’’
ଲରା ମୃଦୁ ସ୍ୱରରେ କହିଲେ, ‘‘ଗାଳିଦିଅ ନାହିଁ, ସେ ଆମ୍ଭ ସ୍ୱାମୀ ଅଟନ୍ତି, ତାଙ୍କୁ ଗାଳି ଦିଅ ନାହିଁ ।’’
ଏବେ ଆମ୍ଭେ ସବୁ ବୁଝି ପାରିଲୁଁ । ଜାଣିଲୁଁ ଯେ ଦୁରାତ୍ମା ଆମ୍ଭଠାରେ ପ୍ରବଞ୍ଚନା କରିଅଛି-। ଆମ୍ଭ ଶରୀରସ୍ଥ ଶିରାମାନଙ୍କରେ ଶୋଣିତ ଉଷ୍ଣ ହୋଇ ତରଳ ଅଗ୍ନି ପ୍ରାୟ ପ୍ରବାହିତ ହେଲା । କୋପରେ ଅଧର ପ୍ରସ୍ଫୁଟିତ ହେଲା । କିୟତ୍ ସମୟ ସ୍ତମ୍ଭୀଭୂତ ହୋଇ ରହିଲୁଁ । କର୍ତ୍ତବ୍ୟବିମୂଢ଼ ହୋଇ ଚାରିଆଡ଼କୁ ଅନାଇଲୁଁ । ବ୍ୟାକୁଳଚିତ୍ତ ଲରା ଭାବିଲା ଯେ ଆମ୍ଭେ ତାହାଙ୍କ ଉପରେ କୂପିତ ହୋଇଅଛୁଁ । ଅସ୍ଫୁଟସ୍ୱରରେ ଆତ୍ମ-ନିରପରାଧିତା ବ୍ୟକ୍ତ କଲେ । ଏପରି କରିବାର ତାହାଙ୍କ ପକ୍ଷରେ ଆବଶ୍ୟକ ନ ଥିଲା । ତାହାଙ୍କ ନୟନଭଙ୍ଗି ଆମ୍ଭକୁ ସବୁ କହିଦେଲା । କୋପରୁଦ୍ଧ ସ୍ୱରରେ କହିଲୁଁ, ‘‘ଆଚ୍ଛା ! ଦୁରାତ୍ମା ଆମ୍ଭଠାରୁ ଏହାର ପ୍ରତିଫଳ ଅବଶ୍ୟ ପାଇବ ।’’ ଲରା ସେ ଅର୍ଦ୍ଧୋଚ୍ଚାରିତ ବାକ୍ୟ ଶୁଣିଲେ । ଭୟରେ ତାଙ୍କ ମୁଖ ମ୍ଳାନ ହୋଇଗଲା । ‘‘ଆମ୍ଭ କଥା ଘେନ, ଫିଲିପଙ୍କ ସଙ୍ଗେ ସାକ୍ଷାତ୍ ନ କର, ଆମ୍ଭର ଏହି କଥୋପକଥନ ବୃତ୍ତାନ୍ତ ଶୁଣିଲେ ଫିଲିପ ଆମ୍ଭର ଦୂରବସ୍ଥାର ଏକ ଶେଷ କରିବେ, ତୁମ୍ଭର କିଛି ହେବ ନାହିଁ, କେବଳ ଆମ୍ଭେ ମରିବୁଁ ।’’
ପୁଣି ଆମ୍ଭ ହୃଦୟରେ ଏକ ନୂତନ ସନ୍ଦେହ ଉପସ୍ଥିତ ହେଲା । କହିଲୁଁ, ‘‘ତେବେ କ’ଣ ତୁମ୍ଭେ ଫିଲିପକୁ ଡର ? ଫିଲିପ କି ତୁମ୍ଭ ପ୍ରତି ନିଷ୍ଠୁର ବ୍ୟବହାର କରେ ? ତାହାର କଣ ଏଡ଼େ ସାହସ ? ଦୁରାତ୍ମା ତୁମ୍ଭର ଅବମାନନା କରେ ?’’
ଲରା ଅସ୍ପଷ୍ଟସ୍ୱରରେ କହିଲେ, ‘‘ନା ନା, ତାହା ନୁହେଁ, ଆମ୍ଭେ ତାହା କହୁ ନାହୁଁ ।’’ ମାତ୍ର ଲରାର ମୁଖଭଙ୍ଗି ଆନପ୍ରକାର କହିଲା । ତାହାଙ୍କ ବିବର୍ଣ୍ଣ ବଦନରୁ ଆମ୍ଭେ ସବୁ ବୁଝି ପାରିଲୁଁ । ବାସ୍ତବ ଫିଲିପ ଲରାଠାରେ ଅତ୍ୟନ୍ତ ନୃଶଂସ ଆଚରଣ କରିଥିଲା । ହା ଈଶ୍ୱର! ଆମ୍ଭ ଚିରବାଞ୍ଛିତ ପୁଷ୍ପ କି ଏହି ରୂପେ ପାଦଦଳିତ ହେଲା ! ଆମ୍ଭେ କ୍ଷିପ୍ତ ପ୍ରାୟ ହେଲୁଁ । ଚକ୍ଷୁ ଲୋହିତ ହେଲା । ଗଣ୍ଡଦ୍ୱୟ ସ୍ଫୀତ ହେଲା । କୋପାନଳ ଜ୍ୱଳି ଉଠିଲା । ଆମ୍ଭ ମୁଖାକୃତି ଅବଲୋକନ କରି ଲରା ଚକିତ ହେଲେ । ନୀରବ ହୋଇ ରହିଲେ । ଆମ୍ଭେ ଗବାକ୍ଷ ଆଡ଼କୁ ନୟନ ଫେରାଇ ଦେଖିଲୁଁ, ଫିଲିପ କିଞ୍ଚିତ୍ ଦୂରରେ ଦଣ୍ଡାୟମାନ ହୋଇଅଛି । କ୍ରୋଧାନ୍ମତ୍ତ ହୋଇ ପଟଗୃହରୁ ବିଜୁଳି ପ୍ରାୟ ଦୌଡ଼ିଗଲୁଁ । ଫିଲିପ ଆମ୍ଭକୁ ଦେଖିଲା । ତାହାର ମୁଖ ବିବର୍ଣ୍ଣ ହୋଇଗଲା । ଇତସ୍ତତଃ ଦୃଷ୍ଟି ନିକ୍ଷେପ କଲା । ପଳାଇ ପ୍ରାଣରକ୍ଷା କରି ପାରିବ ନାହିଁ, ଏହା ଭାବି କମ୍ପିତକଳେବରରେ କୋଷରୁ ଅସି ନିଷ୍କାସନ କଲା । ଆମ୍ଭେ ସକୋପରେ କହିଲୁଁ, ‘‘ନରାଧମ ରହ, ଆମ୍ଭେ ତୋହର ଉପଯୁକ୍ତ ଦଣ୍ଡବିଧାନ କରୁଅଛୁଁ ।’’
ଏହା କହି ତାହା ହୃଦୟରେ ଆମ୍ଭ କରସ୍ଥିତ କରବାଳ ଭୂସିଦେଲୁଁ । ସେହି ଆଘାତରେ ତାହାର ପ୍ରାଣନାଶ ହେଲା । କିନ୍ତୁ ସେତେବେଳଯାଏ ଆମ୍ଭର କ୍ରୋଧ ଶାନ୍ତ ହୋଇ ନଥିଲା । ରୁଧିରତୃଷ୍ଣାଯୁକ୍ତ ବ୍ୟାଘ୍ର ଭୀଷଣ ଗର୍ଜନ କରି ଯେପରି ନିଜ ଶିକାର ଉପରେ ପଡ଼ଇ, ଆମ୍ଭେ ସେହିପରି ଫିଲିପ ଉପରେ ଲମ୍ଫଦେଇ ପଡ଼ିଲୁଁ । ବାରମ୍ବାର ଆଘାତ କଲୁଁ । ଗଳାରେ ଗୋଡ଼ ଦେଇ ଦଳିଲୁଁ । ଆମ୍ଭ ସର୍ବାଙ୍ଗ ତାହାର ଶୋଣିତରେ ଲିପ୍ତ ହେଲା । ଲରା ଦୂରରୁ ଏହି ଭୟଙ୍କର ଘଟନା ଦେଖି ଚିତ୍କାର କରି ଆମ୍ଭ ନିକଟକୁ ଦୌଡ଼ି ଆସିଲେ । ତାହାଙ୍କୁ ଦେଖିବା ମାତ୍ରକେ ଆମ୍ଭ ହୃଦୟ ବିଦୀର୍ଣ୍ଣ ହେଲା, ଦ୍ରୁତଗତିରେ ସେହି ହତ୍ୟାସ୍ଥାନରୁ ପଳାଇଲୁଁ । କେଉଁଠାକୁ ପଳାଉଅଛୁଁ, କିଛି ସ୍ଥିର କରି ନ ପାରିଲୁଁ । ଆମ୍ଭ ମୁଣ୍ଡ ବୁଲିଲା । ସେଠାରୁ ଅନ୍ତର୍ହିତ ହେଲେ ଆମ୍ଭ ହୃଦୟ ସୁସ୍ଥ ହେବ, ଏହା ଭାବି ଆପିନାଇନ ପର୍ବତାଭିମୁଖରେ ପ୍ରସ୍ଥାନ କଲୁଁ । ସେହି ଗିରିରେ ରହି ନିର୍ଜନରେ କିଛି ଦିନ ଗମିଲୁଁ । ନିତ୍ୟ ଏକ ଶିଖରରୁ ଅନ୍ୟ ଶିଖରକୁ ଗମନ କରୁଥାଉଁ । କିରୂପେ ନରହତ୍ୟା ରୂପ ମହାପାତକ ବିସ୍ମୃତ ହେବୁଁ, ଅହର୍ନିଶି ଏହି ଭାବନାରେ ଭାବିତ ହୋଇ ବାତୁଳପ୍ରାୟ ହେଲୁଁ । ଏପରି ଭୟଙ୍କର ପାପ କି ବିସ୍ମୃତ ହେବାର ସମ୍ଭବ ଅଟେ ? ଲରାର ସେହି ମର୍ମଭେଦକ କାତରଧ୍ୱନି ସର୍ବଦା ଶୁଭୁଅଛି, ଫିଲିପର ସେହି ରକ୍ତାକ୍ତ କଳେବର ସର୍ବଦା ଦେଖୁଅଛୁଁ । ଆମ୍ଭକୁ ଏହିପରି ବୋଧ ହେଲା । ଆତ୍ମଗ୍ଳାନି କେଡ଼େ ଯନ୍ତ୍ରଣାଦାୟକ ! ଆମ୍ଭେ ଯେବେ ପୂର୍ବ ନିର୍ଦୋଷତା ପ୍ରାପ୍ତ ହୋଇପାରନ୍ତୁ, ତାହାହେଲେ ଲରାକୁ ଫିଲିପର କଣ୍ଠାଶ୍ଳିଷ୍ଟ ଦେଖିଲେ ସୁଦ୍ଧା ଆମ୍ଭର କ୍ରୋଧୋଦୟ ହୁଅନ୍ତା ନାହିଁ । ନିର୍ଦୋଷତା ମହାରତ୍ନ ଥରେ ହଜିଲେ ଆଉ ତାହାର ପୁନଃପ୍ରାପ୍ତିର ସମ୍ଭାବନା ନଥାଏ-। କ୍ରମେ କ୍ରମେ ଗତାନୁଶୋଚନା ଗୋଟିଏ ମାନସିକ ରୋଗ ରୂପେ ପରିଣତ ହେଲା । ଯେଉଁଠାକୁ ଗଲୁଁ, ଫିଲିପର ବିକଟାକାର ଭୟଙ୍କର ପିଶାଚ ଆମ୍ଭ ପଛେ ପଛେ ଆସୁଥିବା ବୋଧ ହେଲା । ନିଦ୍ରାବସ୍ଥାରେ ସେହି ଭୂତର ସ୍ୱପ୍ନ ଦେଖିଲୁଁ । ଅନ୍ଧକାରଚ୍ଛର୍ନ୍ନ ଗୃହରେ ସୁଦ୍ଧା ସେହି ଭୂତ ଦୃଷ୍ଟ ହେଲା କି ଅବା ଈଶ୍ୱର ଆମ୍ଭକୁ ଦଣ୍ଡ ଦେବା ନିମନ୍ତେ ବାସ୍ତବରେ ଗୋଟିଏ ଭୂତ ପ୍ରେରଣ କରିଥିଲେ ! କେତେ ଗୃହରେ ବାସ କଲୁଁ, କେତେ ସ୍ଥାନ ଭ୍ରମିଲୁଁ, କେତେ ଆମୋଦ ପ୍ରମୋଦରେ ରତ ହେଲୁଁ, କାହିଁରେ କିଛି ହେଲା ନାହିଁ । ଶେଷକୁ ତୂଳିକା ଘେନି ସେହି ଭୂତରୁ ଗୋଟିଏ ପ୍ରତିମୂର୍ତ୍ତି ଲେଖିଲୁଁ । ସର୍ବଦା ସେହି ପ୍ରତିମୂର୍ତ୍ତି ଦେଖିଲେ ଆମ୍ଭର ଭୟ ଭାଙ୍ଗିଯିବ, ଏହି ବିବେଚନାରେ ଚିତ୍ରପଟକୁ ବାରମ୍ବାର ଦେଖିଲୁଁ । ମାତ୍ର ତହିଁରେ ଭୟର ହ୍ରାସ ନ ହୋଇ ବରଂ ବୃଦ୍ଧି ହେଲା । ଐହିକ ସୁଖର ଆଶାରେ ଜଳାଞ୍ଜଳି ଦେଇଥିଲୁଁ । ପରକାଳରେ ଯେ ସୁଖ ହେବ, ଏପରି ଆଶା ଅବା କିରୂପେ କରିବୁଁ ? ଦୁର୍ବିସହ ବେଦନାରେ ଆମ୍ଭ ମନ ନିରନ୍ତର ବ୍ୟାକୁଳ ହେଲା । ଆତ୍ମଗ୍ଳାନିରୂପ କୀଟ ହୃଦୟକୋରକକୁ କାଟିଲା । ଦୁରନ୍ତ ଯତ୍ନ୍ରଣାନଳ ହୃଦୟକୁ ଦଗ୍ଧ କଲା । ଅନ୍ତର୍ଯ୍ୟାମୀ ଜଗଦୀଶ୍ୱରଙ୍କୁ କିଛି ଅପ୍ରକାଶ ନାହିଁ । ଆମ୍ଭ ମାନସିକ ଭାବ ତାଙ୍କୁ ଗୋଚର ଥିଲା । ଆମ୍ଭ ମନସ୍ତାପ ଅନ୍ତର୍ଦାହ ତାହାଙ୍କୁ ଅଜ୍ଞାତ ହୋଇ ନ ପାରେ । ଆମ୍ଭେ ବାରମ୍ବାର ଭୂମିଷ୍ଠ ହୋଇ ସେ କରୁଣାସିନ୍ଧୁଙ୍କଠାରେ କ୍ଷମା ମାଗିଅଛୁଁ, ଶୀଘ୍ର ମୃତ୍ୟୁକୁ ପଠାଇ ଉଦ୍ଧାର କରିବା ନିମନ୍ତେ କେତେ ଥର ମିନତି କରିଅଛୁଁ ।
ଆମ୍ଭେ ଏତେଦୂଯାଏ ଲେଖି ରଖିଥିଲୁଁ । ଯେତେବେଳେ ଆମ୍ଭେ ସଂସାରରୁ ତିରୋହିତ ହୋଇଥିବୁଁ, ସେତେବେଳେ ଏହା ପ୍ରଚାରିତ ହେବ, ଆମ୍ଭର ଏହି ଅଭିପ୍ରାୟ ଥିଲା । କୃପାସିନ୍ଧୁ ଜଗଦୀଶ୍ୱର ଆମ୍ଭର ପ୍ରାର୍ଥନା ଶୁଣିଲେ । ଆମ୍ଭେ କାଲି ସନ୍ଧ୍ୟା ସମୟରେ ଯେତେବେଳେ ଦେବାଳୟରେ ଆରାଧନା କରୁଥିଲୁଁ, ଆମ୍ଭର ଭାବ ଭଙ୍ଗି ତୁମ୍ଭେ ନିର୍ନିମେଷ ନୟନରେ ଦେଖି ଅଛ । ଦେବାଳୟରେ ଗଭୀର ବାଦ୍ୟଧ୍ୱନି ହେବାକୁ ଲାଗିଲା । ମନ୍ଦିର ପ୍ରତିଧ୍ୱନିତ ହେଲା । ସେହି ବାଦ୍ୟ ସମୟରେ ଆମ୍ଭେ କୌଣସି ବ୍ୟକ୍ତର ବାକ୍ୟ ଶୁଣିଲୁଁ । ଆହା ! କି ମନୋହର ସ୍ୱର ! ଆମ୍ଭକୁ କହିଲେ, ‘‘ଅପରାଧୀ ଯୁବକ ! ତୁମ୍ଭର ଅପରାଧ ମାର୍ଜିତ ହେବ, କିନ୍ତୁ ତୁମ୍ଭକୁ ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ କରିବାକୁ ହେବ ।’’ ଆମ୍ଭେ ସେହି ପ୍ରାୟଶ୍ଚିତ୍ତ ନିମନ୍ତେ ଗମନ କରୁଅଛୁଁ । ଜେନୋୟା ନଗରରେ ଉପସ୍ଥିତ ହୋଇ ଧର୍ମୀସନ ଅଗ୍ରତେ ଅପରାଧ ସ୍ୱୀକାର କଲେ ଆମ୍ଭର ପ୍ରାଣଦଣ୍ଡ ହେବ । ତୁମ୍ଭେ ଆମ୍ଭ ଦୁଃଖରେ ଦୁଃଖୀ ହୋଇ ଆମ୍ଭର ଆହତ ହୃଦୟରେ ପ୍ରେମରୂପ ଔଷଧ ଲେପିଅଛ, କିନ୍ତୁ ଆମ୍ଭର ରୋଗ ସହଜରେ ଉପଶମ ହେବାର ନୁହେଁ । ଆମ୍ଭର ଏହି ଇତିହାସ ପ୍ରଚାର କରିବା ନିମନ୍ତେ ତୁମ୍ଭଠାରେ ରଖି ଗଲୁଁ, ଆମ୍ଭକୁ ମନରେ ରଖିଥିବ, ଏତିକି ।
ତୃତୀୟ ପ୍ରସ୍ତାବମଧୁସୂଦନ ରାଓ ବର୍ତ୍ତମାନ ଶିକ୍ଷାପ୍ରଣାଳୀମଧୁସୂଦନ ରାଓ ମଧୁସୂଦନ ରାଓ