ଅଷ୍ଟମ ପରିଚ୍ଛେଦ — ବିବାସିନୀ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିକାହିଁକି ? କଳାବତୀ । ଏତେ ତ୍ୟାଗ ସ୍ୱୀକାର କରିବାର ପ୍ରୟୋଜନ କିସ ? ତୁମ୍ଭେ କାନ୍ଦିଲ ? ଏ ପ୍ରଶ୍ନ ଶୁଣି ତୁମ୍ଭର ଚକ୍ଷୁଦ୍ୱୟରୁ କାହିଁକି ଶୋକାଶ୍ରୁଧାରା ପ୍ରବାହିତ ହେଲା ? ପୃଥିବୀରେ ପୂର୍ବେ ଯେପରି ଚନ୍ଦ୍ରସୂର୍ଯ୍ୟ ଉଦିତ ହୋଇ କିରଣଜାଲ ବିସ୍ତାର କରୁଥିଲେ ଏବେ ସୁଦ୍ଧା ସେମାନେ ତାହା କରୁଅଛନ୍ତି । ପଶୁପକ୍ଷୀ କୀଟପତଙ୍ଗାଦି ଯେପରି ପୂର୍ବେ ପୃଥିବୀରେ ବିଚରଣ କରୁଥିଲେ ଏବେ ମଧ୍ୟ ସେହିପରି ବିତରଣ କରୁଅଛନ୍ତି । ବୃକ୍ଷଲତା ପର୍ବତ ନଦନଦୀ ଆଦି ପୂର୍ବେ ଯେପରି ପୃଥିବୀର ଅଙ୍ଗଶୋଭିତ କରିଥିଲେ ଏବେ ମଧ୍ୟ ତହିଁରୁ ବିରତ ହୋଇ ନାହାନ୍ତି । କାଳଚକ୍ରରେ ଚିତ୍ରପ୍ରାୟ ପ୍ରତୀୟମାନ ହୋଇ ଏବେସୁଦ୍ଧା ଦିନ ରାତ୍ରି ମାସ ବାର ପକ୍ଷ ଋତୁ ବର୍ଷ ଆସୁଅଛି, ଯାଉଅଛି । ଏବେ ସୁଦ୍ଧା ଶ୍ରୁତିମନୋହର ଗମ୍ଭୀର ନିର୍ଘୋଷରେ ନିଳାମ୍ୱୁ ନୃତ୍ୟ କରୁ କରୁ ଜଗଦୀଶ୍ୱରଙ୍କ ଯଶୋଗାନ କରୁଅଛି । ଏଥିର କିଛି ହାନି ହୋଇ ନାହିଁ । ସଂସାର ପୂର୍ବେ ଯେପରି ଥିଲା ଅଦ୍ୟପି କାଳଚକ୍ରରେ ସେହିପରି ଶୋଭା ପାଉଅଛି । ଜଗନ୍ନିୟନ୍ତା ଜଗଦୀଶ୍ୱର ପୂର୍ବେ ଯେପରି ଜଗତ୍ରୂପେ ପ୍ରତିଭାତ ଥିଲେ ଅଦ୍ୟାପି ସେହିପରି ରହିଅଛନ୍ତି ! ତେବେ ତୁମ୍ଭେ ଶୋକ କାହିଁକି କରୁଅଛି । ତୁମ୍ଭର ସ୍ୱାମୀ-ବିରହରେ ସଂସାରର କିଛିକ୍ଷତି ହୋଇ ନାହିଁ । ଜଣେ ଅଧେ ସଂସାରରେ କଷ୍ଟ ପାଇଲେ କିମ୍ୱା ସଂସାରରୁ ଲୋକଚକ୍ଷୁରୁ ଲୋପ ପ୍ରାପ୍ତ ହେଲେ ସଂସାରର କିଛି କ୍ଷତି ନାହିଁ । ସେହିପରି ରୂପାନ୍ତର ଘଟାନ୍ତର ପ୍ରତିମୁହୂର୍ତ୍ତରେ ଲାଗିରହିଅଛି । ତେବେ କାହିଁକି ଶୋକ କରୁଅଛ ? ତୁମ୍ଭ ମନରେ କଷ୍ଟ ହୋଇଅଛି ? କଷ୍ଟତ ସମସ୍ତେ ଭଞ୍ଜୁଅଛନ୍ତି । ସେ କଷ୍ଟ ଧୈଯ୍ୟଧରି ସହିବା ଉଚିତ ନା ବିକଳ ହୋଇ ପ୍ରାଣକୁ ଅଧିକ କଷ୍ଟ ହେବା ଉଚିତ ? ଯେବେ ଶୋକ କଲେ ସ୍ୱାମୀ ଫେରି ଆସନ୍ତେ ତେବେ ଶୋକ କରିବା ସାଜନ୍ତା, ତାହାତ ହେବ ନାହି । ତେବେ ତୁଛାକୁ ଶୋକ କରି କି ଲାଭ ଅଛି ? ଆଉ ତ୍ୟାଗ ସ୍ୱୀକାର ? ତାହାରତ କଥା ନାହିଁ । ଯେତେବେଳେ ଶୋକ କରିବା ଉଚିତ ନୁହେ ତେତେବେଳେ ତ୍ୟାଗ ସ୍ୱୀକାର କରିବା କାହୁଁ ଉଚିତ ବୋଲି ବୁଝାଯିବ-? ହାୟ ହାୟ ! କଳାବତୀ ! ତୁମ୍ଭେତ ମନଫେଡ଼ି କଥା କହୁ ନାହ–ଆମ୍ଭମାନଙ୍କୁ ଏଥିର ଉତ୍ତର କିଏ ଦେବ ?
ପୃଥିବୀ ପୂର୍ବପ୍ରାୟ ପ୍ରକାଶିତ ହୋଇ ରହିଥିଲେହେଁ ଲୋକଙ୍କ ଆଚାରବ୍ୟବହାର କ୍ଷଣକ୍ଷଣକେ ପରିବର୍ତ୍ତିତ ହେଉଅଛି । ଆର୍ଯ୍ୟଶୋଣିତ ଆର୍ଯ୍ୟମାନଙ୍କ ଅଙ୍ଗରେ ପ୍ରବାହିତ ହୋଇ ଆର୍ଯ୍ୟସମାଜରେ ଆର୍ଯ୍ୟଜନୋଚିତ ଆଚାର ବ୍ୟବହାର ସଂରକ୍ଷଣ କରିଥିଲା । ବର୍ତ୍ତମାନ ପାଶ୍ଚାତ୍ୟ ସମାଜ ପ୍ରବଳ ପ୍ରତାପରେ ଆର୍ଯ୍ୟମାନଙ୍କୁ ଶାସନ କରି ପାଶ୍ଚାତ୍ୟ ସଭ୍ୟତାସ୍ରୋତ ତୀବ୍ର ବେଗରେ ଚଳାଉଥିବା ସମୟରେ ଆର୍ଯ୍ୟମାନେ ଜାତୀୟଭାବ ଛାଡ଼ି ପରିବର୍ତ୍ତନ ପକ୍ଷପାତୀ ହୋଇ ନାନାମତ ନବୀନରୂପ ଧାରଣ କରତଃ ସ୍ୱଜାତିଙ୍କି ଡାକ ଛାଡ଼ୁ ଅଛନ୍ତି । କ୍ରମେ ଅପର ଆର୍ଯ୍ୟମାନେ ସେହି ଡାକରେ ପ୍ରଣୋଦିତ ହୋଇ ନୂତନ ସମାଜରେ ପଦାର୍ପଣ କରି ତାହା ଦୃଢ଼ୀଭୂତ କରୁଅଛନ୍ତି । ଏହି ସମାଜର ଲୋକମାନେ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟ-ସମାଜରେ ସଂସ୍କୃତବୋଲି ପରିଚିତ ହୋଇ ପ୍ରସାଦ ଲାଭକରତଃ ଆପଣାକୁ ଧନ୍ୟ ମନେ କରି ଉନ୍ନତଗ୍ରୀବ ହୋଇ ବିଚରଣ କରୁଅଛନ୍ତି ଏବଂ କହୁଅଛନ୍ତି ‘ପରିବର୍ତ୍ତନ-ପକ୍ଷପାତୀ ନ ହେବା ଲୋକ ମୁର୍ଖ ।’ କଳାବତି ! ଏମାନଙ୍କ ଚକ୍ଷୁକୁ ତୁମ୍ଭର ବିଶୁଦ୍ଧ କାର୍ଯ୍ୟାବଳି ଅବିଶୁଦ୍ଧରୂପେ ପ୍ରତୀୟମାନ ହେବ ଏବଂ ସେମାନେ ତୁମ୍ଭଙ୍କୁ ନିତାନ୍ତ ସଂକୀର୍ଣ୍ଣମନା ବୋଲି କହିବେ । ଯେତେବେଳେ ଜନ୍ମମୃତ୍ୟ ସଂସାରରେ ଲାଗିରହି ଅଛି, ଯେତେବେଳେ ‘ମରଣଂ ପ୍ରକୃତିଃ ଶରୀରିଣାଂ’ ବୋଲି କବିବାଣୀ ସୁଲଳିତ ଗମ୍ଭୀର ଭାଷାରେ ଘୋଷଣା କରିଯାଇଅଛି, ଯେତେବେଳେ ପୁରାତନ ବସ୍ତ୍ରପ୍ରାୟ ଦେହିମାନଙ୍କର ଶରୀର ବିନଷ୍ଟ ହୁଏ ବୋଲି ତୁମ୍ଭର ଭଗବାନ୍ ବ୍ୟକ୍ତି କରିଅଛନ୍ତି ତେତେବେଳେ ସେମାନଙ୍କ ମତରେ ତୁମ୍ଭରତ ଶୋକ କରିବା ଉଚିତ ନୁହେ । ବରଂ ପୁରାତନ ବସ୍ତ୍ରାଭାବେ ନୁତନ ବସ୍ତ୍ର ଗ୍ରହଣ କରି ସୌନ୍ଦର୍ଯ୍ୟର ସୁବ୍ୟବହାର କରିବା ଉଚିତ ବୋଲି ଏକାନ୍ତ ମନରେ ସେମାନେ ବ୍ୟକ୍ତ କରିବେ । କଳାବତୀ ! କହିଲ ଭଲା ତାହା କି କରଣୀୟ ନୁହେ ?
କିଏ ଆମ୍ଭମାନଙ୍କୁ ଏତେକଥାର ଉତ୍ତର ଦେବ ? ପାଠକେ ! ପ୍ରକୃତରେ ସ୍ୱାମୀ ହରାଇ ଅଳ୍ପବୟସ୍କା କଳାବତୀ ନିବିଡ଼ବନଗତ ସୁବିଶାଳ ଶୃଙ୍ଗଶାଳୀ ହରିଣ ପଦେ ପଦେ ଲତାଜାଲରୁ ବାଧା ପାଇ ବିଚରଣ କଲାପ୍ରାୟ ସଂସାର କାର୍ଯ୍ୟରେ ବିଚରଣ କରୁଅଛନ୍ତି । ମାୟାମୟ ସଂସାରର ସୁକଠିନ ମାୟାବନ୍ଧନ ଶିଥିଳ ହୋଇଯାଇଅଛି ଏବଂ ଶୋକବିହ୍ୱଳିତ ମନ ସ୍ୱାମୀଗୁଣ ସ୍ମରଣ କରିବାରୁ କେତେବେଳେ ବିରତ ହେଉ ନାହିଁ ।
କହୁ କହୁଁ ଏକବର୍ଷ ଅତୀତ ହୋଇଗଲା । କାଳଚକ୍ର କେତେ ଲୋକର ଭାଗ୍ୟଫଳକରେ କେତେପ୍ରକାର ଚିତ୍ର ଅଙ୍କିତ କରି କେତେ ପରିବର୍ତ୍ତନ ଘଟାଇ ଚାଲିଗଲା ମାତ୍ର କଳାବତୀର ଶୋକଦଗ୍ଧ ମନର ଆଉ ପରିବର୍ତ୍ତନ ଘଟିଲା ନାହିଁ । ଶୋକ ପୂର୍ବପ୍ରାୟ ତାଙ୍କ ହୃଦୟରେ ରାଜ୍ୟବିସ୍ତାର କରି ରହିଅଛି । ତେବେ ପୂର୍ବେ ଯାହା କ୍ରନ୍ଦନରୋଳରେ ପ୍ରଭୂତ ନେତ୍ରନୀର ବିସର୍ଜ୍ଜିତ ହେଉଥିଲା ଏବେ ତାହାସ୍ଥାନରେ ନୀରବରେ ହୃଦୟାଗାରରେ ଶୋକସିନ୍ଧୁ ତରଙ୍ଗାୟିତ ହୋଇ ହୃଦୟ ଆଲୋଡ଼ିତ କରୁଅଛି । ମାତ୍ର ଆଗେ ସେ ଶୋକକ୍ରନ୍ଦନ ଶୁଣି ଗ୍ରାମବାସୀଏ ଯେପରି ଲୋତକବିନ୍ଦୁ ଉପହାର ଦେଉଥିଲେ ଏବେ ମଧ୍ୟ ସାକ୍ଷାତ୍ ଶୋକମୂର୍ତ୍ତି ଅବଲୋକନ କରି ଗ୍ରାମର ଲୋକମାନେ ଯେ ସେପରି ନ କାନ୍ଦିବେ ତାହା କିଏ କହିପାରେ ? ପ୍ରକୃତରେ ଯେଉଁମାନେ ଏବେ ମଧ୍ୟ ତାଙ୍କୁ ଦେଖୁଅଛନ୍ତି ସେମାନେ କାନ୍ଦି ପକାଉଅଛନ୍ତି ।
କଳାବତୀଙ୍କର ସ୍ୱାମୀଙ୍କର ନାମ ରଘୁନାଥ ପଟ୍ଟନାୟକ । ରଘୁନାଥ ରାଧାଗୋବିନ୍ଦଙ୍କ ଗ୍ରାମରେ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଉତ୍ତମ ଧନଶାଳିଲୋକ ଥିଲେ ଏବଂ ରଘୁନାଥ ପିତାମାତାର ଏକମାତ୍ର ସନ୍ତାନ ଥାଇଁ ପରମ ଆହ୍ଲାଦରେ ବଢ଼ୁଥିଲେ । ସମୟ ଚିରକାଳ ସମାନ ନ ଯାଏ । ଯେତେବେଳେ ରଘୁନାଥଙ୍କ ବୟସ ପାଞ୍ଚବର୍ଷ ତେତେବେଳେ ତାଙ୍କ ପିତା ନଦୀବଢ଼ି ସମୟରେ ଘରକୁ ନୌକାଯୋଗେ ବିଦେଶରୁ ଆସୁଆସୁ ବାଟରେ ପ୍ରବଳ ଉଥିତ ହେବାରୁ ନୌକା ବୁଡ଼ିଯିବାସଙ୍ଗେ ଗଙ୍ଗାଦେବୀଙ୍କ କ୍ରୋଡ଼ଶାୟୀ ହୋଇ ଇହଲୀଳା ସମାପ୍ତ କଲେ । ମାତା ଭାର୍ତ୍ତୃ ବିୟୋଗବାର୍ତ୍ତାରେ ଯତ୍ପରୋନାସ୍ତି ଶୋକବିହ୍ୱଳିତା ହୋଇ ପ୍ରାଣପର୍ଯ୍ୟନ୍ତ ଉତ୍ସର୍ଗ କରିବାକୁ ବସିଥିଲେ । କେବଳ ରଘୁନାଥଙ୍କୁ ପାଳିବାର ଲୋକ ନ ଥିବାରୁ ତାହା କାର୍ଯ୍ୟରେ ପରିଣତ କରିପାରୁ ନଥିଲେ । ଅବଶେଷରେ ଆପଣା ଭ୍ରାତାଙ୍କୁ ନିଜଘରଠାରୁ ଅଣାଇ ଘରକରଣା ସମସ୍ତ ଧୀର ଭାବରେ ତାଙ୍କୁ ଦେଖାଇଦେଇ ରଘୁନାଥଙ୍କୁ ଉତ୍ତମରୂପେ ପାଳିବା କାରଣ ନିଯୁକ୍ତ କରି ସ୍ୱାମୀ ମୃତ୍ୟୁର ସପ୍ତମ ଦିନରେ ରଜନୀଯୋଗେ ଘରୁ ବାହାରି ଯେତେବେଳେ ଜଳପୂର୍ଣ୍ଣା ମହାନଦୀ ଚନ୍ଦ୍ର କିରଣରେ ଉତ୍ଫୁଲ୍ଲ ହୋଇ କଳକଳ ରବରେ ପ୍ରେମସଙ୍ଗୀତ ଗାନ କରୁଥିଲା ତେତେବେଳେ ସ୍ୱାମୀ ପ୍ରେମବିହ୍ୱଳା ରଘୁନାଥଙ୍କ ମାତା ନଦୀତୀରରେ ପହୁଞ୍ଚି ଥରେ ନଦୀ ଓ ଥରେ ଚନ୍ଦ୍ର ଆଡ଼କୁ ଅନାଇ ଏକବିନ୍ଦୁ ଅଶ୍ରୁ ତ୍ୟାଗକରି ସ୍ୱାମୀର ନାମୋଚ୍ଚାରଣ କରିବା ସଙ୍ଗେ ସଙ୍ଗେ ନଦୀରେ ଝାମ୍ପ ପ୍ରଦାନ କଲେ । ଆଜି କାଲି ଏଭଳି କାର୍ଯ୍ୟକୁ ଲୋକେ ବାତୁଳତା ଆଖ୍ୟା ପ୍ରଦାନ କରନ୍ତି ଏବଂ ଧରାପଡ଼ିଲେ ତହିଁଉପରେ କାରାଦଣ୍ଡ ଭୋଗ କରିବାର ବିଧି ହୋଇ ଅଛି । ପୂର୍ବେ ଏଥିର ମୁଲ୍ୟ ଅତ୍ୟନ୍ତ ଅଧିକ ଥିଲା ଏବଂ ଏ ଭଳି ସ୍ତ୍ରୀଲୋକ ସତୀ ବୋଲି ଲୋକଙ୍କର ସୃତିପଟରେ ଉଚ୍ଚାସନ ପ୍ରାପ୍ତ ହେଉଥିଲେ । ଏମନ୍ତ କି ଯେଉଁଠାରେ ଏ ଭଳି ସ୍ତ୍ରୀଲୋକମାନେ ସତୀ ହେଉଥିଲେ ସେହିସ୍ଥାନମାନ ଚିରକାଳ ସତୀକୀର୍ତ୍ତି ଘୋଷଣା କରିବା ଉଦ୍ଦେଶ୍ୟରେ ଲୋକେ ତାହାକୁ ନୂତନ ଆଖ୍ୟା ଅଥବା ତହିଁଉପରେ ଚଉରା କିମ୍ୱା ସ୍ତମ୍ଭାଦି ନିର୍ମାଣ କରାଇଦେଉଥିଲେ । ଏହିରୂପେ ରଘୁନାଥଙ୍କ ମାତା ପରଲୋକରେ ସତତ ସ୍ୱାମୀସଙ୍ଗ-ସୁଖଭୋଗ କରିବା କାମନାରେ ପୁତ୍ରମାୟା ସୁଦ୍ଧା ତ୍ୟାଗ କରି ସଂସାରରୁ ବିଦାୟ ହୋଇଗଲେ–ରହିଗଲା କେବଳ ତାଙ୍କର ସତୀ ନାମ ।
ଉପରୋକ୍ତ ମତେ ଅଳ୍ପ ବୟସରେ ରଘୁନାଥ ଅନାଥ ହେଲେ । ଘରେ ମାମୁ ଭିନ୍ନ ଆଉ କେହି ନାହିଁ । ମାମୁ ମଧ୍ୟ ଉପଯୁକ୍ତ ଥିଲେ । ରଘୁନାଥଙ୍କ ବିପୁଳ ଐଶ୍ୱର୍ଯ୍ୟ ଦୁଃଖି ମାମୁକୁ ଧନ୍ଦା ଲଗାଇଦେଲା । ମାମୁ ପ୍ରଥମେ ସରଳଭାବେ ଚଳୁଥିଲେ ମାତ୍ର କ୍ରମେ କ୍ରମେ ଭାଇମାନଙ୍କ ଦୁଷ୍ଟ-ପରାମର୍ଶରେ ପଡ଼ି ଅଲକ୍ଷିତ ଭାବରେ ଧନପହରଣ କରିବାରେ ନିଯୁକ୍ତ ହେଲେ ଏମନ୍ତ କି ରଘୁନାଥ ଅଷ୍ଟାଦଶବର୍ଷ ବୟସରେ ଉପନୀତ ହେବା ସମୟରେ ବିଷୟବୃତ୍ତି ଆଦି ତ କିଛି ନ ଥିଲା–ଖାଇବା ପିଇବା ଭଳି ସଂସ୍ଥାନ ମଧ୍ୟ ଥିବା ଦେଖା ନ ଗଲା । ତେବେ ମାମୁ କରିବା ମଧ୍ୟରେ ରଘୁନାଥଙ୍କୁ ସଂସ୍କୃତ ଓ ଓଡ଼ିୟା ଭାଷାରେ ଉତ୍ତମ ଶିକ୍ଷା ପ୍ରଦାନ କରିଥିଲେ । ଯେମନ୍ତ ପଣ୍ଡିତବର୍ଗରେ ତାହାଙ୍କର ଗୁଣଗ୍ରାମ ଚହଳି ପଡ଼ିଲା ସେହିପରି ବିଷୟକର୍ମ ବୁଝାଶୁଝା ଏବଂ ମନ୍ତ୍ରଣା ଦେବାରେ ତାଙ୍କର ଯେ ବ୍ୟୁତ୍ପତ୍ତି ହୋଇଥିଲା ତହିଁରେ ସେ ଲୋକରେ ଭୂୟସୀ ପ୍ରଶଂସା ପ୍ରାପ୍ତ ହୋଇଥିଲେ । ଅବଶେଷରେ ଭଣଜା ଓ ମାମୁ ମଧ୍ୟରେ କଳି ଲାଗିଲା ଏବଂ ମାମୁ ଆପଣାର ଲୁଗାପଟାର ବୁଜୁଳା ବାନ୍ଧି ହୃଷ୍ଟମନରେ ନିଜ-ଗୃହକୁ ପ୍ରତ୍ୟାଗମନ କଲେ । ବାସ୍ତବରେ ଭଉଣୀଙ୍କ ଆମନ୍ତ୍ରଣରୁ ଫଳ-ଲାଭ ପରେ ସେ ତ କଜିଆଟିଏ ଖୋଜୁଥିଲେ ଏବଂ ତାହା ପାଇଲାକ୍ଷଣି ଭଣଜାକୁ ଛାଡ଼ିଯିବାରେ କଷ୍ଟ କି ଅଛି ? ପାଠକେ ! ସଂସାରରେ ଏ ଭଳି ଅନେକ ମାମୁ ଦେଖା ଯାନ୍ତି ! ଏଥିରେ ବୈଚିତ୍ର୍ୟ କିଛି ନାହିଁ । ବୈଚିତ୍ର ମଧ୍ୟରେ ଏ କେବଳ ଭଣଜାକୁ ଲେଖାପଢ଼ା ଶିଖାଇଥିଲେ !
ମାମୁ ବିଦାୟ ହୋଇ ଗଲାଉତ୍ତାରୁ ରଘୁନାଥ ଘରେ ଏକାକୀ ଥାଇ ଜଗଦୀଶ୍ୱରଙ୍କୁ ଡାକି ଦିନପାତ କଲେ । ବାସ୍ତବରେ ଘରେ ଏମନ୍ତ କିଛି ନ ଥିଲା ଯହିଁରେ କି ଦିନକ ସକାଶେ ତାଙ୍କର ପ୍ରାଣରକ୍ଷା ହୋଇ ପାରେ । ସୁଯୋଗକୁ ମାମୁ ଯେଉଁ ବିଦ୍ୟାର୍ଜ୍ଜନ କରାଇ ଯାଇଥିଲେ ତାହା ବ୍ୟବହାର କରି ଗ୍ରାମର ଅଥବା ନିକଟବର୍ତ୍ତୀ ସ୍ଥାନର ଲୋକମାନଙ୍କଠାରୁ କିଛି କିଛି ପ୍ରାପ୍ତ ହେଉଥିଲେ । ତହିଁରେ ତାଙ୍କର ସଂସାରଯାତ୍ରା ଦୁଃଖେ କଷ୍ଟେ ଏକପ୍ରକାର ନିର୍ବାହ ହେଉଥିଲା । ଏହିରୂପେ ଦିନ ଦିନ ମାସ ମାସ ବର୍ଷ ବର୍ଷ ହୋଇ ଚାରିବର୍ଷ ଅତୀତ ହେଲା ।
ରାଧାଗୋବିନ୍ଦଙ୍କ ଘରଠାରୁ ରଘୁନାଥଙ୍କ ଘର ଅଳ୍ପ ଛଡ଼ା । ଯେତେବେଳେ ଅନ୍ୟ କୌଣସି କାର୍ଯ୍ୟ ନ ଥାଏ ତେତେବେଳେ ଦେଖିବ ରଘୁନାଥ ରାଧାଗୋବିନ୍ଦଙ୍କ ଘରଠାରେ । ରଘୁନାଥଙ୍କୁ ପଞ୍ଚଦଶବର୍ଷ ବୟସ ହୋଇଥିବା ସମୟରେ ଦିନେ ରାଧାଗୋବିନ୍ଦଙ୍କ ଘରଠାରେ ତାଙ୍କ ପ୍ରଥମା ଭାର୍ଯ୍ୟା କଳାବତୀଙ୍କି ଡାକିଆଣି ରଘୁନାଥଙ୍କ ସମ୍ମୁଖରେ ଠିଆକରାଇ କହିଲେ ‘ରଘୁନାଥ ! ତୁତ ଏଠିକି ସବୁବେଳେ ଆସୁଚୁ, କେତେ କେତେ ବେଳେ କଳାକୁ ପଢ଼ାଉଥିଲେ କଳାର କତେ ପଢ଼ା ହୋଇଥାନ୍ତା ?
କଳାବତୀଙ୍କର ସେ ସମୟକୁ ରଘୁନାଥଙ୍କ ପ୍ରତି ସ୍ନେହ ଢଳିଥିଲା । ବାଳିକା କଳାବତୀ ବାଳକ ରଘୁନାଥଙ୍କୁ ଘରେ ଦେଖିଲେ ତାଙ୍କ ସହିତ କେତେ ପ୍ରକାରେ ଖେଳୁଥିଲେ । ମାତାଙ୍କର ଏ କଥା ଶୁଣି ଅମାୟିକ ଭାବରେ ବାଳିକା ରଘୁନାଥଙ୍କୁ କହିଲେ ‘ତୁମେ ପଢ଼େଇଲେ ମୁଁ ଭଲ ପଢ଼ିବି’ । ଏହି ଅକୃତ୍ରିମ ସ୍ନେହ ବିମିଶ୍ରିତ କଥା ଶୁଣି ମାତା ଆନନ୍ଦରେ ଗଦ୍ଗଦ୍ ହୋଇ ବାଳିକା ମୁଖରେ ଚୁମ୍ୱ ପ୍ରଦାନ କରିଥିଲେ ଏବଂ ରଘୁନାଥ ସେହି ସରଳ ହୃଦୟର ନିଷ୍କପଟବାଣୀ ଶୁଣି ତହିଁରେ ଅଲକ୍ଷିତଭାବେ ବିମୋହିତ ହେଲା ପ୍ରାୟ ହସି ହସି କହିଲେ ‘ହଉ’ ।
କରଣମାନଙ୍କ ମଧ୍ୟରେ ସ୍ତ୍ରୀଶିକ୍ଷା ବହୁକାଳରୁ ପ୍ରଚଳିତ ଅଛି । ଏବକୁ ପାଶ୍ଚାତ୍ୟ-ସଭ୍ୟତାର ଆଲୋକ ଘରେ ଘରେ ପ୍ରବେଶ କରି ପୂର୍ବଶିକ୍ଷାର ରୀତିନୀତି ପରିବର୍ତ୍ତନ କରୁଅଛି ଏବଂ ତାହା ଭଲ ହେଉଅଛି କି ତଦ୍ବିପରୀତ ହେଉଅଛି ତାହା କହିବାର ପ୍ରୟୋଜନ ନାହିଁ । ଭିନ୍ନ ଭିନ୍ନ ଲୋକେ ଭିନ୍ନ ଭିନ୍ନ ରୁଚିବିଶିଷ୍ଟ ଅଟନ୍ତି, ତହିଁରେ ପୁଣି ପରିବର୍ତ୍ତନର ବେଗବାନ୍ କଳରେ ପଡ଼ି ପୁରାତନ ଭଙ୍ଗା ହୋଇ ନୂତନ ଗଢ଼ା ହେଉଥିବା ସମୟରେ ରୁଚିର ଠିକଣା ମିଳିବା କଠିନ । ପୁର୍ବେ ସାଧାରଣତଃ ଦାଣ୍ଡକୁ ଅବଧାନ ସାହିତ୍ୟ ଲେଖାପଢ଼ି ଏବଂ ଫେଡ଼ାମିଶା ଇତ୍ୟାଦି ସ୍ୱଳ୍ପ ଅଙ୍କଶାସ୍ତ୍ରର ଶିକ୍ଷା ଦେଉଥିଲେ ଏବଂ ଘରେ ଚିତା ଦେବାଠାରୁ ଛୁଁଚିପତ୍ର କରିବା ପର୍ଯ୍ୟନ୍ତ ବ୍ୟବହାରିକ ଶିକ୍ଷା ଲାଭ ହେଉଥିଲା । ମାତ୍ର ବଳାବତୀଙ୍କ ବୃଦ୍ଧି ତୀକ୍ଷ୍ଣା ଥିବାର ଦେଖାଯିବାରୁ ତାଙ୍କୁ ଅଧିକ ଶିକ୍ଷାଦେବା କାରଣ ମାତାଙ୍କର ଇଚ୍ଛା ବଳବତୀ ହୋଇଥିଲା । ସେହି ହେତୁରୁ ରଘୁନାଥଙ୍କ ପାଣ୍ଡିତ୍ୟର ବିବରଣ ଅବଗତ ହୋଇ ସେ ତାଙ୍କୁ ପ୍ରୋକ୍ତ ଭାର ଅର୍ପଣ କରିଥିଲେ ।
ରଘୁନାଥ ଏହିରୂପ ଭାର ପ୍ରାପ୍ତ ହୋଇ ପୂର୍ବଠାରୁ ଅଧିକ ସମୟ ରାଧା ଗୋବିନ୍ଦଙ୍କ ଘରେ କଟାଇ କଳାବତୀଙ୍କି ହୃଷ୍ଟମନରେ ଶିକ୍ଷା ପ୍ରଦାନ କରିଥିଲେ ଏବଂ କଳାବତୀ ମଧ୍ୟ ଉତ୍ତମରୂପ ପାଠାଭ୍ୟାସ କରି ଗ୍ରାମରେ ନାମ କିଣିଥିଲେ । ବୋଲା ବାହୁଲ୍ୟ ରାଧାଗୋବିନ୍ଦ ଆପଣା ଘରେ ରଘୁନାଥଙ୍କୁ ଅନେକ ସମୟ ଥିବା ଦେଖି ତାଙ୍କଦ୍ୱାରା ନାନାପ୍ରକାର କାର୍ଯ୍ୟ କରାଇ ନେଉଥିଲେ ଏବଂ ରଘୁନାଥ ଅବିମର୍ଶ ଚିତ୍ତରେ ତାହା ସମ୍ପାଦନ କରି ରାଧାଗୋବିନ୍ଦଙ୍କ ସନ୍ତୋଷରେ ଆପଣାକୁ ଉତ୍ତମ ପୁରସ୍କୃତ ମନେ କରୁଥିଲେ । ରାଧାଗୋବିନ୍ଦଙ୍କ ଭାର୍ଯ୍ୟାଦ୍ୱୟ ଏବଂ କଳାବତୀ ଲୁଚାଇ ଲୁଚାଇ ରଘୁନାଥଙ୍କୁ ଅନେକେ ପ୍ରକାରେ ସହାୟତା ମଧ୍ୟ କରୁଥିଲେ ।
କଳାବତୀ ଏବଂ ରଘୁନାଥ ଏହିରୂପେ ଅନେକ ସମୟ ଏକତାବସ୍ଥିତ ଥିବାରୁ ସେମାନଙ୍କ ମଧ୍ୟରେ ପୂର୍ବରୁ ଜାତି ହୋଇଥିବା ଅବିଶୁଦ୍ଧ ସ୍ନେହ କ୍ରମେ କ୍ରମେ ଘନୀଭୂତ ହେଲା । ଅବଶେଷରେ ଦ୍ୱାବିଂଶତି ବର୍ଷ ବୟସରେ ରାଧାଗୋବିନ୍ଦଙ୍କ ପ୍ରସ୍ତାବମତେ ରଘୁନାଥ କଳାବତୀଙ୍କର ପାଣିଗ୍ରହଣ କଲେ । ଘନୀଭୁତ ସ୍ନେହ ଏହିରୂପେ ଯେଉଁ ଅଭୂତପୂର୍ବ ପ୍ରେମରେ ପରିଣତ ହେଲା ତାହା ଅତି ଅମୁଲ୍ୟ !
ପାଠକେ ! ରାଧାଗୋବିନ୍ଦଙ୍କ ନୀରସ ଗଦ୍ୟମୟ ସଂସାରରେ ଏପ୍ରକାରେ ରସମୟୀ କବିତା ଜାତ ହେଲା ରାଧାଗୋବିନ୍ଦ ଅତିଅଳ୍ପକାଳ ଘରେ ଥାନ୍ତି । ଅଧିକାଂଶ ଦିନ ତାଙ୍କୁ କାର୍ଯ୍ୟୋପଲକ୍ଷ୍ୟେ ସୁବାଦାରଙ୍କ ନିକଟରେ ଅଥବା ଅନ୍ୟତ୍ର ରହିବାକୁ ହୁଏ । ରଘୁନାଥଙ୍କ ଉପରେ ବିଷୟକାର୍ଯ୍ୟାଦି ବୁଝାଶୁଝାର ଯେଉଁ ଭାର ଥିଲା ତାହା ରଘୁନାଥଙ୍କ ଭଳି ସଚତୁର ଲୋକ ପକ୍ଷେ କେତେମାତ୍ର ? ଏପରିସ୍ଥଳେ କଳାବତୀ ଓ ରଘୁନାଥ ଯେପରି ଭାବରେ ବର୍ଷଟିଏ କଟାଇଲେ ତାହା ଆମ୍ଭେମାନେ ଅବା କିରୂପରେ ବର୍ଣ୍ଣନା କରିପାରିବୁ–ତାହା କବିକୁଳ ଶିରୋମଣି କାଳିଦାସଙ୍କ ରସମୟୀ ଲେଖନୀ ବିନିଃସୃତ କବିତା ବୋଲି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ଦେଖୁଁ ଦେଖୁଁ ପୁଷ୍ପୋଦ୍ୟାନ ପ୍ରସ୍ତୁତ ହୋଇ ପୁଷ୍ପଭାରରେ ଚୌଦିକ ଆମୋଦିତ କଲା ଦେଖୁ ଦେଖୁ ଗୃହସଂଲଗ୍ନ ତୋଟାମାନ ପରିଷ୍କୃତ ହୋଇ ଅପୂର୍ବଶ୍ରୀ ଧାରଣ କଲା ଏବଂ ତହିଁରେ କିନ୍ନର କିନ୍ନରୀ ରୂପେ ରଘୁନାଥ କଳାବତୀ ବିହାର କରି ପରମ ସୁଖସମ୍ଭୋଗରେ ରତ ହେଲେ । ପୃଥିବୀ ସେମାନଙ୍କୁ ଅପୂର୍ବ କ୍ରୀଡ଼ାସ୍ଥାନ ବୋଲି ବୋଧ ହେଲା । ଚନ୍ଦ୍ରସୂର୍ଯ୍ୟ କୁମୁଦିନୀ ପଙ୍କଜିନୀର ପ୍ରେମରେ ଆବଦ୍ଧ ହୋଇ କେବଳ କବିତା ରଚନା କରି ଲୋକମନ ବିମୋହିତ କରିବା ନିମିତ୍ତ ପୃଥିବୀରେ ଦେଖା ଦେଲା ପ୍ରାୟ ତାଙ୍କୁ ଜଣାଗଲା । ପ୍ରକୃତିସତୀ ବିଶ୍ୱେଶ୍ୱରଙ୍କ ମାୟାମୟ ପ୍ରେମବନ୍ଧନରେ ବିମୁଗ୍ଧା ହୋଇ ଦିଗ୍ଦିଗନ୍ତ ଉଲ୍ଲସିତ କରି ରହିଥିବାପରି ତାଙ୍କୁ ପ୍ରତୀୟମାନ ହେଲା । ଅଧିକ କି କହିବୁଁ ସେମାନେ ସମୁଦାୟ ଚରାଚରକୁ ପ୍ରେମମୟ ପରମେଶ୍ୱରଙ୍କର ପ୍ରେମମୟୀ କବିତା ବୋଲି ସିଦ୍ଧାନ୍ତ କରିଥିଲେ ।
ଚିରଦିନ ସମାନ ଯାଏ ନାହିଁ । ଚିରଦିନ ରସମୟୀ କବିତା ପାଠ କରି ସୁଖଭୋଗ କରିବାକୁ ଅବସର ମିଳେ ନାହିଁ । ଅଲକ୍ଷିତ ଭାବରେ କାଳଚକ୍ର ବୁଲୁ ବୁଲୁ କେତେବେଳେ କି ଘଟାଇ ଦିଏ ତାହା ଠିକଣା କରିବା ମନୁଷ୍ୟର ସାଧ୍ୟାତୀତ । କଳାବତୀ ମନେ କରିଥିଲେ ଏ କବିତା ପାଠ କରୁ କରୁ ତାଙ୍କର ଇହଲୀଳା ସାଙ୍ଗ ହେବ । ମାତ୍ର ମନୁଷ୍ୟର ଇଚ୍ଛା ଯେବେ ସର୍ବଦା ଫଳୁଥାନ୍ତା ତେବେ କି ଭାବନା ଥିଲା ? ବିଶ୍ୱସଂସାର କି ଭାବରେ କାହିଁକି ନିର୍ମିତ ହୋଇଅଛି ତାହା ବିଶ୍ୱନିୟନ୍ତା ବିଶ୍ୱେଶ୍ୱରଙ୍କୁ ଜଣାଅଛି । କାହିଁକି ସୁଖଦୁଃଖ ଜଗତରେ ବିତରଣ କରି ମାୟାମନ୍ତ୍ରମୁଗ୍ଧଜୀବଙ୍କୁ ଇତସ୍ତତଃ କରୁଅଛି କିଏ କହିପାରେ ?
ଦେଖୁଁ ଦେଖୁଁ ପ୍ରବଳଜ୍ୱର କରାଳକାଳ ରୂପେ ଉପସ୍ଥିତ ହୋଇ ଦିନକ ମଧ୍ୟରେ ରଘୁନାଥଙ୍କୁ ଇହଲୋକରୁ ଘେନି ଚାଲିଗଲା ଏବଂ ରାଧାଗୋବିନ୍ଦଙ୍କ ସଂସାର ପୁନର୍ବାର ଅତି ନୀରସ ହେବା ସଙ୍ଗେ ସଙ୍ଗେ କଳାବତୀଙ୍କ ରସମୟସଂସାରର ରସ ନିଃଶେଷିତ ହେଲା । ପ୍ରତିବାସିନୀ ସ୍ତ୍ରୀଲୋକମାନେ ଆସି ତାଙ୍କୁ ବୈଧବ୍ୟ ବ୍ରତାଚରଣରେ ନିୟୋଜିତା କରିଗଲେ ଏବଂ ସେ ଦିନରୁ ବାଳବିଧବା କଳାବତୀ ବୈଧବ୍ୟବ୍ରତନିୟମରେ ଥାଇ ରଘୁନାଥଙ୍କ ମୁଖଚନ୍ଦ୍ର ଏବଂ ତାଙ୍କର ଗୁଣାବଳୀ ସ୍ମରଣ କରି କେବେ ଜୀବନ ଶେଷ ହେବ ସେହି ଉଦ୍ଦେଶ୍ୟରେ ଭଗବାନଙ୍କୁ ଡାକିବାରେ ରତା ହେଲେ । ଏହିରୂପେ ଦିନେ ଦିନେ ହୋଇ ବର୍ଷେ ଅତୀତ ହୋଇଅଛି ଏବଂ କଳାବତୀ ଷୋଡ଼ଶ ବର୍ଷ ବୟସରେ ଉପନୀତା ହୋଇଅଛନ୍ତି । ରାଧାଗୋବିନ୍ଦ ଘରେ ଥିବା ସମୟରେ ତାଙ୍କୁ ମୁଠାଏ ଯତ୍ନ କରି ରାନ୍ଧି ଦିଅନ୍ତି ମାତ୍ର ସେ ନ ଥିଲାବେଳେ କେଉଁ ଦିନ ହାଣ୍ଡି ବସେ କେଉଁ ଦିନ ଅବା ନ ବସେ–ଏକସନ୍ଧ୍ୟା ଆହାର କରିବା ବିଧି ମଧ୍ୟ ବେଳେ ବେଳେ ଏହିରୂପେ ବିଚଳିତ ହୁଏ ।
ପିଲାପିଲି ଥିଲେ ଅବା ତାଙ୍କ ମୁଖ ଦେଖି ସ୍ୱାମୀଶୋକ କେତେ ପରିମାଣରେ ବିସ୍ମୃତା ହୋଇପାରନ୍ତେ ମାତ୍ର ବିଧାତା ତାହା ସୁଦ୍ଧା କରାଇ ଦେଇ ନାହିଁ । ବାଲ୍ୟକାଳରୁ ନାନାମତେ ଶୋକସନ୍ତାପ ସହ୍ୟ କରି ଏବେ ଏକାକିନୀ ହୋଇ ପଡ଼ିଅଛନ୍ତି । ଥିବା ମଧ୍ୟରେ ସ୍ନେହ କରିବାକୁ ଏକା ସେହି ରସକଳା । ରସକଳା ପ୍ରାୟ ଅଧିକାଂଶ ସମୟ କଳାବତୀଙ୍କ ନିକଟରେ ଥାଇ ତାଙ୍କର ବିମର୍ଷ ମନକୁ କିଞ୍ଚତ୍ ବିନୋଦିତ କରନ୍ତି ।
ପୌଷପୂର୍ଣ୍ଣିମା ରାତ୍ରିରେ ରସକଳା ପୂର୍ବୋକ୍ତ ମତେ ରୋଷନିର କଥା ପକାଇଥିଲେ ଏମନ୍ତ ସମୟରେ ରସକଳାଙ୍କର ମାତା ଆସି ତାଙ୍କୁ ଡାକିଲେ । କଳାବତୀ ତଳଖଞ୍ଜାକୁ ଯାଇ ଠାକୁରଙ୍କର ଭୋଗ କିଞ୍ଚତ୍ ସେବାକରି ଅଯତ୍ନ ପ୍ରସାରିତ ଶଯ୍ୟାରେ ଶୟନ କଲେ । ନିଦ୍ରାତ ହେବ ନାହିଁ । ରୋଷନି ଆସିବା ଅପେକ୍ଷାରେ ନିଦ୍ରା ହେଉନାହିଁ ତାହା ନୁହେ । ଯେ ମନର ସମୁଦାୟ ରସନିର୍ଝର ବିଶୁଷ୍କ ହୋଇଯାଇଅଛି ସେ ରୋଷନିରୁ କି ରସ ପାଇବ ଯେ ତାହାକୁ ଅପେକ୍ଷା କରି ରହିବ ? ଏକା ଥିବା ସମୟରେ ଯେଉଁ ରଘୁନାଥଙ୍କୁ ଅଦ୍ୟାପି ଝୁରୁଥିଲେ ତାଙ୍କରି ଗୁଣଗ୍ରାମ ଅଲକ୍ଷିତଭାବରେ ଆସି ହୃଦୟ ଆଲୋଡ଼ିତ କଲା ଏବଂ ନିଦ୍ରା ବିହୀନ ଚକ୍ଷୁରୁ ଅଶ୍ରୁବାରି ପ୍ରବାହିତ ହେଲା !
ଏମନ୍ତ ସମୟରେ ରସକଳା ବାହାରୁ ଡାକିଲେ ‘ଅପା, କବାଟ ଖୋଲିଦେ–ମୁଁ ଆଇଲିଣି’ ।