ଅଯୋଧ୍ୟା — ଭାରତ ନେପାଳ ଲଙ୍କା — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଯୋଧ୍ୟା
ଲକ୍ଷ୍ନୋରୁ ଫେରି ଫୈଜାବାଦ ଦେଇ ଅଯୋଧ୍ୟା ଆସିଲି । ଲକ୍ଷ୍ନୌରୁ ଏହାର ଦୂରତା ମାତ୍ର ୫୨ ମାଇଲ୍ । ପ୍ରାୟ ଦୁଇ ଘଣ୍ଟାର ରେଳଯାତ୍ରା । ହନୁମାନ୍ ଗଡ଼ା, ରାମଦରବାର, କନକଭବନ, ରାମମନ୍ଦିର ଓ ପୁଣ୍ୟତୋୟା ସରଯୁନଦୀ ଏଠାର ଦର୍ଶନୀୟ । ଆଜିଠାରୁ ୮ ଲକ୍ଷ ବର୍ଷ ପୂର୍ବେ ଏଠାରେ ଥିଲା ଶ୍ରୀ ରାମଚନ୍ଦ୍ରଙ୍କର ରାଜସଭା—ଆଜି କିନ୍ତୁ ବିଜନ ପ୍ରାନ୍ତର । କୈକେୟୀଭବନର ଚାରିଆଡ଼େ ଗୁଳ୍ମ । ତେଣୁ ସଂସ୍କୃତକବି ଯଥାର୍ଥରେ କହନ୍ତି—
“ରଘୁପତେଃ କ୍ୱ ଗତୋତ୍ତରକୋଶଳଃ,
ଯଦୁପତେଃ କ୍ୱ ଗତା ମଥୁରାପୁରୀ ।”
ମୁସଲମାନରାଜତ୍ୱରେ ଏଠାକାର ପ୍ରତ୍ୟେକ ମନ୍ଦିରରେ ମସଜିଦ୍ମାନ ମୁଣ୍ଡଟେକିଛି—ଏପରି କି ତୁଳସୀଦାସମନ୍ଦିରରେ ଏବେ ସୁଦ୍ଧା କବର ରହିଛି । ଏଠାର ମନ୍ଦିରଗୁଡ଼ିକ ଭାଙ୍ଗି ସେଗୁଡ଼ିକ ଉପରେ ମସ୍ଜିଦ୍ ତିଆରି କରିବା ପାଇଁ ବାବର ମନ୍ତ୍ରୀ ମୀରକାଶିମ୍ ଖାଁଙ୍କୁ କଡ଼ା ହୁକୁମ ଦେଇଥିଲେ । ତାଙ୍କ ହୁକୁମ ଅନୁସାରେ ଏଠାରେ ସାଧୁମାନଙ୍କ ସମାଧି ଉପରେ ମୁସଲମାନଙ୍କ କବର ତିଆରି ହେଲା । ପଣ୍ଡା, ପୁରୋହିତ ଓ ପଣ୍ଡିତମାନଙ୍କୁ ହତ୍ୟା କରାଯାଇ ମନ୍ଦିରଗୁଡ଼ିକୁ ତୋପ ସାହାଯ୍ୟରେ ଧୂଳିସାତ୍ କରାଯାଇଥିଲା । ମନ୍ଦିରର ଭଙ୍ଗା ଇଟାରେ ମସ୍ଜିଦ୍ ତିଆରି ହେଲା । ସେତେବେଳେ ବୀର ହିନ୍ଦୁଜାତି ନିଜର ପ୍ରାଣବଳି ନ ଦେଇ ମୋଗଲମାନଙ୍କର ଏପରି ଅତ୍ୟାଚାରକୁ ଯେ କିପରି ସହିନେଲେ—ଏହା ଚିନ୍ତାର ବିଷୟ ।
ହନୁମାନ୍ଗଡ଼ା;–ଏହା ଅଯୋଧ୍ୟାର ବିଖ୍ୟାତ ମନ୍ଦିର । ଏଥିରେ ଶ୍ରୀ ହନୁମାନ୍ଜୀଙ୍କର ବିଶାଳମୂର୍ତ୍ତି ଅଛି । ଶହ ଶହ ଭକ୍ତ ଏଠାରେ ପାରଣା କରନ୍ତି । ଏକ ବିଶାଳ ବଟବୃକ୍ଷ ମୂଳରେ ସୁନ୍ଦର ବେଦୀଟିଏ । ମନ୍ଦିରରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ନୀଳ, ନଳ, ଜାମ୍ବବ, ଓ ସୁଗ୍ରୀବ ପ୍ରଭୃତିଙ୍କର ବିଗ୍ରହ ପୂଜିତ ମନ୍ଦିରର ଗଠନ ସାଧାରଣ ହେଲେ ହେଁ ତୀର୍ଥପ୍ରଧାନ୍ୟ ଦୃଷ୍ଟିରୁ ଏଠାକୁ ସହସ୍ର ସହସ୍ର ଯାତ୍ରୀ ଆସନ୍ତି । କୈକେୟୀଭବନରେ ରାଣୀ କୈକେୟୀ ବାସ କରୁଥିଲେ । ଏହାର ଟିକିଏ ଦୂରକୁ ସୁମିତ୍ରା ଭବନ ଅବସ୍ଥିତ । ଏଠାରେ କେବଳେ ଧ୍ୱଂସାବଶେଷ ବ୍ୟତୀତ ଆଉ କିଛି ଦେଖିବାକୁ ମିଳେ ନାହିଁ । ଋଣମୋଚନ ତୀର୍ଥରେ ସ୍ନାନ କଲେ ନରନାରୀ ଋଣରୁ ମୁକ୍ତ ହୁଅନ୍ତି । ଏତଦ୍ ବ୍ୟତୀତ ପାପମୋଚନତୀର୍ଥ, ଯଜ୍ଞବେଦୀ, ରବିକୁଣ୍ଡ ଓ ଭରତକୂପ ପ୍ରଭୃତି ତୀର୍ଥ ଏଠାରେ ଅଛି । ରାମଦରବାର ଓ କନକଭବନରେ ଲକ୍ଷ୍ମୀଦରଜା ଓ ପୁରନ୍ଦରଦରଜା ପ୍ରଭୃତି ଦେଖିବାର କଥା-। ସରଯୁନଦୀ ସୁଗଭୀରା ଓ ଧୀରସ୍ରୋତା । ଏଥିରେ ସ୍ନାନ କରିବା ନିମିତ୍ତ ଘାଟ ଓ ପାହାଚମାନ ଗଠିତ । ନଦୀର ଶୋଭା ଚିତ୍ତାକର୍ଷକ, ଏଠାରେ ସାଂୟକାଳୀନ ଦୃଶ୍ୟ ଅତୀବ ମନୋରମ । ୩।୪ ଫୁଟ ଉଚ୍ଚର ବଗଗୁଡ଼ିଏ ନଈପଠାରେ ବୁଲୁଥାଆନ୍ତି ।
ପ୍ରୟାଗ
ଦିଲ୍ଲୀରୁ ମଥୁରା ଯାତ୍ରା ସମୟରେ ତୁଫାନ ଏକ୍ସପ୍ରେସରେ ମୋର ସହଯାତ୍ରୀ ଶ୍ରୀ ଅଟଳବିହାରୀ କରିଧଲ M.A., LLB., D.S.S. ଙ୍କ ସହ ବାର୍ତ୍ତାଳାପ ହୋଇଥିଲା । ସେ ମହାଶୟ ଦିଲ୍ଲୀରୁ ତାଙ୍କ ଶ୍ୱଶୁରାଳୟକୁ ଯାଉଥାନ୍ତି । ମଥୁରାର ଆଡ଼ିସନାଲ ଜିଲ୍ଲା-ମାଜିଷ୍ଟ୍ରେଟ୍ ଶ୍ରୀ ସୁରଜଲାଲ ପ୍ରସାଦ ହେଉଛନ୍ତି ତାଙ୍କ ଶ୍ୱଶୁର । ତିନିଘଣ୍ଟାର ସାହିତ୍ୟ ଆଲୋଚନାରେ ସେ ମୋର ପରିଚୟ ପଚାରିଲେ । ଓଡ଼ିଶାର ଏକ ସାମାନ୍ୟ କବି ବୋଲି ମୁଁ ତାଙ୍କୁ ପରିଚୟ ଦେଲି । ସେ ମଥୁରାରେ ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ ଓ ଆଲାହାବାଦ ଭ୍ରମଣ କାଳରେ ତାଙ୍କ ବାସଭବନକୁ ଯିବା ପାଇଁ ଅନୁରୋଧ କରି ମୋତେ ତାଙ୍କର ଘର ଠିକଣା ଓ ଅଫିସ ଠିକଣା ଦେଲେ । ଆଲାହାବାଦର ସେ ହେଉଛନ୍ତି ଲେବର କନସିଲିଏସନ୍ ଅଫିସର ।
ଅଯୋଧ୍ୟାରୁ ସିଧା ଏଠାକୁ ଆସୁଥାନ୍ତି । ଅଯୋଧ୍ୟାରୁ ଫଏଜାବାଦ ଦେଇ ଏଠାକୁ ଆସିବାକୁ ହୁଏ । ଦୂରତା ୧୦୩ ମାଇଲ୍ । ଆଲାହାବାଦରେ ଗାଡ଼ି ପହଞ୍ଚୁ ପହଞ୍ଚୁ ରାତି ୧ଟା ହେଲା । ଦୋକାନ, ବଜାର, ହୋଟେଲ ଧର୍ମଶାଳା ସବୁ ବନ୍ଦ । କରେଁ କଣ ? ଏକମାତ୍ର ଆଶ୍ରୟର ପନ୍ଥା ହେଉଛି ରେଲଷ୍ଟେସନ୍ ପ୍ଲାଟଫର୍ମ । ହଠାତ୍ ଶ୍ରୀ ଅଟଲବାବୁଙ୍କ କଥା ମନେ ପଡ଼ିଗଲା । ରିକ୍ସାଟିଏ କରି ତାଙ୍କ ବସା ୧୬-କ୍ଲାଇବ ରୋଡ଼ ଆଡ଼େ ଚାଲିଲି । ରିକ୍ସାବାଲା ବହୁତ କଷ୍ଟରେ ଘର ଖୋଜି ପାଇଲା । ଫାଟକ ପାଖରେ ଡାକି ଡାକି କିଛି ଉତ୍ତର ମିଳିଲା ନାହିଁ । ଉପାୟ କଣ ? କିଛି ସମୟ “ନ ଯଯୌ ନ ତସ୍ଥୌ” ହୋଇ ଠିଆ ହେଲାପରେ ସାହସ କରି ଫାଟକ ଫିଟାଇ ଭିତରକୁ ଯାଇ ବଡ଼ ପାଟିରେ ଡାକିବାରୁ ଅଟଲବିହାରୀ ବାବୁ ଉଠିଲେ ଓ ମୋର ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ ।
ଆଲାହାବାଦ ଉତ୍ତର ପ୍ରଦେଶର ଅନ୍ୟତମ ସମୃଦ୍ଧିଶାଳୀ ନଗରୀ । ରାସ୍ତାଘାଟଗୁଡ଼ିକ ବେଶ୍ ପରିଷ୍କୃତ ପରିଚ୍ଛନ୍ନ । ମୋଟର, ବାସ୍, ଟାଙ୍ଗା, ଟାକ୍ସି, ସାଇକେଲ ଓ ରିକ୍ସା ପ୍ରଭୃତି ଯାନର ବନ୍ଦୋବସ୍ତ ଏଠାରେ ଅଛି । ସୁସଜ୍ଜିତ ପ୍ରାସାଦମାଳାସ, ବିପଣୀଶ୍ରେଣୀର ଅପୂର୍ବ ସାଜସଜା, ମନ୍ଦିର, ବିଦ୍ୟାଳୟ, ସଂଗୀତପୀଠ, କୁସ୍ତି ଆଖଡ଼ା, ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ, ମହିଳା କଲେଜ, ହିନ୍ଦୀ ସାହିତ୍ୟର ସୁମହାନ୍ ଲେଖକ ଓ କବିଙ୍କର ନିବାସ ଏହାର ପ୍ରାଧାନ୍ୟର ଅନ୍ୟ ଏକ କାରଣ । ପୁଣ୍ୟତୋୟା ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳରେ ଏହା ଅବସ୍ଥିତ । ଏହାର ତୀଥବୈଶିଷ୍ଟ୍ୟ ଯୋଗୁଁ ମାଘମାସରେ ଏଠାକୁ ଲକ୍ଷ ଲକ୍ଷ ନରନାରୀ ଆସନ୍ତି । ପ୍ରୟାଗରେ ଗଙ୍ଗା, ଯମୁନା ଓ ସରସ୍ୱତୀ ମିଳନ ହୋଇଥିବାରୁ ଏହାର ଅନ୍ୟନାମ ତୀର୍ଥରାଜ । ଏଠାରେ ସ୍ନାନ କଲେ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ମିଳେ ବୋଲି ପୁରାଣରେ ଉଲ୍ଲେଖ ଅଛି । ଏହା ବିଶ୍ୱବିଦ୍ୟାଳୟ ସୁବିସ୍ତୃତ ଭୂମି ଉପରେ ନିର୍ମିତ । ଏଠାରେ ଭାରତର ବିଭିନ୍ନ ସ୍ଥାନର ଛାତ୍ରମାନେ ଅଧ୍ୟୟନ କରନ୍ତି । ସଂଗୀତ, କଳା ଓ ବିଜ୍ଞାନ ପ୍ରଭୃତି ନାନାବିଧ ବିଷୟ ଏଠାରେ ଶିକ୍ଷା ଦିଆଯାଏ । ସାଧାରଣ ପାଠାଗାର, ଛାତ୍ରବାସ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଦେଖିବାର କଥା । ବିଷ୍ଣୁଙ୍କର ଏହା ମୁଖ୍ୟ କ୍ଷେତ୍ର । ବିଷ୍ଣୁଙ୍କର ଆଶ୍ରୟ ସ୍ଥାନ ହେଉଛି ଏକ ଅକ୍ଷୟ ବଟମୂଳ । ଏହି କ୍ଷେତ୍ରରେ ଶଙ୍ଖମାଧବ, ଚକ୍ରମାଧବ, ଗଦାମାଧବ, ପଦ୍ମମାଧବ, ଅନନ୍ତମାଧବ, ବିନ୍ଦୁମାଧବ, ମନୋହରମାଧବ ଓ ଅସିମାଧବ—ଏହିପରି ଅଷ୍ଟମାଧବ ବାସ କରନ୍ତି । ଏହି ବଟବୃକ୍ଷର ନିକଟକୁ ଶୂଳଟଙ୍କେଶ୍ୱର ଶିବ ମନ୍ଦିର । ବଟର ପଶ୍ଚିମଦିଗରେ ସୂର୍ଯ୍ୟକୁଣ୍ଡ । ପ୍ରବାଦ ଅଛି, ସୂର୍ଯ୍ୟଦେବ ଏଠାରେ ବହୁଦିନ ତପସ୍ୟାରତ ଥିଲେ । ଏହାର ଦକ୍ଷିଣକୁ “ଆଦିବେଣ” ତୀର୍ଥ । ପଶ୍ଚିମଦିଗରେ ଘୃତ କୁଲ୍ୟା ଓ ମଧୁକୁଲ୍ୟା ।
କପିଳମୁନିବଟ:—ଏଠାରେ ମହାମୁନି କପିଳଙ୍କର ଆଶ୍ରମ ଥିଲା । ଏଠାରେ ଇନ୍ଦିରେଶ୍ୱର ପୂଜା ପାଆନ୍ତି । ଏଠାରେ ପିଶାଚ ମୋଚନତୀର୍ଥ, କାମତୀର୍ଥ, ଆଦିତ୍ୟତୀର୍ଥ, ଭୋଗବତୀତୀର୍ଥ, ବାୟୁତୀର୍ଥ, ଧନଦତୀର୍ଥ, ଓ ଦଶାଶ୍ୱମେଧତୀର୍ଥ, ପ୍ରଭୃତି ବିରାଜମାନ । ପାତାଳପୁରୀ ପୁରୁଣା କିଲା ମଧ୍ୟରେ ଅବସ୍ଥିତ । ବିଶିଷ୍ଟ ଚୀନପରିବ୍ରାଜକ ହୁଏନ୍ସାଂଙ୍କ ଭାରତଭ୍ରମଣ ପୁସ୍ତକରେ ଉଲ୍ଲେଖ ଅଛି—
“କିଲା ମଧ୍ୟସ୍ଥ ପାତାଳପୁରୀମନ୍ଦିର ଏକ ବିଖ୍ୟାତ ମନ୍ଦିର ।
ଏହାର ସାଜସଜ୍ଜା ଅତୀବ ପ୍ରଶଂସନୀୟ । ଏଠାରେ ଭକ୍ତି ସହକାରେ ପ୍ରାଣତ୍ୟାଗ କଲେ ସ୍ୱର୍ଗବାସ ମିଳେ । ମନ୍ଦିରର ଅଗଣାରେ ଥିବା ଅକ୍ଷୟବଟର ଶାଖାପ୍ରଶାଖା ବହୁଦୂରବ୍ୟାପୀ-।” ଏବେ ସୁଦ୍ଧା ଏହି ମନ୍ଦିରର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଏଠାରେ ପ୍ରାୟ ଶହେଟି ଜୀର୍ଣ୍ଣ ସ୍ତମ୍ଭ ଦେଖିବାକୁ ପାଇଲି । ଏହାର ଚାରିପାଖରେ ଧର୍ମ ରାଜଙ୍କର ବିରାଟ ଶିଳାମୂର୍ତ୍ତି-। ଗଣେଶ, ଗୋଖରନାଥ ଓ ଶେଷନାଥ ପ୍ରଭୃତିଙ୍କ ବିଶାଳ ଶିଳାମୂର୍ତ୍ତି ଏଠାରେ ସୁରକ୍ଷିତ-। ଏହି ଦୁର୍ଗ ସମ୍ରାଟ ଅଶୋକଙ୍କର କୀର୍ତ୍ତି ବୋଲି କଥିତ ।
ଆକବରଦୁର୍ଗ:—ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳରେ ବିଶାଳ ଦୁର୍ଗର ନିର୍ମାତା ହେଉଛନ୍ତି ମୋଗଲସମ୍ରାଟ୍ ଆକବର । ଏହାକୁ ସେ ଖ୍ରୀ: ୧୫୮୩ରେ ନିର୍ମାଣ କରିଥିଲେ । ଆକବରଙ୍କ ଦରବାରର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ “ଆକବରନାମା”ରେ ଲେଖିଛନ୍ତି, “ଏହି କିଲା ଚାରିଭାଗରେ ବିଭକ୍ତ ହୋଇଥିଲା ପ୍ରଥମ ଭାଗ ସମ୍ରାଟ୍ ଆକବରଙ୍କର ବାସଭବନ, ଦ୍ୱିତୀୟଭାଗ ବେଗମମାନଙ୍କ ବାସଭବନ ଓ ତୃତୀୟ ଭାଗ ପରିବାରବର୍ଗଙ୍କ ବାସଭବନ ଥିଲା ଏବଂ ଚତୁର୍ଥ ଭାଗରେ ସିପାହୀମାନେ ରହୁଥିଲେ । ଏଠାରେ ଆକବର ସାମୟିକଭାବେ ରହୁଥିଲେ ।” ଏଲାହାବାଦ କିଲଟରୀର ପ୍ରାଚୀନ ସନନ୍ଦରୁ ଜଣାଯାଏ, “ଏହାର ଲମ୍ବ ୨୨୮୦ ଗଜ ଏବଂ ପ୍ରସ୍ଥ ୧୫୬୦ ଗଜ । ଏହାର ନିର୍ମାଣ ପାଇଁ ଟ୧୭,୨୦,୨୧୪ଙ୍କା ଖର୍ଚ୍ଚ ହୋଇଥିଲା ଓ ଏହାର ନିର୍ମାଣକାଳ ୪୫ ବର୍ଷ, ୫ ମାସ ଓ ୧୦ ଦିନ । ଏଠାରେ ୨୩ଟି ମହଲ, ୩ଟି ସୁସଜ୍ଜିତ ଶୟନଗାର, ୨୫ଟି ଦ୍ୱାର ଓ ୨୭୭ ଟି ସାଧାରଣ କୋଠରୀ ଥିଲା ।”ଏହି ଦୁର୍ଗରେ ଅମରାବତୀ, ଆନନ୍ଦମହଲ, ମହାଶୃଙ୍ଗାରମହଲ, କଲ୍ଲୋଳ ମହଲ, ଦିଲଶାହମହଲ, ହଂସ ମହଲ, ଓ ସୁଖନାମମହଲ ପ୍ରଭୃତି ଥିଲା । ସମଗ୍ର ଦୁର୍ଗଟି ଲାଲ ପଥରରେ ନିର୍ମିତ । ଇଂରେଜମାନେ ଏହି କିଲାକୁ ଦଖଲ କରି ଏହାର ପ୍ରାଧାନ୍ୟ ଲୋପ କଲେ । ଅଷ୍ଟାଦଶ ଶତାବ୍ଦୀରେ ଇଷ୍ଟଇଣ୍ଡିଆ କମ୍ପାନୀ ଏହାକୁ ହସ୍ତଗତ କରି ଏହାକୁ ଅସ୍ତ୍ରଭଣ୍ଡାର କଲେ ।
ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ :— ଗଙ୍ଗା, ଯମୁନା ଓ ସରସ୍ୱତୀର ଅପୂର୍ବ ସଙ୍ଗମସ୍ଥାନର ଦୃଶ୍ୟ ଅତୀବ ମର୍ମସ୍ପର୍ଶୀ । ସରସ୍ୱତୀ ଅନ୍ତଃସ୍ରୋତା ହୋଇଥିବାରୁ ଦେଖାଯାଏ ନାହିଁ । ଗଙ୍ଗା ଓ ଯମୁନାର ଅପୂର୍ବ ମିଳନ ଦେଖିବା ଓ ଏଠାରେ ସ୍ନାନ କରିବା ଉଦ୍ଦେଶ୍ୟରେ ହଜାର ହଜାର ଯାତ୍ରୀ ଏଠାକୁ ଆସନ୍ତି । କୂଳରୁ ଡଙ୍ଗାରେ ପ୍ରାୟ ଏକ ମାଇଲ୍ ଗଲାପରେ ରମଣୀୟ ଛୋଟ ପଠାଟିଏ ପଡ଼େ । ନାଉରୀମାନେ ଯାତ୍ରୀଙ୍କୁ ଖଣ୍ଡେ ଦୂରରୁ ପାଛୋଟି ନେଇ ଯାଆନ୍ତି । ସଙ୍ଗମର ମଧ୍ୟଭାଗ ଅଗଭୀର । ପାଣି ୨।୩ ଫୁଟ ପର୍ଯ୍ୟନ୍ତ ଥାଏ । ଏଠାରେ ଯାତ୍ରୀମାନେ ସ୍ନାନ କରନ୍ତି । ଏକ ପାଶ୍ୱରେ ଯମୁନାର ନୀଳଜଳପ୍ରବାହ— ଅପରପାର୍ଶ୍ୱରେ ସଙ୍ଗାର ଶୁକ୍ଳ ଜଳଧାରା ପରସ୍ପରକୁ ଆଲିଙ୍ଗନ କରି ଦୂରକୁ ବହି ଯାଉଥିଲେ ମଧ୍ୟ ଜଳର ବର୍ଣ୍ଣବୈଷମ୍ୟ ସବୁବେଳେ ଜଣା ପଡ଼ିଯାଏ । ଅଦୃଶ୍ୟା ସରସ୍ୱତୀଜଳ ରକ୍ତବର୍ଣ୍ଣ ବୋଲି କଥିତ ଅଛି । ପ୍ରୟାଗ ଶବ୍ଦର ବ୍ୟୁତ୍ପତ୍ତି— ପ୍ର ଅର୍ଥାତ୍ ପ୍ରକୃଷ୍ଟ ଯାଗ ଅର୍ଥାତ୍ ଯଜ୍ଞ ଅନୁଷ୍ଠିତ ହୁଏ ଯେଉଁଠାରେ । କୁର୍ମପୁରାଣରେ ଉଲ୍ଲେଖ ଅଛି, ପ୍ରୟାଗ ବ୍ରହ୍ମଙ୍କର କ୍ଷେତ୍ର । ମତ୍ସ୍ୟପୁରାଣ ଓ ଅଗ୍ନିପୁରାଣ ବର୍ଣ୍ଣିତ ଅଛି, ପ୍ରୟାଗ ହେଉଛି ବ୍ରହ୍ମାଙ୍କର ବେଦୀ । ବାମନ ପୁରାଣରେ ଉଲ୍ଲେଖ ଅଛି, ବ୍ରହ୍ମାଙ୍କର ପଞ୍ଚବେଦୀ ମଧ୍ୟରୁ ପ୍ରୟାଗରେ ମଧ୍ୟବେଦୀ ଅବସ୍ଥିତ । ସ୍ଥାନର ପବିତ୍ରତା ଦୃଷ୍ଟିରୁ ଯାତ୍ରୀମାନେ ଏଠାରେ ସ୍ୱର୍ଗକାମନା କରି ସଂକଳ୍ପ କରନ୍ତି । ଆଦିକବି ବାଲ୍ମୀକି, ଭକ୍ତକବି ସୁରଦାସ ଓ କବୀର ପ୍ରଭୃତିଙ୍କର ଜନ୍ମସ୍ଥାନ ଏହି ପ୍ରୟାଗ ।
ଅଶୋକଙ୍କ କୀର୍ତ୍ତିସ୍ତମ୍ଭ ଏଠାରେ ବିଦ୍ୟମାନ । ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ ଗ୍ରୀସ୍ ରାଜଦୂତ ମେଘାସ୍ଥିନିସ୍ ସ୍ୱରଚିତ ‘ଭାରତ ଭ୍ରମଣ’ରେ ପ୍ରୟାଗ ବିଷୟରେ ଏକ ବିଶଦ ବିବରଣୀ ଦେଇଅଛନ୍ତି ।
ପ୍ରୟାଗର କୁମ୍ଭମେଳା ଭାରତବିଖ୍ୟାତ । ପୂର୍ବେ ଭାରତର ସମ୍ରାଟ୍ ହର୍ଷବର୍ଦ୍ଧନ ଏହି ସଂଗମରେ ସ୍ନାନ କରି ନିଜର ସମସ୍ତ ଧନ ସମ୍ପତ୍ତି ଏପରିକି ନିଜର ବହୁମୂଲ୍ୟ ପୋଷାକପରିଚ୍ଛଦ ଏଠାରେ ବ୍ରାହ୍ମଣ ଓ ଦରିଦ୍ରମାନଙ୍କୁ ଅମ୍ଳାନବଦନରେ ପ୍ରଦାନ କରିଥିଲେ ।
ଯାଦୁଘର:—ପୁରାତନ ପ୍ରସ୍ତରର ବିଭିନ୍ନ ମୂର୍ତ୍ତି, ପ୍ରାଚୀନ ଯୁଦ୍ଧସାଜ ସରଞ୍ଜାମ, କାଠଖୋଳା ମୂର୍ତ୍ତି, ପ୍ରାଚୀନ ତୋପ ବନ୍ଧୁକ ପ୍ରଭୃତି ଏଠାରେ ସୁରକ୍ଷିତ ହୋଇଛି । ଏହାର ଆୟତନ ମଧ୍ୟମଧରଣର ହେଲେ ହେଁ ବହୁବିଧ ପଦାର୍ଥ ସଂଗୃହୀତ ହୋଇ ଏଠାରେ ରଖାଯାଇଛି । ଏହାର ସମସ୍ତ ବିଭାଗ ବୁଲି ଦେଖିବାକୁ ୨ ।୩ ଘଣ୍ଟା ଲାଗେ ।
ଆନନ୍ଦଭବନ:—ସ୍ୱର୍ଗତ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମପୀଠରୂପେ ଏହା ପ୍ରସିଦ୍ଧ । ଏଠାକାର ପ୍ରତ୍ୟେକ କୋଠରୀ ଦର୍ଶକମାନଙ୍କ ପାଇଁ ଉନ୍ମୁକ୍ତ । ପ୍ରତ୍ୟହ ହଜାର ହଜାର ଦର୍ଶକ ଦର୍ଶକ ଏଠାରେ ରୁଣ୍ଡ ହୁଅନ୍ତି । ଏହି ପ୍ରାସାଦଟି ସୁନ୍ଦରଭାବେ ଗଠିତ-। ଏହାର ପ୍ରବେଶଦ୍ୱାରରେ ସବୁବେଳ ସଶସ୍ତ୍ର ପ୍ରହରୀ ନିଯୁକ୍ତ ଥାଆନ୍ତି ।
ଭରଦ୍ୱାଜାଶ୍ରମ, ସରକାରୀ ଛାପାଖାନା, ହାଇକୋର୍ଟ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଉଦ୍ ଯୋଗଶାଳା ଏହି ସହରର ପ୍ରାଧାନ୍ୟ ବୃଦ୍ଧି କରେ ।
ପ୍ରୟାଗ (ଆଲାହାବାଦ) ଐତିହାସିକ ତଥା ପୌରାଣିକ ପ୍ରାଧାନ୍ୟ ଯୋଗୁଁ ବିଖ୍ୟାତ । ଦର୍ଶକମାନେ ସୁବିଧାରେ ଭ୍ରମଣ କରିବା ଓ ନଗରୀବିଷୟରେ ବିଭିନ୍ନ ଖବର ଜାଣିବା ଲାଗି Tourist Information Bureau (ପର୍ଯ୍ୟଟକ ସମ୍ବାଦ କେନ୍ଦ୍ର)ର କାର୍ଯ୍ୟକଳାପ ପ୍ରଶଂସନୀୟ । ସହରର ଚାରିଆଡ଼େ ପରିଷ୍କୃତ ପକ୍କାରାସ୍ତା, ଉଦ୍ୟାନ, ଉଚ୍ଚ ପ୍ରାସାଦମାଳା, ସ୍କୁଲ, କଲେଜ, ମଲ୍ଲଶାଳା, ବଡ଼ ବଡ଼ ଦୋକାନ ଓ ସରକାରୀ କାର୍ଯ୍ୟାଳୟ ଦେଖି ମନ ଆନନ୍ଦରେ ବିହ୍ୱଳ ହେଲା । ଆଧୁନିକ ହିନ୍ଦୀସାହିତ୍ୟର ପ୍ରବୀଣ ଲେଖକ ଓ ଲେଖିକାମାନେ ଏଠାରେ ବାସ କରନ୍ତି । କବି ନିରାଲାଜୀ ସହରରୁ ୩ ।୪ ମାଇଲ ଦୂରରେ ଏକ ପଲ୍ଲୀଗ୍ରାମରେ ରହୁଥିବାର ଶୁଣି ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲି । ହିନ୍ଦୀସାହିତ୍ୟର ଅନ୍ୟତମ ପ୍ରବୀଣନାରୀ କବି ଶ୍ରୀମତୀ ମହାଦେବ ବର୍ମା ଏଠାକାର ମହିଳାକଲେଜର ଅଧ୍ୟକ୍ଷା । ତାଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ଘଟିଥିଲା, କିନ୍ତୁ ତାଙ୍କ ବାସଭବନରେ ନୁହେଁ—ସରକାରୀ ହସ୍ପିଟାଲ୍ରେ । ସେତେବେଳେ ତାଙ୍କର ଗୋଡ଼ି ଭାଙ୍ଗି ଯାଇଥିବାରୁ ସେ ଶଯ୍ୟାଶାୟିନୀ ହୋଇ ହସ୍ପିଟାଲରେ ଥିଲେ । ଏତେ ଦୁଃଖ ଓ ଯନ୍ତ୍ରଣାରେ ପଡ଼ି ସୁଦ୍ଧା ତାଙ୍କର ମଧୁର ସମ୍ଭାଷଣ ଓ ବାର୍ତ୍ତାଳାପରେ ସେ ମୋତେ ଆପ୍ୟାୟିତ କଲେ । ଦ୍ୱିତୀୟଥର ପୁଣି ଏଠାକୁ ଆସିବାର ସୁଯୋଗ ମୋର ଘଟିଥିଲା କାଶ୍ମୀରଭ୍ରମଣରୁ ଫେରିଲାବେଳେ । ପୁଣି ଏଠାରେ କିଛିଦିନ ବିଶ୍ରାମ ନେଇ କେତେକ ସ୍ଥାନ ବୁଲିଲି-।
କାଶୀ
ପ୍ରୟାଗ ଦେଖିସାରିବା ପରେ କାଶୀଯାତ୍ରା । ଏହା ଭାରତର ଏକ ବିଶିଷ୍ଟ ଧର୍ମକ୍ଷେତ୍ର ଓ ସଂସ୍କୃତଚର୍ଚ୍ଚାର ଆଦିପୀଠ । ପୁଣ୍ୟତୋୟା, ଗଙ୍ଗାକୂଳରେ ଏହା ଅବସ୍ଥିତ । ଉତ୍ତର ପ୍ରଦେଶର ଏହା ଅନ୍ୟତମ ସମୃଦ୍ଧିଶାଳୀ ନଗରୀ । ଦୀର୍ଘ ୪ ମାଇଲ ପର୍ଯ୍ୟନ୍ତ ଏହି ସହରକୁ ଆଲିଙ୍ଗନ କରି ଲୀଳାମୟୀ ଭାଗୀରଥୀ ବକ୍ରଗତିରେ ଏଠାରେ ପ୍ରବହମାନ । ଜନାକୀର୍ଣ୍ଣ ଘାଟମାନଙ୍କରେ ସକାଳେ ଏ ସନ୍ଧ୍ୟାରେ ଶହ ଶହ ଲୋକ ସ୍ନାନ କରନ୍ତି । କଲିକତାରୁ ଏହାର ଦୂରତା ୪୨୨ ମାଇଲ୍ ।
ପ୍ରଥମଥର ଖ୍ରୀ: ୧୯୫୩ ଜୁନରେ ମୁଁ ଏଠାକୁ ଯାଇଥିଲି । ସେତେବେଳେ ମୋର ମାନସିକ ବିକୃତି (Mental Shock) ଘଟିଥିଲା । ହଠାତ୍ ଦିନେ ଏଠାକୁ ଚାଲିଆସିଲି । ଏକ ବସ୍ତ୍ରରେ ଇତସ୍ତତଃ ବୁଲୁଥିଲାବେଳେ ହିନ୍ଦୁ ବିଶ୍ୱବିଦ୍ୟାଳୟର Ph.D ଛାତ୍ର ଶ୍ରୀ ରାମଚନ୍ଦ୍ର ମହାନ୍ତି ମୋତେ ଯଥେଷ୍ଟ ସାହାଯ୍ୟ କରିଥିଲେ । ସେ ହଷ୍ଟେଲରେ ମୋର ରହିବାର ବନ୍ଦୋବସ୍ତ କରିଥିଲେ-। ଏବଂ କିଛିଦିନ ପରେ ମାରବାରୀ ସେବାସଂଘ ସଂସ୍କୃତ ମହାବିଦ୍ୟାଳୟର ପ୍ରଧାନ ଅଧ୍ୟାପକ ଶ୍ରୀ ତ୍ରୀନାଥ ଦାଶଶର୍ମାଙ୍କ ସହିତ ପରିଚୟ କରାଇଦେଲେ । ପଣ୍ଡିତ ତ୍ରିନାଥ ଦାଶଶର୍ମା ମୋତେ ଯଥେଷ୍ଟ ସାହାଯ୍ୟ କଲେ । ମୋର ମାନସିକ ବିକୃତିର ଉପଶମ ଲାଗି ବହୁତ ସେବାପୂଜା କରି ସେ ମୋତେ ଅନେକ ପରିମାଣରେ ସୁସ୍ଥ କରିଥିଲେ । ସେତେବେଳେ ମୁଁ ଏଠାରେ ବହୁଦିନ ଧରି ବାସ କରିଥିଲି । ସେ ସମୟର ଘଟଣାମାନ ଏବେ ସୁଦ୍ଧା ଏକ ଅସ୍ପଷ୍ଟ ଚଳଚିତ୍ର ପରି ମୋତେ ଜଣାପଡ଼େ-।
ପୁରାଣରେ ଉଲ୍ଲେଖ ଅଛି, ସୁହୋତ୍ରଙ୍କ ପୁତ୍ର କଶ୍ୟ ଖ୍ରୀ:ପୂ ୧୨୦୦ ରେ ଏହାକୁ ସ୍ଥାପନ କରିଥିଲେ । ଇତିହାସରୁ ପ୍ରମାଣ ମିଳେ, ଖ୍ରୀ: ୧୧୯୪ ରେ ଘୋରୀବଂଶର ସାହାବୁଦ୍ଧିନ କାଶୀକୁ ଧ୍ୱଂସ ମୁଖରେ ପକାଇଥିଲେ । ମୋଗଲ ବଂଶର ଶେଷସମ୍ରାଟ୍ ମହମ୍ମଦ ଶାହାଙ୍କ ଚେଷ୍ଟାରେ ଏହାର ପୁନରୁଦ୍ଧାର ହେଲା ଓ ତାଙ୍କ ନାମାନୁସାରେ ଏହାର ନାମକରଣ ହେଲା ମହମ୍ମଦନଗର । ପରେ ସେ ମାନସରାମ ନାମକ ହିନ୍ଦୁରାଜାଙ୍କୁ ଏହାର ଶାସନ ଭାର ଦେଲେ । ତାଙ୍କର ପୁତ୍ର ବଳବନ୍ତି ସିଂହ ନିଜର ଶକ୍ତିବଳରେ ଏହି ନଗରୀକୁ ମହାରାଜା ପ୍ରଭୁନାରାୟଣ ସିଂହ ଖ୍ରୀ: ୧୮୧୧ରେ ଏହାର ପ୍ରକୃତ ଶାସକରୂପେ ପରିଚିତ ହେଲେ ଏବଂ ତାଙ୍କ ସମୟରେ ଏହା ଏକ ଦେଶୀୟ ରାଜ୍ୟରୂପେ ପରିଗଣିତ ହେଉଥିଲା, ମାତ୍ର ୧୯-୧୦-୧୯୫୦ରୁ ଏହା ଉତ୍ତରପ୍ରଦେଶ ସହିତ ସମାଲ ହେଲା ।
କାଶୀନଗରୀ ପ୍ରସିଦ୍ଧିର ମୁଖ୍ୟକାରଣ ହେଉଛି ବିଶ୍ୱନାଥ ଦେବଙ୍କ ସ୍ୱର୍ଣ୍ଣମନ୍ଦିର । ରାଣୀ ଅହଲ୍ୟା ବାଈ ଏହାକୁ ନିର୍ମାଣ କରାଇ ଥିଲେ । ପ୍ରଥମ ଏଠାରେ ଶିବମନ୍ଦିର ଥିଲା । କୁତବୁଦ୍ଦିନ ଆଇବାକ ଏହାକୁ ଭାଙ୍ଗିଦେଇ ଏହା ଉପରେ ‘ରେଜିଆ ମସ୍ଜିଦ୍’ ତିଆରି କରାଇଥିଲେ । ପରେ ଆକବରଙ୍କ ରାଜତ୍ୱକାଳରେ ତାଙ୍କର ରାଜସ୍ୱ ମନ୍ତ୍ରୀ ତୋଡ଼ର ମଲ୍ଲ ସମ୍ରାଟଙ୍କୁ ପ୍ରାର୍ଥନା କରି ଏହାକୁ ପୁଣି ହିନ୍ଦୁ ମନ୍ଦିରରେ ପରିଣତି କରାଇଥିଲେ, କିନ୍ତୁ କାଳକ୍ରମେ ପୁଣି ବିଧର୍ମୀ ଆଓରଙ୍ଗଜେବ ହିନ୍ଦୁମନ୍ଦିର ଭାଙ୍ଗି ଏଠାରେ ମସ୍ଜିଦ୍ ନିର୍ମାଣ କରାଇଥିଲେ । ତାଙ୍କ ପରେ ହିନ୍ଦୁ ରାଜତ୍ୱକାଳରେ ରାଣୀ ଅହଲ୍ୟାବାଈ ବର୍ତ୍ତମାନର ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରାଇଛନ୍ତି । ଗୋଦୌଲିଆ ଚୌକ ଏହାର ଖୁବ୍ ନିକଟରେ । ଏହି ଛକଟି ନଗରୀର ଜନାଜୀର୍ଣ୍ଣ ସ୍ଥାନ ପ୍ରଧାନ ରାସ୍ତାଠାରୁ କିଛିଦୂର ପର୍ଯ୍ୟନ୍ତ ସଂକୀର୍ଣ୍ଣଗଳି ଦେଇ ମନ୍ଦିରକୁ ଯିବାକୁ ହୁଏ । ଦୁଇ ପାଖରେ ସୁସଜ୍ଜିତ ବିପଣୀ ଦେଖିଲେ ମନରେ ଆନନ୍ଦ ଆସେ । ଧୋତି, ଶାଢ଼ି, ପିତଳବାସନ, ପୂଜା ଉପକରଣ, ମନୋହରୀ ପଦାର୍ଥ ଓ ବିଭିନ୍ନ ପୁସ୍ତକ କିଣିବାକୁ ଏଠାରେ ମିଳେ । ଅନତିଦୂରରେ ଗଙ୍ଗାକୂଳ । ମନ୍ଦିରରେ ଅହରହ ଘଣ୍ଟାଧ୍ୱନି ଓ ମନ୍ତ୍ରପାଠ ଚାଲିଥାଏ ।
୪’ ×୪’ ଆକୃତିର ବେଢ଼ା ଭିତରେ ଶିବଲିଙ୍ଗ । ଉପରୁ ଜଳଝରିରୁ ଜଳ ଅହରହ ବାବା ବିଶ୍ୱନାଥଙ୍କ ଉପରେ ଝରୁଥାଏ । ଚଟାଣ ମଲମଲ ପଥରର ଓ ମନ୍ଦିରର ମଧ୍ୟଭାଗଟି ଗୋଲାକାର ସ୍ୱର୍ଣ୍ଣପତ୍ର ଖଚିତ । ଉପର ଗମ୍ବୁଜ ମଧ୍ୟ ସୁନାର । ପ୍ରବେଶଦ୍ୱାର ପିତଳରେ ତିଆରି । ଏଥିରେ ବହୁତ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖାଯାଏ । ମନ୍ଦିରର ବେଢ଼ାଭିତରେ ଅସଂଖ୍ୟ ଲିଙ୍ଗ । ଅନ୍ନପୂର୍ଣ୍ଣା, ଭୈରବୀ ଓ ହନୁମାନଙ୍କ ମୂର୍ତ୍ତି ଏବଂ ପାର୍ବତୀ, ମଲମଲ ପଥରର ଗଣେଷ ଓ ଅନ୍ୟ କେତେକ ମୂର୍ତ୍ତି ଏଠାରେ ପୂଜିତ । ଏହି ମନ୍ଦିରର ଜଗମୋହନ ରାଏ ବରେଲୀ ରାଜା ତିଆରି କରିଥିଲେ । ମନ୍ଦିରର ପଛକୁ ଏବେ ସୁଦ୍ଧା ପୂର୍ବ କଥିତ ସେହି ବିରାଟ ମସ୍ଜିଦ୍ ଅଛି । ମସ୍ଜିଦ୍ ହତାଦେଇ ଏଠାକୁ କେତେକ ଆସନ୍ତି । ମନ୍ଦିରର ଚୂଡ଼ା ଗମ୍ବୁଜାକାର ଓ ସ୍ୱର୍ଣ୍ଣପତ୍ର ଖଚିତ । ଅଣହିନ୍ଦୁମାନେ ଏହି ସ୍ୱର୍ଣ୍ଣ ଖଚିତ ଅଂଶ ସୁବିଧାରେ ଦେଖିବା ପାଇଁ ନିକଟରେ ଗୋଟିଏ ଦୋତାଲା କୋଠା ଅଛି । ସେଠାରେ ରହି ସେମାନେ ମନ୍ଦିରର ଉପରିଭାଗର ଦୃଶ୍ୟ ଦେଖିପାରନ୍ତି । ବୁଦ୍ଧ, ରାମାନୁଜ, ଶଙ୍କରାଚାର୍ଯ୍ୟ, କବୀର ଓ ନାନକ ପ୍ରଭୃତି ଧର୍ମଗୁରୁମାନେ ଏହି ପୀଠର ଭୂୟସୀ ପ୍ରଂଶସା କରିଅଛନ୍ତି ।
ଭାରତାମାତା ମନ୍ଦିରଟି ଶଙ୍ଖମଲମଲ ପଥରରେ ତିଆରି । ଭାରତର ପ୍ରତ୍ୟେକ ଅବସ୍ଥା ଓ ବିଭିନ୍ନ ରାଜବଂଶର ରାଜତ୍ୱ କାଳର ରୂପରେଖ ଏଠାରେ ଦେଖିବାକୁ ମିଳେ । ସୁନ୍ଦର ମୂର୍ତ୍ତିଗୁଡ଼ିକ ଏଠାରେ ସୁରକ୍ଷିତ । ଏ ଗୁଡ଼ିକ ଜୀବନ୍ତ ପରି ଜଣାପଡ଼େ । ଏହା ଭାରତର ଐତିହାସିକ ପରିବର୍ତ୍ତନ ଓ ବିକାଶର ଏକ ପ୍ରକୃଷ୍ଟ ସଂଗ୍ରହାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବିଶ୍ୱନାଥ ମନ୍ଦିରର ଅପର ପାର୍ଶ୍ୱରେ ଅନ୍ନପୂର୍ଣ୍ଣା ମନ୍ଦିର । ଅନ୍ନପୂର୍ଣ୍ଣାଙ୍କର ଶଙ୍ଖମଲମଲ ମୂର୍ତ୍ତି ଦେଖିବା ମାତ୍ରେ ଦର୍ଶକମନରେ ଆନନ୍ଦର ଜୁଆର ଖେଳିଯାଏ । ମୂର୍ତ୍ତିର ଗଠନ ଓ କାରୁକାର୍ଯ୍ୟ ଚିତ୍ତାକର୍ଷକ । ତାଙ୍କ ନିକଟରେ ହରଗୌରୀ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରଭୃତି ବିଭିନ୍ନ ମୂର୍ତ୍ତି ପୂଜିତ । ଶହ ଶହ ଯାତ୍ରୀ ଏଠାରେ ଅନ୍ନପୂର୍ଣ୍ଣାଙ୍କୁ ନୈବେଦ୍ୟ ଦିଅନ୍ତି । ଧୂପ ଓ ଦୀପଗନ୍ଧରେ ଏବଂ ମନ୍ତ୍ରପାଠ ଧ୍ୱନିରେ ମନ୍ଦିରଟି ସୁବାସିତ ତଥା ମୁଖରିତ ହେଉଥାଏ । କାଶୀ ନଗରୀ ଏକ ଶାକ୍ତପାଠ । ସେଥିପାଇଁ ବହୁ ଦେବୀମନ୍ଦିର ଏଠାରେ ଦେଖାଯାଏ । ସେଥିମଧ୍ୟରୁ ଏଠାକାର ଦୁର୍ଗାମନ୍ଦିର ସୁବିଖ୍ୟାତ । ଖ୍ରୀ: ୧୮୮୦ ରେ ବଙ୍ଗଳାର ‘ନାଡ଼ୋର’ ରାଜ୍ୟର ମହାରାଣୀ ଏହାକୁ ନିର୍ମାଣ କରାଇଥିଲେ । ମନ୍ଦିରର ପ୍ରାଙ୍ଗଣଟି କ୍ଷୁଦ୍ର । ଏକ ସଙ୍ଗରେ ବହୁ ଯାତ୍ରୀଙ୍କର ସମାଗମ ହୋଇପାରେ ନାହିଁ । ଭକ୍ତକବି ତୁଳସୀଦାସ ଶଙ୍କଟମୋଚନ ମନ୍ଦିରର ନିର୍ମାତା । ଗୋସ୍ୱାମୀଜୀ କାଶୀରେ ବାସ କରୁଥିଲାବେଳେ ପ୍ରାୟ ଅଧିକାଂଶ ସମୟ ଏଠାରେ ରହୁଥିଲେ । ହନୁମାନଙ୍କର ବିରାଟ ପଥରମୂର୍ତ୍ତିକୁ ଏଠାରେ ପୂଜା କରାଯାଏ । ସକାଳ ଓ ସନ୍ଧ୍ୟାରେ ଏଠାରେ ବହୁ ଲୋକସମାଗମ ହୁଏ ।
ହିନ୍ଦୁବିଶ୍ୱ ବିଦ୍ୟାଳୟ:—ପୃଥିବୀର ସର୍ବଶ୍ରେଷ୍ଠ ଭିକ୍ଷୁ ପଣ୍ଡିତ ମଦନମୋହନ ମାଲବୀୟଜୀଙ୍କ ଆପ୍ରାଣ ଚେଷ୍ଟାଫଳରେ କାଶ୍ମୀର ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ । ଏହା ଭାରତ କାହିଁକି ପୃଥିବୀର ଏକ ଆଦର୍ଶ ବିଦ୍ୟାପୀଠ । ପୃଥିବୀର ପ୍ରତ୍ୟେକ ପ୍ରାନ୍ତରୁ ଛାତ୍ରମାନେ ଏଠାରେ ଅଧ୍ୟୟନ କରନ୍ତି । ବିଭିନ୍ନ ବିଷୟ, ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାର ଶିକ୍ଷା ଏବଂ ଚର୍ଚ୍ଚାର ଏଠାରେ ସୁବିଧା ଅଛି । ମୁଖ୍ୟ ପ୍ରବେଶପଥର ଡାହାଣକୁ ଅନୁସନ୍ଧାନ ଅଫିସ ଓ ଟିକିଏ ଆଗକୁ ବାମପଟେ ଛାତ୍ରୀନିବାସ, ଦୂରରେ ଧନରାଜଗିରି ଛାତ୍ରାବାସ, ବିରଳାଛାତ୍ରାବାସ ଓ ରୁୟାଛାତ୍ରାବାସ ପ୍ରଭୃତି ଅଛି-।
ଏହି ବିଶ୍ୱବିଦ୍ୟାଳୟ ଏକ ବିଶାଳାୟତନ କ୍ଷେତ୍ର । ଏହାର ଲମ୍ବ ୨ ମାଇଲ ପ୍ରସ୍ଥ ୧୬ ମାଇଲ୍ । ସର୍ବସାଧାରଣ ପାଠାଗାରରେ ବହୁ ପ୍ରାଚୀନ ପୁସ୍ତକ ମିଳେ । ପାଠାଗାରର ଦ୍ୱାରଦେଶରେ ସଂସ୍କୃତରେ ଉଲ୍ଲେଖ ଅଛି— “ବିଦ୍ୟୟାମୃତମଶ୍ନୁତେ” । ଏଠାରେ ଦର୍ଶନ, କଳା, ଇତିହାସ, ବିଜ୍ଞାନ, ଗଣିତ, ଧର୍ମଶାସ୍ତ୍ର, ସଂଗୀତ,ସଂସ୍କୃତ, ଇଂଜିନିଅରିଂ, କୃଷିବିଜ୍ଞାନ ଓ ପ୍ରାଣିବିଜ୍ଞାନ ପ୍ରଭୃତି ନାନା ବିଷୟରେ ଶିକ୍ଷା ଦିଆଯାଏ । ଏଠିକାର ବିଜ୍ଞାନ ପର୍ଯ୍ୟବେକ୍ଷଣାଳୟ ଏକ ଦର୍ଶନୀୟ ସ୍ଥାନ । ଜ୍ଞାନ ଆହରଣ ଲାଗି ଏଠାରେ ପାଠ କରୁଥିବା ଛାତ୍ରମାନେ ବିଳାସବ୍ୟସନରତ ନୁହନ୍ତି । ଚାରିଆଡ଼େ ଆମ୍ରକୁଞ୍ଜ ଓ ନିମ୍ବ ବୃକ୍ଷରାଜି । ସହରର ଫମ୍ପା ସଭ୍ୟତାର ଦୂରରେ ରହି ଛାତ୍ରମାନେ ଏଠାରେ ଆଶ୍ରମବାସୀଙ୍କ ସଦୃଶ ନିରାଡ଼ମ୍ବର ଜୀବନ ଯାପନ କରି ସବୁବେଳେ ବିଦ୍ୟାଚର୍ଚ୍ଚାରେ ସମୟ ଅତିବାହିତ କରନ୍ତି ।
ବିଶ୍ୱବିଦ୍ୟାଳୟପ୍ରାଙ୍ଗଣରେ ଶେଠ ବିରଳାଙ୍କ ଉଦ୍ୟମ ଓ ସାହାଯ୍ୟରେ ଶଙ୍ଖମଲମଲ ପଥରର ବିରଳାବିଶ୍ୱନାଥ ମନ୍ଦିର ନିର୍ମିତ । ଏଥିରେ ତିରିଶି ଲକ୍ଷ ଟଙ୍କା ବ୍ୟୟିତ ହୋଇଛି । ଏହି ଦ୍ୱିତଳ ପ୍ରାସାଦର ଉପରିଭାଗ କମନୀୟ ଚିତ୍ରମାନଙ୍କରରେ ଚିତ୍ରିତ । ଏହାର ମେଜିଆ ଚିତ୍ରିତ ମୋଜାଇକ ପଥରର । ଧଳା ମୁଗୁନି ପଥରର ସୁବିସ୍ତୃତ ଶକ୍ତି ଉପରେ ମସୃଣ କଳାମୁଗୁନି ପଥରର ଶିବଲିଙ୍ଗ ଅତୀବ ଚମତ୍କାର ଦେଖାଯାଏ । କାନ୍ଥ ଚାରିପଟେ ଗୀତାର ସାରଶ୍ଲୋକାବଳୀ ଓ ପୌରାଣିକ ଚିତ୍ରସକଳ ଅଙ୍କିତ । ତନ୍ମମଧ୍ୟରୁ ଚିତୋରର ମହାରାଣୀ ପଦ୍ମିନୀ ୨୪୦୦ ରାଜପୁତ ନାରୀଙ୍କ ସହିତ ଅଗ୍ନିରେ ଝାସ ଦେଇ ପବିତ୍ର ଜହରବ୍ରତ ପାଳନ କରୁଥିବାର ଦୃଶ୍ୟ ଅତୀବ ମର୍ମସ୍ପର୍ଶୀ । ଏହା ଏପରି ନିଖୁଣ ଭାବରେ ଚିତ୍ରତ ଯେ, ଦର୍ଶକର ନିୟନ ଲୋତକରେ ପୂରିଯାଏ । ଚିତ୍ରର ତଳେ ଦେବନାଗରୀ ଭାଷାରେ ଖୋଦିତ ହୋଇଛି—
“ସତୀନାଂ ପାଦରଜସା ସଦ୍ୟଃ ପୁତା ବସୁନ୍ଧରା” ।
“ସତୀଙ୍କ ପାଦଧୂଳି ଦ୍ୱାରା ସଦ୍ୟ ପବିତ୍ରା ବସୁନ୍ଧରା” ॥
ଅନ୍ୟ କାନ୍ଥଗୁଡ଼ିକରେ ସନ୍ଧ୍ୟାସ୍ରୋତ୍ର ଖୋଦିତ ଓ ବୁଦ୍ଧ ସୁଜତା, ଜଗଦ୍ଗୁରୁ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ, କାଶୀ ହିନ୍ଦୁବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ମଦନ ମୋହନ ମାଲବୀୟ, ଶ୍ରୀମଦ୍ଭାଗବତ ପାଠ କରୁଥିବା ଶୁକଦେବ, ସ୍ୱର୍ଗବୈଦ୍ୟ ଧନନ୍ତରୀ ବୁଦ୍ଧଦେବଙ୍କ ଶିବଦର୍ଶନ, ରାମକୃଷ୍ଣ ପରମହଂସ, ଲକ୍ଷ୍ନୀନାରାୟଣ ସନ୍ଥ ବୈଦାସ, କବୀର, ହରଗୌରୀ, ଗୁରୁଗୋବିନ୍ଦ ସିଂହ, କୃଷ୍ଣାର୍ଜ୍ଜୁନ, ଗୁରୁ ନାନକ, ବିକ୍ରମାଦିତ୍ୟଙ୍କ ରାଜସଭା ଓ ହନୁମାନର ଲଙ୍କାଦହନ ପ୍ରଭୃତି ବିଭିନ୍ନ ଚିତ୍ରାବଳୀ ସୁଶୋଭିତ ହୋଇ ଦର୍ଶକକୁ ଆଶ୍ଚର୍ଯ୍ୟାନ୍ୱିତ କରାଏ । ସହରର ଏହା ସର୍ବଶ୍ରେଷ୍ଠ ବିନୋଦନ ସ୍ଥାନ ବୋଲି ମୋର ମନେହେଲା ।
ତୁଳସୀଘାଟ:—ଏହାର ଅନ୍ୟନାମ ମଣିକର୍ଣ୍ଣିକା ଘାଟ । ପାର୍ବତୀ ଏଠାରେ କର୍ଣ୍ଣର କୁଣ୍ଡଳ ହଜାଇଥିଲେ ବୋଲି ଏହି ଘାଟର ନାମକରଣ ଏପରି ହୋଇଛି । ଗୋସ୍ୱାମୀ ତୁଳସୀଦାସ ଏହିଠାରେ ହିଁ ରଚନା କରିଥିଲେ ତାଙ୍କର ଅନବଦ୍ୟ ଭକ୍ତିର ସାପ୍ଲୁତ ମହାକାବ୍ୟ “ରାମଚରିତ ମାନସ”—ଶ୍ରୀରାମଙ୍କ ଲୀଳା ବର୍ଣ୍ଣନାରେ ତାଙ୍କର ଅମର ଲେଖନୀ ଏହିଠାରେ ଚାଲିଥିବ ଅଫୁରନ୍ତ ଗତିରେ । କଳ୍ପନାବଳରେ ସ୍ୱର୍ଗୀୟ ମହିମାକୁ ପାର୍ଥିବଲେଖନୀ ମୁନରେ ଉକୁଟାଇ କବି ହୋଇଥିବେ ପାଗଳ—ଆତ୍ମହରା—ହଜାଇ ଦେଇଥିବେ ନିଜର ମାନବିକ ସତ୍ତା—ସ୍ୱର୍ଗରାଜ୍ୟର ଦିବ୍ୟାମୃତ ପାନରେ ହୋଇଥିବେ ପାଗଳ—ରାମସୀତାଙ୍କ ପ୍ରଣୟ ରଚନା କରୁଥିବା ସମୟରେ ତାଙ୍କର ଶରୀର ହୋଇଥିବ ପୁଲକିତ—ରାମସୀତାଙ୍କ ବିରହରେ ଭାବୁକ ଭକ୍ତର ଚକ୍ଷୁକୋଣରୁ ଝରିପଡ଼ିଥିବ ତପ୍ତ ଅଶ୍ରୁ ପୁଣି ରାମରାବଣଯୁଦ୍ଧ ବର୍ଣ୍ଣନାବେଳେ ବଜ୍ରହୁଙ୍କାରରେ ପ୍ରକମ୍ପିତ ହୋଇଥିବ ଜାହ୍ନବୀର ପବିତ୍ର ତଟଭୂମି ।
ହରିଶ୍ଚନ୍ଦ୍ର ଘାଟରେ ରାଜା ହରିଶ୍ଚନ୍ଦ୍ର ଶ୍ମଶାନରକ୍ଷକ ହୋଇଥିଲେ । ପତିବ୍ରତା ଶୈବ୍ୟାଙ୍କୁ ଦୀନହୀନ ଅବସ୍ଥାରେ ତଥା ନିଜର ଏକମାତ୍ର ପୁତ୍ର ରୋହିତାଶ୍ୱକୁ ମୃତ ଅବସ୍ଥାରେ ଦେଖି ସୁଦ୍ଧା ତିଳେ ହେଁ ବିଚଳିତ ନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ସେ ଏହି ଘାଟରେ । କର୍ତ୍ତବ୍ୟବୋଧ ତଥା ସତ୍ୟର ପାଳନ ନିମିତ୍ତ ହିନ୍ଦୁଜାତି ଯେ ସର୍ବହରା ହୋଇପାରେ—ଏହାର ଜ୍ୱଳନ୍ତ ଉଦାହରଣ ଏହି ଘାଟ । କାଳର କରାଳଗତିରେ ସବୁ ନିଶ୍ଚିହ୍ନ ହୋଇଯାଇଛି । କର୍ପୂର ଉଡ଼ି ପଡ଼ି ରହିଛି କେବଳ କନା । ସେଦିନର ପ୍ରାବୃଟର ଅମା ଅନ୍ଧକାରରେ, ବର୍ଷୋନ୍ମୁଖୀ ମେଘର ଗୁରୁଗମ୍ଭୀର ଗର୍ଜନରେ ଶୈବ୍ୟା ହୁଏତ ଏଠାରେ ଭୀତତ୍ରସ୍ତା ହୋଇ ଚମକି ପଡ଼ିଥିବେ—ବିଜୁଳିର ଚକ୍ ଚକ୍ ଜ୍ୟୋତିରେ ମୃତ ପୁତ୍ର ଓ ଅସହାୟା ପ୍ରାଣପ୍ରିୟାକୁ ଦେଖି ହୁଏତ ହରିଶ୍ଚନ୍ଦ୍ର ଏଠାରେ କ୍ଷଣକ ପାଇଁ ନିର୍ବାକ୍ ହୋଇପଡ଼ିଥିବେ । ପୁତ୍ରଶୋକ ତଥା ଦୂରବସ୍ଥାଜନିତ ଉଷ୍ଣଅଶ୍ରୁ ଦୁହିଙ୍କର ନୟନରୁ ଗଣ୍ଡମଣ୍ଡଳ ଦେଇ ଗଡ଼ିଆସି ଏହି ଭୂମିକା ସିକ୍ତ କରିଥିବ । ସେତେବେଳେ ଦୀର୍ଘ ବିଚ୍ଛେଦ ପରେ ମିଳନ ମାଧୁରୀ ହୁଏତ ସେ ଅନୁଭବ କରିପାରି ନ ଥିବେ ।
ଘାଟ ଉପରେ ଏକ ମନ୍ଦିର । ସେଥିରେ ମୃତପୁତ୍ର ରୋହିତ, ଶୈବ୍ୟା ଓ ହରିଶ୍ଚନ୍ଦ୍ରଙ୍କ ମୂର୍ତ୍ତି ଦର୍ଶକକୁ ଅଭିଭୂତ କରେ ।
ଦଶାଶ୍ୱମେଧ ଘାଟରେ ଦଶଗୋଟି ଅଶ୍ୱମେଧଯଜ୍ଞ ଅନୁଷ୍ଠିତ ହୋଇଥିଲା । ତେଣୁ ଏହାର ନାମକରଣ ଏପରି ହୋଇଛି । କାଶୀର ଏହା ମଧ୍ୟ ଏକ ଜନାକୀର୍ଣ୍ଣ ଘାଟ । ସ୍ଥୂଳତଃ କାଶୀନଗରୀ ପୁରାତନ ହେଲେ ମଧ୍ୟ ଆଧୁନିକ ଛାଞ୍ଚରେ ଏହା ଗଠିତ । ଚାରିଆଡ଼େ ଉଚ୍ଚ ଅଟ୍ଟାଳିକା, ସଂସ୍କୃତପାଠଶାଳା, ସଙ୍ଗୀତ ଚଚ୍ଚାକେନ୍ଦ୍ର, ହାଇସ୍କୁଲ ଓ ମଲ୍ଲଶାଳା ଦେଖାଯାଏ । ଏଠାରେ ମୋର ଅବସ୍ଥାନ କାଳରେ ମୁଁ ଏକାବେଳକେ ଆତ୍ମବିସ୍ମୃତି ହୋଇପଡ଼ିଥିଲି । ନାଗରିକମାନେ ବେଶ୍ ମେଳାପୀ ଓ ଭଦ୍ର । ଏଠାରେ ବାସକରୁଥିବା ଦକ୍ଷିଣୀ ପଣ୍ଡାମାନେ ବଡ଼ ଉଦ୍ଧତ ଓ ଡକାୟତ । ଅପରିଚିତ ଯାତ୍ରୀମାନଙ୍କର ଧନଜୀବନ ବିପନ୍ନ କରିବାକୁ ଏମାନେ ତିଳେ ହେଲେ ପଛାନ୍ତି ନାହିଁ ।
କାଶୀର ଏକ ବୈଷ୍ଣବମଠ ମହନ୍ତଙ୍କ ଅଭିଷେକ ଉତ୍ସବରେ ମୁଁ ଯୋଗ ଦେଇଥିଲି । ରୂପାର ଛତ୍ର, ଚାମର ଓ ଚଉକୀ ପ୍ରଭୃତି ସୁନ୍ଦରଭାବେ ସଜା ହୋଇଥାଏ । ବେଦଧ୍ୱନିରେ ମଣ୍ଡପଟି ମୁଖରିତ ହେଉଥାଏ । ପଣ୍ଡିତ ଶ୍ରୀ ରାମକୁମାର ଚୌବେ ମଧ୍ୟ ଏଠାକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି । ସେ ଚଉଦଟି ବିଷୟରେ ଏମ୍.ଏ. ପାଶ୍ କରିଥିଲେ । ବର୍ତ୍ତମାନ ସେ ବନବାସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ଏବେ ସେ ୨୨ ଟି ବିଷୟରେ ଏମ୍.ଏ. ପାଶ୍ କରି ବିଶ୍ୱରେକର୍ଡ଼ ଭଙ୍ଗ କରିଛନ୍ତି ।
ଗଙ୍ଗାକୂଳର ଘାଟମାନଙ୍କରେ ପଣ୍ଡାମାନେ ବଡ଼ବଡ଼ ଛତା ପୋତିଥାନ୍ତି । ସକାଳେ ଓ ସନ୍ଧ୍ୟାରେ ଗୀତା, ଭାଗବତ ଓ ପୁରାଣପାଠ ହୁଏ । ଶ୍ରୋତାମାନେ ଏଠାରେ ପୁରାଣ ଶୁଣି ପୁରାଣ ପଣ୍ଡାମାନଙ୍କୁ ଯଥା ଶକ୍ତି ଦକ୍ଷିଣା ଦିଅନ୍ତି । ପଣ୍ଡାମାନଙ୍କର ମନ୍ତ୍ର ପାଠ, ସଂସ୍କୃତ ଉଚ୍ଚାରଣ, ବ୍ୟାଖ୍ୟା ଓ ହିନ୍ଦୀ ସରଳାର୍ଥ ଯେ କୌଣସି ଲୋକକୁ ମନ୍ତ୍ରମୁଗ୍ଧ କରିବ, ଏଥିରେ ସନ୍ଦେହ ନାହିଁ । ପ୍ରଭୁ ବିଶ୍ୱନାଥଦେବଙ୍କ କୃପାରୁ ମୁଁ ଏହି ପୁଣ୍ୟନଗରୀକୁ ପାଞ୍ଚଥର ଆସିବାର ସୁଯୋଗ ପାଇଛି ।