ଅସହଯୋଗୀର ଆତ୍ମକଥା — ଲକ୍ଷ୍ମୀକାନ୍ତ ମହାପାତ୍ର · ସ୍ୱର୍ଣ୍ଣଲିପିମୁଁ ଥିଲି ତମ ଆମ ଭଳିଆ ଖାଲି ମଣିଷ, କର୍ମ ଗୁଣରେ ହୋଇ ପଡ଼ିଲି ନନ୍କୋଅପରେଟର୍ । ଯେପରି ଗୋଟିପୋକ ଦେହରେ ଡେଣା ବାହାରିଲେ ସେ ପ୍ରଜାପତି ହୋଇଥାଏ, ସେହିପରି ମୁଁ ଖଦଡ଼ ପକ୍ଷ ଲଗାଇ ପୁରା ଦସ୍ତୁର ଭଲିଣ୍ଟିଅର୍ ହୋଇଗଲି । ଅସହଣି ଲୋକେ ଟାପରା କରିବେ ‘ପିମ୍ପୁଡ଼ି ଦେହରେ ଡେଣା ହେଲା’ ବୋଲି । କିନ୍ତୁ ଆମର ଡେଣା ହେବାଟା evolution ନୁହେଁ–revolution । ଠିକ୍ କରି କହିବାକୁ ଗଲେ metamorphosis । ଏ metamorphosis ଟା କିପରି ହେଲା ଜାଣନ୍ତି ? ‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ।’
ସେତେବେଳେ ପଢ଼ୁଥାଏଁ ସେକେଣ୍ଡ କ୍ଳାସ୍ରେ; ଦେଶରେ ଗାନ୍ଧିଗୋଳ ଲାଗିଲା । ସମସ୍ତେ କହିଲେ କି, ସ୍କୁଲ ଉଠିଯିବ, ସରକାର ଉଠିଯିବ, ରେଲ ଉଠିଯିବ, ଟେଲିଗ୍ରାଫ୍, ମଟର, ଘଡ଼ି, ସାଇକଲ, ସବୁ ଉଠିଯିବ, ଲୋକେ ଚାହାଳୀ ଟୋଲ୍ରେ ପାଠ ପଢ଼ିବେ, ପୟଦଲ୍ରେ ବାଟ ଚାଲିବେ, ଜଳଯନ୍ତ୍ରରେ ସମୟ ଜାଣିବେ, ସ୍ୱାଭାବିକ ଜୀବନଯାପନ କରି ଲଙ୍ଗଳା ହୋଇ ରହିବେ । ଫଳକଥା–ସତ୍ୟଯୁଗ ଫେରିଆସିବ, ଅତଏବ ବେଳଥାଉଁ ଆପଣା ଆପଣାର କିନାରା କଟକଣା କରିନିଅ । ଏ କଥାରେ ବୋକାଲୋକେ wait and see ନୀତିଧରି ଜଳକାଙ୍କଭଳି ଚାହିଁ ରହିଲେ, ଆଉ ଆମ ଭଳିଆ ଚଲାଖ ପିଲାଏ ନିଜ ନିଜର ରାହା ଉଣ୍ଡି ନେଲେ । ମୁଁ ଠିକ୍ ବୁଝି ନେଇଥିଲି ଯେ ‘‘ଜୋର ଯା’ର ମୁଲକ ତା’ର’’ ଦିନ ଆସୁଛି ।
ମନଟା ବଡ଼ ଖୁସିଥାଏ କି, ଆଉ ଯାହାହେଉ ପଛକେ, ନଗଦ ଲାଭ ଉପରେ କ୍ଳାସ୍ଉଠା ପରୀକ୍ଷାରୁ ଖଲାସ । କେବଳ ଦୁଃଖ ମୋ ସାଇକେଲ୍ଟା ସକାଶେ । ମନ ଭିତରେ ଠାକୁରଙ୍କୁ ଡାକୁଥାଏ କି, ରେଳଟା ଉଠିଯାଉ ପଛକେ ଏକା ରେଳବାଇ ହୋଟେଲଟି ଚିରଜୀବୀ ହୋଇଥାଉ ।
ମୋର ଭାରି ଅହନ୍ତା ଥିଲା ଆମ ଆସିଷ୍ଟାଣ୍ଟ୍ ହେଡ଼୍ମାଷ୍ଟର ଅନାଦିବାବୁ ଉପରେ । ସେ ମୋତେ ମୂଳରୁ ଦେଖିପାରେ ନାହିଁ । ମୁଁ ଯେପରି ତା’ର ଦି’ ଆଖିର ବିଷ । ତା’ ଠିଆଠିଆ କଳା ନିଶ ଯୋଡ଼ାକ ଆଉ ତା’ ତଳେ ଅଧା ନାଲି ଅଧା ଧଳା ଫାଙ୍କଫାଙ୍କ ଦାନ୍ତ ପାଛିଆକ ଘେନି ଆମ ଭଳିଆ ନିରୀହ ପିଲାଙ୍କର ସେଇଟା ଥିଲା ଗୋଟାଏ ମୂର୍ତ୍ତିମାନ୍ ଯମ । ଟିକିଏ ହସେ ନାହିଁ, ମୁହଁଟା କରିଥାଏ ସବୁବେଳେ ଦରଗଢ଼ା ହାଣ୍ଡିଟାପରି । ଯେପରି ତା’ ବାପ ଗୋସବାପ ଚୌଦ ପୁରୁଷର ଶହେ ଷାଠିଏ ବୁଜୁଳା କିଏ ଖାଇଛି ! ମୁଁ ମନେମନେ ଠିକ୍ କରିନେଲି କି ସରକାରଟା ଉଠିଗଲେ ସେ ଅନାଦିଆ ମାଷ୍ଟର୍କୁ, ଆଉ ମୋ ନାଁରେ ସେଦିନ ଗୁହା ଗୁଜୁରିଥିଲା ଯେଉଁ ନବା, ତାକୁ ଆଚ୍ଛାକରି ଶିଳେଇଦେବି ଦିନେ । ଦେଖି ନେବି, ମୋତେ ବାପୁଡ଼ା କିମିତି ରଷ୍ଟିକେଟ୍ କରିବାକୁ ବସିଥିଲା । ଗାନ୍ଧିଙ୍କ ମୁଖରେ ଫୁଲ ଚନ୍ଦନ ପଡ଼ୁ, ଏ କାମଟା କିମିତି ସଫଳ ହୋଇଯାଉ । ତେବେ ଆମପରି ଟୋକାଏ ମନପ୍ରାଣ ଖରଚକରି ଲାଗି ନପଡ଼ିଲେ ସେ ଏକୁଟିଆ ବା କରିବେ କ’ଣ ?
ଏହିପରି ସାତ ପାଞ୍ଚ ଭାବିଚିନ୍ତି ଆମେ କେତେଜଣ ବିଚାରସାର ହୋଇ ଦିନେ ଅନାଦିବାବୁ ଯେତେବେଳେ କ୍ଳାସରେ ପଢ଼ାଉଥାଏ ସେତିକିବେଳେ ହଠାତ୍ ‘‘ଜୟ ଗାନ୍ଧିମହାରାଜ୍ କି ଜୟ’’ ବୋଲି ବୋବାଳି ଉଠିଲୁଁ । ଅନାଦିର ତ ଅକଲ ଗୁଡ଼ୁମ୍ । ତା’ର ସେ କଳା ମଚମଚ ଗମ୍ଭୀର ମୁହଁଟାରେ କିଏ ଯେପରି ଗଇଣ୍ଠା ପାଉଁଶ ଲେପି ଦେଇଗଲା । ସେ ତା’ର ଲାଲ୍ଲାଲ୍ ଆଖି ଯୋଡ଼ାକ ତଳକୁ କରି–ମୁଁ ତ’ ଗଡ଼ ଜିତିଲାପରି ବହିଗୁଡ଼ାକ କଚାଡ଼ି ଦେଇ କ୍ଲାସରୁ ବାହାରି ଆସିଲି; ମୋ ପଛେପଛେ ଆହୁରି କେତେଜଣ ବି ବାହାରି ଆସିଲେ । ଅନାଦିବାବୁଙ୍କୁ ଏପରି ଭେଳେକା ମାରି ଯାଇଥିଲା, ତା’ର ସେ ତେଜ–ଫୁର୍ତ୍ତି ତ’ କୁଆଡ଼େ ଗଲା, ସେ ବର୍ତ୍ତମାନ କ’ଣ କରିବ କିଛି ବୁଝଇ ନପାରି ଆଖି ବୁଜିଦେଇ ତଳକୁ ମୁହଁପୋତି କାଠ ହୋଇ ବସିଗଲା । ସେତେବେଳେ ତା’ଗାଲ ବା ପିଠି କୁଣ୍ଡାଇ ହେଉଥିଲା କି ନାହିଁ କେଜାଣି । ବୀରତ୍ୱର ପ୍ରଥମ ପରୀକ୍ଷାରେ ପାସ୍କରି–ଆପଣା ମନରେ ଗଦାଏ ବଳ ଆସିଲା ମୋର । ଧନ୍ୟ ଗାନ୍ଧିଙ୍କ ମହିମା !
ଆମ ଗୋଳ ଶୁଣି ଇସ୍କୁଲର ଅପର କ୍ଲାସ୍ମାନଙ୍କରୁ ଆହୁରି ଅନେକ ପିଲାଏ ବାହାରି ଆସିଲେ । ଫାଟକ ପାଖରେ ସମସ୍ତେ ଗୋଟାଏ ଧାଡ଼ିକରି ଛିଡ଼ା ହେଲୁଁ, ଆଉ ‘ବନ୍ଦେ ମାତରମ୍’ କହି ମାର୍ଚ୍ଚକରି ଚାଲିଲୁ । ଆଗଭର ହୋଇ Lead କରୁଥାଏ ମୁଁ । ଏକା କଣେଇ କଣେଇ ଚାହୁଁଥାଏ ଟିକିଏ ସ୍କୁଲଆଡ଼କୁ । ବାରଣ୍ଡାରେ ହେଡ଼୍ମାଷ୍ଟର ଛିଡ଼ା ହୋଇ ମୁରୁକିମୁରୁକି ହସୁଥାଏ । ସେଦିନ ଆମେ ସହର ଯାକ Procession କରି ବୁଲିଲୁ । ଅନେକ ପିଲା ଆସି ଆମ ସାଙ୍ଗରେ ମିଶିଲେ । ବଜାରୀ ଟୋକା ବି କେତେ ମିଶିଲେ; ଦେଖଣାହାରୀ କେତେ ବି ମିଶିଲେ । ଏହିପରି ଆମ ଶୋଭାଯାତ୍ରାଦଳ ମସ୍ତ ଲମ୍ବ ହୋଇଗଲା । ସନ୍ଧ୍ୟା ସରିକି ସମସ୍ତେ ଯାଇଁ ପହଞ୍ଚିଲୁ ଆଶ୍ରମରେ-। ଆଶ୍ରମର ବଡ଼ବଡ଼ ଦାଢ଼ିଆ ମୁନି ଓ ବ୍ରହ୍ମଚାରୀମାନେ ଆମକୁ Welcome–ନା ନା, ଏଇଟା ବିଦେଶୀ ଶବ୍ଦପରା–ଆମକୁ ସବୁ ପାଛୋଟି ବା ସଙ୍ଖୋଳି ନେଲେ । ଆମ Honourରେ ସେଠେଇଁ ଗୋଟାଏ meeting ହେଲା (କ୍ଷମା କରିବେ, ଏପରି ଗୋଟାଏ ଗୋଟାଏ ଶବ୍ଦ ଆମ ସ୍ୱରାଜ୍ୟ ସେରସ୍ତାରେ ଚଳେ) ସେଠାରେ ଆମେ ସମସ୍ତେ ଗୋଟିଗୋଟି କରି vow ଗ୍ରହଣ କରି ଆମର ଧନ, ମନ, ପ୍ରାଣ, ମାନ ସବୁ ଦେଶ ସେବାରେ ଉତ୍ସର୍ଗ କଲୁଁ ଓ ଦେଶପଣ୍ଡା ବା ପୂଜାରୀମାନଙ୍କ ହସ୍ତରେ ଆତ୍ମ-ସମର୍ପଣ କଲୁଁ ।
ସମ୍ବନ୍ଧିତ ରଚନା
ଜୀବନ ପଞ୍ଜିକା (ପ୍ରଥମ ଭାଗ)ଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଆତ୍ମକଥାର କିୟଦଂଶରାଧାନାଥ ରାୟ ରାଧାନାଥ ରାୟ
ଏହି ହେଲା ଆମର ଦୀକ୍ଷା ଗ୍ରହଣ । ଏହି ଉତ୍ସବ ମଜଲିସିରେ ବହୁତବହୁତ ଗଳାବାଜି ହେଲା । ନବୀନ ସନ୍ନ୍ୟାସୀ ଆମ୍ଭେମାନେ ଧାଡ଼ିଧରି ଛିଡ଼ାହୋଇ ଜାତୀୟ ସଙ୍ଗୀତ ଗାଇଲୁଁ । ଓଃ, ସେଦିନ ମନରେ କି ଆନନ୍ଦ, ପ୍ରାଣରେ କି ସ୍ପୁର୍ତ୍ତି, ଅନ୍ତରରେ କି ଆବେଗପୂର୍ଣ୍ଣ ସ୍ପନ୍ଦନ ! ସେଦିନ ଯେ, କି ସ୍ୱାଧୀନତା କି ମୁକ୍ତିର ଝଞ୍ଜା ଅନୁଭବ କରୁଥାଏ ସେ କଥା କ’ଣ କହିବି ! ଏ ସୟତାନୀ ଶାସନ ଧୂଳିସାତ୍ କରିବାକୁ ହେବ । ଏ ସୟତାନୀ ଶିକ୍ଷା ପ୍ରଣାଳୀ ଭାଙ୍ଗି ଚୂର୍ମାର୍ କରିଦେବାକୁ ହେବ । ଧ୍ୱଂସ ଧ୍ୱଂସ । ଆଗେ ଧ୍ୱଂସ ନହେଲେ ସୃଷ୍ଟି ଆସିବ କାହୁଁ ? ବିନାଶ ନ ହେଲେ ଗଠନ ଆସିବ କାହୁଁ ? ମିଥ୍ୟା ଓ ଜୁଆଚୋରୀର ଭିତ୍ତି ଉପରେ ପ୍ରତିଷ୍ଠିତ ଏ ଭଣ୍ଡ ସରକାର ସହିତ ସମସ୍ତ ସମ୍ପର୍କ ତ୍ୟାଗକରି ପ୍ରାୟଶ୍ଚିତ୍ତଦ୍ୱାରା ଅଙ୍ଗଶୋଧନକରି ନୂତନ ସତ୍ୟରାଜ୍ୟ ପ୍ରବର୍ତ୍ତନ କରିବାକୁ ହେବ । କରିବ କିଏ ? ନା–ଆମେ ! ‘ଆମେ’ ବୋଇଲେ ‘ମୁଁ’ । କାରଣ ମୁଁ ହେଲି ଏ କାର୍ଯ୍ୟରେ Pioneer–ଅର୍ଥ ଆଗୁଆ । ସେଦିନ ଆଉ ବସାକୁଯିବା ହେଲାନାହିଁ । ତହିଁ ଆରଦିନ ଦୋଳାଚଳ ଚିତ୍ତବୃତ୍ତି ହୋଇ ଧୀରେଧୀରେ ବସାଆଡ଼କୁ ଚାଲିଲି । ବସାରେ ନନାଥିଲେ । ସାନ ଭାଇଟିଏ ଥିଲା-। ନନା ଆଗରୁ ସବୁ ଶୁଣି ସାରିଥିଲେ ଆମର କୀର୍ତ୍ତିକଳାପ । ମୋ ଉପରେ ନଜର ପଡ଼ିଲା କ୍ଷଣି ତ ଦାନ୍ତକାମୁଡ଼ି ଭୀମମୂର୍ତ୍ତି ହୋଇ ଆସିଲେ । ଏକଦମ୍ କଡ଼ା ହୁକୁମ ହେଲା କି, ‘‘ୟାକୁ ଏଠୁ ବାହାର କରିଦିଅ, ମୁଁ ଆଉ ୟା ମୁହଁ ଚାହିଁବି ନାହିଁ ।’’ ମୁଁ ବି ସେଇୟା ଖୋଜୁଥିଲି, ସାଙ୍ଗେସାଙ୍ଗେ ବାହାରି ଚାଲିଆସିଲି । ଏ ସୁବିଧା ଛାଡ଼େ କିଏ ? ବାଟେବାଟେ ଆସି ଆଶ୍ରମରେ ଦାଖଲ । ହେଠି ତ ସେତେବେଳେ ଅବାରିତ ଦ୍ୱାର । ଯେ ଆସିବ ‘ସ୍ୱାଗତମ୍’ । ଚୂଡ଼ା ଚାଉଳର ତ’ ଅଭାବ ନାହିଁ-। ତହିଁ ଉପରେ ଯେ, ନେଇଆଣି ଥୋଇ ପାରିଲେ ତା’ର ଚବ୍ୟଚୋଷ୍ୟାଦି ବା ପଚାରେ କିଏ !
ମୋର ପିନ୍ଧାଥିଲା ବିଲାତି ଧୋତି ଓ ପଞ୍ଜାବୀ–ତାକୁ ସବୁ ଅଗ୍ନିରେ ଉଝାଇ ଦେବାକୁ ପଡ଼ିଲା । ତତ୍କ୍ଷଣାତ୍ ନୂଆ ଭେକ ଧାରଣ କଲୁଁ । କେବଳ ଲଣ୍ଡା ହେବାକୁ ପଡ଼ିନାହିଁ । ଆମର ବାରିଷ୍ଟରୀ ଛାଁଟ୍ ଟୋପର ବାଳଟା ରହିଗଲା । ହଁ, ଦୀକ୍ଷା ନେବାଟା ସିନା ସରିଥିଲା, ଗୁରୁ ଉପଦେଶ ତ’ ହୋଇନଥିଲା । ନିତ୍ୟାଚାର ପଦ୍ଧତିଗୁଡ଼ିକ ନଜାଣିଲେ ଚଳିବ କିପରି ? ଦେଖିଲି ଯେ, ସେଠି ଗୁରୁ ଅନେକ । ସମସ୍ତେ ସମସ୍ତଙ୍କର ଗୁରୁ ଓ ସମସ୍ତେ ସମସ୍ତଙ୍କର ଚେଲା । ଅର୍ଥାତ୍ ‘‘କେହି କାହାରି ଗୁରୁନୁହେଁ କି କେହି କାହାରି ଚେଲାନୁହେଁ !’’ ଏପରା ହେଲା ସାମ୍ୟ, ମୈତ୍ରୀ, ସ୍ୱାଧୀନତାର ପୀଠ ! ସବୁ ଭାଇ ଭଗିନୀ । ଭାଗ୍ୟକୁ ବାପା ଏଠି member ନଥିଲେ । ଯାହାହେଉ ବଡ଼ବଡ଼ କେତେଜଣ ବସି ଆମକୁ ଅନେକ ରକମ ବୁଝାଇଲେ । ଏ କାର୍ଯ୍ୟରେ କିପରି ଦମ୍ଭ, କିପରି ସତ୍ସାହସ, କିପରି ଏକାଗ୍ରତା, କିପରି ସ୍ୱାର୍ଥତ୍ୟାଗ ପ୍ରଭୃତି ଦରକାର, ତାହା ସବୁ ଅନେକ ପ୍ରକାର ବଖାଣି କହିଲେ । ଆମେ କାକୁସ୍ଥ ହୋଇ ସବୁ ଶୁଣି ଗଲୁଁ । ମନଟା ଏକା ଭ୍ରମୁଥାଏ କୁଆଡ଼େ ବୋଲି କୁଆଡ଼େ । କାରଣ ସବୁକଥା ଆମେ ବୁଝିପାରୁ ନଥାଉଁ । ସାରକଥା ଏତିକି ବୁଝିଲୁ ଯେ ଆମକୁ ‘ଅସହଯୋଗ’ କରିବାକୁ ହେବ, ଓ ସତ୍ୟାଗ୍ରହ କରିବାକୁ ହେବ । ଏ ଅସହଯୋଗଟା କିପରି ନା, ହାଲକୁ ପାଠପଢ଼ା ଛାଡ଼ିବୁ, ଆଉ ବାବା ଓ ନନାଙ୍କ କଥା ମାନିବୁ ନାହିଁ-। ସୟତାନୀ ନୀତିର ପରିପୋଷକ ଯେ ତା’ର ଅନୁବର୍ତ୍ତନ କରିବାହିଁ ମହାପାପ, କାରଣ ତାହା ଆମ ଭିତରେ ଯେଉଁ ବିବେକରୂପୀ ପରମାତ୍ମାପୁରୁଷ ଅଛନ୍ତି ତାଙ୍କ ସହିତ ବିଦ୍ରୋହାଚରଣ । ଆଉ ସତ୍ୟାଗ୍ରହଟା କ’ଣ ନା ଯିଶୁଙ୍କ ପରି ଏ ଗାଲରେ ଚାପୁଡ଼ା ଖାଇ ସେ ଗାଲ ଦେଖାଇ ଦେବାକୁ ଦେବ–କିମ୍ବା ନିତ୍ୟାନନ୍ଦଙ୍କ ଭଳି ‘ମାର୍ ଖେୟେ ପ୍ରେମ ବିଲାଇବା’ ଏହିପରି କେତେ କ’ଣ ଉପଦେଶାମୃତ ପାନ କରୁକରୁ ତଦ୍ଗତ ହୋଇ ଶୋଇ ପଡ଼ଲି ।
ଆଶ୍ରମରେ ମୋର ରହଣି ହୋଇଗଲା । ବଡ଼ ଆନନ୍ଦରେ ଦିନ କଟୁଥାଏ ପହିଲୁ ସହିଲୁ-। ଚାରିଆଡ଼େ ‘ବାହାବା, ବାହାବା’ ଚାରିଆଡ଼େ ‘ଆଦର ଗଉରବ’ । ଖବରକାଗଜମାନଙ୍କରେ ଆମ ନାଁ’ରେ ଡିବି ଡିବି ବାଜିଲା । ତହିଁ ମଧ୍ୟରେ ମୋ ନାଁ’ଟା ପ୍ରଧାନ । ଓଃ କି ଜ୍ୱଳନ୍ତ ତ୍ୟାଗ, କି ଜୀବନ୍ତ ଦେଶଭକ୍ତି ! ଆମ କୀର୍ତ୍ତିକଳାପ ସମସ୍ତ ଛାତ୍ରଙ୍କର ideal (ଆଦର୍ଶ) । ଏହିପରି ପ୍ରଶଂସା ଶୁଣୁଶୁଣୁ ଛାତି କୁଣ୍ଢେମୋଟ ହୋଇଗଲା, ମନମୋହନର ପେଟ ଫାମ୍ପି ଫାଟିଯିବାକୁ ବସିଲା ! ମୁଁ କେଜାଣି ଗୋଟାଏ କ’ଣ । ‘ମୋ’ରି ଦେହରେ ପୁଣି ଏତେଗୁଡ଼ାଏ ଗୁଣଥିଲା ! ଆଗରୁ ଏଥିରୁ ଟିକିଏ ଜଣା ପଡ଼ିଥିଲେ କି ଅନାଦିବାବୁ ମୋତେ ଏତେସରି କରିଥାନ୍ତା-! ଏହିକ୍ଷଣି ସେ କେଉଁଠି, ଆଉ ମୁଁ କେଉଁଠି ? ସେ କରୁଛି–ଗୋଲାମଗିରି ଆଉ ମୁଁ-? ମୁଁ ଜନନୀ ଜନ୍ମଭୂମିର ଉଦ୍ଧାର ନିମନ୍ତେ ଦେଶର ସ୍ୱାଧୀନତାର ବିଜୟ ବୈଜୟନ୍ତୀ ଉଡ଼ାଇଛି, ଭାରତମାତାର ଦୁର୍ଦ୍ଦଶା ମୋଚନ କରିବାପାଇଁ ଦୁନ୍ଦୁଭିନିନାଦରେ ଜଗତ କମ୍ପାଉଛି । ସମଗ୍ର ଦେଶଟାକୁ ପରାଧୀନତା–ସମୁଦ୍ରପାର କରାଇବା ସକାଶେ କର୍ଣ୍ଣଧାର ରୂପରେ ବୋଇତ ଘେନି ଛିଡ଼ା ହୋଇଛି-! ଆଉ ସେ ନବାଟା କଥା ? ଛି–ମୁଁ ଗୋଟାଏ ଆଉ ସେ ଗୋଟାଏ !
ଆଶ୍ରମରେ ଆମେ ଥାଉଁ ଭଲଣ୍ଟିୟର୍ ଅନେକଗୁଡ଼ିଏ । ଆମର ଆଶ୍ରମର ନାମ ହେଲା workers ବା କର୍ମୀ; ଲୋକେ କିଏ କେତେପ୍ରକାର କହନ୍ତି । କର୍ମୀଙ୍କର ପ୍ରଧାନତଃ ଦୁଇଟା ବିଭାଗ । ପ୍ରଥମ ଦଳର କାର୍ଯ୍ୟ ସ୍ୱରାଜ–ଭିକ୍ଷା, ଆଉ ଦ୍ୱତୀୟ ଦଳର କାର୍ଯ୍ୟ ଖଦି ପ୍ରଚାର ଓ ଲୋକଶିକ୍ଷା । ପ୍ରଥମ ଦଳ ଯେ, ପ୍ରଚାର କାର୍ଯ୍ୟ ବା propaganda କାମ ନକରିବେ, ଏହା ନୁହେଁ; ତଥାପି ଭିକ୍ଷା ସଂଗ୍ରହ ତାଙ୍କର ପ୍ରଧାନ କାର୍ଯ୍ୟ । ସେହିପରି ଦ୍ୱିତୀୟଦଳ ପ୍ରଚାର propaganda ବା picketing ଯାହା କରନ୍ତୁ ପଛକେ କିଛି ହାତ ପଇଠ ହେବାର ଦେଖିଲେ ଛାଡ଼ିବେ ନାହିଁ । ଏଣେ ସମସ୍ତେ ଆମେ ସତ୍ୟାଗ୍ରହୀ ବା passive resisters ଅର୍ଥାତ୍ ବିଧା ବସିଲେ ପିଠି ଦେଖାଇବା ବାଲା ।
ପ୍ରଥମ ଦଳର କଥାଟା ଆଗେ କହିବି । ଏହି ଭିକ୍ଷୁକ ଦଳଙ୍କ କାନ୍ଧରେ ଗୋଟାଏ ଲେଖାଏଁ ଝୁଲା । ‘ଭିକ୍ଷାଂ ଦେହି ଭିକ୍ଷାଂ ଦେହି’ ବୋଲି କହି ଭିକ୍ଷା ମାଗିବା ଆମର ଧର୍ମ ବିରୁଦ୍ଧ–ଆମେ ଆତ୍ମଶକ୍ତି ଉପରେ ନିର୍ଭର କରୁ । ଏ କଥା ନିଜେ ମହାତ୍ମାଜୀ କହିଛନ୍ତି । ସେଥିପାଇଁ ସରକାରଙ୍କୁ ଆମେ କିଛି ମାଗୁନାହିଁ । କିନ୍ତୁ ଆପଣାର ଭାଇ ଭଉଣୀଙ୍କ ପାଖରେ ଲାଜ ସରମ କ’ଣ-? ଚକୁଳିଆପଣ୍ଡା ଦେଖିଥିବେ; ସେ ‘ଦେ’ ପଦ କହେ ନାହିଁ, କିନ୍ତୁ ରଡ଼ିମାନ ଛାଡ଼ି ଦୁଆର ଦୁଆର ଥାଳ ପତାଇ ବୁଲୁଥାଏ । ତା’ ଭିତରେ ଯେ, ଦେଲା ତ’ ଭଲ, ଯେ, ନ ଦେଲା ତାକୁ କିଛି ନମାଗି, ଗୀତରେ ଗୁଡ଼ାଏ ଗାଳିଗୁଲଜ କରି ଚାଲିଯାଏ । ଆମେ ସେହିପରି ଝୁଲିଟି ଦେଖାଇ ଛିଡ଼ା ହେଉଁ-। ଆମ ଗାନ୍ଧି ଟୋପି ଓ ଖଦଡ଼ ପୋଷାକ ଦେଖି ଲୋକେ ବୁଝନ୍ତି, ଯେ ନବୁଝି ପଚାରେ ତାକୁ ‘‘ସ୍ୱରାଜ ଭିକ୍ଷା’’ ବୋଲି ଜଣାଇ ଦେଉଁ । ସମସ୍ତେ ମୁଠାଏ ମୁଠାଏ ପକାଇ ଦିଅନ୍ତି । ବଜାରର ଦୋକାନୀମାନେ କିଏ ଚାଉଳ, କିଏ ଡାଲି, କିଏ ପନିପରିବା, କିଏ ପିଆଜ, ଲଙ୍କାମରିଚ ଦିଅନ୍ତି-। କେହି କେହି ପଇସା ପକାନ୍ତି । ଏ ହେଲା ସାଧାରଣ ଭିକ୍ଷା ବା ମୁଷ୍ଠିଭିକ୍ଷା । ଏହାଛଡ଼ା ଆମର ଆହୁରି ରକମେ ଭିକ୍ଷା ଅଛି । ସେଇଟା ଅସାଧାରଣ ବା Special ଭିକ୍ଷା, ଅର୍ଥାତ୍ କୌଣସି ଗୋଟିଏ ବିଶିଷ୍ଟ କାରଣ ଘେନି । ନିତି ଭିକ୍ଷା ହେଲା ପେଟ ପୋଷିବା ସକାଶେ । ଆଉ ବିଶିଷ୍ଟ ଭିକ୍ଷାଟା ଅନ୍ୟାନ୍ୟ ବିଶିଷ୍ଟ ଖରଚ ନିମନ୍ତେ । ଗୋଟାଏ କୌଣସି ବିଶିଷ୍ଟ ଘଟନା ବା କାର୍ଯ୍ୟ ଉପଲକ୍ଷ୍ୟରେ ବା ବିଶିଷ୍ଟ ବ୍ୟକ୍ତିର ନାମ ଜୋରରେ ଏ ଭିକ୍ଷା ହୁଏ । ଯଥା–ତିଳକଙ୍କ ଜନ୍ମଦିନ–ଦିଅ ଚାନ୍ଦା, ଆଜି ଗାନ୍ଧି ଦିବସ–ଦିଅ ଚାନ୍ଦା, ଆଜି ଅମୁକ ଜେଲ ଗଲେ–ଦିଅ ଚାନ୍ଦା, ଆଜି ଅମୁକ ଜି ଆସିଛନ୍ତି–ଦିଅ ଚାନ୍ଦା । ଏହିପରି କେତେ କହିବି । ଏହାଛଡ଼ା ଆମର ନିଜର ବା ସ୍ଥାନୀୟ କାମ କେତେଗୁଡ଼ିଏ ମଧ୍ୟ ଥାଏ । ସେ ଗୁଡ଼ାକ ଯଥା–ଆଜି ଅମୁକ ସ୍ଥାନରେ ସମ୍ମିଳନୀ ହେବ, ଢମୁକ ପଡ଼ିଆରୁ ପଟୁଆରା ବାହାରିବ, ଢମୁକ ସ୍ଥାନରେ ଜାତୀୟ ବିଦ୍ୟାଳୟ ବସିବ, ସମୁକ ଯାଗାରେ ଅରଟ କିଣା ଓ ଖଦଡ଼ ପ୍ରଚାର ହେବ, ଇତ୍ୟାଦି । ଏସବୁ କାମରେ ମାତବ୍ବୁର ଲୋକେ ବାହାରନ୍ତି-। ଯଥା–ମୁଁ । କାରଣ ଭିଖ ମାଗିବାର ଯେଉଁ art ବା କାଏଦା ଅଛି ଏ କ୍ଷେତ୍ରରେ ସେଇଟା ବେଶି ଲୋଡ଼ା ପଡ଼େ । ଆମେ ପରୀକ୍ଷା କରି ଦେଖିଛୁ, ଯେଉଁମାନେ ଏଇ ମାଗନ୍ତା ବିଦ୍ୟାଟା ଭଲରୂପେ ହାସଲ କରି ଅଛନ୍ତି, ସେମାନେ ଗଲେ ଅଧିକ ଆୟ କରନ୍ତି । ମାଗିବାର ସାଧାରଣ ନିୟମ ହେଉଛି କାକୁତି, ମିନତି କରିବା ଓ ଦରକାର ପଡ଼ିଲେ ଗୋଡ଼ତଳେ ପଡ଼ିଯିବା-। ଏଥିରେ ଭଲ ପଇସା ମିଳେ । କୌଣସି କୌଣସି ସ୍ଥାନରେ ଫସଲ ମିଳିଯାଏ ମଧ୍ୟ । ଏ ସମସ୍ତର ହିସାବପତ୍ର ରୀତିମତ ଥାଏ । କିନ୍ତୁ ଥାଏ ନାହିଁ ଗୋଟାଏ କଥା–Check । ଆଉ କହିବାକୁ ଗଲେ Check କରିବାର ବା ଉପାୟ କ’ଣ ? ଅନେକ ସରକାରୀ ବ୍ୟକ୍ତି ବା ଜମିଦାର ଶ୍ରେଣୀର ଲୋକେ ଅଛନ୍ତି । ଯେଉଁମାନେ ପୁଲିସକୁ ଭୟ କରନ୍ତି; ସେମାନେ ଚାନ୍ଦା ଦେଲାବେଳେ ନାମ ଲେଖିବାକୁ ମଙ୍ଗନ୍ତି ନାହିଁ । ଏପରି କି ‘ଜଣେ ଦାତା’ ‘କୌଣସି ବନ୍ଧୁ’ ବୋଲି ଲେଖିବାକୁ ସୁଦ୍ଧା ନାସ୍ତି କରନ୍ତି । ଅତଏବ ତାହା ଲେଖିବା ବା ନଲେଖିବା ଆମ ପେନ୍ସିଲ୍ର ଖୁସି ଉପରେ ନିର୍ଭର କରେ-।
ଗାନ୍ଧିଙ୍କ ନାଁ’ଟା ଏକା ଏପରି ମନ୍ତ୍ରଶକ୍ତିବତ୍ କାର୍ଯ୍ୟ କରୁଥାଏ ଯେ, ଗାନ୍ଧିଲୋକ ଆସିଛନ୍ତି ବୋଇଲେ ଅଦିଆ ବ୍ୟକ୍ତିସୁଦ୍ଧା ପକେଟ ଅଣ୍ଡାଳି ପକାଏ । ଏହାଛଡ଼ା ଉର୍ବର ମସ୍ତିଷ୍କ ନେତାମାନେ ସାଧାରଣ ଲୋକଙ୍କ ମନରେ ଏହି ଗାନ୍ଧି ଭକ୍ତିଟା ଉଦ୍ରେକ ଓ ପୃଷ୍ଟ କରିବାପାଇଁ କେତେଗୁଡ଼ାଏ ଅଜଗୁବି ଗଳ୍ପ ଉଦ୍ଭାବନ କରିଥିଲେ, ସେଗୁଡ଼ିକ ନୂଆନୂଆ ରଙ୍ଗ ଦେଇ ତିଆରି କରିବା ଓ ପ୍ରଚାରର ସୁବିଧା କରିବା ମୋର ଥିଲା ଗୋଟାଏ କାମ । ସେପରି ଶତଶତ ଗଳ୍ପ ଅଛି, ସମସ୍ତେ କିଛି କିଛି ଶୁଣିଥିବେ, ଅତଏବ କହିବାର ଦରକାର ନାହିଁ । ତଥାପି ଗୋଟାଏ ଯୋଡ଼ାଏ ଉଦାହରଣ ଦିଏଁ । ଜଣେ କିଏ ଗାନ୍ଧିଙ୍କୁ ଟାପରା କରିଥିଲା ଯେ, ତା ପୁଅକୁ ସାପ କାମୁଡ଼ିଲା । ଯେତେ ଝଡ଼ାଫୁଙ୍କାରେ ଗଲାନାହିଁ । ମାତ୍ର ‘ଗାନ୍ଧି’ ‘ଗାନ୍ଧି’ ବୋଲି ତିନିଥର ଫୁଙ୍କି ଦେଲାରୁ ପିଲାଟି ଉଠି ବସିଲା ।
ଆଉ ଜଣେ କେଉଁଠି ହରତାଳ ଦିନରେ ହଳ କରୁଥିଲା ବୋଲି ତା’ର ବଳଦ କଚାଡ଼ି ପଡ଼ି ଅଚେତ ହୋଇଗଲା । ସେ ଗାନ୍ଧିଙ୍କୁ ମୁଣ୍ଡିଆ ମାରି ପାଣ୍ଠି ସକାଶେ କିଛି ଜୋରିମାନା ମନାସିବାରୁ ବଳଦଟା ପୁଣି ଛିଡ଼ା ହେଲା ।
ଆଉ କାହାର ଘର ପୋଡ଼ିଗଲା, ଆଉ କିଏ ମହାଦେବଙ୍କ ଠେଇଁ ଗୁହାରି ପଡ଼ିଥିଲା ଯେ, ତାକୁ ହୁକୁମ ହେଲା କି ‘‘ତୁ ଗାନ୍ଧିଙ୍କଠେଇଁ ଅମୁକେଇ ଅପରାଧ କରିଛୁ । ଆଶ୍ରମରେ କିଛି ଦେଲେ ବେମାରି ମୁକ୍ତ ହେବୁ ।’’ ଇତ୍ୟାଦି ଇତ୍ୟାଦି ।
ଚାହୁଁ ଚାହୁଁ ଗାନ୍ଧି ଠାକୁର, ଗାନ୍ଧି ଠାକୁରାଣୀ, ଗାନ୍ଧି ସିଦ୍ଧ, ଗାନ୍ଧି ହୁକୁମ, ଗାନ୍ଧିମେଳା ପ୍ରଭୃତି କେତେ କ’ଣ ସୃଷ୍ଟି ହୋଇଗଲା । ପ୍ରତ୍ୟକ୍ଷରେ ଆମେ ସବୁ ଏଥିରେ ନଥାଉଁ, କିନ୍ତୁ ଭିତରେ ଭିତରେ ଆମେ ହେଲୁଁ ମୂଳ ।
ଆମ ଦେଶର ଲୋକେ ମାଳିକା, ଗରୁଡ଼ ପୁରାଣ, କାଳିସୀ ପ୍ରଭୃତିରେ ବଡ଼ ବିଶ୍ୱାସ କରନ୍ତି । ଆମେ ସେଥିପାଇଁ ସେ ସବୁ କଥା ସାଙ୍ଗରେ ଗାନ୍ଧୀ କଥାମାନ ଏପରି ଖଞ୍ଜ ଖାଞ୍ଜରେ ଖାପ ଖୁଆଇ ଯୋଖି ଦେଲୁ ଯେ, କଥାକୁ କଥା ଖାସା ଲେଖି ହୋଇଗଲା–ବିଶେଷତଃ ସ୍ତ୍ରୀ ଲୋକଙ୍କଠେଇଁ । ବାସ୍ତବିକ ସ୍ତ୍ରୀ-ଜାତିଟା ଏତେ ବୋକା ଯେ, ତାଙ୍କୁ ବାଗେଇ ନେବା ଭାରି ସହଜ । ଖାଲି ତାଙ୍କ Sentiment କୁ ଟିକିଏ appeal କରି ଦେଲା ହେଲା । ଗାନ୍ଧିଙ୍କୁ ଅମାନ୍ୟ କଲେ ତାଙ୍କ ପୁଅ ପତିଙ୍କର ଅମଙ୍ଗଳ ହେବ, ଏତ ଅଛି ଏକ ଭୟ । ସେଥିରେ ଆମ ଭଳିଆ ପିଲାଙ୍କୁ ଦେଖିଲେ ତାଙ୍କର Sympathy ଜିନିଷଟା ବହକି ପଡ଼େ । ଏହା ଜାଣିଶୁଣି ଆମେ ସୁନ୍ଦର ସୁନ୍ଦର ପିଲା ଯୋଡ଼ିଏ ତିନୋଟି ସାଙ୍ଗରେ ରଖିଥାଉଁ । ସେ ପିଲାଏ ଏପରି ଶିକ୍ଷିତ ଯେ, କଅଁଳେଇ କଅଁଳେଇ ‘ମା’, ‘ମାଉସୀ’ ବୋଲି ଗେହ୍ଲେଇ ପଡ଼ନ୍ତି । ଏଥିରେ ଆଉ କି ସମ୍ଭାଳି ହେବା କଥା । ‘‘ଆହା କାହାର ଦୁଧଖିଆ ପିଲାଗୁଡ଼ିକ କେତେ କଷ୍ଟ ପାଉଛନ୍ତି ଗୋ ।’’ ଏହି ପିଲାଏ ଘରଆଡ଼େ ଭିତରକୁ ପଶି ପଇସା କଉଡ଼ି, ଗହଣା ଗଣ୍ଠି ଅନେକ ରକମ ମାରି ଆଣନ୍ତି । ଏଥିରୁ ଆଶ୍ରମ ପାଣ୍ଠିକୁ ଯିବା ନ ଯିବାଟା ଆମର ମଧୁର ଇଚ୍ଛା ଉପରେ ନିର୍ଭର କରେ । ତେବେ ଆମେ ସାଧାରଣତଃ ଆଠପଣରୁ ବେଶି ନିଜ ସକାଶେ ରଖୁନାହିଁ । ବାସ୍ତବିକ ନାର୍ଯ୍ୟଭାବରେ ଧରିବାକୁ ଗଲେ ଏ ସବୁ ଆମ କସରତ ବା ବାହାଦୂରୀ ଫଳ । ଆଶ୍ରମର ହକ୍ ରାଜଭାଗ ଅଧିକ । ଏଥିପାଇଁ ଆମ ବିପକ୍ଷ ଲୋକେ କେତେ ରକମର କଟୁ କଟାକ୍ଷ କରି ଥାଆନ୍ତି, ମାତ୍ର ତାଙ୍କର ବୁଝିବା ଉଚିତ୍ ଯେ, ଏହିପରି ନ୍ୟାୟ ସଂସାରରେ ସବୁ କଥାରେ ହୋଇଥାଏ । ଆମେ ଜାଣୁ ଦୁଷ୍ଟ ଲୋକେ ଦୋଷ ଦିଅନ୍ତି । ଏଇଟା ତ ଆମର କିଛି ଲୁଚା ଛପା କାରବାର ନୁହେଁ । ଆମେ ଯେ, ନିଜର ଘରଦ୍ୱାର, ସୁଖଶାନ୍ତି, ଆପଣାର ବାପ ମା ଭାଇ କୁଟୁମ୍ୱଙ୍କୁ ଛାଡ଼ି, ନିଜର ଭବିଷ୍ୟତକୁ ନଚାହିଁ ଏଥିରେ ପଡ଼ି ରହିଛୁ–ଆମେ ପୁଣି ଚଳିବୁ କିପରି ? ଆମେ ଏଥିରୁ ଏକ ପଇସା ଘରକୁ ଦେଉନାହୁଁ ବା ସଞ୍ଚୟ କରୁନାହିଁ-। ନିଜର ସୁଖ ସ୍ୱାଛନ୍ଦ୍ୟ ଓ ସ୍ୱାସ୍ଥ୍ୟ ସକାଶେ ଯାହା କିଛି ଖରଚ ତାକୁ ଯୋଗାଇବ କିଏ ? ଆମର ସ୍ୱାସ୍ଥ୍ୟ, ଶାନ୍ତି ବା ଜୀବନର ଅନିଷ୍ଟ ହେଲେ କ୍ଷତି କାହାର, ସମଗ୍ର ଦେଶର, ସମଗ୍ର ଜାତିର ନୁହେଁ କି-? କହିବାକୁ ଗଲେ ଏ କଥା ସମସ୍ତେ ଜାଣନ୍ତି, ସମସ୍ତେ ମଧ୍ୟ କରନ୍ତି–ବଡ଼ ବଡ଼ଙ୍କଠାରୁ ଆରମ୍ଭକରି ସାନ ପର୍ଯ୍ୟନ୍ତ । ସିଧା କଥାରେ ଏ ଗୋଟାଏ open secret–ସବୁ ଜାଣିଶୁଣି ଆଖି ବୁଜି ଦେବାକୁ ହୁଏ ମାତ୍ର ।
ଆମେ କର୍ମୀମାନେ ସମୟସମୟରେ ଗୋଟାଏ ପ୍ରକାର କର୍ମରେ ବାହାରୁ–ତା ନା ପିକେଟିଂ (picketing) । ପିକେଟିଂ ବୋଇଲେ କ’ଣ ଜାଣନ୍ତି ? ବିଦେଶୀ ଦରବ କିଣିବାରୁ ଲୋକଙ୍କୁ ନିବର୍ତ୍ତାଇବା ଓ ନିଶା ପଦାର୍ଥ ବିକ୍ରି ବନ୍ଦ କରିବା । ଏହାର କର୍ମସ୍ଥାନ ବଜାର ଓ ବଡ଼ ରାସ୍ତାଛକି । ପିକେଟିଂଟା ବେଜାୟ ଲାଭଜନକ କାର୍ଯ୍ୟ । ଦୁଃଖର କଥା, ଏଇଟା ବେଶିଦିନ ଚଳିଲା ନାହିଁ–ଆଉ ସେହି ହେତୁରୁ ବି ଅନେକ ମନମରା ହୋଇ ଦଳରୁ ଛାଡ଼ି ପଳାଇଲେ । ମୋହରିପରି ଦାନ୍ତ ନେକୁଟିଆଯାକ ସିନା ପେଟରେ ଓଦା କନା ଦେଇ ପଡ଼ି ରହିଲେ । ହଁ କ’ଣ କହୁଥିଲି କି, ଏହି ପିକେଟିଂ କରିବାକୁ ହୁଏ ପୂରା ଦଳଦଳ ଘେନି । ଆମ ଭିତରେ picketingର ନା ଦେଇଥାଉଁ pocketing । ପହିଲେ ଦୋକାନୀମାନଙ୍କ ପାଖରେ ପହଞ୍ଚିଯାଇ ବୁଝାଇବାକୁ ହୁଏ ଯେ ‘‘ଭାଇ, ତୁମେ ଆଉ ଅପବିତ୍ର ବିଦେଶୀ ଜିନିଷ ବିକ ନାହିଁ ।’’ ସେମାନେ ସାଧାରଣତଃ ଗୋଟାଏ ଉତ୍ତର ଦିଅନ୍ତି–‘‘ବାବୁ, ଆମେ ତ’ ଖରିଦ କରିସାରିଛୁ । ଏବେ ଏଗୁଡ଼ାକ କରିବୁ କ’ଣ ? ଏ ତ’ ହେଲା ଆମର ଜିବିକା । ୟାକୁ ଛାଡ଼ିଦେଲେ ନିଜ ପେଟ ପୋଷାହେବ କିପରି ? ଏଣେ କୁଟୁମ୍ୱ ଗଡ଼ି ମରିବେ ଯେ ।’’ ଏଭଳି ଉତ୍ତରକୁ ତ’ ପ୍ରତ୍ୟୁତ୍ତର ନାହିଁ ଜାଣି ସୁଦ୍ଧା ଅନେକ ରକମର ଯୁକ୍ତି ଦେଖାଇବାକୁ ହୁଏ । ସେପରି ଯୁକ୍ତିତର୍କ ଆମର ମୁଖସ୍ଥକରା ବୋଲି । ଆମେ ଗାନ୍ଧିଙ୍କ ଚାଟ, ଆମର ଜୋରଜବରଦସ୍ତି କରିବା ମନା; ସୁତରାଂ ଯେତେ କଅଁଳ କଥାରେ ପାରୁ, କହୁଁ । ନୋହିଲାବେଳକୁ ତାଙ୍କ ଦୋକାନ ଆଗରେ ଛିଡ଼ା ହୋଇ ଗ୍ରାହକ ଫେରାଇବାକୁ ବାଧ୍ୟହେଉ । ଏ କାମଟା ଏକା ଭାରି ଶକ୍ତ । ଅନେକ ସମୟରେ ଜଣେ ଜଣେ ଅମାନିଆ ଲୋକଙ୍କ ପାଲରେ ପଡ଼ି ବଡ଼ ହରକତ ହେବାକୁ ପଡ଼ିଛି । କେହି କେହି ଆମ କଥା ମାନି ହେଉ ବା ଡରରେ ହେଉ ଫେରିଯାନ୍ତି ସତ, ମାତ୍ର କେହି କେହି ମୁହଁ ମୋଡ଼ନ୍ତି, ବିଦ୍ରୂପ କରନ୍ତି; ଏପରି କି ବେଳେବେଳେ ଆମ ନିର୍ଦୋଷ ବାପ–ଗୋସାବାପାଙ୍କଠାରୁ ଆରମ୍ଭକରି ମା ଭଉଣୀଙ୍କ ସଙ୍ଗରେ ଘନିଷ୍ଠ ସମ୍ପର୍କ ଲଗାଇ ଦେଇ ଆମର ସମ୍ବର୍ଦ୍ଧନା କରନ୍ତି । ବଡ଼ ଅପ୍ରୀତିକର କାର୍ଯ୍ୟ ଏକା । କିନ୍ତୁ କ’ଣ କରିବୁ–ଆମର ଧର୍ମ ହେଉଛି ନିର୍ଯ୍ୟାତନା ଓ ଅତ୍ୟାଚାର ଅକାତରରେ ସହିବା । ସବୁ ସହୁଁ । ସହି ସହି ଆମର ଚମଡ଼ା ଏତେ ମୋଟା ହୋଇଗଲାଣି ଯେ, ଏସବୁ ଏବେ ଆଉ କିଛି ବାଧେ ନାହିଁ । ମିଜାଜଟା ମଧ୍ୟ ସେହିପରି କୁନ୍ଥା ହୋଇ ଗଲାଣି । ଆଗକାଳ କଥା ହୋଇଥିଲେ ଏପରି ଲୋକଙ୍କୁ ଉତ୍ତମ ମଧ୍ୟମ ଚଢ଼ାଇ ଦିଅନ୍ତୁ । ମାତ୍ର ଏବେ ଏହି ବେହିଆଗିରି ଧର୍ମ ଓ ଅଲାଜୁକୀ ବାନା ଗ୍ରହଣ କରି ସେସବୁ ଛାଡ଼ି ସାରିଲୁଣି । ଓଲଟା ଆହୁରି ତାଙ୍କ ହାତ ଧରିବାକୁ ହୁଏ, ଖୋସାମତ ବରାମତ କରିବାକୁ ହୁଏ–କାହାକୁ ‘ଭାଇ’ କାହାକୁ ‘ଦାଦା’ କାହାକୁ ‘ବାପା’ ବୋଲି ସମ୍ବୋଧନ କରି ଲମ୍ବ ଖମ୍ବ ଗୋଡ଼ତଳେ ପଡ଼ିଯିବାକୁ ହୁଏ । ଏଥିରେ ତରଳିବ ନାହିଁ କିଏ ସେ ? ମନୁଷ୍ୟର ଯେତେଗୁଡ଼ିଏ କୋମଳବୃତ୍ତି ଅଛି, ତହିଁ ମୂଳରେ ଆଘାତ କରିବାର ବିଦ୍ୟାଟା ବା ସୂତ୍ରଟା ଆମକୁ ଯେପରି ମାଲୁମ୍, ତାହା ଆଉ କାହାରିକି ନୁହେଁ ।
ପିକେଟିଂର ଅସଲ ଲାଭଟା କ’ଣ ତାହା କହିବି । ଯେଉଁ ଦୋକାନୀ ନିତାନ୍ତ ଦେଖେ ଯେ, ଆମେ ତାହାରି ସଙ୍ଗରେ ବଡ଼ ବେଶି ଲାଗିଛୁଁ, ଆଉ ତା’ ଦୋକାନରୁ ଗହଳି ଭଙ୍ଗାଇ ଦେଉଛୁଁ, ସେ ଖୁସି ହୋଇ ପାଞ୍ଚ ଦଶ ସ୍ୱରାଜ ଚାନ୍ଦା ଆମ ହାତରେ ଗୁଞ୍ଜିଦିଏ । ଅନେକ ସ୍ଥାନରୁ ଟଙ୍କା ପରିବର୍ତ୍ତରେ ପଦାର୍ଥ ମଧ୍ୟ ମିଳେ । ତହିଁ ମଧ୍ୟରେ ଲଜେଞ୍ଜ, ଜେଲି, ବିସ୍କୁଟ୍ ପ୍ରଭୃତି ଖାଇବା ମାଲ୍ ପ୍ରଧାନ । ତେବେ ସମୟ ସମୟରେ ଦରକାର ମୁତାବକ ଅନ୍ୟାନ୍ୟ ଜିନିଷ ମଧ୍ୟ ହାତପଇଠ ହୋଇଥାଏ, ଯଥା–ଆରିଶି, ବୁରୁଷ, ଏସେନ୍ସ, ଚିଠି କାଗଜ, କଲମ, ସିଗାରେଟ୍ ପ୍ରଭୃତି । ଏ କାରବାର ଗହକିମାନଙ୍କ ଆଗରେ ହୁଏନାହିଁ । କାରଣ, ସେଥିରେ ମୁଘମଟା ପ୍ରକାଶ ହୋଇ ପଡ଼ିବାର କଥା । ଯଦି ଦେଖିଲୁ କେହି କୌଣସି ବିଲାତି ଦ୍ରବ୍ୟ ଖରିଦ କରିସାରିଛି, ତାକୁ ସେ ଦ୍ରବ୍ୟ ଫୋପାଡ଼ି ଦେବାକୁ ଲଗାଉଁ । ସେ ନ ମଙ୍ଗିଲେ ଏଣେ ଜଣେ ଦୁଇଜଣ ଗୋଡ଼ହାତ ଧରାଧରି କରୁଥାନ୍ତି । ଆଉ ଜଣେ ଇତି ମଧ୍ୟରେ ଛଡ଼ାଇ ନେଇ ଫୋପାଡ଼ି ଦିଏ । ଲୁଗାପଟା ହୋଇଥିଲେ ଦିଆସିଲି ଲଗାଇ ଦେଉଁ । ତାହା ମଧ୍ୟରେ ଯଦି ହାତସଫେଇ କରି କେହି କିଛି ମାରିନେଇ ପାରିଲା ତ ଆଛା । ଫୋପାଡ଼ି ଦେଇଥିବା ପଦାର୍ଥ ଅବଶ୍ୟ ପଛରେ ଆମରି ହାତରେ ପଡ଼େ । ଏଥି ସକାଶେ କହିଲି କି ପିକେଟିଂରେ ବଡ଼ ଲାଭ ।
ଆମର ଦାଉ ବେଶି ଅବକାରୀ ଦୋକାନ ଉପରେ । କେବଳ ବୁଢ଼ା ବୁଢ଼ା ଲୋକଙ୍କୁ ଅଫିମ କିଣିବାକୁ ଛାଡ଼ । ଆଉ ସମସ୍ତଙ୍କୁ ଆଗେ ଟିକିଏ ନେହୁରା ବାଉରା, ପରେ ଜବରଦସ୍ତି । କୌଣସି କୌଣସି ଦୋକାନୀଙ୍କ ସାଙ୍ଗରେ ଭିତିରିଆ ବନ୍ଦୋବସ୍ତ ଥାଏ । ସେଠି ଦେଖିଶୁଣି କାମ କରାଯାଏ । ଜଣେ ଦୋକାନୀ ଆମ ଆଶ୍ରମର ଯେତେ ଭାଙ୍ଗ ଖରଚ ତାହା ସବୁ ଯୋଗାଏ । ମିଛ କାହିଁକି କହିବି, ମଦଟା ଆଶ୍ରମ ଭିତରକୁ ଆସେନାହିଁ, କେବଳ ସାଙ୍ଗଦୋସ୍ତ କେହି ଅକସ୍ମାତ୍ ସେ ଆଡ଼କୁ ଗଲେ ସାମାନ୍ୟ ଖାଇ ଖୋରାକିଟା ପୋଲାରେ ମିଳେ । ଏତିକି । ଆମ ଭିତରେ କାହାରି କାହାରି ଏ ବଦ ଅଭ୍ୟାସଟା ଥିଲା । ସେମାନେ ମନକୁ ପ୍ରବୋଧ ଦିଅନ୍ତି କି ଅନ୍ୟମାନେ ଯେତେବେଳେ ଭାଙ୍ଗ ଖାଉଛନ୍ତି, ଆମେ ଏବେ ଦିନେ ଅଧେ ଟିକିଏ–ଅବଶ୍ୟ ଅତି ଗୋପନରେ । କେହି ଧରା ପଡ଼ିଗଲେ ମଧ୍ୟ ଅଳ୍ପ ବହୁତ ଉପଦେଶାତ୍ମକ ମିଠା ଗାଳି ମାତ୍ର ହୁଏ, ନୋହିଲେ pass over । ନେତାମାନଙ୍କର ସେହିପରି ସର୍ବସହଣି (tolerant spirit) ନଥିଲେ ଦଳ ରଖିବା ଯେ ମୁସ୍କିଲ୍ ହୋଇ ପଡ଼ନ୍ତା । Discipline ଦେଖୁଦେଖୁ ଏଣେ ଯେ, ସର୍ବନାଶ ! ବାଛି ବସିଲେ ତ କମଳଯାକ ବାଳ ! ଏଥିପାଇଁ ଏପରି ସବୁ ସାମାନ୍ୟ technical ବା bonafide ତ୍ରୁଟିକୁ ନେତାମାନେ ଆଖି ବୁଜି ଦିଅନ୍ତି ।
ଏହିପରି ଆନନ୍ଦରେ, ମଉଜରେ କିଛିଦିନ କଟିଗଲା । ସମସ୍ତେ ଚାହି ବସିଥାଉଁ କେବେ ସ୍ୱରାଜ ହେବ । ଦିନେ ଖବର ଆସିଲା କି ଗାନ୍ଧି ହୁକୁମ ଦେଇଛନ୍ତି, ଅମୁକଦିନ ହେବ । ଆହୁରି ତେଜରେ କାମ ଲାଗିଲା । ଦେଖିଲୁ ଆମ ପ୍ରତି ଲୋକଙ୍କର ଆଦର ସମ୍ମାନ ବଢ଼ିଲା । କାରଣ, ସ୍ୱରାଜ ହେଲାକ୍ଷଣି ଆମ ଅବସ୍ଥା ଯେ, କ’ଣ ହେବ, ତାହା ଏମାନେ ବେଶ୍ ଅନୁମାନ କରି ପାରୁଥିଲେ । ଆମ ଘର ଭିତରେ ବି ନାନା କଳ୍ପନା ଜଳ୍ପନା ଚାଲିଲା । ପାଞ୍ଚଜଣ ଏକାଠେଇଁ ହେଲାକ୍ଷଣି କେତେ ପ୍ରକାର କଥା ପଡ଼ିଥାଏ । ତାହାଛଡ଼ା ସମସ୍ତଙ୍କର ଭିତିରିଆ ମଧ୍ୟ କେତେ ପ୍ରକାର ମତଲବ ଥାଏ । ସେ କଥା କେହି କାହାରିକି କହେନାହିଁ । ବାସ୍ତବିକ ପ୍ରତ୍ୟେକ ମନୁଷ୍ୟର ଏପରି କେତେଗୁଡ଼ିଏ ଗୋପନୀୟ କଥା ବା ଚିନ୍ତା ଅଛି, ଯାହା ସେ କାହାରି ଆଗରେ ପ୍ରକାଶ କରେନାହିଁ–ସେ ଯେତେ ଆପଣାର ହେଉ ପଛକେ । ମୋର ବି ସେପରି କେତେଗୁଡ଼ାଏ ଥିଲା, ପ୍ରକାଶ କରିବାର ନୁହେଁ–ଅତଏବ ନୀରବ ରହିଲି ।
ଆମେ ଅନେକଗୁଡ଼ିଏ କର୍ମୀ ଆଶ୍ରମର ଗୋଟାଏ ଘରେ ଗଉଡ଼ଙ୍କ ଭଳି ଶୋଉଁ । ଦିନେ ମୋତେ ଛାଇନିଦ ଲାଗିଛି, ହଠାତ୍ ମୋ ନାଁ’ଟା କାନରେ ପଡ଼ିବାରୁ ନିଦ ଭାଙ୍ଗିଗଲା, କାନ ପାରିଲି-। ଦିଓଟି ସାନପିଲା କଥାବାର୍ତ୍ତା ହେଉଥାନ୍ତି । ଜଣେ ପଚାରିଲା, ‘‘ଆଛା, ସ୍ୱରାଜ ହୋଇଗଲେ କ’ଣ ଆମ ଆଶ୍ରମ ଏଇଠେଇଁ ରହିବ ?’’ ଦ୍ୱିତୀୟ ପିଲା କହିଲା, ‘‘ଓଲୁଟାଏ ନା କ’ଣ ମ । ଆଶ୍ରମ ପରା ଉଠିଯିବ କମିଶନର ଅଫିସକୁ ।’’
୧ମ – କମିଶନର ଅଫିସ୍ ପୁଣି କୁଆଡ଼େ ଯିବ ?
୨ୟ – ବୁଝିନାହୁଁ ପରା ? ମହାତ୍ମା ହୁକୁମ ଦେଇଛନ୍ତି ଆପଣେ ହେବେ ବୋଲି ।
୨ୟ – କଟକରେ-ବାବୁ, ପୁରୀରେ-ବାବୁ, ଆଉ ବାଲେଶ୍ୱରରେ-ବାବୁ ।
୧ମ – ଆଛା ଆମ-ବାବୁ [ଅର୍ଥାତ୍ ମୋହରି ନାମ] କ’ଣ କିଛି ହେବେ ନାହିଁ ?
୨ୟ – ସେହି କଥା ତ ଚାଲିଛି । ମହାପାତ୍ର ସାହେବଙ୍କ କାମରେ ଏ ରହିବେ କି ବାବୁ ରହିବେ, ସେ ବିଷୟ ସାର ହୋଇନାହିଁ । କେହି କେହି ପୁଣି କହୁଛନ୍ତି–ବାବୁଙ୍କ ନାଁ-।
୧ମ – ଆଉ କାହା କଥା କ’ଣ ହେଉଛି ?
୨ୟ – ସେ କଥା ସବୁ କ’ଣ ଏତିକି ଦିନୁ ଠିକ୍ ହୋଇଗଲାଣି ? ଆପଣେ ଯାହା କରିବେ ନା । ତେବେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରଖରୁ ସବ୍ଡ଼ିଭିଜନ ଅଫିସର କଥାଟା ଯାଇଛି ଏକରକମ । ଖାଲି ଖୋରଧା କଥାରେ ଗୋଳମାଳ ଅଛି–
୨ୟ – କ’ଣ କି–ବାବୁ କଥାହେଲା ବେଳକୁ କେହି ଆପତ୍ତି କରୁଛନ୍ତି କି, ସେ ଦୋମଙ୍ଗିଆ-। ଏଣେ ସେ ନିଜେ ବି-ବାବୁ କିଲଟରଙ୍କ ଅଧୀନରେ ରହିବାକୁ ନାରାଜ-।
୧ମ – ବାବୁ କ’ଣ ଫାଙ୍କ ପଡ଼ିବେ ?
୨ୟ – କିଏ କହିଲା ? ସେ ପରା କଟକର ସିଭିଲ୍ ସରଜନ ।
୨ୟ – ସାହେବ ହେବେ; କି ...ବାବୁ ହେବେ ଠିକ୍ନାହିଁ ।
ଦ୍ୱିତୀୟ ଯାହାଙ୍କ ନାମ କହିଲୁ ସେ ବର୍ତ୍ତମାନ ସ୍ୱର୍ଗରେ । ଆହୁରି ଜଣେ କଲେଜରେ ପ୍ରିନ୍ସପାଲ ହବାର କଥା ଥିଲା-ସେ ମଧ୍ୟ ସ୍ୱର୍ଗରେ । ସ୍କୁଲ ଇନିସ୍ପେକ୍ଟର ହେବେ...ବାବୁ, ଜଜ୍...ବାବୁ, ବାଳିକା ସ୍କୁଲ ଇନିସ୍ପେକ୍ଟ୍ରେସ୍... ଇତ୍ୟାଦି ଇତ୍ୟାଦି । କେତେ ଲୋକଙ୍କ ନାଁ’ ଯେ, ପଡ଼ିଗଲା, ସେ ସବୁ ମୋ ମନେ ନାହିଁ । ସେଦିନ ଜାଣିଲି କି ଓଡ଼ିଶା ଶାସନଚକ୍ରର (wheel) ଚକର ପ୍ରତ୍ୟେକ ଅର (spoke) ଗଢ଼ା ହୋଇ ସାରିଲାଣି । ସେଦିନ ରାତିରେ କେତେ କ’ଣ ସ୍ୱପ୍ନ ଦେଖିଲି-ସେଗୁଡ଼ାକ ଲାଜ କଥା, କହିବି ନାହିଁ । ଯଦି ସ୍ୱରାଜ ହୋଇଥାନ୍ତା, ତେବେ କହନ୍ତି କାହିଁକି, ଏକାବେଳକେ କାମରେ ଦେଖାଇ ଦେଇଥାନ୍ତି । ଏକା ଆମର କର୍ମ ଊଣା ନୁହେଁ, ଉତ୍କଳ ଜନନୀଙ୍କର କର୍ମ ଊଣା । ଭାରତ ମାତାଙ୍କର କର୍ମ ଊଣା !
ଆମ ଅସହଯୋଗୀଙ୍କର ତିନୋଟି ପ୍ରଧାନ ମନ୍ତ୍ର–୧-ଖଦଡ଼, ତହିଁ ମଧ୍ୟରେ ଅରଟ, ୨-ହିନ୍ଦୁ ମୁସଲମାନ୍ ମିଳନ, ୩-ଅସ୍ପୃଶ୍ୟତା ନିବାରଣ । ଏହି ତିନୋଟି ହେଲା ସ୍ୱରାଜ ପାଇବାର ସର୍ତ୍ତ ଅର୍ଥାତ୍ condition । ହିନ୍ଦୁ ମୁସଲମାନ୍ ଭାରତମାତାଙ୍କର ଦୁଇପୁଅ-ଭାଇଭାଇ । ଏ ଦୁହେଁ ନମିଶିଲେ ସ୍ୱରାଜ ହେବନାହିଁ । ଆମର ଆଗ କାମ ହେଲା ହିନ୍ଦୁ ମୁସଲମାନ୍ ମିଳନଟା । ଆମେ ଯେଣୁ ସବୁ କଥାରେ ଆଗୁଆ ଅର୍ଥାତ୍ Pioneer, ଆମେ ହିଁ ତ’ ପୁଣି ଆଦର୍ଶ ଦେଖାଇବୁଁ, ତା’ପରେ ଲୋକେ ଅନୁସରଣ, ଅନୁକରଣ କରିଯିବେ । ଆତ୍ମା ମେଳଟା ଖିଆଣପିଆଣରେ ଯେପରି ହୁଏ, ଆଉ କେଉଁଥିରେ ହୁଏ ନାହିଁ । ଏହି ଉଦ୍ଦେଶ୍ୟରେ ଆମେ ଆଗ ହୋଇ ପଠାଣଙ୍କ ସାଙ୍ଗରେ ଖାଇବା ଆରମ୍ଭ କରିଦେଲୁଁ । ଆମନ୍ତ୍ରଣ ନିମନ୍ତ୍ରଣରେ ପଠାଣ ଘର ହାଣ୍ଡି ବାରଣ କରାହେଲା ନାହିଁ–ଏକାବେଳକେ ନିର୍ବିକାର । ଅସଲ କଥା, ଏ ବିଷୟରେ ମୋର ଦ୍ୱିଧା ନଥିଲା । କାରଣ ଦାଢ଼ିଆ ପଣ୍ଡାଙ୍କ ହାତରୁ ଖାଇବାଟା ଆଗରୁ ମୋର ଅଭ୍ୟାସ ଥିଲା–ହୋଟେଲ କୃପାରୁ । ସେହିଟା କେବଳ ଏହିକ୍ଷଣି ବେଶ୍ ପ୍ରକାଶ୍ୟ ଭାବରେ ଓ ଗୋଟାଏ ମହତ୍ତ୍ୱର ଦ୍ୱାହି ଦେଇ ଚାଲିଲା ମାତ୍ର । ପଠାଣ ଘର ନିରାମିଷ ତିଅଣଗୁଡ଼ାକ ଏକା ଆମ ପାଟିକୁ ଭଲ ଲାଗେନାହିଁ । ମୁଁ ତାହା ଥରେ ଅଧେ ଚାଖିଛି ସତ, କିନ୍ତୁ ବଡ଼ ବାଧ୍ୟବାଧକତାରେ । କହିବାକୁ ଗଲେ ପଠାଣ ଘରେ ଖାଇବାର ଉଦ୍ଦେଶ୍ୟ ତ ନୁହେଁ କାଞ୍ଜି ଖାଇବା ! ଜାତି ଯଦି ଦେଲ ତ ପେଟ ପୁରାଇ ନିଅ । ପଠାଣ ହାତରୁ ଯଦି ଖାଇଲ ତ ପଲାଉ, କୋର୍ମା, କବାବ୍, କୋପ୍ତା ଖାଅ । ଶାଗ, ମହୁର ଖାଇଲେ ଆଉ କ’ଣ ହେଲା ! ବାସ୍ତବିକ୍ ମାଂସଟା ସେମାନେ ଯେପରି ରାନ୍ଧି ଜାଣନ୍ତି, ଓଡ଼ିଆ ଲୋକେ ଚୌଦ ଜନ୍ମରେ ପାରିବେ ନାହିଁ । ଯଦି କେବେ ବା ପାରନ୍ତି, ତେବେ ସ୍ୱରାଜ ହୋଇ ସାରିଲେ ପାରିବେ । ଏହି ବାଟରେ ଆମେ ଅଧାଅଧି ସରିକି ସ୍ୱରାଜ ମାରି ନେଇଗଲୁଁ ଏକା ।
ଏହି ଉପରଠେଲା ମିଳନର କି ବିଷମୟ ଫଳ ପରେ ଫଳିଲା, ତାହା ଏବେ ଆଉ କାହାରିକୁ ବୁଝାଇଦେବାକୁ ହେବନାହିଁ । ଡେଙ୍ଗୁରା ବଜାଇ ‘ମିଳନ ମିଳନ’ କହି ହୋଇ ଅସଲ ଅମେଳଟାକୁ ଆମେ ଏପରି ଚେତେଇ ଦେଲୁଁ ଯେ, ଆଜି ତାହା ଫାଟିଯାଇ ବୋଧହୁଏ, ଯାହା କେବେ ନଥିଲା ସେହି ଅମେଳଟାକୁ ଚିରଦିନ ସକାଶେ ତିଆରିକରି ଦେଇଗଲୁ । ମୁଁ ଠିକ୍ ବୁଝିଛି, ଯଦି ଏହି ଅସହଯୋଗ ଆନ୍ଦୋଳନଟା ଏପରିଭାବରେ ହୋଇ ନଥାନ୍ତା, ଆଜି ଭାରତବର୍ଷ ଏହି ହିନ୍ଦୁ ମୁସଲମାନ୍ ବିରୋଧରେ ରକ୍ତାରକ୍ତି କାଣ୍ଡ ଦେଖିପାରି ନଥାନ୍ତା । ଯାହାହେଉ ବର୍ତ୍ତମାନ ମନକୁ ପ୍ରବୋଧ ଦେବାକୁ ହେବ ଯେ, ‘ଭାଇ ଠାରୁ ବଳି ଭଗାରି ନାହିଁ ।’
ହଁ, ଆମର ଆଉ ଗୋଟିଏ କାମ ଥିଲା ଅସ୍ପୃଶ୍ୟତା ନିବାରଣ । ଏଇଟା ବି example ରେ ଦେଖାଇ ଦେଲୁ । ପାଣ, ବାଉରି, ବା ହାଡ଼ିଘରେ କେବେ ପତର ପକାଇ ନାହିଁ ମୁଁ । ତାଙ୍କ ଘରେ କୋଚିଆ ବା ମଲା ଗୋରୁ ମାଉଁସ ଖାଇବାର ଲୋଭ ନଥିଲା । କେବଳ କାନ୍ଧରେ ହାତ ପକାଇ ବୁଲିଛି, ଅର୍ଥାତ୍ ହାତଦ୍ୱାରା ସ୍ପର୍ଶ କରିଛି, ଆଉ ଦୋସ୍ତିରେ ପଡ଼ି ଥରେ ଅଧେ ମାତ୍ର ଖଜିର ରସ ଚାଖିଛି, ଅର୍ଥାତ୍ ନଖାଇ କେବଳ ମୁଖଦ୍ୱାରା ସ୍ପର୍ଶ କରିଛି ।
ଏହି ସମୟରେ ଗୋଟାଏ circular ଆସିଲା କି, Law court ମାନ bycott କରାଯାଉ, ଆଉ ଗ୍ରାମେ ଗ୍ରାମେ ପଞ୍ଚାୟତ ବସାଇ ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଭିତ୍ତି ସ୍ଥାପନ କରାଯାଉ । ଗୋଟାଏ ନୂଆ ଫନ୍ଦାପାଇ ବାହାରି ପଡ଼ିଲୁଁ ତତ୍କ୍ଷଣାତ୍ । କଚେରିକୁ ଯାଇ ପକ୍ଷ ଓ ଓକିଲ ମୁକ୍ତାରଙ୍କ ସାଙ୍ଗରେ ଲାଗିଲୁଁ । ତାଙ୍କ ଭିତରୁ କେହି କେହି ମଧ୍ୟ ଆମ କଥାରେ ଟଳିଲେ-କିନ୍ତୁ ଯେଉଁମାନେ ଟଳିଲେ, ସେମାନେ ହୁଏତ ଅତି ବୋକା, କିମ୍ବା ଅତି ଚାଲାଖ । ଏବେ ଅବଶ୍ୟ ସେ ସମସ୍ତେ ଅନୁତାପ କରି ଝକ୍ମାରି ଗୁହ ଖାଇଲେଣି । ଅଧିକାଂଶ ହସି ଉଡ଼ାଇଲେ । ପକ୍ଷମାନଙ୍କ ମଧ୍ୟରୁ ଅନେକଙ୍କ ଫେରାଇଲୁଁ–କିଏ ମାନିଲା, କିଏ ବା ଫାଙ୍କି ଦେଇଗଲା । ବେଶି ଚୋଟ ଜଣା ପଡ଼ିଥିଲା ଆମ ଖଜଣା ନାଲିସର ପକ୍ଷଙ୍କ ଉପରେ । ଯେଉଁମାନଙ୍କର ଜିଗର ମକଦ୍ଦମା ଥାଏ, ସେ’ତ ଫେରିବାର କଥା ନୁହେଁ । ତେବେ ଯେଉଁମାନଙ୍କୁ ଫେରାଇଥିଲୁଁ, ତାଙ୍କୁ କେତେ ଆଶା ଦେଇଥିଲୁଁ କି, ଆମେ ଯାଇ ଆପୋଷିରେ ମେଣ୍ଟାଇ ଦେବୁ । ଯାହା ମେଣ୍ଟାଇଲୁଁ, ତାହା ତ’ ଗଙ୍ଗାଙ୍କୁ ମାଲୁମ, ତହିଁ ଉପରେ ସେ ସବୁ ଲୋକଙ୍କଠଉଁ, ଯେତେ ବୋଲଣା, ଅପମାନିଆଁ କଥା ଶୁଣିଲୁଁଣି, ତାହା ଏ ଅସହଯୋଗିଆ ଛାତି, ଆଉ ମୋଟା ଚମବାଲା ପିଠି ବୋଲି ସହିଛି ସିନା ।
ଆମେ ଯେ, ଚେଷ୍ଟା କରି ନଥିଲୁଁ, ତାହା ନୁହେଁ-ତେବେ ଏଭଳି ଦେଶରେ ଆଉ ଏ ଓଡ଼ିଆ ଜାତି ଭଳି ଜାତିଠାରେ କିଛି ବଡ଼ କାମ କରି ହେବନାହିଁ । ଏହି ଦେଖିଲ, ଗାଁକୁ ଗାଁ ବୁଲି କେତେ କଂଗ୍ରେସ ମେମ୍ବର କରାଇଲୁଁ । ଚାରିଅଣା ପଇସା ଦେଲେ କେଡ଼େ ବଡ଼ ଆଧିଟାଏ ମିଳିଯିବ ଓ ସ୍ୱରାଜ ରାଜ୍ୟରେ କେଡ଼େ କାମଟାଏ ହେବବୋଲି କହି ଶହ ଶହ ରସିଦ୍ କାଟି ଦେଇ ପଇସା ଆଦାୟ କଲୁଁ, ସେମାନଙ୍କ ମଧ୍ୟରୁ ମୁଖିଆ ଲୋକ ବାଛି ବାଛି ପ୍ରତି ଗ୍ରାମରେ ପଞ୍ଚାୟତସଭାମାନ ଗଢ଼ି ଆସିଲୁଁ । ସେଥିରେ ଜଣେ ଲେଖାଏଁ ପ୍ରେସିଡେଣ୍ଟ୍ ଆଉ ଜଣେ ଲେଖାଏଁ ସେକ୍ରେଟେରୀ । ଆମେ ହୋଇଗଲୁ King makers, ଯେଣୁ ଗାନ୍ଧୀଙ୍କ ଲୋକ ଆମେ, ଆମରି ହାତରେ ସବୁ । ସରକାର ଆଉ କିଏ ? ଏହି ପଞ୍ଚାୟତ ହାତରେ କ୍ଷମତା ଦିଆଗଲା କି, ଏମାନେ ଗ୍ରାମର ଭଲ ମନ୍ଦ ବୁଝିବେ, ହାରି ଫେରାଦି ଭାଙ୍ଗିବେ, ସବୁ କଥା ନିଶାପ କରିବେ । ଦଣ୍ଡମୁଣ୍ଡର ମାଲିକ କରାଗଲା ଏହିମାନଙ୍କୁ, ଏହାଙ୍କ ଉପରେ କିନ୍ତୁ check କିଛି ରହିଲା ନାହିଁ । ଫଳରେ ଏମାନେ ହୋଇଗଲେ ସର୍ବେସର୍ବା ଅର୍ଥାତ୍ village autocrates ଏପରି ଅବସ୍ଥାର ପରିମାଣ ଯାହା ହେବାର ତାହା ହେଲା । ରାଜ୍ୟଯାକର କଳି ସୃଷ୍ଟି ହୋଇ ପଡ଼ିଲା, ବାଦ ବିବାଦର ସଂଖ୍ୟା ବଢ଼ିଲା, ରିସପତ୍ ବୁଣା ହୋଇଗଲା, ଏହିପରି ଯେ, କେତେ କ’ଣ ହେଲା, ତାହାର ଠିକଣା ରହିଲା ନାହିଁ । କେହି କାହାରିକୁ ମାନିଲେ ନାହିଁ-ଜମିଦାରକୁ ପ୍ରଜା ମାନିଲା ନାହିଁ, ବ୍ରାହ୍ମଣକୁ ପାଣ ମାନିଲା ନାହିଁ, ବଡ଼କୁ ସାନ ମାନିଲା ନାହିଁ, ଏପରିକି ବାପକୁ ପୁଅ ବି ମାନିଲା ନାହିଁ । ଶେଷରେ ଦୁଇଦିନ ନଯାଉଁଣୁ ସବୁ ଧୂଳିସାତ୍ ହୋଇଗଲା । ସରକାର ବଡ଼ ଚାଲାଖ୍ । ଏହାର ଫଳ ସେ ଆଗରୁ ବୁଝିପାରି ସେତେବେଳେ ଚୁପ୍ହୋଇ ଘାଲେଇ ପଡ଼ିଲେ । ଆମେ ଯେତେବେଳେ ଥେଇ ଥେଇକରି ନାଚୁଥିଲୁଁ, ସେ କଣେଇ କଣେଇ ଚାହିଁ ମୁରୁକିହସା ମାରୁଥାନ୍ତି । ଆମର ଏତେ ଯତ୍ନରେ, ଏତେ ପରିଶ୍ରମରେ ଗଢ଼ା ଏହି ପଞ୍ଚାୟତ–ପଞ୍ଜରର ଶେଷ ଦଶା ଦେଖି ମନରେ ବଡ଼ କଷ୍ଟ ହୁଏ ଏକା । ଏ ଗୁଡ଼ିକ ଅନ୍ତତଃ ପକ୍ଷରେ ଜୀଇ ରହିଥିଲେ ଆମ ନିଜର ଅବସ୍ଥା ଏଡ଼େ ଶୋଚନୀୟ ହୋଇ ନଥାନ୍ତା-। ଆମର ଦସ୍ତୁରିଟା ହେଉ ବା ନହେଉ ଅଭାବରେ ମୁଠାଏ ଖାଇବାର ସଂସ୍ଥାନଟା ତ ହେଲେ ରହିଥାନ୍ତା ! ଯାହାହେଉ ଏଥିରେ ଆମର ବା ହାତ କ’ଣ ? ଦେଶବାସୀଙ୍କର ନୈତିକ ବଳ ଯେତିକି, ଫଳରେ ବର୍ଷକ ସକାଶେ ସରକାରର କୋଟ୍ଫିସ୍ ଆୟଟା ଯେତିକି କମି ପଡ଼ିଥିଲା, ତହିଁ ଆରବର୍ଷକୁ ଚକ୍ରବୃଦ୍ଧି ସୁଧ ସହିତ ତାହା ଆଦାୟ ହୋଇଗଲା ।
ଗାନ୍ଧୀଙ୍କର କଡ଼ା କଡ଼ା ତାଗିଦ ଥିଲାକି, ସ୍ୱରାଜ୍ୟ ନହେଲା ଯାକେ ଜନନୀମାନେ ଗର୍ଭଧାରଣ କରିବେ ନାହିଁ, କି ଜନକମାନେ ସନ୍ତାନ ଉତ୍ପାଦନ କରି ଏହି ଗୋଲାମ ଦେଶର ଗୋଲାମ ସଂଖ୍ୟା ବୃଦ୍ଧି କରିବେ ନାହିଁ । ଯେଉଁ ତେଜ ବା ଶକ୍ତି ଏ ଦିଗରେ ଅପବ୍ୟୟ ହୁଅନ୍ତା, ତାହା ସବୁ ସ୍ୱରାଜ୍ୟ ସୃଷ୍ଟିରେ ନିୟୋଜିତ ହେବ । Genative ଆଉ Creative ପ୍ରକ୍ରିୟା ଏକାବେଳକେ ଥୁକୁଲ ! ଗାନ୍ଧୀଜୀଙ୍କର ହୁକୁମ ! ଆଉ କେହି ମାନନ୍ତୁ ବା ନ ମାନନ୍ତୁ ଅନ୍ତତଃ ଅକ୍ଷରେ ଅକ୍ଷରେ ଆମେ ଆଶ୍ରମବାସୀ କର୍ମଯୋଗୀ ବ୍ରହ୍ମଚାରୀତକ ମାନିବାକୁ ବାଧ୍ୟ । ଏଣେ କିନ୍ତୁ ସ୍ୱୟଂ ମହାତ୍ମା ବାରମ୍ବାର କହିଛନ୍ତି କି, ପ୍ରତ୍ୟେକ କାର୍ଯ୍ୟରେ ପ୍ରତ୍ୟେକ ନିଜ ନିଜର ବିଚାର ବୁଦ୍ଧି ବା Conscience ପ୍ରୟୋଗ କରିବେ । ସୁତରାଂ ଆମ୍ଭେମାନେ ଆପଣା ବିବେକ ଅନୁସାରେ ସମସ୍ୟାର ଏହିପରି ମୀମାଂସା କରିନେଲୁଁ ଯେ, ପ୍ରଜନନ ବନ୍ଦ ହେଲେ ଲୋକସଂଖ୍ୟା ବୃଦ୍ଧି ପାଇବ ନାହିଁ, ଅତଏବ ଏପରି ଦିନ ଦିନେ ଆସିବ, ଯେବେ ଜାତିଟା ଏକାବେଳକେ ଲୋପ ପାଇଯିବ । ଅତଏବ ଗାନ୍ଧୀ କେବେ ପୁରା ପ୍ରଜନନର (in toto ବିରୋଧୀ ନୁହନ୍ତି । (ସେତ ନିଜେ ଜଣେ ପ୍ରଜନକ ।) କେବଳ ସ୍ୱରାଜ୍ୟ ହେବାଯାକେ ପ୍ରଜନନ ରହିତ କରିବା (adjournment) ତାଙ୍କର ମତଲବ । ବେଶ୍, ଯେଉଁ ସ୍ଥାନରେ ‘ସ୍ୱରାଜ୍ୟ’ ହୋଇଗଲାଣି, ସେଠି ଆଉ ବନ୍ଦ ରଖିବା ଦରକାର କ’ଣ ?
ଏହାଛଡ଼ା ଆଉ କେତେଜଣ ଟୋକାଟାକରା ଆଉ କେତେ ପ୍ରକାର ଅର୍ଥ କଲେ । ଯାହା ହେଉ, ସେ ସବୁ ଯୁକ୍ତିର ମୌଳିକତାଟାକୁ (Originality) ପ୍ରଶଂସା ନକରି ରହି ପାରୁନାହିଁ । ମୁଁ ଏତିକି କହେଁ ଯେ, ଆମେ ଯେତେବେଳେ ‘ଅସହଯୋଗୀ’, ଆମକୁ ଅନେକ ବିଷୟରେ ସାତଖୁଣ୍ ମାଫ୍ ।
ଆମ୍ଭମାନଙ୍କର ଉଦ୍ୟମ ଉତ୍ସାହ ଦେଖି ଆଉ ଲୋକେ ସବୁ ଚପିଗଲେ । ଦେଶରେ ଯାହା ଯେଉଁଠି ହେଲା, ସବୁରି ଭିତରେ ଆମେ । କନିକାର ଯେଉଁ ଭୟାବହ କାଣ୍ଡକାରଖାନା ହୋଇଗଲା, ତାହା ମଧ୍ୟ ଆମରି କୀର୍ତ୍ତି । ଆମ ଦଳର କେତେଟା ଅକାଣ୍ଡିଆ ଲୋକଙ୍କ ବୁଦ୍ଧିରେ ପଡ଼ି ସେ ବିଚରାଗୁଡ଼ିକ ଯେତେ ହଇରାଣ ହରକତ ହୋଇଗଲେ, ତାହା ଭାବିଲେ ଦୁଃଖହୁଏ । ସେମାନେ ମନେକରିଥିଲେ, ସମସ୍ତେ ଜଣେଜଣେ ଗାନ୍ଧୀ ହୋଇଯିବେ । କିନ୍ତୁ ଫଳରେ ହୋଇଗଲା ଓଲଟା । କନିକାର ଭିତିରିଆ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି–ଆଉ ବଖାଣିବାର ପ୍ରୟୋଜନ ନାହିଁ । ଦିନେହେଲେ ସବୁ ପାଶୋରି ଯିବେ, କିନ୍ତୁ ଯେଉଁମାନଙ୍କ ପିଠିରେ ବା ମନରେ ଦାଗ ରହିଗଲା, ସେମାନେ କିପରି ଭୁଲିବେ ? ଯାହା ହେଉ ଆମ ମନରେ ଶାନ୍ତି ଏତିକି ଯେ, ଆମେ ପାଇଛୁଁ ଯେତେ, ଦେଇଛୁଁ ତା’ର ତିନିଗୁଣ । ଯେଉଁ ଅକ୍ଷୟ ବୀଜ ପୋତି ଆସିଛୁଁ, ଯେତେ ଗଜା ଭାଙ୍ଗିଲେ ମଧ୍ୟ ପୁଣି ଭୂଇଁ ଫୋଡ଼ି ଥରକୁଥର ବାହାରୁ ଥିବ ଓ ରାଜା ପ୍ରଜା ଉଭୟଙ୍କୁ ଅନନ୍ତ ଅଶାନ୍ତିରେ ଟଣାଓଟରା କରୁଥିବ ।
ଏ ମାସ ସେ ମାସବୋଲି ଏହା ଭିତରେ ସ୍ୱରାଜ ହେବାର ଅନେକ ତାରିଖ ହୋଇଗଲାଣି । ଚାହିଁ ଚାହିଁ ଆଖିପାଣି ଆଖିରେ ମଲା, ଯାହାହେଉ ଦିନେ ଶେଷ ମିଆଦ ତାରିଖଟା ଆସିଲା । ଦିନ ଯେତେ ନିକଟ ହେଉଥାଏ, ମନ ସେତେ ଚଞ୍ଚଳ ହେଉଥାଏ–ଛାତିଟା ଦାଉଁଦାଉଁ ପଡ଼ୁଥାଏ । ସତେକି ଆମର କ’ଣ ଗୋଟାଏ କିଏସେ କୁଆଡ଼ୁ ଆସି ପହଞ୍ଚିବ । ପିଲାଏ ଫୁସୁରୁ ଫାସର ହେଉଥାନ୍ତି କି, ‘‘ସ୍ୱରାଜର ଜଣେଜଣେ ଚେଲା ଆସିଲାବେଳକୁ ତ ଏତେ ଢୋଲ ଟମକ ବାଜେ, ଏଥର ସ୍ୱୟଂ ଗୁରୁ ମହାରାଜ ‘ସ୍ୱରାଜ’ ଯେତେବେଳେ ଆସୁଛନ୍ତି କେଜାଣି କେତେ କ’ଣ ହେବ !’’ ଏହି ଦିନ ସକାଶେ ପିଲାମାନେ ସୋଡ଼ାରେ ସିଝାଇ ଖଦଡ଼ ଲୁଗା ସବୁ ସଫା କରିବାକୁ ଲାଗିଲେ । ଦିନ ରାତି କେବଳ ସେମାନଙ୍କର ଏହି ସ୍ୱରାଜ କଥା । ‘‘ନିଜେ ସ୍ୱରାଜ ଯେତେବେଳେ ଆସିବେ, ସେ କ’ଣ ଆଉ ପୟଦଲରେ ଚାଲି ଆସିବେ ? ସମସ୍ତେ ତ ରେଳରେ ବା ମଟରରେ ଆସନ୍ତି; ଏ ଆସିବେ ବ୍ୟୋମଯାନରେ । ଆମେ ତାଙ୍କୁ କାନ୍ଧରେ ବସାଇ ଆଶ୍ରମକୁ ଘେନି ଆସିବା ।’’ କିଏ କହିଲା,‘‘ନାହିଁ, ନାହିଁ । ସେ ଗୁପ୍ତଭାବରେ ଆସିବେ; ଏକାବେଳକେ ସହସ୍ର ରୂପଧରି ଆଶ୍ରମରେ ପହଞ୍ଚିଯିବେ ।’’ କିଏ ଅତି ବୁଦ୍ଧିଆ ହୋଇ କହିଲା ଯେ, ‘‘ସେ ଆସିବେ ରେଜେଷ୍ଟରି ପାର୍ଶଲରେ ।’’ ପିଲାଙ୍କ କଥାଶୁଣି ହସ ମାଡ଼ୁଥାଏ । କିନ୍ତୁ ସେମାନଙ୍କ ଆଗ୍ରହଦେଖି ଖୁସି ମଧ୍ୟ ଲାଗୁଥାଏ । ମୁଁ ଠିକ୍ ବୁଝୁଥାଏ କି, ସ୍ୱରାଜ ଆସିବ; ଅର୍ଥାତ୍ ସକାଳୁଁ ଉଠିଲାବେଳକୁ ବ୍ରିଟିଶ୍ ସରକାର ସଦଳବଳେ ଗଣ୍ଠିରାବାନ୍ଧି ଖସିବ, ଆଉ ଆମେଯାଇ ଗାଦି ମାଡ଼ିବସିବା । ଏଇଟାତ ହେବାର କଥା ହେବ, ଏଥିପାଇଁ ବା ଚିନ୍ତା କ’ଣ ? ଏକା ମନଟା ବେଶି ମୋର କାଲୁବାଲୁ ହେବାରେ ଲାଗିଥାଏ କି ‘ମୁଁ ସେତେବେଳେ କ’ଣ କରିବି ! କେତେ କ’ଣ ଭାବିଯାଏଁ, ଆକାଶ ପାତାଳ ଭାବିଭାବି ମୁଣ୍ଡ ଗୋଳେଇ ହୋଇଯାଏଁ; ଶେଷକୁ ଥିର ହୋଇ ଶୋଇପଡ଼େଁ । ଶୋଇଲେ କ’ଣ ନିସ୍ତାର ଅଛି ! ସ୍ୱପ୍ନରେ ସେହିକଥା । କେତେବେଳେ ଦେଖେଁ; ମୁଁ ସିଂହାସନରେ ବସି ରାଜା ହୋଇଛି, କେତେବେଳେ ଦେଖେଁ ଯେଉଁମାନଙ୍କ ଉପରେ ରାଗଥିଲା, ତାଙ୍କୁ ଧରି ଗୋଟିଗୋଟିକରି ଫାଶୀ ଦେଉଛି; କେତେବେଳେ ପ୍ରମୋଦ ଉଦ୍ୟାନରେ ଅପ୍ସରାମାନଙ୍କୁ ନେଇ ବିହାର କରୁଛି, କେତେବେଳେ ବ୍ୟୋମଯାନରେ ଚଢ଼ି ବୁଲୁଛି; ଆଉ ଥରେଥରେ ଦେଖେଁ କି, ଭଲଣ୍ଟିଅର୍ ସୈନ୍ୟମାନଙ୍କୁ ଘେନି ଯୁଦ୍ଧ କ୍ଷେତ୍ରରେ ଇଂରେଜଙ୍କ ସାଙ୍ଗରେ ଭୟାନକ ଲଢ଼ାଇ ଲାଗିଛି, ରକ୍ତର ନଦୀ ବହିଯାଉଛି, ହାଣ ଖାଉଛୁଁ ଆମ ପକ୍ଷ; କାରଣ ଆମେ ମାଡ଼ ଖାଇବୁଁ, ମାଡ଼ ମାରିବୁଁ ନାହିଁ, ଯେ, ହେତୁ ଆମେ Passive resisters, ଅହିଂସାବାଦୀ ଶତ୍ରୁଆଡ଼କୁ ପିଠି ଦେଖାଇ ଯୁଦ୍ଧ କରୁଛୁଁ, ମୁହଁରେ କହୁଛୁଁ–କେତେ ମାରିବ ମାର, କେତେ ହାଣିବ ହାଣ, ଯେତେ ଅତ୍ୟାଚାର କରିବ ତୁମେ, ସେତେ ସହ୍ୟ କରିବୁଁ ଆମେ, କିନ୍ତୁ ଘୁଞ୍ଚିବୁଁ ନାହିଁ ପହଣ୍ଡେ, ଏଇଥିରେ ଦେଖାଇବୁଁ ଆମର ବୀରତ୍ୱ, ସହିଷ୍ଣୁତା–ସହି ସହି, ଖାଇ ଖାଇ, ଆମେ ହୋଇଯିବୁ ବଡ଼, ଆଉ ମାରିମାରି, ପିଟିପିଟି ତୁମେ ହୋଇଯିବ ସାନ, ଦୁର୍ବଳ, ହୀନ । ସେତେବେଳେ ତୁମେ ଯିବ ହଟି, ଆମେ ଯିବୁ ଜିତି । ଏହିପରି ସ୍ୱପ୍ନ ଦେଖୁଁଦେଖୁଁ ଗୋଟାଏ କମାଣ ଫୁଟିଲା–‘ଢୋ’–ଆଉ ମୁଁ ‘ବାପାଲୋ’ ବୋଲି ବିଛଣାରୁ ଡେଇଁ ଚାରିହାତ ଦୂରରେ । ଧନ୍ୟରେ କଳ୍ପନା ! ଆମ ଦେଶୀ କବିମାନେ କଳ୍ପନାଟାକୁ ତୁଳନା କରିଛନ୍ତି ‘ସ୍ରୋତ’ ସାଙ୍ଗରେ; କିନ୍ତୁ କଳ୍ପନାଟା ଯେପରି ଉପରକୁ ଉଠିପାରେ, ତଳକୁ ଖସିପାରେ, ସ୍ରୋତଟାତ ତାହା ପାରେନାହିଁ । ଇଂରାଜମାନେ ଯେ କଳ୍ପନାକୁ ଉଡ଼ପବନ ଘୋଡ଼ାସାଙ୍ଗରେ ତୁଳନା କରିଛନ୍ତି, ସେହି ଉପମାଟା ଠିକ୍ !
କେତେ ମନେ କରିଥିଲି, ଆଗରୁ ଖୁବ୍ ଜାଗତି ଥିବି, କିନ୍ତୁ କ’ଣ କହିବି ଅସଲ ତାରିଖ ବା ଦିନ ଏପରି ଗୋଟିଏ ଆଶଙ୍କା, ଏପରି ଗୋଟିଏ ଉଦ୍ବେଗ ଆସିଲା nervousnessରେ ଦେହଟା ଇମିତି ଝିମି ଝିମି, ମନଟା ଇମିତି ଛନଛନ ହେଲା ଯେ, ମୁଁ ଆଉ ବିଛଣା ଛାଡ଼ି ଉଠି ପାରିଲିନାହିଁ । ଖାଲି କାନ ଯୋଡ଼ାକ ଡେରି ରହିଥାଏଁ–କେତେବେଳେ କି ଖବର ଆସୁଛି ।
ହାୟ, ହାୟ, କିଛିତ କୁଆଡ଼େ ହେଲାନାହିଁ ! ଦିନ ୧୦ଟା ସରିକି ସେକ୍ରେଟାରୀ ଆସି ଡାକଦେଲେ–‘‘ଆଜି ନିଦ ଭାଙ୍ଗିବ ନାହିଁକି ?’’ ଏ ହତାଶ୍ୱାସ ନୈରାଶ୍ୟ ଭିତରେ ବି ଗୋଟାଏ ପ୍ରକାର ସ୍ୱସ୍ତି ଥିଲା । ଶୁଣାଗଲା, ତାରିଖଟାରେ ପୁଣି ସାନି ମହଲତ ପଡ଼ିଛି । ‘‘ଯେତିକି ପାଣିକି ପଶିଲାବେଳକୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥାଏ ।’’
ଫଳରେ ଦେଖାଗଲା ଲୋକଙ୍କର ଆସ୍ଥା, ବିଶ୍ୱାସ ଏହାପରେ ଟିକିଏ କାହିଁକି ଆଚ୍ଛା କରି କମିଗଲା । ଆମ କାମ ସବୁ ପୁରୁଣା ହୋଇ ମାନ୍ଦା ପଡ଼ିଗଲା । ଏଣିକି ନୂଆ କିଛି କରିବାକୁ ହେବ, ନୋହିଲେ ଟେକ ରହିବ ନାହିଁ । ସେହିଠୁଁ ଗୋଟାଏ ଉପାୟ ବାହାରିଲା ‘ଜେଲ୍ଖାନା’ । ମହାତ୍ମା କହିଛନ୍ତି ଜେଲ୍ଖାନାଟା ପବିତ୍ର ସ୍ଥାନ । ଲକ୍ଷ ଲକ୍ଷ ଦେଶବାସୀ ଜେଲ୍ଖାନା ଗଲେ ସ୍ୱରାଜ ମିଳିବ । ଚୋରି, ଜୁଆଚୋରି, ଜାଲ, ଗୁଣ୍ଡାଗିରି ଯାହା ଇଚ୍ଛା ତାହାକର ପଛକେ, ସ୍ୱଦେଶ ନାମରେ ଜେଲଯାଅ । ଚାରିଆଡ଼େ ମହା ଗଣ୍ଡଗୋଳ ଲାଗିଗଲା–ଜେଲ୍, ଜେଲ୍, ଜେଲ୍, ଯେ ଥରେ ଜେଲ ଯାଇପାରିଲା ସେ ଏକା ଦିନକେ ହୋଇଗଲା ଗୋଟାଏ ବଡ଼ ମଣିଷ । ନେତାମାନେ ନାନା ଚେଷ୍ଟା ଯତ୍ନକରି ଜେଲ୍ ଯିବାର ଆୟୋଜନ କଲେ । ଗଲାକ୍ଷଣି ନା’ ବାଜିଗଲା । ମୁଁ ଏହା ଦେଖି ଯେତେ ଉପାୟ କଲି ମୋ ଭାଗ୍ୟରେ ଏ ସୌଭାଗ୍ୟ ଏକା ଘଟିଲା ନାହିଁ । ଦେଖିଲି ମୋର ଭବିଷ୍ୟତଟା ବଡ଼ ଅନ୍ଧକାର । ଜେଲ୍ ନଗଲେ Prospects କିଛି ନାହିଁ । କେତେ ଚୂନା ଚୋପରା, ଯାହାଙ୍କର କେବେ ନାଁ’ଗନ୍ଧ ନଥିଲା, ସେ ଗୋଟାଏ ଗୋଟାଏ martyr, ଆଉ ମୁଁ ଏତେ କରି... ! ଶୋକରେ, ନୈରାଶ୍ୟରେ, ରାଗରେ ମୋର ଆତ୍ମହତ୍ୟା କରିବାର ଇଚ୍ଛା ହେଲା ।
ଆଶ୍ରମରୁ ଏକାକୀ ବାହାରି ବଜାରଆଡ଼କୁ ଚାଲିଗଲି । କେତେବେଳେ କେଉଁଠି କ’ଣ କଲି, କ’ଣ ଖାଇଲି, ତାହା ଠାକୁରଙ୍କୁ ମାଲୁମ୍; କିନ୍ତୁ ସକାଳୁ ଚେତା ହେଲାବେଳକୁ, ମୁଁ ଯାଇ ଥାନା ଗାରଦରେ । ଯଥାସମୟରେ କଚେରୀରେ ହାଜର କରାଗଲା । ମୋ ଉପରେ charge ଯେ, ମୁଁ ଆରଦିନ ରାତିରେ ମତୁଆଲା ହୋଇ ରାସ୍ତାରେ–ଇତ୍ୟାଦି । ଛି, ଛି, ପୁଲିସ କରି ନପାରେ କ’ଣ ? ମୋପରି ଲୋକ ନାଁ’ରେ–ହଉ, ସବୁ କର୍ମ କଥା ! ହାକିମ ପଚାରିଲେ, ‘‘ତୁମେ ଦୋଷୀ କି ନିର୍ଦୋଷୀ ?’’ ମୁଁ ଉତ୍ତର ଦେଲି, ‘‘ନିର୍ଦୋଷ’’ (not guilty) । ହାକିମ କହିଲେ–‘‘ପ୍ରମାଣ ଦିଅ ।’’ ମୁଁ ନିର୍ବାକ । ପୁଲିସ୍କେସ୍ରେ ପଡ଼ି ଜବାବଦେବା, ସଫେଇ ଦେବା ବା ଲଢ଼ିବା ଆମର ଧର୍ମ ନୁହେଁ, କାରଣ ଆମେ ସତ୍ୟାଗ୍ରାହୀ (non-co-operator) ନିର୍ଯ୍ୟାତନା ଦଣ୍ଡ ସହିବା ଆମର ନୀତି । ଏହି ହେଲା ଆମର Path of victory-ଜୟମାର୍ଗ । ହାକିମଙ୍କର ହୁକୁମ ହେଲା–‘ଜେଲ ଛ’ ମାସ ।’’ ବାସ୍, ଆଉ କଥାନାହିଁ; ଏକଦମ୍ କାମ ଫତେ । ମୋର arrest ହେବା ଖବରଟା ସେତେବେଳକୁ ଚାରିଆଡ଼େ ବାଜି ଗଲାଣି । ‘‘ଜୟ ଗାନ୍ଧୀ ମହାରାଜ୍କି ଜୟ’’ କହି ଯେତେବେଳେ ମୁଁ ପବିତ୍ର ସ୍ଥାନକୁ ଚାଲିଲି, ମୋ ପଛେପଛେ ଶହଶହ ଲୋକ ଜୟଧ୍ୱନି କଲେ । ବିନା ଚେଷ୍ଟାରେ ମୋର କାମ ହାସଲ ହୋଇଗଲା । ଖବର କାଗଜମାନଙ୍କରେ ବାହାରି ଗଲାକି, ‘‘ଅମୁକ ଜଣେ ମାତବର ଦେଶ ନେତାଙ୍କୁ ପୁଲିସ କୌଣସି ଉପାୟରେ ପକାଇ ନପାରି ଶେଷରେ ଅତି ଜଘନ୍ୟ ଦୋଷାରୋପକରି ଚଲାଣ ଦେଇଥିଲେ, କିନ୍ତୁ ତାଙ୍କର ନୈତିକ ସାହସ (moral courage) ଏଡ଼େ ଟାଣୁଆ ଯେ, ସେ ସେଥିରେ ସୁଦ୍ଧା ସ୍ୱଧର୍ମ ତ୍ୟାଗକରି ପକ୍ଷ ସମର୍ଥନ କଲେନାହିଁ, କିମ୍ବା ପୁଲିସର ପ୍ରଲୋଭନରେ ନଭୁଲି ନିର୍ଭୟରେ, ଅକାତରରେ, ସସ୍ମିତ ବଦନରେ ଜେଲ୍ ଦଣ୍ଡ ବରଣ କରିନେଲେ । ଇତ୍ୟାଦି ।’’
‘ଜେଲ୍ କାହାଣୀଗୁଡ଼ାକ’ କାହିଁକି ତୁଛାଟାରେ ବକିବି ? ଅନେକ ଅନେକ ରକମ ତ ଲେଖି ସାରିଲେଣି । ମୁଁ ଅଧିକା ଆଉ କ’ଣ କହିବି ? ଛଅଟିମାସ କୌଣସିମତେ ଆହାର ନିଦ୍ରା ଇତ୍ୟାଦି ଇତ୍ୟାଦିରେ କଟାଇଦେଇ ଖଲାସ ହେଲି । ସେ ଦିନ ମଟର ଛିଡ଼ା ହୋଇଥିଲା ମୋହରିପାଇଁ । ପଡ଼ିଆରେ ଗୋଟାଏ ସମ୍ବର୍ଦ୍ଧନା ସଭାହେଲା । ବକ୍ତୃତା, ଫୁଲମାଳ, ହସନ, କ୍ରନ୍ଦନ, ଆଲିଙ୍ଗନ ଆଦି ଯାହା ହୁଏ, ତାହା ସମସ୍ତ ମାମୁଲି ମୁତାବକ ହୋଇଗଲା । ସଭା ଶେଷରେ ନନା କାହୁଁ ଆସି ଅନେକ ପ୍ରକାର ବୁଝାଇଲେ । କହିଲେ, ‘‘ଯାହା ହେବାର ହେଲାଣି, ଏବେ ଘରପୁଅ ଘରକୁ ଫେରିଚାଲ ।’’ ହେଲାଣି କ’ଣ ! ହେବାର ଯେ ଆହୁରି ଅନେକ ବାକି । ମଙ୍ଗଳ କାର୍ଯ୍ୟରେ ଅନେକ ବାଧା ପଡ଼େ, ମୁଁ ଆଗରୁ ଜାଣିଥିଲି । ମୋର ଶୁଭ ଗ୍ରହ ପଡ଼ି ଆସିଲା ବେଳକୁ ମୁଁ ସୁବିଧା ଛାଡ଼ିଦେବି କିପରି ? ଯାହାପାଇଁ ଏତେସରି ହେଲଣି, ଆଜି ଏତେବେଳେ ତାକୁ ଛାଡ଼ିକରି ଯିବାକୁ ମନ ବଳିଲା ନାହିଁ । ମୁଁ କ’ଣ ଏଡ଼େ ବେକୁବ ଯେ, ବାରବରଷର ତପ ଏକା ଦିନକର ଶୁଖୁଆ ପୋଡ଼ାରେ ସାରିବି ? ସେଦିନ ଆଶା ଓ ଉତ୍ଫୁଲ୍ଲତାରେ ହୃଦୟ ଏତେ ଭରପୂର ଯେ, ନନାଙ୍କ କଥାରେ ଖାଲି ହସ ମାଡ଼ିଲା । ରକମ ଦେଖି ନନା ମଧ୍ୟ ଆପଣା ମହତ ସମ୍ଭାଳି ଖସିଲେ । ମୁଁ ମୋର ଇହକାଳର ଦେବତା ପୀଠ ଓ ପରକାଳର ସମାଧି କ୍ଷେତ୍ର । ବର୍ତ୍ତମାନର ବୈତରଣୀ ଓ ଭବିଷ୍ୟତର କଳ୍ପବଟ ସେହି ଆଶ୍ରମ ଅଭିମୁଖରେ ଧୀରେଧୀରେ ଗମନ କଲି ।
ହାୟ, ହାୟ, ଏହି କେତେଟା ଦିନରେ ଆଶ୍ରମଟା କ’ଣ ହୋଇଗଲାଣି ! ମୁଁ ଛାଡ଼ିଗଲା ଦିନୁଁ, ବ୍ରଜଶିରୀ କିଏ ଚୋରି କରିନେଲା ! ଦେଖିଲି, ମୋହରିପରି ଗୋଟାକେତେ ଜୀବନ ଝଗଡ଼ିଆ ପଡ଼ି ରହିଛନ୍ତି । କାମଦାମ କିଛି ନାହିଁ । ଅରଟରେ ବୁଢ଼ିଆଣୀ ବସା ଲାଗିଲାଣି । ନୁଖୁରା ପଞ୍ଚୁବର୍ଣ୍ଣି ଚାଉଳ ମୁଠାଏ ମୁଠାଏ ମାଗି ପେଟବିକଳା ହୋଇ ରହିଛନ୍ତି ମାତ୍ର । ବଡ଼ ଦୁଃଖ ହେଲା–ଭାବିଲି, ଏଠାକାର atmosphere ଆଉ tone ବଦଳାଇବାକୁ ହେବ । ନୂଆ spirit ଆଣି ନଦେଲେ ସବୁ ସରିଲା ଆସି !
ଏହା ଭାବି କାମରେ ଲାଗିବାକୁ ବସିଲି । କିନ୍ତୁ କରେ କ’ଣ ? କେଉଁ ଦିଗରେ କିଛି ଆକାର ନାହିଁ । ଏହାରି ଭିତରେ ସବୁ ମାଟି ହୋଇ ସାରିଲାଣି । ଏତେ ପରିଶ୍ରମରେ ତିଆରି କ୍ଷେତ ବାଳୁଙ୍ଗାରେ ପୂରିଗଲାଣି । ନା ଅଛନ୍ତି ସେ ରାମ, ନା ଅଛି ସେ ଅଯୋଧ୍ୟା । ଲୋକେ ତ’ ଆଦୌ ପଚାରିବାକୁ ନାହାନ୍ତି । ଖଦଡ଼ିଆ ଦେଖିଲେ କିଏ ଟାପରା କରୁଛି, କିଏ ଟାହୁଲି ମାରୁଛି, କିଏ ବା ଅପସରି ଯାଉଛି । ପଦେ କଥା କହିବାକୁ ସାହସ ହେଲାନାହିଁ । ପିକେଟିଂ କରିବା ଦୂରେଥାଉ, ଚାନ୍ଦା ଆଦାୟ କରିବା ଚୁଲିକି ଯାଉ, ମୁଠାଏ ଭିକ ମିଳିବା ବି ବିବର୍ଜିତ । ଏଣେ ସଭା କରିବାପାଇଁ ନୋଟିସ୍ ଦେଲେ ଲୋକେ ଆସନ୍ତି ନାହିଁ, ତେଣେ ବଜାର ଛକରେ ବକ୍ତୃତା ଦେଲେ ପୁଲିସ ତଡ଼ନ୍ତି । ହାୟ, ହାୟ, କି ହଟହଟାରେ ପଡ଼ିଲି । ନନାଙ୍କ କଥାମାନି ଘରକୁ ଫେରି ଯାଇଥିଲେ କେଡ଼େ ସୁଖରେ ଥା’ନ୍ତି । କର୍ମ ଅବଳକୁ ବା ବଳ କାହାର ? ଥରେ ମନହେଲା, ଯାଉଛି ନନାଙ୍କ ଠେଇଁକି ବାତିନ ଦେବିକି, ‘‘ଆମ ବଇଷିମ ହେବା ନୋହିଲା; ଧାନ ମୁଠି ମୁଠି ଖୁଦ ଗୋଟି ଗୋଟି ବାଛୁଁ ବାଛୁଁ ଦିନ ସଇଲା ।’’ ପୁଣି ଭାବିଲି, କେଉଁ ଝିଟ ମୁହଁରେ-! କରମରେ ଯାହା ଥାଉ ଏଇଠି ପଡ଼ି ରହିଥାଏଁ । ‘ପୁରୁଷ କରମ ଗତର ତଳେ ।’ ‘ଦିନ ଲେଉଟିଲେ ତ ଯୁଗ ଲେଉଟୁଛି ।’ କଥାରେ ଅଛି–‘ମହୀ କ୍ଷଣ-କ୍ଷଣକେ ଆନ ।’ ମାଟି କାମୁଡ଼ି ପଡ଼ି ରହିଥିଲେ କେଜାଣି ବା କରମ ଲେଉଟି ଯାଇପାରେ । ଝକ୍ମାରିଲି–ଏ କୁ’ବୁଦ୍ଧି ମୋର କାହୁଁ ଆସିଲା । ଗାନ୍ଧୀପୁଅ କି ମତଲବରେ ମୋ ଭଳିଆ ସରଳ ମତି ଭଲଲୋକ ପିଲାଙ୍କୁ ଏ ଫାନ୍ଦରେ ପକାଇ ଦେଲେ, ତାହା କିଏ କହିବ । ଆଗ ଗଛ ଉପରକୁ ଚଢ଼ାଇ ଦେଇ ପଛକୁ ନିଶୁଣିଟା କାଢ଼ିନେଲେ ସିନା । ଆମ ଅବସ୍ଥା ଚୋର ଚଣ୍ଡାଳଠଉଁ ବଳିଲା । କହିସାରିଛି ଯେ, ଲୋକେ ଚାନ୍ଦାଦେବା ବନ୍ଦ କରିଥିଲେ; ଏପରିକି, କଂଗ୍ରେସ ସଭ୍ୟ ହେବାପାଇଁ ଯେଉଁ ପଇସା ଚାରିଅଣା, ସେତକ ସୁଦ୍ଧା ଦେବାକୁ ମଙ୍ଗିଲେ ନାହିଁ । ଆମକୁ ଏକା ପୋଷିବା ପାଇଁ ଗାନ୍ଧୀ ମହାରାଜ ଯେଉଁ କୋଟିଏ ଟଙ୍କା ଉଠାଇଥିଲେ, ତାହାତ କଡ଼ାକେ ଗଣ୍ଡାକେ ରୋକ୍ଠୋକ୍ ! ଖଦଡ଼ ବିଭାଗବୋଲି ସ୍ଥାନେସ୍ଥାନେ ଖଣ୍ଡିଏ ଖଣ୍ଡିଏ ଯେଉଁ ଦୋକାନ ଥିଲା, ସେଥିରେ ସୂତା, କନା ସହିତେ ନଦାରଦ । କିଏ ଜାଣିଥିଲା, ସ୍ୱରାଜ ହେଉଁ ହେଉଁ ପୁଣି ଏ ଅବସ୍ଥା ହେବ ! ଆଉ ଉପାୟ କିଛି ନାହିଁ–ପେଟଜ୍ୱାଳାରେ ଚତୁର୍ଦିଗ ଅନ୍ଧାର ଦିଶିଲା ।
ପିଲାକାଳରେ ବଗୁଲିଆପଣ କରି ଗୋଟାଏ ଯେଉଁ ଇଲମ ହାସଲ ହୋଇଥିଲା, ତାହା ଏତେବେଳେ କାମରେ ଲାଗିଲା । ସେଇଟା ଗୀତଗାଇ ଜାଣିବା । ଭାବିଲି, ଏ ଶିକ୍ଷାଟା ବୃଥା ଯିବ କାହିଁକି ? ଏହା ଭାବି ଗୋଟାଏ ସଂକୀର୍ତ୍ତନ ଆଖଡ଼ା ଆରମ୍ଭ କଲୁଁ । ଆଉ କିଛି ବାଜେ ଗୀତ ଗାଇବା ଆମ ଧର୍ମରେ ମନା, ସୁତରାଂ କେବଳ ଜାତୀୟ ସଙ୍ଗୀତ ଶିଖାହେଲା । କିଛି କିଛି ବାହାରର ଗୀତ ମିଶିଲା ସତ, ମାତ୍ର ଆମର ଖାସ୍ ଗୀତ ହେଲା ପ୍ରଧାନ । ଏଠାରେ ଏତିକି କହିଥାଏ ଯେ, ମୁଁ ସାନ ବଡ଼କରି ଜଣେ–କବି । ଲୋକେ କହନ୍ତୁ ବା ନ କହନ୍ତୁ, ମୋ ମନେ ମନେ ମୁଁ କିଛି ଊଣା କବିଟାଏ ନୁହେଁ । ଆପଣା ନାଁ’ରେ ଡେଙ୍ଗୁରା ଦେବା ଭଲନୁହେଁ, ଗୁଣଥିଲେ ଦିନେହେଲେ ଆପେ ଫୁଟି ବାହାରିବ । ମୋ ଗୀତର ଗୋଟାଏ ଯୋଡ଼ାଏ ନମୁନା ଏଠାରେ ଦିଏଁ-:–
ଆନନ୍ଦର ଜୟଲକ୍ଷ୍ମୀକାନ୍ତ ମହାପାତ୍ର ଲକ୍ଷ୍ମୀକାନ୍ତ ମହାପାତ୍ର