(୧୯୧୦)
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଗଙ୍ଗାଧରଙ୍କ ଗଦ୍ୟାବଳୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୨
- ସ୍ଥିତି
- ସାର୍ବଜନୀନ (Public domain)
ସମ୍ବଲପୁରର ୧୪ ମାଇଲ ଦକ୍ଷିଣରେ ମହାନଦୀ କୂଳରେ ‘ହୁମା’ ଗ୍ରାମ ଅଛି । ଏହି ଗ୍ରାମ ବସତି ହେବାର ପୂର୍ବେ ଏ ସ୍ଥାନ ଅରଣ୍ୟମୟ ଥିଲା । ସେଠାରେ ମହାନଦୀର ପଶ୍ଚିମ ତଟରେ ଜଣେ ବ୍ରାହ୍ମଣଙ୍କର ଅନେକଗୁଡ଼ିଏ ଗାଈ ଥିଲେ । ସେ ସବୁ ଗାଈ ଚରାଇବା ନିମନ୍ତେ ଜଣେ ଗଉଡ଼ ନିଯୁକ୍ତ ଥିଲା । ଗଉଡ଼ ପ୍ରତିଦିନ ଗାଈ ସବୁ ନେଇ ବନରେ ଚରାଇ ସନ୍ଧ୍ୟା ସମୟରେ ବ୍ରାହ୍ମଣଙ୍କର ଗୁହାଳକୁ ଆଣିଦିଏ । ବ୍ରାହ୍ମଣ ସକାଳ ସଞ୍ଜ ଦୁଇ ଓଳି ଦୁହାଁ ଗାଈମାନଙ୍କୁ ଦୋହନ୍ତି । ଦେଖିଲେ ଯେ ତହିଁ ମଧ୍ୟରୁ ଗୋଟିଏ ଗାଈ ସକାଳ ଓଳି ଯେ ପରିମାଣରେ ଦୁଧ ଦିଏ, ସଞ୍ଜରେ ଅନ୍ୟାନ୍ୟ ଗାଈର ତୁଳନାରେ ବହୁତ ଅଳ୍ପ ଦୁଧ ଦିଏ । ବ୍ରାହ୍ମଣ ତହିଁର କାରଣ ଗଉଡ଼କୁ ପଚାରିଲେ, ଗଉଡ଼ ତାହା ଅଜ୍ଞାତ ଥିବାର ପ୍ରକାଶ କରେ । ଏପରି ବାରମ୍ବାର ଘଟିବାରୁ ଗଉଡ଼ ତହିଁର ସନ୍ଧାନରେ ରହିଲା ଆଉ ଜାଣିଲା ଯେ ସେହି ଗାଈ ପ୍ରତ୍ୟହ ଚରିବା ସମୟରେ ଚରିବା ଛାଡ଼ି ମହାନଦୀର ପୂର୍ବ କୂଳକୁ ଯାଇ ପୁଣି ଲେଉଟି ଆସେ । ୫/୭ ଦିନ ଏହିପରି ଦେଖି ଏକଦିନ ଗଉଡ଼ ସେହି ଗାଈର ପଛେ ପଛେ ମହାନଦୀର ପୂର୍ବକୂଳକୁ ଯାଇ ଦେଖିଲା ଯେ ଗାଈ ଗୋଟିଏ ବୁଦାକୁ ଯାଇ କିଛି କ୍ଷଣ ଠିଆହୋଇ ଲେଉଟି ଆସିଲା । ଗଉଡ଼ ସେହି ବୁଦା ନିକଟକୁ ଯାଇ ଦେଖିଲା ଯେ ବୁଦା ମଧ୍ୟରେ ଥିବା ପଥରରେ ଦୁଧ ପଡ଼ିଥାଏ । ସେଦିନ ସନ୍ଧ୍ୟା ସମୟରେ ଗଉଡ଼ ଆସି ବ୍ରାହ୍ମଣଙ୍କ ନିକଟରେ ସେସବୁ କଥା ବ୍ୟକ୍ତ କରିବାରୁ ବ୍ରାହ୍ମଣ ଅନ୍ୟ ଦିନ ସେହି ଗାଈର ସଙ୍ଗେ ସଙ୍ଗେ ସେସ୍ଥାନକୁ ଯାଇ ଗଉଡ଼ କହିଥିବାର କଥା ସତ୍ୟ ଥିବାର ଦେଖିଲେ ଏବଂ ଯେଉଁ ପଥର ଉପରେ ଦୁଧ ପଡ଼ିଥିଲା ତାହା ଲିଙ୍ଗାକାର ଥିବାର ଦେଖି ଗୃହକୁ ଆସି ମନେ ମନେ ନାନା ପ୍ରକାର ଆଲୋଚନା କରିବାକୁ ଲାଗିଲେ । ରାତ୍ରିରେ ସ୍ୱପ୍ନରେ ଅବଗତ ହେଲେ ଦୁଗ୍ଧାଭିଷିକ୍ତ ପାଷାଣ ସ୍ୱୟଂଭୂ ଶମ୍ଭୁଲିଙ୍ଗ ଅଟନ୍ତି । ତଦ୍ଦିନାବଧି ସେହି ବ୍ରାହ୍ମଣ ସେହି ଶମ୍ଭୁ ଲିଙ୍ଗର ଆରାଧନା କରିବାକୁ ଲାଗିଲେ । କ୍ରମେ କ୍ରମେ ଅନ୍ୟାନ୍ୟ ଲୋକେ ମଧ୍ୟ ସେ ଶମ୍ଭୁଙ୍କର ଆରାଧନା କରି ସିଦ୍ଧକାମ ହେବାକୁ ଲାଗିଲେ । ସମ୍ବଲପୁର ମହାରାଜ ସେହି ବିଷୟ ଅବଗତ ହୋଇ ସେହି ମହାଦେବଙ୍କର ଭୋଗାଦିର ଯଥାଯୋଗ୍ୟ ବନ୍ଦୋବସ୍ତ କରି ଦେଇଅଛନ୍ତି । ସେହି ବ୍ରାହ୍ମଣଙ୍କର ବଂଶଧରମାନେ ଅଦ୍ୟାବଧି ବିଦ୍ୟମାନ ଅଛନ୍ତି ଏବଂ ମନ୍ଦିରର କର୍ତ୍ତୃତ୍ୱ ଭାର ସେମାନଙ୍କ ଉପରେ ରହିଅଛି । ମହାଦେବ ‘ବିମଳେଶ୍ୱର' ନାମରେ ଏ ଜିଲ୍ଲାରେ ସୁପ୍ରସିଦ୍ଧ । ମନ୍ଦିରଟି ପ୍ରକାଣ୍ଡ ପ୍ରକାଣ୍ଡ ପାଷାଣସଙ୍କୁଳ ମହାନଦୀର ପୂର୍ବାଂଶ ବାହୀ ସ୍ରୋତର ସନ୍ନିକଟରେ । ଅବସ୍ଥିତ ଓ କିଞ୍ଚିତ୍ ବକ୍ରାକାର ଅନୁମିତ ହୁଏ । ମନ୍ଦିରକୁ ଲାଗି ହୁମା ଗ୍ରାମ ବସତି । ଏଠାରେ ପ୍ରତିବର୍ଷ ଶିବରାତ୍ରିରେ ମେଳା ହୁଏ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର