(୧୯୦୪) (୦୨.୦୪.୧୯୦୪, ସମ୍ବଲପୁର ହିତୈଷିଣୀ)
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଗଙ୍ଗାଧରଙ୍କ ଗଦ୍ୟାବଳୀ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୫୧
- ସ୍ଥିତି
- ସାର୍ବଜନୀନ (Public domain)
ଗୋବିନ୍ଦ – ଭାଇ ହରି, ଆଜି ରାମର ମାତା କାନ୍ଦି କାନ୍ଦି କହୁଥିଲା କି ଚୁଗୁଲିଆମାନଙ୍କ ପାଇଁ ରାମର ସର୍ବନାଶ ହୋଇଅଛି । ଭାଇ, ଚୁଗୁଲିଆ କାହାକୁ କହନ୍ତି, ମୁଁ ଜାଣିପାରିଲି ନାହିଁ । ଆଉ ସେ ଅବା ରାମର ସର୍ବନାଶ କଲେ କିପରି ? ରାମ ତ ଜଣେ ସଚ୍ଚରିତ୍ର ପ୍ରବୀଣ ଲୋକ ଅଟେ ।
ହରି – କିରେ ଗୋବିନ୍ଦ, ତୁ କି ଆଜିଯାଏ ଚୁଗୁଲିଆ ଦେଖିନାହୁଁ ? ସେ ଅତି ଭୟଙ୍କର ଜନ୍ତୁ । ସେ ନହେଲା କଥାକୁ ହେଲା କରି ଲୋକଙ୍କର ସର୍ବନାଶ କରେ ।
ଗୋବିନ୍ଦ – ଭାଇ, ସେ କିପରି ଜନ୍ତୁ, କେଉଁଠାରେ ଥାଏ, ଆଉ କେଉଁ ସମୟରେ କିପରି ଲୋକଙ୍କର ସର୍ବନାଶ କରେ ? ଆଉ ନହେଲା କଥାକୁ ହେଲା କରେ କିପରି ? ସେ କି ବିଧାତା ?
ହରି – ଦୂର୍ ମୂର୍ଖ, ବିଧାତା କି ନହେଲା କଥାକୁ ହେଲା କରନ୍ତି ? ଯାହା ଅବଶ୍ୟ ହେବାର ତାହା ବିଧାତା କରନ୍ତି, ନହେବା କଥା ବିଧାତା କରନ୍ତି ନାହିଁ ।
ଗୋବିନ୍ଦ – ତେବେ ଚୁଗୁଲିଆ କି ବିଧାତାଠାରୁ ବଡ଼ ?
ହରି – ହାଃ ହାଃ ହାଃ, ତୋ’ପାଇଁ ଆଉ ରହିହେବ ନାହିଁ ? ଯେ କୁକୁର ଶୂକରଠାରୁ ହୀନ, ତାକୁ ତୁ ବିଧାତାଠାରୁ ବଡ଼ କରି ବସିଅଛୁ ?
ଗୋବିନ୍ଦ – ତେବେ କ’ଣ ବିଷ୍ଠାର କୃମି ପରି ଥିବ ?
ହରି – ଛି, ଛି, ସେ ଭିନ୍ନ ରକମ ଜନ୍ତୁ । ବିଧାତାଙ୍କ ସୃଷ୍ଟିରେ ଯେତେ ପଦାର୍ଥ ଅଛି ତହିଁରୁ କିଛି ନା କିଛି ଉପକାର ହୁଏ; କିନ୍ତୁ ଚୁଗୁଲିଆ ଦ୍ୱାରା କିଛି ଲାଭ ହୁଏ ନାହିଁ । ଚୁଗୁଲିଆ କେବଳ ଅନିଷ୍ଟର କାରଣ ଅଟେ ।
ଗୋବିନ୍ଦ – ତେବେ ସର୍ପ କି ?
ହରି – ସର୍ପର ବିଷ କି ଔଷଧିରେ ଲାଗେନାହିଁ ?
ଗୋବିନ୍ଦ – ତେବେ କ’ଣ, ମୋତେ କହନା ! ମୁଁ ଚିହ୍ନିଥିଲେ ସେ ମୋ ପାଖକୁ ଆସିଲେ ମାରିପକାଇବି ।
ହରି – ମଲା, ସେ ତୋ’ ପାଖକୁ କାହିଁକି ଆସିବ ?
ଗୋବିନ୍ଦ – ତେବେ କାହା ପାଖକୁ ଯାଏ ?
ହରି – ସେ ତାହାଠାରୁ ହୀନବୁଦ୍ଧି ଲୋକଙ୍କର ନିକଟକୁ ଯାଏ ।
ଗୋବିନ୍ଦ – ଭାଇ, ମୋ’ଠାରୁ ବଳି ହୀନବୁଦ୍ଧି ଲୋକ କି ଅଛନ୍ତି ?
ହରି – ଅଛନ୍ତି ନା କ’ଣ
ଗୋବିନ୍ଦ – ଭାଇ, ସେ କିଏ ?
ହରି – ଯେଉଁମାନେ ଆପଣାକୁ ବଡ଼ ବୋଲି ମଣନ୍ତି, ସେମାନେ ।
ଗୋବିନ୍ଦ – ରାଜା, ବାବୁ, ଜମିଦାର, ଧନୀ ଇତ୍ୟାଦି ବଡ଼ଲୋକମାନେ ତ ଆପଣାକୁ ବଡ଼ ବୋଲନ୍ତି । ବାସ୍ତବରେ ତ ସେମାନେ ବଡ଼ ବଡ଼ ଲୋକ ହୋଇ ଆପଣଙ୍କୁ ବଡ଼ ମଣିଲେ ତ ଦୋଷ କ’ଣ ହେଲା ? ସେମାନେ ହୀନବୁଦ୍ଧି କିପରି ହେଲେ ? ଆମ୍ଭେମାନେ ତ ତାଙ୍କର ଆଶ୍ରା ନ କଲେ ଚଳିପାରିବୁ ନାହିଁ । ସେମାନେ ଆମ୍ଭଠାରୁ ହୀନବୁଦ୍ଧି ହେଲେ କିପରି ?
ହରି – ସେମାନେ ଧନମଦରେ ଓ ପଦମଦରେ ନିମଗ୍ନ ହୋଇଯାଇଛନ୍ତି । ଜଳମଗ୍ନ ବ୍ୟକ୍ତିକୁ ବାହାରର ପଦାର୍ଥ କିଛି ଦିଶିବା ଦୂରେଥାଉ, ଜଳ ମଧ୍ୟର ପଦାର୍ଥ ମଧ୍ୟ କିଛି ଦିଶଇ ନାହିଁ । ସେହିପରି ମଦନିମଗ୍ନ ବ୍ୟକ୍ତି ସଂସାରର କିଛି ଦେଖି ନ ପାରି ଆପଣାକୁ ବଡ଼ ବିଚାର କରେ ।
ଗୋବିନ୍ଦ – ସେ ତାଙ୍କର ଧନମଦରେ ହେଉ କି ପଦମଦରେ ହେଉ, ବୁଡ଼ିଲେ ତହିଁରେ ଅନ୍ୟର କ୍ଷତି ହେବ କିପରି ?
ହରି – ଭାଇ, ସଂସାରରେ ଧନୀ କେହି ନୁହନ୍ତି । ଧନୀ ବୋଲ, କ୍ଷମତାଶାଳୀ ବୋଲ, ସବୁ ଏକମାତ୍ର ପରମେଶ୍ୱର । ତେବେ ସେ ସର୍ବସାଧାରଣ ଉପକାର ନିମନ୍ତେ କୌଣସି କୌଣସି ବ୍ୟକ୍ତିଠାରେ କିଛି କିଛି ଧନ ରଖାଇଥାନ୍ତି ଆଉ ଦୁଷ୍ଟମାନଙ୍କ ଶାସନ ନିମନ୍ତେ ଜଣ-ଜଣକୁ କ୍ଷମତାଶାଳୀ କରିଥାନ୍ତି । ଦେଖ, ମନୁଷ୍ୟ ଯେତିକି ଖାଇବ ତେତିକି ତାର; ଅନ୍ୟ ପଦାର୍ଥ ତାହାର ନୁହେଁ । ପୁଣି ପରିଶ୍ରମ ନ କରି ଖାଇଲେ ଈଶ୍ୱରଙ୍କ ସମୀପରେ ଅଜୀର୍ଣ୍ଣାଦି ରୋଗଦ୍ୱାରା ଦଣ୍ଡ ଭୋଗ କରିବାକୁ ପଡ଼େ । ଈଶ୍ୱରଙ୍କ ଆଜ୍ଞା ଯେ, ପରିଶ୍ରମ କର ଓ ଭୋଜନ କର ।
ଗୋବିନ୍ଦ – ବାକୀ ପଦାର୍ଥ କ’ଣ କରାଯିବ ?
ହରି – ଜଗତର ହିତ ନିମନ୍ତେ କାର୍ଯ୍ୟ କରାଇ ଭୋଜନ ନିମନ୍ତେ ସେହି କାର୍ଯ୍ୟକାରୀ ଲୋକଙ୍କୁ ଦିଆଯିବା ଉଚିତ ।
ଗୋବିନ୍ଦ – ସେ ସବୁ ଭିନ୍ନ କଥା । ଧନୀମାନେ ହୀନବୁଦ୍ଧି ହେଲେ କିପରି ?
ହରି – ସେମାନେ ମଦାନ୍ଧ ହୋଇ ଈଶ୍ୱରଙ୍କ ରଖିଥିବା ପଦାର୍ଥକୁ ଆପଣାର ଧନ ମନେ କରି ଯଥେଚ୍ଛା ବ୍ୟୟ କରନ୍ତି । ଯହିଁରେ ଜଗତର ଅନିଷ୍ଟ ହେବ, ଏପରି କାର୍ଯ୍ୟମାନ କରନ୍ତି ।
ଗୋବିନ୍ଦ – ଚୁଗୁଲିଆ ତାଙ୍କର କ’ଣ କରନ୍ତି ?
ହରି – ଚୁଗୁଲିଆମାନେ ସେମାନଙ୍କ ନିକଟକୁ ଯାଇ ସଚ୍ଚରିତ୍ର ସାଧୁ ଲୋକର ନିନ୍ଦା କରନ୍ତି । ସାଧୁ ସତ୍କାର୍ଯ୍ୟର ପୁରସ୍କାର ସ୍ୱରୂପ କିଛି ପାଇବାର ଉପଯୁକ୍ତ ଥିଲେ, ତାହା ନାନାପ୍ରକାରେ ଭାଙ୍ଗିଦିଅନ୍ତି । ଧନୀମାନେ ସେହି ଚୁଗୁଲିଆମାନଙ୍କ କଥାରେ ପଡ଼ନ୍ତି । ଏଣୁକରି କହୁଅଛୁଁ ଯେ ଧନୀମାନେ ମଦାନ୍ଧ; ଚୁଗୁଲିଆ ତାଙ୍କ କଟୁଆଳ ହୋଇ ସଂସାରପଥରେ ଚଳାଇନିଏ । ଏବେ କହ, ଅନ୍ଧ ଶ୍ରେଷ୍ଠ କି କଟୁଆଳ ଶ୍ରେଷ୍ଠ ?
ଗୋବିନ୍ଦ – ଭାଇ ବୁଝିଲି, କେହି ଶ୍ରେଷ୍ଠ ନୁହନ୍ତି । ବାସ୍ତବରେ ଚୁଗୁଲିଆ ହୀନ; ଯେ ଚୁଗୁଲି କଥା ଗ୍ରହଣ କରେ ସେ ହୀନତର ।
ହରି – ଏତିକିରେ ଚୁଗୁଲିଆମାନଙ୍କ କଥା ଶେଷ ହେଲା କି ?
ଗୋବିନ୍ଦ – ତେବେ ଆଉ କ’ଣ ଅଛି ?
ହରି – ଚୁଗୁଲିଆମାନେ କୌଣସି କୌଣସି ନିରୀହ ବ୍ୟକ୍ତିଙ୍କୁ କ୍ଷମତାଶାଳୀ ଲୋକଙ୍କ ନିକଟରେ ଅତି ଅନିଷ୍ଟକାରୀ, ନିନ୍ଦୁକ, ବିଦ୍ୱେଷୀ ବୋଲି ପ୍ରତିପନ୍ନ କରାଇ ତାହାର ସର୍ବନାଶ କରିଥାନ୍ତି । କ୍ଷମତାଶାଳୀ ଲୋକ ଈଶ୍ୱରଦତ୍ତ କ୍ଷମତାକୁ ସଂସାରର ହିତକାର୍ଯ୍ୟରେ ବ୍ୟବହାର୍ଯ୍ୟ ବୋଲି ନ ଭାବି ମଦାନ୍ଧ ହୋଇ ଅକାରଣରେ କ୍ଷମତାର ଅପବ୍ୟବହାର କରି ସେହି ନିରୀହ ବ୍ୟକ୍ତିର ସର୍ବନାଶ କରିଥାନ୍ତି ।
ଗୋବିନ୍ଦ – ଠିକ୍ ଠିକ୍ ଠିକ୍, ରାମ ଉପରେ ଆଜି ସେହି ଦଶା ପଡ଼ିଥିବ । ଏଣୁ ତା’ର ମା’ କାନ୍ଦୁଅଛି ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର