(୧୯୦୦) (ଜାନୁଆରୀ, ୧୯୦୦ ଉତ୍କଳ ସାହିତ୍ୟ)
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଗଙ୍ଗାଧରଙ୍କ ଗଦ୍ୟାବଳୀ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୭୭
- ସ୍ଥିତି
- ସାର୍ବଜନୀନ (Public domain)
ପୃଥିବୀରେ ତିନିଶ୍ରେଣୀର ମନୁଷ୍ୟ ଦେଖାଯାନ୍ତି– ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ । ଶିକ୍ଷିତ ବ୍ୟକ୍ତି ମନୁଷ୍ୟପଦବାଚ୍ୟ । ଶିକ୍ଷିତ ବ୍ୟକ୍ତି ସତ୍କର୍ମରେ ନିରତ ଥାଇ ସତ୍ସଙ୍ଗରେ ଓ ସଦାଳାପରେ ପବିତ୍ର ଭାବରେ ଜୀବନଯାତ୍ରା ନିର୍ବାହ କରନ୍ତି; ଅତୀତକାଳର ଘଟନାବଳୀ, ଦେଶବିଦେଶର ରୀତିନୀତି ଓ ଜଗତର ନିୟମମାନ ଅବଗତ ହୋଇ ସ୍ୱଦେଶ ସହିତ ଜଗତର ଉନ୍ନତି ଚେଷ୍ଟାରେ ସତତ ଚିନ୍ତିତ ଥା'ନ୍ତି । ତାଙ୍କ ଚକ୍ଷୁରେ ପୁଣ୍ୟପଥର ଆପାତ କଷ୍ଟଦାୟକ ଦୂରତ୍ୱ ଏବଂ ଦୂରସ୍ଥିତ ସୁରମ୍ୟ ସୋପାନବିଶିଷ୍ଟ ମନୋହର ସୁଖମନ୍ଦିର ଆଉ ପାପପଥର ନିକଟସ୍ଥ କୋମଳ ସୁଖଶଯ୍ୟା ଓ ତଦନ୍ତରାଳସ୍ଥ ଯନ୍ତ୍ରଣା କଣ୍ଟକପୂର୍ଣ୍ଣ ଦୁଃଖାରଣ୍ୟ ଦୃଶ୍ୟ ହେଉଥାଏ । ସେ ସ୍ୱର୍ଗୀୟ ବୀରମାନଙ୍କର ଥରେ ଭୟଙ୍କର ସଂହାରରୂପ, ଥରେ ଦୟାମଧୁର ମୋହନମୂର୍ତ୍ତି ସନ୍ଦର୍ଶନ କରି ବିସ୍ମୟ-ସମ୍ବଳିତ ଭକ୍ତିରସରେ ଅଭିଷିକ୍ତ ହେଉଥାନ୍ତି । ଭାରତୀଙ୍କର ବୀଣାଝଙ୍କାରମିଶ୍ରିତ ଅମିୟ ସଙ୍ଗୀତ ଶ୍ରବଣ କରି ଆତ୍ମାକୁ ପବିତ୍ର ଓ ହୃଦୟକୁ ଆନନ୍ଦପୂର୍ଣ୍ଣ କରୁଥାନ୍ତି । ମଙ୍ଗଳମୟ ପରମେଶ୍ୱରଙ୍କ ମଙ୍ଗଳାଭିପ୍ରାୟ ଓ ପ୍ରକୃତ ଧର୍ମତତ୍ତ୍ୱ ଅବଗତ ହୋଇ ପବିତ୍ର ଧର୍ମ ଅବଲମ୍ବନରେ ଜଗଦୀଶ୍ୱରଙ୍କ ପ୍ରସାଦ ଲାଭ କରି ପୁଲକିତ ହେଉଥାନ୍ତି । ତାହାଙ୍କ ହୃଦୟ ଶ୍ରଦ୍ଧା, ଭକ୍ତ, ଦୟା, କ୍ଷମାଦି ଦେବକନ୍ୟାଗଣର ବିହାରଭୂମି । ତାଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ୍ ଶିକ୍ଷାଳୟ ଓ ପ୍ରକୃତି ନିତ୍ୟପଠନୀୟ ବିରାଟ ଗ୍ରନ୍ଥ । ପୃଥିବୀ ଅପେକ୍ଷା ଲକ୍ଷଗୁଣାଧିକ ଅଚିନ୍ତନୀୟ ବେଗଗାମୀ ଗ୍ରହାଦିଠାରୁ ବାଳଭାନୁକିରଣୋଦ୍ଭାସିତ ପରମାଣୁ ପର୍ଯ୍ୟନ୍ତ ଆଲୋଚନାର ବିଷୟ । ମାନବର ପୂର୍ଣ୍ଣ ପରମାୟୁ ବିଂଶାଧିକ ଶତବର୍ଷ ଶିକ୍ଷାର ପ୍ରତୁଳ ସମୟ ନୁହେଁ, ଆଜୀବନ ଯାହା କିଛି ଶିକ୍ଷା ଓ ଜ୍ଞାନଲାଭ ହୋଇପାରେ, ତହିଁରେହିଁ ଜୀବନର ସାର୍ଥକତା ସାଧନ କରିବା ମାନବର ପ୍ରଧାନ କର୍ତ୍ତବ୍ୟ । ସାହିତ୍ୟ-ସେବା ତାଙ୍କର ପ୍ରିୟ ବ୍ରତ ।
ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିରସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନ କରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି । ଶିକ୍ଷିତ ମଧ୍ୟରୁ ପ୍ରକୃତ ଜ୍ଞାନୀ ଅତି ଅଳ୍ପ । ଜ୍ଞାନୀ ଜ୍ଞାନକୁ କୋହିନୂର ଅପେକ୍ଷା ଅଧିକ ମୂଲ୍ୟବାନ୍ ବୋଧକରନ୍ତି । ସେ ଜ୍ଞାନାଲୋକରେ ଜଗତ୍ ଆଲୋକମୟ ଦେଖନ୍ତି । ଜଳଦାଚ୍ଛନ୍ନ ତମୋମୟୀ ରଜନୀର ଅସୂଚିଭେଦ୍ୟ ତିମିରରାଶି ତାଙ୍କର ଦୃଷ୍ଟି ରୋଧ କରିପାରେ ନାହିଁ; ବରଂ ବିଚିତ୍ର ବିଚିତ୍ର ଦୃଶ୍ୟ ତାଙ୍କ ସମକ୍ଷରେ ଉପସ୍ଥିତ କରି ଚିତ୍ତରଞ୍ଜନ କରେ । ଜ୍ଞାନୀ ଜ୍ଞାନରଥରେ ଆରୋହଣ କରି ନିମେଷ ମଧ୍ୟରେ ବ୍ରହ୍ମାଣ୍ଡ ପର୍ଯ୍ୟଟନରେ ସମର୍ଥ ହୁଅନ୍ତି । ତାଙ୍କ ହୃଦୟ ପର୍ବତତୁଲ୍ୟ ଉଚ୍ଚ, ସାଗରତୁଲ୍ୟ ପ୍ରଶସ୍ତ ଓ ଗଭୀର । ତହିଁରେ ବହୁମୂଲ୍ୟ ରତ୍ନରାଜି ପୂର୍ଣ୍ଣ ହୋଇଥାନ୍ତି । ସେହି ରତ୍ନନିଚୟ ଯେ ଯେତେ ସଂଗ୍ରହ କରିପାରେ, ସେ ତାହା ଦେବାକୁ ପ୍ରସ୍ତୁତ; କିନ୍ତୁ ସଂଗ୍ରାହକ ଅତି ଦୁର୍ଲ୍ଲଭ । ଜ୍ଞାନୀ ସ୍ୱ-ଗୁଣପ୍ରକାଶରେ ଯେପରି ସଙ୍କୁଚିତ ହୁଅନ୍ତି, ପରପ୍ରଶଂସାରେ ସେହିପରି ପ୍ରଫୁଲ୍ଲ ହୁଅନ୍ତି । ତାଙ୍କର ଚକ୍ଷୁ ଅବିକୃତ ଜ୍ଞାନାଞ୍ଜନରେ ପରିଷ୍କୃତ । ସେ ଗୋଟିଏ ପୁଷ୍ପର ସୌନ୍ଦର୍ଯ୍ୟ ଓ ସୌରଭରେ ଯେପରି ସଂପ୍ରୀତ ହୁଅନ୍ତି, ଜଣେ ରତ୍ନାଳଙ୍କାରମଣ୍ଡିତ ଅତର-ସୁବାସିତ ରାଜାଙ୍କର ସୌନ୍ଦର୍ଯ୍ୟରେ ତହିଁର ଶତାଂଶ ପ୍ରୀତିଲାଭ କରିପାରନ୍ତି ନାହିଁ । ଅଥୈକ ଦୃକ୍ପଦୈକ ଦୃକ୍ସ୍ୱାର୍ଥପର ସଂସାରକୁ ସେ ବଡ଼ ବିଷମବୋଧ କରନ୍ତି-।
ଅଶିକ୍ଷିତ ବ୍ୟକ୍ତି ପଶୁତୁଲ୍ୟ ନିକୃଷ୍ଟ କାର୍ଯ୍ୟରେ, ନିକୃଷ୍ଟ ସଙ୍ଗରେ, ନିକୃଷ୍ଟଭାବରେ କାଳହରଣ କରେ । ସେ ବର୍ତ୍ତମାନକାଳର ସ୍ୱଦେଶର ରୀତିନୀତି ଯୁଦ୍ଧ ଅବଗତ ହେବାକୁ ଅକ୍ଷମ । ଶାରୀରିକ ପରିଶ୍ରମ, ଭୋଜନ ଓ ନିଦ୍ରା ତାହାର ପ୍ରଧାନ କାର୍ଯ୍ୟ । ତାହାର ଦୃଷ୍ଟି ଯେତିକି ଦୂର ଯାଏ, ସେ ତାହା ଜଗତର ଶେଷସୀମା ବୋଲି ବିଚାର କରେ । ସେ ନିନ୍ଦା-ପ୍ରଶଂସାଜ୍ଞାନବର୍ଜିତ ହୋଇ ନିଜର ସୁବିଧା ଅନୁସାରେ କାର୍ଯ୍ୟ କରିବାରେ ଅକୁଣ୍ଠିତ । କୁତ୍ସିତ ଅଶ୍ଳୀଳ ଗାନ ତାହାର ପ୍ରାଣହର ସଙ୍ଗୀତ । ଗ୍ରାମ୍ୟ ଗୀତାବଳୀ ତାହାର ପ୍ରଧାନ ସାହିତ୍ୟ । ଅତି ଜଘନ୍ୟ ବେଶ୍ୟାନୃତ୍ୟାଦି ତାହାର ପ୍ରଧାନ ଦର୍ଶନୀୟ, ଦ୍ୟୂତକ୍ରୀଡ଼ା ପ୍ରଧାନ ଆମୋଦ । ତାହାର ହୃଦୟ ଅରଣ୍ୟ ତୁଲ୍ୟ ଦୁର୍ଗମ, କାମକ୍ରୋଧାଦି ଶ୍ୱାପଦସଙ୍କୁଳ । ତାହାର ଚକ୍ଷୁ ଚିରବିକୃତ । ସେହି ଚକ୍ଷୁରେ ହୀରା ଜିରା ସମାନ ପ୍ରତୀୟମାନ ହୁଏ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର