ନାରୀର ଗତି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗଳ୍ପମାଳା
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୪୯୨
- ସ୍ଥିତି
- ସାର୍ବଜନୀନ (Public domain)
ଗୋପୀନାଥ ବିଦେଶରେ ମରିଯିବା ଖବର ଆଣି ଚିଠି ଯେଉଁଦିନ ପହଞ୍ଚିଲା, ସେଠାରୁ ତିନିଦିନ ଧରି ଗଙ୍ଗାଧରଙ୍କ ଘରେ ବିଷମ କାନ୍ଦବୋବାଳି ପଡ଼ିଛି, ଚୁଲି ଲାଗୁନାହିଁ, ଅଇଁଠା ପଡ଼ୁନାହିଁ, ରାତିରେ ଦୀପ ବଳିତା ଜଳୁ ନାହିଁ, କାହାରି ଆଖିର ଲୁହ ଶୁଖୁନାହିଁ । ଘରର ନିତ୍ୟନୈମିତ୍ତିକ କାର୍ଯ୍ୟରେ ଏ ପ୍ରକାର ବ୍ୟାଘାତ ଏପରି ହଠାତ୍ ଘଟିବାର କାରଣ ସୁଲକ୍ଷଣା କିଛି ଠିକ୍ରୂପେ ଜାଣେନାହିଁ । ଖାଲି ଶୁଣିଛି ଯେ କ’ଣ ଖଣ୍ଡେ ମନ୍ଦ ଚିଠି ଆସିଛି । ବାପା ମା’ ଭାଇ କାନ୍ଦିବାରୁ ସେ କାନ୍ଦୁଛି, ସେମାନେ ଖାଉ ନାହାନ୍ତି ବୋଲି ସେ ଖାଉ ନାହିଁ । ସେହିମାନଙ୍କ ଉପସ୍ଥିତ ଦୁଃଖରେ ଦୁଃଖିତ ହେବା ଛଡ଼ା ତା’ର ମନରେ ଯେ ଅନ୍ୟ କୌଣସି ଭାବ କାର୍ଯ୍ୟ କରୁଥିଲା, ତାହା ଅତ୍ୟନ୍ତ ସନ୍ଦେହର ବିଷୟ । କେବଳ ସେତିକି ନୁହେଁ, ଆପଣାର ବାପା ମା’ ଭାଇ ଓ ଦୁଇ ତିନିଜଣ ପଡ଼ୋଶୀ ଖେଳ ସାଥୀଙ୍କ ବ୍ୟତୀତ ତା’ର ମନର ଭାବନା ଉପରେ ଦାବି କରିବାକୁ ସଂସାରରେ ଯେ ଆଉ କେହି ଅଛି, ତା’ ମଧ୍ୟ ସେ ଭଲରୂପେ ଜାଣେନାହିଁ ।
ସୁଲକ୍ଷଣାର ବୟସ ଆଠବର୍ଷ ପୂରିନାହିଁ । ସାତବର୍ଷ ବେଳେ ତା’ର ବିବାହ ହୋଇଥିଲା-। ବିବାହ ଲଗ୍ନ ଗୋଧୂଳି ସମୟରେ ଥିବାରୁ ବର ବିଳମ୍ବରେ ଆସୁଥିଲେ । ତହିଁରେ ପୁଣି, ବାଟରେ ପାଲିଙ୍କି ଭାଜି ପଡ଼ିଲା । ଫଳରେ, ବର ଆସି ବେଦିରେ ବସିଲାବେଳକୁ ରାତି ପାଞ୍ଚ ଘଡ଼ି, ବସନ୍ତପଞ୍ଚମୀର ଚନ୍ଦ୍ର ବୁଡ଼ିବା ଉପରେ । ସୁଲକ୍ଷଣା ନିଦରେ ଟେକା ହୋଇ ଆସି ଲୁଗା ଗଣ୍ଡିରାଟିଏ ପରି ବେଦିରେ ଥୁଆ ହୋଇଥିଲା । ବେଦିର କାର୍ଯ୍ୟ ଶେଷରେ ସେହିପରି ଭାବରେ ମଧ୍ୟ, ସେ ଘରକୁ ଫେରିଥିଲା । ସୁତରାଂ, ଆରଦିନ ସକାଳେ ସେ ମାଆଙ୍କୁ ପଚାରିଲା, ‘‘ବୋଉ, ମୋତେ କାଲି ରାତିରେ ଆଉ ଖାଇବାକୁ ଉଠାଇଲୁ ନାହିଁ ?’’ ନିର୍ଜଳ ଏକାଦଶୀ କହିଲେ, ଅନେକ ଯେପରି ଜଳଶୂନ୍ୟ ଚୁଡ଼ା ଗୁଡ଼ ପୁରି ମିଠେଇ ବୁଝନ୍ତି, ସେହି ଅଭିଧାନ ବିଧିରେ ସୁଲକ୍ଷଣା ବୁଝିଥିବ ଯେ ବିବାହ ଦିନକର ଉପବାସ ମାତ୍ର; ସୁତରାଂ, ବାଲ୍ୟ ଜୀବନର ନିତ୍ୟ ବୁଭୁକ୍ଷୁ ବୟସରେ ତାହା ବାଞ୍ଛନୀୟ ନୁହେଁ ।
ଦିଗମ୍ବର ନନ୍ଦ ସେ ଅଞ୍ଚଳରେ ଜଣେ ଛୋଟିଆ ଜମିଦାର । ଖଜଣା, ମାଗଣ, ଜରିମାନା, କ୍ଷତିପୂରଣି, ଜବରଦସ୍ତି–ସବୁ ବାବଦ ମିଶି ବର୍ଷରେ ପ୍ରାୟ ତିନି ହଜାର ଅସୁଲ କରନ୍ତି । ରାଜଭାଗ ଦିଅନ୍ତି ଛ’ଶ । ଆୟୁର ଭିନ୍ନ ଭିନ୍ନ ବୟସରେ ଦୁଇଟି ଭାର୍ଯ୍ୟା ବିଭା ହୋଇଛନ୍ତି । ଶାସ୍ତ୍ରୀୟ ନିୟମ ଅନୁସାରେ ସେ ସେମାନଙ୍କର ହାତ ଧରିଛନ୍ତି ମାତ୍ର; କିନ୍ତୁ ହୃଦୟକୁ ସୁଦ୍ଧା ଧରି ରଖିବା ଯେ ବିବାହର ଅଙ୍ଗ, ତାହା ଶାସ୍ତ୍ରରୁ ପଠନୀୟ; କିନ୍ତୁ କରଣୀୟ ନୁହେଁ ବୋଲି ମନେ କରନ୍ତି । ଆହୁରି ମଧ୍ୟ ବିବାହ ସୂତ୍ରରେ ବାନ୍ଧିବା ବିଷୟରେ ପୁରୁଷର ନାରୀ ଉପରେ ଯେଉଁ ଦାବି ଅଛି, ତାହାକୁ ସେ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟାଦ୍ୱାରା ସୀମାବଦ୍ଧ କରିବା ପୁରୁଷତ୍ୱର ବିରୁଦ୍ଧ ନୀତି ବୋଲି ମଣନ୍ତି । ତାଙ୍କର କେବଳ ନିରୀହ ଇଚ୍ଛା କାହିଁକି, ଚେଷ୍ଟା ଥିଲା ସୁଲକ୍ଷଣାର ହାତ ଧରିବେ । ଆପଣାର ଜୀବନଯାନ ସମଭାବରେ ନିରାପଦରେ ଚଳାଇବାକୁ ସେ ଦୁଇଟି ପ୍ରୌଢ଼ ନାରୀ-ଚକ୍ର ସହିତ ଗୋଟିଏ ଛୋଟିଆ ବାଳିକା ଗୁଳି ଯୋଡ଼ିବା ବୁଦ୍ଧିର କାର୍ଯ୍ୟ ବୋଲି ସ୍ଥିର କରିଥିଲେ । ସୁଲକ୍ଷଣାର ଭାଇ ଚିନ୍ତାମଣି ଜିଦ୍ ଧରି ନଥିଲେ ଗଙ୍ଗାଧର ହୁଏତ ଦିଗମ୍ବରଙ୍କ ହାତେ ଝିଅକୁ ସମର୍ପି ଦେଇଥାନ୍ତେ ।
ସୁଲକ୍ଷଣା ପରି ଗଙ୍ଗାଧରଙ୍କ ବଗିଚାର ଫୁଲର କଢ଼ି ଦିନେ ଫୁଟି ଚହଟିଥାନ୍ତା, ତାହା ହାତରୁ ଖସିଯିବାରୁ ଦିଗମ୍ବରଙ୍କ ମନରେ ବଡ଼ ଦୁଃଖ; ମାତ୍ର ଦୁଃଖ ଅପେକ୍ଷା ରାଗର ପରିମାଣ ଆହୁରି ଅଧିକ । ଏପରିକି ଦୁଃଖରୂପ ଶୀତଳ ତରଳ ମନୋଭାବ ରାଗର ତପ୍ତ ଶିଖାରେ ଫୁଟି ଉଷ୍ଣ ବାଷ୍ପରେ ପରିଣତ ହୋଇ ରହିଅଛି । ଏହି ରାଗ ମେଣ୍ଟାଇବାକୁ ସେ କେତେ ବାଟ ଖୋଜିଲେ, କେତେ ଉପାୟ ପାଞ୍ଚିଲେ, ଫଳରେ କିଛି ହେଲାନାହିଁ । ପରାହତ ଷଣ୍ଢର କ୍ରୋଧ ପରି ତାଙ୍କର କ୍ରୋଧ ହୃଦୟରେ ଅଧିକ ଜଳିଉଠିଲା ମାତ୍ର । ସେ ସ୍ଥିର କଲେ ଯେ ତାଙ୍କ ହାତେ ଯେଉଁ ପଦାର୍ଥ ପଡ଼ିଲାନାହିଁ, ତାକୁ ଜଗତରେ ଯେପରି ଆଉ କେହି ପାଇ ନ ରଖେ, ଉପଭୋଗ କରି ନ ପାରେ ।
ସୁଲକ୍ଷଣା ହାତରୁ ଯେଉଁଦିନ ଅହ୍ୟଶଙ୍ଖା ପିଟି ଭଙ୍ଗାହେଲା, ସେ ଦିନ ଦିଗମ୍ବରଙ୍କ ଘରେ ମହାଉତ୍ସବ । ଆପଣାର ଖାଲି ହାତ, ତୁଚ୍ଛା ନାକ କାନ ଦର୍ପଣରେ ଦେଖି, ସୁଲକ୍ଷଣା ବୁଝିଲା ଯେ ତା’ର ପ୍ରକୃତରେ କାନ୍ଦିବା ଭଳି କିଛି ଘଟିଅଛି । ସେ ଆଠ ବର୍ଷର ପିଲା ହେଲେ କ’ଣ ହେବ, ରୂପଗୁଣରେ ବଡ଼ ସୁନ୍ଦର । ଗାଁ ମାଇପେ କହନ୍ତି, ସେ ଗୋଟିଏ ଚାଉଳରେ ଗଢ଼ା । ଅଳଙ୍କାର ଳୁଗାପଟା ସତେଅବା ତା’ର ରୂପକୁ ଘୋଡ଼େଇ ରଖିଥିଲା । ବିଧବା ହୋଇ ସୁଲକ୍ଷଣା ପ୍ରକୃତିର ଅନାବୃତ ବେଶରେ ଆହୁରି ସୁନ୍ଦର ଦିଶିଲା ।
ସୁଲକ୍ଷଣା ବିଧବା ହୋଇ ରହିଲେ, ଚିନ୍ତାମଣି ଅଭିଆଡ଼ା ହୋଇ ରହିବ ବୋଲି ଅଡ଼ି ବସିଲା । ବାପା ମା’ କ’ଣ କରିବେ କିଛି ବୁଝି ନ ପାରି, ଶେଷରେ, ସମ୍ପୂର୍ଣ୍ଣ ଅରାଜି ସତ୍ତ୍ୱେ, ସୁଲକ୍ଷଣାକୁ ପୁଣି ବିବାହ କରାଇବାକୁ ରାଜି ହେଲେ । ଗଙ୍ଗାଧର ମନୁ, ପରାଶରରୁ ଶ୍ଳୋକ କାଢ଼ି ଜ୍ଞାତିକୁଟୁମ୍ବଙ୍କୁ ବୁଝାଇ କହିଲେ; କିନ୍ତୁ ଫଳରେ ସେ ସମସ୍ତଙ୍କର ଘୃଣା ଓ ଗାଳିର ପାତ୍ର ହୋଇ ରହିଲେ ମାତ୍ର । ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ କାହାରିଠାରୁ ଅନୁମତି ମିଳିଲା ନାହିଁ । ଅଥଚ ଚିନ୍ତାମଣିର ଜିଦ୍ ଯେ ସୁଲକ୍ଷଣା ବିଧବା ହୋଇ ରହିବ ନାହିଁ ।
ପୋଷିବା ଲୋକ ଯଦି ଜିଦ୍ କରେ ଯେ ତା’ ପାରା ପଞ୍ଜୁରୀରେ ନ ରହି ଆକାଶରେ ଉଡ଼ିବ, ସେଥିରେ ସଞ୍ଚାଣ ଯେପରି ଖୁସି ହେବାର କଥା, ଚିନ୍ତାମଣିର ଏହି ଯୌବନସୁଲଭ ଅପରିଣତ ବୟସର ଜିଦ୍ରେ ଦିଗମ୍ବର ସେହିପରି ଖୁସି ହୋଇ ସହଚର ଅନ୍ତର୍ଯ୍ୟାମୀଙ୍କି କହିଲେ, ‘‘କର ଉପାୟ ବିଧାତା, ଆଉ ବିଳମ୍ୱ କାହିଁକି ? ଲଗାଅ ତୁମର ଯୋଗାଡ଼ । ଗଙ୍ଗାଧର ମୋ ପ୍ରସଙ୍ଗରେ ପ୍ରଥମେ ହଠାତ୍ ରାଜି ନୋହିପାରେ । ସେପରି ଅନିଶ୍ଚିତ କଥାକୁ ଯିବା କାହିଁକି ? ତମେ ତମ ପାଇଁ ଠିକ୍ କର । ହାତରେ ପଡ଼ିଲେ, ତୁମର ହାତ ମୋର ହେବାକୁ କେତେବେଳ ? ସେ ତ ମହୁଘରାର ମହୁ । ତୁମେ ଟିକିଏ ଚିପୁଡ଼ି ଦେଲେ, ମୋ ହାତକୁ ଛାଏଁ ବହିଆସିବ ।’’
ଦିଗମ୍ୱର ସ୍ତ୍ରୀ ଜାତିର ସମ୍ପର୍କରେ ନିଜର ନିର୍ଦ୍ଧାରିତ ନୀତି ଅନୁସରଣ ନ କରି କୌଣସି କାର୍ଯ୍ୟ କରନ୍ତି ନାହିଁ । ସ୍ତ୍ରୀ ପୁରୁଷର ଭୋଗ୍ୟ ପଦାର୍ଥ ଏବଂ ପୁରୁଷ ଯେପରି ତା’ର ଭୋଜ୍ୟ ଚାଉଳ ଡାଲି ଘିଅ । କେତେକ ନିଜେ ଉତ୍ପନ୍ନ କରି, କେତେକ ଅନ୍ୟଠାରୁ କିଣି, ଆଉ କେତେକ ଭେଟି ଇତ୍ୟାଦିରେ ପାଇ ବ୍ୟବହାରରେ ଲଗାଏ, ସେହିପରି କୌଣସି ସ୍ତ୍ରୀ ବ୍ୟକ୍ତିକୁ ପ୍ରାଜାପତ୍ୟ, କାହାକୁ ଗାନ୍ଧର୍ବ, କାହାକୁ ବା ପୈଶାଚ–ଏହିଭଳି ଆଠ ପ୍ରକାର ଶାସ୍ତ୍ରୀୟ ରୀତିରେ ଆପଣାର ପତ୍ନୀତ୍ୱରେ ଗ୍ରହଣ କରିପାରେ ବୋଲି ତାଙ୍କର ମତ । ଏହି ଆଠ ପ୍ରକାର ବିବାହରୁ କୌଣସି ଗୋଟାକରେ ସୁଲକ୍ଷଣା ତାଙ୍କର କରଗତ ହେଲେ ହେଲା ।
ଦିଗମ୍ୱର ବୁଦ୍ଧି ହେଲେ, ଅନ୍ତର୍ଯ୍ୟାମୀ ହାତ । ଦୁହିଁଙ୍କ ମଧ୍ୟରେ କାର୍ଯ୍ୟକାରଣର ଗାଢ଼ ସମ୍ପର୍କ, ମାତ୍ର ଅନ୍ତର୍ଯ୍ୟାମୀ ପ୍ରକାଶ୍ୟରେ କାହାରି ଜଣକର ନୁହନ୍ତି, ବରଂ ଜଗତର; କେବଳ ଗୋପନରେ, ଗମ୍ଭିରି ଘର ମଧ୍ୟରେ ଏକା ଦିଗମ୍ୱରଙ୍କର । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ । ତାଙ୍କର ଭାର୍ଯ୍ୟା କମଳା ଗୋପନରେ ଦୌଡ଼ି ଲଗାଇ ମଲାଦିନୁ ଦୁଇବର୍ଷ ଆସି ହେଲାଣି । ସେ ଆଉ ବିଭା ହୋଇ ନାହାନ୍ତି । ସେ ଯେତେବେଳେ ସୁଲକ୍ଷଣାର ସମ୍ପର୍କ ପକାଇଲେ, ଗଙ୍ଗାଧର ଏକପ୍ରକାର ଖୁସିହେଲେ । ଚିନ୍ତାମଣି ମଧ୍ୟ ଭାବିଲା, ‘ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍’ । ବାସ୍ତବରେ ଅନ୍ତର୍ଯ୍ୟାମୀ ଅର୍ଦ୍ଧାଙ୍ଗିନୀଙ୍କୁ ହରାଇ ଅଧେ ହୋଇ ରହିଛନ୍ତି । ସୁଲକ୍ଷଣା ମଧ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଅଧକର ଅଭାବ କ୍ରମେ ଅଧିକ ଅନୁଭବ କରୁଛି । ଏପରି ସ୍ଥଳେ ଦୁହିଁଙ୍କର ସଂଯୋଗ ଅପେକ୍ଷା ମଧୁରତର ଘଟନା ପୃଥିବୀରେ ଆଉ କ’ଣ ହୋଇପାରେ !
ବିବାହ ପ୍ରସ୍ତାବରେ ଅନ୍ତର୍ଯ୍ୟାମୀଙ୍କି ବାରମ୍ୱାର ଗଙ୍ଗାଧରଙ୍କ ଘରକୁ ଆସିବାକୁ ପଡ଼ିଲା । ସୁଲକ୍ଷଣାକୁ ଦେଖି ଦେଖି ସେ କ୍ରମେ ସ୍ଥିର କଲେ ଯେ ସେ ଟଙ୍କା ଶାଳର ଟଙ୍କା ବା ମୋହର ପରି ଏକ ହାତରୁ ଅନ୍ୟ ହାତକୁ ଏତେ ସହଜରେ ଗତି କରିବାର ପଦାର୍ଥ ନୁହେଁ । ଫଳରେ ସୁଲକ୍ଷଣା ପ୍ରତି ତାଙ୍କର ଆକର୍ଷଣ ଯେତିକି ବଢ଼ିଲା, ସେ ସେହି ପରିମାଣରେ ଦିଗମ୍ୱରଙ୍କ ସଙ୍ଗେ ଅଧିକ ଅଧିକ ଦୂରତା ଅନୁଭବ କଲେ । ପୃଥିବୀରେ ସୁଲକ୍ଷଣାର ସ୍ଥିତି ଯେତେ ବାଞ୍ଛନୀୟ ମଣିଲେ, ଦିଗମ୍ୱରଙ୍କ ଅସ୍ତିତ୍ୱ ଲୋପ ହେବାର ଆବଶ୍ୟକତା ହୃଦୟରେ ତେତିକି ଅନୁଭବ କରିବାକୁ ଲାଗିଲେ-।
ଦିନେ ହାତରେ ବିଷପାତ୍ର ଧରି ଅନ୍ତର୍ଯ୍ୟାମୀ ଦିଗମ୍ୱରଙ୍କ ଘରକୁ ଯାଉଛନ୍ତି, ବାଟରେ ମନେମନେ କହିଲେ, ‘‘ନା ଦୁରାତ୍ମା ତ ସେ ନୁହେଁ, ଦୁରାତ୍ମା ମୁଁ । ତା’ କଥାରେ ସୁଲକ୍ଷଣାକୁ ବିଧବା କରାଇଛି ମୁଁ, ପୁଣି ସମୁଦ୍ରରେ ଆଣି ଭସାଇ ଦେବାକୁ ରାଜି ହୋଇଅଛି । ମୁଁ ପ୍ରଥମେ ସଂସାରକୁ ମୋ ନିଜ ଭାରରୁ ମୁକ୍ତ କରିବା ଦରକାର ।’’ ଏହିପରି କେତେ ଭାବି, ସମୁଦ୍ର ମୁହାଣରେ ନଦୀର କର୍ଣ୍ଣଧାରହୀନ ନୌକା ପରି କେତେଥର ଆଗପଛ ହୋଇ, ଶେଷରେ ଅନ୍ତର୍ଯ୍ୟାମୀ ନିଜ ମୁଖରେ ହାତର ପାତ୍ର ଢାଳି ଖାଲି କରିଦେଲେ । ପିଣ୍ଡରୁ ପ୍ରାଣ ଚାଲିଯିବାର ସ୍ଥିର ହେବାରୁ ମନଟା ହାଲୁକା ଲାଗିଲା । କହିଲେ, ‘‘ଚାଲିଯାଅ ପ୍ରାଣ, ସେଠାକୁ–ଯେଉଁଠି କମଳାର ଆତ୍ମା ଦୁଃଖ ନୈରାଶରେ ଏକାକୀ ପର-ଜୀବନର ସତ୍ତା କ୍ଷୟ କରୁଛି । ସବୁ ସହିଥିଲା, ଶେଷରେ ଦିଗମ୍ୱର ତା’ର ସୌନ୍ଦର୍ଯ୍ୟ ସୁଧା ପ୍ରତି ଆପଣାର ଲୋଲୁପ ଜିହ୍ୱା ବଢ଼ାଇ ନଥିଲେ, ଏ ସଂସାରରେ ରହି ଆହୁରି କଷ୍ଟ ନିର୍ଯାତନା ସହିଥାନ୍ତା, ପ୍ରେୟସୀ ।’’ ଆଉ ବେଶି କହିପାରିଲେ ନାହିଁ, ପାଟି ବନ୍ଦ ହୋଇଗଲା ।
ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁରେ ସବୁ ଆଡ଼େ ଘୋର ଚହଳ ପଡ଼ିଗଲା । ସୁଲକ୍ଷଣାର ବୟସ ଆସି ବାରବର୍ଷର ଆଖପାଖ । ଯୌବନ ଘଟ ଯେପରି ଫନ୍ଦ ପର୍ଯ୍ୟନ୍ତ ପୂରି ରହିଛି, ଭିତରେ ଆଉ ଟୋପାଏ ରସ ଜନ୍ମିଲେ, ଉଛୁଳି ପଡ଼ିବ । ସୁଲକ୍ଷଣା ତୋଫାନବେଳର କଇଁଫୁଲଟି ପରି ମୁଣ୍ଡ ନୁଆଁଇ କଳଙ୍କ ହ୍ରଦରେ କେତେବେଳେ ବୁଡ଼ୁଥାଏ, କେତେବେଳେ ବା ନିଜର ବିଶୁଦ୍ଧତା ବଳରେ ଉପରକୁ ଟିକିଏ ଉଠିଯାଏ; ମାତ୍ର ତୋଫାନର ବିରାମ ନାହିଁ ।
ଏପରି ସମୟରେ ଦିନେ ହଠାତ୍ ଗୋପୀନାଥ ନିଜର ପ୍ରେତ ପୁରୁଷ ପରି ଆସି ହାଜର ହେଲେ । ସେ ବଙ୍ଗ ଦେଶକୁ ବାଟ କରିବାକୁ ଯାଇ ସେଠାରେ ଅନେକ ଦିନ ରହିଯାଇଥିଲେ । ଚିଠିପତ୍ର ଯାହା ଦେଉଥିଲେ, ତାହା ସବୁ ଦିଗମ୍ୱରଙ୍କ ବନ୍ଦୋବସ୍ତ ଅନୁସାରେ ଡାକଘରୁ ତାଙ୍କ ହାତକୁ ଆସୁଥିଲା । ଗୋପୀନାଥ ବିଦେଶରୁ ସହଯାତ୍ରୀ ଅନ୍ତର୍ଯ୍ୟାମୀଙ୍କ ହାତେ ନିଜ ଘର, ଶଶୁର ଘରର ହାଲ୍ଚାଲ୍ ଜାଣିବାକୁ ଖବର ପଠାଇଥିଲେ । ତା’ର ଫଳରେ ସେ ଚିଠି ପାଇଥିଲେ ସେ ସୁଲକ୍ଷଣା ମରିଯାଇଛି । ଅନ୍ୟ ଚିଠିପତ୍ର ତାଙ୍କ ପାଖେ ପହଞ୍ଚୁ ନଥିଲା । ସେଥିପାଇଁ ସେ ଦେଶରୁ ଉନ୍ମୁକ୍ତ ବିରହ-ଗ୍ରସ୍ତ କପୋତଟି ପରି ଦେଶକୁ ଉଡ଼ି ଆସିଥିଲେ, ଆଉ ଗୋଟିଏ ଅନୁରୂପ କପୋତୀ ଖୋଜିବେ ବୋଲି ।
ଗୋପୀନାଥ ଆସି ଯେତେବେଳେ ଦେଖିଲେ ଯେ ସୁଲକ୍ଷଣା ମରିନାହିଁ, ବରଂ ତା’ ବଦଳରେ ମନ ମଧ୍ୟରେ ତାଙ୍କୁ ମାରି, ନିଜେ ବିଧବା ହୋଇ ବସିଛି ଏବଂ ତାକୁ ବିବାହ ହେବା ପ୍ରସ୍ତାବ ଭିତରେ ପଡ଼ି ଅନ୍ତର୍ଯ୍ୟାମୀ ବିଷ ପ୍ରୟୋଗଦ୍ୱାରା ମରିଛନ୍ତି, ତାଙ୍କର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ସ୍ଥିରରୂପେ ବୁଝିଗଲେ ଯେ ସୁଲକ୍ଷଣା ତାଙ୍କ ଅନୁପସ୍ଥିତି ସମୟରେ ଅନ୍ତର୍ଯ୍ୟାମୀଙ୍କ ପ୍ରଣୟ ଫାନ୍ଦରେ ପଡ଼ି, ନିଜର ବିବାହିତ ସ୍ୱାମୀକି ଅସ୍ୱୀକାର କରି, ବିଧବା ହୋଇଅଛି ଏବଂ ପରେ ଦିଗମ୍ୱରଙ୍କ ଧନ ଲୋଭରେ ଅନ୍ତର୍ଯ୍ୟାମୀଙ୍କି ମଧ୍ୟ ବିଷ ଦେଇ ମାରିଛି । ଜନରବର ଧ୍ୱନି ପ୍ରତିଧ୍ୱନି ଶୀଘ୍ର ତାଙ୍କ ମନରେ ଏହି ନୀରବ ଧାରଣାକୁ କଥାରେ ପ୍ରକାଶ କରାଗଲା-। ସେ ଗଙ୍ଗାଧରଙ୍କ ବିରୁଦ୍ଧରେ ସମାଜ ନିକଟରେ ଆପତ୍ତି ଉଠାଇଲେ । ସୁଲକ୍ଷଣା ପ୍ରତି ଈର୍ଷା, କ୍ରୋଧ, ଘୃଣାରେ ଜଳିବାକୁ ଲାଗିଲେ ।
ଶେଷରେ ଅନେକ ଦିନର କଥାବାର୍ତ୍ତା, ବାକ୍ବିତଣ୍ଡା, ଧମକ ଚମକ, କ୍ଷମାଭିକ୍ଷା, ଖୁସାମତ ପରେ ସ୍ଥିର ହେଲା ଯେ, ଗଙ୍ଗାଧର ସୁଲକ୍ଷଣାକୁ ଘରୁ ବାହାର କରିଦେବେ, ପ୍ରାୟଶ୍ଚିତ୍ତ କରିବେ, ବ୍ରାହ୍ମଣ ଭୋଜନ କରାଇବେ, ତାହାହେଲେ ଜାତିରେ ଚଳିବେ । ସମାଜର ଏ କଠୋର ଆଦେଶ ନିକଟରେ ଗଙ୍ଗାଧର ମୁଣ୍ଡ ନ ନୁଆଁଇ ଆଉ ବାଟ ଦେଖିପାରିଲେ ନାହିଁ । ପ୍ରାୟଶ୍ଚିତ୍ତ, ବ୍ରାହ୍ମଣ ଭୋଜନ ଯଥାବିଧି କଲେ ।
ସୁଲକ୍ଷଣା ସଙ୍ଗେ ଚିନ୍ତାମଣି ମଧ୍ୟ ଘରୁ ବାହାରିଗଲା । ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁର କାରଣ ଘେନି ପୋଲିସ୍ ଯେ ଅନୁସନ୍ଧାନ କରୁଥିଲେ, ସେଥିରେ ସ୍ଥିର କଲେ ଯେ, ଚିନ୍ତାମଣି ହିଁ ତା’ର କାରଣ-। ଅନ୍ତର୍ଯ୍ୟାମୀଙ୍କ ସଙ୍ଗେ ସୁଲକ୍ଷଣାର ବିବାହ ନ ହେଉ, ଏ ଇଚ୍ଛା ତା’ର ଥିଲା; ମାତ୍ର ତାହା କାର୍ଯ୍ୟକାରୀ କରିବାର ଅନ୍ୟ ଉପାୟ ନ ଦେଖି, ସେ ଏ ନୃଶଂସ ଅଥଚ ସହଜ କାଣ୍ଡ କରିଛି-। ଦିଗମ୍ବରଙ୍କ ତହସିଲଦାର, ପିଆଦା ସାକ୍ଷ୍ୟଦେଲେ, ମକଦ୍ଦମା ବିଚାର ହେଲା, ହାକିମ ପୂର୍ଣ୍ଣ ପ୍ରମାଣ ଅଭାବରେ ଚିନ୍ତାମଣିକି ଫାଶି ହୁକୁମ ନ ଦେଇ ଦଶବର୍ଷ ଜେଲ ଦଣ୍ଡ ଆଦେଶ କଲେ-।
ସୁଲକ୍ଷଣା ସଂସାର-ସମୁଦ୍ର ମଧ୍ୟରେ ଏକା; ଭାସୁଛି, ବୁଡ଼ୁଛି, ଭାସି ରହିବାକୁ ପ୍ରାଣରେ ବଳ ନାହିଁ, ବୁଡ଼ିବାକୁ ଇଚ୍ଛା କରି ସୁଦ୍ଧା ବୁଡ଼ୁନାହିଁ । ଏ ସମୟରେ କର୍ଣ୍ଣଧାର ହୋଇ ଦିଗମ୍ବର ଆସି ପହଞ୍ଚିଲେ । ସେ ସୁଲକ୍ଷଣାକୁ ଧରାଇ ଦେଇ ନିଜ ଘରେ ଦାସୀ ହୋଇ ରହିବାକୁ କହିଲେ । ଗଙ୍ଗାଧରଙ୍କର ସୁଲକ୍ଷଣା ଉପରେ ପୂର୍ବ କନ୍ୟାଦାବି ଥିଲେ, ସେ ଆଜି ପ୍ରାଣପଣେ ବାଧା ଦେଇଥାନ୍ତେ । ଦିଗମ୍ବର ସମାଜର ଜଣେ ସାଧାରଣ, ଅଳ୍ପବିତ୍ତ ବା ମଧ୍ୟବିତ୍ତ ଲୋକ ହୋଇଥିଲେ ସମାଜ ମଧ୍ୟ ନାନା ଆପତ୍ତି ଉଠାଇଥାନ୍ତା; ସୁତରାଂ ବର୍ତ୍ତମାନ ଦିଗମ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ କେବଳ ସୁଲକ୍ଷଣାର କ୍ଷୀଣ ରମଣୀସୁଲଭ ବାହୁଯୁଗଳ ଓ ସେ ଯୋଡ଼ିକ ପଛରେ ତା’ର ହୃଦୟର ନୈତିକ ବଳ । ବାହୁ ଦୁଇଟି ଯେତେବେଳେ ପରାସ୍ତ ହେଲେ, ସୁଲକ୍ଷଣା ନିଜ ହାତର ଶକ୍ତି ନିଜ ବିରୁଦ୍ଧରେ ପ୍ରୟୋଗ କଲା । ସବୁ ପ୍ରହାର, ତାଡ଼ନା, ନିର୍ଯାତନା ସହିଥିଲା, ଜାଣେ ନାହିଁ କାହିଁକି ବା କାହାପାଇଁ, କିନ୍ତୁ ଅସତୀ ହେବାର କଳଙ୍କ ସେ ସହିବ କିପରି ? ନିଜ ହାତରେ ଗଳା ଚିପି ଦିଗମ୍ବରଙ୍କ କୋଳରେ ମରି ଶୋଇ ପଡ଼ିଲା ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର