ଜଳ ଚିକିତ୍ସା — ନୀଳମଣି ବିଦ୍ୟାରତ୍ନ · ସ୍ୱର୍ଣ୍ଣଲିପିଶରୀର ଧାରଣ ନିମନ୍ତେ ଆହାର ଯେପରି ପ୍ରୟୋଜନୀୟ, ଜଳମଧ୍ୟ ସେହିପରି ଅତ୍ୟାବଶ୍ୟକ । ତାହା ଶରୀରର ସୂକ୍ଷ୍ମ ଶିରା, ମଜ୍ଜା. ରକ୍ତ, ମାଂସର ଅତି ଆବଶ୍ୟକୀୟ ଉପାଦାନ । ରକ୍ତର ପ୍ରଧାନ ଉପକରଣ ଜଳ । ରକ୍ତରେ ଜଳର ଅଭାବହେଲେ ଆମ୍ଭମାନଙ୍କର ପିପାସା ଜାତହୁଏ । ପିପାସାର ପ୍ରତିକାର ନକଲେ ଅର୍ଥାତ୍ ଜଳପାନ ନକଲେ ଗାତ୍ରଦାହ ଉପସ୍ଥିତ ହୋଇ ଜୀବନ ସଂଶୟାପନ୍ନ ହୁଏ, ସୁତରାଂ ଜଳ ଜୀବନଧାରଣର ଗୋଟିଏ ଅତି ବଡ଼ ଆବଶ୍ୟକୀୟ ଉପାଦାନ । ଏହା ଭିନ୍ନ ଜଳ ବଳକାରକ ଏବଂ ଉତ୍ତେଜକ । ଡାକ୍ତର ଜର୍ଜ୍ଜ ଏସ୍, କେଇଥ, ତାଙ୍କ ପ୍ରଣୀତ ପୁସ୍ତକରେ ଜଳକୁ ଅତି ଉକ୍ତୃଷ୍ଟ ଉତ୍ତେଜକ ଔଷଧ ବୋଲି ତାହାର ଭୂୟସୀ ଗୁଣଗାନ କରି ଅଛନ୍ତି । ସେ କହନ୍ତି, ଉଷ୍ମଜଳ ଆଶୁ ଉତ୍ତେଜକ କ୍ରିୟା ପ୍ରକାଶକ । ଯେତେବେଳେ ରୋଗ ବା ପରିଶ୍ରମ ହେତୁ ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳିତ ହୁଏ । ସେତେବେଳେ ଶରୀର ସୁଦ୍ଧା ବଳହୀନ କରିଦିଏ । ଜଳପାନ ଦ୍ୱାରା ଶରୀରର ସ୍ରାବଣକ୍ରିୟା ବର୍ଦ୍ଧିତ ହୁଏ । ଉକ୍ତଜଳ ଶରୀର ଯନ୍ତ୍ରର ପରିତ୍ୟକ୍ତ ବିଷାକ୍ତ ପଦାର୍ଥ ସମୂହକୁ ବାହାର କରିଦିଏ ଏବଂ ଶୋଣିତକୁ ବିଶୁଦ୍ଧ କରିଥାଏ । ଜଳ ପାଚକ କ୍ରିୟାର ଗୋଟିଏ ଅପରିହାର୍ଯ୍ୟ ଉପାଦାନ । ଅନେକ ଡାକ୍ତର କହନ୍ତି, ଚା, କଫି, ବଦଳରେ ଆହାରର ଅବ୍ୟବହିତ ପରେ ଉଷ୍ଣଜଳ ପାନ କରିବାହେତୁ ଦୁରାରୋଗ୍ୟ ଅଜୀର୍ଣ୍ଣ ରୋଗ ଚିତ୍କାଳ ନିମନ୍ତେ ଆରୋଗ୍ୟ ହୋଇଥାଏ । ଶୀତଳ ଜଳ ମଧ୍ୟ ବହୁବେଦନା ଓ ଆଘାତ ଜନିତ ବେଦନାର ଉତ୍କୃଷ୍ଟ ମହୌଷଧି । ଯେଉଁ ଜଳଯୋଗେ ଜୀବନରକ୍ଷା ଏବଂ ରୋଗ ଶାନ୍ତି ହୁଏ, ତାହାର ବିଶୁଦ୍ଧତା ପ୍ରତି ଦୃଷ୍ଟିଦେବା ସମସ୍ତଙ୍କର କର୍ତ୍ତବ୍ୟ । ନଚେତ୍ କୁଫଳ ଲାଭ ନିଶ୍ଚିତ କଥା । କେବଳ ଜଳବୋଧ ହେତୁ ନାନା ଜଟିଳ ରୋଗ ଏମନ୍ତ କି ବସନ୍ତ ଓ ବିସୁଚିଆଦି ରୋଗରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ବିଶୁଦ୍ଧଜଳ ବିଧିମତେ ବ୍ୟବହାର କଲେ ତାହା ମାନବ ଶରୀର ପକ୍ଷରେ ଅମୃତତୁଲ ଉପକାରକରେ ଏବଂ ସ୍ୱାସ୍ଥ୍ୟରକ୍ଷା–ରୋଗଶାନ୍ତି ନିମନ୍ତେ ଅନ୍ୟ ଔଷଧ ବା ଚିକିତ୍ସକର ଆବଶ୍ୟକତା ଅନୁଭବ କରେ-। ଜଳର ଉପକାରିତା ବା ରୋଗନାଶକ ଶକ୍ତି କେତେକ ବିଷୟ ନିମ୍ନରେ (…..) ।
ଗ୍ରୀଷ୍ମ, ବସନ୍ତ ଏବଂ ହେମନ୍ତ କାଳରେ ଇଚ୍ଛାନୁରୂପକ ସୁଶୀତଳ ଜଳ ପାନ କରିବା କର୍ତ୍ତବ୍ୟ-।
ବର୍ଷାଋତୁରେ ଅଳ୍ପ ପରିମାଣରେ ଜଳପାନ କରିବା ଉଚିତ । ଶରତ୍ ଋତୁରେ ପରିମିତ ରୂପେ ସଲିଳପାନ କରିବା ବିହିତ । ଶୀତକାଳରେ ଉଷ୍ମନଳ ଶୀତଳ କରି ପାନକରିବା ବିଧେୟ ।
ଶୀତଳଜଳ ପାନକଲେ ପିପାସାର ଶାନ୍ତି ଏବଂ ଭୁକ୍ତ ଦ୍ରବ୍ୟ ଜୀର୍ଣ୍ଣ ହୁଏ ।
ଆହାର ସମୟରେ ଜଳପାନ କରିବା ଉଚିତ ନୁହେଁ । ଆହାରର ଅନ୍ତତଃ ୨/୩ ଘଣ୍ଟାପରେ ଜଳପାନ କରିବ ।
ଅନିଚ୍ଛାରେ ବାରମ୍ୱାର ଜଳପାନ କଲେ ଅଗ୍ନିମାନ୍ଦ୍ୟ ଅଜୀର୍ଣ୍ଣାଦି ରୋଗ ଉତ୍ପନ୍ନ ହୁଏ ।
ପରିଶ୍ରମ ପରେ ଜଳପାନ ଅକର୍ତ୍ତବ୍ୟ, କାରଣ ତଦ୍ଦ୍ୱାରା ସର୍ଦ୍ଦି ଗର୍ମି ପୀଡ଼ା ହୋଇଥାଏ ।
ବୃଷ୍ଟିଜଳ ପାନକଲେ ପିତ୍ତକୋଷ ପ୍ରଶମିତ ହୁଏ । ଉଷ୍ମଜଳ ପାନକଲେ କଫର ଦମନ ହୁଏ ଏବଂ ଉଷ୍ମଜଳ ପାନଦ୍ୱାରା ବାୟୁର ପ୍ରକୋପ ଶାନ୍ତହୁଏ ।
ତୃଷାର୍ତ୍ତକୁ ଜଳପାନ କରିବାକୁ ଦେବ । ଜଳହିଁ ଜୀବର ଜୀବନ । ଏଥିପାଇଁ କୌଣସି ଅବସ୍ଥାରେ ସୁଦ୍ଧା ଜଳପାନର ନିଷେଧ ନାହିଁ ।
ଜ୍ୱରାକ୍ରାନ୍ତ ବ୍ୟକ୍ତି ଲଙ୍ଘନ ଅବସ୍ଥାରେ ସୁଦ୍ଧା ଜଳପାନ କରିପାରିବ । କାରଣ ତୃଷାରୁ ମୋହଜନ୍ମେ ଏବଂ ମୋହଦ୍ୱାରା ପ୍ରାଣହାନି ହୋଇଥାଏ ସୁତରାଂ ସକଳ ଅବସ୍ଥାରେ ଜଳପ୍ରଦାନ କରିବା ବିହିତ ।
ତୃଷାତୁର ମନୁଷ୍ୟ ଅତ୍ୟନ୍ତ ଜଳପାନକଲେ ପିତ୍ତ ଶ୍ଳେଷ୍ମା ପ୍ରାପ୍ତହୁଏ । ବିଶେଷତଃ ଜ୍ୱରାକ୍ରାନ୍ତ ବ୍ୟକ୍ତିପକ୍ଷରେ ଅତିଜଳପାନ କୌଣସି ପ୍ରକାର ବ୍ୟବସ୍ଥାସଙ୍ଗତ ନୁହେଁ ।
ଶୀତଳ ଜଳରେ ସ୍ନାନକଲେ ପିତ୍ତର ପ୍ରକୋପ ପ୍ରଶମିତ ହୁଏ ।
ଉଷ୍ମଜଳରେ ସ୍ନାନକଲେ କଫଦୋଷ ବମିତହୁଏ ।
ଉଷ୍ମ ଓ ଶୀତଳଜଳ ଏକତ୍ରକରି ସ୍ନାନକଲେ ଦୁଷ୍ଟବାୟୁ ବମିତହୁଏ ।
ଶୀତଋତୁରେ ଅତ୍ୟନ୍ତ ଶୀତଳଜଳରେ ସ୍ନାନକଲେ ବା ଅଧିକକ୍ଷଣ ଜଳମଧ୍ୟରେ ରହିଲେ ଶ୍ଳେଷ୍ମା ଓ ବାୟୁ କୁପିତ ହୁଏ ।
ସମ୍ବନ୍ଧିତ ରଚନା
ସର୍ପ-ବିଷ ଚିକିତ୍ସାନୀଳମଣି ବିଦ୍ୟାରତ୍ନ ନୀଳମଣି ବିଦ୍ୟାରତ୍ନ
ବସନ୍ତ ରୋଗ ଚିକିତ୍ସାନୀଳମଣି ବିଦ୍ୟାରତ୍ନ ନୀଳମଣି ବିଦ୍ୟାରତ୍ନ
ଗ୍ରୀଷ୍ମକାଳରେ ଉଷ୍ମଜଳରେ ସ୍ନାନ କଲେ ପିତ୍ତ ଏବଂ ରକ୍ତ କୁପିତ ହୁଏ ।
ଶୀତଳ ଜଳରେ ସ୍ନାନକଲେ ଶରୀର ସତେଜହୁଏ, ଆହାରରେ ରୁଚିଜନ୍ମେ, ମଳ ନଷ୍ଟହୁଏ, ସମୁଦାୟ ଇନ୍ଦ୍ରିୟ ଶୋଧିତ ହୁଏ, ମନର ପ୍ରଫୁଲ୍ଲତା ଉତ୍ପନ୍ନ , ପୁରୁଷତ୍ୱ, (….) ହୋଇଥାଏ ।
ଶୀତଳ ଜଳରେ ମସ୍ତକ ନିମଜ୍ଜିତ କଲେ ଦୃଷ୍ଟି ପ୍ରସନ୍ନ ହୁଏ ।
ପରିଶ୍ରମପରେ ସ୍ନାନକରିବା କର୍ତ୍ତବ୍ୟନୁହେଁ, କାରଣ ଏତଦ୍ୱାରା ସର୍ଦ୍ଦ ଗର୍ମି ପୀଡ଼ା ଜାତହୁଏ ।
ପୀଡ଼ିତ ଦୁର୍ବଳ ବ୍ୟକ୍ତିପକ୍ଷରେ ଲବଣ ମିଶ୍ରିତ ଉଷ୍ମଜଳରେ ସ୍ନାନକରିବା ହିତକର ।
ସୁସ୍ଥବ୍ୟକ୍ତି ନିତ୍ୟ ଉଷ୍ମଜଳରେ ସ୍ନାନକଲେ, ଶରୀରର ଚର୍ମ ଶିଥିଳ ହୋଇଥାଏ ।
ସ୍ନାନର ପୂର୍ବେ ମସ୍ତକରେ ଜଳନଦେଇ ସ୍ନାନକଲେ ରକ୍ତ ଉର୍ଦ୍ଧ୍ୱକୁ ଉଠେ ଏବଂ ମସ୍ତକ ବେଦନା ଜାତହୁଏ ।
ନିତ୍ୟ ନୂତନ ଜଳରେ, ଅର୍ଥାତ୍ ଆଜି ଏକ ଜଳରେ କାଲି ଅନ୍ୟ ଜଳରେ ସ୍ନାନକଲେ, ଚର୍ମରୋଗ, ଜ୍ୱର, କାଶ, ସର୍ଦ୍ଦି ପ୍ରଭୃତି ନାନାବିଧ ରୋଗ ଉତ୍ପନ୍ନୁ ହୁଏ ।
ଜ୍ୱର, କର୍ଣ୍ଣଶୂଳ, ବାୟୁଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଏବଂ ଆଧ୍ମାନ, ଅରୁଚି ଓ ଅଜୀର୍ଣ୍ଣ ରୋଗୀର ଆହାର ପରେ ସ୍ନାନକରିବା ନିଷିଦ୍ଧ ।
ଗ୍ରୀଷ୍ମର ଆଧିକ୍ୟହେତୁ ସକାଳ ଏବଂ ସାୟଂକାଳରେ ଶୀତଳ ଜଳରେ ସ୍ନାନକରିବା ହିତକର ।
ଅଧିକକ୍ଷଣ ଜଳମଧ୍ୟରେ କିମ୍ୱା ଓଦାଲୁଗା ପିନ୍ଧିରହିବା ଉଚିତ ନୁହେଁ ।
ପ୍ରାତଃସ୍ନାନ, ମନର ପ୍ରଫୁଲ୍ଲତା ବୃଦ୍ଧିକର, ଦେହର ଶାନ୍ତି ମସ୍ତିଷ୍କର ସ୍ନିଗ୍ଧତା ଓ ପିତ୍ତ ଶାନ୍ତିକର-।
ସାୟଂକାଳରସ୍ନାନ, ଶରୀରର ଦାହ ଓ କ୍ଳାନ୍ତି ନିବାରକ ଆରାମଦାୟକ । ଏହା ଗ୍ରୀଷ୍ମକାଳରେ ବିଶେଷ ଉପଯୁକ୍ତ ।
ତୃଷ୍ଣା ଓ ବାତ ଶ୍ଳେଷ୍ମା ରୋଗରେ ଉଷ୍ଣୋଜଳପାନ ବ୍ୟବସ୍ତେୟ । ଉଷ୍ଣୋଜଳ କଫକୁ ନଷ୍ଟକରି ଶୀଘ୍ର ତୃଷ୍ଣାକୁ ନିବାରିତକରେ ।
ଉଷ୍ଣୋଜଳ, ଅଗ୍ନିକୁ ଉଦ୍ଦୀପନ କରେ ଏବଂ ସ୍ରୋତପଥ ସମୂହକୁ ମୃଦୁକରି ବିଶେଷ ଭାବରେ ଶୋଧନକରେ ଏବଂ ବାୟୁ, ପିତ୍ତ, କଫ, ଘର୍ମ ଓ ମଳ ମୂତ୍ରାଦି ଶୋଧନ କରିଥାଏ-।
ଉଷ୍ଣୋଜଳ ଜ୍ୱର, କାଶ, କଫ, ଶ୍ୱାସ, ବାୟୁ, ପିତ୍ତ ଆମ ଏବଂ ମେଦୋନାଶକ, ରୁଚିକାରକ, ସଂଶୋଧକ ।
ଆଠଭାଗର ଏକଭାଗ କିମ୍ୱା ଚାରିଭାଗର ଏକଭାଗ, ଅଥବା ଅର୍ଦ୍ଧେକ ବା କ୍ୱାଥ କରିବା ସମାନ ଯେଉଁ ସିଦ୍ଧି ଜଳ, ତାହାହିଁ ଉଷ୍ଣୋଦକ ।
ବାୟୁ ପ୍ରଧାନ ରୋଗରେ ଏକସେର ଜଳ ତପ୍ତକରି ଏକପା ଜଳ ମରିଗଲାରୁ, ତାହା ବ୍ୟବହାର କରିବ ।
ପିତ୍ତ ପ୍ରଧାନ ରୋଗରେ ଏକସେର ଜଳ ଉତ୍ତପ୍ତକରି ଅବଶେଷ ରହିଥିବା ଅଧସେର ଜଳ ବ୍ୟବହାର କରିବ ।
କଫପ୍ରଧାନ ରୋଗରେ ଏକସେର ଜଳ ଉତ୍ତପ୍ତକରି ଏକପାଜଳ ଅବଶେଷ ଥାଉଁ ଥାଉଁ ଓହ୍ଲାଇ ବ୍ୟବହାର କରିବ ।
ଶିଙ୍ଗି ପ୍ରଭୃତି ମାଛର କଣ୍ଟା ଶରୀରରେ ବିଦ୍ଧହେଲେ ଅଳ୍ପ ଉଷ୍ଣହୋଇଥିବା ଜଳରେ ବିଦ୍ଧିସ୍ଥାନ ବୁଡ଼ାଇ ରଖିବ । ତାହାହେଲେ ବିଷ ପ୍ରଶମିତ ହୋଇ ସକଳ ପ୍ରକାର ଯନ୍ତ୍ରଣା ଶୀଘ୍ର ନିବୃତ୍ତ ହୁଏ ।
ବିଷଜ୍ୱାଳା, ମନୁଷ୍ୟର ସନ୍ତାପ ଓ ଦାହରେ ଶୀତଳ ଜଳ ଏବଂ ଶରୀର ବେଦନାରେ ଉଷ୍ଣଜଳ ସେଚନ ଦ୍ୱାରା ଉପକାର ହୋଇଥାଏ ।
ମସ୍ତକ ବ୍ୟଥା, ମସ୍ତକ ଘୂର୍ଣ୍ଣନ, ମସ୍ତିଷ୍କରେ ରକ୍ତାଧିକ୍ୟ ଓ ମସ୍ତିଷ୍କ ବିକୃତିହେଲେ ମସ୍ତିକ ଉପରେ ଶୀତଳ ଜଳର ଧାରା ବର୍ଷଣ କରିବ ।
ବ୍ରଣ, ଦାଗୀ, କାଷ୍ଠବ୍ରଣ ପ୍ରଭୃତିର ପ୍ରଥମାବସ୍ଥାରେ ଶୀତଳଜଳ କିମ୍ୱା ବରଫ ପ୍ରୟୋଗକଲେ, ଆଶୁ ଯନ୍ତ୍ରଣାରୁ ନିବୃତ୍ତି ହୁଏ ଏବଂ ବ୍ରଣାଦି ବସିଯାଏ ।
ଶରୀରର କୌଣସି ସ୍ଥାନରୁ ହଠାତ୍ ରକ୍ତସ୍ରାବ ହେଲେ, କ୍ଷତସ୍ଥାନ ଶୀତଳ ଜଳରେ ବୁଡ଼ାଇ ରଖିବା ଦ୍ୱାରା ରକ୍ତସ୍ରାବ ନିବାରିତ ହୋଇଥାଏ ।
ଉଷା କାଳରେ ଶୀତଳଜଳ ପାନକଲେ ଅଜୀର୍ଣ୍ଣ ପେଟଫୁଲା ରୋଗ ଆରୋଗ୍ୟ ହୁଏ ।
ପ୍ରତ୍ୟହ ସାୟଂକାଳରେ ଆନୁମାନିକ ଅଧସେର ପରିମିତ ଉଷ୍ଣଜଳ ପାନକଲେ କୋଷ୍ଠବଦ୍ଧତା ରୋଗରେ କୋଷ୍ଠ ପରିଷ୍କାର ହୁଏ ।
ନାସିକାରୁ ରକ୍ତସ୍ରାବହେଲେ, ମସ୍ତିକ ଓ ବେକ ମୁଣ୍ଡ ଉପରେ ଶୀତଳଜଳ ଢାଳିବ ବା ବରଫ ଲଗାଇରଖିବ ।
ସର୍ଦ୍ଦିହେଲେ ରୁଦ୍ଧ ଗୃହମଧ୍ୟରେ ଉଷ୍ଣଜଳରେ ସ୍ନାନ କରି ସର୍ବାଙ୍ଗ ପୋଛି ପକାଇବ । ତତ୍ପରେ ଉଷ୍ମବସ୍ତ୍ରଦ୍ୱାରା ସର୍ବଶରୀର ଆବୃତ କରି ରଖିଲେ ଘର୍ମ ନିର୍ଗତ ହୋଇ ସର୍ଦ୍ଦି ଉଣା ପଡ଼ିଯାଏ ।
ଉଷ୍ଣଜଳ ପୂର୍ଣ୍ଣ ଗୋଟାଏ ପାତ୍ରରେ ନାଭିପର୍ଯ୍ୟନ୍ତ ବୁଡ଼ାଇ ରଖିବ । ଜଳ ଶୀତଳ ନହେବା ନିମନ୍ତେ ତହିଁରେ ମଧ୍ୟେ ମଧ୍ୟେ ଉତ୍ତପ୍ତଜଳ ଢାଳୁଥିବ । ଏତଦ୍ୱାରା ଋତୁ ଶୂଳ, ଅର୍ଶ, କଟିବେଦନା ଏବଂ କୋଷ୍ଠବଦ୍ଧତା ପ୍ରଭୃତି ରୋଗ ଉପଶମ ହୁଏ । ନିଉମୋନିୟା, ମସ୍ତିଷ୍କର ପ୍ରବାହ ଏବଂ ଶ୍ୱାସ, କାସ ପୀଡ଼ା ଉପଶମ ନିମନ୍ତେ ଉଷ୍ଣଜଳରେ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ାଇ ଉଲ୍ଲିଖିତ ପ୍ରକ୍ରିୟା ଅବଲମ୍ୱନ କରିବ ।
ରାତ୍ରିକାଳରେ ଶୟନର ପୂର୍ବେ ଉଭୟ କହୁଣି ଏବଂ ଉଭୟ ଆଣ୍ଠୁର ଉପରି ଭାଗ ପର୍ଯ୍ୟନ୍ତ ଗରମଜଳରେ ଉତ୍ତମରୂପେ ଧୋଇ ଶୁଷ୍କ ବସ୍ତ୍ରରେ ପୋଛି ପକାଇବ । ଏତଦ୍ୱାରା ସାୟଂକାଳୀନ ମୃଦୁଜ୍ୱର ଏବଂ କାସ ରୋଗ, ପଥୁରୀ, (ଅଶ୍ମରି) ନିର୍ଗମ ହେତୁ ବେଦନା, ପ୍ରସ୍ରାବ ବନ୍ଦହେବା, ଅନ୍ତ୍ରଶୂଳ, ବାତ, ବାଳକମାନଙ୍କର ଆପେକ୍ଷିକ ବେଦନା, ତଡ଼କା, ଉଦରାଧ୍ମାନ ପୀଡ଼ାଗ୍ରସ୍ତ ରୋଗୀମାନଙ୍କୁ ଗରମଜଳ ମଧ୍ୟରେ ବସାଇ ରଖିଲେ ଉପକାର ହୋଇଥାଏ ।
ଗରମ ଜଳରେ ଗୋଟାଗାମୁଛା ବତୁରାଇ ତଦ୍ଦ୍ୱାରା ରୋଗୀର ସର୍ବ ଶରୀରକୁ ଘଷିବ । ପରେ ଶୁଷ୍କଲୁଗା ଦ୍ୱାରା ପୋଛିଦେବ । ଏପରିକଲେ ଲୋମକୂପ ସମୂହ ପରିଷ୍କୃତହୋଇ ଘର୍ମୋତ୍ପାଦିତ ହୁଏ, ପେଶୀ ସମୂହ ଶିଥିଳହୁଏ ଏବଂ ପ୍ରବଳଜ୍ୱରର ପ୍ରଖର ଉତ୍ତାପ ହ୍ରାସହୁଏ ।
ରୋଗୀକୁ ଗୋଟାଏ ବଡ଼ପାତ୍ରରେ ୩/୪ ମିନିଟକାଳ ତାହାର ସ୍କନ୍ଧଦେଶରେ ଗରମଜଳ ଢାଳିବ । ପରେ ଦେହ ପୋଛିଦେଇ ମୋଟା ଗରମବସ୍ତ୍ର କିଛିକ୍ଷଣ ଘୋଡ଼ାଇ ଶୁଆଇ ରଖିବ । ଏତଦ୍ୱାରା ଜ୍ୱରର ଅତିରିକ୍ତ ଉତ୍ତାପ, ତଜ୍ଜନିତ ଅସ୍ଥିରତା, ଦାହ ଓ ଶ୍ୱାସ କମହୁଏ ଏବଂ ରୋଗୀର ନିଦ୍ରା ହୋଇଥାଏ ।
ଗୋଟାଏ ଚୁଲି ଉପରେ ହାଣ୍ଡିଏ ଜଳ ବସାଇ ଅଗ୍ନିତାପରେ ଜଳକୁ ଫୁଟାଇବ । ପରେ ତାହାଉପରେ ଗୋଟାଏ ସଚ୍ଛିଦ୍ର (ବେତବୁଣା) ଚୌକୀ ଉପରେ ରୋଗୀକୁ ବସାଇ ରୋଗୀର କଣ୍ଠଦେଶଠାରୁ, ଚୌକି ତଳ ପର୍ଯ୍ୟନ୍ତ ଆବୃତକରି ରଖି ବାମ୍ଫୁଆଣି ଦେବ । ରୋଗୀ ଘର୍ମାଲ ହେଲା ଉତ୍ତାରୁ ତାହାର ସର୍ବାଙ୍ଗ ପୋଛି, ଉଷ୍ଣ ବସ୍ତ୍ରଦ୍ୱାରା ସମସ୍ତ ଶରୀରକୁ ଆଚ୍ଛାଦିତ କରି ରଖିବ । ଏହା ଦୁର୍ବଳତା, ଉପଦଂଶ, ତଜ୍ଜନିତ ବାତ ଏବଂ ପୁରାତନ ଜ୍ୱରରେ ସମଧିକ ଉପକାରୀ ।
ଗୋଟାଏ ହାଣ୍ଡିରେ ଜଳ ପୂର୍ଣ୍ଣକରି ଅଗ୍ନିତାପରେ ଫୁଟାଇବ । ଜଳ ଫୁଟୁଥିବା ସମୟରେ ଜଳ ଉପରେ ଖଣ୍ଡିଏ ଶୁଷ୍କ ବସ୍ତ୍ରରଖି ତାହାକୁ ବାଷ୍ପ ଦ୍ୱାରା ଉତ୍ତପ୍ତ କରିବ । ସେହି ଉତ୍ତପ୍ତ ବସ୍ତ୍ର ପ୍ଳୀହା ଓ ଯକୃତର ପ୍ରବାହ ସ୍ଥାନରେ ସେକ ଦେଲେ ଶୀଘ୍ର ବେଦନା ଉଣା ପଡ଼ିଯାଏ । ଏହା ଶିଶୁମାନଙ୍କ ପକ୍ଷରେ ବିଶେଷ ହିତକର ।
ଗୋଟାଏ ଜଳ ପୂର୍ଣ୍ଣ ହାଣ୍ଡି ଚୂଲିରେ ବସାଇବ । ଅଗ୍ନିତାପରେ ଜଳଫୁଟିଲାରୁ ଖଣ୍ଡେବସ୍ତ୍ର ତହିଁରେ ବୁଡ଼ାଇ ପରେ ଚିପୁଡ଼ିଦେବ । ସେହିବସ୍ତ୍ର ଉଷ୍ଣ ଥାଉ ଥାଉ ପ୍ଲୀହା ବା ଯକୃତ ଯୋଗୁଁ ପ୍ରବାହିତ ହେଉଥିବା ସ୍ଥାନରେ ପ୍ରୟୋଗ କଲେ ଉପକାର ହୁଏ । ଆମାଶୟର ଯନ୍ତ୍ରଣାରେ, କଟିଶୂଳରେ ଏବଂ ବାତ ବେଦନାରେ ଏହିପରି ସ୍ୱେଦ ଦେଲେ ସୁଫଳ ଲାଭ ହୋଇଥାଏ ।
ଗରମ-ଜଳର ପଟି ତଳିପେଟରେ–ମୂତ୍ରାଶୟ ଉପରେ ପକାଇ ରଖିଲେ ମୂତ୍ରାଶୟର ପ୍ରବାହ ପୀଡ଼ାରେ ଉପକାର ମିଳେ ।
ଉଷାଜଳପାନ ଏବଂ ଉଷାଜଳରେ ସ୍ନାନକଲେ ଏକଦିନ ଅନ୍ତରରେ ହେଉଥିବା ଜ୍ୱର ଏକ ସପ୍ତାହ ମଧ୍ୟରେ ଆରୋଗ୍ୟ ହୁଏ ।
ପିତ୍ତଜ୍ୱରାକ୍ରାନ୍ତ ବ୍ୟକ୍ତିର ପ୍ରବଳ ଦାହରେ ରୋଗୀକୁ ଚିତ୍କରି ଶୁଆଇ ତାହାର ନାଭିଉପରେ ତମ୍ୱା କିମ୍ୱା କଂସାର ଗଭୀର ପାତ୍ର ବସାଇ, ତାହା ଉପରେ ବରଫ ରଖିଲେ କିମ୍ୱା ଶୀତଳ ଜଳଧାରା ଢାଳିଲେ ସତ୍ୱର ଦାହ ନିବୃତ୍ତି ହୁଏ ।
ଅଜୀର୍ଣ୍ଣହେତୁ ଉଦର ସ୍ଫୀତହେଲେ ଶୀତଳଜଳ ପାନଦ୍ୱାରା ଶୀଘ୍ର ଭୁକ୍ତାନ୍ନର ପରିପାକ ହୋଇ ଅଧୋନିଃସୃତ ହୋଇଥାଏ ।
କୌଣସି ସ୍ଥାନ ଭାଙ୍ଗିଗଲେ ଅଥବା ମଚକିଗଲେ ଜଳପଟି ବାନ୍ଧି ରଖିବା ଦ୍ୱାରା ଉପକାର ହୁଏ ।
ଉଷ୍ଣଜଳରେ କୁଳୁକୁଞ୍ଚାକଲେ ମୁଖମଳ ଶୋଧିତହୁଏ । ଦାନ୍ତମୂଳ ଫୁଲିବା ଏବଂ ବେଦନା କରିବା ରୋଗର ଉପକାର ହୁଏ ।
ଶୀତଳ ଜଳରେ ପାଦପ୍ରକ୍ଷାଳନ କଲେ ପାଦର ମଳିନତା ନଷ୍ଟ, ଶ୍ରମଦୂର, ଦୃଷ୍ଟି ପ୍ରସନ୍ନ, ଦେହର ତେଜବୃଦ୍ଧି ଏବଂ ମନ ପ୍ରଫୁଲ୍ଲିତ ହୁଏ ।
ସ୍ତ୍ରୀଲୋକ ମାନଙ୍କର ଶ୍ୱେତ ପଦର, କଷ୍ଟରଜଃ ଉଷ୍ଣଜଳର ପିଚିକାରୀ ପ୍ରୟୋଗକଲେ ଉପକାର ଦର୍ଶେ ।
ଋତୁ ସ୍ଥଗିତହେଲେ ସାମାନ୍ୟ ଉଷ୍ଣଜଳର ପିଚିକାରୀ ପ୍ରୟୋଗଦ୍ୱାରା ପୁନଶ୍ଚ ସ୍ରାବ ହୋଇଥାଏ ।
ପ୍ରସବପରେ ପ୍ରବଳ ରକ୍ତ ସ୍ରାବରେ ଜନନେନ୍ଦ୍ରିୟରେ ସହ୍ୟହେବା ଭଳି ଉଷ୍ଣଜଳରେ ପିଚିକାରୀ ଦେଲେ ଉପକାର ହୁଏ ।
ସ୍ୱପ୍ନ ବିକୃତି ରୋଗରେ ପ୍ରତ୍ୟହ ରାତ୍ରରେ ଆହାରର ପରେ କିୟତ୍କ୍ଷଣ ଭ୍ରମଣ କରି ଅନ୍ତତଃ ଏକଘଣ୍ଟା ପରେ ଏକଗ୍ଲାସ ଶୀତଳଜଳ ପାନକରିବ ଏବଂ ହସ୍ତପଦ ଓ ମୁଖମଣ୍ଡଳ ଉତ୍ତମରୂପେ ଧୌତକରି ଶୟନ କରିବ । ତତ୍ପରେ ଅତି ପ୍ରତ୍ୟୁଷରେ ଉଠି ଶୀତଳଜଳରେ ସ୍ନାନ ଏବଂ କିଛି ଶୀତଳଜଳ ପାନକରିବ । ଆହୁରି ବିଶେଷ ନିୟମ ଏହିଯେ ଦୁଶ୍ଚିନ୍ତା ସମୁହକୁ ମନରେ ସ୍ଥାନ ନଦେଇ ସତ୍ପ୍ରସଙ୍ଗଦ୍ୱାରା ସର୍ବଦା ମନକୁ ପ୍ରଫୁଲ୍ଲିତ ରଖିବ ଏବଂ ଅନିୟମିତ ଆହାର, ରାତ୍ରି ଜାଗରଣ ଏବଂ ଦିବାନିଦ୍ରା ପରିତ୍ୟାଗକରିବ । ସ୍ୱପ୍ନ ବିକାର ଗ୍ରସ୍ତହେଲେ ତତ୍ପରେ ନିଦ୍ରିତ ହେବ ନାହିଁ । ଏହି ପ୍ରକ୍ରିୟା ଦ୍ୱାରା ସ୍ୱପ୍ନ ବିକାର ରୋଗରେ ଅତ୍ୟାଶ୍ଚର୍ଯ୍ୟ ଉପକାର ଲାଭ ହୋଇଥାଏ ।
ବିବିଧ ବିଷ ଚିକିତ୍ସାନୀଳମଣି ବିଦ୍ୟାରତ୍ନ ନୀଳମଣି ବିଦ୍ୟାରତ୍ନ