ହିଡ଼ିମ୍ବ ଓ ବକ ଅସୁର ମଲେ
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୬
- ସ୍ଥିତି
- ସାର୍ବଜନୀନ (Public domain)
ପାଣ୍ଡବମାନେ ସେ ରାତି ରାତି ମାଆଙ୍କୁ ସାଙ୍ଗରେ ଧରି ଗଙ୍ଗା ପାର ହୋଇ ଆର ପାଖକୁ ଚାଲିଗଲେ । ଗଙ୍ଗା ଆର ପାଖେ ଭାରି ଜଙ୍ଗଲ । ଏମାନେ ଅନେକ ଦିନ ଜଙ୍ଗଲରେ ବୁଲିଲେ, ଖାଇବାକୁ ନ ପାଇ ବଡ଼ କଷ୍ଟ ପାଇଲେ, ଚାଲିବାକୁ ଗୋଡ଼ ହାତରେ ବଳ ରହିଲା ନାହିଁ । କେବଳ ଭୀମ ଥାନ୍ତି ବୋଲି ସମସ୍ତଙ୍କୁ କାନ୍ଧେଇ କରି ନିଅନ୍ତି, ନଈ ପଡ଼ିଲେ ପିଠିରେ ବସାଇ ପାରି କରନ୍ତି ।
ଇମିତି ଯାଇ ଯାଇ ଦିନେ ବଣରେ ଗୋଟିଏ ଗଛ ମୂଳେ ରହିଲେ । ସେ ବଣରେ ହିଡ଼ିମ୍ବ ବୋଲି ଗୋଟିଏ ଅସୁର ଥାଏ । ଏମାନଙ୍କୁ ଦେଖି ସେ ଖାଇବାକୁ ଆସିଲା । ସମସ୍ତେ ଆସକତିଆ ହୋଇ ଶୋଇ ପଡ଼ିଥିଲେ, ଭୀମ ଏକା ଚାହିଁଥିଲେ । ଅସୁର ଆଁକରି ଆସିବାରୁ ମା’ ଭାଇଙ୍କର ନିଦ ଭାଜି ଯିବ ବୋଲି ଭୀମ ତା’ ହାତ ଯୋଡ଼ାକ ଧରି ଘୋଷାରି ଦୂରକୁ ନେଇ ଗଲେ । ସେ ତ ଅସୁର, ସେ ସେଠୁ ଭୀମକୁ ଧରିଲା । ଦୁହିଁଙ୍କ ଭିତରେ ଆଚ୍ଛା ହୋଇ ଖଣ୍ଡେପଟେ ଲାଗିଲା । ଟେକା ପଥର ଫିଙ୍ଗି, ଗଛ ଉପୁଡ଼ା ଉପୁଡ଼ି ହୋଇ ମରାମରି ହେଲେ । ଶେଷକୁ ଭୀମ ତା’ ତୋଟିରେ ବସି ଚିପି ମାରିଦେଲେ । ଭାଇମାନେ ଉଠି ଭୀମଙ୍କର ଏ କାର୍ଯ୍ୟ ଦେଖିଲେ । ସେ ନ ଥିଲେ, ଅସୁର ସମସ୍ତଙ୍କୁ ଗିଳି ଦେଇଥାନ୍ତା ।
ହିଡ଼ିମ୍ବି ଅସୁରର ହିଡ଼ିମ୍ବୀ ବୋଲି ଗୋଟିଏ ଭଉଣୀ ଥିଲା । ଅସୁରୁଣୀ ହେଲେ କଅଣ ହେବ, ସେ ଭାରି ସୁନ୍ଦରୀ । ଭୀମ ତାକୁ ବିଭା ହେଲେ । ଘଟୋତ୍କଚ ବୋଲି ତାଙ୍କର ଏକ ପୁଅ ହେଲା । ସେ ଭୀମଙ୍କ ପରି ବଳୁଆ ଆଉ ବୀର ।
ଏମାନେ ସେ ବଣ ଛାଡ଼ି ଆହୁରି ଦୂରକୁ ଗଲେ । ଯାଇ ଯାଇ ଏକଚକ୍ରା ବୋଲି ଏକ ଗାଁରେ ଜଣେ ବ୍ରାହ୍ମଣ ଘରେ ବସା କରି ରହିଲେ । ସେଠି ଥାଇ ପ୍ରତିଦିନ ଭିକ ମାଗି ଆଣି ବୁଲନ୍ତି । ଦିନେ ସେ ବ୍ରାହ୍ମଣ ଘରେ କାନ୍ଦି ବୋବାଳି ଶୁଭିଲା । କୁନ୍ତୀ ଯାଇ ବୁଝିଲେ ଯେ, ସେ ମୁଲକରେ ବକ ବୋଲି ଅସୁର ଅଛି । ସେ ନିତି ଜଣକ ଘରୁ ଗୋଟିଏ ମନୁଷ୍ୟ ଆଉ ପିଠାପଣା କରି ବୋଝେ ଖାଇବ । ସେ ଦିନ ସେ ବ୍ରାହ୍ମଣ ଘରର ପାଳି । କିଏ ଯିବ, ଏଥି ପାଇଁ ତା’ ଘରେ ଭାଲେଣି ପଡ଼ିଚି-!
ଭୀମ ଏ କଥା ଶୁଣି ସାଙ୍ଗେ ସାଙ୍ଗେ ସଜ ହେଲେ, ମାଆଙ୍କୁ କହିଲେ, ‘‘ଯାହା ଘରେ ଅଛେ ତା’ର ଉପକାର କରିବା ଆମ ଧର୍ମ । ମୁଁ ଯିବି, ଅସୁରକୁ ମାରି ଆସିବି ।’’ ୟା କହି ସେ ଶଗଡ଼େ ପିଠାପଣା ଧରି ବଣକୁ ଗଲେ ।
ଅସୁର ତେଣେ ଉଛୁର ହେଲା ବୋଲି ରାଗରେ ଚାହିଁ ବସିଥିଲା । ଭୀମ ପିଠା ନେଇ ତାକୁ ଦେବେ କ’ଣ, ନିଜେ ତା’ ଆଗେ ଖାଇ ବସିଲେ । ଅସୁର ତେଣେ ଆଁକରି ଆସିଲା ଭୀମଙ୍କୁ ଗୋଟାସଧିଆ ଗିଳଦେବ ବୋଲି । ଦୁହେଁ ଧରାଧରି ଗଡ଼ାଗଡ଼ି ମରାମରି ହେଲେ । ଗଛ ଉପାଡ଼ି, ଡାଳ ଭାଙ୍ଗି ଏ ତାକୁ ସେ ୟାକୁ ପିଟାପିଟି ହେଲେ । କେତେ ସମୟ ପରେ ଭୀମ ଇମିତି ଜୋରରେ ଅସୁରକୁ ଧରି ଫିଙ୍ଗି ଦେଲେ ଯେ, ସେ ଚିତ୍ପଟାଙ୍ଗ ଦେଇ ଗଁ ଗଁ ହୋଇ ଆଁଟା କରି ମରିଗଲା । ଅସୁର ମଲାରୁ ସେ ଗାଁ ଲୋକେ ଭାରି ଖୁସି ହେଲେ । ସୁଖରେ ରହିଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର