ବିଧବା କନ୍ୟା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗଳ୍ପମାଳା
- ପଢ଼ିବା ସମୟ
- ୧୯ ମିନିଟ୍
- ଶବ୍ଦ
- ୨୯୯୨
- ସ୍ଥିତି
- ସାର୍ବଜନୀନ (Public domain)
ମାର୍କଣ୍ଡ ଭୁବନେଶ୍ୱର ରେଳ ଷ୍ଟେସନରେ ଗାଡ଼ିରୁ ଓହ୍ଲାଇ ଦେଖନ୍ତି ଗ୍ରାମର କୁକୁରପଲ ବେଷ୍ଟିତ ବନ୍ୟମୃଗିଣୀ ଏବଂ ମୃଗଶିଶୁ ପରି, ଜଣେ ପ୍ରାୟ ଚାଳିଷବର୍ଷ ବୟସର ସଧବା ସ୍ତ୍ରୀ ବ୍ୟକ୍ତି ଓ ଜଣେ ବାଳିକା ବସିଛନ୍ତି, ବଜାରର ଏକମାତ୍ର ମାଛ ପସରାକୁ ଘେରିଲା ପରି, ଚାରିପାଖେ ଲୋକ ବେଢ଼ି ରହିଛନ୍ତି । କିଏ କ’ଣ କହୁଛି, କିଏ କି ପ୍ରଶ୍ନ ପଚାରୁଛି, ସତେଅବା ଦୁଇଗୋଟି ପଣ୍ୟ ଏତେ ଖରିଦଦାରଙ୍କ ଅଯାଚିତ ଦରଦାମ୍, ମୂଲ୍ୟ ପ୍ରସ୍ତାବରେ ଏପରି ଭାବରେ ପୋତିହୋଇ ପଡ଼ୁଛନ୍ତି ଯେ ତାଙ୍କର ନିଜ ରୂପ ଗୁଣ ଦେଖାଇବାର ଅବକାଶ ନାହିଁ, ସେହିପରି ସ୍ତ୍ରୀ ବ୍ୟକ୍ତି ଦିଓଟି ଦର୍ଶକଙ୍କର ଏତେଗୁଡ଼ାଏ ପ୍ରଶ୍ନ ଶୁଣି, କୌଣସିଟାର ଉତ୍ତର ନ ଦେଇପାରି ତୁନି ହୋଇ ବସିଛନ୍ତି, ଯେପରିକି କୌଣସି ଜଡ଼ରାଜ୍ୟର ଲୋକ । ମନରେ କେତେ ଭାବ ଉଠୁଛି; କିନ୍ତୁ ଗୋଟାଏ ମଧ୍ୟ ପ୍ରକାଶ ପାଇପାରୁନାହିଁ ।
ମାର୍କଣ୍ଡ କିଛି ଦୂରରେ ଠିଆ ହୋଇ ତଳଲିଖିତ ପ୍ରକାରରେ ଅନେକ ପ୍ରଶ୍ନ, ଅନେକ ପରାମର୍ଶ ଶୁଣିଲେ ।
‘‘ଚାଲ, ଦିହେଁଯାକ ଆମ ଘରେ ରହିବ ।’’
‘‘ନା, ଏ ସାନ ପିଲାଟି ଚାଲୁ ଆମ ଘରେ ରହିବ; ବୁଢ଼ୀକୁ ଯେ ନେଉଛ ନିଅ ।’’
‘‘ତୁମ ଘର କେଉଁଠି ?’’
‘‘ତୁମେ ଘରୁ ପଳାଇ ଆସିଛ, ନା ?’’
‘‘ତୋର ଏ ପିଲା କ’ଣ ହୁଏ, ବୁଢ଼ୀ ?’’
‘‘ତୋର ଏ ବୁଢ଼ୀ କ’ଣ ହୁଏ, ପିଲା ?’’
‘‘ଏ ବୁଢ଼ୀ କ’ଣ ବୁଢ଼ୀପରି ଦିଶୁଛି ?’’
‘‘ଏ ପିଲାକୁ ଛାଡ଼ିଦେଲେ, କେତେ ନେବୁ, ମାଉସୀ ?’’
‘‘ଟିକଟ ନ କରି ଆସିଛ ?’’
‘‘ଟଙ୍କା ପଇସା ପାଖରେ ନାହିଁ ?’’
‘‘ଆରେ ଟଙ୍କା ପଇସା କ’ଣ କରିବ ? ଟଙ୍କାପଇସାର ମୂଳ ଯେ ରୂପ, ବୟସ, ସେ ତ ଅଛି ।’’
ଏ ସବୁ ଏବଂ ଏପରି ଆହୁରି କଥା କହି, ରୁଣ୍ଡୀଭୂତ ଲୋକ ହସୁଥିଲେ, ପାଟି କରୁଥିଲେ, ଚିତ୍କାରରେ ଷ୍ଟେସନ୍ର ଟିଣଚାଳ କମ୍ପାଇ ପକାଉଥିଲେ । ଦୁର୍ଗା ଲୀଳାକୁ କୋଳରେ ଯାକି ଧରି ବସିଥିଲେ, ଯେପରିକି ଆତ୍ମରକ୍ଷା ଅସମର୍ଥ କପୋତୀ ନିଜର ଶିଶୁଟିକୁ ଛଞ୍ଚାଣ ପଲ ଆଗରେ ଡେଣାରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ । ଲୀଳା ଆଖିରୁ ଲୁହ ବହିଲେ, ନିଜ ଲୁଗା କାନିରେ ପୋଛି ଦେଉଥିଲେ । ଏହା ଦେଖି ଲୋକେ ଆହୁରି କୋଳାହଳ କରୁଥିଲେ । ଜଣେ କହିଲା, ‘‘ବର ପାଇଛି ଯେ, କାନ୍ଦିଲା ହୀରା ଝଡ଼ିବ ।’’ ଆଉ ଜଣେ କହିଲା, ‘‘ହସିଲେ ମୁକ୍ତା ଝଡ଼ିବ-। ହସିଲୁ ଦେଖି, ପିଲା ।’’ ପୁଣି ଆଉ ଜଣେ କହିଲା, ‘‘ବର ପାଇନାହିଁ, ପାଇବ ଆଜି ।’’
ଅନେକ ସମୟ ପରେ ଲୋକଙ୍କ କୋଳାହଳ ମଝିରେ ଟିକିଏ ଅବସର ନେଉଥିଲାବେଳେ, ଲୀଳା ଧୀରେ ଧୀରେ କହିଲା, ‘‘ମୁଁ ମନା କରୁଥିଲି, ବୋଉ, କାହିଁକି ଏପରି ବାହାରି ଆସିଲୁ ? ଏଠି ଏ ବିଦେଶରେ ଅଚିହ୍ନା ରାଜ୍ୟରେ କିଏ ସାହା ହେବ ?’’
ଏ କଥା ଶୁଣି ପାରାର ଘୁମୁରା ଶବ୍ଦରେ ବିରାଡ଼ି ପଲ ମାତି ଉଠିଲା ପରି, ଲୋକେ ପୁଣି ନାନା କୋଳାହଳ କଲେ । ମାର୍କଣ୍ଡ ଲୋକାରଣ୍ୟ ଭେଦି ଆସି, ମା’ ଓ ଝିଅ ଦୁହିଁଙ୍କୁ ସାନ୍ତ୍ୱନା ଦେଇ, ଲୋକମାନଙ୍କୁ ନାନା ଗାଳି ଭର୍ତ୍ସନା କରି, ଛିନ୍ନଛତ୍ର କରିଦେଲେ । ସେମାନେ ମଧ୍ୟ ନିତାନ୍ତ ଅପରାଧୀ ପରି କିଏ କେଉଁଠାରେ ଆଉଜି ଛପି ରହିଗଲେ, ଆଉ ମୁହଁ ଦେଖାଇଲେ ନାହିଁ । କେବଳ ଷ୍ଟେସନରେ ଜଣେ କର୍ମଚାରୀ ରହି ମା’ ଏବଂ ଝିଅ ଦୁହିଁଙ୍କଠାରୁ ଟିକଟ ଦାବି କରିବାରେ ଲାଗିଲେ । ସେମାନେ ଗାଡ଼ିରେ ଆସି ନାହାନ୍ତି ବୋଲି ବାରମ୍ବାର କହିଲେ ସୁଦ୍ଧା, କର୍ମଚାରୀ ତାହା ବିଶ୍ୱାସ କଲେ ନାହିଁ । ସେମାନଙ୍କ ନିକଟରେ ଯେତେ ପଇସା ଥିଲା, ଦୋହରା ମାସୁଲକୁ ତାହା ନଅଣ୍ଟ ହେଲା । ସୁତରାଂ କର୍ମଚାରୀ ଟିକିଏ ଶଙ୍କିତ ସ୍ୱରରେ, ମାର୍କଣ୍ଡକୁ ନ ଶୁଣିଲା ଭଳି କହିଲେ, ‘‘ଏଠି ରହ, ମାସୁଲ ନ ଦେଲେ ସାତଦିନ ଅଟକାଇ ରଖିବାର ଆମର ନିୟମ ଥିବାର ଏକା ।’ ଯାହାହେଉ ଦୁର୍ଗା ଓ ତାଙ୍କର ଝିଅଟିକୁ ସେଠାରେ ସାତଦିନ ବନ୍ଦ ହୋଇ ରହିବାକୁ ପଡ଼ିଲା ନାହିଁ, କର୍ମଚାରୀଙ୍କ ସହିତ ଅନେକ ଯୁକ୍ତିତର୍କ ପରେ ମାର୍କଣ୍ଡ ସେମାନଙ୍କ ପାଇଁ ଖଡ଼୍ଗପୁରଠାରୁ ଦୋହରା ମାସୁଲ ଦେଇ ତାଙ୍କୁ ଖଲାସ କରି ନେଲେ ।
ହଠାତ୍ ଏପ୍ରକାର ମମତା ଓ ସାହାଯ୍ୟ ମାର୍କଣ୍ଡଙ୍କଠାରୁ ପାଇ ବାଟରେ ଶଗଡ଼ରେ ବସି ଯାଉଥିଲାବେଳେ, ଲୀଳା ମୁଣ୍ଡ ପୋତି ଅନେକ କାନ୍ଦିଲା । ଖରାଦିନ ମେଘର ବର୍ଷା ବତାସିରେ ଉଡ଼ିଗଲା ପରି, ଦୁର୍ଗା ଦୀର୍ଘଶ୍ୱାସରେ ଲୁହ ମାରିନେଇ କହିଲେ, ‘‘ଆମ କଥା କ’ଣ ପଚାରୁଛ ପୁଅ-? ତୁମେ ଏ ବିପଦରେ ଯେପରି ଆସି ପିଠିରେ ପଡ଼ିଲ, ତୁମକୁ ତ ସବୁ ବିଷୟ ବଳେ କହିବାର କଥା, ତା’ପରେ ପୁଣି ତୁମେ ଥରକୁ ଦି’ଥର ପଚାରିଲଣି । କସରଦାରୁ ଦୁଇ ଦିନ ଚାଲି ଆମେ ତୀର୍ଥ କରିବାକୁ ରେଳରେ ପୁରୀ ଯିବୁ ବୋଲି ଏ ଷ୍ଟେସନରେ ଆସି ଆଜି ସକାଳେ ପହଞ୍ଚିଲୁ-। ତିନିଟା ଗାଡ଼ି ଆମ ଆଗରେ ଗଲା, ଆମେ ଯାଇ ବସିପାରିଲୁ ନାହିଁ । ଆମ ପାଖରୁ କେତେ ଲୋକ ପୁରୀ ଗଲେ ସେ ଗାଡ଼ିରେ ବସି । ମୁଁ ପଇସା ଦେଇ ଟିକଟ ମାଗିବାରୁ କହିଲା, ‘ଏବେ ନାହିଁ, ବସ, ବସ’-। ସେଥିପାଇଁ ବସି ରହିଲୁ । ନିଜେ ତ ଦେଖିଲ ବାପା, ଲୋକଗୁଡ଼ାକ ମଢ଼କୁ ଚିଲ ଶାଗୁଣା କଲା ପରି, ଆମକୁ କ’ଣ କରି ପକାଉଥିଲେ । ଧର୍ମ ଆଉ ଏ ମହୀମଣ୍ଡଳରେ ନାହିଁ-। ତୁମେ ନଥିଲେ, ଆମେ ଆଜି କି ହଟହଟା ନୋହିଥାନ୍ତୁ ! ବାଟରେ, କାଲି ରାତିରେ, ଲୁଗାପଟା ଯାହା କେତେ ଖଣ୍ଡି ପାଖରେ ଥିଲା, ସବୁ ଚୋର ନେଇଗଲା । ଦୁଃଖୀ ଉପରେ ତ ସମସ୍ତଙ୍କର ମାଡ଼-। ତୁମେ ବାବୁ ଏପରି ଚାଲୁଥିବ, ଆଉ ଆମେ ଶଗଡ଼ରେ ବସି ଯାଉଥିବୁ ? ତୁମେ ମଧ୍ୟ ବସ ନା-।’’
କେତେକ ପରିମାଣରେ ମାର୍କଣ୍ଡଙ୍କ ପ୍ରଶ୍ନର ଉତ୍ତରରେ ଓ କେତେକ ପରିମାଣରେ ନିଜର ଆତ୍ମକାହାଣୀ ଅପୂର୍ଣ୍ଣ ନ ରଖିବା ଇଚ୍ଛାରେ ଦୁର୍ଗା ଲଜ୍ଜା ଏବଂ ସଙ୍କୋଚ ସହିତ ଏ କେତେକ କଥା କହିଲେ । ମାତ୍ର ମାର୍କଣ୍ଡଙ୍କ ଜ୍ଞାତବ୍ୟ ବା ଦୁର୍ଗାଙ୍କ ବକ୍ତବ୍ୟ ଏତିକିରେ ଶେଷ ହେବାର ନୁହେଁ । ନିତାନ୍ତ ଶଙ୍କିତ ଭାବରେ ମାର୍କଣ୍ଡ ଗାଡ଼ି ପଛରୁ ପୁଣି ପଚାରିଲା, ‘‘ଘରେ କିଏ ଅଛି ?’’
ଦୁର୍ଗା ବିଚାରୀ ଅଦାଲତର ନିୟମବଦ୍ଧ ସାକ୍ଷୀଙ୍କ ପରି କହିଲା, ‘‘କେହି ନାହିଁ, ମୋର ସ୍ୱାମୀ ଘର ଛାଡ଼ି ସାତ ଆଠ ବର୍ଷ ହେଲା କେଉଁଆଡ଼େ ଯାଇଛନ୍ତି, ଆସିନାହାନ୍ତି । ପୁଅ ଝିଅ ସବୁ ଏହି ଲୀଳା; ବିଧାତା ନିଅନୁଗ୍ରହ କଲା, ଅହ୍ୟ ଶଙ୍ଖ ହରାଇ, ବିଧବା ହୋଇ ବସିଛି ହୀନକପାଳୀ’’–କହି ଟିକିଏ ତୁନି ହେଲେ, ମନରେ କ’ଣ ଭାବିଲେ, ପୁଣି ପଚାରିଲେ, ‘‘ତୁମେ ଆମକୁ କୁଆଡ଼େ ନେଉଛ, ବାପା ?’’
‘‘ଭୁବନେଶ୍ୱର । ଭୁବନେଶ୍ୱର ଏକ ତୀର୍ଥ । ସେଠାରୁ ପୁରୀ ନେବି । ପୁରୀରେ ମୋର କାମ ଅଛି । ମୁଁ ସେଠାରେ ରହିବି । ତୁମର ଇଚ୍ଛା ହେଲେ, ଆଉ ସାଥୀ ଜୁଟିଲେ, ତୁମେ ପୁରୀରୁ ଗଙ୍ଗା ଗୋଦାବରୀ ଯାଇପାର । ଖର୍ଚ୍ଚ ପାଇଁ ଭାବନା ନାହିଁ । ତୀର୍ଥ କରିବାକୁ ଘରୁ ବାହାରିଛ ପରା-?’’
ଦୁର୍ଗା ପୁଣି ହୃଦୟର କଥା ହୃଦୟରେ, ଲୁଚାଇ ହଁ କଲେ । ତାଙ୍କର ସ୍ୱାମୀ ବିଦେଶ ଯାଇନାହାନ୍ତି, କସରଦାରେ ଘରେ ରହିଛନ୍ତି । ଅବସ୍ଥା ଆଦୌ ସ୍ୱଚ୍ଛଳ ନୁହେଁ । ଲୀଳା ପହିଲିପାଳି ଯିବାକୁ ସଜ ହେଉଥିଲା ଦିନ ଖବର ଆସିଲା ଯେ, ବର କଲିକତା ସେପଟେ କେଉଁ ବିଦେଶରେ ମରିଗଲେ । ଫୁଟନ୍ତା କଢ଼ି ଗଛରୁ ଝଡ଼ିଗଲା ପରି, ଲୀଳା ବିଧବା ହୋଇ, ସଂସାରର ସୁଖ ବନ୍ଧନରୁ ଖସି ଘରର ଅଳିଆଗଦା ପ୍ରାୟ ଘର କୋଣରେ ପଡ଼ି ରହିଲା । ଦୁର୍ଗାଙ୍କ ଦେହ ସହିଲା ନାହିଁ ଯେ ସେ କାଚ ଶଙ୍ଖା ପିନ୍ଧିବେ, ଆୟଅଳଙ୍କାର ଲଗାଇବେ, ମାଛ ଶୁଖୁଆ ଖାଇବେ, ଏକାଦଶୀରେ ଗ୍ରାସ ମାରିବେ, ଅଥଚ କୋଳର ଝିଅ ଲୀଳା ତୁଚ୍ଛା ହାତ, ତୁଚ୍ଛା ମୁହଁ କାନରେ ରହିବ, ନିରାମିଷ ଖାଇବ, ଏକାଦଶୀରେ ନିର୍ଜଳ ଉପବାସ କରିବ, ଶୁଣ୍ଠିଆ ପିନ୍ଧି ରହିବ । ସେ ତ ସ୍ୱାମୀ ମୁହଁ ଦେଖିନାହିଁ; ସୁତରାଂ କୁମାରୀ । ତାକୁ ଆଉ ବର ଖୋଜି ବିବାହ ଦେବାକୁ ଦୁର୍ଗା ବିନାୟକ ମିଶ୍ରଙ୍କୁ ଅନେକ ବଳାଇଲେ, ଅଳି କଲେ, କଖ୍ୟା କରି ବସିଲେ । ବିନାୟକ ଶାସ୍ତ୍ର ମତ ଅନୁସାରେ ନାସ୍ତି କଲେ । ବନ୍ଧୁ ବିରାଦର କୁଟୁମ୍ବ ଲୋକେ ଭୀଷଣ ପ୍ରତିବାଦ ଉଠାଇଲେ । ଦୁର୍ଗା ଅନ୍ୟ ଉପାୟ ନ ଦେଖି ସ୍ୱାମୀଙ୍କଠାରୁ ବିଦାୟ ନ ନେଇ, ଘରେ ଦେଢ଼ ଦିନ ଚୁଲି ନ ଜଳିବା ପରେ, ଲୀଳାକୁ ସତ୍ପାତ୍ରରେ ଦାନ କରିବାକୁ ଘରୁ ବାହାରି ଆସିଛନ୍ତି ।
ଦୁର୍ଗାଙ୍କର ମାମୁପୁଅ ଭାଇ ଲକ୍ଷ୍ମଣ ତ୍ରିପାଠୀ ଜଣେ ସଂସ୍କାର-ପ୍ରୟାସୀ ଆଧୁନିକ ଲୋକ-। ତାଙ୍କ ପାଖକୁ ଗଲେ ସେ କିଛି ସାହାଯ୍ୟ କରିପାରନ୍ତି ବୋଲି ତାଙ୍କର ଆଶା । ରେଳ ନ ପଡ଼ିବାବେଳେ ସେ ପିଲାଦିନେ ନିଜେ ବାପ ଘରୁ ତାଙ୍କ ଘରକୁ କେତେଥର ଯାଇଛନ୍ତି; କିନ୍ତୁ କସରଦାରୁ ସେ ପୁରୀ ଜିଲା କଣାସ ଥାନା ତ୍ରିଲୋଚନପୁରକୁ ଯିବାର ବାଟ ଜାଣନ୍ତି ନାହିଁ-। ପୁରୀ ଗଲେ ତାହାର ସୁରାଖ ମିଳିବ ବୋଲି ସେ ଆପାତତଃ ପୁରୀ ଯିବାକୁ ଭାବିଥିଲେ; ମାତ୍ର ଘରୁ ବାହାରି ଆସିଲା ପରେ ବାଟରେ ତାଙ୍କର ନାନା ଚିନ୍ତା ବଢ଼ିଛି । ଘରକୁ ଫେରିଯିବାକୁ ଇଚ୍ଛା କରି ସୁଦ୍ଧା, ସାହସ କରି ପାରୁ ନାହାନ୍ତି । ଫଳରେ ନଦୀ ସୁଅରେ ଭାସିଲା କାଠଖଣ୍ଡପରି, ଥରେ ପାଣିକି ଡେଇଁ ପଡ଼ିଥିବାରୁ, ସୁଅ ବଳରେ ଚାଲିଛନ୍ତି ମାତ୍ର । ହୃଦୟରେ ଆଉ ବିଶେଷ କୌଣସି ଲକ୍ଷ୍ୟ ନାହିଁ-। ଲୀଳା ମା’ଙ୍କର ଅଭିପ୍ରାୟ ବାଟରେ ଜାଣିପାରି କହିଛି ଯେ ସେ ପ୍ରାଣ ସିନା ହରାଇବ, ତଥାପି ବିଧାତା କପାଳରୁ ଲିଭାଇଥିବା ସିନ୍ଦୁର ଟୋପା ଆଉ ଘେନିବ ନାହିଁ-। ହୃଦୟ ପୀଠରେ ସଦାଶିବ ନିମନ୍ତେ ଯେଉଁ କ୍ଷୁଦ୍ର ଦେଉଳଟି ଗଢ଼ିଥିଲା, ସେଥିରେ ଆଉ କାହାରିକୁ ବସିବାକୁ ଦେବ ନାହିଁ-। ଦୁର୍ଗା ଯାହା ପାଇଁ ଘର ଛାଡ଼ି ବନସ୍ତରେ ପଶିଲେ, ତା’ରି ଅବୁଝାପଣ ଯୋଗେ ତାଙ୍କୁ ଆହୁରି ଘାଣ୍ଟି ହେବାକୁ ହେଉଛି । ତାଙ୍କର କୌଣସି ସ୍ଥିର ଉଦ୍ଦେଶ୍ୟ ନାହିଁ-। କପାଳରେ ଭଲ କିଛି ଜୁଟିଲେ, ଆପତ୍ତି ନାହିଁ; ନ ଜୁଟିଲେ ମଧ୍ୟ ଦୁଃଖ ନାହିଁ-। ସେ ସଂସାର ସ୍ରୋତରେ ଇତସ୍ତତଃ ହେଉଛନ୍ତି, ଭୀଷଣ ଆନ୍ଦୋଳନ ଅନୁଭବ କରୁଛନ୍ତି । ଭାସିବେ କି ବୁଡ଼ିବେ ଠିକ୍ ନାହିଁ । କେବଳ ହଠାତ୍ ମାର୍କଣ୍ଡ ଆସି ଅଯାଚିତ କର୍ଣ୍ଣଧାର ହୋଇ ମିଳି ଯାଇଛନ୍ତି ମାତ୍ର-।
ମାର୍କଣ୍ଡ ମହାପାତ୍ର ଜଣେ ଧନୀ ଘରର ପୁଅ, ପିତାଙ୍କ ଅନ୍ତେ ଏବେ ପ୍ରାୟ ବାର୍ଷିକ ଆଠ ହଜାର ଟଙ୍କା ଆୟର ସମ୍ପତ୍ତିରେ ମାଲିକ ହୋଇଛନ୍ତି । ଦାନ ଖଇରାତରେ ତାଙ୍କର ଅନେକ ବ୍ୟୟ ହୁଏ । ନିଜ କୁଟୁମ୍ବ ଲୋକଙ୍କର ଭରଣ ପୋଷଣ ଆଦି ବ୍ୟୟ ଛଡ଼ା, ଦୁଇଟି ସ୍ତ୍ରୀ ବ୍ୟକ୍ତିଙ୍କ ତୀର୍ଥଯାତ୍ରା ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ କଷ୍ଟକର କଥା ନୁହେଁ । ସେ ଦୁର୍ଗା ଏବଂ ଲୀଳା ଦୁହିଁଙ୍କୁ ଭୁବନେଶ୍ୱର ପୁରୀ ନେଲେ । ପୁରୀରେ ଜଣେ ବିଶ୍ୱାସୀ ଲୋକକୁ ସାଥୀ କରି ଦେଇ ଖର୍ଚ୍ଚ ନିମନ୍ତେ ଅଢ଼େଇ ଶହ ଟଙ୍କା ଯାଚି ଦୁର୍ଗାଙ୍କୁ କହିଲେ, ‘‘ତୁମେ ଗଙ୍ଗା ସ୍ନାନ କରିଯିବ ପରା, ଯାଅ । ସେଠାରୁ ଆଉ ଯେଉଁଆଡ଼େ ଇଚ୍ଛା ହେବ, ଯିବ । ଏ ଲୋକ ତୁମକୁ ନିଜ ଘରେ ପହଞ୍ଚାଇ ଦେଇ ଆସିବ ।
ଦୁର୍ଗା କହିଲେ, ‘‘ପୁଅ, ଏ ପନ୍ଦର ବର୍ଷର ଅନାଥ ଝିଅକୁ ଲାଙ୍ଗୁଡ଼ରେ ବାନ୍ଧି ମୁଁ କି ତୀର୍ଥ କରିବାକୁ ଯିବି ? ବାପା, ମୋର ତ ଘରେ କେହି ନାହିଁ ଯେ ମୁଁ ଘରକୁ ଫେରିବି । ତୁମେ ଯେବେ ଶାଗ ପେଜ ଦେଇ ଏ ଦି’ପେଟ ପୋଷି ପାରିବ, ମୁଁ ତୁମରି ଉପରେ ଭାର ହେବି । ମୁଁ କିଛି ୠଣୀ ହେବିନାହିଁ । ମୋ ଝିଅ ସୁକୁମାରୀ ନୁହେଁ । ରାନ୍ଧି-ବାଢ଼ି ପାରିବ, ମୁଁ ପାଣି ଆଣିବି, ଧାନ କୁଟିବି । ଆମେ ଆଉ ତୀର୍ଥ କରିବାକୁ ଯିବୁ ନାହିଁ, ତୁମ୍ଭଠାରୁ, ବାପା ଏ ବୁଜୁଳାଏ ଟଙ୍କା ନେଇ ତୁମ ଗୁହାଳ ଘରେ କି ଢିଙ୍କିଶାଳେ ଆମକୁ ଟିକିଏ ଥାନ ଦେଲେ, ସେଇଠି ପଡ଼ି ରହିବୁ । ଲୀଳାର ବାପା କେବେ ଆସିଲେ ଆମକୁ ନେଲେ ଯିବୁ ।’’
ଦୁର୍ଗାଙ୍କ କଥା ଶୁଣି ଯୁବକ ମାର୍କଣ୍ଡଙ୍କ ହୃଦୟ ତରଳି ଗଲା । ସେ ପରର ଦୁଃଖ ସହି ପାରନ୍ତି ନାହିଁ । ଲୀଳା ସହିତ ତାଙ୍କର କଥାବାର୍ତ୍ତା ହୋଇ ନାହିଁ; ଏପରିକି ସେ ତା’ର ମୁହଁ ସୁଦ୍ଧା ଦେଖି ନାହାନ୍ତି । ଲୀଳା ଲଜ୍ଜା ସଙ୍କୋଚରେ ମୁଣ୍ଡ ପୋତି ଦୂରେ ଦୂରେ ରହି ଚଳପ୍ରଚଳ ହୁଏ । ତା’ର ହୃଦୟର ବେଦନା ଦୁର୍ଗାଙ୍କ ତୁଣ୍ଡରେ ପ୍ରତିଧ୍ୱନିତ ହୋଇ ମାର୍କଣ୍ଡଙ୍କ କାନକୁ ଯାହା ଆସେ ମାତ୍ର । ମାର୍କଣ୍ଡ ସେ ଦୁହିଁଙ୍କ ସହିତ ଚାରିଦିନ ରହି ବୁଝିଥିଲେ ଯେ ସେମାନେ ତାଙ୍କର କୃପାର ଉପଯୁକ୍ତ ପାତ୍ର । ସେମାନଙ୍କୁ ତୀର୍ଥ କରିବାକୁ ଅସହାୟ ଭାବରେ ଦୂର ବିଦେଶକୁ ପଠାଇଦେବାକୁ ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛା ହେଉ ନଥିଲା; କିନ୍ତୁ ଭୁବନେଶ୍ୱର ଷ୍ଟେସନ୍ରୁ ଭୁବନେଶ୍ୱର ଗ୍ରାମକୁ ଯିବାବେଳେ ବାଟରେ ଦୁର୍ଗା ଯେ ତୀର୍ଥଯାତ୍ରାରେ ବାହାରିଥିବା କଥା କହିଲେ, ତାଙ୍କର ସେହି ଅଭିଳାଷ ପୂର୍ଣ୍ଣ କରିବାପାଇଁ ମାର୍କଣ୍ଡ ଆଜି ତାଙ୍କୁ ଗଙ୍ଗାସ୍ନାନ କରିବା ନିମନ୍ତେ ଯିବାକୁ ପଠାଉଥିଲେ-। ଦୁର୍ଗାଙ୍କର କଥା ଶୁଣି କହିଲେ, ‘‘ଭଲ କଥା, ଆମ ଘରକୁ ତେବେ ଯିବ ।’’ ତା’ପରେ ସେ ସେମାନଙ୍କୁ ଚନ୍ଦ୍ରଭାଗା ଓ ସାକ୍ଷୀଗୋପାଳ ବୁଲାଇ, ଶେଷରେ ଘରକୁ ଘେନି ବାଙ୍କୀ ଫେରିଲେ-।
ମାର୍କଣ୍ଡ ଯେ କେବଳ ଧନୀ ତାହା ନୁହେଁ, ସେ ଜ୍ଞାନୀ ମଧ୍ୟ । ଲକ୍ଷ୍ମୀ ଏବଂ ସରସ୍ୱତୀ ଉଭୟେ ତାଙ୍କୁ ଅନୁଗ୍ରହ କରିଛନ୍ତି । ବୟସ ପ୍ରାୟ ଚବିଶବର୍ଷ, ପଢ଼ା ଶେଷ ନୋହିଥିବାରୁ ବିବାହ ହୋଇ ନଥିଲା । ଏବେ ଅନେକଠାରେ ପ୍ରସଙ୍ଗ ଲାଗିଛି; ମାତ୍ର ମାଆଙ୍କ ମନକୁ କୌଣସିଟି ପାଉନାହିଁ । ଯେତେ କନ୍ୟା ଦେଖୁଛନ୍ତି, ସମସ୍ତଙ୍କର କିଛି ନା କିଛି ଖୁଣ ଦେଖାଯାଉଛି । ଦିନେ ସେ ଦୁର୍ଗାଙ୍କ ପାଖରେ ବସିଛନ୍ତି, ପୁଅଙ୍କ ବିବାହ ବିଷୟ ପକାଇ, ହଠାତ୍ କହିପକାଇଲେ, ‘‘ଆହା, ଲୀଳାଟିକି ଯେବେ ବିଧାତା ବାମ ନୋହିଥାନ୍ତା, ମୁଁ କାହିଁକି ଏତେ ଧନ୍ଦି ହେଉଥାନ୍ତି, ଏତେ ଆଡ଼େ ଏଣେତେଣେ ଆଖି ବୁଲାଉଥାନ୍ତି ।
ଦୁର୍ଗା ନିଜର ଝିଅ ସହିତରେ ମାର୍କଣ୍ଡଙ୍କ ଘରେ ପହଞ୍ଚି ତାଙ୍କ ଆଶା ଅନୁସାରେ ଗୁହାଳ ଘରେ ବା ଢିଙ୍କିଶାଳେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଇ ନାହାନ୍ତି । ତାଙ୍କୁ ଅଲଗା ଖୁଆଡ଼ ମିଳିଛି । ମା’ ଝିଅ ସେଠାରେ ପୃଥକ୍ ଭାବରେ ମାର୍କଣ୍ଡଙ୍କ ଘର ସହିତ କୌଣସି ସମ୍ପର୍କ ନ ରଖି ରହନ୍ତି, ନିଜେ ରାନ୍ଧି ଖାଆନ୍ତି, ତାଙ୍କୁ ମାର୍କଣ୍ଡଙ୍କ ଘରେ ରୋଷେଇ କରିବା କିମ୍ବା ଧାନ କୁଟିବା, ପାଣି ବୋହିବାକୁ ପଡ଼ୁନାହିଁ । ଲୀଳା ମାର୍କଣ୍ଡଙ୍କ ଘର ତ ଏକାବେଳକେ ମାଡ଼େ ନାହିଁ । ଦୁର୍ଗା ମଧ୍ୟ ସେତେ ବେଶି ଯାଆନ୍ତି ନାହିଁ । ମାର୍କଣ୍ଡଙ୍କର ସ୍ପଷ୍ଟ ମନା ଅଛି ଯେ ସେମାନଙ୍କୁ କେହି ଯେପରି କିଛି କାମ ନ ବତାଏ-। ଧାନ କୁଟାଳିମାନେ ଚାଉଳ ଆଣି ଦିଅନ୍ତି । ପନିପରିବା, କାଠ, ପାଣି ରୋଜ୍ ଆସି କେଉଁଠାରୁ ପହଞ୍ଚେ, ସେଥିପାଇଁ ଦୁର୍ଗାଙ୍କୁ ଭାବିବାକୁ ପଡ଼େ ନାହିଁ । କାମ ନଥିଲାବେଳେ ମାର୍କଣ୍ଡଙ୍କ ମା’ ଆସି ଲୀଳା ସହିତ କଥାବାର୍ତ୍ତା ହସକଉତୁକ ହୁଅନ୍ତି । ସେତେବେଳେ ସେ କହନ୍ତି, ‘‘ଆହା, ଲୀଳାଟି କିପରି ଗୋଟିଏ ଚାଉଳରେ ଗଢ଼ା !’’
ମାର୍କଣ୍ଡଙ୍କର ପୁରୁଷ ଅଭିଭାବକ ନଥିବାରୁ, ତାଙ୍କ ମା’ ନିଜେ କନ୍ୟା ଦେଖିବାକୁ ଯାଆନ୍ତି-। ଲୀଳା ଆସିଲା ପରେ ସେ କେତେ କନ୍ୟା ଦେଖିବାକୁ ଗଲେ । କେହି ତାଙ୍କ ମନକୁ ପାଇଲେ ନାହିଁ । କିଏ ଟିକିଏ ସାବନା, କିଏ ଅତି ତୋଫା ଗୋରା, କିଏ ଡେଙ୍ଗୀ, କିଏ ବାଙ୍ଗରୀ, କିଏ ଭାରି ମୋଟୀ, କିଏ ସରୁଆ; ଏହିପରି ଜଣ ଜଣ ହୋଇ ସମସ୍ତେ କଟିବାରେ ଲାଗିଲେ । ଲୀଳା ବର୍ତ୍ତମାନ ତାଙ୍କର ସୌନ୍ଦର୍ଯ୍ୟର ମଛା; ତା’ପରି ଡଉଲରେ ପିଲାଟିଏ କୌଣସିଠାରେ ମିଳିଲା ନାହିଁ-। ଦୁର୍ଗା ଘରୁ ବାହାରି ଆସିବାର ଅଭିପ୍ରାୟ ମନରୁ ଦୂର କରିଥିଲେ । ଶାସ୍ତ୍ରର ବାଧା, ବନ୍ଧୁବାନ୍ଧବଙ୍କ ଆପତ୍ତି ସେ ତ ଏଡ଼ିଥିଲେ; ମାତ୍ର ନିଜେ ଲୀଳାର ଅନାସ୍ଥା ଓ ଯେ ବିବାହ ସୂତ୍ର ବିଧାତା ଥରେ ଛିଣ୍ଡାଇ ଦେଇଛି, ତାକୁ ପୁଣି ଗଇଣ୍ଠାଇବାକୁ ଚେଷ୍ଟା କରିବାରେ ତା’ର ଘୋର ଅନିଚ୍ଛା, ତାଙ୍କ ପ୍ରତି ଏକ ପ୍ରକାଣ୍ଡ ଅଲଙ୍ଘନୀୟ ଅନ୍ତରାୟ ହୋଇ ପଡ଼ିଥିଲା । ସେଥିପାଇଁ ଅସମ୍ଭବକୁ ସେ ଆଉ ହୃଦୟରେ ପୋଷି ରଖି ନଥିଲେ; କିନ୍ତୁ ମାର୍କଣ୍ଡଙ୍କ ମା’ଙ୍କ ତୁଣ୍ଡରୁ ଲୀଳା ବିଷୟରେ କଥା ଶୁଣିଲା ଦିନୁ ତାହା ବିଜୁଳି ଛଟକ ପରି ବେଳେବେଳେ ତାଙ୍କ ହୃଦୟରେ ଖେଳି ଯାଉଅଛି, ପ୍ରବଳ ଭାବରେ ତାଙ୍କର ସମସ୍ତ ପ୍ରାଣକୁ ଆନ୍ଦୋଳିତ କରୁଅଛି । ମାତ୍ର ପର ମୁହୂର୍ତ୍ତରେ ସବୁ ଅନ୍ଧାର ଦିଶୁଅଛି; ସେ ଭାବନ୍ତି, ‘‘ଏହା କ’ଣ ସମ୍ଭବ ? ଏ କୁବେର ଘରେ ବିଦୁରର କନ୍ୟା ! ପୁଣି ସମସ୍ତେ କହିବେ, ଅଇଣ୍ଠା-। ଏଥିରେ ମାର୍କଣ୍ଡ ରାଜି ହେବ ? ନା, ତା’ଠାରେ କ’ଣ ଅଛି ? ତା’ର ମା’ ତ କାନରେ ଶୁଣିବେ ନାହିଁ ସେ ସବୁ ହେଲେ ମଧ୍ୟ, ଲୀଳାକୁ କ’ଣ ମଙ୍ଗାଇ ପାରିବି ?’’ ଏହିପରି ନାନା କଥା ଭାବି, ଦୁର୍ଗା ନିରାଶ ହୋଇ ଢଳିପଡ଼ନ୍ତି ।
ମା’ ତାଙ୍କ ପାଇଁ ଲୀଳାପରି କନ୍ୟାଟିଏ ଖୋଜୁଛନ୍ତି ଶୁଣିଲା ଦିନୁ, ମାର୍କଣ୍ଡ ଭାବୁଛନ୍ତି, ‘‘କାହିଁକି, ଯାହା ପରି ରତ୍ନ ମୋର ଲୋଡ଼ା, ସେ ନିଜେ କ’ଣ ତା’ଠାରୁ ହୀନ ?’’ ଏବେ ସେ ଲୀଳାକୁ ପାଳିତା, ଆଶ୍ରିତା, ଅନାଥିନୀ, ଅରକ୍ଷିତା ବାଳିକାଟିଏ ବୋଲି ମଣନ୍ତି ନାହିଁ । ଲୀଳା ମଧ୍ୟ ମାର୍କଣ୍ଡଙ୍କୁ କେବଳ ଆଶ୍ରୟଦାତା, ରକ୍ଷକ ବୋଲି ମନେ କରେନାହିଁ । ବାଙ୍କୀ ଆସିଲା ପରେ ଅନେକ ଦିନ ଦୁହିଁଙ୍କର ଦେଖା ହେଉ ନଥିଲା । ଲୀଳା ଥରେ ରୋଗରେ ପଡ଼ିବାରୁ ମାର୍କଣ୍ଡ ନିଜେ ଶୁଶ୍ରୂଷା କରିବାକୁ ଗଲେ । ରୋଗ ଶଯ୍ୟାରୁ ଝାଡ଼ଝୁଡ଼ ହୋଇ ଉଠି, ଲୀଳା ଆଉ ମାର୍କଣ୍ଡଙ୍କୁ ଲୁଚିଲା ନାହିଁ । କ୍ରମେ ଦୁହିଁଙ୍କ ମଧ୍ୟରେ କି ଏକ ଅଦୃଶ୍ୟ ସମ୍ପର୍କ ବଢ଼ିବାକୁ ଲାଗିଲା ଯେ ଦୁହେଁ ଗୋପନରେ, ଅନ୍ୟମାନଙ୍କଠାରୁ ଦୂରରେ, ପରସ୍ପରକୁ ଭେଟିବାକୁ, ପରସ୍ପର ସହିତ କଥାବାର୍ତ୍ତା ହେବାକୁ, ଯେତେ ପସନ୍ଦ କଲେ, ଅନ୍ୟମାନଙ୍କ ସଙ୍ଗରେ ଥିଲାବେଳେ ସେତେ ପସନ୍ଦ କଲେନାହିଁ; ମାତ୍ର ସେପରି ସୁଯୋଗ କେବେ ଘଟିଲା ନାହିଁ । ଲୀଳା ଏକା ଥିଲାବେଳେ ଗମ୍ଭିରୀ ଘରେ ଲୁଚି ରହେ, ମାର୍କଣ୍ଡ ମଧ୍ୟ ଲୀଳାର ରହିବା ସ୍ଥାନକୁ ଏକାକୀ, ଚୋର ପରି ଯିବାକୁ ନିତାନ୍ତ ଲଜ୍ଜାର କଥା ମନେ କରନ୍ତି ।
କ୍ରମେ ଦୁର୍ଗା ଜାଣିପାରିଲେ ଏବଂ ମାର୍କଣ୍ଡଙ୍କ ମା’ ସନ୍ଦେହ କଲେ ଯେ ମାର୍କଣ୍ଡ ଲୀଳା ପ୍ରତି ମନେମନେ ଆସକ୍ତି ହୋଇଛନ୍ତି ଜାଣି, ଦୁର୍ଗା ବିଚାରିଲେ, ‘‘ବିଧାତା କ’ଣ ସତେ ଏହା ଘଟାଇବ-? ଲୀଳାର ହୀନକପାଳରେ କ’ଣ ଏଡ଼େ ବଡ଼ କଥା ଅଛି ।’’ ମାତ୍ର ମାର୍କଣ୍ଡଙ୍କ ମା’, ମନକୁ ନ ପାଇଲେ ସୁଦ୍ଧା, ଗୋଟିଏ କନ୍ୟା ଠିକ୍ କରି ପକାଇଲେ, ମାର୍କଣ୍ଡଙ୍କ ଇଚ୍ଛା ବିରୋଧରେ ନିର୍ବନ୍ଧ ମଧ୍ୟ ହୋଇଗଲା ।
ମାର୍କଣ୍ଡଙ୍କ ହୃଦୟରେ ଯେତେବେଳେ ଆଉ ଗୋଟିଏ ଡୋରି ଆସି ବନ୍ଧା ହେବାକୁ ବସିଲା, ସେ ନିଜେ ଲୀଳା ସହିତ ଯେଉଁ ଅଦୃଶ୍ୟ ଡୋରିଟି ବାନ୍ଧିଥିଲେ, ତାହାର ଆକର୍ଷଣ ଦିନକୁଦିନ ଅଧିକ ଅନୁଭବ କରିବାକୁ ଲାଗିଲେ । ସେ ଜିଦ୍ ଧରି ବସିଲେ ଯେ ଲୀଳା ଛଡ଼ା ସେ ଆଉ କାହାରିକୁ ବିଭା ହେବେନାହିଁ; ଲୀଳା ପ୍ରସଙ୍ଗ ଯଦି ନ ହୁଏ, ବରଂ ଅଭିଆଡ଼ା ରହିବେ । ସେଥିରେ ମା’ ଏକାବେଳକେ ନାରାଜ । ସେ ଧର୍ମଶାସ୍ତ୍ର, ଶ୍ରୁତି, ସ୍ମୃତି, ମନୁ, ପରାଶର ଜାଣନ୍ତି ନାହିଁ; ମାତ୍ର ବିଧବା ଯେ ସଂସାରରେ ନିତାନ୍ତ ଅମଙ୍ଗଳକର ପଦାର୍ଥ, ବିବାହ ରୂପ ମଙ୍ଗଳ କାର୍ଯ୍ୟର ସେ କିପରି ପାତ୍ରୀ ହୋଇ ବସିବ ? ପୁଣି ଏ ଗୋଟାଏ ଅତ୍ୟନ୍ତ ନୂଆ କଥା, ସାରା ସୃଷ୍ଟିରେ ଶୁଣାନାହିଁ । ମା’ ମାର୍କଣ୍ଡକୁ ଅନେକ ବୁଝାଇଲେ, ଗାଳି ଦେଲେ, ଲକସ୍ତକ ହେଲେ, ମାର୍କଣ୍ଡ କର୍ଣ୍ଣପାତ କଲେ ନାହିଁ । ଫଳରେ ମା’ ବାଧ୍ୟ ହୋଇ ଶେଷକୁ କହିଲେ, ‘‘କୁଳାଙ୍ଗାର, ତୋ ଇଚ୍ଛା, ଯାହା ତୁ କରୁଚୁ କର, କେଉଁଠୁ ଗୋଟାଏ ଅଲକ୍ଷଣୀ ଆଣିଥିଲୁ, ଏବେ ତା’ରି ଫାନ୍ଦରେ ପଡ଼ି ସଢ଼’’ କହି ମା’ ଅଲଗା ହୋଇ ରହିଲେ; କୌଣସି କାର୍ଯ୍ୟରେ ଯୋଗ ଦେଲେ ନାହିଁ । ଜ୍ଞାତି, କୁଟୁମ୍ବ କେତେକ ଅଡ଼ି ରହିଲେ, ଆଉ କେତେକ ମର୍ଯ୍ୟାଦା ଭୋଜି ଚୁମ୍ବକରେ ଟାଣି ହୋଇ ଆସିଲେ ।
ବିନାୟକ ମିଶ୍ରେ ଭାର୍ଯ୍ୟା ଓ ଝିଅକୁ ବହୁଦିନ ଖୋଜି ଖୋଜି, ରାଗରେ ଜଳି, ଦୁଃଖରେ ସଢ଼ି, ଲଜ୍ଜାରେ ନଇଁ, ଯେଉଁ ଦିନ ଆସି ବାଙ୍କୀରେ ପହଞ୍ଚନ୍ତି, ସେଦିନ ମାର୍କଣ୍ଡଙ୍କର ଚାଉଳଧୂଆ । ସେ ଯେତେବେଳେ ଆସି ଦେଖିଲେ ଯେ ମାର୍କଣ୍ଡଙ୍କ ପରି ଜ୍ଞାନୀ, ବିବେକୀ, ଧନୀ, ଖ୍ୟାତିମାନ ଯୁବକ ତାଙ୍କର ଅଭାଗୀନି ନିଃସହାୟା ବିଧବା ଲୀଳାକୁ ବିଭା ହେବାକୁ ରାଜି ହୋଇଛନ୍ତି, ପ୍ରଚଳିତ ପ୍ରଥା ପ୍ରତି ଆଉ ଭ୍ରୂକ୍ଷେପ କଲେ ନାହିଁ, ଶାସ୍ତ୍ରରୁ ଖୋଜି ସପକ୍ଷ ମତ ବାହାର କରିବାକୁ ଲାଗିଲେ ।
ମଙ୍ଗଳନ ଦିନ ବିଶେଷ ଉତ୍ସବ ଲାଗିଲା, ବାଦ୍ୟ ବାଜିଲା, ବାଣ ଫୁଟିଲା, ହୁଳହୁଳିରେ ଗ୍ରାମସାରା ଫାଟି ପଡ଼ିଲା, ଭୋଜିରେ ବହୁଲୋକ ଖାଇଲେ । ଗମ୍ଭିରି ଘର ମଧ୍ୟରୁ ଲୀଳାର ବହୁଦିନର ଶୁଷ୍କ ଉତ୍ସ ଉଛୁଳି ପଡ଼ିବାକୁ ଲାଗିଲା । ମାର୍କଣ୍ଡ ହୃଦୟରେ ଏକ ଅବୋଧ୍ୟ ଆନନ୍ଦ ଅନୁଭବ କଲେ ।
ପରଦିନ ସକାଳେ ମାର୍କଣ୍ଡ ବେଦୀରେ ବସିଛନ୍ତି, ମନ୍ତ୍ର ଅଧେ ପଢ଼ା ସରିଲାଣି; କର୍ମକର୍ମାଣି କେତେକ ହୋଇଗଲାଣି, ବାଦ୍ୟ ମହୁରି ବାଜୁଛି, ଲୋକ କୋଳାହଳ ଘନ ଘନ ଉଠୁଛି-। କନ୍ୟା ବେଦୀକି ଆସିବାର ଆୟୋଜନ ଚାଲିଛି, ବିନାୟକ ମିଶ୍ରେ ସମ୍ପ୍ରଦାନ କରିବାକୁ ହାତରେ କୁଶ ପାତ୍ରୀ ଧରି ଉତ୍କଣ୍ଠାରେ ବସି ବାଟ ଚାହିଁଛନ୍ତି । ଭାବୁଛନ୍ତି, ‘‘ସବୁ ତ ହୋଇସାରିଛି, କେବଳ ହାତଗଣ୍ଠିଟା ପଡ଼ିଗଲେ, ରକ୍ଷା ।’’ ଏପରି ସମୟରେ କେତେକ ଲୋକ ପାଟି କରି ଉଠିଲେ, ‘ପଳା ପଳା ଭିଖ ବର୍ତ୍ତମାନ ନାହିଁ ।’ ବିନାୟକ ମିଶ୍ରେ କନ୍ୟା ଆସିବା ବାଟରୁ ଆଖି ବୁଲାଇ ଚାହିଁ ଦେଖିଲେ । ଛାତିରୁ କ’ଣ ଗୋଟାଏ ଖସି ପଡ଼ିଲା, ଆଖି ଖୋସି ହୋଇଗଲା । ଏ ଯେ ସେହି ସଦାଶିବ । ସେ ନ ଚିହ୍ନିଲା ପରି ହୋଇ ମୁହଁ ଫେରାଇ ନେଉଥିଲେ । ସଦାଶିବର ମୁଣ୍ଡ ମଧ୍ୟ ଲାଜରେ ପୋତି ହୋଇ ଯାଇଥିଲା । ସେ ହାତ ଯୋଡ଼ି, ନଇଁ, ବିନାୟକ ମିଶ୍ରଙ୍କୁ କହିଲା, ‘‘ନମସ୍କାର’’ ।
ହଠାତ୍ ହୁଲସ୍ତୁଲ ପଡ଼ିଗଲା । ବିନାୟକ ମିଶ୍ରେ କ’ଣ କରିବେ, ବୁଝିପାରିଲେ ନାହିଁ । ପ୍ରଥମେ ଘଟଣାଟା ଲୁଚାଇ ରଖିବାକୁ ଇଚ୍ଛାକଲେ; ମାତ୍ର ସେଥିରେ ମନ ମାନିଲା ନାହିଁ । ଛାତି ଫାଟିଗଲା ପରି, ମୁଣ୍ଡରେ ବଜ୍ର ପଡ଼ିଲା ପ୍ରାୟ ତାଙ୍କୁ ବୋଧ ହେଲା; ଦଶଦିଗ ଅନ୍ଧାର ଦିଶିଲା । ବିଚକ୍ଷଣ ମାର୍କଣ୍ଡ ବୁଝିପାରି, ତାଙ୍କୁ ପଚାରିଲେ, ‘‘ଆପଣ ହଠାତ୍ କାହିଁକି ଏତେ ବ୍ୟସ୍ତ ହେଉଛନ୍ତି ?’’ ମିଶ୍ରେ କିଛି ନ ଲୁଚାଇ ସବୁ କଥା କହିଗଲେ । କନ୍ୟା ଆଉ ବେଦୀକି ଆସିଲା ନାହିଁ । ମାର୍କଣ୍ଡ ଉଠି ସଦାଶିବର ହାତ ଧରି ଘରକୁ ଘେନିଗଲେ । ବାଦ୍ୟ ବନ୍ଦ ହେଲା, କୋଳାହଳ ଭିନ୍ନ ଆକାର ଧଇଲା-। କାନକୁ କାନ ସବୁଠାରେ କୁହାକୁହି ଚାଲିଲା ।
ସଦାଶିବ ବିବାହ ପରେ ଅର୍ଥ ଉପାର୍ଜନ କରିବାପାଇଁ ବଙ୍ଗ ଦେଶକୁ ବାଟକୁ ଯାଇଥିଲା-। ସେ ଗ୍ରାମକୁ ଫେରିବାବେଳେ ବିଦେଶରେ ହଇଜା ରୋଗରେ ପଡ଼ିବାରୁ ସାଥୀ ଲୋକ ତାକୁ ଛାଡ଼ି ପଳାଇ ଆସି, ରଟନା କଲେ ଯେ, ସେ ମରିଗଲା । ତେଣେ ସଦାଶିବ ରୋଗରୁ ଉଠି ଉପାର୍ଜନର ପନ୍ଥା କିଛି ନ ଦେଖି, ଭିକ ମାଗି, ପେଟ ପୋଷିବାରେ ଲାଗିଲା । ଲୀଳା କଥା ସେ ଅବଶ୍ୟ ବେଳେବେଳେ ମନେ ପକାଏ; ମାତ୍ର ସେ ମଧୁର ସ୍ମୃତି ମରୁଭୂମିର ଏକମାତ୍ର ଗୋଲାପ କଢ଼ି ପରି, ମୁହୂର୍ତ୍ତକ ମଧ୍ୟରେ ତା’ ମନରୁ ଝଡ଼ି, ଖସିପଡ଼େ । ଲୀଳା ଯେ ତା’ ଭିକ୍ଷା ପାତ୍ରର ପ୍ରାପ୍ୟ ରତ୍ନ ନୁହେଁ, ସେ ତାହା ବୁଝିପାରି ତାକୁ ଦୂରରୁ ବିଦାୟ ଦିଏ । ଏତେ କାଳ ଏକୁଟିଆ ଦୀନଭାବରେ ଭିକ୍ଷାନ୍ନରେ ଚଳି, ଲୋକଙ୍କଠାରୁ ଗାଳି ପରାଭବ ଖାଇ, ସେ କେବଳ ଯେ ଦେହରେ ଜୀର୍ଣ୍ଣଶୀର୍ଣ୍ଣ ଅବସନ୍ନ ହୋଇଅଛି, ତାହା ନୁହେଁ, ପ୍ରାଣରୁ ଦୟା, ମାୟା, ସ୍ନେହ, ମମତା ସୁଦ୍ଧା ବିସର୍ଜନ ଦେଇଛି ।
ମାର୍କଣ୍ଡ ବିନାୟକ ମିଶ୍ରଙ୍କୁ ସକୁଟୁମ୍ବ, ଅର୍ଥାତ୍ ସସ୍ତ୍ରୀକ, ସକନ୍ୟକ ଓ ସଜାମାତୃ ହୋଇ, ରହିବାକୁ ଆପଣା ଘର ଛାଡ଼ିଦେଲେ । ପ୍ରାଣରେ ଲୀଳାର କୁମାରୀ ହୃଦୟର ଯେଉଁ ମଳୟଧାରା ଅନୁଭବ କରି ସେ କୋମଳ କମ୍ପନରେ ଖେଳୁଥିଲେ, ତାହାର ପଥ ଆଉ ନିଜ ଆଡ଼କୁ ସେ ଉନ୍ମୁକ୍ତ ଦେଖୁନାହାନ୍ତି । ଲୀଳା ସଦାଶିବର ଗଳାର ମାଳା ହୋଇଅଛି । ସୁତରାଂ ଲୀଳା ସହିତ ସ୍ୱଚ୍ଛନ୍ଦଭାବରେ ପ୍ରକାଶ୍ୟରେ କଥାବାର୍ତ୍ତା କରିବାକୁ ତାଙ୍କୁ ଆଉ ସଙ୍କୋଚ ବୋଧ ହେଉନାହିଁ । ଲୀଳା ମଧ୍ୟ ତାଙ୍କୁ ଆଉ ଲୁଚୁନାହିଁ । ଦୁହେଁ ଭାଇ ଭଉଣୀ ପରି ଚଳୁଛନ୍ତି ।
କେତେ ମାସ ପରେ ବିନାୟକ ମିଶ୍ରେ ସ୍ତ୍ରୀ କନ୍ୟା ଜୋଇଁଙ୍କୁ ଧରି କସରଦା ଯିବାକୁ ବସିଲେ । ମାର୍କଣ୍ଡ ଛାଡ଼ିଲେ ନାହିଁ, ଆଉ କେତେଦିନ ରହିବାକୁ ବଳାଇଲେ । ସେଠା ଛାଡ଼ି ଯିବାକୁ ସଦାଶିବର ଆଦୌ ଇଚ୍ଛା ନଥିଲା । ଲୀଳାର ମଧ୍ୟ ଗୋଟିଏ କାମ ବାକି ରହିଛି । ସେ କାମ ନ ସାରି ସେ ଯିବ କିପରି ? ସୁତରାଂ ବାପାଙ୍କର ଯିବା ପ୍ରସ୍ତାବ ଶୁଣି, ସେ ରହିବା ଯିବା ମଧ୍ୟରେ କଳଘଣ୍ଟାର ପିତଳ ଗୋଲି ପରି ଦୋଳାୟମାନ ହେବାକୁ ଲାଗିଲା । ମାର୍କଣ୍ଡଙ୍କୁ ବିଭା ନ କରାଇ ଚାଲିଯିବା ତ ତା’ ପକ୍ଷେ ସମ୍ଭବପର ନୁହେଁ; ମାତ୍ର ମାର୍କଣ୍ଡ ବିଭା ହେବାକୁ ରାଜି ନୁହନ୍ତି । ତାଙ୍କୁ କହି ବୁଝାଇବା ପାଇଁ ଲୀଳାକୁ ଯଥେଷ୍ଟ ଅବସର ମଧ୍ୟ ମିଳିଲା ନାହିଁ । କ୍ରମେ ସଦାଶିବ ଉଦ୍ବାର୍ଯ୍ୟ ହୋଇ ଉଠିଲା ଏବଂ ଧନକୁ ପରର ବିଚାରି ବରବାଦ୍ କରିବାକୁ ଲାଗିଲା ଯେ, ମାର୍କଣ୍ଡଙ୍କ ନାନା ଆପତ୍ତି ସତ୍ତ୍ୱେ, ବିନାୟକ ଶୀଘ୍ର ଜୋଇଁ, ଝିଅ ଓ ଭାର୍ଯ୍ୟାଙ୍କୁ ଧରି ଆପଣା ଘରକୁ ପଳାଇବାକୁ ସ୍ଥିର କଲେ ।
ବାଙ୍କି ଛାଡ଼ିଯିବା ପୂର୍ବଦିନ ସନ୍ଧ୍ୟାରେ ଲୀଳା ମାର୍କଣ୍ଡଙ୍କୁ କହିଲା, ‘‘ମୋର ଶେଷ ଅନୁରୋଧ, ଆଉ ନାହିଁ କର ନାହିଁ ।’’ ତଥାପି ମାର୍କଣ୍ଡ ନାହିଁ ଛଡ଼ା ଆଉ କିଛି କଲେ ନାହିଁ । କ୍ରମେ କଥାବାର୍ତ୍ତା, କାନ୍ଦ, ଶୋକରେ ରାତି ବହୁତ ହେଲା । ମାର୍କଣ୍ଡଙ୍କୁ କିଏ କି କାର୍ଯ୍ୟରେ ଡାକିବାରୁ, ସେ ଲୀଳାର ଆଖିରୁ ଲୁହ ପୋଛି, ପ୍ରବୋଧ ଦେଇ, ଶୁଣି ଆସିବାକୁ ଟିକିଏ ଅନ୍ତର ହୋଇଗଲେ । ଲୀଳା ଜାଣିଲା ମାର୍କଣ୍ଡଙ୍କୁ ବିଭା କରାଇବା ତା’ ପକ୍ଷେ ସମ୍ଭବପର ନୁହେଁ । ସେ କ୍ଷଣକ ମଧ୍ୟରେ କେତେ ବର୍ଷର ସ୍ମୃତି ମନରେ ଆଣି ଠୁଳ କଲା, କେତେ ବର୍ଷର ଚିନ୍ତା ପୁଣି ଭାବିଗଲା । ତାକୁ କୌଣସି ଉପାୟ ଦିଶିଲା ନାହିଁ । ଶେଷରେ ସେ ସ୍ଥିର କଲା ଯେ କେବଳ ମାର୍କଣ୍ଡଙ୍କ ଘରୁ ନୁହେଁ, ସାରା ସଂସାରରୁ ବିଦାୟ ନେଇ ଯିବ, ମାର୍କଣ୍ଡ ଅବିବାହିତ ରହିବା ଆଖିରେ ଦେଖିବ ନାହିଁ ।
ମାର୍କଣ୍ଡ କ୍ଷଣକ ମଧ୍ୟରେ ତରତରରେ ଫେରିଆସି ଦେଖିଲେ ଯେ ଲୀଳା ସେ ସ୍ଥାନରେ ନାହିଁ । ତାଙ୍କର ବୁଦ୍ଧି ହଜିଗଲା । ସେ ପାଟିକରି କହିଲେ, ‘‘ମୁଁ ବିଭା ହେବି ଲୀଳା, ମୁଁ ବିଭା ହେବି-।’’ ଲୀଳା ସେ କଥା ଶୁଣିବାକୁ ସେଠାରେ ନଥିଲା । ହଠାତ୍ ବଗିଚାର କୂଅ ଭିତରେ ଦୁଲ୍ କରି ଶବ୍ଦ ହେଲା । ଧାଇଁଯାଇ ମାର୍କଣ୍ଡ ଶୁଣିଲେ, ଭିତରୁ ଶବ୍ଦ ବାହାରୁଛି, ‘‘ତୁମେ ବିଭା ହେଲ ନାହିଁ-?’‘ ‘‘ହେବି ହେବି’’ ବୋଲି ପ୍ରତିଧ୍ୱନିତ କରି; ମାର୍କଣ୍ଡ ଲୀଳାକୁ ଉଦ୍ଧାର କରିବାକୁ କୂଅ ଭିତରକୁ ଡେଇଁ ପଡ଼ିଲେ ।
ସେଦିନ ରାତିରେ, ଆରଦିନ ଦିନଯାକ ଓ ତା’ପରେ ଦୁଇ ଚାରିଦିନ କାଳ ଏଣେତେଣେ କେତେ ଖୋଜା ଲାଗିଲା; ମାର୍କଣ୍ଡ ଲୀଳା ମିଳିଲେ ନାହିଁ । ଶେଷରେ ଦୁହିଁଙ୍କ ଶବକୁ କୂଅରୁ କାଢ଼ି କିଏ କେତେ ପରି କେତେ କଥା କହିଲେ । ତାହାର ପ୍ରତିବାଦ କରି ମାର୍କଣ୍ଡଙ୍କ ମା’ ଓ ଦୁର୍ଗା କହିଲେ, ‘‘ନା, ତା’ଠାରେ ସେ ଦୁର୍ଗୁଣ ନଥିଲା ।’’ କାନ୍ଦ ବୋବାଳିରେ ବାଙ୍କିଗଡ଼ ପୂରିଗଲା । ମାର୍କଣ୍ଡଙ୍କ ମା’ ଘର କୋଣରେ ଲୋଚା ହୋଇ ପଡ଼ି ରହିଲେ । ବିନାୟକ ମିଶ୍ରେ ଓ ଦୁର୍ଗା ସଦାଶିବକୁ ଘରକୁ ଯିବାକୁ ଭିଡ଼ିଲେ । ସେ ମାର୍କଣ୍ଡଙ୍କ ଘରେ ଲୀଳାର ପ୍ରଣୟ ପାଶରେ ବନ୍ଧା ହୋଇ ନଥିଲା ଯେ ସେ ପାଶ ଛିଣ୍ଡିବା ମାତ୍ରେ ସେଠାରୁ ଖସି ଚାଲିଯିବ । ବିନାୟକ ଦୁର୍ଗାଙ୍କୁ ଧରି କସରଦା ଚାଲିଗଲେ । ମାର୍କଣ୍ଡଙ୍କ ଉଆରସଦାରମାନେ ସଦାଶିବକୁ ଧକ୍କା ଦେଇ ନ ତଡ଼ିବା ପର୍ଯ୍ୟନ୍ତ, ସେ ସେ ଘରୁ ପାଦ କାଢ଼ିଲା ନାହିଁ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର