ଅନନ୍ତ ପ୍ରେମ
୧୮୬୪–୧୯୩୪
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୧୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରେମ ମାନବ ଜୀବନର ସାରବସ୍ତୁ - ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା, ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା । ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ-ବିସ୍ମୃତ କରେ । ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ । ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ ଏବଂ ତାହା ଆମ୍ଭମାନଙ୍କ ଭଳି ଲୋକର କାର୍ଯ୍ୟ ନୁହେଁ । ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି । ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ - ତାହା ଅସ୍ଥାୟୀ; ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ; ତାହାହିଁ ପ୍ରକୃତ ପ୍ରେମ-।
ପୃଥିବୀ ଆମ୍ଭମାନଙ୍କର ଶିକ୍ଷାଳୟ - ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା କିଛି ଘଟେ, ସମସ୍ତ କେବଳ ଶିକ୍ଷାର ସୋପାନ । ଏ ରହସ୍ୟ ଯେ ବୁଝିନାହିଁ, ସେ ମାନବ ଜୀବନ ସମ୍ବନ୍ଧରେ କିଛି ମାତ୍ର ଜାଣିନାହିଁ । ମହାତ୍ମା ଇମର୍ସନ କହିଛନ୍ତି, “ଜଗତରେ ଯାହା ମୋ ମନକୁ ଆକର୍ଷଣ କରେ, ତହିଁରେ ମୋର ନିଶ୍ଚୟ କୌଣସି ପ୍ରୟୋଜନ ଅଛି; ସମ୍ମୁଖବର୍ତ୍ତୀ ଏହି ଅସଂଖ୍ୟ ପଦାର୍ଥ ଓ ଘଟନା ମଧ୍ୟରେ ଯହିଁରେ ମୋହର ପ୍ରୟୋଜନ ଅଛି; ସେହି ଏକା ମୋ ମନକୁ ଆକର୍ଷଣ କରେ । ରାଶି ରାଶି ଘଟନା ଓ ଅଗଣିତ ପ୍ରାଣୀପୁଞ୍ଜ ମଧ୍ୟରେ କେତେଗୁଡ଼ିଏ ମୋ ମନରୁ କଦାଚ ଅନ୍ତର ହୁଏନାହିଁ - କାହିଁକି ସେଗୁଡ଼ିକ ଏପରି ସ୍ମୃତି ମଧ୍ୟରେ ଜାଗ୍ରତ ଥାଏ, ତାହାର କାରଣ ମୁଁ ଜାଣେ ନାହିଁ, ତଥାପି ଏହା ନିଶ୍ଚିତ କଥା ଯେ ସେମାନଙ୍କ ସଙ୍ଗେ ମୋହର ସମ୍ବନ୍ଧ ଅଛି ।” ସେ କି ସମ୍ବନ୍ଧ ? ସେଥିରେ ମୋହର କି ପ୍ରୟୋଜନ ଥାଇପାରେ ? ତାହା ଏହି ଯେ, ସେଗୁଡ଼ିକ ସାହାଯ୍ୟରେ ମୁଁ ଜୀବନପଥରେ ଅଗ୍ରସର ହେବି । ମନୁଷ୍ୟ ଶିଶୁକୁ ଶିକ୍ଷା ଦେବାପାଇଁ ଏହା ପ୍ରକୃତିର ଅଦ୍ଭୁତ କୌଶଳ ! ସେହିପରି ଆମ୍ଭମାନଙ୍କ ଅନ୍ତର୍ନିହିତ ପ୍ରତ୍ୟେକ ବୃତ୍ତି ସ୍ୱର୍ଗର ସୋପାନ - ଦେବତ୍ୱ ଲାଭର ଉପାୟ । ସୁତରାଂ ଯେଉଁ ପ୍ରେମ ମାନବ ହୃଦୟର ସର୍ବଶ୍ରେଷ୍ଠ ବୃତ୍ତି, ଯାହା ଆମ୍ଭମାନଙ୍କର ସର୍ବପ୍ରକାର ମଧୁର ସମ୍ବନ୍ଧର ମୂଳ, ସକଳ ସଦୁଦ୍ଦେଶ୍ୟର ପରିପାଳକ ଓ ପରିପୋଷକ, ତାହା ଯେ ସଂସାରର ଅସାର ଭୋଗ୍ୟବସ୍ତୁରେ ପର୍ଯ୍ୟବେସିତ ହେବା ନିମିତ୍ତ ନୁହେଁ, ଏକଥା ବୋଲିବା ବାହୁଲ୍ୟ ମାତ୍ର । ପୃଥିବୀର ପ୍ରେମ କେବଳ ସେହି ଅନନ୍ତ ପଥରେ ଅଗ୍ରସର ନକରେ, ଯେବେ ଆମ୍ଭମାନଙ୍କ ପ୍ରାଣକୁ ମହତ୍ତର, ଉଚ୍ଚତ୍ତର ଲକ୍ଷ୍ୟ ସାଧନରେ ପ୍ରବୃତ୍ତ ନକରେ, ପରନ୍ତୁ ସଂକୀର୍ଣ୍ଣତର ସୀମା ମଧ୍ୟରେ ନିବଦ୍ଧ କରେ, ହୃଦୟର ପ୍ରୀତିକୁ ପ୍ରସାରିତ ନକରି ସଙ୍କୁଚିତ କରିଦିଏ, ତେବେ ତାହା ନରକର ବସ୍ତୁ । ଦୁର୍ଭାଗ୍ୟର ବିଷୟ ଯେ, ଜଗତରେ ଏହି ବିକୃତ ପ୍ରେମର ଦୃଷ୍ଟାନ୍ତ ହିଁ ଅଧିକ ।
ଉପନିଷଦରେ ଅଛି, ‘ଯୋ ବୈ ଭୂମା ତତ୍ ସୁଖଂ, ନାଳ୍ପେ ସୁଖମସ୍ତି’ । ଅନନ୍ତ ଛଡ଼ା ସୁଖ ନାହିଁ । ଯାହା ଦୁଇ ଦିନରେ ଶେଷ ହୋଇଯାଏ, ଯାହା ଧରୁ ଧରୁ ପୁରୁଣା ହୋଇଯାଏ ବା ଭାଙ୍ଗିଯାଏ, ଏପରି ବସ୍ତୁରେ ମାନବାତ୍ମା କେତେ କାଳ ତୃପ୍ତ ରହିବ ? ଯାହା ଧାରଣାର ଅତୀତ, ଯାହାର ଆଦିଅନ୍ତ ନିରୂପଣ କରିବା ସମ୍ଭବପର ନୁହେଁ, ସେହି ଏକା ମାନବ ପ୍ରାଣରେ ସୁଖ ପ୍ରଦାନ କରେ । ଅନନ୍ତ ଆକାଶ ବିଷୟ ଚିନ୍ତା କରି, ଅନନ୍ତ ମହିମାମୟ ପରମେଶ୍ୱରଙ୍କୁ ପ୍ରାଣରେ ଉପଲବ୍ଧି କରି, କବିଙ୍କ ନୟନ ପ୍ରେମାଶ୍ରୁ ବର୍ଷଣ କରେ, ପ୍ରାଣ ସ୍ୱର୍ଗର ଆନନ୍ଦ ସମ୍ପଦ ଲାଭ କରେ । ଅନନ୍ତ ମହିମା ଗାନ କରି, ସେ ଭାବ ଧ୍ୟାନ କରି, କେତେ କବି କେବେ ଭାବୁକ ଅନନ୍ତ ସୁଖ ସିନ୍ଧୁରେ ବୁଡ଼ି କେତେ ମହାଭାବର କଥା ବ୍ୟକ୍ତ କରିଅଛନ୍ତି । ତାହାର ଶେଷ ନାହିଁ । ଯେ ଥରେ ଚିନ୍ତା କରିଅଛି ସେ ବୁଡ଼ିଅଛି । ଆମ୍ଭମାନଙ୍କର ଏହା ପ୍ରାଣଗତ ବିଶ୍ୱାସ ଯେ, ଅନନ୍ତଙ୍କ ମଧ୍ୟରେ ନିମଗ୍ନ ହେବା, ଆତ୍ମବିସ୍ମୃତ ହେବା ହିଁ ପ୍ରକୃତ ସୁଖ । ଆମ୍ଭମାନଙ୍କ କ୍ଷୁଦ୍ର ଆଶା, କ୍ଷୁଦ୍ର ଭାବ ଅନନ୍ତ ଆଡ଼କୁ ସର୍ବଦା ଧାଏଁ । ଏହି କଥାକୁ ଲକ୍ଷ୍ୟ କରି ଥରେ ଜଣେ ବିଜ୍ଞ ବ୍ୟକ୍ତି କହିଥିଲେ, “ଅନନ୍ତ ଧ୍ୟାନରେ ଭୟ, ବିସ୍ମୟ, ଭକ୍ତି ଜାତ ହୁଏ; କିନ୍ତୁ ପ୍ରେମ କିପରି ହେବ ? ଗୋଟିଏ କଥା ଅଛି ରାଜାର କେହି ବନ୍ଧୁ ନାହିଁ-। ଅର୍ଥାତ୍ ରାଜା ସମସ୍ତଙ୍କଠାରୁ ଶ୍ରେଷ୍ଠ, ସୁତରାଂ ତାଙ୍କ ସଙ୍ଗେ ଅନ୍ୟ କାହାରି ବନ୍ଧୁତା ସମ୍ଭବେ ନାହିଁ-।” କଥାଟି ପ୍ରାଣରେ ବଡ଼ ଆଘାତ କଲା । ତେବେ କଣ ଅନନ୍ତ ଈଶ୍ୱରଙ୍କ ସଙ୍ଗେ କ୍ଷୁଦ୍ର ମାନବର ପ୍ରେମ ଅସମ୍ଭବ ? ତାହାହେଲେ ଏ କ୍ଷୁଦ୍ର ପ୍ରାଣରେ ଏ ଉଚ୍ଚ ଆକାଙ୍କ୍ଷା କାହିଁକି ? ଏ କଣ ବୃଥା ଆଶା ? କେବଳ ମୋହର ଛଳନା ? ନା, ତାହା ତ ହୋଇ ନପାରେ ! ଇନ୍ଦ୍ରିୟ ଅଛି; ଇନ୍ଦ୍ରିୟର ବିଷୟ ଅଛି; ପ୍ରବୃତ୍ତି ଅଛି, ତାହା ଚରିତାର୍ଥ କରିବାର ଉପାୟ ଅଛି; ଅଥଚ ମାନବାତ୍ମାର ସର୍ବଶ୍ରେଷ୍ଠ ବୃତ୍ତିଟି - ହୃଦୟର ଉଚ୍ଚତମ ଆଶାଟି ଅପୂର୍ଣ୍ଣ ରହିବ ? ଏହା ପ୍ରକୃତିର ନିୟମ ବିରୁଦ୍ଧ ମହାନ୍ ବ୍ରହ୍ମ ଆମମାନଙ୍କପାଇଁ ଛୋଟ ହେବେ ନାହିଁ; ଅଥଚ ତାଙ୍କ ସଙ୍ଗେ ପ୍ରେମ ବିନା ଆମ୍ଭମାନଙ୍କ ଦିନ ଚଳିବ ନାହିଁ । ଏ ସମସ୍ୟା କିଏ ପୂରଣ କରିବ ? ଏହି ସମସ୍ୟା ପୂରଣ କରିବା ପାଇଁ ବୋଧହୁଏ ସାକାରବାଦର ଅବତାରଣା । କୌଣସି କୌଣସି ସାକାରବାଦୀଙ୍କ ମୁଖରୁ ଏପରି କଥା ଶୁଣାଯାଏ, କିନ୍ତୁ ସେ ବୃଥା ଚେଷ୍ଟା ! ସେ ଆକାର ତ ପ୍ରକୃତ ବସ୍ତୁ ନୁହେଁ - କଳ୍ପନାର କ୍ରୀଡ଼ା ! କଳ୍ପନାରେ ଯେ ପ୍ରକୃତ ବସ୍ତୁ ଉପଭୋଗ କରିବାର ଆଶା କରେ, ସେ ଭ୍ରାନ୍ତ, ସେ ବାତୁଳ । ଯାହା ଅସଲ ବସ୍ତୁର ନକଲ ସୁଦ୍ଧା ନୁହେଁ, ସେ କିପରି ହୃଦୟର ଗଭୀର ପିପାସା ନିବାରଣ କରିବ ?
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର